ଭାରତୀୟ ସେନାବାହିନୀରେ ଭର୍ତ୍ତି ପାଇଁ ନୂତନ ଭାବେ ଘୋଷିତ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ହିଂସାତ୍ମକ ଓ ଉଗ୍ର ଆକାର ଧାରଣ କରିଥିବା ବେଳେ ବିଶ୍ୱର କେତେକ ଦେଶରେ ପ୍ରଚଳିତ ବାଧ୍ୟତାମୂଳକ ସେନାଭର୍ତ୍ତି ବିରୁଦ୍ଧରେ ମଧ୍ୟ ଏକ ଭିନ୍ନ ଧରଣର ଅହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । ନିକଟରେ ଊଣେଇଶ ବର୍ଷୀୟା ୟୁହୁଦୀ ଯୁବତୀ ହଲେଲ ରବିନ ବାଧ୍ୟତାମୂଳକ ସେନାଭର୍ତ୍ତିକୁ ବିରୋଧ କରି ୫୬ ଦିନ ଜେଲରେ ରହିବା ଘଟଣା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୧୯୪୮ରେ ଇସ୍ରାଏଲ ଏକ ସ୍ୱାଧୀନ ଦେଶ ଭାବେ ପ୍ରତିଷ୍ଠିତ ହେବା ପରେ ଏହାର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ ବେନ-ଗୁରିଅନ ମନେ କରୁଥିଲେ ଯେ ‘ଇସ୍ରାଏଲ ଡିଫେନ୍ସ ଫୋର୍ସେସ’ ବା ‘ଆଇଡିଏଫ’ ଆଧିକାରିକ ଭାବେ ଦେଶର ସେନାବାହିନୀ ହୋଇଥିଲେ ବି ସମଗ୍ର ଇସ୍ରାଏଲବାସୀ ହିଁ ସେନାବାହିନୀର ଅଂଶବିଶେଷ । ସେଥିପାଇଁ ଇସ୍ରାଏଲରେ ରହୁଥିବା ୨୦ ପ୍ରତିଶତ ଆରବ ଅଧିବାସୀଙ୍କୁ ବାଦ ଦେଇ ସବୁ ଇସ୍ରାଏଲୀ ନାଗରିକଙ୍କୁ ୧୮ ବର୍ଷ ହେଲା ମାତ୍ରେ ସେନାବାହିନୀରେ ଯୋଗ ଦେବାକୁ ହୋଇଥାଏ । ଝିଅମାନେ ସେନାବାହିନୀରେ ୨ ବର୍ଷ କାର୍ୟ୍ୟ କରୁଥିବା ବେଳେ ପୁଅମାନଙ୍କୁ ୩୨ ମାସ କାର୍ୟ୍ୟ କରିଥାଆନ୍ତି । ତେବେ ଏହା ବି ସତ ଯେ ଅନେକେ ମିଛ ଆଳ ଦେଖାଇ ସେଥିରୁ ନିସ୍ତାର ପାଇଥାଆନ୍ତି । ମିଛର ଆଶ୍ରୟ ନ ନେଇ ରବିନ ଖୋଲାଖୋଲି ଭାବେ ନିଜକୁ ‘ଶାନ୍ତିବାଦୀ’ ବୋଲି ଘୋଷଣା କରି ସେନ