ଅଗଷ୍ଟ ୧୭, ୨୦ ୨ ୧ରେ ଚୀନର ରାଷ୍ଟ୍ରପତି ଚି ଜିନପିଙ୍ଗ, ଚୀନର ବିତ୍ତ ଓ ଅର୍ଥନୀତିର କେନ୍ଦ୍ରୀୟ କମିଟିର ଏକ ଅଧିବେଶନରେ ନିଜ ବକ୍ତବ୍ୟରେ ଜୋର ଦେଇ କହିଥିଲେ, “ସାମ୍ୟବାଦର ପ୍ରତିଷ୍ଠା ଲାଗି ‘ସାମୂହିକ ସମୃଦ୍ଧି’ (କମନ ପ୍ରସ୍ପରିଟି) ନିହାତି ଆବଶ୍ୟକ ଓ ଏହା ‘ଚୀନ ଶୈଳୀର ଆଧୁନିକୀକରଣ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ତେଣୁ ଆମକୁ ଲୋକ-କୈନ୍ଦ୍ରିକ ବିକାଶ ନୀତିକୁ ଅନୁସରଣ କରିବାକୁ ହେବ ଓ ଉଚ୍ଚ ସ୍ତରର ବିକାଶ ମାଧ୍ୟମରେ ‘ସାମୂହିକ ସମୃଦ୍ଧି’କୁ ପ୍ରୋତ୍ସାହିତ କରିବାକୁ ହେବ ।“ ତାଙ୍କ ମତରେ ବିକାଶ ଓ ଆର୍ଥିକ ସ୍ଥିରତା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଲାଗି ସାମୂହିକ ସମୃଦ୍ଧି ଏକ ମୌଳିକ ଆବଶ୍ୟକତା । ତେଣୁ ଅତ୍ୟଧିକ ରୋଜଗାର କରୁଥିବା ବ୍ୟକ୍ତି ଓ କମ୍ପାନୀଗୁଡିକୁ ସେମାନଙ୍କ ରୋଜଗାରର ଅଧିକ ଅଂଶ ସମାଜକୁ ଫେରାଇବାକୁ ହେବ, ଯଦ୍ଦ୍ୱାରା ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବଢି ଯାଇଥିବା ଆୟର ଖାଇକୁ କିଛି ମାତ୍ରାରେ କମ (ଆଡଜଷ୍ଟ) କରିହେବ । ଏହା ପରେ ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ଦ୍ୱାରା ପ୍ରସ୍ତାବଟି ଗୃହୀତ ହେଲା । ଇତିମଧ୍ୟରେ ସେଠାକାର ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟି ‘ସାମୂହିକ ସମୃଦ୍ଧି’ ହିଁ ଅର୍ଥନୀତିର କେନ୍ଦ୍ରବିନ୍ଦୁ ପାଲଟିଗଲା । ଏହାକୁ ପୁଞ୍ଜିବାଦ ଦ୍ୱାରା ସୃଷ୍ଟ ବୈଷମ୍ୟକୁ ସୁଧାରିବା ପାଇଁ ଏକ ‘ଅସାମାନ୍ୟ ବିପ୍ଳବ’ (ପ୍ରଫାଉଣ୍ଡ ରିଭଲ୍ୟୁସନ୍) ବୋଲି ଅଭିହିତ କରାଗଲା ...