Skip to main content

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ ।

ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କାରଣ ଦର୍ଶାଇ ତାହା ଗ୍ରହଣ କରିନାହାନ୍ତି । ସେହିପରି ପଦ୍ମ ସମ୍ମାନରେ ଭୂଷିତ ବୃନ୍ଦାବନଲାଲ ବର୍ମା, ଶିବରାମ କରନ୍ଥ, ପ୍ରକାଶ ସିଂ ବାଦଲଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିଜ ବିରୋଧ ପ୍ରଦର୍ଶନ କରି ସମ୍ମାନକୁ ଫେରାଇ ଦେଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ପଦ୍ମ ସମ୍ମାନ ପ୍ରଦାନ କରାଯାଇଥିବା ୪୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କଠାରୁ ସରକାରୀ ଭାବେ ସମ୍ମାନ ପ୍ରତ୍ୟାହାର କରାଯାଇ ନାହିଁ । ଭାରତରତ୍ନ, ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ବିଧି ଓ ନିୟମାବଳୀର ନିୟମ ୧୦ ଅନୁଯାୟୀ ଏହି ସମ୍ମାନପ୍ରାପ୍ତ ଯେ କୌଣସି ବ୍ୟକ୍ତିଙ୍କ ସମ୍ମାନକୁ ରାଷ୍ଟ୍ରପତି ରଦ୍ଦ ଓ ପ୍ରତ୍ୟାହାର କରିପାରିବେ । ସେ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏଥିପାଇଁ ଉଦ୍ଦିଷ୍ଟ ପଞ୍ଜିକାରୁ ବାଦ ଦିଆ ଯାଇଥାଏ ଓ ପ୍ରଦତ୍ତ ଅଳଙ୍କରଣ ଓ ସନନ୍ଦକୁ ତାଙ୍କୁ ଫେରାଇବାକୁ ହୋଇଥାଏ । ତେବେ କେଉଁ କେଉଁ କାରଣରୁ ସମ୍ମାନ ପ୍ରତ୍ୟାହାର କରା ଯାଇପାରିବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନାହିଁ ।

ସମ୍ୱିଧାନର ଧାରା ୧୮(୧) ଅନୁଯାୟୀ କେବଳ ସାମରିକ ଓ ଶୈକ୍ଷିକ ଉପାଧି ବ୍ୟତୀତ ରାଷ୍ଟ୍ର କାହାକୁ ଅନ୍ୟ କୌଣସି ଉପାଧିରେ ଭୂଷିତ କରି ପାରୁ ନ ଥିବାରୁ ପଦ୍ମ ପୁରସ୍କାରଗୁଡିକ ଉପାଧି ନୁହେଁ । ତେଣୁ ସେଗୁଡିକୁ ନାମର ଆଗରେ ବା ପଛରେ ଉପାଧି ଭାବେ ବ୍ୟବହାର କରି ହେବନାହିଁ ବୋଲି ବାଲାଜୀ ରାଘବନ ଓ ଏସ ପି ଆନନ୍ଦ ମାମଲା (୧୯୯୫)ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରି ସାରିଛନ୍ତି । ଆଜିକାଲି ବିନମ୍ର ପୃଷ୍ଠଭୂମିରୁ ଆସିଥିବା ଅନେକଙ୍କୁ ପଦ୍ମ ପୁରସ୍କାର ମିଳୁଛି । ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରୁ ହୁଏତ କିଛି ବ୍ୟକ୍ତି ବା ସେମାନଙ୍କ ଅନୁଗାମୀମାନେ ଏହି ନିୟମ ସମ୍ପର୍କରେ ଅବଗତ ନ ଥାଇ ପ୍ରାପ୍ତ ପଦ୍ମ ସମ୍ମାନକୁ ନାମ ପୂର୍ବରୁ ଉପାଧି ଭାବେ ବ୍ୟବହାର କରୁଥିବା ପରିଲକ୍ଷିତ ହେଉଛି । ଏପରିକି ଅଜ୍ଞତାବଶତଃ କିଛି ଗଣମାଧ୍ୟମରେ ଓ ନିମନ୍ତ୍ରଣ ପତ୍ରରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ‘ପଦ୍ମଶ୍ରୀ ଅମୁକ’, ‘ପଦ୍ମଭୂଷଣ ଅମୁକ’ ଭାବେ ସମ୍ୱୋଧନ କରାଯାଉଛି ବା ଲେଖାଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ । ସେହି କାରଣରୁ ପଦ୍ମ ସମ୍ମାନ ବିଧି ଓ ନିୟମାବଳୀର ନିୟମ ୧୦ ଅନୁଯାୟୀ ସମ୍ମାନ ପ୍ରତ୍ୟାହାର ପାଇଁ ଅଭିଯୋଗ ହେଲେ ପ୍ରଦତ୍ତ ସମ୍ମାନ ପ୍ରତ୍ୟାହାର କରାଯାଇ ପାରିବ । ଉଦାହରଣ ସ୍ୱରୂପ, ତେଲୁଗୁ ଅଭିନେତା ମୋହନବାବୁ ଓ ବ୍ରହ୍ମାନନ୍ଦମ ‘ଦେନିକାଇନା ରେଡି’ ଚଳଚ୍ଚିତ୍ରର ପ୍ରଚାର ଉଦ୍ଦେଶ୍ୟରେ ସେମାନଙ୍କୁ ପ୍ରଦତ୍ତ ପଦ୍ମଶ୍ରୀକୁ ଉପାଧି ରୂପେ ଅପବ୍ୟବହାର କରିଥିବାର ଅଭିଯୋଗ ଆସିବା ପରେ ମାମଲା ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଥିଲା । ସୁପ୍ରିମକୋର୍ଟ ସେମାନଙ୍କୁ ଏପରି କରିବାରୁ ନିବୃତ୍ତ ରହିବା ପାଇଁ ତାଗିଦ କରି ଛାଡି ଦେଇଥିଲେ ।

