ଅନ୍ତର୍ଜାତୀୟ ପୁନର୍ନିର୍ମାଣ ଓ ବିକାଶ ବ୍ୟାଙ୍କ(ଏବର ବିଶ୍ୱ ବ୍ୟାଙ୍କ)ର ମଧ୍ୟସ୍ଥତାରେ ୯ ବର୍ଷ ଧରି ବିଚାର ବିମର୍ଶ ଚାଲିବା ପରେ ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଇତିମଧ୍ୟରେ ଉଭୟ ଦେଶ ମଧ୍ୟରେ ୧୯୬୫ ଓ ୧୯୭୧ ମସିହାରେ ଦୁଇଟି ସମ୍ପୂର୍ଣ୍ଣ ଯୁଦ୍ଧ ଓ ୧୯୯୯ରେ କାରଗିଲ ଯୁଦ୍ଧ ଭଳି ଖଣ୍ଡିତ ଯୁଦ୍ଧ ହୋଇସାରିଛି। ଏଥି ସହିତ ନିୟମିତ ଅନ୍ତରାଳରେ ଅଗଣିତ ଉତ୍ତେଜନାପୂର୍ଣ୍ଣ ଘଟଣା ସଂଘଟିତ ହୋଇଚାଲିଛି। ତଥାପି ଏହି ଦୁଇ ବୈରୀ ଦେଶ ମଧ୍ୟରେ ଗତ ୬୫ ବର୍ଷ ଧରି ନଦୀ ଜଳକୁ ନେଇ ଏହି ଚୁକ୍ତି ସଫଳତାର ସହ କାର୍ୟ୍ୟ କରି ଚାଲିଛି, ଯାହା ଅନେକଙ୍କ ଦୃଷ୍ଟିରେ ଏକ ବିସ୍ମୟ। ତେବେ ନିକଟରେ ପହଲଗାମଠାରେ ଆତଙ୍କବାଦୀଙ୍କ ଦ୍ୱାରା ବର୍ବରୋଚିତ ନୃଶଂସ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିବା ପରେ ସାରା ଦେଶରେ କ୍ରୋଧ ଓ ଆକ୍ରୋଶର ବାତାବରଣ ବିରାଜମାନ। ଏହି ଘଟଣା ପାଇଁ ପାକିସ୍ତାନ ଦାୟୀ ବୋଲି ଭାରତ ସରକାରଙ୍କ ତରଫରୁ ତତକ୍ଷଣାତ୍ ଏକାଧିକ କୂଟନୈତିକ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି; ଯହିଁରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଲାଗି ଘୋଷଣା। ତେବେ ଆବେଗାତିଶଯ୍ୟର ବଶବର୍ତ୍ତୀ ନ ହୋଇ ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତାବଳୀ ଓ ଏହାକୁ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ପ୍ରଭାବ ଉପରେ ଏକ ଆଲ...