ଧରି ନିଆଯାଉ ଶିଶୁଟିଏ ଓ ଗୋଟିଏ ପୋଷା କୁକୁର ନିଆଁ ଘେର ଭିତରେ ରହିଯାଇଛନ୍ତି ଓ ସେମାନଙ୍କ ଭିତରୁ କେବଳ ଜଣକୁ ବଞ୍ଚାଇ ହେବ । କାହାକୁ ବଞ୍ଚାଇବେ, ଅଧିକାଂଶ ଲୋକଙ୍କୁ ଏ ନେଇ ମୁହୂର୍ତ୍ତଟିଏ ମଧ୍ୟ ଭାବିବାକୁ ହେବନାହିଁ । ସ୍ୱାଭାବିକ ଭାବେ ଶିଶୁଟିକୁ ବଞ୍ଚାଇବା ଅଧିକାଂଶଙ୍କର ପ୍ରାଥମିକତା ହେବ ଓ କୁକୁରକୁ ବଞ୍ଚାଇବା କଥା ମନକୁ ଆସିବ ନାହିଁ । ଅଧିକନ୍ତୁ ନୈତିକ ଦୃଷ୍ଟିରୁ କାହାକୁ ବଞ୍ଚାଇବା ଠିକ ହେବ ବୋଲି ଭାବିବାରେ କାଳ ବିଳମ୍ବ କରୁଥିିବା ଲୋକଟି ଯେ ସମାଜ ଦ୍ୱାରା ଭର୍ତ୍ସିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ମଣିଷର ଏ ଭଳି ଆଚରଣ ତାଠାରେ ସନ୍ନିହିତ ପ୍ରଜାତି-ବିଦ୍ୱେଷର ପରିପ୍ରକାଶ ମାତ୍ର । ମଣିଷର ବିଶ୍ୱାସ ଯେ ସେ ଜୀବଜଗତର ଶ୍ରେଷ୍ଠ ଜୀବ । ତେଣୁ ନୀତିଗତ ଭାବେ ତାର ଅଧିକାର ଓ ପ୍ରାପ୍ୟ ଅନ୍ୟ ଯେ କୌଣସି ଜୀବ ଅପେକ୍ଷା ନିଶ୍ଚିତ ଭାବେ ଅଧିକ ବୋଲି ତାର ବଦ୍ଧମୂଳ ଧାରଣା । ଆଉ ଏହି ଧାରଣାକୁ ହିଁ ‘ପ୍ରଜାତି ବୈଷମ୍ୟବାଦ’ ବା ‘ସ୍ପେସିସିଜମ’ କୁହାଯାଇଥାଏ ।
ମନସ୍ତତ୍ତ୍ଵବିଦ୍ ରିଚାର୍ଡ ରାଇଡରଙ୍କ ଦ୍ୱାରା ୧୯୭୩ ମସିହାରେ ସୃଷ୍ଟ ଏହି ଶବ୍ଦଟିକୁ ବ୍ୟାଖ୍ୟା କରି ସେ କହିଥିଲେ ଯେ ଅନ୍ୟ ଭେଦଭାବପୂର୍ଣ୍ଣ ଆଚରଣଗୁଡିକ ପରି ପ୍ରଜାତି ବୈଷମ୍ୟବାଦରେ ମଧ୍ୟ ପକ୍ଷପାତିତା କରୁଥିବା ଓ ପକ୍ଷପାତର ଶିକାର ହେଉଥିବା ଉଭୟଙ୍କ ମଧ୍ୟରେ ଥିବା ସମାନତାକୁ ଅଣଦେଖା କରାଯାଉଥିବା ବେଳେ ବିଷମତାକୁ ଗୁରୁତ୍ୱ ଦିଆଯାଇଥାଏ । ତେବେ ୧୯୭୫ ମସିହାରେ ଦାର୍ଶନିକ ପିଟର ସିଙ୍ଗର ତାଙ୍କ ପୁସ୍ତକ ‘ଆନିମଲ ଲିବରେସନ’ରେ ପ୍ରଜାତି ବୈଷମ୍ୟବାଦକୁ ଅନ୍ୟ ପ୍ରଜାତିର ସ୍ୱାର୍ଥ ବିରୁଦ୍ଧରେ ଯାଇ ନିଜ ପ୍ରଜାତିର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଏକ ପକ୍ଷପାତିତାପୂର୍ଣ୍ଣ ଆଚରଣ ବୋଲି ବର୍ଣ୍ଣନା କରିଛନ୍ତି । ମଣିଷର ଇଚ୍ଛା, ଆବଶ୍ୟକତା ଓ ସ୍ୱାର୍ଥର ପରିପୂରଣ ସର୍ବାଗ୍ରେ ଓ ଏଥିପାଇଁ ଅନ୍ୟ ଜୀବଜନ୍ତୁଙ୍କ ସ୍ୱାର୍ଥକୁ ଯେ ଜଳାଞ୍ଜଳି ଦେଇ ହେବ, ତାହା ପ୍ରଜାତି ବୈଷମ୍ୟବାଦରେ ବିଶ୍ୱାସ କରୁଥିବା ଲୋକେ ଅନାୟାସରେ ଗ୍ରହଣ କରନ୍ତି । ନଦୀ, ପାହାଡ, ଜଙ୍ଗଲଠାରୁ ଆରମ୍ଭ କରି ସମସ୍ତ ପ୍ରାକୃତିକ ସମ୍ପଦ ଯେପରି କେବଳ ମଣିଷ ପାଇଁ ସୃଷ୍ଟି ହୋଇଛି ଓ ସେଗୁଡିକ ଉପରେ ତାର ଏକଚାଟିଆ ଅଧିକାର ବୋଲି ତାର ଧାରଣା । ଏଥିପାଇଁ ଅନ୍ୟ ଜୀବଙ୍କ ପ୍ରତି ହିଂସା ଆଚରଣ କରିବାକୁ ବିବେକ ଅନୁମୋଦନ କରୁ ନଥିଲେ ମଧ୍ୟ, ତାହା କରିବାକୁ ସେ କୁଣ୍ଠାବୋଧ କରି ନଥାଏ । ଆମେରିକୀୟ ଲେଖକ ଏଲିସ ଓ୍ଵାକର ତାଙ୍କ ‘କଲର ପରପଲ୍’ ପୁସ୍ତକରେ ଲେଖିଛନ୍ତି, ‘ଜଗତରେ ପ୍ରାଣୀମାନେ ତାଙ୍କ ନିଜ ପାଇଁ ବଞ୍ଚିଥାନ୍ତି । କୃଷ୍ଣକାୟମାନେ ଯେପରି ଶ୍ୱେତକାୟଙ୍କ ପାଇଁ ତିଆରିି ହୋଇନାହାନ୍ତି ବା ମହିଳାମାନେ ଯେପରି ପୁରୁଷମାନଙ୍କ ଉଦ୍ଦେଶ୍ୟରେ ସୃଷ୍ଟି ହୋଇନାହାନ୍ତି, ଠିକ ସେହିପରି ସେମାନେ ମଧ୍ୟ ମଣିଷର ଆବଶ୍ୟକତାର ପରିପୂର୍ତ୍ତି ଲାଗି ସୃଷ୍ଟି ହୋଇନାହାନ୍ତି ।’ ତେଣୁ ପ୍ରଜାତି ବୈଷମ୍ୟବାଦ ସମସ୍ୟା, ବର୍ଣ୍ଣ ବୈଷମ୍ୟ (ରେସିଜମ) ଓ ଲିଙ୍ଗଗତ ବୈଷମ୍ୟ (ସେକ୍ସିଜମ) ସମସ୍ୟା ତୁଳନାରେ କୌଣସି ଭାବେ କମ ଉତ୍କଟ ନୁହେଁ । ଏହି ପ୍ରଜାତି ବୈଷମ୍ୟବାଦ ବିଭିନ୍ନ ରୂପରେ ପରିପ୍ରକାଶ ହୋଇଥାଏ । ଯେପରି ମଣିଷର ଆବଶ୍ୟକତା ପୂରଣ ଲାଗି ଅନ୍ୟ ଜୀବଜନ୍ତୁ ସାମଗ୍ରୀ ପାଲଟି ଯାଆନ୍ତି । ସେମାନଙ୍କ ବଞ୍ଚି ରହିବା ବା ନ ରହିବା ମଣିଷର ଆପେକ୍ଷିକ ଲାଭକ୍ଷତି ଉପରେ ନିର୍ଭର କରିଥାଏ । ସ୍ଥଳ ବିଶେଷରେ କେତେକ ପ୍ରଜାତି ଅନ୍ୟ ପ୍ରଜାତି ତୁଳନାରେ ମଣିଷ ଲାଗି ଅଧିକ ଗୁରୁତ୍ୱ ବହନ କରନ୍ତି ଓ ତାର ଅଧିକ ପସନ୍ଦର ହୋଇଯାଆନ୍ତି । ଯେମିତି ପଶ୍ଚିମର ଦେଶଗୁଡିକରେ କୁକୁର ଓ ବିଲେଇଙ୍କୁ ‘ବନ୍ଧୁ’ ଭାବେ ଗ୍ରହଣ କରାଯାଇ ସେମାନଙ୍କୁ, ‘ଖାଦ୍ୟ’ ଭାବେ ବିବେଚନା କରାଯାଉଥିବା ଗାଈ, ଛେଳି, ଘୁଷୁରୀଙ୍କଠାରୁ ଉଚ୍ଚ ସ୍ଥାନରେ ରଖାଯାଉଥିବା ବେଳେ, ଭାରତରେ ଗାଈକୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଉଚ୍ଚତର ସ୍ଥାନ ପ୍ରଦାନ କରି ‘ଗୋମାତା’ କହି ପୂଜା କରାଯାଇଥାଏ । ସମାଜରେ ଥିବା ଏହି ପକ୍ଷପାତପୂର୍ଣ୍ଣ ମାନସିକତା ପିଲାଟିଏକୁ ନିର୍ଦ୍ଦିଷ୍ଟ ପ୍ରଜାତି ପ୍ରତି ଅଧିକ ଯତ୍ନବାନ ହେବା କଥା ଶିଖାଉଥିବା ବେଳେ ଅନ୍ୟ ପ୍ରଜାତି ପ୍ରତି ଘୃଣା ପ୍ରଦର୍ଶନ ଓ ହିଂସା ଆଚରଣ କରିବା କଥା ମଧ୍ୟ କହିଥାଏ । ଅନ୍ୟ ପ୍ରାଣୀଙ୍କ ତୁଳନାରେ ଗାଈ ପ୍ରତି ଅତ୍ୟଧିକ ସମ୍ମାନ ପ୍ରଦର୍ଶନ କରିବା, ବୁଲା କୁକୁରକୁ ଆଘାତ ଦେବା, ଏଣ୍ଡୁଅକୁ ପଥର ମାରି ହତ୍ୟା କରିବା ଆଦି ଏହାର ନିଦର୍ଶନ ମାତ୍ର । ସେହିପରି ମଣିଷର ଛୋଟଛୋଟ ସ୍ୱାର୍ଥର ପରିପୂର୍ତ୍ତି ଆଗରେ ଅନ୍ୟ ଜୀବଙ୍କ ଭଲମନ୍ଦ ବିବେଚନା ତୁଚ୍ଛ ପାଲଟିