ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ବୈଧତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟରେ ସଂଖ୍ୟାଧିକ ରିଟ ଆବେଦନ ଦାଖଲ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀର ଉପତ୍ୟକାଞ୍ଚଳରେ କିପରି ପଥର ଫିଙ୍ଗା ଘଟଣା ୯୨ ପ୍ରତିଶତ କମିଛି, ଆତଙ୍କବାଦୀ ଘଟଣା ୪୫ ପ୍ରତିଶତ କମିଛି, ଉଭୟ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କ ଜୀବନ ହାନି ସଂଖ୍ୟା ହ୍ରାସ ପାଇଛି, ସିନେମା ହଲଗୁଡ଼ିକ ପୁଣି ଥରେ ଖୋଲା ହେଉଛି, ପର୍ଯ୍ୟଟନରେ ଆଶାତୀତ ବୃଦ୍ଧି ଘଟିଛି ଆଦି ଦର୍ଶାଇ ଶାନ୍ତି ଫେରାଇ ଆଣିବାରେ ସେହି ପଦକ୍ଷେପ ସଫଳତା ହାସଲ କରିଛି ବୋଲି ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଯୁକ୍ତି ଉପସ୍ଥାପିତ ହୋଇଆସିଛି । ତେବେ ସେଥିରୁ କି ସୁଫଳ ମିଳିଛି ବା ମିଳିନାହିଁ; ସେଥି ପ୍ରତି ଧ୍ୟାନ ନ ଦେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଉଚ୍ଛେଦ ପ୍ରକ୍ରିୟାର ବୈଧତା ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ଶେଷରେ ମୋଟାମୋଟି ଭାବେ ଧାରା ୩୭୦ ଉଚ୍ଛେଦର ବୈଧତା ଉପରେ ମୋହର ମାରିଛନ୍ତି, ଯାହା ସ୍ୱାଗତଯୋଗ୍ୟ । ତେବେ ୪୮୬ ପୃଷ୍ଠା ସମ୍ୱଳିତ ଏହି ରାୟରେ ସରକାରଙ୍କ କେତେକ ପଦକ୍ଷେପ ଅବୈଧ ବୋଲି ଦର୍ଶାଯାଇଛି, ଯାହା ମଧ୍ୟ ପ୍ରଣିଧାନଯୋଗ୍ୟ । ସାମ୍ୱିଧାନିକ ଖଣ୍ଡପୀଠ ଆଗରେ ଯେଉଁ ସବୁ ମୁଖ୍ୟ ପ୍ରସଙ୍ଗ ଥିଲା ତନ୍ମଧ୍ୟରୁ ଅଧିକାଂଶର ସ୍ପଷ୍ଟ ଉତ୍ତର ମିଳିପାରିଛି । ଧାରା ୩୭୦ ଏକ ଅସ୍...