ଇଣ୍ଟରନ୍ୟାସନାଲ କନସୋର୍ଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟସ (ଆଇସିଆଇଜେ) ଦ୍ୱାରା ଅକ୍ଟୋବର ୩, ୨୦୨୧ ରେ ‘ପାଣ୍ଡୋରା ପେପରସ’ ତଥ୍ୟ ପ୍ରଘଟ ହେବା ପରେ ସାରା ବିଶ୍ୱରେ ତାହା ଚର୍ଚ୍ଚିତ ହୋଇଥିଲେ ବି ଏ ଧରଣର ପ୍ରଘଟ କିଛି ନୂଆ ଘଟଣା ନୁହେଁ । ଏଥି ପୂର୍ବରୁ ୨୦୧୪ରେ ‘ଲକ୍ସଲିକସ୍’, ୨୦୧୬ରେ ‘ପାନାମା ପେପରସ୍’, ୨୦୧୭ରେ ‘ପାରାଡାଇଜ୍ ପେପରସ୍ ଲିକସ’ ଓ ୨୦୨୦ରେ ‘ଫିନସେନ ଫାଇଲସ ଲିକ୍’ ଆଦି ହୋଇସାରିଛି । ତେବେ ପାଣ୍ଡୋରା ପେପରସ୍ ମାମଲାରେ ସାରା ବିଶ୍ୱର ୩୩୬ ଜଣ ରାଜନେତା, ୧୩୦ ଜଣ ଫୋର୍ବସ ବିଲିଅନେୟାରଙ୍କ ସମେତ ଅନେକ ସେଲିବ୍ରିଟି, ରାଜ ପରିବାର, ଠକ, ନିଶା ବେପାରୀ, ଧାର୍ମିକ ସଙ୍ଗଠନର ନେତାଙ୍କ ନାମ ପ୍ରକାଶ ପାଇବା ଅନେକଙ୍କୁ ବିସ୍ମିତ କରିଛି । ପାଣ୍ଡୋରା ପେପରସ ଅନୁସନ୍ଧାନ ହେଉଛି ଏ ଯାବତ୍ ସର୍ବବୃହତ୍ ସାମ୍ୱାଦିକ ସହଯୋଗିତା ଆଧାରିତ ଏକ ଅନୁସନ୍ଧାନ ଯେଉଁଥିରେ ବିଶ୍ୱର ୧୧୭ଟି ଦେଶର ୧୫୦ଟି ମିଡିଆ ସଂସ୍ଥାର ୬୦୦ରୁ ଊର୍ଦ୍ଧ୍ୱ ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ବିଶ୍ୱର ୧୪ଟି ସମୁଦ୍ରତଟାତିକ୍ରାନ୍ତ ସେବା ପ୍ରଦାନକାରୀ (ଅଫସୋର ସର୍ଭିସ ପ୍ରୋଭାଇଡର) କମ୍ପାନୀଙ୍କ ପ୍ରଘଟ ହୋଇଥିବା ଗୋପନୀୟ ତଥ୍ୟ ଭିତ୍ତିରେ ଏହି ପାଣ୍ଡୋରା ପେପରସ ପ୍ରସ୍ତୁତ ହୋଇଛି । ସଂଗୃହୀତ ତଥ୍ୟଗୁଡିକ ପ୍ରାୟତଃ ୧୯୯୬ରୁ ୨୦୨୦ ସମୟ ସୀମା ମଧ୍ୟର ଓ ୧.୧୯ କୋଟି ବିଭିନ୍ନ ପ୍ରକାର ଦସ୍ତାବିଜରୁ ସଂଗୃହୀତ ଏହି ତଥ୍ୟର ଆକାର ୨.୯୪ ଟେ...