ସୁପ୍ରିମକୋର୍ଟଙ୍କ ଏପ୍ରିଲ ୧୨, ୨୦୨୩ରେ ପ୍ରକାଶିତ ରାୟ ପରେ ‘ଅନିଲ ଅଗ୍ରୱାଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ସ୍ଥାପନା ଉପରେ ଆପାତତଃ ପୂର୍ଣ୍ଣ ବିରାମ ଲାଗିଗଲା । ନିୟମଗିରି ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ପରାଜୟ ସହ ଓଡ଼ିଶାରେ ଅନିଲ ଅଗ୍ରୱାଲଙ୍କ ବେଦାନ୍ତକୁ ଦ୍ୱିତୀୟ ଥର ଲାଗି ଏକ ବଡ଼ ଧରଣର ଆଇନଗତ ଝଟକା ଲାଗିଲା ବୋଲି କହିବା ଭୁଲ୍ ହେବନାହିଁ । କିନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ରାଜ୍ୟ ସରକାର ଯେପରି ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଶେଷରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପର୍ଯ୍ୟନ୍ତ ପ୍ରତିଟି ପଦକ୍ଷେପରେ ଏକ ଘରୋଇ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କଲେ ଓଡ଼ିଶାରେ ଅନ୍ତଃ ତା’ର ପଟାନ୍ତର ନାହିଁ । ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପାକୁ ବୁଝିବାକୁ ହେଲେ ପ୍ରକଳ୍ପ ସଂକ୍ରାନ୍ତୀୟ ଘଟଣାକ୍ରମ ଓ ତତସଂଲଗ୍ନ ତାରିଖଗୁଡ଼ିକୁ ଗୁରୁତ୍ୱର ସହ ଅନୁଧ୍ୟାନ କରିବାକୁ ହେବ । ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପ୍ରସ୍ତାବ ନେଇ ବେଦାନ୍ତ ରିସୋର୍ସେସ ଲିମିଟେଡ ଦ୍ୱାରା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସମ୍ମୁଖରେ ଏପ୍ରିଲ ୨୦୦୬ରେ ଏକ ଉପସ୍ଥାପନା (ପ୍ରେଜେଣ୍ଟେସନ) ପ୍ରସ୍ତୁତ କରାଯାଇଥିଲା । ଜୁନ ୧୫, ୨୦୦୬ରେ କମ୍ପାନୀ ଦ୍ୱାରା ପୁରୀ ଜିଲ୍ଲାର ନୂଆନଈସ୍ଥିତ ଭୁବନେଶ୍ୱ...