ଗତ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଓଡିଶାର ଇତିହାସରେ ଖବରକାଗଜର ଶିରୋନାମା ମଣ୍ଡନ କରି ସାମୟିକ ଭାବେ ହେଲେ ବି ଜନମାନସକୁ ଆନ୍ଦୋଳିତ କରିଥିବା ଓ ତା ପରେ ପାଶୋରି ହୋଇ ଯାଇଥିବା ଅନ୍ତତଃ ତିନିଟି ଗୃହପାଳିତ ବନ୍ୟପ୍ରାଣୀଙ୍କ କାହାଣୀକୁ ପାଠକଙ୍କ ସ୍ମୃତିରେ ପୁନରୁଜ୍ଜୀବିତ କରାଯାଉ । ବନ୍ୟପ୍ରାଣୀଟିଏ ଥରେ ଗୃହପାଳିତ ହୋଇଗଲେ ମଣିଷ ଓ ପ୍ରାଣୀଟି ମଧ୍ୟରେ ଗଢି ଉଠିଥିବା ସମ୍ପର୍କର ଆବେଗାତ୍ମକ ଦିଗଟିକୁ ଏବର ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗୁରୁତ୍ୱ ପ୍ରଦାନ କରାଯାଇ ନ ଥିବାରୁ ଅଧିକାଂଶ କ୍ଷେତ୍ରରେ ଏଭଳି କାହାଣୀର ପରିସମାପ୍ତି ଉଭୟ ପାଳିତ ବନ୍ୟପ୍ରାଣୀ ଏବଂ ତାର ଖାଉନ୍ଦ ଲାଗି ଦୁଃଖାନ୍ତକ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଆଇନରେ ସଂଶୋଧନର ଆବଶ୍ୟକତା ଥିବାର ମନେ ହୋଇଥାଏ ।
୧୯୭୪ ମସିହା ଅକ୍ଟୋବର ମାସ । ମୟୂରଭଞ୍ଜର ଯଶିପୁରରେ ଖଡିଆ ସମ୍ପ୍ରଦାୟର କିଛି ଲୋକ ଶିମିଳିପାଳ ଜଙ୍ଗଲରେ ଏକ ପରିତ୍ୟକ୍ତ ଓ ମୁମୂର୍ଷୁ ବାଘଛୁଆକୁ ପାଇ ତାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦ୍ଦେଶକ ସରୋଜ ରାଜ ଚୌଧୁରୀଙ୍କୁ ଅର୍ପଣ କରିଥିଲେ । ବାଘଛୁଆଟି ଖଇରୀ ନଦୀ କୂଳରୁ ମିଳିଥିବାରୁ ସେ ଖଇରୀ ନାମ ଲାଭ କଲା ଓ ଚୌଧୁରୀ ପରିବାର ଦ୍ୱାରା ଝିଅର ସ୍ନେହ ପାଇ ବଢିଲା । ସରୋଜ ବାବୁ ଓ ତାଙ୍କ ସମ୍ପର୍କୀୟା ନୀହାର ନଳିନୀଙ୍କ ସହ ସ୍ନେହର ବନ୍ଧନରେ ସେ ଏପରି ଆବଦ୍ଧ ହୋଇଗଲା ଯେ ସେମାନଙ୍କ ସହିତ ଖାଇବା, ଖେଳିବା, ଶୋଇବା ଭଳି ସବୁ କାମ କରୁଥିଲା ଓ ବଙ୍ଗଳାରେ ମୁକ୍ତ ଭାବେ ବିଚରଣ କରୁଥିଲା । ତାର ବୟଃପ୍ରାପ୍ତି ପରେ ତାକୁ ସାଥୀ ଖୋଜିବା ପାଇଁ ଥରକୁ ଥର ଜଙ୍ଗଲରେ ଛାଡି ଦିଆ ଯାଉଥିଲେ ବି ସେ ସେଥି ପ୍ରତି କୌଣସି ଆଗ୍ରହ ନ ଦେଖାଇ ପ୍ରତି ଥର ଚୌଧୁରୀଙ୍କ ନିକଟକୁ ଫେରି ଆସୁଥିଲା । ସରୋଜ ବାବୁ ନିଜେ ଥିଲେ ଜଣେ ଖ୍ୟାତନାମା ବନ୍ୟପ୍ରାଣୀ ସଂରକ୍ଷକ । ସୁତରାଂ, ତାର ଗତିବିଧିକୁ ଅନୁଧ୍ୟାନ କରି ସେ ତା ସମ୍ପର୍କରେ ଅନେକ ତଥ୍ୟ ଲିପିବଦ୍ଧ କରି ଯାଇଛନ୍ତି, ଯାହା ପରବର୍ତ୍ତୀ ସମୟରେ ବାଘଙ୍କ ପ୍ରକୃତି ଓ ଆଚରଣକୁ ବୁଝିବାରେ ସହାୟକ ହୋଇଛି । ୧୯୮୧ ମସିହାରେ ଏକ ବୁଲା କୁକୁରର କାମୁଡାରେ ଜଳାତଙ୍କ ରୋଗରେ ଆକ୍ରାନ୍ତ ଖଇରୀର ମୃତ୍ୟୁ ହେଲା । ତା’ ପରେ ସରୋଜ ବାବୁ ଏଭଳି ଦୁଃଖରେ ଭାଙ୍ଗି ପଡିଲେ ଯେ ବର୍ଷକ ମଧ୍ୟରେ ତାଙ୍କର ହୃଦଘାତରେ ନିଧନ ହୋଇଗଲା । ଖଇରୀ ସହ ଚୌଧୁରୀ ପରିବାରର ସମ୍ପର୍କ ଥିଲା ମାତ୍ର ସାତ ବର୍ଷର ; ମାତ୍ର ସେହି ସମୟ ଭିତରେ ଏହି ସମ୍ପର୍କ ଏକ ଆନ୍ତର୍ଜାତିକ ପରିଚିତି ମଧ୍ୟ ଲାଭ କରିପାରିଥିଲା ।
ଦ୍ୱିତୀୟ କାହଣୀଟି ୨୦୦୭ ମସିହା ଅକ୍ଟୋବର ମାସର । ସ୍ଥାନ କେନ୍ଦୁଝର ଜିଲ୍ଲାର ରୁତିଶିଳା ଗାଁ (ଘଟଗାଁ) । ରାମସିଂହ ମୁଣ୍ଡା ନାମକ ଜଣେ ଆଦିବାସୀ ଯୁବକ ଏକ ପରିତ୍ୟକ୍ତ ଭାଲୁଛୁଆକୁ ଜଙ୍ଗଲରେ ପାଇ ଘରକୁ ଆଣି ପାଳିଲେ । କିଛି ଦିନ ପୂର୍ବରୁ ରାମସିଂହଙ୍କ ସ୍ତ୍ରୀଙ୍କର ଦେହାନ୍ତ ପରେ ତାଙ୍କ କନ୍ୟା ଦୁଲକିକୁ ପାଳିବାର ଦାୟିତ୍ୱ ପଡିଥିଲା ତାଙ୍କ କାନ୍ଧ ଉପରେ । ତାଙ୍କ ପରିବାରର ଅନ୍ୟତମ ସଦସ୍ୟ ପାଲଟିଥିବା ଏଇ ଭାଲୁଛୁଆଟିକୁ ସେ ରାଣୀ ବୋଲି ଡାକିଲେ । କୁହାଯାଏ ବୋତଲରେ କ୍ଷୀର ଖୁଆଇ, ନିଜ କୁନି ଝିଅର ଖୋରାକିରୁ କାଟି ତାକୁ ଖାଇବାକୁ ଦେଇ ସେ ରାଣୀର ଜୀବନ ରକ୍ଷା କରିଥିଲେ । ରାଣୀ ବଡ ହେବାରୁ ତାକୁ ଦୁଇ ଥର ଜଙ୍ଗଲରେ ଛାଡି ଆସିଥିଲେ ବି ସେ ରାମସିଂହଙ୍କ ନିକଟକୁ ଫେରି ଆସିଥିଲା । ତାଙ୍କ ସାଇକେଲ ପଛରେ ବସି ବୁଲିବାକୁ ଭାରି ଭଲ ପାଉଥିଲା ରାଣୀ । କିନ୍ତୁ ଏ ସମ୍ପର୍କରେ ବନବିଭାଗ ଜାଣିବା ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ ଅପରାଧରେ ରାମସିଂହଙ୍କୁ ଗିରଫ କରାଗଲା ଓ ରାଣୀକୁ ନନ୍ଦନକାନନ ଚିଡିଆଘରକୁ ସ୍ଥାନାନ୍ତରିତ କରାଗଲା । ପରବର୍ତ୍ତୀ ସମୟରେ ଅବଶ୍ୟ ରାମସିଂହ ଖଲାସ ହେଲେ ଓ ତାଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହୃତ ହେଲା । ପ୍ରାଥମିକ ଅବସ୍ଥାରେ ନନ୍ଦନକାନନରେ ଥିବା ରାଣୀକୁ ଦେଖା କରିବାକୁ ତାଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତୁ କ୍ରମେ ରାଣୀକୁ ତାଙ୍କଠାରୁ ଦୂରେଇ ରଖାଗଲା । ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଗଲା । ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଗଢି ଉଠିଥିବା ଏକ ସୁନ୍ଦର ମମତାଭରା କାହାଣୀରେ ପୂର୍ଣ୍ଣଚ୍ଛେଦ ଲାଗିଲା । ରାଣୀ ତାର ବାକି ଜୀବନ ନନ୍ଦନକାନନର ଆଉ କୋଡିଏଟି ଭାଲୁଙ୍କ ସହ ପ୍ରାୟ ପରିଚୟହୀନ ଭାବେ କାଟିଲା । ତା’ ବିଷୟରେ ଆଉ କୌଣସି ଖବର ମିଳିଲା ନାହିଁ, କାରଣ ଗଣମାଧ୍ୟମ ପାଇଁ ଭାଲୁ-ମଣିଷର ସମ୍ପର୍କର କାହାଣୀ ରୋଚକ ହୋଇଥିବା ବେଳେ ସାଧାରଣ ଭାଲୁଟିଏର କାହାଣୀ ସେତିକି ଆକର୍ଷଣୀୟ ହୋଇ ନ ଥାଏ ।
ତୃତୀୟ କାହାଣୀଟି ସଦ୍ୟତମ । ସ୍ଥାନ କେନ୍ଦୁଝରର ତେଲକୋଇ । ୨୦୨୦ ମାର୍ଚ୍ଚରେ ପୁରୁଷୋତ୍ତମପୁର ଗାଁର ଆଦିବାସୀ ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ତାଙ୍କ ଝିଅକୁ ହରାଇ ମ୍ରିୟମାଣ ଭାବେ ତା’ ସମାଧି ନିକଟକୁ ଯାଇଥିବା ବେଳେ ଏକ ପରିତ୍ୟକ୍ତ ବାରହା ଶାବକକୁ ମୁମୂର୍ଷୁ ଅବସ୍ଥାରେ ପାଇ ଘରକୁ ନେଇ ଆସିଥିଲେ । ସେବାଶୁଶ୍ରୂଷା ପରେ ସେ ବଞ୍ଚି ଯାଇଥିଲା ଓ କୁନ୍ତଳା ତାର ନାମ ରଖିଥିଲେ ଧୁଡୁ । ଭଗବାନ ତାଙ୍କ ଝିଅକୁ ବାରହା ରୂପରେ ଫେରାଇ ଦେଇଛନ୍ତି ବୋଲି ମନେ କରି ସେ ଧୁଡୁ ଉପରେ ତାଙ୍କ ସବୁ ସ୍ନେହ ମମତା ଅଜାଡି ଦେଇଥିଲେ । କ୍ରମେ ଧୁଡୁ ପରିବାରର ଜଣେ ସଦସ୍ୟ ପାଲଟି ଯାଇଥିଲା । ଘର ଲୋକଙ୍କ ସହ ଏକା ପ୍ରକାର ଖାଦ୍ୟ ଖାଇବା, ମା ପାଖରେ ବିଛଣାରେ ଶୋଇବା ତାର ଅଭ୍ୟାସରେ ପରିଣତ ହୋଇଥିଲା । ସେ କେବେ କୌଣସି ମଣିଷ ବା ପଶୁଙ୍କର ଅନିଷ୍ଟ କରି ନ ଥିଲେ ବି ତା’ର ହିଂସ୍ର ବନ୍ୟପ୍ରାଣୀର ପରିଚିତି ପାଇଁ କେହି କେହି ତାକୁ ପାଖରେ ଦେଖି ଭୟଭୀତ ହେଉଥିଲେ । ସେମାନଙ୍କ ଅଭିଯୋଗ ପରେ ବନବିଭାଗ ଧୁଡୁକୁ କୁନ୍ତଳାଙ୍କ ପରିବାରଠାରୁ ଦୂରେଇ ନେଇ ଦୂର ଜଙ୍ଗଲରେ ଛାଡି ଦେଇଥିଲେ । ଏଣେ ତାକୁ ଖୋଜିବା ପାଇଁ ତା’ ପାଇଁ ଖାଦ୍ୟ ନେଇ କୁନ୍ତଳାଙ୍କ ପରିବାର ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ । ନଅ ଦିନ ପରେ ଧୁଡୁ ମିଳିଲା ଓ ସେମାନଙ୍କୁ ଦେଖି ସେମାନଙ୍କ ପଛେ ପଛେ ଛୋଟେଇ ଛୋଟେଇ ପୁଣି ଘରକୁ ଫେରି ଆସିଲା । କିଛି ଦିନ ପୂର୍ବେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅବଶ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଧୁଡୁର ଚିକିତ୍ସା ପାଇଁ ବନବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଯଦିଓ ସେ ଏବେ କୁନ୍ତଳାଙ୍କ ଘରେ ଅଛି, ତାର ଭବିଷ୍ୟତ ଅନିଶ୍ଚିତ ବୋଲି କୁହାଯାଉଛି ।
ପ୍ରଶ୍ନ ଉଠିବା ସ୍ୱାଭାବିକ, ଯଦି ଖଇରୀ ଭଳି ଏକ ବନ୍ୟପ୍ରାଣୀକୁ ଗୃହପାଳିତ କରି ରଖିବା ସରୋଜ ରାଜ ଚୌଧୁରୀଙ୍କ କ୍ଷେତ୍ରରେ ଅପରାଧ ନ ଥିଲା (ଖଇରୀ ଲାଗି ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଥିଲା), ତେବେ ରାମସିଂହ ଓ କୁନ୍ତଳାଙ୍କ କ୍ଷେତ୍ରରେ ତାହା କାହିଁକି ଅପରାଧ ହୋଇ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଗଲା । ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ବିନାନୁମତିରେ କୌଣସି ବ୍ୟକ୍ତି ଏକ ବନ୍ୟପ୍ରାଣୀକୁ ଗୃହପାଳିତ କରି ରଖି ପାରିବେ ନାହିଁ । ସମ୍ଭବତଃ, ଚୌଧୁରୀ ଜଣେ ବିଭାଗୀୟ ଅଧିକାରୀ ହୋଇ ଆଇନ ସମ୍ପର୍କରେ ଅବଗତ ଥିବାରୁ ସେ ଏଥିପାଇଁ ଅନୁମତି ଆହରଣ କରି ଥାଇପାରନ୍ତି । ରାମସିଂହ ଓ କୁନ୍ତଳାଙ୍କ ପରି ନିରୀହ ଆଦିବାସୀମାନେ ଏହି ଆଇନ ସମ୍ପର୍କରେ ଅବଗତ ନ ଥିବା ସ୍ୱାଭାବିକ । ଏ କ୍ଷେତ୍ରରେ ଉଚିତ ହୋଇଥାଆନ୍ତା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ନ କରି ସେମାନଙ୍କ ଲାଗି ଏଭଳି ବିଶେଷ ଅନୁମତିର ବ୍ୟବସ୍ଥା କରି ସେମାନଙ୍କ ପାଖରେ ସେହି ଜନ୍ତୁଗୁଡିକୁ ରହିବାର ସୁଯୋଗ ଦିଆଯାଇ ଥାଆନ୍ତା । ସ୍ମରଣଯୋଗ୍ୟ ଯେ ରାମସିଂହ ଗିରଫ ହେବା ପରେ କହିଥିଲେ, “ରାଣୀକୁ ଯେତେବେଳେ ଜଙ୍ଗଲ ଭିତରେ ଦରମରା ଅବସ୍ଥାରେ ପାଇଥିଲି ସେତେବେଳେ ଆଇନ ସମ୍ପର୍କରେ ମୁଁ କିଛି ହେଲେ ଜାଣି ନ ଥିଲି । କିନ୍ତୁ ଏବେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି କେହି କେବେ ଏମିତି ଅବସ୍ଥାରେ ଜନ୍ତୁଛୁଆଟିଏ ପାଇଲେ ତାର ସେବାଯତ୍ନ କରିବା କଥା ମନକୁ ଆଣିବେ ନାହିଁ । ନ ହେଲେ ସେମାନଙ୍କୁ ବି ମୋ ଭଳି ଜେଲରେ ରହିବାକୁ ପଡିପାରେ ।” ରାମସିଂହର ଏହି ଉକ୍ତି ପଛରେ ଶାସନ ଓ ବ୍ୟବସ୍ଥା ବିରୁଦ୍ଧରେ ଥିବା ତାର କ୍ଷୋଭ ସ୍ପଷ୍ଟ ପରିଲକ୍ଷିତ ହେଉ ଥାଇପାରେ । ଏଥି ସହ ଆଇନରେ ଥିବା ଏକ ବିରୋଧାଭାସ, ଯାହା ଅନୁସାରେ ବିପଦରେ ପଡିଥିବା କୌଣସି ବନ୍ୟପ୍ରାଣୀ ପ୍ରତି ସମବେଦନା ପ୍ରକାଶ କରିବା ମଧ୍ୟ ଏକ ଅପରାଧ, ବି ନଜରକୁ ଆସିଥାଏ ।
ଏଭଳି ସ୍ଥିତିରେ କ’ଣ ଆଇନକୁ ସମ୍ମାନ ଜଣାଇ ଅସହାୟ ଅବସ୍ଥାରେ ପଡିଥିବା ଶାବକଟି ଉପରୁ ଆଖି ଫେରାଇ ଆଣି ମାନବିକତାକୁ ଜଳାଞ୍ଜଳି ଦେବା ଅଧିକ ଯୁକ୍ତିଯୁକ୍ତ ଓ ଉଚିତ ହେବ ? ଗୋଟିଏ ଗୃହପାଳିତ ବନ୍ୟପ୍ରାଣୀକୁ ତା’ର ପାଳକ ପରିବାରଠାରୁ ଦୂରେଇ ନେଇ ପ୍ରାକୃତିକ ପରିବେଶରେ ବା କୌଣସି ଚିଡିଆଖାନାରେ ଛାଡି ଦିଆଗଲେ କ’ଣ ପ୍ରାଣୀଟି ପ୍ରତି ସୁବିଚାର କରାଯାଏ ? ସେ କ’ଣ ତାର ବନ୍ୟ ପ୍ରକୃତି ଫେରି ପାଇଥାଏ ? ଗୋଟିଏ ଗୃହପାଳିତ ବନ୍ୟପ୍ରାଣୀ କଣ ଜଙ୍ଗଲ ଭିତରେ ବା ଚିଡିଆଖାନାରେ ଠିକଣା ଭାବେ ଚଳିପାରେ ? ରାଣୀ ଭାଲୁକୁ ରାମସିଂହଙ୍କଠାରୁ ନେଇ ନନ୍ଦନକାନନରେ ରଖିବା ପରେ ତାଠାରେ ସଂଘଟିତ ପ୍ରକୃତିଗତ ପରିବର୍ତ୍ତନକୁ ନେଇ କୌଣସି ଅଧ୍ୟୟନ ହୋଇଛି କି ନାହିଁ ; ତାହା ଜଣା ନାହିଁ । ତେବେ ଆମେରିକୀୟ ପ୍ରଫେସର କର୍ଟ ଷ୍ଟେଜରଙ୍କ ମତରେ ଏକ ଗୃହ ପାଳିତ ବନ୍ୟପ୍ରାଣୀ ତା’ ପ୍ରାକୃତିକ ପରିବେଶକୁ ବା ଜଙ୍ଗଲକୁ ଚାଲିଗଲେ ଯେ ସେ ସମ୍ପୂର୍ଣ୍ଣ ବନ୍ୟ (ୱାଇଲଡ) ହୋଇଯିବ ତାହା ନୁହେଁ । ପ୍ରକୃତ ପକ୍ଷେ ତା’ଠାରେ ଉଭୟ ଗୃହପାଳିତ ଓ ବନ୍ୟ ପ୍ରାଣୀର ଗୁଣ ପରିଲକ୍ଷିତ ହୋଇପାରେ, ଯାହାକୁ ବନ୍ୟ (ୱାଇଲଡ) ନ କହି ଜଙ୍ଗଲି (ଫେରାଲ) ବୋଲି କହି ହେବ । ଏଭଳି ବନ୍ୟପ୍ରାଣୀଙ୍କ ପ୍ରକୃତି ଓ ଆଚରଣ ସମ୍ପର୍କରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ତେବେ ପ୍ରଥମେ ସ୍ଥିର ହେବା ଉଚିତ ଯେ ପ୍ରାଣୀଟି ବନ୍ୟ ହେବା ବେଶି ଗୁରୁତ୍ୱପୂର୍ଣ୍ଣ ନା ସୁରକ୍ଷିତ ଭାବେ ବଞ୍ଚି ରହିବା ଅଧିକ ଆବଶ୍ୟକ । ସୁସ୍ଥ ହେଲା ପରେ ଧୁଡୁକୁ ଜଙ୍ଗଲରେ ଛାଡି ଦିଆଗଲେ ସେ ହୁଏତ ସେଠାରେ ତା’ର ଖାଦ୍ୟ ପାଇ ଯାଇପାରେ ; ତେବେ ମଣିଷର ମମତା ପାଇଥିବା ଜୀବଟି ମଣିଷର ସାନ୍ନିଧ୍ୟ ପାଇବା ପାଇଁ ବାରମ୍ବାର ଗ୍ରାମାଭିମୁଖୀ ହେବ ଓ ତାହା ହିଁ ତା’ର ନିଶ୍ଚିତ ମୃତ୍ୟୁର କାରଣ ପାଲଟିବ । ସେହି ପ୍ରାଣୀଟି ତା’ର ପାଳକ ପିତାମାତାଙ୍କ ନିକଟରେ ବରଂ ଅଧିକ ସୁରକ୍ଷିତ ରହି ପାରିବ, ତାକୁ ପୁନଶ୍ଚ ବନ୍ୟ (ୱାଇଲଡ) କରିବାର ଅପଚେଷ୍ଟାରେ ନୁହେଁ ।
ଧୁଡୁ ସୁସ୍ଥ ହୋଇଗଲା ପରେ ତାକୁ ପୁଣି କୁନ୍ତଳାଙ୍କ ନିକଟରୁ ଅନ୍ୟତ୍ର ସ୍ଥାନାନ୍ତରିତ କରା ଯାଇପାରେ । କୁନ୍ତଳାଙ୍କୁ ଧୁଡୁଠାରୁ ସମ୍ପର୍କ ତୁଟାଇବାକୁ ପରାମର୍ଶ ଦିଆ ଯାଇଛି । ମଣିଷ ସକାଶେ ହୁଏତ ସମ୍ପର୍କ ତୁଟାଇବାର କାରଣ ଓ ବୋଧଗମ୍ୟତା ଥାଇପାରେ ଓ ତା ନିକଟରେ ଏଭଳି ସ୍ଥିତିକୁ ଗ୍ରହଣ କରିନେବାର ମାନସିକତା ଥାଇପାରେ । କିନ୍ତୁ ପଶୁ ପାଇଁ ସମ୍ପର୍କ ତୁଟାଇବାର କ’ଣ ବା ଅର୍ଥ ! ଗୋଟିଏ ନାମଯୁକ୍ତ ବନ୍ୟପ୍ରାଣୀ କ’ଣ ଅନ୍ୟ ସାଧାରଣ ବନ୍ୟପ୍ରାଣୀଙ୍କ ଭଳି ନିଜକୁ ଅନାମ ବୋଲି ଗ୍ରହଣ କରି ନେଇ ସେହିଭଳି ଆଚରଣ କରି ପାରିବ ? ସାଧାରଣତଃ ପରିତ୍ୟକ୍ତ ପଶୁଶାବକଗୁଡିକୁ ଉଦ୍ଧାର କରି ପ୍ରତିପାଳନ କରୁଥିବା ବ୍ୟକ୍ତିବିଶେଷ ଆଦିବାସୀ ସମ୍ପ୍ରଦାୟର ହୋଇଥାଆନ୍ତି । ସେମାନେ ଜଙ୍ଗଲରେ ବା ସେହି ପଶୁଟିର ପ୍ରାକୃତିକ ପରିବେଶର ନିକଟରେ ବସବାସ କରୁଥିବାରୁ ସେମାନଙ୍କୁ ପଶୁଟିର ପ୍ରତିପୋଷଣ ଦାୟିତ୍ୱ ନ୍ୟସ୍ତ କରାଗଲେ ସେମାନଙ୍କ ନିକଟରେ ପ୍ରାଣୀଟି ସୁରକ୍ଷିତ ରହିପାରେ । ଏହା ମଧ୍ୟ ସତ ଯେ ସେମାନଙ୍କୁ ଟିକିଏ ତାଲିମ ପ୍ରଦାନ କଲେ ସେମାନଙ୍କ ମାଧ୍ୟମରେ ପ୍ରାଣୀଗୁଡିକର ଆଚରଣକୁ ମଧ୍ୟ ଲିପିବଦ୍ଧ କରାଯାଇପାରେ । ସମ୍ପୃକ୍ତ ପ୍ରାଣୀଟି ଅନ୍ୟମାନଙ୍କ ପ୍ରତି ହିଂସ୍ର ଆଚରଣ କଲେ ତାକୁ ଚିଡିଆଖାନା ବା ଘଞ୍ଚ ଜଙ୍ଗଲକୁ ସ୍ଥାନାନ୍ତରିତ ନ କରି ସେହି ଜଙ୍ଗଲ ନିକଟରେ ତା’ ପାଳକ ପିତାମାତାଙ୍କ ତତ୍ତ୍ୱାବଧାନରେ ଏକ ଆବଦ୍ଧ ପରିବେଶରେ ରଖା ଯିବା ବିଷୟରେ ମଧ୍ୟ ବିଚାର କରାଯାଇପାରେ । ଏ ସମସ୍ତ କାର୍ଯ୍ୟ ବନବିଭାଗର ଅନୁମତି ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ବିଧେୟ । କାରଣ ଏହା ବି ସତ ଯେ କିଛି ଲୋକ ବ୍ୟାବସାୟିକ ଉଦ୍ଦେଶ୍ୟରେ ବନ୍ୟପ୍ରାଣୀଙ୍କୁ ଗୃହପାଳିତ କରୁଥିବାରୁ ଅଭିଯୋଗମାନ ଆସିଥାଏ । କ୍ରମେ ଏହି ସ୍ଥାନଗୁଡିକ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସମର୍ଥ ହୋଇ ପାରନ୍ତା ଓ ସ୍ଥାନୀୟ ଲୋକଙ୍କ ରୋଜଗାର ଓ ଆୟ ବୃଦ୍ଧିରେ ସହାୟକ ହୁଅନ୍ତା । ବନ୍ୟପ୍ରାଣୀଟି ଖଇରୀ ପରି ସ୍ୱତନ୍ତ୍ର ପରିଚୟ ପାଇ ମର୍ଯ୍ୟାଦାର ସହ ବଞ୍ଚି ପାରନ୍ତା ।
