Skip to main content

ପ୍ରଜାତି ବୈଷମ୍ୟବାଦ

ଧରି ନିଆଯାଉ ଶିଶୁଟିଏ ଓ ଗୋଟିଏ ପୋଷା କୁକୁର ନିଆଁ ଘେର ଭିତରେ ରହିଯାଇଛନ୍ତି ଓ ସେମାନଙ୍କ ଭିତରୁ କେବଳ ଜଣକୁ ବଞ୍ଚାଇ ହେବ । କାହାକୁ ବଞ୍ଚାଇବେ, ଅଧିକାଂଶ ଲୋକଙ୍କୁ ଏ ନେଇ ମୁହୂର୍ତ୍ତଟିଏ ମଧ୍ୟ ଭାବିବାକୁ ହେବନାହିଁ । ସ୍ୱାଭାବିକ ଭାବେ ଶିଶୁଟିକୁ ବଞ୍ଚାଇବା ଅଧିକାଂଶଙ୍କର ପ୍ରାଥମିକତା ହେବ ଓ କୁକୁରକୁ ବଞ୍ଚାଇବା କଥା ମନକୁ ଆସିବ ନାହିଁ । ଅଧିକନ୍ତୁ ନୈତିକ ଦୃଷ୍ଟିରୁ କାହାକୁ ବଞ୍ଚାଇବା ଠିକ ହେବ ବୋଲି ଭାବିବାରେ କାଳ ବିଳମ୍ବ କରୁଥିିବା ଲୋକଟି ଯେ ସମାଜ ଦ୍ୱାରା ଭର୍ତ୍ସିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ମଣିଷର ଏ ଭଳି ଆଚରଣ ତାଠାରେ ସନ୍ନିହିତ ପ୍ରଜାତି-ବିଦ୍ୱେଷର ପରିପ୍ରକାଶ ମାତ୍ର । ମଣିଷର ବିଶ୍ୱାସ ଯେ ସେ ଜୀବଜଗତର ଶ୍ରେଷ୍ଠ ଜୀବ । ତେଣୁ ନୀତିଗତ ଭାବେ ତାର ଅଧିକାର ଓ ପ୍ରାପ୍ୟ ଅନ୍ୟ ଯେ କୌଣସି ଜୀବ ଅପେକ୍ଷା ନିଶ୍ଚିତ ଭାବେ ଅଧିକ ବୋଲି ତାର ବଦ୍ଧମୂଳ ଧାରଣା । ଆଉ ଏହି ଧାରଣାକୁ ହିଁ ‘ପ୍ରଜାତି ବୈଷମ୍ୟବାଦ’ ବା ‘ସ୍ପେସିସିଜମ’ କୁହାଯାଇଥାଏ ।

ମନସ୍ତତ୍ତ୍ଵବିଦ୍ ରିଚାର୍ଡ ରାଇଡରଙ୍କ ଦ୍ୱାରା ୧୯୭୩ ମସିହାରେ ସୃଷ୍ଟ ଏହି ଶବ୍ଦଟିକୁ ବ୍ୟାଖ୍ୟା କରି ସେ କହିଥିଲେ ଯେ ଅନ୍ୟ ଭେଦଭାବପୂର୍ଣ୍ଣ ଆଚରଣଗୁଡିକ ପରି ପ୍ରଜାତି ବୈଷମ୍ୟବାଦରେ ମଧ୍ୟ ପକ୍ଷପାତିତା କରୁଥିବା ଓ ପକ୍ଷପାତର ଶିକାର ହେଉଥିବା ଉଭୟଙ୍କ ମଧ୍ୟରେ ଥିବା ସମାନତାକୁ ଅଣଦେଖା କରାଯାଉଥିବା ବେଳେ ବିଷମତାକୁ ଗୁରୁତ୍ୱ ଦିଆଯାଇଥାଏ । ତେବେ ୧୯୭୫ ମସିହାରେ ଦାର୍ଶନିକ ପିଟର ସିଙ୍ଗର ତାଙ୍କ ପୁସ୍ତକ ‘ଆନିମଲ ଲିବରେସନ’ରେ ପ୍ରଜାତି ବୈଷମ୍ୟବାଦକୁ ଅନ୍ୟ ପ୍ରଜାତିର ସ୍ୱାର୍ଥ ବିରୁଦ୍ଧରେ ଯାଇ ନିଜ ପ୍ରଜାତିର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଏକ ପକ୍ଷପାତିତାପୂର୍ଣ୍ଣ ଆଚରଣ ବୋଲି ବର୍ଣ୍ଣନା କରିଛନ୍ତି । ମଣିଷର ଇଚ୍ଛା, ଆବଶ୍ୟକତା ଓ ସ୍ୱାର୍ଥର ପରିପୂରଣ ସର୍ବାଗ୍ରେ ଓ ଏଥିପାଇଁ ଅନ୍ୟ ଜୀବଜନ୍ତୁଙ୍କ ସ୍ୱାର୍ଥକୁ ଯେ ଜଳାଞ୍ଜଳି ଦେଇ ହେବ, ତାହା ପ୍ରଜାତି ବୈଷମ୍ୟବାଦରେ ବିଶ୍ୱାସ କରୁଥିବା ଲୋକେ ଅନାୟାସରେ ଗ୍ରହଣ କରନ୍ତି । ନଦୀ, ପାହାଡ, ଜଙ୍ଗଲଠାରୁ ଆରମ୍ଭ କରି ସମସ୍ତ ପ୍ରାକୃତିକ ସମ୍ପଦ ଯେପରି କେବଳ ମଣିଷ ପାଇଁ ସୃଷ୍ଟି ହୋଇଛି ଓ ସେଗୁଡିକ ଉପରେ ତାର ଏକଚାଟିଆ ଅଧିକାର ବୋଲି ତାର ଧାରଣା । ଏଥିପାଇଁ ଅନ୍ୟ ଜୀବଙ୍କ ପ୍ରତି ହିଂସା ଆଚରଣ କରିବାକୁ ବିବେକ ଅନୁମୋଦନ କରୁ ନଥିଲେ ମଧ୍ୟ, ତାହା କରିବାକୁ ସେ କୁଣ୍ଠାବୋଧ କରି ନଥାଏ । ଆମେରିକୀୟ ଲେଖକ ଏଲିସ ଓ୍ଵାକର ତାଙ୍କ ‘କଲର ପରପଲ୍’ ପୁସ୍ତକରେ ଲେଖିଛନ୍ତି, ‘ଜଗତରେ ପ୍ରାଣୀମାନେ ତାଙ୍କ ନିଜ ପାଇଁ ବଞ୍ଚିଥାନ୍ତି । କୃଷ୍ଣକାୟମାନେ ଯେପରି ଶ୍ୱେତକାୟଙ୍କ ପାଇଁ ତିଆରିି ହୋଇନାହାନ୍ତି ବା ମହିଳାମାନେ ଯେପରି ପୁରୁଷମାନଙ୍କ ଉଦ୍ଦେଶ୍ୟରେ ସୃଷ୍ଟି ହୋଇନାହାନ୍ତି, ଠିକ ସେହିପରି ସେମାନେ ମଧ୍ୟ ମଣିଷର ଆବଶ୍ୟକତାର ପରିପୂର୍ତ୍ତି ଲାଗି ସୃଷ୍ଟି ହୋଇନାହାନ୍ତି ।’ ତେଣୁ ପ୍ରଜାତି ବୈଷମ୍ୟବାଦ ସମସ୍ୟା, ବର୍ଣ୍ଣ ବୈଷମ୍ୟ (ରେସିଜମ) ଓ ଲିଙ୍ଗଗତ ବୈଷମ୍ୟ (ସେକ୍ସିଜମ) ସମସ୍ୟା ତୁଳନାରେ କୌଣସି ଭାବେ କମ ଉତ୍କଟ ନୁହେଁ । ଏହି ପ୍ରଜାତି ବୈଷମ୍ୟବାଦ ବିଭିନ୍ନ ରୂପରେ ପରିପ୍ରକାଶ ହୋଇଥାଏ । ଯେପରି ମଣିଷର ଆବଶ୍ୟକତା ପୂରଣ ଲାଗି ଅନ୍ୟ ଜୀବଜନ୍ତୁ ସାମଗ୍ରୀ ପାଲଟି ଯାଆନ୍ତି । ସେମାନଙ୍କ ବଞ୍ଚି ରହିବା ବା ନ ରହିବା ମଣିଷର ଆପେକ୍ଷିକ ଲାଭକ୍ଷତି ଉପରେ ନିର୍ଭର କରିଥାଏ । ସ୍ଥଳ ବିଶେଷରେ କେତେକ ପ୍ରଜାତି ଅନ୍ୟ ପ୍ରଜାତି ତୁଳନାରେ ମଣିଷ ଲାଗି ଅଧିକ ଗୁରୁତ୍ୱ ବହନ କରନ୍ତି ଓ ତାର ଅଧିକ ପସନ୍ଦର ହୋଇଯାଆନ୍ତି । ଯେମିତି ପଶ୍ଚିମର ଦେଶଗୁଡିକରେ କୁକୁର ଓ ବିଲେଇଙ୍କୁ ‘ବନ୍ଧୁ’ ଭାବେ ଗ୍ରହଣ କରାଯାଇ ସେମାନଙ୍କୁ, ‘ଖାଦ୍ୟ’ ଭାବେ ବିବେଚନା କରାଯାଉଥିବା ଗାଈ, ଛେଳି, ଘୁଷୁରୀଙ୍କଠାରୁ ଉଚ୍ଚ ସ୍ଥାନରେ ରଖାଯାଉଥିବା ବେଳେ, ଭାରତରେ ଗାଈକୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଉଚ୍ଚତର ସ୍ଥାନ ପ୍ରଦାନ କରି ‘ଗୋମାତା’ କହି ପୂଜା କରାଯାଇଥାଏ । ସମାଜରେ ଥିବା ଏହି ପକ୍ଷପାତପୂର୍ଣ୍ଣ ମାନସିକତା ପିଲାଟିଏକୁ ନିର୍ଦ୍ଦିଷ୍ଟ ପ୍ରଜାତି ପ୍ରତି ଅଧିକ ଯତ୍ନବାନ ହେବା କଥା ଶିଖାଉଥିବା ବେଳେ ଅନ୍ୟ ପ୍ରଜାତି ପ୍ରତି ଘୃଣା ପ୍ରଦର୍ଶନ ଓ ହିଂସା ଆଚରଣ କରିବା କଥା ମଧ୍ୟ କହିଥାଏ । ଅନ୍ୟ ପ୍ରାଣୀଙ୍କ ତୁଳନାରେ ଗାଈ ପ୍ରତି ଅତ୍ୟଧିକ ସମ୍ମାନ ପ୍ରଦର୍ଶନ କରିବା, ବୁଲା କୁକୁରକୁ ଆଘାତ ଦେବା, ଏଣ୍ଡୁଅକୁ ପଥର ମାରି ହତ୍ୟା କରିବା ଆଦି ଏହାର ନିଦର୍ଶନ ମାତ୍ର । ସେହିପରି ମଣିଷର ଛୋଟଛୋଟ ସ୍ୱାର୍ଥର ପରିପୂର୍ତ୍ତି ଆଗରେ ଅନ୍ୟ ଜୀବଙ୍କ ଭଲମନ୍ଦ ବିବେଚନା ତୁଚ୍ଛ ପାଲଟିଯାଏ । ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଉପୁଜିଲେ ମଣିଷର ସ୍ୱାର୍ଥ ସୁରକ୍ଷା ସର୍ବଦା ଅଗ୍ରାଧିକାର ପାଇଥାଏ । ସେଥିପାଇଁ ଜୀବଜନ୍ତୁଙ୍କ ସୁରକ୍ଷା ଓ ଯନ୍ତ୍ରଣାକୁ ସହଜରେ ଆଖି ବୁଜି ଦେଇ ହୁଏ ।

