କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନକୁ ଆଲୋଚନା କରି ବିରୋଧ ପ୍ରସ୍ତାବ ପାରିତ କରିବା ପାଇଁ ଆହୂତ କେରଳ ବିଧାନ ସଭାର ବିଶେଷ ଜରୁରୀକାଳୀନ ଅଧିବେଶନକୁ ରାଜ୍ୟପାଳ ଅନୁମତି ପ୍ରଦାନ ନ କରିବା ପରେ ଏକ ନୂତନ ବିବାଦର ସୂତ୍ରପାତ ହେଲା । ଠିକ ଏତିକିବେଳେ ଡିସେମ୍ୱର ୨୫ରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦବୋଧନ ଦେବା ଅବସରରେ କେରଳରେ କୌଣସି ଏପିଏମସି ବ୍ୟବସ୍ଥା ନ ଥିଲେ ବି ରାଜ୍ୟ ସରକାର ନୂତନ କୃଷି ଆଇନକୁ ବିରୋଧ କରିବା ଦୁଃଖଦାୟକ ବୋଲି କହିଥିଲେ । ଶାସକ ବିଜେପି ଦଳ ତରଫରୁ ବାରମ୍ୱାର ଆକ୍ଷେପ କରାଯାଉଛି ଯେ କେରଳରେ ଏପିଏମସି ବ୍ୟବସ୍ଥା ନ ଥିବାରୁ ସେଠାକାର ଚାଷୀ ଏମଏସପି ପାଇବାରୁ ବଞ୍ଚିତ ହେଉଥିବା ବେଳେ ନିଜ ଶାସିତ ରାଜ୍ୟରେ ତାହା କାର୍ଯ୍ୟକାରି ନ କରାଇ ବାମପନ୍ଥୀ ଦଳମାନେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସେମାନଙ୍କ ଦୋହରା ଚରିତ୍ରକୁ ଦର୍ଶାଉଛି । ଏହି ପରିପ୍ରେକ୍ଷୀରେ ସେଠାକାର ବାସ୍ତବ ସ୍ଥିତିକୁ ଜାଣିବାକୁ ହେଲେ କେରଳର କୃଷି ପରିଦୃଶ୍ୟ ଓ ବିକଳ୍ପ ବଜାର ବ୍ୟବସ୍ଥାକୁ ବୁଝିବା ଆବଶ୍ୟକ । ବର୍ତ୍ତମାନ ଦେଶରେ ବିହାର, କେରଳ, ମଣିପୁର, ଆଣ୍ଡାମାନ ଓ ନିକୋବର, ଦାମନ ଓ ଦିଉ, ଲାକ୍ଷାଦ୍ୱୀପ ଭଳି ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପିଏମସି ଆଇନ କାର୍ଯ୍ୟ କରୁନାହିଁ । ଏଥି ମଧ୍ୟରୁ ବିହାରରେ ଏପିଏମସିର ମଣ୍ଡି ବ୍ୟବସ୍ଥାକୁ ୨୦୦୬ ମସିହାରେ ଉଠାଇ ଦିଆ ଯାଇଥିବା ବେଳେ କେରଳରେ ତାହ...