ଅଳ୍ପ କିଛି ଦେଶକୁ ବାଦ ଦେଲେ ସାରା ବିଶ୍ୱରେ ଗଣତନ୍ତ୍ରର ଅବକ୍ଷୟ ହୋଇ ଚାଲିଛି ଏବଂ ଏବେ ତାହା ଓଲଟପାଦରେ । ସାରା ବିଶ୍ୱରେ ଗଣତନ୍ତ୍ରର ସ୍ୱାସ୍ଥ୍ୟକୁ ମାପି ଏକ ସୂଚକାଙ୍କ ପ୍ରସ୍ତୁତ କରିବା କ୍ଷେତ୍ରରେ ଅନେକ ନାଗରିକ ସମାଜ ସଂଗଠନ ଓ ଶିକ୍ଷାନୁଷ୍ଠାନଙ୍କର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରତ । ତନ୍ମଧ୍ୟରୁ କାନାଡାର ଫ୍ରେଜର ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ‘ହ୍ୟୁମାନ ଫ୍ରିଡମ ଇଣ୍ଡେକ୍ସ’, ଆମେରିକାର ସେଣ୍ଟର ଫର ସିଷ୍ଟମିକ ପିସ ଦ୍ୱାରା ପ୍ରସ୍ତୁତ ‘ପଲିଟି ଫୋର’, ବିଶ୍ୱ ବ୍ୟାଙ୍କର ‘ୱାର୍ଲଡୱାଇଡ ଗଭର୍ଣ୍ଣାନ୍ସ ଇଣ୍ଡିକେଟରସ’, ସ୍ୱିଜରଲାଣ୍ଡସ୍ଥିତ ଜୁରିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ‘ଡେମୋକ୍ରାସି ବାରୋମିଟର’, ଫିନଲାଣ୍ଡସ୍ଥିତ ହେଲେସିଙ୍କି ବିଶ୍ୱବିଦ୍ୟାଳୟର ପ୍ରଫେସର ଟାଟୁ ଭାନହାନେନଙ୍କ ଦ୍ୱାରା ପ୍ରସ୍ତୁତ ‘ଇଣ୍ଡେକ୍ସ ଅଫ ଡେମୋକ୍ରାସି’ ଆଦି ସୂଚକାଙ୍କଗୁଡିକୁ ଗୁରୁତ୍ୱ ଦିଆ ଯାଇଥାଏ । ତେବେ ଏ କ୍ଷେତ୍ରରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ, ଫ୍ରିଡମ ହାଉସ ଓ ଭି-ଡେମ ଇନଷ୍ଟିଚ୍ୟୁଟ ଭଳି ତିନିଟି ଅନୁଷ୍ଠାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଗଣତନ୍ତ୍ର ସୂଚକାଙ୍କ ସେଗୁଡିକର ପ୍ରସ୍ତୁତି ପ୍ରଣାଳୀର ବିଶ୍ୱସନୀୟତା ପାଇଁ ପ୍ରାୟ ସର୍ବତ୍ର ଓ ସର୍ବାଧିକ ଗ୍ରହଣୀୟ ହୋଇଥାଏ ।
ଗଣତନ୍ତ୍ରର ସଂଜ୍ଞାକୁ ନେଇ ବାଦବିବାଦ ଲାଗି ରହିଥିବାରୁ ତାହା କେମିତି ମପାଯିବା ଉଚିତ, ସେ ନେଇ ମତୈକ୍ୟ ଦେଖିବାକୁ ମିଳେନାହିଁ । କେତେକଙ୍କ ମତରେ ହୁଏତ ଗୋଟିଏ ଦେଶ ଗଣତାନ୍ତ୍ରିକ ହୋଇପାରେ, ବା ନ ହୋଇପାରେ ଏବଂ ମୁକ୍ତ ଓ ଅବାଧ ନିର୍ବାଚନ ହେଉଥିଲେ ସେଠାରେ ଗଣତନ୍ତ୍ର ଅଛି ବୋଲି କହି ହେବ । ତେଣୁ ଗଣତନ୍ତ୍ରକୁ ମାପିବାର ଅବକାଶ ନାହିଁ । ଅନ୍ୟ ପକ୍ଷରେ ଅନେକେ ମନେ କରନ୍ତି ଯେ ବିଭିନ୍ନ ଦେଶରେ ପ୍ରଚଳିତ ଗଣତନ୍ତ୍ର ସମାନ ପ୍ରକାରର ନୁହେଁ । ଗୁଣବତ୍ତାକୁ ଆଧାର କରି ଏହାର ମାତ୍ରା କମ ବେଶି ବି ହୋଇପାରେ । ତାହା ମାପଯୋଗ୍ୟ ଓ ମପା ହେବା ଉଚିତ ମଧ୍ୟ । ଗୋଟିଏ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇ ମଧ୍ୟ ସେଠାରେ ବ୍ୟକ୍ତି ଅଧିକାର ଓ ନାଗରିକ ସ୍ୱାଧୀନତା ଉପରେ ଅଙ୍କୁଶ ଲାଗିଥିଲେ ସେଠାରେ ପ୍ରକୃତ ଅର୍ଥରେ ଗଣତନ୍ତ୍ର ଅଛି ବୋଲି କହି ହେବ ନାହିଁ । ସ୍ୱୈରାଚାରୀ ଶାସନ ବ୍ୟବସ୍ଥା ମଧ୍ୟରେ ଥିବା ଦେଶଟିଏ ବି ନିଜକୁ ଗଣତାନ୍ତ୍ରିକ ବୋଲି କହିପାରେ । ତେଣୁ ଏ କ୍ଷେତ୍ରରେ ସେହି ଦେଶ ସମ୍ପର୍କରେ ଅନ୍ତର୍ଜାତିକ ଅନୁଭବ ହିଁ ନିର୍ଦ୍ଧାରଣ କରିବ ତାହା ଗଣତାନ୍ତ୍ରିକ କି ନୁହେଁ, ସେହି ଦେଶ ନୁହେଁ । ଏଇ ଅନୁଭବ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ସୂଚକାଙ୍କକୁ ଭିତ୍ତି କରି ତିଆରି ହୋଇଥାଏ । ତେଣୁ ଏ କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ‘ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ’, ‘ଫ୍ରିଡମ ହାଉସ’ ଓ ‘ଭି-ଡେମ ଇନଷ୍ଟିଚ୍ୟୁଟ’ ଗଣତନ୍ତ୍ରକୁ ମାପିବା ପାଇଁ ଯେଉଁ ସୂଚକାଙ୍କଗୁଡିକର ବ୍ୟବହାର କରିଥାଆନ୍ତି, ତାହା ବୁଝିବାର ଆବଶ୍ୟକତା ରହିଛି ।
ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ଦ୍ୱାରା ୨୦୦୬ ମସିହାରୁ ପ୍ରତି ବର୍ଷ ଏକ ଡେମୋକ୍ରାସି ଇଣ୍ଡେକ୍ସ ରିପୋର୍ଟ ପ୍ରସ୍ତୁତ ହୋଇଆସୁଛି । ଏହି ଅନୁଷ୍ଠାନ ଦ୍ୱାରା ନିକଟରେ ପ୍ରକାଶିତ ‘ଡେମୋକ୍ରାସି ଇଣ୍ଡେକ୍ସ ୨୦୨୦’ ରିପୋର୍ଟରେ ବିଶ୍ୱର ୧୬୫ଟି ଦେଶ ଓ ଦୁଇଟି ଅଞ୍ଚଳରେ ଗଣତନ୍ତ୍ରର ସ୍ଥିତିକୁ ଅଧ୍ୟୟନ କରାଯାଇଛି । ପ୍ରତିଟି ଦେଶର ପାଞ୍ଚଟି କ୍ଷେତ୍ରରେ ସ୍ଥିତି, ଯଥା ନିର୍ବାଚନୀ ପ୍ରକ୍ରିୟା ଓ ବହୁବାଦ (ପ୍ଲୁରାଲିଜମ), ସରକାରଙ୍କ କାର୍ଯ୍ୟ, ରାଜନୈତିକ ଅଂଶଗ୍ରହଣ, ରାଜନୈତିକ ସଂସ୍କୃତି ଓ ନାଗରିକ ସ୍ୱାଧୀନତା, କୁ ଭିତ୍ତି କରି ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି । ଏହାକୁ ଆଧାର କରି ଦେଶଗୁଡିକୁ ଚାରି ପ୍ରକାର ଶାସନବ୍ୟବସ୍ଥାରେ ବର୍ଗୀକରଣ କରାଯାଇଛି । ସୂଚକାଙ୍କରେ ୧୦ ନମ୍ୱରରୁ ୮ ବା ଅଧିକ ନମ୍ୱର ପାଇଥିବା ଦେଶଗୁଡିକ ‘ପୂର୍ଣ୍ଣ ଗଣତନ୍ତ୍ର’, ୬ରୁ ୮ ପାଇଥିବା ଦେଶ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’, ୪ ରୁ ୬ ନମ୍ୱର ପାଇଥିବା ଦେଶକୁ ‘ସଙ୍କର ଶାସନ’ (ହାଇବ୍ରିଡ ରେଜିମ) ଓ ୪ ନମ୍ୱରରୁ କମ ପାଇଥିବା ଦେଶ ‘ସ୍ୱୈରାଚାରୀ ଶାସନ ବର୍ଗ’ର ବୋଲି ଦର୍ଶାଯାଇଛି । ସାମଗ୍ରିକ ଭାବେ ଏଇ କିଛି ବର୍ଷ ଧରି ସାରା ବିଶ୍ୱରେ ଗଣତନ୍ତ୍ରର ସ୍ୱାସ୍ଥ୍ୟରେ ଅବନତି ଘଟୁଥିଲା ବେଳେ ୨୦୨୦ରେ କୋଭିଡ କାଳରେ ନାଗରିକ ସ୍ୱାଧୀନତାର ହନନ ହୋଇ ତାହା ପୂର୍ବ ବର୍ଷ ତୁଳନାରେ ଆହୁରି ଖରାପ ହୋଇଛି । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକଟି ଅଞ୍ଚଳରେ ଏହି ଅବନତି ପରିଲକ୍ଷିତ ହୋଇଛି । ଏଥରର ରିପୋର୍ଟ ଅନୁଯାୟୀ ୨୩ଟି ବା ୧୪ ପ୍ରତିଶତ ଦେଶ ‘ପୂର୍ଣ୍ଣ ଗଣତନ୍ତ୍ର’ ବର୍ଗରେ ସ୍ଥାନ ପାଇଛନ୍ତି । ସେଗୁଡିକ ମଧ୍ୟରୁ ଅଧିକାଂଶ ଓଇସିଡି ଗୋଷ୍ଠୀରେ ଥିବା ୩୭ଟି ଦେଶ ଭିତରୁ ଅଛନ୍ତି । ଏଥିରୁ ଅର୍ଥନୈତିକ ବିକାଶ ଗଣତନ୍ତ୍ରର ବିକାଶରେ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବାର ଆଭାସ ମିଳୁଥିଲେ ବି ଅର୍ଥନୈତିକ ବିକାଶ ଗଣତାନ୍ତ୍ରିକ ବିକାଶକୁ ସୁନିଶ୍ଚିତ କରିଥାଏ ବୋଲି ନିର୍ଦ୍ଦିଷ୍ଟ ରୂପେ କହି ହେବ ନାହିଁ । ତା’ର ଏକ ବଡ ଉଦାହରଣ ପୂର୍ବ ଇଉରୋପରେ ଥିବା ଦେଶଗୁଡିକ, ଯେଉଁଠାରେ ଯଥେଷ୍ଟ ଅର୍ଥନୈତିକ ବିକାଶ ହୋଇଥିଲେ ବି ସେହି ଅଞ୍ଚଳର ଗୋଟିଏ ବି ଦେଶ ପୂର୍ଣ୍ଣ ଗଣତନ୍ତ୍ର ଶ୍ରେଣୀଭୁକ୍ତ ନୁହନ୍ତି । ତାଲିକାରେ ୫୨ଟି ବା ୩୧ ପ୍ରତିଶତ ଦେଶ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ବର୍ଗରେ ଅଛନ୍ତି । ସେହିପରି ୩୫ଟି ବା ୨୧ ପ୍ରତିଶତ ଦେଶ ‘ସଙ୍କର ଶାସନ’ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଥିଲା ବେଳେ ସର୍ବାଧିକ ୫୭ଟି ବା ୩୪ ପ୍ରତିଶତ ଦେଶରେ ସ୍ୱୈରାଚାରୀ ଶାସନ ବ୍ୟବସ୍ଥା ରହିଛି । ପୂର୍ଣ୍ଣ ହେଉ ବା ତ୍ରୁଟିପୂର୍ଣ୍ଣ ହେଉ ବିଶ୍ୱର ପ୍ରାୟ ୫୦ ପ୍ରତିଶତ ଲୋକ କୌଣସି ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରହୁଛନ୍ତି । ଅନ୍ୟ ପକ୍ଷରେ ବିଶ୍ୱର ଏକ-ତୃତୀୟାଂଶ ଲୋକ ସ୍ୱୈରାଚାରୀ ଶାସନ ବ୍ୟବସ୍ଥା ଭିତରେ କାଳାତିପାତ କରୁଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଦେଶ ତୁଳନାରେ ସ୍ୱୈରାଚାରୀ ଦେଶଗୁଡିକରେ ଆହୁରି ଅଧିକ ଅବନତି ପରିଲକ୍ଷିତ ହୋଇଛି । ପୂର୍ଣ୍ଣ ଗଣତନ୍ତ୍ର ବର୍ଗର ଦେଶମାନଙ୍କ ମଧ୍ୟରେ ନରୱେ, ଆଇସଲାଣ୍ଡ, ସ୍ୱିଡେନ, ନିଉଜିଲାଣ୍ଡ ଓ କାନାଡାର ସ୍ଥାନ ସର୍ବୋଚ୍ଚ ହୋଇଥିବା ବେଳେ ସ୍ୱୈରାଚାରୀ ଦେଶମାନଙ୍କ ମଧ୍ୟରେ ଉତ୍ତର କୋରିଆ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ସିରିଆ ଓ ଚାଦ ର ସ୍ଥାନ ସବୁଠାରୁ ତଳେ । ୨୦୧୯ ତୁଳନାରେ ଏ ବର୍ଷ ୧୧୬ଟି ବା ପ୍ରାୟ ୭୦ ପ୍ରତିଶତ ଦେଶରେ ଗଣତନ୍ତ୍ର ନିମ୍ନମୁଖୀ ହୋଇଛି । ଜାପାନ, ଦକ୍ଷିଣ କୋରିଆ ଓ ତାଇୱାନର ସ୍ଥିତିରେ ଉନ୍ନତି ହୋଇ ସେଗୁଡିକ ‘ପୂର୍ଣ୍ଣ ଗଣତନ୍ତ୍ର’ ବର୍ଗକୁ ଉନ୍ନୀତ ହୋଇଛନ୍ତି । ସେହିପରି ଫ୍ରାନ୍ସ ଓ ପର୍ତ୍ତୁଗାଲ ‘ପୂର୍ଣ୍ଣ ଗଣତନ୍ତ୍ର’ରୁ ‘ତ୍ରୁଚିପୂର୍ଣ୍ଣ ଗଣତନ୍ତ୍ର’ ବର୍ଗକୁ ଓ ହଂକଂ ଭଳି ଦେଶ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ରୁ ‘ସଙ୍କର ଶାସନ’ ବର୍ଗକୁ ଖସିବା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ । ରିପୋର୍ଟରେ ଭାରତ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଦେଶ ବର୍ଗରେ ଥିବା ବେଳେ ଏହା ତାଲିକାର ୫୩ତମ ସ୍ଥାନରେ ଥିବା ଦର୍ଶାଯାଇଛି । ସାମଗ୍ରିକ ଭାବେ ଭାରତକୁ ୧୦ ନମ୍ୱରରୁ ୬.୬୧ ମିଳିଥିବା ବେଳେ ନିର୍ବାଚନୀ ପ୍ରକ୍ରିୟା ଓ ବହୁବାଦ ପାଇଁ ୮.୬୭, ସରକାରଙ୍କ କାର୍ଯ୍ୟଶୈଳୀ ପାଇଁ ୭.୧୪, ରାଜନୈତିକ ଅଂଶଗ୍ରହଣ ପାଇଁ ୬.୬୭, ରାଜନୈତିକ ସଂସ୍କୃତି ପାଇଁ ୫ ଓ ନାଗରିକ ସ୍ୱାଧୀନତା ପାଇଁ ୫.୫୯ ନମ୍ୱର ମିଳିଛି । ଏହି ସୂଚକାଙ୍କରେ ଭାରତ ୨୦୧୪ରେ ୭.୯୨ ପାଇଥିବା ବେଳେ କ୍ରମାଗତ ଭାବେ ହ୍ରାସ ପାଇ ୨୦୨୦ରେ ୬.୬୧ ପାଇବା, ଅର୍ଥାତ୍ ୧.୩୧ ନମ୍ୱର କମିବା, ଯୋଗୁ ଏହି ୭ ବର୍ଷ ଭିତରେ ଏହା ୨୭ତମ ସ୍ଥାନରୁ ୨୬ଟି ସ୍ଥାନ ତଳକୁ ଖସି ୫୩ତମ ସ୍ଥାନରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଉଦବେଗଜନକ । ୨୦୧୫ ପରଠାରୁ ଭାରତରେ ଗଣତାନ୍ତ୍ରିକ ମାନଦଣ୍ଡ ଚାପଗ୍ରସ୍ତ ରହିଛି ବୋଲି ଉଲ୍ଲେଖ ହୋଇଛି । ଏହାର ମୁଖ୍ୟ କାରଣ ଶାସନ ବ୍ୟବସ୍ଥାରେ ଧର୍ମର ପ୍ରଭାବ ବୃଦ୍ଧି, ଧର୍ମ ନିରପେକ୍ଷତାକୁ ଅଣଦେଖା କରି ଧର୍ମ ଆଧାରରେ ନାଗରିକତା ପ୍ରଦାନ ପାଇଁ ଆଇନ ପ୍ରଣୟନ, କରୋନା ପରିଚାଳନାରେ ତ୍ରୁଟି ଯୋଗୁ ନାଗରିକ ସ୍ୱାଧୀନତାର ହନନ ଆଦି ଦର୍ଶାଯାଇଛି । ଅନ୍ୟ ପକ୍ଷରେ ଭାରତର ପଡୋଶୀ ଦେଶ ବଙ୍ଗଳାଦେଶ, ଭୁଟାନ ଓ ପାକିସ୍ତାନର ଗଣତନ୍ତ୍ରର ସ୍ଥିତିରେ ପୂର୍ବାପେକ୍ଷା ସାମାନ୍ୟ ଉନ୍ନତି ଘଟିଛି ।
‘ସେହି ଗଣତାନ୍ତ୍ରିକ ଦେଶମାନଙ୍କରେ ସ୍ୱାଧୀନତା ବିକଶିତ ହୋଇଥାଏ ଯେଉଁଠାରେ ସରକାରମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିଥାଆନ୍ତି ।’ ଏହି ମୂଳମନ୍ତ୍ରକୁ ଆଧାର କରି ପ୍ରତିଷ୍ଠିତ ଆମେରିକାର ଫ୍ରିଡମ ହାଉସ ସଂସ୍ଥା ଦ୍ୱାରା ୧୯୭୨ ମସିହାରୁ ପ୍ରାୟ ପଚାଶ ବର୍ଷ ଧରି ପ୍ରତି ବର୍ଷ ‘ଫ୍ରିଡମ ଇନ ଦି ୱାର୍ଲଡ’ ରିପୋର୍ଟ ପ୍ରକାଶ ପାଇ ଆସୁଛି । ଡିସେମ୍ୱର ୩୧, ୨୦୨୦ରେ ସମାପ୍ତ ବର୍ଷରେ ବିଶ୍ୱର ୧୯୫ଟି ଦେଶ ଓ ୧୫ଟି ଅଞ୍ଚଳର ଅଧିବାସୀଙ୍କ ରାଜନୈତିକ ଅଧିକାରର ପହଞ୍ଚ ଓ ନାଗରିକ ସ୍ୱାଧୀନତାକୁ ମାପି ‘ଫ୍ରିଡମ ଇନ ଦି ୱାର୍ଲଡ ୨୦୨୧’ ରିପୋର୍ଟ ପ୍ରକାଶିତ ହୋଇଛି । ରିପୋର୍ଟ ଅନୁଯାୟୀ ଲଗାତାର ଭାବେ ୧୫ ବର୍ଷ ଧରି ବିଶ୍ୱରେ ସ୍ୱାଧୀନତା ନିମ୍ନମୁଖୀ ହୋଇଚାଲିଛି । ରିପୋର୍ଟ ପ୍ରସ୍ତୁତିର ପଦ୍ଧତି ଅନେକଟା ଜାତିସଂଘର ସାର୍ବଜନୀନ ମାନବାଧିକାର ଘୋଷଣାକୁ ଭିତ୍ତି କରି ସ୍ଥିର ହୋଇଛି । ପ୍ରତିଟି ଦେଶର ରାଜନୈତିକ ଅଧିକାରର ସ୍ଥିତି ବାବଦରେ ୪୦ ନମ୍ୱର ଧାର୍ଯ୍ୟ ହୋଇଥିଲା ବେଳେ ନାଗରିକ ସ୍ୱାଧୀନତାର ସ୍ଥିତି ବାବଦକୁ ୬୦ ନମ୍ୱର ଏହିପରି ସମୁଦାୟ ୧୦୦ ନମ୍ୱର ଧାର୍ଯ୍ୟ ହୋଇଛି । ରାଜନୈତିକ ଅଧିକାରକୁ ମାପିବା ପାଇଁ ସେଠାକାର ନିର୍ବାଚନୀ ପ୍ରକ୍ରିୟା, ରାଜନୈତିକ ବହୁବାଦ ଓ ଅଂଶଗ୍ରହଣ ଏବଂ ସରକାରଙ୍କ କାର୍ଯ୍ୟ ଆଦିକୁ ବିଚାରକୁ ନିଆ ଯାଇଥାଏ । ସେହିପରି ନାଗରିକ ଅଧିକାରକୁ ମାପିବା ପାଇଁ ଅଭିବ୍ୟକ୍ତି ଓ ବିଶ୍ୱାସର ସ୍ୱାଧୀନତା, ସଂଘ ସମ୍ପର୍କୀୟ ଓ ସାଗଠନିକ ଅଧିକାର, ଆଇନର ଶାସନ, ବ୍ୟକ୍ତି ସ୍ୱାୟତ୍ତତା ଓ ବ୍ୟକ୍ତିଗତ ଅଧିକାର ଆଦିକୁ ବିଚାରକୁ ନିଆ ଯାଇଥାଏ । ଉଭୟ ରାଜନୈତିକ ଅଧିକାର ଓ ନାଗରିକ ସ୍ୱାଧୀନତା ପାଇଁ ପାଇଥିବା ନମ୍ୱରକୁ ଆଧାର କରି ଦେଶଗୁଡିକୁ ‘ମୁକ୍ତ’, ‘ଆଂଶିକ ମୁକ୍ତ’ ଏବଂ ‘ମୁକ୍ତ ନୁହେଁ’ ବୋଲି ଚିହ୍ନିତ କରା ଯାଇଥାଏ । ଗୋଟିଏ ଦେଶ ମୁକ୍ତ ଭାବେ ଚିହ୍ନିତ ହେବାର ଅର୍ଥ ଏଇଆ ନୁହେଁ ଯେ ସେଠାରେ ନିଖୁଣ ସ୍ୱାଧୀନତା ବିରାଜମାନ କରୁଛି ବା ସେଠାରେ କୌଣସି ଗୁରୁତର ସମସ୍ୟା ନାହିଁ । ଏ ବର୍ଷ ୮୨ଟି ଦେଶ ‘ମୁକ୍ତ’, ୬୩ଟି ‘ଆଂଶିକ ମୁକ୍ତ’ ଓ ୬୫ଟି ‘ମୁକ୍ତ ନୁହେଁ’ ଭାବେ ଚିହ୍ନିତ ହୋଇଛନ୍ତି । ରିପୋର୍ଟରେ ଭାରତକୁ ରାଜନୈତିକ ଅଧିକାର ପାଇଁ ୩୪ ଓ ନାଗରିକ ସ୍ୱାଧାନତା ପାଇଁ ୩୩ ଏହିପରି ସମୁଦାୟ ୬୭ ନମ୍ୱର ମିଳିଛି । ଫଳରେ ରାଜନୈତିକ ଅଧିକାର ପାଇଁ ଭଲ ନମ୍ୱର ପାଇ ବି ନାଗରିକ ସ୍ୱାଧୀନତା ପାଇଁ କମ ନମ୍ୱର