ଧୁଡୁ, ରାଣୀ ଓ ଖଇରୀଙ୍କ ଭଳି ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ଗୋଟିଏ କଥା ସାଧାରଣ ଥିଲା । ଏମାନେ ପରିତ୍ୟକ୍ତ ଓ ମୁମୂର୍ଷୁ ଅବସ୍ଥାରେ ଜଙ୍ଗଲରୁ ମିଳିଥିଲେ । ସେହି ସମୟରେ ସେମାନଙ୍କୁ ପାଳିଥିବା କେତେକଙ୍କ ପରିବାରରେ କୌଣସି ସଦସ୍ୟଙ୍କ ବିୟୋଗ ବା ଅନ୍ୟ ଭାବେ ଶୋକ ବିରାଜମାନ କରୁଥିଲା । ସେମାନେ ସମାଜ ଓ ଆଇନ କାନୁନକୁ ଭ୍ରୁକ୍ଷେପ ନ କରି ମାନବିକତା ପ୍ରଦର୍ଶନ କରିଥିଲେ ଓ ପଶୁଶାବକଗୁଡିକଙ୍କ ଜୀବନ ରକ୍ଷା ହୋଇ ପାରିଥିଲା । ଦେଶରେ ‘ଗୁଡ୍ ସମରିଟାନ ଆଇନ’ର ପ୍ରଣୟନ ପରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ସାହାଯ୍ୟକାରୀଙ୍କୁ ଆଉ ଆଗ ପରି ପୁଲିସ ଉତ୍ପୀଡନର ସମ୍ମୁଖୀନ ହୋବାକୁ ପଡୁ ନାହିଁ । ଫଳରେ ଠିକ ସମୟରେ ଚିକିତ୍ସା ଯୋଗୁ ଅନେକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା ହୋଇପାରୁଛି । ଅନୁରୂପ ଭାବେ ବନ୍ୟପ୍ରାଣୀ ସୁରକ୍ଷା ଆଇନକୁ ସଂଶୋଧନ କରି ସେଥିରେ ଏକ ଗୁଡ ସମରିଟାନ ଆଇନ ସ୍ଥାନିତ କରିବା ଆବଶ୍ୟକ । ତାହାହେଲେ ଜଙ୍ଗଲରେ ପରିତ୍ୟକ୍ତ ବା ମୁମୂର୍ଷୁ ଅବସ୍ଥାରେ ପଡିଥିବା ବନ୍ୟପ୍ରାଣୀଙ୍କୁ ସେବା ପ୍ରଦାନ କରିବାକୁ ଆଗ୍ରହୀ ସ୍ଥାନୀୟ ଅଧିବାସୀ ନିର୍ଭୟରେ ଆଗେଇ ଆସିବେ । ଏହାକୁ ଅପରାଧ ଶ୍ରେଣୀଭୁକ୍ତ ନ କରି ବନ୍ୟପ୍ରାଣୀଙ୍କ ସେବାଯତ୍ନ କରୁଥିବା ଏପରି ଲୋକଙ୍କୁ ବରଂ ପୁରସ୍କୃତ ଓ ସମ୍ମାନିତ କରିବାର ଆବଶ୍ୟକତା ରହିଛି । ଓଡିଶା ଭଳି ଏକ ଜଙ୍ଗଲ ବହୁଳ ରାଜ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ । ତେବେ ଗୃହପାଳିତ ବନ୍ୟପ୍ରାଣୀଟିଏର ସୁରକ୍ଷା ଆବଶ୍ୟକତା ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷାଠାରୁ କିଛିଟା ଭିନ୍ନ ହୋଇଥିବାରୁ ସେ ନେଇ ଅଲଗା କରି ଚିନ୍ତା କରିବାର ଆବଶ୍ୟକତା ରହିଛି । ସେ ପର୍ଯ୍ୟନ୍ତ ରାମସିଂହ, କୁନ୍ତଳା କୁମାରୀଙ୍କ ପରି ବିରଳ ଦରଦୀ ପଶୁପ୍ରେମୀମାନଙ୍କୁ ଆଇନର ଆଳ ଦେଖାଇ ଉତ୍ପୀଡନର ଶିକାର ହେବାକୁ ନ ହେଉ ।
Published in Sambad on April 7, 2021
Comments
Post a Comment