ଦେଶରେ ଥିବା କେନ୍ଦ୍ର-ନିୟନ୍ତ୍ରିତ ୧୩୫ଟି ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ୧୧୫ଟି କେନ୍ଦ୍ର ‘ସଙ୍କଟପୂର୍ଣ୍ଣ ଓ ଅତି ସଙ୍କଟପୂର୍ଣ୍ଣ’ କୋଇଲା ଅଭାବର ସମ୍ମୁଖୀନ ହେବା ଓ ତନ୍ମଧ୍ୟରୁ ୭୦ଟି କେନ୍ଦ୍ରରେ ମାତ୍ର ୪ ଦିନ ଲାଗି କୋଇଲା ଗଚ୍ଛିତ ଥିବା ସରକାରୀ ଭାବେ ଜଣା ପଡିବା ପରେ ଦେଶରେ କୋଇଲା ଉତ୍ପାଦନ ଓ ଯୋଗାଣର ବ୍ୟବସ୍ଥିତ ପରିଚାଳନା ନେଇ ଶଙ୍କା ସୃଷ୍ଟି ହେଲା । ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ ଓ ଯୋଗାଣ ଉପରେ ପଡିବାକୁ ଲାଗିଲା । ଅନେକ ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ଯଥେଷ୍ଟ କମ କ୍ଷମତାରେ ଚାଲିବା ସହ କେତେକ କେନ୍ଦ୍ରରେ କିଛି ୟୁନିଟରେ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଗଲା । ବିଦ୍ୟୁତ ଯୋଗାଣର ଆସନ୍ନ ସଙ୍କଟ ସମ୍ପର୍କରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ବିହାର ଓ ତାମିଲନାଡୁ ଭଳି ରାଜ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଥିବା ବେଳେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବାରୁ ସଙ୍କଟର ଗମ୍ଭୀରତା ଜାଣି ହେଉଛି । ଦେଶରେ ଦୁଇ ତୃତୀୟାଂଶ ବିଦ୍ୟୁତ ଉତ୍ପାଦନ କୋଇଲାରୁ ହେଉଥିବାରୁ ଏ କ୍ଷେତ୍ରରେ ସଙ୍କଟ ଲାଗି ରହିଲେ ତାହା ବିଦ୍ୟୁତ ଦରକୁ କିପରି ପ୍ରଭାବିତ କରିବ, ତାହା ବୁଝିବାର ଆବଶ୍ୟକତା ରହିଛି । ଦେଶରେ କୋଇଲା ଉତ୍ପାଦନର ସ୍ଥିତିକୁ ଅନୁଧ୍ୟ...