Skip to main content

ଭର୍ତ୍ସିତ ନିର୍ବାଚନ କମିଶନ

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଲାଗି ନିର୍ବାଚନ କମିଶନ ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । “ଆପଣ ହିଁ ଏକମାତ୍ର ଅନୁଷ୍ଠାନ ଯିଏ ଆଜିର ଏଇ ପରିସ୍ଥିତି ପାଇଁ ଦାୟୀ । ଅଦାଲତଙ୍କ ସବୁ ଆଦେଶ ସତ୍ତ୍ୱେ ବଡ ବଡ ରାଲି କରୁଥିବା ରାଜନୈତିକ ଦଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ନାହିଁ । ବୋଧହୁଏ ଆପଣଙ୍କ ନିର୍ବାଚନ କମିଶନ ବିରୁଦ୍ଧରେ ହତ୍ୟାର ମାମଲା ରୁଜୁ ହେବା କଥା !” ଦେଶରେ କୋଭିଡ ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଏକମାତ୍ର ଦାୟୀ ବୋଲି ଏପ୍ରିଲ ୨୬, ୨୦୨୧ରେ ଏକ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ । ସମ୍ଭବତଃ, ଏଥି ପୂର୍ବରୁ ଏକ ସାମ୍ୱିଧାନିକ ଅନୁଷ୍ଠାନ ଏଭଳି ଭାବେ ହାଇକୋର୍ଟ ବା ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନାର ଶିକାର ହୋଇଥିବାର ଦୃଷ୍ଟାନ୍ତ ବିରଳ ।  

“ଜନସ୍ୱାସ୍ଥ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିତାପର ବିଷୟ ଯେ ଏ କଥା ସାମ୍ୱିଧାନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କୁ ମନେ ପକାଇ ଦେବାକୁ ପଡୁଛି । କେବଳ ଜଣେ ନାଗରିକ ବଞ୍ଚି ରହିଲେ ଯାଇ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ତାକୁ ପ୍ରଦାନ କରୁଥିବା ଅଧିକାରର ଗ୍ୟାରେଣ୍ଟିକୁ ସେ ଉପଭୋଗ କରିପାରିବ ।“ ଅଦାଲତଙ୍କ କଡା ଟିପ୍ପଣୀ ଥିଲା, “ରାଜନୈତିକ ରାଲିଗୁଡିକ ହେଉଥିଲା ବେଳେ ଆପଣମାନେ କ’ଣ ଅନ୍ୟ ଏକ ଗ୍ରହରେ ଅବସ୍ଥାନ କରୁଥିଲେ ?” “ଏବର ପରିସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଞ୍ଚି ରହିବା ଓ ସୁରକ୍ଷିତ ରହିବା । ତା’ପରେ ଯାଇ ଆଉ ସବୁ କିଛି ।“ କୋଭିଡ ସତର୍କ ବିଧିକୁ ମାନି ଗଣତି କାର୍ଯ୍ୟକ୍ରମ କରିବାକୁ ଏକ ନିର୍ଦ୍ଦିଷ୍ଟ ଖସଡା ଅଦାଲତଙ୍କ ନିକଟରେ ଉପସ୍ଥାପନ ନ କଲେ ଅଦାଲତ ଭୋଟ ଗଣତି ବନ୍ଦ କରି ଦେଇପାରନ୍ତି ବୋଲି ଚେତାବନୀ ଦେଇଥିଲେ ।

କେବଳ ମାଡ୍ରାସ ହାଇକୋର୍ଟ ନୁହେଁ, ଏଥି ପୂର୍ବରୁ ଏପ୍ରିଲ ୨୨ ତାରିଖରେ କଲିକତା ହାଇକୋର୍ଟ ମଧ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ କୋଭିଡ-୧୯  ସତର୍କ ବିଧିଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଅଦାଲତଙ୍କ ମତରେ କୋଭିଡ ନିୟମର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଅଖଣ୍ଡ କ୍ଷମତା ଥିବା ସତ୍ତ୍ୱେ ତାହାର ଉଚିତ ଉପଯୋଗ କରିବାରେ କମିଶନ ବିଫଳ ହୋଇଛି । “ଆମେ ନିଶ୍ଚିତ ଯେ ନିର୍ବାଚନ କମିଶନଙ୍କ ସର୍କୁଲାରଗୁଡିକ ରାଜନୈତିକ ଦଳ ବା ରାଜନୈତିକ ପ୍ରଚାରରେ ସମ୍ପୃକ୍ତ ଲୋକ ବା ସାଧାରଣ ଜନତାଙ୍କ ଲାଗି କେବଳ ପରାମର୍ଶ ହୋଇ ମଲାଟ ମଡାଇ ରଖିବା ଲାଗି ଉଦ୍ଦିଷ୍ଟ ନୁହେଁ ।” ଏହି ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟ ସମୟରେ ନିର୍ବାଚନ କମିଶନ ସକ୍ରିୟ ପଦକ୍ଷେପ ଗ୍ରହଣ ନ କରି ‘ମୂକ ଦର୍ଶକ’ ସାଜିବାକୁ ଅଦାଲତ ସହଜରେ ଗ୍ରହଣ କରି ପାରି ନ ଥିଲେ । ଅଦାଲତ କମିଶନକୁ ସ୍ମରଣ କରାଇ ଦେଇଛନ୍ତି ଯେ କମିଶନ କେବଳ ଜନ ପ୍ରତିନିଧି ଆଇନ ପ୍ରତି ପ୍ରତିବଦ୍ଧ ରହିବା ଯଥେଷ୍ଟ ନୁହେଁ ବରଂ କମିଶନଙ୍କ ଲୋକମାନଙ୍କ ପ୍ରତି ମଧ୍ୟ ପ୍ରତିବଦ୍ଧତା ରହିବା ଜରୁରୀ । ଏହାଦ୍ୱାରା ମହାମାରୀ ସମୟରେ ବି, ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷାର ବଳୟ ଭିତରେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ପ୍ରୟୋଗ କରି ପାରିବେ ବୋଲି ସେମାନଙ୍କର କମିଶନ ଉପରେ ବିଶ୍ୱାସ ରହିବ । ଅଦାଲତଙ୍କ ଏହି ମନ୍ତବ୍ୟ ପରେ ପଶ୍ଚିମବଙ୍ଗରେ ଯେତେବେଳେ ଆଉ ମାତ୍ର ଦୁଇ ପର୍ଯ୍ୟାୟର ନିର୍ବାଚନ ବାକି ଥିଲା ନିର୍ବାଚନ କମିଶନଙ୍କୁ ବାଧ୍ୟ ହୋଇ ଏପ୍ରିଲ, ୨୪, ୨୦୨୧ରେ ରୋଡ ସୋ ଓ ଯାନବାହନ ରାଲି (ବାଇକ ରାଲି) ଇତ୍ୟାଦି ଉପରେ ପ୍ରତିବନ୍ଧ ଲଗାଇବାକୁ ପଡିଲା । ଏଥି ସହ ୫୦୦ରୁ ଅଧିକ ଲୋକ ଏକତ୍ରିତ ହେଉଥିବା କୌଣସି ନିର୍ବାଚନୀ ସଭାକୁ ଅନୁମତି ଦିଆ ନ ଯିବା ସହ ଅନ୍ୟାନ୍ୟ କୋଭିଡ ନିର୍ଦ୍ଦେଶିକାଗୁଡିକୁ ଅନୁପାଳନ କରିବା ଉପରେ ଜୋର ଦିଆଗଲା ।

