Skip to main content

ଲକ୍ଷ୍ୟଠାରୁ ଦୂରରେ ବିଜୁ ଗାଁ ଗାଡି ଯୋଜନା

ରାଜ୍ୟର ଅନେକ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ପୂର୍ବାପେକ୍ଷା ଭଲ ହୋଇଥିଲେ ବି ଏବେ ମଧ୍ୟ ଅନେକ ଅପହଞ୍ଚ ଅଞ୍ଚଳକୁ ପରିବହନ ସଂଯୋଗର ସୁବିଧା ନ ଥିବାରୁ ସେଠାକାର ଅଧିବାସୀମାନେ ଏହି ମୌଳିକ ସେବା ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ପରିବହନ ଭିତ୍ତିଭୂମି ତଥା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅନୁସୂଚୀତ ବ୍ଲକ ଓ ଅନ୍ୟାନ୍ୟ ପଛୁଆ ଅଞ୍ଚଳର ପାହାଡିଆ, ଆଭ୍ୟନ୍ତରୀଣ ଓ ଅପହଞ୍ଚ ଗାଁମାନଙ୍କରେ ରହୁଥିବା ଅଧିବାସୀମାନଙ୍କୁ ପରିବହନ ସଂଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଓଡିଶା ସରକାର ୨୦୧୩ ମସିହାରେ ଏକ ଯୋଜନା ଆରମ୍ଭ କରିଥିଲେ, ଯାହାର ନାମ ୨୦୧୪ରେ ବଦଳା ଯାଇ ‘ବିଜୁ ଗାଁ ଗାଡି ଯୋଜନା’ (ବିଜିଜିୱାଇ) ରଖା ଯାଇଥିଲା । ଇତିମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ବି ଏହି ଯୋଜନା ତା’ର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ପାରି ନାହିଁ ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

‘ବିଜୁ ଗାଁ ଗାଡି ଯୋଜନା’ ମୁତାବକ ବ୍ଲକ ମୁଖ୍ୟାଳୟକୁ ପରିବହନ ସଂଯୋଗର ସୁବିଧା ନ ଥିବା ଗ୍ରାମ ପଞ୍ଚାୟତ ଓ ସ୍ଥଳ ବିଶେଷରେ ଜିଲ୍ଲା ମୁଖ୍ୟାଳୟ ଓ ପଡୋଶୀ ବ୍ଲକ ମୁଖ୍ୟାଳୟ ସହ ସଂଯୋଗ ନ ଥିବା ଗ୍ରାମ ପଞ୍ଚାୟତଗୁଡିକୁ ତିନିଟି ପର୍ଯ୍ୟାୟରେ ପରିବହନ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତଦନୁସାରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୧୮ଟି ଅନୁସୂଚୀତ ଓ ଆଇଟିଡିଏ ବ୍ଲକର ଗ୍ରାମ ପଞ୍ଚାୟତକୁ ଓ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ୱର ୨୦୧୪ ସୁଦ୍ଧା ତାହା ଆଉ ୫ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବାର ଥିଲା । ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଜୁଲାଇ ୨୦୧୫ ସୁଦ୍ଧା ଅବଶିଷ୍ଟ ୧୩ଟି ଜିଲ୍ଲା ସହ ପ୍ରଥମ ପର୍ଯ୍ୟାୟର ଅଣ-ଆଇଟିଡିଏ ବ୍ଲକଗୁଡିକରେ ଅବସ୍ଥିତ ପରିବହନ ସଂଯୋଗ ବିହୀନ ଗ୍ରାମ ପଞ୍ଚାୟତଗୁଡିକୁ ଯୋଜନା  ଅନ୍ତର୍ଭୁକ୍ତ କରାଯିବାର ଥିଲା । ଏହି ଯୋଜନାରେ ଘରୋଇ ପରିବହନ ଚାଳକଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି । ତଦନୁଯାୟୀ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯାନଗୁଡିକୁ ପାଞ୍ଚ ବର୍ଷ ଯାଏଁ ସଡକ ଟିକସ ଓ ପରମିଟ ଫି ଛାଡ କରା ଯାଇଛି । ଏତଦଭିନ୍ନ ସେଗୁଡିକୁ ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ଓ ଠିକ ସମୟରେ ଋଣ ପରିଶୋଧ ପାଇଁ ଅତିରିକ୍ତ ୨ ପ୍ରତିଶତ ସୁଧ ରିହାତି ଦେବାର ପ୍ରାବଧାନ ଅଛି । ଅନ୍ୟ ପକ୍ଷରେ ତୃତୀୟ ପର୍ଯ୍ୟାୟର ବାହନଗୁଡିକୁ କେବଳ ୫ ବର୍ଷ ଯାଏଁ ସଡକ ଟିକସ ଛାଡ କରା ଯାଇଛି । ଏହି ଯୋଜନାରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲାଗୁଡିକରେ ନିର୍ଦ୍ଦିଷ୍ଟ ମାର୍ଗରେ ବସ ଚଲାଇବା ପାଇଁ ଓଏସଆରଟିସିକୁ ୧୦୦ଟି ବସ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ଯୋଜନାର ଆରମ୍ଭ (୨୦୧୩-୧୪)ରୁ ୨୦୧୮-୧୯ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ସମୀକ୍ଷା କରି ସିଏଜି ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି, ତାହା ବାସ୍ତବିକ ଉଦବେଗଜନକ । ଯୋଜନା ଅନୁଯାୟୀ ରାଜ୍ୟର ୧୧୮ଟି ଆଇଟିଡିଏ ବ୍ଲକରେ ପ୍ରଥମ ବର୍ଷ ୧୦୦୦ଟି ଓ ତା’ ପର ବର୍ଷ ଆଉ ୧୦୦୦ଟି ଯାତ୍ରୀବାହୀ ଯାନ ଉପଲବ୍ଧ ହେବାର ଥିଲା । ତା’ ସ୍ଥାନରେ ୨୦୧୮-୧୯ ଶେଷ ସୁଦ୍ଧା ମାତ୍ର ୫୫୬ଟି ଗାଡି ଉପଲବ୍ଧ, ଯାହା ନିର୍ଦ୍ଧାରିତ ଲକ୍ଷ୍ୟର ମାତ୍ର ୨୮ ପ୍ରତିଶତ । ଅନୁମତି ମିଳିଥିବା ମାର୍ଗରେ ଯଥେଷ୍ଟ ଯାତ୍ରୀ ହେଉ ନ ଥିବାରୁ ଏହି ଯୋଜନାରେ ଅଂଶଗ୍ରହଣ କରୁଥିବା ପରିବହନ ଚାଳକଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତ ଗାଡି ଚଲାଇବାକୁ ଅନାଗ୍ରହୀ ବୋଲି ଜଣା ପଡିଛି । ପ୍ରଥମ ଦଫାର ପରିବହନ ଚାଳକଙ୍କ ଅସୁବିଧା ଓ କ୍ଷତିକୁ ଦେଖି ଆଉ ଅଧିକ ସଂଖ୍ୟକ ନୂଆ ପରିବହନ ଚାଳକ ଯୋଜନାରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ ।

