ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଥାପନା ସମୟରେ ଏହାର ସୀମାକୁ ଘେରାଇବା ଲାଗି ପ୍ରାଚୀର ନିର୍ମାଣ ହେଉଥାଏ । ସୀମାର ଗୋଟିଏ ସ୍ଥାନରେ ଥିବା ଏକ ବିଶାଳ ଦ୍ରୁମକୁ ନ କାଟିଲେ ପାଚେରୀ ସିଧା ହୋଇପାରିବ ନାହିଁ ବୋଲି ମନେ କରି ଦାୟିତ୍ୱରେ ଥିବା ଯନ୍ତ୍ରୀ ଗଛଟିକୁ କାଟିବାର ଯୋଜନା କରୁଥାନ୍ତି । ଏହି କଥା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମହାମନା ମଦନ ମୋହନ ମାଲବ୍ୟଙ୍କ କାନରେ ପଡ଼ିଲା । ସେ ତୁରନ୍ତ ସେଠାରେ ଉପସ୍ଥିତ ହୋଇ ପଚାରିଥିଲେ, “ପାଚେରୀଟି ସିଧା ହେବା କ’ଣ ନିହାତି ଜରୁରୀ ? ଟିକେ ବଙ୍କା ହୋଇଗଲେ କ୍ଷତି କ’ଣ ?” ତାଙ୍କର ସେହି ଗୋଟିଏ ପ୍ରଶ୍ନ ହୁଏତ ଏକ ବିଶାଳ ଦ୍ରୁମକୁ ଭୂପତିତ ହେବାରୁ ରକ୍ଷା କରିଦେଲା । କିନ୍ତୁ, ଆଜିକାଲି ବିକାଶ ନାମରେ ଅହରହ ହଜାର ହଜାର ଦ୍ରୁମ ନିର୍ବିଚାରରେ ଧରାଶାୟୀ ହେଉଛନ୍ତି, ଯହିଁରେ କେତେ ଯେ ପୁରୁଣା ଗଛ ନିଶ୍ଚିହ୍ନ ହେଉଛନ୍ତି, ତାହାର ହିସାବ କାହା ପାଖରେ ନଥାଏ । ଏ ପରିପ୍ରେକ୍ଷୀରେ ପ୍ରଶ୍ନ କଲେ ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ଶିଣିବାକୁ ମିଳିଥାଏ ଯେ, ଯେତିକି ଗଛ କଟା ହେଉଛି ସେହି ଅନୁସାରେ ନୂଆ ଗଛ ଲଗା ହେଉଛି । କିନ୍ତୁ, ପ୍ରକୃତରେ କେତେ ଗଛ ଲଗା ହେଲା ଓ ସେଥିରୁ କେତେ ବଞ୍ଚିଲା ଏବଂ ସେହି ଚାରାମାନ କେବେ ପୁରୁଣା ବୃକ୍ଷଗୁଡ଼ିକର ବୟସ ଧାରଣ କରି ଦମ୍ଭର ସହିତ ଛିଡ଼ା ହେବେ, ତାର ଉତ୍ତର କାହା ପାଖରେ ନ ଥାଏ । ଏହି ସନ୍ଦର୍ଭରେ ଐତିହ୍ୟ ବୃକ୍ଷର ସଂରକ୍ଷଣ ଚିନ୍ତା ଯଥେଷ୍ଟ ଗୁ...