ପ୍ରଜାତି ବୈଷମ୍ୟବାଦର ଏକ ବଡ କାରଣ ହେଉଛି ଜୀବଜନ୍ତ୍ରୁୁଙ୍କୁ ହେୟ ଜ୍ଞାନ କରି ଆମେ ପ୍ରୟୋଗ କରୁଥିବା ଶବ୍ଦ ଓ ଭାଷା । ଯେପରି ଅନ୍ୟକୁ ‘କୁକୁର’ ବା ‘ଗଧ’ କହିବା । ଏପରିକି ଅନ୍ୟ ଭାଷାରୁ ଉଧାର ଆଣି ‘ସୁଅର କେ ବଚ୍ଚେ’, ‘କୁତ୍ତେ କେ ପିଲ୍ଲେ’ ଭଳି ଗାଳି ମଧ୍ୟ ବ୍ୟବହାର ହେବାକୁ ଲାଗିଲାଣି । ‘ଶଙ୍ଖ ଚିଲ ଭାଇ ନମସ୍କାର, ମାଟିଆ ଚିଲକୁ ଗୋଇଠା ମାର’ ଆପ୍ତ ବାକ୍ୟ ମାଧ୍ୟମରେ ଦୁଇ ପ୍ରଜାତି ମଧ୍ୟରେ ପକ୍ଷପାତ ଆଚରଣ ପାଇଁ ଉସୁକାଇବା ହେଉ ଅବା ‘ଗୋଟିଏ ଗୁଳିରେ ଦୁଇଟି ଶିକାର’ ମାଧ୍ୟମରେ ଜୀବଜନ୍ତୁଙ୍କ ପ୍ରତି ହିଂସା ଆଚରଣ କରିବା ପାଇଁ ପ୍ରେରିତ କରିବା କଥା ହେଉ, ଏ ସବୁଥିରେ ସେହି ପ୍ରଜାତି-ବିଦ୍ୱେଷ ମନସ୍କତା ସ୍ପଷ୍ଟ ଭାବେ ଉଦ୍ଭାସିତ । ପିଲାଟି ଦିନରୁ ଶିଶୁଟିଏକୁ ମାଂସ କଟା ହେଉଥିବା ସ୍ଥାନକୁ ନେଲେ କାଳକ୍ରମେ ତା ନିକଟରୁ ଦୟାଭାବର ସୂକ୍ଷ୍ମ ଚେତନାଟି ଯେପରି ଉଭାନ ହୋଇଯାଇଥାଏ, ଠିକ ସେହିପରି କ୍ରମାଗତ ଭାବେ ଏ ଭଳି ଭାଷାର ପ୍ରୟୋଗ ଯୋଗୁ ପିଲାଟିଏ ଉପରେ ଯେଉଁ କୁପ୍ରଭାବ ପଡେ ସେଥିରେ ସେ ଜୀବଜନ୍ତୁଙ୍କ ପ୍ରତି ହିଂସା ଆଚରଣ କରିବାକୁ ସ୍ୱାଭାବିକ ମଣି ବସେ । ଜୀବଜନ୍ତୁଙ୍କର ଜୀବନ ଥିବାରୁ ସେମାନଙ୍କ ପ୍ରତି ନିର୍ଜୀବ ବସ୍ତୁଙ୍କ ଭଳି ଶବ୍ଦ ବା ଭାଷା ପ୍ରୟୋଗ ନ କରି ଅଧିକରୁ ଅଧିକ ପଶୁ-ବନ୍ଧୁତ୍ୱପୂର୍ଣ୍ଣ ଭାଷାର ପ୍ରୟୋଗ କରାଗଲେ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହେବା ସହ ସମାଜରେ ହିଂସା ହ୍ରାସ ପାଆନ୍ତା ।
   
‘ଜୀବେ ଦୟା’ ବା ଜୀବମାନଙ୍କୁ ଦୟା ପ୍ରଦର୍ଶନ କରିବା ଉଚିତ ବୋଲି ଆମ ଶାସ୍ତ୍ରମାନଙ୍କରେ ଲେଖା ହୋଇଛି ଓ ମହାପୁରୁଷମାନେ ଶିକ୍ଷା ଦେଇ ଆସୁଛନ୍ତି । ତେବେ ଏହାକୁ କାର୍ଯ୍ୟକାରୀ କଲା ବେଳେ ମଣିଷ ଧରି ନିଏ ଯେ ଜୀବମାନଙ୍କୁ ‘ବି’ ଦୟା କରିବା ଉଚିତ । ତେଣୁ ଜୀବଙ୍କ ପ୍ରତି ଦୟା ପ୍ରଦର୍ଶନ ପ୍ରାଥମିକତା ହରାଇଥାଏ । ଜୀବଟିଏ କଷ୍ଟ ପାଇଲେ ମଣିଷ ଭିତରେ ଭାବାନ୍ତର ସୃଷ୍ଟି ହୋଇଥାଏ । କିନ୍ତୁ ଟିକେ ନିରିଖେଇ ଦେଖିଲେ ଏହି ଦୟାଭାବ କେତେ ପକ୍ଷପାତିତାପୂର୍ଣ୍ଣ ଓ ଆପେକ୍ଷିକ, ତାହା ବୁଝି ହେବ । ଆମିଷ ଭକ୍ଷଣ କରୁଥିବା ଲୋକଙ୍କଠାରେ ଚିଙ୍ଗୁଡି, ମାଛ, କୁକୁଡା ବା ଛେଳି ମାଂସ ଖାଇଲା ବେଳେ ଜୀବ ହତ୍ୟା କଥା ଆଦୌ ମନକୁ ଆସି ନଥାଏ । ତେବେ ସେଗୁଡିକୁ ବଧ କଲା ବେଳେ ପ୍ରତ୍ୟକ୍ଷ କରୁଥିବା ଲୋକଙ୍କଠାରେ ଯେଉଁ ଦୟାଭାବ ଉଦ୍ରେକ ହୋଇଥାଏ ସେଥିରେ ପକ୍ଷପାତିତା ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥାଏ । ଯେପରି ଜୀଅନ୍ତା ଚିଙ୍ଗୁଡିଟିଏକୁ ମାରିଲା ବେଳେ ମଣିଷର ପ୍ରାୟତଃ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥାଏ । କାରଣ ଚିଙ୍ଗୁଡିଟିର ରକ୍ତ ବାହାରି ନଥାଏ କି ତାର ପ୍ରତିବାଦର ସ୍ୱର ଶୁଭି ନଥାଏ । ବଡ ମାଛଟିଏ କାଟିଲା ବେଳେ ରକ୍ତ ବାହାରି ସେ ଛଟପଟ ହୋଇଥାଏ, ଯାହା କେହି କେହି ସହି ପାରି ନଥାନ୍ତି । କୁକୁଡାଟିଏ କାଟିଲେ ଯେଉଁ ରକ୍ତସ୍ରାବ ହୋଇଥାଏ ଓ ଚିକ୍ରାର ଶୁଭିିଥାଏ, ଅନେକେ ତାକୁ ପ୍ରତ୍ୟକ୍ଷ କରି ପାରି ନଥାନ୍ତି । କିନ୍ତୁ ଛେଳିଟିଏ କାଟିଲା ବେଳେ ସେ ଦୃଶ୍ୟକୁ ଦେଖୁଥିବା ଅନେକଙ୍କ ମଧ୍ୟରେ ଛେଳିର ବିକଟାଳ କରୁଣ ଚିକ୍ରାର ଓ ଅଜସ୍ର ରକ୍ତସ୍ରାବ ଯୋଗୁ ଭାବାନ୍ତର ସୃଷ୍ଟି ହୋଇ ତାହା ଦୟା ପ୍ରଦର୍ଶନ ଆଡକୁ ଅଗ୍ରସର ହୋଇଥାଏ । ଏହା ଦେଖି