ଅନ୍ୟ ଅନେକ ଦେଶ ତୁଳନାରେ ଭାରତରେ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହର ଅପେକ୍ଷାକୃତ ବିଳମ୍ୱରେ ଆସିଥିଲେ ବି ତାହା ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ ହୋଇ ସାରିଥିଲା । ତେଣୁ ଅଳ୍ପ ଦିନ ଭିତରେ କୋଭିଡ ସଂକ୍ରମଣ ଯେ କାୟାବିସ୍ତାର କରିବାକୁ ଯାଉଛି ତାହା ଅଳ୍ପ ବହୁତେ ଜଣାଥିଲା । ଅର୍ଥାତ୍, ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ପାଇଁ ବିଜ୍ଞପ୍ତି ଜାରି ହେଲା ବେଳକୁ ନିର୍ବାଚନ କମିଶନ ବି ଏ ବାବଦରେ ଭଲ ଭାବେ ଅବଗତ ଥିଲେ । କେହି କେହି ମତ ବ୍ୟକ୍ତ କରୁଛନ୍ତି ଯେ ନିର୍ବାଚନ ଘୋଷଣା ହେବା ପୂର୍ବରୁ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇ ସାରିଥିବାରୁ ଓ ନିର୍ବାଚନ ଅନୁଷ୍ଠିତ ହୋଇ ନଥିବା କେତେକ ରାଜ୍ୟରେ ସଂକ୍ରମଣ ଅଧିକ ହୋଇଥିବାରୁ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିବା ଉଚିତ ହେବ ନାହିଁ । ଅଧିକନ୍ତୁ, ସମ୍ୱିଧାନର ଧାରା ୧୭୪(୧) ଅନୁଯାୟୀ କୌଣସି ରାଜ୍ୟର ବିଧାନସଭାର ଦୁଇଟି ଅଧିବେଶନ ମଧ୍ୟରେ ଛଅ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇପାରିବ ନାହିଁ । ନିର୍ବାଚନ ହେଉଥିବା ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ମଇ ୩୦, ୨୦୨୧ରେ, ଆସାମର ମଇ ୩୧ରେ, ତାମିଲନାଡୁର ମଇ ୨୪ରେ, କେରଳର ଜୁନ ୧ରେ ଓ ପୁଡୁଚେରିର ଜୁନ ୮ରେ ପୂରି ଯାଉଥିବାରୁ ସେଠାରେ ନିର୍ବାଚନ ଘୁଞ୍ଚାଇବା ସମ୍ଭବ ହୋଇ ନ ଥାଆନ୍ତା । କେବଳ ସମ୍ୱିଧାନର ଧାରା ୧୭୨(୧) ଅନୁଯାୟୀ ଜାତୀୟ ନିରାପତ୍ତା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ନିର୍ବାଚନକୁ ବର୍ଷେ ଯାଏଁ ଘୁଞ୍ଚାଇ ହୋଇଥାଆନ୍ତା । ତେବେ ମହାମାରୀ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ପ୍ରାବଧାନ ନ ଥିବାରୁ ଏହା କରି ହୋଇ ନ ଥାଆନ୍ତା । ସେହିପରି ସମ୍ୱିଧାନର ଧାରା ୩୫୬(୧) ଅନୁଯାୟୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବାର ପ୍ରାବଧାନ ଥିଲେ ବି ସେପରି ହୋଇଥିଲେ ତାହା ଉଚ୍ଚତମ ଅଦାଲତଙ୍କ ପ୍ରତିକୂଳ ମନ୍ତବ୍ୟକୁ ନିଶ୍ଚିତ ଭାବେ ଆହ୍ୱାନ କରିଥାଆନ୍ତା ଓ ତାହା ଲଗାଇବା ସହଜ ହୋଇ ନ ଥାଆନ୍ତା । ତା’ ଛଡା କୋଭିଡ ପରିସ୍ଥିତି ଆହୁରି କେତେ ଦିନ ଧରି ଲାଗି ରହିବ ତାହାର ନିଶ୍ଚିତତା ନ ଥିବାରୁ ନିର୍ବାଚନକୁ ଘୁଞ୍ଚାଇବା ହୁଏତ ଏକ ଗ୍ରହଣୀୟ ସମାଧାନର ବାଟ ହୋଇ ନ ଥାଆନ୍ତା । ଏହି ପରିସ୍ଥିତିରେ କୋଭିଡ ସତର୍କତା ବିଧିକୁ ମାନି ବିଶ୍ୱର ବିଭିନ୍ନ ଦେଶରେ ସଫଳତାର ସହ ନିର୍ବାଚନ ଆୟୋଜିତ ହୋଇ ସାରିଛି । ନିର୍ବାଚନକୁ ନ ଲମ୍ୱାଇ ତୁରନ୍ତ ସାରିବା ବୁଦ୍ଧିମାନର କାମ ହୋଇଥାଆନ୍ତା । ତେଣୁ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋଭିଡ ସତର୍କତା ବିଧିକୁ କଡାକଡି ମାନି ନିର୍ବାଚନକୁ ଅଳ୍ପ ଦିନ ମଧ୍ୟରେ ସୀମିତ ପର୍ଯ୍ୟାୟରେ ସାରିବାରେ କୌଣସି ଅସୁବିଧା ହୋଇ ନ ଥାଆନ୍ତା । ପଶ୍ଚିମବଙ୍ଗରେ ଆଠ ଦଫାରେ ନିର୍ବାଚନ କରିବା ସତ୍ତ୍ୱେ ହିଂସାକୁ ପ୍ରତିହତ କରା ଯାଇ ପାରି ନ ଥିଲା । ଅନ୍ୟ ପକ୍ଷରେ କୋଭିଡ ନିୟମକୁ ଉଲ୍ଲଂଘନ କରି ଦୀର୍ଘ ଦିନ ଧରି ନିର୍ବାଚନୀ ପ୍ରଚାର ଲାଗି ରହିବା ଦ୍ୱାରା ରାଜ୍ୟରେ ତିନି ଜଣ ପ୍ରାର୍ଥୀଙ୍କ ମୃତ୍ୟୁ, ସଂଖ୍ୟାଧିକ ପ୍ରାର୍ଥୀ ଓ ନିର୍ବାଚନ ପରିଚାଳନାକାରୀ କୋଭିଡ ଦ୍ୱାରା ଆକ୍ରାନ୍ତ ହେବାର ଦୁଃଖଦ ଘଟଣା ସହ ସାଧାରଣ ଜନତାଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ଯେ ବୃଦ୍ଧି ପାଇଲା ସେଥିରେ ସନ୍ଦେହ ନାହିଁ । ନିର୍ବାଚନ ହେଉଥିବା ରାଜ୍ୟଗୁଡିକରେ ରାଜନୈତିକ ଦଳଗୁଡିକ କୋଭିଡ ସତର୍କତା ବିଧିକୁ ମାନି ସେମାନଙ୍କ ସଭା, ଶୋଭାଯାତ୍ରା ଆଦି ଆୟୋଜନ କରୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବାରେ ନିର୍ବାଚନ କମିଶନ ଯେଉଁ ନିଷ୍କ୍ରିୟତା ପ୍ରଦର୍ଶନ କଲେ ତାହା ଅକ୍ଷମଣୀୟ ।  