ଗତ କିଛି ବର୍ଷ ଧରି ପଦ୍ମ ପୁରସ୍କାର ପ୍ରାପ୍ତ କିଛି ବ୍ୟକ୍ତିଙ୍କ ଆଚରଣ ପ୍ରଦତ୍ତ ମର୍ଯ୍ୟାଦାର ସମ୍ମାନ ରକ୍ଷା କରୁ ନ ଥିବା ପରିଲକ୍ଷିତ ହେଉଛି । ଏହି କାରଣରୁ ଅତୀତରେ ଅଭିନେତା ସୈଫ ଅଲ୍ଲି ଖାଁ ଓ ସାମାଜିକ କର୍ମୀ ତିସ୍ତା ସିତଲଭାଦଙ୍କ ନିକଟରୁ ପଦ୍ମଶ୍ରୀ ପ୍ରତ୍ୟାହାର ପାଇଁ ଦାବି ଉଠିଥିଲା । ୨୦୧୦ରେ ପଦ୍ମଭୂଷଣ ପ୍ରାପ୍ତ ଆମେରିକାସ୍ଥିତ ବ୍ୟବସାୟୀ ସନ୍ଥ ସିଂ ଚଟୱାଲ ଆମେରିକା ଅଦାଲତ ଦ୍ୱାରା ୨୦୧୪ରେ ଦଣ୍ଡିତ ହେବା ପରେ ତାଙ୍କ ନିକଟରୁ ପଦ୍ମଭୂଷଣ ପ୍ରତ୍ୟାହାର ପାଇଁ ଦାବି ଉଠିଥିଲା । ସେହିପରି ଯୌନ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ ପଦ୍ମବିଭୂଷଣ ପ୍ରାପ୍ତ ରାଜେନ୍ଦ୍ର କୁମାର ପଚୌରୀ ଓ ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ପଦ୍ମଭୂଷଣ ପ୍ରାପ୍ତ ଚନ୍ଦା କୋଚ୍ଚରଙ୍କଠାରୁ ସମ୍ମାନ ପ୍ରତ୍ୟାହାର ପାଇଁ ବି ଦାବି ଉଠିଥିଲା । ପଦ୍ମଶ୍ରୀ ପ୍ରାପ୍ତ ପହିଲମାନ ସୁଶୀଲ କୁମାର ୨୦୨୧ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିବାରୁ ତାଙ୍କ ସମ୍ମାନ ପ୍ରତ୍ୟାହାର ପାଇଁ ଦାବି ହେଉଛି । ନିକଟରେ ପାଣ୍ଡୋରା ପେପରସରେ ଭାରତରତ୍ନରେ ସମ୍ମାନିତ ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ସର୍ବାଧିକ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ତାଲିକାରେ ଥିବା ଶିଳ୍ପପତି ରାଘବେନ୍ଦ୍ର ରାଓ (ଅର୍କିଡ କେମିକାଲସ ଆଣ୍ଡ ଫାର୍ମାସିଉଟିକାଲସ) ଓ ଦୀପକ ପୁରୀ (ମୋସେର ବେୟର)ଙ୍କ ନାମ ଏବେ ବି ପଦ୍ମଶ୍ରୀ ତାଲିକାରେ ଶୋଭା ପାଇବା ଲଜ୍ଜାଜନକ । କ୍ରମଶଃ ଏହି ଭଳି ଘଟଣା ବୃଦ୍ଧି ପାଇ ଚାଲିଥିବାରୁ ବିଦେଶର କିଛି ଦେଶଙ୍କ ପରି ପଦ୍ମ ସମ୍ମାନ ପ୍ରତ୍ୟାହାର ପାଇଁ ‘ସମ୍ମାନ ବାଜ୍ୟାପ୍ତି କମିଟି’ର ଗଠନ ପୂର୍ବକ ସୁନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରଣୟନ କରାଯିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ରଦତ୍ତ ଡିଗ୍ରୀ ବା ସମ୍ମାନ ପ୍ରତ୍ୟାହାରର ନିୟମ ସୁନିର୍ଦ୍ଦିଷ୍ଟ ହେବା ଉଚିତ । 

