ଦୁଇଟି କାପୁଚିନ ପ୍ରଜାତିର ମାଙ୍କଡଙ୍କ ଉପରେ ପ୍ରାଣୀ ବିଜ୍ଞାନୀ ସାରା ବ୍ରୋସନାନ ଓ ଫ୍ରାନ୍ସ ଡି ୱାଲ କରିଥିବା ଏକ ପରୀକ୍ଷାରୁ ବେଶ ମଜାଦାର ଫଳ ମିଳିଥିଲା । ଏହି ପ୍ରଜାତିର ମାଙ୍କଡମାନଙ୍କୁ କାକୁଡି ବା ଅଙ୍ଗୁର ଦେଲେ ସେମାନେ ତାହା ଆନନ୍ଦରେ ଖାଇଥାଆନ୍ତି, ତେବେ ଅଙ୍ଗୁର ପ୍ରତି ସେମାନଙ୍କର ଅଧିକ ଆକର୍ଷଣ ଥାଏ । ବର୍ଣ୍ଣିତ ପରୀକ୍ଷାରେ ଦୁଇଟି ମାଙ୍କଡଙ୍କୁ କିଛି ଟୋକନ ଦିଆଗଲା ଓ ପ୍ରତି ଥର ସେମାନେ ଗୋଟିଏ ଲେଖାଏଁ ଟୋକନ ଫେରାଇଲେ ତାଙ୍କୁ କିଛି ଖାଦ୍ୟ ଦିଆଯାଉଥିଲା । ପ୍ରଥମ ମାଙ୍କଡଟିକୁ ପ୍ରଥମ ଟୋକନ ବଦଳରେ କାକୁଡିଟିଏ ଦିଆଗଲା ଓ ସେ କାକୁଡିଟିକୁ ଆନନ୍ଦରେ ଖାଇଲା । ଏକା ଟୋକନ ବଦଳରେ ଆର ମାଙ୍କଡଟିକୁ ଅଙ୍ଗୁର ଦିଆଯାଉଥିବାର ସେ ଦେଖିପାରିଲା । ଦ୍ୱିତୀୟ ଥର ପ୍ରଥମ ମାଙ୍କଡଟିକୁ ଟୋକନ ବଦଳରେ ପୁଣି କାକୁଡି ଦିଆଯିବାରୁ ସେ ତାକୁ ଗ୍ରହଣ ନ କରି ବିରୋଧ କରିଥିଲା । ଏଥିରୁ ସ୍ପଷ୍ଟ ହେଲା ଯେ ମାଙ୍କଡମାନେ ମଧ୍ୟ ପକ୍ଷପାତିତାକୁ ଘୃଣା କରନ୍ତି ଓ ତାକୁ ବିରୋଧ ମଧ୍ୟ କରିଥାଆନ୍ତି । ମନସ୍ତତ୍ତ୍ୱବିଦମାନେ ଏହି ପ୍ରତିକ୍ରିୟାକୁ ‘ଅହିତକର ଅସମାନତାର ବିରୋଧ’ (ଡିସଆଡଭାଣ୍ଟେଜିଅସ୍-ଇନଇକୁଇଟି ଆଭର୍ସନ) ବୋଲି କହିଥାଆନ୍ତି । ତେଣୁ ମଣିଷମାନେ ପକ୍ଷପାତିତାର ଶିକାର ହେଲେ ସେମାନଙ୍କଠାରେ ଯେ କେତେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଇଥାଏ, ତାହା ସହଜରେ ଅନୁମେୟ । ସମାନ ସାମର୍ଥ୍ୟ ଓ ପ୍ରତିଭା ଥିବା ବ୍ୟକ୍ତିଙ୍କ ପ୍ରତି ଭିନ୍ନ ଭି...