ଏଥର ପଶ୍ଚିମବଙ୍ଗ ନିର୍ବାଚନକୁ ଆଠ ଦଫାରେ ଦୀର୍ଘ ଦିନ ଧରି କରିବାର ନିଷ୍ପତ୍ତି ସହ ଏପ୍ରିଲ ୧୨ ଯାଏଁ ନିର୍ବାଚନ ପରିଚାଳନା କରିଥିବା ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ପ୍ରତି ଉଚ୍ଚ ଅଦାଲତଙ୍କ ଏହି ଟୀପ୍ପଣି ମୁଖ୍ୟତଃ ଅଭିପ୍ରେତ । ତାଙ୍କ ଅବସର ଗ୍ରହଣ ପରେ ତାଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା କଥା ମଧ୍ୟ ଚର୍ଚ୍ଚାରେ ଅଛି । ଅତୀତରେ ଉଚ୍ଚ ଅଦାଲତଙ୍କ ଦ୍ୱାରା ନାମିତ ବା ଭର୍ତ୍ସିତ ହୋଇଥିବା ମନ୍ତ୍ରୀମାନେ ନୈତିକ ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିବାର ଅନେକ ଦୃଷ୍ଟାନ୍ତ ରହିଛି । ସେହି ଏକା ନ୍ୟାୟରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ ପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନଙ୍କୁ କୌଣସି ଅନ୍ୟ ସାମ୍ୱିଧାନିକ ପଦପଦବୀରେ ଅଧିଷ୍ଠିତ କରାଇବା ସେହି ନୈତିକତା ଆଧାରର ବିରୁଦ୍ଧାଚରଣ କରିବ ନାହିଁ କି ?

ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିବା ଦାୟିତ୍ୱ ନିର୍ବାଚନ କମିଶନଙ୍କର । ଏହି ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାକୁ ତିନିଟି ପର୍ଯ୍ୟାୟରେ ସୁନିଶ୍ଚିତ କରିବାକୁ ହୋଇଥାଏ – ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଓ ନିର୍ବାଚନ ପରେ । ଏ ପର୍ଯ୍ୟନ୍ତ ନିର୍ବାଚନକୁ ଅର୍ଥବଳ ଓ ବାହୁବଳର ପ୍ରଭାବରୁ ମୁକ୍ତ ରଖି ତାକୁ ଯଥାସମ୍ଭବ ହିଂସାରହିତ ଓ ଦୁର୍ନୀତିରହିତ କରିବା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ପ୍ରଦାନ କରୁଥିବା ଦେଖାଯାଉଛି । ଅଧିକ ସଂଖ୍ୟକ କେନ୍ଦ୍ରୀୟ ବଳ ନିୟୋଜିତ କରି ନିର୍ବାଚନୀ ହିଂସାକୁ ପ୍ରତିହତ କରିବା ସହ ମତଦାତାଙ୍କ ମଧ୍ୟରେ ନିର୍ଭୟରେ ମତଦାନ କରିବାକୁ ବିଶ୍ୱାସ ସୃଷ୍ଟି  କରାଯାଉଛି । ତେବେ ଏହି କ୍ରମରେ କୋଭିଡ ଭଳି ମହାମାରୀର ସଂକ୍ରମଣ କାଳରେ କେବଳ ହିଂସାରହିତ ଓ ଦୁର୍ନୀତିରହିତ ନିର୍ବାଚନ ହିଁ ମୁକ୍ତ ଓ ଅବାଧ ନିର୍ବାଚନର ପରିମାପକ ବୋଲି କହି ହେବନାହିଁ । ମହାମାରୀ ସମୟରେ କୋଭିଡ ନିୟମ ଅନୁପାଳନ କରିବାକୁ ବୀତସ୍ପୃହ ରାଜନୈତିକ ଦଳ, ପ୍ରଚାର ସହ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇ ଯେଉଁ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହେଉଛି, ତାହା ମଧ୍ୟ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାରେ ଅନ୍ତରାୟ ସୃଷ୍ଟି କରୁଛି । ତେଣୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ସଂକ୍ରମଣ ବୃଦ୍ଧି ପାଇ ନିର୍ବାଚନ ବେଳେ ଏବଂ ନିର୍ବାଚନ ପରିସମାପ୍ତି ପରେ ଜନସ୍ୱାସ୍ଥ୍ୟ ପ୍ରଭାବିତ ହେଲେ ସେଥିପାଇଁ ନିର୍ବାଚନ କମିଶନ ଉତ୍ତରଦାୟୀ ରହିବେ କି ? ଏଣିକି ନିର୍ବାଚନ ତାରିଖ ଘୋଷଣା କଲା ବେଳେ ଜନସ୍ୱାସ୍ଥ୍ୟ ଉପରେ ନିର୍ବାଚନୀ ପ୍ରଚାରର ସମ୍ଭାବ୍ୟ କୁପ୍ରଭାବକୁ ମଧ୍ୟ ନିର୍ବାଚନ କମିଶନ ଗୁରୁତ୍ୱର ସହିତ ବିଚାର କରିବା ଉଚିତ । ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସ୍ଥାନରେ ଅସମୟରେ ଅପ୍ରତ୍ୟାଶିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଦେଖିବାକୁ ମିଳିପାରେ । ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇପାରିବ ବୋଲି ସାମ୍ୱିଧାନିକ ବିଧିବ୍ୟବସ୍ଥା ରହିବା ସହ ଜନ ପ୍ରତିନିଧି ଆଇନରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି । ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୫୨ ଅନୁଯାୟୀ ନିର୍ବାଚନ ସରିବା ପୂର୍ବରୁ କୌଣସି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନିଧନ ହେଲେ ସମ୍ପୃକ୍ତ ଆସନ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥାଏ । ସେହି ଯୁକ୍ତିରେ କୌଣସି ମହାମାରୀ ବା ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଅତ୍ୟଧିକ ଧନଜୀବନର ହାନି ହେଉଥିବାରୁ ବା ହାନି ହେବାର ଆଶଙ୍କା ଥିବାରୁ ନିର୍ବାଚନ ସ୍ଥଗିତ ରଖିବା ପାଇଁ କମିଶନଙ୍କୁ କ୍ଷମତା ଦେବା ଉଚିତ ହେବ ନାହିଁ କି ? ଏପରିକି ବିଶେଷ ପରିସ୍ଥିତିକୁ ଆଖି ଆଗରେ ରଖି ଘୋଷିତ ନିର୍ବାଚନ ତାରିଖକୁ ଆଗେଇବା ବା ପଛାଇବା ପାଇଁ କମିଶନ କ୍ଷମତାପ୍ରାପ୍ତ ହେବା ବିଧେୟ ।      