ବିଦେଶରେ ପୁରସ୍କାର ବା ସମ୍ମାନ ପ୍ରତ୍ୟାହାର ପାଇଁ ଭିନ୍ନ ଭିନ୍ନ ନୀତି ଅବଲମ୍ୱନ ହୋଇଥାଏ । ନୋବେଲ ପୁରସ୍କାର ନିୟମରେ ପ୍ରତ୍ୟାହାରର ପ୍ରାବଧାନ ନ ଥିବାରୁ ମ୍ୟାନମାରର ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଙ୍ଗ ସାନ ସୁ ଚିଙ୍କ ରୋହିଙ୍ଗିଆ ବିରୋଧୀ ମନ୍ତବ୍ୟ ପରେ ତାଙ୍କଠାରୁ ପୁରସ୍କାର ପ୍ରତ୍ୟାହାର ପାଇ ଦାବି ଉଠିଥିଲେ ବି ତାହା କରାଯାଇ ନ ଥିଲା । ଅବଶ୍ୟ ତାଙ୍କଠାରୁ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରଦତ୍ତ ‘ଆମ୍ୱାସାଡର ଅଫ କନସାଇନସ’ ପୁରସ୍କାର ପ୍ରତ୍ୟାହାର ହୋଇଥିଲା । ବ୍ରୁନେଇର ସୁଲତାନଙ୍କ ଏଲଜିବିଟି ଆଇନ ବିରୋଧୀ ମନ୍ତବ୍ୟ ଯୋଗୁଁ ତାଙ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦତ୍ତ ସମ୍ମାନସୂଚକ ଆଇନ ଡିଗ୍ରୀ ଫେରସ୍ତ କରିବାକୁ ଲେଖାଯିବା ପରେ ସେ ତାହା ଫେରାଇ ଦେଇଥିଲେ । ବିଭିନ୍ନ ଅପରାଧରେ ଦଣ୍ଡିତ ବା ନିନ୍ଦିତ ହୋଇଥିବା ଯୋଗୁଁ ଅତୀତରେ ଯେଉଁ ପ୍ରମୁଖ ବ୍ୟକ୍ତିଙ୍କ ନିକଟରୁ ସେମାନଙ୍କ ସମ୍ମାନ ପ୍ରତ୍ୟାହାର କରାଯାଇଛି ସେମାନଙ୍କ ମଧ୍ୟରେ ଥିଲେ ବେନିଟୋ ମୁସୋଲିନି, ରୋମାନିଆର ଏକଛତ୍ରବାଦୀ ନିକୋଲାଇ ଚାଉସେସ୍କୁ, ଜିମ୍ୱାୱେର ରବର୍ଟ ମୁଗାବେ, ଅଷ୍ଟ୍ରେଲିଆର ରଲଫ ହାରିସ, ବ୍ରିଟିଶ ଉପସ୍ଥାପକ ଷ୍ଟୁଆର୍ଟ ହଲ ଇତ୍ୟାଦି । ବ୍ରିଟିଶ ଆଇନ ଅନୁସାରେ କୌଣସି ସମ୍ମାନିତ ବ୍ୟକ୍ତି ଯଦି ଅପରାଧ ପାଇଁ ଦଣ୍ଡିତ ହୁଅନ୍ତି ଓ ସମ୍ମାନ ବ୍ୟବସ୍ଥାର ମର୍ଯ୍ୟାଦା ହାନିର କାରଣ ପାଲଟନ୍ତି ତେବେ ତାଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରା ଯାଇପାରିବ । ସେଥିପାଇଁ  କୌଣସି ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଅନ୍ତତଃ ତିନି ମାସ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ, କୌଣସି ନିୟନ୍ତ୍ରକ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଦ୍ୱାରା ବାଛନ୍ଦ ହୋଇଥିଲେ, ଯୌନ ଅପରାଧରେ ଦଣ୍ଡିତ ହୋଇଥିଲେ ‘ଅନର ଫୋରଫିଚର କମିଟି’ ସମ୍ମାନ ପ୍ରତ୍ୟାହାର ପାଇଁ ବିବେଚନା କରିଥାଆନ୍ତି । ନିଉଜିଲାଣ୍ଡରେ ତ ମର୍ଯ୍ୟାଦାହୀନ ଆଚରଣ ପାଇଁ ଜନମତ ଦ୍ୱାରା ନିନ୍ଦିତ ହେବା ମଧ୍ୟ ସମ୍ମାନ ପ୍ରତ୍ୟାହାରର କାରଣ ହୋଇଥାଏ ।          