କେହିକେହି ତ ଆମିଷ ଭକ୍ଷଣ ପରିତ୍ୟାଗର ନିଷ୍ପତ୍ତି ପର୍ଯ୍ୟନ୍ତ ନେଇଯାନ୍ତି । ଯେତେ ଅଧିକ ଲାଲ ରକ୍ତ କ୍ଷରଣ ହୁଏ ଓ ପ୍ରତିବାଦର ସ୍ୱର ଯେତେ ତୀବ୍ର ହୋଇଥାଏ, ସମ୍ଭବତଃ ମଣିଷର ଦୟା ଭାବ ସେହି ଅନୁପାତରେ ଅଧିକ ହୋଇଥାଏ । ଅର୍ଥାତ, ମଣିଷଠାରେ ପ୍ରାଣୀ ବଧ ଜନିତ ଦୟା ଭାବ ଉଦ୍ରେକ ହେବା, ଅନେକଟା ବଧ ସମୟରେ ପ୍ରାଣୀଠାରୁ ଉତ୍ପନ୍ନ ହେଉଥିବା ଦୃଶ୍ୟ-ଶ୍ରାବ୍ୟ ପ୍ରତିବାଦର ତୀବ୍ରତା ଉପରେ ନିର୍ଭର କରେ । ତେଣୁ ଜୀବଟିର ଆକାର ଯେତେ ବଡ ହୁଏ, ତା ନିକଟରେ ଦୃଶ୍ୟ-ଶ୍ରାବ୍ୟ ପ୍ରତିବାଦର କ୍ଷମତା ସେତେ ଅଧିକ ହୋଇଥିବାରୁ, ସମ୍ଭବତଃ ମଣିଷଠାରେ ଦୟା ଭାବ ସେତିକି ବେଶି ଉଦ୍ରେକ ହୋଇଥାଏ ।

ପ୍ରଜାତି ବୈଷମ୍ୟବାଦକୁ ହ୍ରାସ କରିବାକୁ ହେଲେ ମଣିଷକୁ ଜୀବଜନ୍ତୁ ଆଘାତପ୍ରାପ୍ତ ନ ହେଲା ଭଳି ନିଜ ଜୀବନ ଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିବାକୁ ହେବ । ମଣିଷର ଖାଦ୍ୟରୁ ମାଂସ ଓ କ୍ଷୀର ଭଳି ପଶୁ ଓ ପଶୁଜାତ ଦ୍ରବ୍ୟକୁ ଦୂରେଇ ଅଧିକ ସଂଖ୍ୟକ ଲୋକଙ୍କୁ ନିରାମିଷାସୀ ହେବାକୁ ହେବ । ପୋଷାକରେ ବ୍ୟବହାର ହେଉଥିବା ଚମଡା, ଫର, ଉଲ ଆଦିକୁ ପରିହାର କରିବାକୁ ହେବ । ମଣିଷର ଆମୋଦ ପ୍ରମୋଦ ପାଇଁ ଖେଳ, ସର୍କସ ବା ଚିଡିଆଖାନାରେ ସେମାନଙ୍କୁ କମ ବ୍ୟବହାର କରିବାକୁ ହେବ । ମଣିଷର ସ୍ୱାର୍ଥ ପାଇଁ ଜୀବଜନ୍ତୁଙ୍କ ଉପରେ ହେଉଥିବା ପରୀକ୍ଷା ନିରୀକ୍ଷାରୁ ନିବୃତ୍ତ ହେବାକୁ ହେବ । ବସ୍ତୁତଃ ଖାଦ୍ୟ, ପୋଷାକ, ଖେଳ, ଆମୋଦପ୍ରମୋଦ, ଅଧ୍ୟୟନ, ଗବେଷଣା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଜୀବଜନ୍ତୁଙ୍କ ଉତ୍ପୀଡନ ଓ ଶୋଷଣକୁ ନିରୁତ୍ସାହିତ କରିବାକୁ ହେବ ।
  
