ଜାତିସଙ୍ଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୨୦୨୧ ଜାନୁଆରି ମାସ ଉଦବେଗ ପ୍ରକାଶ କରି କହିଥିଲେ, “ଆଜି ଆମେ ଏକ ‘ଭ୍ୟାକସିନ ଶୁନ୍ୟତା’କୁ ଦେଖୁଛେ । ଉଚ୍ଚ ଆୟକାରୀ ଦେଶଗୁଡିକଙ୍କ ନିକଟରେ ତୁରନ୍ତ ଭ୍ୟାକସିନ ପହଞ୍ଚି ଯାଉଥିବା ବେଳେ ବିଶ୍ୱର ଦରିଦ୍ର ଦେଶଗୁଡିକ କିଛି ପାଉ ନାହାନ୍ତି । ବିଜ୍ଞାନ ସଫଳ ହେଉଛି - ହେଲେ ପାରସ୍ପରିକ ନିର୍ଭରଶୀଳତା ବିଫଳ ହେଉଛି ।” ତାଙ୍କର ଏପରି ମନ୍ତବ୍ୟ ପଛର କାରଣ ଥିଲା କିଛି ଦେଶ ଦ୍ୱିପାକ୍ଷିକ ଚୁକ୍ତି ଜରିଆରେ ସେମାନଙ୍କ ଆବଶ୍ୟକତାଠାରୁ ଅଧିକ ଟିକା ମହଜୁଦ କରି ରଖିବା । ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ସବୁ ସରକାରଙ୍କ କର୍ତ୍ତବ୍ୟ ହୋଇଥିଲେ ବି ଅନ୍ୟ ଦେଶ କଥା ନ ଭାବି କେବଳ ନିଜ ଦେଶ କଥା ଭାବିବା ‘ଭ୍ୟାକସିନ ଜାତୀୟତାବାଦ’କୁ ଜନ୍ମ ଦେଲା । ବସ୍ତୁତଃ ଆମେରିକା, କାନାଡା, ପଶ୍ଚିମ ଇଉରୋପର କିଛି ଦେଶ ଏହି ଭ୍ୟାକସିନ ଜାତୀୟତାବାଦକୁ ଅନୁସରଣ କରି ଅନ୍ୟ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କ ଆବଶ୍ୟକତାକୁ ଅଣଦେଖା କରିବାରୁ ସାରା ବିଶ୍ୱରେ ଏକ ‘ଭ୍ୟାକସିନ ଶୂନ୍ୟତା’ ଦେଖା ଦେଲା । ଏକ ଆକଳନ ଅନୁସାରେ ୨୦୨୧ ଅପ୍ରେଲ ଶେଷ ସୁଦ୍ଧା ସାରା ବିଶ୍ୱରେ ଦିଆ ଯାଇଥିବା ୧୦୦ କୋଟି ଡୋଜ ଟିକା ଭିତରୁ ମାତ୍ର ୨୦ ଲକ୍ଷ ନିମ୍ନ ଆୟକାରୀ ଦେଶମାନଙ୍କରେ ଦିଆଯାଇଥିଲା । ଚୀନ ଓ ରୁଷିଆ ଏହି ବିଶାଳ ଶୂନ୍ୟତାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରି ଲୋକସମ୍ପର୍କ ଅଭିଯାନ ମାଧ୍ୟମରେ ନିଜକୁ ବିକାଶଶୀଳ ଦେଶଙ୍କ ତ୍ରାଣକର୍ତ୍ତା ରୂପେ ଉପସ୍ଥାପିତ କରିବାର ପ୍ରଚେଷ୍ଟା ସହ ଭ୍ୟାକସିନ କୂଟନୀତିର ଲମ୍ୱା ଖେଳ ଖେଳିବାକୁ ପ୍ରସ୍ତୁତ ହୋଇଗଲେ । ଉଭୟ ଦେଶ କେବଳ ସ୍ୱଳ୍ପ ମିଆଦୀ ଟିକା ଆବଶ୍ୟକତା ପୂରଣ କରି ପ୍ରଶଂସା ସାଉଁଟିବା ପାଇଁ ନୁହେଁ; ବରଂ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦେଶରେ ଟିକା ଉତ୍ପାଦନ କେନ୍ଦ୍ରଠାରୁ ଆରମ୍ଭ କରି ସ୍ଥାନୀୟ ଶ୍ରମିକଙ୍କୁ ଟିକା ଉତ୍ପାଦନ ଲାଗି ତାଲିମ ଦେବାର ବ୍ୟବସ୍ଥା କଲେ ।