କଙ୍ଗନା ରଣାୱତଙ୍କ ‘ଭିକରେ ମିଳିଥିବା ସ୍ୱାଧୀନତା’ ମନ୍ତବ୍ୟଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣଦାନ କରିଥିବା, ଜେଲଦଣ୍ଡ ଭୋଗିଥିବା, ପରିବାର ଛାଡି ଦେଶପାଇଁ ଜୀବନ ଉତ୍ସର୍ଗ କରିଥିବା ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ବିଦ୍ରୁପ ସଦୃଶ ଅଟେ । ଏହା କେବଳ ଯେ ନୈତିକତା ଦୃଷ୍ଟିରୁ ଅଗ୍ରହଣୀୟ ତାହା ନୁହେଁ, ବରଂ ଏହା ସମ୍ୱିଧାନର ମୋଳିକ କର୍ତ୍ତବ୍ୟ ସଂକ୍ରାନ୍ତୀୟ ପ୍ରାବଧାନର ମଧ୍ୟ ବିରୋଧାଚରଣ କରୁଛି । ସମ୍ୱିଧାନର ଧାରା ୫୧(ଏ)(ବି) ଅନୁଯାୟୀ ଆମ ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିବା ମହାନ ଆଦର୍ଶଗୁଡିକୁ ଆଦର କରିବା ଓ ଅନୁସରଣ କରିବା ଏକ ସୁନାଗରିକର କର୍ତ୍ତବ୍ୟ । ପଦ୍ମ ପୁରସ୍କାରରେ ସମ୍ମାନିତ ପ୍ରତ୍ୟେକ ବ୍ୟକ୍ତି ଜଣେ ଡଣେ ସୁନାଗରିକ ଭାବେ ସମ୍ୱିଧାନ ଉଲ୍ଲିଖିତ ମୌଳିକ କର୍ତ୍ତବ୍ୟଗୁଡିକ ସମ୍ପାଦନ କରିବା ଜରୁରୀ । ସମ୍ୱିଧାନରେ ଯେଉଁ ସଂଗ୍ରାମର ଆଦର୍ଶ କଥା ଉଲ୍ଲେଖ ରହିଛି, ତାହା ନିଶ୍ଚିତ ରୂପେ ୧୯୪୭ରେ ଭାରତ ହାସଲ କରିଥିବା ସ୍ୱାଧୀନତା ପାଇଁ ଅଟେ, କଙ୍ଗନାଙ୍କ ଅନୁଯାୟୀ ୨୦୧୪ରେ ହାସଲ ହୋଇଥିବା ତଥାକଥିତ ସ୍ୱାଧୀନତା ପାଇଁ ନୁହେଁ, ତାହା ସ୍ପଷ୍ଟ । ପଦ୍ମଶ୍ରୀରେ ସମ୍ମାନିତ ହେଲା ପରେ ସର୍ବସାଧାରଣରେ ଏହି ଉକ୍ତି ଦ୍ୱାରା କଙ୍ଗନା ଦୁଇଟି ଭୁଲ କରିଥିଲା ପରି ପ୍ରତୀତ ହେଉଛି । ପ୍ରଥମତଃ, ସେ ୧୯୪୭ର ସ୍ୱାଧୀନତାକୁ ପୂର୍ଣ୍ଣ ପ୍ରାଣରେ ଗ୍ରହଣ କରି ପାରୁନାହାନ୍ତି ଓ ତାକୁ ଏକ ପ୍ରକାର ଅସ୍ୱୀକାର କରୁଛନ୍ତି ବୋଲି ସୂଚାଇ ଦେଇଛନ୍ତି । ଭାରତ ପ୍ରକୃତରେ ୨୦୧୪ରେ ସ୍ୱାଧୀନତା ହାସଲ କରିଛି ବୋଲି କହି ସେ ପରୋକ୍ଷରେ ସମ୍ୱିଧାନକୁ ମଧ୍ୟ ପରାଧୀନ ଭାରତରେ ପ୍ରଣୀତ ବୋଲି କହିଛନ୍ତି, ଯାହା ସମ୍ୱିଧାନର ଅବମାନନା । ଦ୍ୱିତୀୟତଃ, ଉପରୋକ୍ତ ମୌଳିକ କର୍ତ୍ତବ୍ୟ ପାଳନ କରି ସ୍ୱାଧୀନତା ସଂଗ୍ରାମର ମହାନ ଆଦର୍ଶକୁ ଆଦର ଓ ଅନୁସରଣ କରିବା ତ ଦୂରର କଥା, ବରଂ ସେଗୁଡିକୁ ନିନ୍ଦିତ କରିବାର ଅପଚେଷ୍ଟା କରି ଏକ ସୁନାଗରିକର କର୍ତ୍ତବ୍ୟ ସମ୍ପାଦନରେ ସେ ବିଫଳ ହୋଇଛନ୍ତି । ଯେ କୌଣସି ବ୍ୟକ୍ତିର ଭିନ୍ନ ମତ ଥାଇପାରେ । ମାତ୍ର ରାଷ୍ଟ୍ର ଦ୍ୱାରା ସମ୍ମାନିତ ଜଣେ ବ୍ୟକ୍ତି ନିକଟରୁ କୌଣସି ମତେ ସମ୍ୱିଧାନ ବିରୋଧୀ ମତପୋଷଣ ଗ୍ରହଣୀୟ ହୋଇ ନ ପାରେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ସାରା ଯେତେବେଳେ ‘ଅମୃତ ମହୋତ୍ସବ’ର ଆୟୋଜନମାନ କରାଯାଉଛି ସେହି ସମୟରେ ତାଙ୍କର ଏ ଭଳି ଉକ୍ତି ଆମ ସ୍ୱାଧୀନତା ଲାଭ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ତାହା ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଦେଶବାସୀଙ୍କୁ ବି ବ୍ୟଥିତ କରିଛି । ତାଙ୍କର ଏ ଭଳି ଉକ୍ତି ପାଇଁ ସେ କ୍ଷମା ପ୍ରାର୍ଥନା ବା ଅନୁତାପ ନ କରି ସେ ତାଙ୍କ ମତରେ କାଏମ ରହିଥିବାରୁ ସେ ନିଜେ ‘ପଦ୍ମଶ୍ରୀ’ ସମ୍ମାନଟିକୁ ଫେରାଇ ଦେଲେ ଭଲ ହୁଅନ୍ତା । ତା’ ଛଡା ତାଙ୍କ କଥାନୁସାରେ ପରାଧୀନ ଭାରତରେ ସ୍ଥାପିତ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହେବାକୁ କ’ଣ ସେ ନିଜେ ଗ୍ରହଣ କରିପାରୁଛନ୍ତି ! ସେ ନିଜେ ପଦ୍ମଶ୍ରୀ ଫେରାଇବାକୁ ଆଗଭର ହେଉ ନ ଥିବାରୁ ଜନମତକୁ ସମ୍ମାନ ଜଣାଇ ସରକାର ତାଙ୍କ ପଦ୍ମଶ୍ରୀ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ କରିବା ହୁଏତ ଅଧିକ ସମୀଚୀନ ହେବ । 

