କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣର କରୁଣ ଦୃଶ୍ୟ ସଂଘଟିତ ହେଉଥିଲା ବେଳେ ସେଠାରେ ଉପସ୍ଥିତ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଜ୍ଞାନୀ, ଗୁଣୀ, ମହାବୀରମାନେ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ସେହି ଅନ୍ୟାୟର ପ୍ରତିବାଦ କରିବାକୁ ଅସମର୍ଥ ହୋଇ ନୀରବ ରହିଥିଲେ, ଯେଉଁଥିପାଇଁ ସେମାନେ ଆଜି ବି ନିନ୍ଦିତ । ୟୁକ୍ରେନ ଯୁଦ୍ଧର ବିଭୀଷିକା ଲାଗି ରହି ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେବା, ହଜାର ହଜାର ଶିଶୁ ଅନାଥ ହେବା, ଶହ ଶହ କୋଠାବାଡି ଧ୍ୱଂସ ହୋଇ ମାନବତାର ବସ୍ତ୍ରହରଣର କରୁଣ ଦୃଶ୍ୟକୁ ବିଶ୍ୱବାସୀ ଟିଭି ପରଦାରେ ପ୍ରତ୍ୟକ୍ଷ କରୁଥିଲେ ବି ଯୁଦ୍ଧ ବନ୍ଦ କରିବା ଲାଗି ରାଷ୍ଟ୍ରନାୟକମାନେ ନିଜ ନିଜ ଦେଶର ସ୍ୱାର୍ଥରକ୍ଷା ଲାଗି ସତେ ଯେମିତି ନୀରବ । ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୧୪୧ଟି ଦେଶ ରୁଷିଆର ୟୁକ୍ରେନ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିବା ବେଳେ ଯେଉଁ କେତୋଟି ଦେଶ ଭୋଟଦାନରୁ ବିରତ ରହି ରୁଷିଆକୁ ପରୋକ୍ଷରେ ସମର୍ଥନ ଜଣାଇଲେ ସେମାନଙ୍କ ମଧ୍ୟରେ ଥିଲା ଭାରତ । ଏଥି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟଦାନରେ ମଧ୍ୟ ଭାରତ ଅନୁରୂପ ଆଚରଣ କରିଥିଲା । ଗଣତନ୍ତ୍ର ଓ ସାର୍ବଭୌମତ୍ୱର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଭାରତ ୟୁକ୍ରେନ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶର ଆକ୍ରମଣ ପରେ ନୀରବ ରହିବା ଅନେକଙ୍କୁ ବ୍ୟଥିତ କଲା । ଅବଶ୍ୟ ରୁଷିଆ ସହ ଭାରତର ଦୀର୍...