ସଭ୍ୟ ସମାଜରେ ଇସ୍ତ୍ରୀ ହୋଇଥିବା ପୋଷାକ ପିନ୍ଧିବା ସଭ୍ୟ ମଣିଷଙ୍କ ପରିଚୟ ରୂପେ ପରିଗଣିତ ହୋଇଥାଏ । ଏଣିକି ଇସ୍ତ୍ରୀ ହୋଇ ନଥିଲେ ସାନଠାରୁ ବଡ଼ ପର୍ଯ୍ୟନ୍ତ କେହି ସେହି ଲୁଗା ପିନ୍ଧିବାକୁ ରାଜି ହେଉଥିବା ଦେଖାଯାଉନାହିଁ । ଏପରିକି ସାମାନ୍ୟ ଲୋଚାକୋଚା ହୋଇଥିବା ଲୁଗାକୁ ବି କାଢ଼ି ପକାଇ ଦେଉଛନ୍ତି । କିନ୍ତୁ ଅନେକ ହୁଏତ ଅନୁଭବ କରି ନ ଥିବେ ଯେ ସମାଜରେ ଇସ୍ତ୍ରୀ ପୋଷାକ ପିନ୍ଧିବାର ପ୍ରବୃତ୍ତି ବଢ଼ିବା କାରଣରୁ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହୋଇ ବୈଶ୍ୱିକ ଉତ୍ତପ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ଏ କଥା ନୁହେଁ ଯେ ଭାରତୀୟମାନେ ପ୍ରଥମରୁ ଇସ୍ତ୍ରୀକରା ପୋଷାକ ପିନ୍ଧିବାରେ ଅଭ୍ୟସ୍ତ ଥିଲେ । ଆଗରୁ ଭାରତୀୟମାନେ ସାର୍ଟ ପ୍ୟାଣ୍ଟ ପରି ସିଲେଇ ହୋଇଥିବା ପୋଷାକ ପିନ୍ଧୁ ନଥିଲେ । ସେତେବେଳେ ଭାରତୀୟ ପୁରୁଷମାନେ ପ୍ରାୟତଃ ଧୋତି, ଗାମୁଛା ଓ ମହିଳାମାନେ ଶାଢ଼ୀ ପିନ୍ଧୁଥିଲେ । ଲୋଚାକୋଚା ହେଲେ ବି ସେଗୁଡ଼ିକ ପିନ୍ଧିବାରେ ସେମାନଙ୍କର କୌଣସି କୁଣ୍ଠା ବା ଆପତ୍ତି ନ ଥିଲା । ଆଜି ବି ଗାଁଗଣ୍ଡାରେ ଲୋକେ ଲୋଚାକୋଚା ହୋଇଥିବା ଲୁଗା ପିନ୍ଧି ବେଶ୍ ସ୍ୱଚ୍ଛନ୍ଦରେ ଦୋକାନ ବଜାର, ବାହାର ଜାଗାକୁ ବୁଲିବାକୁ ଯାଇଥାନ୍ତି । ଅନେକ କ୍ଷେତ୍ରରେ ତ ଲୋଚାକୋଚା ପୋଷାକ ପିନ୍ଧିବା ଗର୍ବ ଓ ଆଭିଜାତ୍ୟର ବିଷୟ ଥିଲା । ସ୍ଥଳ ବିଶେଷରେ କିଛି ଭଲ ଲୁଗାକୁ ଠିକ୍ ରୂପେ ଚଉତାଇ ପେଡ଼ିରେ ରଖୁଥିଲେ ଯାହାକୁ ‘ପେଡ଼ି ସାଇତା’ ଲୁଗା କୁ...