ଯେଉଁପରି କ୍ଷମତା ମଣିଷକୁ ଅଧିକ ଅନୁଶାସିତ କରିବା ଆଶା କରାଯାଏ, ସେହିପରି ବ୍ୟକ୍ତିର ସମ୍ମାନ ବୃଦ୍ଧି ସହ ତା’ର ଉଚ୍ଚାରଣ ଓ ଆଚରଣ ଅଧିକ ପରିମାର୍ଜିତ ହେବା ଆଶା କରିବା କିଛି ଅସମୀଚୀନ ନୁହେଁ । ପଦ୍ମ ପୁରସ୍କାର ପରି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ବ୍ୟକ୍ତି ତ ନିଜକୁ ଜଣେ ସୁନାଗରିକ ଭାବେ ଉପସ୍ଥାପିତ କରି ରଖିବା ସହ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବା ନିହାତି ଆବଶ୍ୟକ । ଅବଶ୍ୟ ନିଜ ଉଚ୍ଚାରଣ ଓ ଆଚରଣ ଉପରେ ଲଗାମ ଲଗାଇବାକୁ ଅସମର୍ଥ ହୋଇ ଦେଶର ଆଇନ ବା ସମ୍ୱିଧାନର ଅବମାନନା କରି ବସିଲେ ତାହା ପ୍ରଦତ୍ତ ସମ୍ମାନ ପ୍ରତି ମଧ୍ୟ ଅସମ୍ମାନ ହୋଇଥାଏ । ଏ ପରିସ୍ଥିତିରେ ରାଷ୍ଟ୍ର ମୂକ ଦର୍ଶକ ନ ସାଜି ପଦ୍ମ ପୁରସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମାନର ମର୍ଯ୍ୟାଦାହାନି ନ ହେବା ଲାଗି ସମ୍ମାନ ପ୍ରତ୍ୟାହାର ପାଇଁ ମଧ୍ୟ ନିୟମ ପ୍ରଣୟନ କରିବା ଉଚିତ । ତେବେ ଏ ଭଳି ନିୟମ ଯେ ସମ୍ମାନିତ ବ୍ୟକ୍ତିଙ୍କ ଉଚ୍ଚାରଣ ଓ ଆଚରଣକୁ ଅଧିକ ଶୃଙ୍ଖଳିତ କରି ପଦ୍ମ ପୁରସ୍କାରର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ ସେଥିରେ ସନ୍ଦେହ ନାହିଁ ।


(Published in Sambad on November 30, 2021)


Comments

  1. This comment has been removed by a blog administrator.

    ReplyDelete
  2. Very logically presented and incisive writing. Profuse thanks to the Author. T Maharana

    ReplyDelete

Post a Comment

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