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ବିଭିନ୍ନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ନେତା, ଅଭିନେତା ଓ ଅନ୍ୟମାନଙ୍କ ଦ୍ୱାରା ବିଶାଳ ସଭା ଓ ଶୋଭାଯାତ୍ରାମାନ ଆୟୋଜନ କରି ଯେଉଁ ଭଳି ଦାୟିତ୍ୱହୀନ ଭାବରେ ନିର୍ବାଚନ ପ୍ରଚାର କରାଗଲା ଓ ନିଜ ନିଜ ସଭାରେ ଅସୁରକ୍ଷିତ ଅବସ୍ଥାରେ ହଜାର ହଜାର ସଂଖ୍ୟାରେ ଲୋକ ଏକଜୁଟ ହେବାକୁ ଯେଉଁପରି ଗର୍ବ ସହକାରେ ଡିଣ୍ଡିମ ପିଟାଗଲା, ତାହା ବାସ୍ତବିକ ନିନ୍ଦନୀୟ । ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରିବା ଦାୟିତ୍ୱ ଥିବା ଏହି ଦଳ ଓ ନେତାମାନେ ନିଶ୍ଚିତ ଭାବେ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ଯେଉଁଥିପାଇଁ ନିର୍ବାଚନ କମିଶନଙ୍କୁ ଉଚ୍ଚ ଅଦାଲତଙ୍କ ଭର୍ତ୍ସନାର ଶରବ୍ୟ ହେବାକୁ ପଡିଛି । ଭବିଷ୍ୟତରେ ଯେପରି ଏ ଧରଣର ତ୍ରୁଟି ପୁଣି ଦୋହରା ନ ଯାଏ ସେଥିପାଇଁ ସମସ୍ତେ ସତର୍କ ରହିବା ସହ ଜନସାଧାରଣ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ସହ ହେଉଥିବା ଖେଳକୁ ପ୍ରତିରୋଧ କରିବାକୁ ସଜାଗ ରହିବା ଆବଶ୍ୟକ ।


Published in Odisha Reporter on April 28, 2021

 

Comments

  1. Very nice presentation covering every aspects.Besides constitutional responsibility another responsibility of safety of voters inview of pandemic should have been ensured by Election Commission.But courts version is very harsh.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