ପାଇଥିବାରୁ ଭାରତର ସ୍ଥିତି ପୂର୍ବର ‘ମୁକ୍ତ’ (ଫ୍ରି)ରୁ ଖସି ‘ଆଂଶିକ ମୁକ୍ତ’ (ପାର୍ସିଆଲି ଫ୍ରି) ଭାବେ ଚିହ୍ନିତ କରାଯାଇଛି । ଏଥିପାଇଁ ଯେଉଁ ପ୍ରମୁଖ ଘଟଣାକ୍ରମଗୁଡିକୁ ରେଖାଙ୍କିତ କରାଯାଇଛି ସେଗୁଡିକ ହେଲା, (୧) ସିଏଏ ଆଇନକୁ ବିରୋଧ କରି ହେଉଥିବା ପ୍ରତିବାଦ ପରେ ଫେବୃଆରି ମାସ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ହାନି, (୨) ବାକ୍ ସ୍ୱାଧୀନତାକୁ ପ୍ରତିହତ କରି ସାମ୍ୱାଦିକ, ଛାତ୍ର ଏବଂ ସାଧାରଣ ନାଗରିକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଆଇନ ଓ ଆଇଟି ଆଇନ ବଳରେ ଆପରାଧିକ ମାମଲା ରୁଜୁ କରିବା, (୩) କରୋନା ସମୟରେ କରା ଯାଇଥିବା ଅବିଚାରିତ ଲକଡାଉନରେ ପ୍ରବାସୀ ଶ୍ରମିକମାନେ ଭୋଗିଥିବା ଦୁଃଖ ଓ ଯନ୍ତ୍ରଣା । ଏତଦବ୍ୟତୀତ ଏନଜିଓମାନଙ୍କ ବିଦେଶୀ ପାଣ୍ଠି ଆହରଣ ଉପରେ କଟକଣା ଲଗାଇବା ପାଇଁ ଆଇନ ପ୍ରଣୟନ, ଆମନେଷ୍ଟି ଇଣ୍ଟରନ୍ୟାସନାଲକୁ ଦେଶ ଭିତରେ କାର୍ଯ୍ୟ ବନ୍ଦ କରିବାକୁ ଏକ ପ୍ରକାର ବାଧ୍ୟ କରିବା, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରିବା, ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ରାୟଗୁଡିକ ସରକାରଙ୍କ ସପକ୍ଷରେ ଯିବାର ଏକ ନିର୍ଦ୍ଦିଷ୍ଟ ପ୍ରତିରୂପ ଦେଖା ଦେବା, ସରକାର ବିରୋଧୀ ରାୟ ପ୍ରଦାନ କରିଥିବା ଜଣେ ବିଚାରପତିଙ୍କ ବଦଳି ଆଦି ପ୍ରସଙ୍ଗ ମଧ୍ୟ ଭାରତକୁ ପୂର୍ବ ବର୍ଷ ମିଳିଥିବା ୭୧ ନମ୍ୱରରୁ କମ ହେବାର କାରଣ ବୋଲି ଦର୍ଶାଯାଇଛି ।
ସ୍ୱିଡେନର ଗଥନବଗ ବିଶ୍ୱବିଦ୍ୟାଳୟସ୍ଥିତ ଭି-ଡେମ (ଭେରାଇଟିଜ ଅଫ ଡେମୋକ୍ରାସି) ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରକାଶିତ ‘ଡେମୋକ୍ରାସି ରିପୋର୍ଟ ୨୦୨୧’ରେ ୧୭୯ଟି ଦେଶର ବିଭିନ୍ନ ତଥ୍ୟକୁ ବିଶ୍ୱର ୩୫୦୦ରୁ ଊର୍ଦ୍ଧ୍ୱ ବିଦ୍ୱାନ ଓ ବିଶେଷଜ୍ଞଙ୍କ ଦ୍ୱାରା ବିଶ୍ଳେଷଣ କରାଯାଇ ପ୍ରସ୍ତୁତ କରାଯାଇଛି । ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ଏହି ପଞ୍ଚମ ବାର୍ଷିକ ରିପୋର୍ଟଟି ଏକ ‘ଉଦାର ଗଣତନ୍ତ୍ର ସୂଚକାଙ୍କ’ (ଲିବେରାଲ ଡେମୋକ୍ରାସି ଇଣ୍ଡେକ୍ସ)କୁ ଭିତ୍ତି କରି ପ୍ରସ୍ତୁତ ହୋଇ ସେଥିପାଇଁ ନିର୍ବାଚନୀ ଗଣତନ୍ତ୍ର ସୂଚକାଙ୍କ (ଇଲେକ୍ଟୋରାଲ ଡେମୋକ୍ରାସି ଇଣ୍ଡେକ୍ସ), ଉଦାର ଉପାଦାନ ସୂଚକାଙ୍କ (ଲିବେରାଲ କମ୍ପୋନେଣ୍ଟ ଇଣ୍ଡେକ୍ସ), ସମତାବାଦୀ ଉପାଦାନ ସୂଚକାଙ୍କ (ଇଗାଲିଟେରିଆନ କମ୍ପୋନେଣ୍ଟ ଇଣ୍ଡେକ୍ସ), ଅଂଶଗ୍ରହଣକାରୀ ଉପାଦାନ ସୂଚକାଙ୍କ (ପାଟିସିପେଟରି କମ୍ପୋନେଣ୍ଟ ଇଣ୍ଡେକ୍ସ), ବିଚାରଶୀଳ ଉପାଦାନ ସୂଚକାଙ୍କ (ଡେଲିବରେଟିଭ କମ୍ପୋନେଣ୍ଟ ଇଣ୍ଡେକ୍ସ) ଭଳି ୫ଟି ସୂଚକାଙ୍କର ସହାୟତା ନିଆଯାଇଛି । ନିର୍ବାଚନୀ ଗଣତନ୍ତ୍ର ସୂଚକାଙ୍କରେ କେବଳ ଯେ ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହେବାକୁ ଗୁରୁତ୍ୱ ଦିଆ ଯାଇଥାଏ ତାହା ନୁହେଁ, ଏଥି ସହିତ ପ୍ରକୃତ ଅଭିବ୍ୟକ୍ତିର ସ୍ୱାଧୀନତା, ପୁରୁଷ ଓ ମହିଳାଙ୍କ ଭୋଟ ଦାନ ଅଧିକାର, ସରକାରୀ ନୀତି ନିର୍ଦ୍ଧରଣ କ୍ଷମତା କେତେ ମାତ୍ରାରେ ନିର୍ବାଚିତ ପ୍ରତିନିଧିଙ୍କଠାରେ ରହିଛି ଆଦିକୁ ଲିପିବଦ୍ଧ କରା ଯାଇଥାଏ । ବ୍ୟକ୍ତି ଓ ସଂଖ୍ୟାଲଘୁଙ୍କ ଅଧିକାରକୁ ରାଷ୍ଟ୍ର ତଥା ସଂଖ୍ୟାବହୁଳଙ୍କ ଉତ୍ପୀଡନରୁ ରକ୍ଷା କରିବା ଗଣତନ୍ତ୍ରରେ ଉଦାରବାଦର ଅନ୍ୟତମ ଲକ୍ଷ୍ୟ ହୋଇଥିବାରୁ ଉଦାର ଉପାଦାନ ସୂଚକାଙ୍କରେ ଆଇନ ଦୃଷ୍ଟିରେ ସମାନତା ଏବଂ ବ୍ୟକ୍ତି ସ୍ୱାଧୀନତା, କାର୍ଯ୍ୟପାଳିକା ଉପରେ ନ୍ୟାୟପାଳିକାର ନିୟନ୍ତ୍ରଣ ଓ କାର୍ଯ୍ୟପାଳିକା ଉପରେ ବ୍ୟବସ୍ଥାପକଙ୍କ ନିୟନ୍ତ୍ରଣ କେତେ ତାହା ଜାଣିବାକୁ ଚେଷ୍ଟା କରା ଯାଇଥାଏ । ଗଣତନ୍ତ୍ରକୁ ‘ଲୋକଙ୍କ ଦ୍ୱାରା’ ଶାସନ ବୋଲି ଗ୍ରହଣ କରା ଯାଉଥିବାରୁ ସମତାବାଦୀ ଉପାଦାନ ସୂଚକାଙ୍କରେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ସମତା ପ୍ରତିଷ୍ଠାର ଲକ୍ଷ୍ୟ ରଖି ରାଜନୈତିକ ଓ ସରକାରୀ କ୍ଷେତ୍ରରେ ସୀମାନ୍ତ ବର୍ଗର ଲୋକଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ କେତେ ଗୁରୁତ୍ୱ ଦିଆ ଯାଉଛି, ତାହା ଦେଖା ଯାଇଥାଏ । ଅଂଶଗ୍ରହଣକାରୀ ଉପାଦାନ ସୂଚକାଙ୍କରେ ସାମାଜିକ ସଂଗଠନ, ପ୍ରତ୍ୟକ୍ଷ ଗଣତନ୍ତ୍ରର ପଦ୍ଧତି, ସ୍ଥାନୀୟ ଓ ଆଞ୍ଚଳିକ ସ୍ତରୀୟ ସରକାରରେ ଅଂଶଗ୍ରହଣ ଓ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯାଇଥାଏ । ବିଚାରଶୀଳ ଉପାଦାନ ସୂଚକାଙ୍କରେ କୌଣସି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ପୂର୍ବରୁ ଲୋକଙ୍କ ସହ ସମ୍ମାନଜନକ ବିଚାର ବିମର୍ଶ ହେବା ବିଧେୟ ବୋଲି ବିବେଚନା କରା ଯାଇଥାଏ । ଏହି ରିପୋର୍ଟରେ ଦେଶଗୁଡିକୁ ଉଦାର ଗଣତନ୍ତ୍ର, ନିର୍ବାଚନୀ ଗଣତନ୍ତ୍ର, ନିର୍ବାଚନୀ ସ୍ୱୈରତନ୍ତ୍ର ଓ ବନ୍ଦ ସ୍ୱୈରତନ୍ତ୍ର ଏହିପରି ଚାରିଟି ଶାସନ ବ୍ୟବସ୍ଥାରେ ଭାଗ କରାଯାଇଛି । ତଦନୁସାରେ ‘ଉଦାର ଗଣତନ୍ତ୍ର’ ବିଦ୍ୟମାନ ଥିବା ଦେଶର ସଂଖ୍ୟା ୪୧ରୁ କମ ହୋଇ ୩୨ରେ ପହଞ୍ଚିଛି ଯେଉଁଠାରେ ବିଶ୍ୱର ୧୪ ପ୍ରତିଶତ ଲୋକ ବସବାସ କରିଥାଆନ୍ତି । ସେହିପରି ୬୦ଟି ଦେଶରେ ‘ନିର୍ବାଚନୀ ଗଣତନ୍ତ୍ର’ ରହିଛି ଯେଉଁଠିକାର ଲୋକସଂଖ୍ୟା ମାତ୍ର ୧୯ ପ୍ରତିଶତ । ଅବଶିଷ୍ଟ ୬3ଟି ଦେଶରେ ‘ନିର୍ବାଚନୀ ସ୍ୱୈରତନ୍ତ୍ର’ ଓ ୨୪ଟି ଦେଶରେ ‘ବନ୍ଦ ସ୍ୱୈରତନ୍ତ୍ର’ ବିରାଜମାନ, ଯେଉଁଠାରେ ପୃଥିବୀର ୬୮ ପ୍ରତିଶତ ଲୋକ ବସବାସ କରନ୍ତି । ୨୦୦୬ ମସିହାରେ ସ୍ୱୈରତନ୍ତ୍ରାଧୀନ ଦେଶର ଅଧିବାସୀ ୪୮ ପ୍ରତିଶତ ଥିବା ବେଳେ ଗତ ୧୫ ବର୍ଷ ମଧ୍ୟରେ ତାହା ୨୦ ଶତାଂଶ ବୃଦ୍ଧି ପାଇବା ଚିନ୍ତାଜନକ । ଏହି ସବୁ ସ୍ଥାନରେ ସରକାର ପ୍ରଥମେ ଗଣମାଧ୍ୟମ ଓ ନାଗରିକ ସମାଜକୁ ଆକ୍ରମଣ କରିଥାଆନ୍ତି ଏବଂ ବିରୋଧୀଙ୍କୁ ଅସମ୍ମାନ କରି ଓ ମିଥ୍ୟା ତଥ୍ୟର ଆଶ୍ରୟ ନେଇ ସମାଜରେ ଧ୍ରୁବୀକରଣ କରିଥାଆନ୍ତି ଓ ଶେଷରେ ନିର୍ବାଚନକୁ ହେୟ ଜ୍ଞାନ କରିଥାଆନ୍ତି । ଗଣତନ୍ତ୍ରର ଏହି ଅବନତି ସତ୍ତ୍ୱେ ଏବେ ମଧ୍ୟ ତାହା ଗତ ଶତାବ୍ଦୀର ୭୦ ଓ ୮୦ ଦଶକ ଅପେକ୍ଷା ଭଲ ସ୍ଥିତିରେ ରହିବା ଆଶ୍ୱାସନାର ବିଷୟ । ରିପୋର୍ଟରେ ଭାରତ ସମ୍ପର୍କରେ ଉଲ୍ଲେଖ ରହିଛି, “ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ‘ନିର୍ବାଚନୀ ସ୍ୱୈରତନ୍ତ୍ର’ରେ ପରିଣତ ହୋଇଛି ।