ନିଜର ଆବଶ୍ୟକତା ପୂର୍ତ୍ତି ଉଦ୍ଦେଶ୍ୟରେ ମଣିଷ ଅହରହ ଜୀବହତ୍ୟା କରିଚାଲିଛି । ପ୍ରାଣୀମାନେ ପ୍ରତିବାଦର ସ୍ୱର ଉଠାଇ ପାରନ୍ତି ନାହିଁ, କାରଣ ସେମାନେ ସଂଗଠିତ ନୁହନ୍ତି । ଆଉ ଯେଉଁ ମୁହୂର୍ତ୍ତରେ ସେମାନେ ସଂଗଠିତ ହୋଇ ମଣିଷକୁ ଆକ୍ରମଣ କରନ୍ତି, ସେତେବେଳେ ମଣିଷ ସମ୍ପୂର୍ଣ୍ଣ ଅସହାୟ ହୋଇପଡେ । ଜଙ୍ଗଲି କୁକୁରଙ୍କ ସଂଘବଦ୍ଧ ଆକ୍ରମଣର ବିଭୀଷିକା ସମ୍ପର୍କରେ ତ ଅନେକଙ୍କୁ ଜଣା । ତେବେ ମଝିରେ ମଝିରେ ବୁଲା କୁକୁରଙ୍କ ସଂଘବଦ୍ଧ ଆକ୍ରମଣରେ ମଣିଷ କ୍ଷତାକ୍ତ ହେଲେ ବା ପ୍ରାଣ ହରାଇଲେ ବୁଲା କୁକୁରଙ୍କ ‘ଉତ୍ପାତ’, ‘ଉପଦ୍ରବ’ କହି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥାଏ । ମଣିଷ ଯେଉଁ ପରିମାଣରେ ଅନ୍ୟ ପ୍ରଜାତିର ଜୀବଜନ୍ତୁଙ୍କର ହତ୍ୟା କରିଚାଲିଛି ସେହି ତୁଳନାରେ ଅନ୍ୟ ପ୍ରଜାତିଙ୍କ ଦ୍ୱାରା ମଣିଷ ପ୍ରାଣହାନିର ସଂଖ୍ୟା ନଗଣ୍ୟ । ଜୀବଜନ୍ତୁମାନେ ମଣିଷର ଏହି ପକ୍ଷପାତିତାପୂର୍ଣ୍ଣ ଆଚରଣକୁ ‘ଉତ୍ପାତ’ ନ କହି ବୋଧେ ‘ଆତଙ୍କରାଜ’ କହୁଥିବେ ଓ ତ୍ରାହି ତ୍ରାହି ଡାକୁଥିବେ । ମଣିଷଙ୍କ ପ୍ରଜାତି-ବିଦ୍ୱେଷପୂର୍ଣ୍ଣ ଆଚରଣ ବିରୁଦ୍ଧରେ ଜୀବଜଗତର ଅନ୍ୟ ପ୍ରାଣୀମାନେ ସଂଘବଦ୍ଧ ଆକ୍ରମଣ କରିବାର ଅବକାଶ ପାଇଲେ ମଣିଷର ସ୍ଥିତି କଣ ହେବ ! ତେଣୁ ଜୀବଜଗତରେ ମଣିଷ କେବଳ ମଣିଷ ସହ ନୁହେଁ, ବରଂ ସମସ୍ତ ଜୀବଜନ୍ତୁଙ୍କ ସହ ବିଦ୍ୱେଷ-ରହିତ ଭାବେ ସହାବସ୍ଥାନ କରିବାର ଆବଶ୍ୟକତା ରହିଛି ।
    
