ବଙ୍ଗଳାଦେଶ ୧୯୭୧ରେ ସ୍ୱାଧୀନତା ଲାଭ କଲାବେଳକୁ ତା’ର ଅର୍ଥନୀତି ଏତେ ବିପର୍ଯ୍ୟସ୍ତ ହୋଇପଡିଥିଲା ଯେ ଅର୍ଥନୀତିଜ୍ଞମାନେ ଏହାର ଅର୍ଥନୀତି ଅନ୍ଧାର ଭିତରେ ବୋଲି କହିଥିଲେ । ଏପରିକି ଅନେକ ଅର୍ଥନୀତିଜ୍ଞ ଏହାକୁ ଏକ ‘ବାସ୍କେଟ କେସ’ ଅର୍ଥନୀତି ବୋଲି କହିବା ଆରମ୍ଭ କରି ଦେଇଥିଲେ । ସେତେବେଳେ ତା’ର ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ । ସେଠାରେ ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଥିଲା ତାହା ବିସ୍ଫୋରକ ସ୍ଥିତି ଆଡ଼କୁ ଅଗ୍ରସର ହେଉଥିବାରୁ ଆବଶ୍ୟକ ପରିମାଣର ଖାଦ୍ୟାନ୍ନ ଉତ୍ପନ୍ନ ନ ହୋଇ ଦେଶ ପକ୍ଷରେ ଦେଶବାସୀଙ୍କ ମୁହଁରେ ଦୁଇ ମୁଠା ଖାଦ୍ୟ ପହଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି ଭବିଷ୍ୟ ବାଣୀ କରାଯାଉଥିଲା । ଅର୍ଥନୀତିକୁ ସୁଧାରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ତାକୁ କୌଣସି ବିଦେଶୀ ଆର୍ଥିକ ସାହାଯ୍ୟ ଦେବା ମାନେ ପ୍ରଦତ୍ତ ରାଶି ପାଣିରେ ପକାଇବା ବୋଲି କେହି କେହି କହିବାକୁ ମଧ୍ୟ ପଛାଉ ନଥିଲେ । ବଙ୍ଗଳାଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ସେଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ରିଫ୍ୟୁଜି ପଳାୟନ କରି ଭାରତରେ ଆଶ୍ରୟ ନେଇଥିବାରୁ ଓ ତତ୍ ପରବର୍ତ୍ତୀ ସେଠାକାର ଦୁର୍ବଳ ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ଭାରତୀୟମାନଙ୍କ ମନରେ ଏବେ ବି ଧାରଣାଟିଏ ବସା ବାନ୍ଧି ରହିଯାଇଛି ବଙ୍ଗଳାଦେଶ ଏକ ଗରିବ ଦେଶ । ଦେଶର ବିଭିନ୍ନ ସହରରେ ବଙ୍ଗଳାଦେଶୀମାନେ ଅବୈଧ ଭାବେ ରହି ବିଭିନ୍ନ ଛୋଟମୋଟ କାର୍ଯ