“ ଉଲ୍ଲେଖଯୋଗ୍ୟ ପୂର୍ବ ବର୍ଷ ଯାଏଁ ରିପୋର୍ଟରେ ଭାରତରେ ‘ନିର୍ବାଚନୀ ଗଣତନ୍ତ୍ର’ ଥିବା ଦର୍ଶା ଯାଉଥିଲା । ଏହି ତାଲିକାରେ ଭାରତ ୯୩ତମ ସ୍ଥାନରେ ରହିଛି । କ୍ରମାଗତ ଭାବେ ଗଣମାଧ୍ୟମ, ଶିକ୍ଷାବିଦ ଓ ନାଗରିକ ସମାଜର ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ପାଇଁ ଉଦ୍ୟମ ହିଁ ଭାରତରେ ଗଣତାନ୍ତ୍ରିକ ସ୍ଖଳନର କାରଣ ବୋଲି ଦର୍ଶାଯାଇଛି । ୨୦୧୪ ନିର୍ବାଚନ ପରେ ଦେଶରେ ହିନ୍ଦୁ ଜାତୀୟତାବାଦୀ ବିଚାରଧାରାର ବିକାଶକୁ ପ୍ରୋତ୍ସାହନ ଦେବା, ଦେଶଦ୍ରୋହ, ମାନହାନି ଏବଂ ଆତଙ୍କବାଦ ବିରୋଧୀ ଆଇନର ଆଶ୍ରୟ ନେଇ ଗଣମାଧ୍ୟମ ଓ ନାଗରିକ ସମାଜର ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କଟକଣା ଲଗାଇ ବିରୋଧୀଙ୍କୁ ଚୁପ କରିବା, ଯୁଏପିଏ ଆଇନରେ ସଂଶୋଧନ, ସିଏଏ, ଏନଜିଓ ଓ ନାଗରିକ ସମାଜ ସଂଗଠନଗୁଡିକର ଗତିବିଧି ଉପରେ ନିୟନ୍ତ୍ରଣ ଆଦି ଏହି ସ୍ଖଳନ ପାଇଁ ଅନେକାଂଶରେ ଦାୟୀ ବୋଲି କୁହାଯାଇଛି ।
“ଭାରତରେ ଗଣତନ୍ତ୍ର ନାହିଁ । ଏହା କେବଳ କଳ୍ପନାରେ ଅଛି, ବାସ୍ତବତାରେ ନାହିଁ ।“ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଏହି ଉକ୍ତିକୁ ହୁଏତ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରା ଯାଇ ନ ପାରେ । କାରଣ ଭାରତରେ ଗଣତନ୍ତ୍ର ସଙ୍କୁଚିତ ହୋଇ ଥାଇପାରେ, ହେଲେ ଏହା ଏବେ ବି ଜୀବିତ । ଅନ୍ୟ ପକ୍ଷରେ ଏକା ବର୍ଷରେ ଭାରତ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟର ରିପୋର୍ଟରେ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ସ୍ତରରେ ରହିବା ଫ୍ରିଡମ ହାଉସ ରିପୋର୍ଟରେ ମୁକ୍ତ ଦେଶର ବର୍ଗରୁ ଆଂଶିକ ମୁକ୍ତ ଦେଶର ବର୍ଗକୁ ଖସିବା ଓ ଭି-ଡେମର ରିପୋର୍ଟରେ ନିର୍ବାଚନୀ ଗଣତନ୍ତ୍ରରୁ ନିର୍ବାଚନୀ ସ୍ୱୈରତନ୍ତ୍ର ସ୍ତରକୁ ଖସିବା କେବଳ ଏକ ସଂଯୋଗ ହୋଇ ନ ପାରେ । ଭିନ୍ନ ଭିନ୍ନ ଭୌଗୋଳିକ କ୍ଷେତ୍ରରେ ଅବସ୍ଥିତ ଏହି ସଂସ୍ଥାଗୁଡିକର ରିପୋର୍ଟରୁ ଗୋଟିଏ କଥା ଅନ୍ତତଃ ସ୍ପଷ୍ଟ ଯେ ଭାରତରେ ଗଣତନ୍ତ୍ରର ଦିଗ ନିମ୍ନମୁଖୀ । ଅନ୍ତର୍ଜାତିକ ସ୍ତରରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଅବକ୍ଷୟକୁ ନେଇ ସମାନ ଭାବରେ ଯେଉଁ ଉତ୍କଣ୍ଠା ପ୍ରକାଶ ପାଉଛି, ତାହା ପ୍ରଣିଧାନର ବିଷୟ । ତିନିଟି ରିପୋର୍ଟରେ ଭାରତର ଗଣତାନ୍ତ୍ରିକ ଦୁଃସ୍ଥିତି ସମ୍ପର୍କରେ ପ୍ରକାଶ ପାଇଲା ପରେ କେତେକେ ଏହାକୁ ଭାରତର ଛବି ମଳିନ କରିବା ଲାଗି ଏକ ଅନ୍ତର୍ଜାତିକ ଷଡଯନ୍ତ୍ର ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି । ଉଲ୍ଲେଖଯୋଗ୍ୟ, ଏହି ଲୋକମାନେ ଅନ୍ୟ ସମୟରେ ଅନ୍ତର୍ଜାତିକ ସଂସ୍ଥାଙ୍କ ଦ୍ୱାରା ଦେଶ ବା ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କୌଣସି ପ୍ରଶଂସାଯୋଗ୍ୟ ମନ୍ତବ୍ୟ ବା ରିପୋର୍ଟ ପ୍ରକାଶ ପାଇଲେ ସେଥିରେ ଷଡଯନ୍ତ୍ରର ଦୁର୍ଗନ୍ଧ ନ ପାଇ ତାକୁ ଦେଶବାସୀଙ୍କ ସମ୍ମୁଖରେ ବିଜ୍ଞାପିତ କରିବାକୁ ଆତୁର ହୋଇ ପଡିଥାଆନ୍ତି । ମନେ ରଖିବାକୁ ହେବ, ଭାରତର ଛବିକୁ କୌଣସି ଅନ୍ତର୍ଜାତିକ ରିପୋର୍ଟ ମଳିନ କରି ପାରିବନି । କେବଳ ଏଠାରେ କୌଣସି ନିନ୍ଦନୀୟ ଘଟଣା ଘଟିଲେ ହିଁ ତାହା ଅନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରି ଭାରତର ଛବିକୁ ମଳିନ କରିଥାଏ, ଅନ୍ୟଥା ନୁହେଁ । ଉପରୋକ୍ତ ରିପୋର୍ଟଗୁଡିକ ଏଇ ବର୍ଷ ନୂଆ କରି ପ୍ରସ୍ତୁତ ହେଉନାହିଁ ବରଂ ବର୍ଷ ବର୍ଷ ଧରି ପ୍ରସ୍ତୁତ ହୋଇ ଅନ୍ତର୍ଜାତୀୟ ସ୍ତରରେ ନିଜ ବିଶ୍ୱସନୀୟତାକୁ ପ୍ରତିଷ୍ଠିତ କରାଇ ସାରିଛନ୍ତି । ତା’ ଛଡା ପ୍ରତିଟି ରିପୋର୍ଟ କେବଳ ଭାରତ ପାଇଁ ପ୍ରସ୍ତୁତ ହେଉନାହିଁ କି ଉଦ୍ଦିଷ୍ଟ ନୁହେଁ । ଏଥିରେ ବିଶ୍ୱର ପ୍ରତିଟି ଦେଶର ସ୍ଥିତି ପ୍ରତିଫଳିତ ହୋଇ ବିଶ୍ୱବାସୀଙ୍କୁ ଗଣତନ୍ତ୍ରର ସାମଗ୍ରିକ ବାସ୍ତବତା ସମ୍ପର୍କରେ ସଚେତନ କରାଇ ଦିଆଯାଉଛି । ଭାରତରେ ଗଣତନ୍ତ୍ରର ସ୍ଥିତି ନେଇ ଅନ୍ତର୍ଜାତିକ ଅନୁଭବ ଏବେ ଭାରତ ସପକ୍ଷରେ ନ ଥିବାରୁ ଏହାକୁ ଷଡଯନ୍ତ୍ର କହି ଏଡାଇ ନ ଦେଇ ଏହି ବାସ୍ତବତାକୁ ସ୍ୱୀକାର କରିବାର ସତସାହସ ପ୍ରଦର୍ଶନ କରିବା ସହିତ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବା ଦିଗରେ ଶାସକ ବର୍ଗ ପ୍ରୟାସରତ ହେବା ଆବଶ୍ୟକ ।
ସାରା ବିଶ୍ୱର ଅନେକ ଦେଶରେ ଏବେ ଗଣତନ୍ତ୍ର ଆଗକୁ ଚାହିଁଛି ହେଲେ ପଛେଇ ଚାଲିଛି । ତେଣୁ ସାଧାରଣ ନାଗରିକଙ୍କ ମନରେ ପାଳଭୂତ ପରି ଗଣତନ୍ତ୍ର ତିଷ୍ଠି ରହି ଥିବାର ଭ୍ରମ ସୃଷ୍ଟି ହେଉଥିଲେ ବି ତାହା ବାସ୍ତବରେ ଓଲଟପାଦରେ ସ୍ୱୈରତନ୍ତ୍ର ଆଡକୁ ମାଡି ଚାଲିଛି । ଏକ ଅଧ୍ୟୟନ ଅନୁସାରେ ଗଣତନ୍ତ୍ର ପ୍ରକୃତ ପକ୍ଷେ ସ୍ଥିର ବିକାଶ ଓ ଆର୍ଥିକ ସଙ୍କଟର ସମ୍ଭାବନାକୁ କ୍ଷୀଣ କରିବା ସୁନିଶ୍ଚିତ କରି ଏକ ଆର୍ଥିକ ସୁରକ୍ଷାର ଜାଲ ସଦୃଶ କାମ କରିଥାଏ । ତେଣୁ ଗଣତନ୍ତ୍ରର ଏହି ଓଲଟପାଦକୁ ସ୍ୱାଭାବିକ କରି ତାକୁ ସ୍ୱୈରତନ୍ତ୍ରଗମନରୁ ନିବୃତ୍ତ କରିବା ସହ ତାକୁ ଉଚିତ ମାର୍ଗରେ ଅଗ୍ରସର କରାଇବା ପାଇଁ ନାଗରିକମାନଙ୍କୁ ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ସତର୍କ ରହିବା ସହ ଗୁରୁ ଦାୟିତ୍ୱ ବହନ କରିବାକୁ ହେବ । ନ ହେଲେ ଆଗାମୀ ଦିନରେ ଗଣତନ୍ତ୍ର ତିଷ୍ଠି ରହିଥିବା ଦେଶମାନଙ୍କରେ ବି ବ୍ୟକ୍ତି ଅଧିକାର ଓ ନାଗରିକ ସ୍ୱାଧୀନତା ଦୁର୍ଲଭ ହୋଇ କେବଳ କଳ୍ପନାର ବିଷୟ ପାଲଟିବ ।
Published in Samadrusti in 16-30 April, 2021 issue.
Comments
Post a Comment