ଔଷଧ କମ୍ପାନୀ ଓ ଦେଶଗୁଡିକ ମଧ୍ୟରେ ହେଉଥିବା ନିୟମିତ ଚୁକ୍ତିଠାରୁ ଭ୍ୟାକସିନ କୂଟନୀତି ସମ୍ପୂର୍ଣ୍ଣ ଅଲଗା । ଟିକା ଯୋଗାଣ ପାଇଁ ଦୁଇଟି ସାର୍ବଭୌମ ଦେଶ ମଧ୍ୟରେ ହେଉଥିବା ଚୁକ୍ତି ଭ୍ୟାକସିନ କୂଟନୀତିର ଅଂଶ ବିଶେଷ, ଯାହାର ବ୍ୟାବସାୟିକ ତାତ୍ପର୍ଯ୍ୟଠାରୁ (ଭୂ)ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଅଧିକ । ଅନେକ ସମୟରେ ଭ୍ୟାକସିନ ଯୋଗାଣ ପଛରେ ଯୋଗାଉଥିବା ଦେଶର ପ୍ରତ୍ୟକ୍ଷ ବା ପରୋକ୍ଷ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥାଏ । ଉଭୟ ଚୀନ ଓ ରୁଷିଆଙ୍କ ଭ୍ୟାକସିନ କୂଟନୀତି ପଛରେ ଯେଉଁ ତିନିଟି ଲକ୍ଷ୍ୟ ରହିଛି ସେଗୁଡିକ ହେଲା, ବିଶ୍ୱସ୍ତରରେ ସେମାନଙ୍କ ଉପସ୍ଥିତିକୁ ସୁଦୃଢ କରିବା, ବିକାଶଶୀଳ ଦେଶଗୁଡିକ (ବିଶେଷ କରି ଯେଉଁ ଦେଶ ଉପରେ ପାଶ୍ଚାତ୍ୟ ଦେଶର ପ୍ରଭାବ ହ୍ରାସ ପାଇଛି) ସହ ସମ୍ପର୍କକୁ ଘନିଷ୍ଠ କରିବା, ନିଜକୁ ଟିକାର ନିର୍ଭରଯୋଗ୍ୟ ଯୋଗାଣକାରୀ (କୋଭିଡ ଟିକାକକରଣ ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହେବାକୁ ଯାଉଥିବାରୁ) ଭାବେ ପ୍ରତିଷ୍ଠିତ କରାଇବା । ଏଥିପାଇଁ ସେମାନେ ଆମେରିକାର ଆଖପାଖରେ ଥିବା ବ୍ରାଜିଲ, ଚିଲି, ମେକ୍ସିକୋ ଭଳି ଦେଶ, ବଲକାନ ଅଞ୍ଚଳରେ ଥିବା କ୍ରୋଏସିଆ, ସର୍ବିୟା, ତୁର୍କୀ, ଭଳି ଦେଶ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଉଭୟ ଦେଶଙ୍କର ବିଶ୍ୱାସ ଯେ ଟିକା ପାଉଥିବା ପ୍ରତିଟି ଦେଶ ସେମାନଙ୍କ ପ୍ରତି କୃତଜ୍ଞ ରହିବେ ଓ ପ୍ରତିବଦଳରେ ସେମାନଙ୍କ ପ୍ରତ୍ୟାଶା ପ୍ରତି ଅସମ୍ମତି ଜଣାଇବେ ନାହିଁ । ସେହି ପ୍ରତ୍ୟାଶା ଜାତିସଂଘ ଏବଂ ବିଭିନ୍ନ ମଞ୍ଚ ଓ ପ୍ରସଙ୍ଗରେ ସମର୍ଥନଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ପଦ ହାତେଇବା, ଭିତ୍ତିଭୂମି ପ୍ରକଳ୍ପଗୁଡିକର ତ୍ୱରିତ ମଞ୍ଜୁରି, ବାଣିଜ୍ୟ ବୃଦ୍ଧି, ପ୍ରତିରକ୍ଷା ସାମଗ୍ରୀ କ୍ରୟ, ୫ଜି ଟେକ୍ନୋଲୋଜି, ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଆଦି କିଛି ବି ହୋଇପାରେ ।
ଅପ୍ରେଲ ୨୦୨୦ରୁ ଚୀନରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାରୁ ସେଠାରେ ଲକଡାଉନ ନ ହୋଇ କଳ କାରଖାନାଗୁଡିକ ଚାଲିବା ଦ୍ୱାରା ସେଠାରେ ଉତ୍ପାଦିତ ଟିକାକୁ ଦେଶର ଆବଶ୍ୟକତା ମେଣ୍ଟାଇବା ପରେ ବିଦେଶକୁ ରପ୍ତାନୀ କରିବାରେ ଅସୁବିଧା ହୋଇନାହିଁ । ୧୪୪ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନରେ ଜୁନ ୭, ୨୦୨୧ ସୁଦ୍ଧା ପ୍ରାୟ ୮୧ କୋଟି ଡୋଜ ଟିକା ଦିଆ ସରିଛି ଯାହା ଭାରତ ଟିକାକରଣର ୩ ଗୁଣରୁ ଅଧିକ । ଚୀନରେ ବିକଶିତ ‘ସାଇନୋଭାକ’ ଓ ‘ସାଇନୋଫାମ’ ଟିକା ଦୁଇଟି ନିଷ୍କ୍ରିୟ ହୋଇଥିବାରୁ ସେଗୁଡିକର ପରିବହନ ଓ ଭଣ୍ଡାରଣ ଅପେକ୍ଷାକୃତ ସହଜ, ଯେଉଁଥିପାଇଁ ବିକାଶଶୀଳ ଦେଶଗୁଡିକ ଏଥି ପ୍ରତି ଆକୃଷ୍ଟ ହେଲେ । ୮୯ଟି ଦେଶକୁ ଚୀନ ଟିକା ରପ୍ତାନୀ କରୁଛି ଓ ସେଥିପାଇଁ ବିଶ୍ୱର ୯ଟି ଦେଶରେ ଟୀକା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରୁଛି । ଲାଟିନ ଆମେରିକୀୟ ଓ କାରିବୀୟ ଦ୍ୱୀପପୁଞ୍ଜର ଦେଶଗୁଡିକୁ ଟିକା ଯୋଗାଇବା ପାଇଁ ଚୀନ ୧୦୦ କୋଟି ଡଲାରର ଋଣ ମଧ୍ୟ ଦେଇଛି । ଅଧିକାଂଶ ଟିକା ଚୀନ ବିକ୍ରି କରିଥିବା ବେଳେ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ପାକିସ୍ତାନକୁ ଏବଂ ଦକ୍ଷିଣ ଚୀନ ସାଗର ବିବାଦରେ ସମର୍ଥନ ପାଇବା ଆଶାରେ କମ୍ୱୋଡିଆ ଓ ଲାଓସକୁ କିଛି ଟିକା ଅନୁଦାନ ଆକାରରେ ଦେଇଛି । ତେବେ ଉଭୟ ‘ସାଇନୋଭାକ’ ଓ ‘ସାଇନୋଫାମ’ ଟିକାର ଦକ୍ଷତା ହାର ଅନ୍ୟ ଟିକା ତୁଳନାରେ କମ ହୋଇଥିବାରୁ ତାହା ଚୀନର ଭ୍ୟାକସିନ କୂଟନୀତିର ଅଗ୍ରଗତିରେ ମୁଖ୍ୟ ଅନ୍ତରାୟ ସାଜିପାରେ । ସେଠାରେ ଆହୁରି ୧୫ଟି ଟିକା ଏବେ ପରୀକ୍ଷା ସ୍ତରରେ ଥିବାରୁ ସେଥିରୁ ଉନ୍ନତ ମାନର ଟିକା ବିକଶିତ ହେବା ନେଇ ଚୀନ ଆଶାବାଦୀ ।
ରୁଷିଆ ହିଁ ‘ସ୍ପୁଟନିକ-ଭି’ ନାମକ ବିଶ୍ୱର ପ୍ରଥମ କୋଭିଡ ଟିକା ବିକାଶ କରିଥିଲା । ତେବେ ଭାରତ ପରି ସେଠାରେ ବି ଟିକା-କୁଣ୍ଠା (ହେଜିଟାନ୍ସି) ଥିବାରୁ ୧୪.୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଜୁନ ୭, ୨୦୨୧ ସୁଦ୍ଧା ମାତ୍ର ୩ କୋଟି ଡୋଜ ଟିକା ଦିଆଯାଇଛି । ଅବଶ୍ୟ ସେଠାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାରୁ ରୁଷିଆ ଭ୍ୟାକସିନ କୂଟନୀତି କ୍ଷେତ୍ରରେ ସକ୍ରିୟ ରହିଛି । ଇତିମଧ୍ୟରେ ସେଠାରେ ଗୋଟିଏ ଡୋଜ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଟିକା ବିକଶିତ ହୋଇ ସାରିଛି, ଯାହା ତା’ର କୂଟନୀତିର ବିସ୍ତାର ଲାଗି ସହାୟକ ହୋଇପାରେ । ରୁଷିଆ ଦ୍ୱାରା ବିକଶିତ ‘ସ୍ପୁଟନିକ-ଭି’ ଟିକା ଅପେକ୍ଷାକୃତ ଶସ୍ତା ଓ ଏହା ସାଧାରଣ ଫ୍ରିଜରେ ରଖାଯାଇ ପାରୁଥିବାରୁ ୬୦ଟିରୁ ବେଶି ଦେଶ ଏହାକୁ ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରି ପ୍ରାୟ ୬୩ କୋଟି ଡୋଜ କିଣିବାକୁ ଅର୍ଡର ଦେଇ ସାରିଛନ୍ତି । ତେବେ ରୁଷିଆର ଭ୍ୟାକସିନ କୂଟନୀତିର ଦୁର୍ବଳତମ ଦିଗଟି ହେଲା ଏହି ଅର୍ଡରକୁ ପୂରଣ କରିବା ଲାଗି ତା’ ନିକଟରେ ଉତ୍ପାଦନ କ୍ଷମତାର ଅଭାବ । ରୁଷିଆ ବାହାରେ କାଜାଖାସ୍ତାନ, ବେଲାରୁସରେ ଏହି ଟିକା ଉତ୍ପାଦନ ହେଉଥିବା ବେଳେ ଚୀନ, ଦକ୍ଷିଣ କୋରିଆ, ତୁର୍କୀ, ଭାରତ ଆଦି ଦେଶର କାରଖାନାରୁ ଏହାର ଉତ୍ପାଦନକୁ ତ୍ୱରାନ୍ୱିତ କରିବାର ପ୍ରଚେଷ୍ଟା ହେଉଛି ।
ଭାରତରେ ଜାନୁଆରି ୨୦, ୨୦୨୧ରେ, ଅର୍ଥାତ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ୪ ଦିନ ପରେ, ସରକାର ବିଦେଶକୁ ଟିକା ରପ୍ତାନୀ କରିବା ପାଇଁ ‘ଭ୍ୟାକସିନ ମୈତ୍ରୀ’ କାର୍ଯ୍ୟକ୍ରମର ଘୋଷଣା କଲେ । ଭାରତ ଏକ ପ୍ରମୁଖ ଟିକା ଉତ୍ପାଦନକାରୀ ଦେଶ ଏବଂ ଏଠାରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦୁଇଟି ଉତ୍ପାଦନ ହେଉଥିବାରୁ ଉଭୟ ଚୀନ ଓ ରୁଷିଆ ଟିକାର ମାନକୁ ନେଇ ପ୍ରଶ୍ନ ଉଠୁଥିବାର ସୁଯୋଗ ନେଇ ଭାରତ ଏହି ଭ୍ୟାକସିନ କୂଟନୀତିରେ ଲମ୍ଫ ପ୍ରଦାନ କରି ଥାଇପାରେ । ଭାରତରୁ ପରବର୍ତ୍ତୀ ତିନି ମାସ ଭିତରେ ପ୍ରାୟ ୬.୬୪ କୋଟି ଡୋଜ ଟିକା ୯୪ଟି ଦେଶ ଓ ଜାତିସଂଘର ଶାନ୍ତି ରକ୍ଷାକାରୀ ସେନାଙ୍କୁ ରପ୍ତାନୀ ହେଲା । ତନ୍ମଧ୍ୟରୁ ପ୍ରାୟ ୩.୫୮ କୋଟି ଡୋଜ ଟିକା ବାଣିଜ୍ୟିକ ଭିତ୍ତିରେ ୨୬ଟି ଦେଶକୁ ବିକ୍ରି କରାଗଲା । ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନୀ କରି ସରକାର ଆଲୋଚନାର ଶରବ୍ୟ ହେଲେ । ଦେଶରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସରକାରଙ୍କୁ ଅପ୍ରେଲ ୨୨ରୁ ଟିକା ରପ୍ତାନୀ ବନ୍ଦ କରିବାକୁ ପଡିଲା । କମ୍ପାନୀଗୁଡିକଙ୍କ ବାଣିଜ୍ୟିକ ଦାୟବଦ୍ଧତା (କମର୍ସିଆଲ ଲାଏବିଲିଟି) ଓ ଲାଇସେନ୍ସିଂ ଦାୟବଦ୍ଧତାର ପରିପୂରଣ ପାଇଁ ଓ ଟିକା ପାଇଁ କଞ୍ଚାମାଲ ଯୋଗାଇଥିବା ଦେଶଗୁଡିକୁ ଟିକା ରପ୍ତାନୀ କରିବାକୁ ପଡିଲା ବୋଲି ସରକାରୀ ଦଳ ତରଫରୁ ସଫେଇ ଦିଆଗଲା । ତାହା ଶତ ପ୍ରତିଶତ ସତ ହୋଇଥିଲେ ଏହା ଭିତରେ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଥିଲେ ବି ଭାରତରୁ ଟିକା ରପ୍ତାନୀ ନ ହୋଇ ରହିଛି କିପରି ? ବାସ୍ତବତା ହେଉଛି ବ୍ରିଟେନ ଓ କାନାଡାକୁ ବାଦ ଦେଲେ ଭାରତ ଟିକା ରପ୍ତାନୀ କରିଥିବା ଅନ୍ୟ କୌଣସି ଦେଶରେ ଟିକାର କଞ୍ଚାମାଲ ଉତ୍ପାଦନ ହୁଏ ନାହିଁ । ଭାରତକୁ ‘ବିଶ୍ୱଗୁରୁ’ କରିବା ଓ ମୋଦିଙ୍କ ଛବିକୁ ଉଜ୍ଜ୍ୱଳ କରିବା ପ୍ରଚେଷ୍ଟାରେ ଏ ଭଳି ପଦକ୍ଷେପ ନିଆ ଯାଇଥିଲା ବୋଲି ସମାଲୋଚକମାନେ କହିଲେ । ହେଲେ ଦେଶ ଭିତରେ କୋଭିଡ ପରିସ୍ଥିତି ଏତେ ଅସମ୍ଭାଳ ହେଲା ଯେ ଭାରତକୁ ‘ଦାତା’ରୁ ‘ଦୟାର ପାତ୍ର’ରେ ପରିଣତ ହେବାକୁ ଡେରି ଲାଗିଲାନି । ଅନ୍ୟ ଦେଶକୁ ଟିକା ଯୋଗାଇବା ପଛରେ ଯେଉଁ ଅହମିକାଟି ଲୁକ୍କାୟିତ ଥିଲା; ଅନ୍ୟ ଦେଶଙ୍କଠାରୁ ସାହାଯ୍ୟ ଗ୍ରହଣ କଲା ବେଳେ ତାହା ସେମାନଙ୍କ ଅନୁକମ୍ପାରେ ନିଷ୍ପ୍ରଭ ହୋଇଗଲା । ମନ ବୁଝାଇବାକୁ କେହି କେହି କହିଲେ ଯେ ଭାରତ ଟିକା ଦେଇଥିଲା ବୋଲି ତା’ ଦୁଃସମୟରେ ଅନ୍ୟ ଦେଶମାନେ ସାହାଯ୍ୟର ହାତ ବଢାଇଲେ । ତେବେ ଯେଉଁ ଅଳ୍ପ କିଛି ଦେଶ ସାହାଯ୍ୟ ଆକାରରେ ତାଙ୍କ ସାଧ୍ୟ ମତେ ଯାହା କିଛି ଦେଲେ ସେଥିରୁ କିଏ କ’ଣ ଦେଲା ତାହା ଆଲୋଚନାର ବିଷୟ ହେବା ଉଚିତ ନ ହେଲେ ବି ସେଥିରେ ଆଦୌ ଟିକା ନ ଥିଲା । ଥିଲା କେବଳ ଅକ୍ସିଜେନ ସିଲିଣ୍ଡର, ଅକ୍ସିଜେନ କନସେଣ୍ଟ୍ରେଟର, ମାସ୍କ, ଟେଷ୍ଟିଂ କିଟ, ରେମଡେସିଭିର ଭଳି ଚୂଡା, ଚାଉଳ ଜାତୀୟ ରିଲିଫ ସାମଗ୍ରୀ । ଏପରିକି କେନିଆ କିଛି ଖାଦ୍ୟ ସାମଗ୍ରୀ ବି ପଠାଇଥିଲା । ଭାରତ ଟିକା ଯୋଗାଇ ନ ଥିଲେ ଏହି ସାହାଯ୍ୟ ପାଇ ନ ଥାଆନ୍ତା ବୋଲି କହିବା ଭୁଲ ହେବ, କାରଣ ସାହାଯ୍ୟ ଦେଇଥିବା ଅଧିକାଂଶ ଦେଶକୁ ଭାରତ ଟିକା ଦେଇ ନ ଥିଲା । ଭାଗବତର ଧାଡିଏ, “ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ପରକୁ ରଖିବ“ରୁ ଶିକ୍ଷା ଗ୍ରହଣ କରି ପାରିଥିଲେ ହୁଏତ ନିଜ ଟିକା ଆବଶ୍ୟକତାକୁ ପୂରଣ କରିବାକୁ ଅସମର୍ଥ ଥାଇ ନିଜକୁ ତ୍ରାଣକର୍ତ୍ତା ପ୍ରଦର୍ଶିତ କରିବା ଲାଗି ବିଦେଶକୁ ଟିକା ରପ୍ତାନୀ ନିଷ୍ପତ୍ତି ନିଆ ଯାଇ ନ ଥାଆନ୍ତା । ଭାରତର ‘ଭ୍ୟାକସିନ ମୈତ୍ରୀ’ର ଉଚ୍ଚାଭିଳାଷୀ କୂଟନୈତିକ ଉଡାଣ ଦୂରଦୃଷ୍ଟି ଓ ଯୋଜନା ଅଭାବରୁ ନିୟନ୍ତ୍ରଣହୀନ ଅବତରଣ କରିବାକୁ ବାଧ୍ୟ ହୋଇ ଧରାଶାୟୀ ହେଲା ।
ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଭ୍ୟାକସିନ କୂଟନୀତିର ଖେଳରେ ଏକ ପ୍ରକାର ପରାଜିତ ହୋଇ ସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜ ଦେଶବାସୀଙ୍କ ଟିକାକରଣ ଲାଗି ଧ୍ୟାନ କେନ୍ଦ୍ରିତ କରି ବିକାଶଶୀଳ ଦେଶଗୁଡିକର ଆବଶ୍ୟକତାକୁ ଅଣଦେଖା କରିଥିବାରୁ ତାହା ସେମାନଙ୍କ ବିଫଳତା ରୂପେ ପରିଗଣିତ ହେଉଛି । ବିକାଶଶୀଳ ଦେଶଗୁଡିକର ଦରକାର ବେଳେ ଆମେରିକା ଓ ଇଉରୋପୀୟ ଦେଶଗୁଡିକଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ଭାବମୂର୍ତ୍ତି ଯେଉଁ ଭଳି ମଳିନ ହୋଇଛି ଓ ବିଶ୍ୱସନୀୟତା ଯେଉଁପରି ହ୍ରାସ ପାଇଛି, ତାହା ସୁଧାରିବାକୁ କିଛି ଦେଶ ବିଳମ୍ୱିତ ପ୍ରୟାସ କରୁଥିଲେ ବି ହୁଏତ ସେଥିପାଇଁ ସମୟ ଲାଗିପାରେ । ଭ୍ୟାକସିନ କୂଟନୀତି କ୍ଷେତ୍ରରେ ଚୀନର ପ୍ରାଧାନ୍ୟକୁ ପ୍ରତିହତ କରିବା ପାଇଁ କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଇଲଗ ବା ‘କ୍ୱାଡ’ ( ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ) ମଞ୍ଚଟି ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଟୀକା ଯୋଗାଣ ମାଧ୍ୟମରେ କୂଟନୀତିକୁ ଗତି ଦେବା ପାଇଁ କ୍ୱାଡ ମଞ୍ଚ ମାର୍ଚ୍ଚ ୧୨, ୨୦୨୧ରେ ଘୋଷଣା କରିଥିଲା । ତେବେ ବିଭିନ୍ନ କାରଣରୁ ତାହା ଆଗେଇ ପାରି ନ ଥିଲା । ଚୀନ ଆକ୍ରାମକ ଢଙ୍ଗରେ ଭ୍ୟାକସିନ କୂଟନୀତିକୁ ଆଗେଇ ନେଉଥିବା ଦେଖି କ୍ୱାଡ ମଞ୍ଚ ତରଫରୁ ଏବେ ପୁଣି ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆରମ୍ଭ ହୋଇଛି ।