ପ୍ରଥମ ଅବସ୍ଥାରେ ଯୋଜନାରେ ଅଂଶଗ୍ରହଣ କରୁଥିବା ବାହନଗୁଡିକୁ ଏକକାଳୀନ ପାଞ୍ଚ ବର୍ଷିଆ ସ୍ଥାୟୀ ପରମିଟ ପ୍ରଦାନ କରା ଯାଉଥିଲା । ୨୦୧୬ଠାରୁ ଏହାକୁ ସଂଶୋଧନ କରି  ଗାଡିଗୁଡିକୁ ବର୍ଷକ ପାଇଁ ଅନୁମତି ପ୍ରଦାନ କରି ତା’ ପରେ ପ୍ରତି ତିନି ମାସରେ ବା ବର୍ଷକରେ ତା’ର ନବୀକରଣ କରାଯିବା ସ୍ଥିର ହେଲା । ସିଏଜିଙ୍କ ରିପୋର୍ଟ ଅନୁସାରେ ଅସ୍ଥାୟୀ ପରମିଟ ପାଇଥିବା କିଛି ଗାଡିର ଅନୁମତି ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ବି ସେଗୁଡିକ ଚଳାଚଳ କରୁଥିଲା । ଏପରିକି ରହିବା ସ୍ଥାନ ଓ ସମୟ ଦର୍ଶା ନ ଯାଇ ବି ପରମିଟ ପ୍ରଦାନ କରାଯାଇଥିବାରୁ କେତେକ ସ୍ଥଳେ ଏକା ସମୟରେ ଏକାଧିକ ଗାଡି ଚାଲି ଯାତ୍ରୀ ଅଭାବରୁ ପରିବହନ ଚାଳକ କ୍ଷତିଗ୍ରସ୍ତ ହେଉଥିଲେ । କେତେକ କ୍ଷେତ୍ରରେ ବାହନଗୁଡିକୁ ବିଜିଜିୱାଇରେ ପରମିଟ ମିଳି ନ ଥିଲେ ବି ସେଗୁଡିକୁ ଏହି ସ୍କିମ ଅନ୍ତର୍ଭୁକ୍ତ ବୋଲି ଦର୍ଶାଇ ସେହି ପରିବହନ ଚାଳକମାନଙ୍କୁ ଯୋଜନା ଅନ୍ତର୍ଗତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ରିପୋର୍ଟ ଅନୁସାରେ କେବଳ ଗଜପତି, କୋରାପୁଟ ଓ ସୁନ୍ଦରଗଡ ଆରଟିଓ ଅଧିନରେ ଏହିପରି ପ୍ରାୟ ୧୧୯ଟି ଗାଡିକୁ ପରମିଟ ଫି ଓ ସଡକ ଟିକସ ଛାଡ କରାଯାଇଥିବାର ଦୁର୍ନୀତି ଜଣାପଡିଛି, ଯଦ୍ଦ୍ୱାରା ସରକାରୀ ରାଜକୋଷର ପ୍ରାୟ ୨୨ ଲକ୍ଷ ଟଙ୍କା କ୍ଷତି ହୋଇଛି ।

ବ୍ଲକ, ସବଡିଭିଜନ ଓ ଜିଲ୍ଲାସ୍ତରୀୟ କମିଟି ସହ ପରାମର୍ଶ କରି ପରିବହନ ବିଭାଗ ମାର୍ଗ ନିର୍ଦ୍ଧାରଣ କରିବା କଥା । କେତେକ ଜିଲ୍ଲାରେ ବ୍ଲକସ୍ତରୀୟ କମିଟି (ବିଏଲସି) ଚିହ୍ନିତ କରିଥିବା ମାର୍ଗରେ ବିଜିଜିୱାଇ ବାହନ ଚାଲୁନାହିଁ । ଅନ୍ୟ ପକ୍ଷରେ ରାୟଗଡା ଭଳି ଜିଲ୍ଲାରେ ବିଏଲସି ଗଠିତ ହୋଇ ନଥିବାରୁ ପରିବହନ ଚାଳକଙ୍କ ପସନ୍ଦକୁ ଭିତ୍ତି କରି ପରିବହନ ବିଭାଗ ପରମିଟ ପ୍ରଦାନ କରିଛି । ଆଉ କେତେକ ଜିଲ୍ଲାରେ ପ୍ରାୟ ୬୬ ପ୍ରତିଶତ ବାହନ ଆରଟିଓ ପ୍ରଦତ୍ତ ପରମିଟରେ ଚିହ୍ନିତ ରୁଟ ଅନୁଯାୟୀ ନ ଚାଲି ଅଚିହ୍ନିତ ରୁଟରେ ଚାଲିଛି । ଫଳରେ ବିଜୁ ଗାଁ ଗାଡି ଯୋଜନାନୁସାରେ ପରମିଟ ଫି ଓ ସଡକ ଟିକସ ଛାଡ ପାଇବା ପାଇଁ ଯୋଗ୍ୟ ହୋଇ ନ ଥିଲେ ବି ସାତଟି ଆରଟିଓ ଅଧୀନସ୍ଥ ଏହି ଧରଣର ୨୬୮ଟି ବାହନକୁ ପ୍ରାୟ ୬୮ ଲକ୍ଷ ଟଙ୍କାର ଟିକସ ଛାଡ କରା ଯାଇଛି, ଯାହା ବେଆଇନ ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ଚିହ୍ନିତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୧ଟି ଜିଲ୍ଲାର ୭୦ଟି ମାର୍ଗରେ ଚଳାଚଳ ପାଇଁ ଓଏସଆରଟିସିକୁ ୧୦୦ଟି ବସ ପାଇଁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲେ ବି ତନ୍ମଧ୍ୟରୁ କିଛି ଗାଡିକୁ ଦୀର୍ଘ ଦିନ ଧରି ନ ଚଲାଇ ପକାଇ ରଖା ଯାଇଥିଲା । କମ ଆୟ ହେଉଥିବା ଦର୍ଶାଇ କିଛି ଗାଡିକୁ ପୂର୍ବ ନିର୍ଦ୍ଧାରିତ ରୁଟରେ ନ ଚଲାଇ ଅନ୍ୟ ରୁଟରେ ଚଲା ଯାଇଥିଲା । ଫଳରେ ନିର୍ଦ୍ଦିଷ୍ଟ ରୁଟରେ ନିରନ୍ତର ପରିବହନ ସଂଯୋଗ ଯୋଗାଇବାର ଲକ୍ଷ୍ୟ ହାସଲ ହେଲା ନାହିଁ । 

୨୦୧୪-୧୫ରୁ ୨୦୧୮-୧୯ ପାଞ୍ଚ ବର୍ଷର ଅବଧି ମଧ୍ୟରେ ପରିବହନ ଚାଳକମାନଙ୍କୁ ୮ କୋଟି ଟଙ୍କାର ସୁଧ ରିହାତି ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଏହି ସମୟରେ ମାତ୍ର ୨୦.୮୬ ଲକ୍ଷ ଟଙ୍କା ଦିଆ ଯାଇଥିଲା, ଯାହା ଧାର୍ଯ୍ୟ ଲକ୍ଷ୍ୟର ୩ ପ୍ରତିଶତରୁ ବି କମ । ଯୋଜନାର ନିର୍ଦ୍ଦେଶିକାନୁଯାୟୀ ବାହନଟି ନିର୍ଦ୍ଧାରିତ ରୁଟରେ ଥିବା ସମୟାନୁସାରେ ଚଳପ୍ରଚଳ କରିଛି ବୋଲି  ବିଏଲସି ଏକ ତ୍ରୈମାସିକ ସାର୍ଟିଫିକେଟ ପ୍ରଦାନ କଲେ ଯାଇ ପରିବହନ ଚାଳକଙ୍କୁ ଏହି ସୁଧ ରିହାତି ମିଳି ପାରିଥାଏ । ଅଧିକାଂଶ ପରିବହନ ଚାଳକ ସେମାନଙ୍କ ବାହନ ଋଣ ଉପରେ ଉପଲବ୍ଧ ସୁଧ ରିହାତି ସମ୍ପର୍କରେ ଅବଗତ ନ ଥିବା ଓ ତ୍ରୈମାସିକ ସାର୍ଟିଫିକେଟ ପାଇ ନ ଥିବା କାରଣରୁ ସୁଧ ରିହାତି ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବିଜିଜିୱାଇରେ ଅଂଶଗ୍ରହଣ କରୁଥିବା ପରିବହନ ଚାଳକଟି ସମ୍ମୁଖୀନ ହୋଇଥିବା ଅସୁବିଧାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ତାକୁ କୌଣସି ପ୍ରକାର ସହାୟତା ବା କାଉନସେଲିଂ ପ୍ରଦାନ କରାଯିବାର ବ୍ୟବସ୍ଥା ନାହିଁ । ଆରଟିଓରୁ ଗାଡି ଚଲାଇବାର ସମୟ ପାଇଥିଲେ ବି ଅନେକ କ୍ଷେତ୍ରରେ ଘରୋଇ ବସ ମାଲିକ ସଂଘର ବିରୋଧର ସମ୍ମୁଖୀନ ହୋଇ ସେହି ସମୟରେ ସେମାନେ ଗାଡି ଚଲାଇ ପାରି ନ ଥାଆନ୍ତି । ଏହିପରି ଭାବେ ମୟୂରଭଞ୍ଜର ଠାକୁରମୁଣ୍ଡା ବ୍ଲକର ଏକମାତ୍ର ବିଜିଜିୱାଇ ଗାଡିଟି ସେହି ଯୋଜନାରୁ ଓହରିବାର ନଜିର ବି ରହିଛି । 

