‘ଏମଏସପି ଥିଲା, ଅଛି, ରହିବ’ର ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଅଡି ବସିବାର କାରଣ ହେଉଛି ପ୍ରଚଳିତ ବ୍ୟବସ୍ଥାରେ ଅଧିକାଂଶ ଚାଷୀ ଏମଏସପିରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଅସମର୍ଥ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବା । “ଫସଲର ସମ୍ପୂର୍ଣ୍ଣ ବ୍ୟୟ ଆଧାରିତ (‘ସି’ଟୁ ଯୁକ୍ତ ୫୦ ପ୍ରତିଶତ) ସର୍ବନିମ୍ନ ସହାୟକ ମୂଲ୍ୟ ସବୁ ପ୍ରକାର କୃଷି ଉତ୍ପାଦ ଉପରେ ପାଇବା ସବୁ ଚାଷୀଙ୍କର ଆଇନଗତ ଅଧିକାର ହେବା ଆବଶ୍ୟକ, ଯଦ୍ଦ୍ୱାରା ଦେଶର ପ୍ରତି ଚାଷୀ ତା’ର ସମ୍ପୂର୍ଣ୍ଣ ଅମଳକୁ ଅନ୍ତତଃ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକିବାର ଗ୍ୟାରେଣ୍ଟି ପାଇପାରିବ“ ବୋଲି ମୋର୍ଚ୍ଚାର ଦୃଢ ମତ । ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଗଲେ ରାଜକୋଷ ଉପରେ ଅତ୍ୟଧିକ ଚାପ ପଡି ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଅର୍ଥର ଅଭାବ ଦେଖା ଦେବ ବୋଲି କିଛି ଅର୍ଥନୀତିଜ୍ଞ କହୁଥିବା ବେଳେ ଏହା ଦ୍ୱାରା ଚାଷୀଙ୍କ ଅବସ୍ଥା ସ୍ୱଚ୍ଛଳ ହୋଇ ଅର୍ଥନୀତି ଗତିଶୀଳ ହେବ ବୋଲି ଅନ୍ୟ କେତେକ ଅର୍ଥନୀତିଜ୍ଞଙ୍କ ମତ ହୋଇଥିବାରୁ ପ୍ରସଙ୍ଗଟିର ପର୍ୟ୍ୟାଲୋଚନା ଆବଶ୍ୟକ । ବର୍ତ୍ତମାନ ଯେଉଁ ୨୨ଟି ଫସଲ ପାଇଁ ଏମଏସପି ଘୋଷିତ ହେଉଛି ସେଥିରେ ଧାନ, ଗହମ, ମକା, ଯବ, ଜ୍ୱାର, ବାଜରା, ମାଣ୍ଡିଆ ଭଳି ୭ଟି ଖାଦ୍ୟାନ୍ନ, ବୁଟ, ହରଡ, ମୁଗ, ବିରି, ମସୁର...