ନିଜ ଦେଶର ଲୋକଙ୍କ ଟିକାକରଣ ଲାଗି ଆଗେ ଟିକା ପାଇବା ପାଇଁ ଦେଶମାନଙ୍କ ମଧ୍ୟରେ ଥିବା ଉତ୍କଣ୍ଠା ଓ ପ୍ରତିଯୋଗିତାକୁ ସର୍ବିୟାର ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଚିଚ ଅତି ହୃଦୟସ୍ପର୍ଶୀ ଭାବେ ‘ଟାଇଟାନିକ’ ଜାହାଜର ବୁଡିବା ସମୟରେ ଯାତ୍ରୀଙ୍କ ଉତ୍କଣ୍ଠା ସହ ତୁଳନା କରିଛନ୍ତି, ଯେତେବେଳେ ପ୍ରତ୍ୟେକ ଯାତ୍ରୀ କେବଳ ନିଜ ଜୀବନ ରକ୍ଷା ପାଇଁ ହିଁ ଜୀବନତରୀ ଖୋଜିବାରେ ବ୍ୟସ୍ତ ଥିଲେ । କୋଭିଡ ସମଗ୍ର ମାନବ ସମାଜକୁ ତା’ ବିରୁଦ୍ଧରେ ଏକ ହୋଇ ଲଢିବା ପାଇଁ ଏକ ସୁଯୋଗ ଦେଇଥିଲା, ଯାହା ମଣିଷ ହରାଇ ବସିଲା । ନିଜକୁ ଆଉ ନିଜ ଲୋକଙ୍କୁ ସୁରକ୍ଷିତ କରିବାର ଦୌଡରେ ମଣିଷ ମଣିଷକୁ ଦେଖିଲା ନାହିଁ, ଦେଶ ଅନ୍ୟ ଦେଶକୁ ଅନାଇଲେ ନାହିଁ । କେଉଁଠି ଅକ୍ସିଜେନ ଅଭାବର ସୁଯୋଗ ଉଣ୍ଡି ମଣିଷ ବ୍ଲାକ୍ ମାର୍କେଟିଂ (କଳବଜାରି) କଲା ତ କେଉଁଠି ଟିକା ଅଭାବ ପରିସ୍ଥିତିର ଲାଭ ଉଠାଇ ଗୋଟିଏ ଦେଶ ଅନ୍ୟ ଦେଶକୁ ବ୍ଲାକ ମେଲିଂ କଲା, ଆଉ ତାକୁ ସଭ୍ୟତାର ପୋଷାକ ପିନ୍ଧାଇ ପୁଣି ଭ୍ୟାକସିନ ଡିପ୍ଲେମାସିର ନାମ ଦେଇ ମହିମାମଣ୍ଡିତ କଲା । ଏହି ଭ୍ୟାକସିନ କୂଟନୀତି ଯେତେ ବେଶି ଉଗ୍ର ହେବ ଭବିଷ୍ୟତରେ ବିଶ୍ୱ ରାଜନୈତିକ ବ୍ୟବସ୍ଥା ଅଧିକ ବିଭାଜିତ ହେବାର ଆଶଙ୍କା ଦେଖା ଦେବ । ତେବେ ଏବେ ବି ବିଳମ୍ୱ ହୋଇନାହିଁ । ଦେଶଗୁଡିକ ଇଚ୍ଛା କଲେ ପରସ୍ପର ମଧ୍ୟରେ ଭ୍ୟାକସିନ ସହଯୋଗର ହାତ ବଢାଇ ‘ଭ୍ୟାକସିନ ସାମ୍ୟଭାବ’ (ଇକୁଇଟି) ପ୍ରଦର୍ଶନ ପୂର୍ବକ କୋଭିଡ ମହାମାରୀର ଉଚିତ ମୁକାବିଲା କରିପାରିବେ, ନିଜ ସ୍ୱାର୍ଥସିଦ୍ଧି ପାଇଁ ସଂକୀର୍ଣ୍ଣ ଭ୍ୟାକସିନ କୂଟନୀତି ମାଧ୍ୟମରେ ସୀମିତ ରହି ନୁହେଁ । କାରଣ ଭାଇରସ ତା’ର ଚରିତ୍ର ଅହରହ ବଦଳାଇ ଚାଲିଥିବାରୁ ବିଶ୍ୱର ଗୋଟିଏ ଦେଶ ବି କୋଭିଡ ସଂକ୍ରମଣରୁ ଅସୁରକ୍ଷିତ ରହିଲେ ଟିକାକରଣ ସରିଥିବା କୌଣସି ଦେଶ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ମନେ କରି ପାରିବେନି ।
(Published in Sambad on June 15, 2021)
ସମସାମୟିକ ପ୍ରସଙ୍ଗ ଟି ଭଲଭାବେ ଉପସ୍ଥାପିତ
ReplyDeleteଧନ୍ୟବାଦ ।
Delete