ଥରେ ଜଣେ ସ୍କୁଲ ଛାତ୍ରୀ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଶ୍ନଟିଏ ପଚାରିଲା, “ଆମ ମିସ୍ ମୃଦୁ ପାନୀୟକୁ ବିଷ ବୋଲି କହୁଥିବା ବେଳେ ଆପଣ ସେଭଳି ଦ୍ରବ୍ୟର ବିଜ୍ଞାପନ କରୁଛନ୍ତି କାହିଁକି?” ପ୍ରଶ୍ନଟି ତାଙ୍କୁ ଏପରି ବିଚଳିତ କରିଥିଲା ଯେ ସେ ସେହି ବିଜ୍ଞାପନରୁ ଓହରି ଆସିଲେ । କେବଳ ସେତିକି ନୁହେଁ ସେ ଅନ୍ୟ ସେଲିବ୍ରିଟିମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଜ୍ଞାପନରେ କୌଣସି ଉତ୍ପାଦର ଅନୁମୋଦନ କରିବା ପୂର୍ବରୁ ଉତ୍ପାଦଟିର ପ୍ରତିଟି ଦିଗ ସମ୍ପର୍କରେ ଯଥୋଚିତ ଅନୁସନ୍ଧାନ କରିବା ଦରକାର । ଏକ ସାମ୍ୱାଦିକ ସମ୍ମିଳନୀରେ ଫୁଟବଲ୍ ତାରକା ରୋନାଲଡୋ ତାଙ୍କ ଆଗରେ ଥୁଆ ହୋଇଥିବା କୋଲା ବୋତଲକୁ ହଟାଇ ତା’ ସ୍ଥାନରେ ପାଣି ବୋତଲ ରଖିବା ଘଟଣା ବିଶେଷ ଚର୍ଚ୍ଚାର କାରଣ ହୋଇଥିଲା । ଏହା ପରେ ସମ୍ପୃକ୍ତ କମ୍ପାନୀର ପ୍ରାୟ ୪୦୦ କୋଟି ଡଲାର କ୍ଷତି ହୋଇଥିବା କଥା କୁହାଯାଏ । ସେଲିବ୍ରିଟିମାନେ ସାଧାରଣତଃ ଆଦର୍ଶ ସ୍ଥାନୀୟ ଭାବେ ପରିଗଣିତ ହୋଇ ଅନେକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖୁଥିବାରୁ ସେମାନଙ୍କ ପସନ୍ଦ ବା ନାପସନ୍ଦର ପ୍ରଭାବ କିଭଳି ବ୍ୟାପକ ଓ ଗଭୀର ହୋଇଥାଏ, ଉପରୋକ୍ତ ଘଟଣା ହେଉଛି ତା’ର ପ୍ରମାଣ । ଏହାସତ୍ତ୍ୱେ ଅର୍ଥଲୋଭରେ କିଛି ସେଲିବ୍ରିଟିଙ୍କଠାରେ ସମାଜ ପ୍ରତି କ୍ଷତିକାରକ କା’ (ସରୋଗେଟ) ବିଜ୍ଞାପନ ସହ ଯୋଡ଼ି ହେବାର ପ୍ରବଣତା ବୃଦ୍ଧିପାଉଛି । ଏଗୁଡ଼ିକର ସମାଜ ଉପରେ ଅତ୍ୟଧିକ କୁପ୍ରଭାବ ପଡ଼ୁଥିବାରୁ ସେ ନେଇ ସାମାଜିକ ବ...