ଏହି ଯୋଜନାଟିକୁ ଆଉ ଟିକେ ସୁଚିନ୍ତିତ ଭାବେ ପ୍ରସ୍ତୁତ କରାଯିବାର ଆବଶ୍ୟକତା ଥିଲା । ପ୍ରଥମରୁ ପରିବହନ ସଂଯୋଗବିହୀନ ଗ୍ରାମ ପଞ୍ଚାୟତଗୁଡିକୁ ଚିହ୍ନଟ କରି ଜିଲ୍ଲାୱାରି ରୁଟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ଥିଲା । ବିଭିନ୍ନ ବ୍ଲକରେ ପୂର୍ବରୁ କେତେ ସଂଖ୍ୟକ ଗାଡି ଚାଲୁଛି ଓ ବିଜୁ ଗାଁ ଗାଡି ଯୋଜନାରେ ସ୍ଥିରୀକୃତ ମାର୍ଗରେ ଗାଡି ଚଲାଇବା ପାଇଁ ଅନୁମତି ଦିଆଗଲେ ଯାତ୍ରୀ ସଂଖ୍ୟା ଯଥେଷ୍ଟ ହୋଇ ପରିବହନ ଚାଳକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଜନକ ହେବ କି ନାହିଁ ସେ ନେଇ  ବିଶେଷ ଅଧ୍ୟୟନର ଆବଶ୍ୟକତା ଥିଲା । ଆର୍ଥକ ସହାୟତା ଓ ପ୍ରୋତ୍ସାହନକୁ ପରିବହନ ଚାଳକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରିବାର ଥିଲା । ଅର୍ଥାତ୍, ଏକ ନିର୍ଦ୍ଦିଷ୍ଟ ମାର୍ଗରେ କମ ଯାତ୍ରୀ ହେଲେ ତା’ ପକ୍ଷରେ ନିରନ୍ତର ସେବା ଯୋଗାଇବା ଲାଭଜନକ ହେଉ ନ ଥିବାରୁ ସେ ସେବା ବନ୍ଦ କରିବାକୁ ବାଧ୍ୟ ହେବ । ସେ କ୍ଷେତ୍ରରେ ତାକୁ କେଉଁ ଧରଣର ପ୍ରୋତ୍ସାହନ ଦେଲେ ସେ ନିରନ୍ତର ସେବା ଯୋଗାଇ ପାରିବ ଓ ସ୍ଥାନୀୟ ଅଧିବାସୀଙ୍କୁ ନିରନ୍ତର ପରିବହନ ସେବା ମିଳି ପାରିବ, ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ସ୍ଥାନୀୟ ଭଲ ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ପରିବହନ ଚାଳକ ଭାବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଇ ପାରେ । କ୍ଷତିର ପରିମାଣ ଅଧିକ ହେଲେ ଏହି ଦାୟିତ୍ୱ ସମ୍ପୃକ୍ତ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇ ସରକାରୀ ଭାବେ କ୍ଷତି ଭରଣା କରାଯାଇ ପାରେ । କହିବା ବାହୁଲ୍ୟ ଯେ ଅପହଞ୍ଚ ଅଞ୍ଚଳଗୁଡିକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ହେଲେ ସେଠାକୁ ରାସ୍ତାଘାଟ ତିଆରି କରିବା ଯେତିକି ଜରୁରୀ, ନିରନ୍ତର ପରିବହନ ସଂଯୋଗ ସୁବିଧା  ଯୋଗାଇ ଦେବା ମଧ୍ୟ ସେତିକି ଆବଶ୍ୟକ । ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଉପଲବ୍ଧ କରାଇବା ଲାଗି ତତ୍ପର ସରକାର ପ୍ରତି ଗ୍ରାମ ପଞ୍ଚାୟତକୁ ପରିବହନ ସଂଯୋଗ ଯୋଗାଇ ଦେବାର ନ୍ୟୂନତମ ଆବଶ୍ୟକତା ଟିକକକୁ ପ୍ରଥମେ ପୂରଣ କରିବା ଦରକାର ।      

ସାଧାରଣତଃ ସବୁ ସରକାରୀ ଯୋଜନା ଭଲ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ ହୋଇଥାଏ । ତେବେ ତାହା ଠିକ ରୂପେ କାର୍ଯ୍ୟକାରୀ ନ ହେଲେ ତା’ର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇ ନ ଥାଏ । ତେଣୁ ଯୋଜନାଟିଏ ଠିକ ରୂପେ କାର୍ଯ୍ୟକାରୀ ହୋଇ ତା’ର ଈପସିତ ଲକ୍ଷ୍ୟ ହାସଲ ହୋଇ ପାରୁଛି କି ନାହିଁ, ତାହା ଏକ ସଙ୍ଗେ ନିରୀକ୍ଷଣ ହେବା ମଧ୍ୟ ନିହାତି ଆବଶ୍ୟକ । କାରଣ ସିଏଜିର ସମୀକ୍ଷା ଏକ ପ୍ରକାର ଶବ ବ୍ୟବଚ୍ଛେଦକାରୀ ହୋଇଥାଏ । ଏଠାରେ ‘ବିଜୁ ଗାଁ ଗାଡି ଯୋଜନା’ ସମ୍ପର୍କରେ ସିଏଜି ରିପୋର୍ଟକୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ୨୦୧୩-୧୪ର ଏହି ଯୋଜନାର ୨୦୧୮-୧୯ରେ ସ୍ଥିତିକୁ ନିରୀକ୍ଷଣ କରି ୨୦୨୧ରେ ରିପୋର୍ଟ ପ୍ରକାଶ ପାଇଲେ ଇତିମଧ୍ୟରେ ଅତ୍ୟଧିକ ସମୟ ଅତିକ୍ରାନ୍ତ ହୋଇଥିବା ଯୋଗୁ ଯୋଜନାର କାର୍ଯ୍ୟକାରିତାକୁ ସୁଧାରିବାର ଅବକାଶ ସୀମିତ ହୋଇଥାଏ । ଅବଶ୍ୟ ପ୍ରତିଟି ଯୋଜନା ଉଚିତ ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ସମୀକ୍ଷାର ପ୍ରାବଧାନ ଥାଏ । ମାତ୍ର ଯୋଜନାର ଭିଡ ଓ ଆନ୍ତରିକତା ଅଭାବରୁ ଅଧିକାଂଶ କ୍ଷେତ୍ରରେ ସରକାରୀ ସ୍ତରରେ ଏହି ସମୀକ୍ଷା ଠିକ ଭାବେ ହୋଇ ପାରି ନ ଥାଏ । ତେଣୁ ଯୋଜନାଟିଏ ଘୋଷଣା ହେବା ମାତ୍ରେ ତା’ର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ସମୀକ୍ଷା ବ୍ୟତୀତ ଏକ ତୃତୀୟ ପକ୍ଷ ନିରପେକ୍ଷ ନିରୀକ୍ଷଣ ବ୍ୟବସ୍ଥାର ମଧ୍ୟ ପ୍ରଚଳନ ହେବା ଉଚିତ, ଯେଉଁଥିରେ ବିଭିନ୍ନ ହିତଧାରକଙ୍କୁ ସାମିଲ କରାଯାଇପାରନ୍ତା । ଯୋଜନା ଆରମ୍ଭରୁ ଏହି ନିରୀକ୍ଷଣ ବ୍ୟବସ୍ଥା ହେଉଥିବାରୁ ଯୋଜନାରେ ଥିବା ଦୋଷତ୍ରୁଟିକୁ ତୁରନ୍ତ ଚିହ୍ନଟ କରି ସେଗୁଡିକୁ ଉଚିତ ସମୟରେ ସୁଧାରି ହୁଅନ୍ତା । ସରକାରୀ ସ୍ତରରେ ଏଭଳି ନିରୀକ୍ଷଣ ବ୍ୟବସ୍ଥାର ପ୍ରଚଳନ ପାଇଁ ଆଗ୍ରହ ପ୍ରକାଶ ନ ପାଇଲେ ବେସରକାରୀ ସ୍ତରରେ ଏଭଳି ଉଦ୍ୟମ ପାଇଁ ସଚେତନ ନାଗରିକ ସମାଜ ଆଗେଇ ଆସିବା ଉଚିତ ।


Published in Odisha Reporter on April 12, 2021



Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