ମଣିଷ ଦ୍ୱାରା ଶୋଷିତ ନ ହୋଇ ପ୍ରତିଟି ଜୀବର ବଞ୍ଚି ରହିବାର ସମାନ ଅଧିକାର ରହିଛି । ଏହି ସତ୍ୟଟିକୁ ମଣିଷ ତାର ତଥାକଥିତ ଶ୍ରେଷ୍ଠତାର ଦ୍ୱାହି ଦେଇ ମାନିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ସେ ସମସ୍ତ ପ୍ରାଣୀଙ୍କର ମାଲିକ ଓ ସମଗ୍ର ଜୀବଜଗତ ତାର ସମ୍ପତ୍ତି ଭଳି ସେ ଆଚରଣ କରୁଛି । ତାର ଏହି ପ୍ରଜାତି-ବିଦ୍ୱେଷ ମନୋବୃତ୍ତି ପାଇଁ ସମଗ୍ର ଜୀବଜଗତ ଆଜି ବିନାଶର ଦ୍ୱାରଦେଶରେ ଉପନୀତ । ତେତିଶ କୋଟି ଦେବଦେବୀଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ଜୀବଜଗତରେ ଯେ କୋଟି କୋଟି ପ୍ରଜାତିର ଜୀବ ବଞ୍ଚି ରହିଛନ୍ତି, ତାହା ନିଃସନ୍ଦେହ । ଅନ୍ତତଃପକ୍ଷେ, ଅନ୍ୟ ଭାବେ ନ ହେଲେ ବି ଏହି ଜୀବମାନଙ୍କୁ ସେହି ଦେବଦେବୀଙ୍କ ସ୍ଥୂଳ ରୂପ ବୋଲି ଧରି ନେଇ ସେମାନଙ୍କ ପ୍ରତି ବିଦ୍ୱେଷ ଆଚରଣ ବନ୍ଦ କଲେ, ହୁଏତ ଜୀବଜଗତର ଅଶେଷ ମଙ୍ଗଳ ହୋଇ ପାରନ୍ତା । ତେଣୁ ଅତୀତରେ ବର୍ଣ୍ଣ ବୈଷମ୍ୟ ଓ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଯେଉଁ ଭଳି ଭାବେ ତୀବ୍ର ହୋଇଥିଲା ସେହି ଭଳି ଢଙ୍ଗରେ ପ୍ରଜାତି ବୈଷମ୍ୟ ବିରୁଦ୍ଧରେ ବିଭିନ୍ନ ଦେଶରେ ସ୍ୱର ଆହୁରି ଜୋର ହେବାର ଆବଶ୍ୟକତା ଅନୁଭୂତ ହେଉଛି । ନୀତି ନିର୍ଦ୍ଧାରଣ ଓ ଆଇନ ପ୍ରଣୟନ ବେଳେ ‘ମଣିଷ ପ୍ରଥମେ’ ଭାବନାରୁ ଉପରକୁ ଉଠି ସମଗ୍ର ଜୀବଜଗତର ମଙ୍ଗଳକୁ ଧ୍ୟାନରେ ରଖାଗଲେ ଏହି ସୁନ୍ଦର ପୃଥିବୀ ଆହୁରି ସୁନ୍ଦର ହୋଇପାରନ୍ତା ।

Published in Odia daily Nitidin on July 29, 2019

Comments

  1. ପ୍ରଜାତି ବୈଷମ୍ଯବାଦ cruelty against animal ସମ୍ବନ୍ଧରେ ଏକ ଚମତ୍କାର ବିଶ୍ଳେଷଣ ।

    ReplyDelete
    Replies
    1. ଆପଣଙ୍କ ମତାମତ ପାଇଁ ଧନ୍ୟବାଦ

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