ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ ହିମାଳୟ ପର୍ବତଶ୍ରେଣୀରେ ଅବସ୍ଥିତ । ଏହାର ଉଚ୍ଚତା ୨୯,୦୦୦ ଫୁଟରୁ ଅଧିକ । ପ୍ରତ୍ୟେକ ପର୍ବତାରୋହୀର ସ୍ୱପ୍ନ ଥାଏ ଏଭେରେଷ୍ଟ ବିଜୟ । ଏହାର ଆହ୍ୱାନରେ ଅନେକ ପର୍ବତାରୋହୀ ଅଦମ୍ୟ ସାହସ ସହିତ ଛୁଟି ଆସିଛନ୍ତି ତା’ କୋଳକୁ । ୧୯୨୧ ମସିହାରେ ଆରମ୍ଭ ହୁଏ ପ୍ରଥମ ଏଭେରେଷ୍ଟ ଅଭିଯାନ । କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ପୃଥିବୀର ଏହି ଉଚ୍ଚତମ ଶୃଙ୍ଗଟି ଊନବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଲୋକଲୋଚନର ଅଢୁଆଳରେ ଥିଲା । ଏହାର ଆବିଷ୍କାର ଯେତିକି ବିସ୍ମୟକର ନାମକରଣ ମଧ୍ୟ ସେତିକି ଘଟଣାବହୁଳ । ୧୮୨୩ ମସିହାର କଥା । ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ଲେଫନାଣ୍ଟ କର୍ଣ୍ଣେଲ ଭାଲେଣ୍ଟିନ ବ୍ଲାକର୍ ଭାରତର ପ୍ରଥମ ସର୍ଭେୟର ଜେନେରାଲ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ପର୍ଯ୍ୟନ୍ତ ଭାରତ ବର୍ଷର ଏକ ସମ୍ପୂର୍ଣ୍ଣ ମାନଚିତ୍ର ତିଆରି ହୋଇ ନ ଥାଏ । ସେ ହିଁ ହେଉଛନ୍ତି ଭାରତବର୍ଷର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ରର ପ୍ରଣେତା । ୧୮୨୬ ମସିହାରେ ଏକ ଦ୍ୱନ୍ଦ୍ୱ ଯୁଦ୍ଧରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ପରେ ପରେ ବ୍ଲାକରଙ୍କ ଶିଷ୍ୟ କର୍ଣ୍ଣେଲ ସାର୍ ଜର୍ଜ ଏଭେରେଷ୍ଟ ସର୍ଭେୟର ଜେନେରାଲ ଭାବେ ୧୮୩୦ ମସିହାରେ ନିଯୁକ୍ତି ପାଇଲେ । ତାଙ୍କ ତତ୍ତ୍ୱାବଧାନରେ ଭାରତବର୍ଷର ପ୍ରତ୍ୟେକ ସ୍ଥାନର ସମୁଦ୍ର ପତ୍ତନଠାରୁ ଉଚ୍ଚତା ନିରୂପଣ କାର୍ଯ୍ୟ ଆରମ୍ଭ ହେଲା । ସେହି କ୍ରମରେ ହିମାଳୟ ପର୍ବତଶ୍ରେଣୀର...