ମଣିଷ ନିଜ ସ୍ୱାର୍ଥ ପାଇଁ ପାହାଡପର୍ବତ, ବଣଜଙ୍ଗଲ, ଜୀବଜନ୍ତୁ, ବୃକ୍ଷଲତା ଆଦି ବିନଷ୍ଟ କରି ଚାଲିଥିବାର ଅସଂଖ୍ୟ ଉଦାହରଣ ଦେଖିବାକୁ ଆଉ ଶୁଣିବାକୁ ମିଳିଥାଏ, ହେଲେ ମନୁଷ୍ୟକୃତ ହସ୍ତକ୍ଷେପ (ହ୍ୟୁମାନ ଇଣ୍ଟରଭେନସନ) ଯୋଗୁ ଯେ ଗୋଟିଏ ଜୀବନ୍ତ ନଦୀର ଶ୍ୱାସରୁଦ୍ଧ ହୋଇ ସେ ମୃତପ୍ରାୟ ହୋଇ ଯାଇପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଶୁକପାଇକା ନଦୀ । ପ୍ରାୟ ୭୦ ବର୍ଷ ଆଗରୁ ଶୁକପାଇକା ବି ଯେ କୌଣସି ଅନ୍ୟ ନଦୀ ପରି କଳକଳ ପ୍ରବାହିତ ହୋଇ ତା’ କୂଳରେ ଥିବା ପଶୁ, ପକ୍ଷୀ, ବୃକ୍ଷ ଲତା ଓ ମଣିଷଙ୍କୁ ଖୋଲା ହୃଦୟରେ ଜୀବନ ବାଣ୍ଟି ଚାଲିଥିଲା, ଜୀବିକା ବି ଯୋଗାଉଥିଲା । ହେଲେ ଆଜି ସେ ନିଜେ ନିଜ ଜୀବନ ରକ୍ଷା ପାଇଁ ସେହି ମଣିଷଙ୍କ ଆଗରେ କାକୁତି ମିନତି ହେଉଛି । ତା’ର ଦୁର୍ଦ୍ଦଶାର କାହାଣୀ ହୁଏତ ସେ ବଖାଣି ଚାଲିଛି, ହେଲେ ମଣିଷ ସେ କାହାଣୀ ଶୁଣି ତାକୁ ଉଦ୍ଧାର କରିବାକୁ ବୋଧହୁଏ ଏ ଯାଏଁ ଆହୁରି ପ୍ରସ୍ତୁତ ହୋଇ ପାରିନାହିଁ । ଶୁକପାଇକା ନଦୀ ମହାନଦୀର ଏକ ଶାଖା ନଦୀ, ଯାହା କଟକ ଜିଲ୍ଲାର ଆୟତପୁରଠାରୁ ବାହାରି ୨୭ କିଲୋମିଟର ବାଟ ଅତିକ୍ରମ କଲା ପରେ ତାରପୁର ନିକଟସ୍ଥ ବାଙ୍କୋଳଠାରେ ପୁଣି ମହାନଦୀରେ ମିଶିଛି । ଏହାର ତ୍ରିକୋଣଭୂମିରେ କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକର ୨୬ଟି ପଞ୍ଚାୟତର ୪୨୫ଟି ଗ୍ରାମର ପ୍ରାୟ ୬ ଲକ୍ଷ ଲୋକ ବସବାସ କରନ୍ତି । ଏହି ଅଞ୍ଚଳଟି ମୁଖ୍ୟତଃ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡ...