ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନୀ କରିଥିବା ଅଭିଯୋଗରେ ସରକାର ଆଲୋଚନାର ଶରବ୍ୟ ହୋଇଛନ୍ତି । ଏ ନେଇ “ମୋଦିଜୀ ଆମ ପିଲାଙ୍କ ଭ୍ୟାକସିନ ବିଦେଶକୁ କାହିଁକି ପଠାଇ ଦେଲ ?” ବୋଲି ଦିଲ୍ଲୀରେ ପ୍ରାଚୀରପତ୍ରମାନ ବି ଲାଗିଲା । ସରକାରୀ ଦଳ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ବିଦେଶକୁ ଟିକା ରପ୍ତାନୀ କରିବାର ମୁଖ୍ୟ କାରଣ ଥିଲା କୁଆଡେ କମ୍ପାନୀଗୁଡିକଙ୍କ ଦାୟବଦ୍ଧତା (ଲାଏବିଲିଟି), ଯାହା ଦୁଇ ପ୍ରକାରର - ବାଣିଜ୍ୟିକ ଦାୟବଦ୍ଧତା (କମର୍ସିଆଲ ଲାଏବିଲିଟି) ଓ ଲାଇସେନ୍ସିଂ ଦାୟବଦ୍ଧତା । ହେଲେ ଏହି ଦାୟବଦ୍ଧତା ତାତ୍କାଳିକ ଭାବେ ପୂରଣ କରିବା ଲାଗି କୌଣସି ବାଧ୍ୟବାଧକତା ନ ଥିବାରୁ ପ୍ରସଙ୍ଗଟି ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି । ଭାରତରୁ ଜାନୁଆରି ୨୦, ୨୦୨୧ରୁ ଅପ୍ରେଲ ୨୨, ୨୦୨୧ ଅର୍ଥାତ୍ ତିନି ମାସ ଭିତରେ ପ୍ରାୟ ୬.୬୪ କୋଟି ଟିକା ୯୪ଟି ଦେଶ ଓ ଜାତିସଂଘର ଶାନ୍ତି ରକ୍ଷାକାରୀ ସେନାଙ୍କୁ ଅନୁଦାନ ଆକାରରେ, କୋଭାକ୍ସ କାର୍ଯ୍ୟକ୍ରମ ଅଧୀନରେ ଓ ବାଣିଜ୍ୟିକ କାରବାର ପାଇଁ ରପ୍ତାନୀ ହୋଇଛି । ଏଥିରୁ ୧.୦୭ କୋଟି ଡୋଜ ଅନୁଦାନ ଆକାରରେ ୭ଟି ପଡୋଶୀ ରାଷ୍ଟ୍ର ସମେତ ୪୬ଟି ଦେଶ ଓ ଜାତିସଂଘର ଶାନ୍ତି ସୁରକ୍ଷାକାରୀ ସେନାଙ୍କୁ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେପି, ଗାଭି ଓ ୟୁନିସେଫ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକର ମିଳିତ ସହଯୋଗରେ ଦୁର୍ବଳ ଦେଶଗୁଡିକୁ ମହାମାରୀର ମ...