କିଛି ମୃତ୍ୟୁର କାରଣ ମୃତ ବ୍ୟକ୍ତିଙ୍କ ପରିବାକୁ ଅସହଜ କରି ଦେଉଥିଲା ବେଳେ ଆଉ କିଛି ମୃତ୍ୟୁର କାରଣ ସରକାରଙ୍କୁ ଅସହଜ କରି ଦେଇଥାଏ । କାରଣ ସେଭଳି ମୃତ୍ୟୁସଂଖ୍ୟା ଅଧିକ ହେଲେ ତାହା ସରକାରଙ୍କ ପାରିବାପଣକୁ ଆଙ୍ଗୁଠି ଦେଖାଇବା ସହ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥାଏ । ମାତ୍ର କୋଭିଡଜନିତ ମୃତ୍ୟୁ ପରିବାର, ସମାଜ ଓ ସରକାର ସମସ୍ତଙ୍କୁ ଯେମିତି ଭିନ୍ନ ଭିନ୍ନ ସ୍ତରରେ ଅସହଜ କରି ପକାଇଛି । କୋଭିଡରେ ମରିଥିବା ଲୋକଙ୍କ ତଥ୍ୟ ସାମନାକୁ ଆସିଗଲେ କାଳେ ତାହା ସରକାରଗୁଡିକର କୋଭିଡ ମହାମାରୀ ମୁକାବିଲାରେ ବିଫଳତାକୁ ପଦାରେ ପକାଇ ଦେବ, ଆତଙ୍କ ସୃଷ୍ଟି କରି ଦେଶର ଅର୍ଥନୀତି ପ୍ରତି କ୍ଷତି ପହଞ୍ଚାଇବ, ସେଥିପାଇଁ ବିଶ୍ୱର ଅନେକ ଦେଶରେ କୋଭିଡଜନିତ ବାସ୍ତବ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବାର ଖବରମାନ ଏବେ ସାମନାକୁ ଆସୁଛି । ତେଣୁ କୋଭିଡ-୧୯ରେ କେଉଁ ଦେଶରେ କେତେ ଜଣ ଲୋକ ମଲେ ପ୍ରଶ୍ନରେ ଯେଉଁ ଉତ୍ତର ମିଳୁଛି ତାହା ଅନେକ କ୍ଷେତ୍ରରେ ସତ୍ୟଠାରୁ ବହୁ ଦୂରରେ ବୋଲି ଜଣା ପଡିଛି । ସରକାରୀ ଭାବେ ଦର୍ଶା ଯାଉଥିବା କୋଭିଡ ମୃତ୍ୟୁସଂଖ୍ୟାଠାରୁ ବିଭିନ୍ନ ଦେଶରେ କୋଭିଡଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଲଣ୍ଡନର ଇକୋନୋମିଷ୍ଟ ସଂସ୍ଥାର ଅଧ୍ୟୟନରୁ ଜଣାପଡୁଥିବାରୁ ତାହା ମହାମାରୀର ପ୍ରକୃତ ପ୍ରକୋପକୁ ବୁଝିବାରେ ସହାୟକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ‘କୋଭିଡ-୧୯ରେ ମୃତ୍ୟୁ’ର ସଂଜ୍ଞା ହେଉ...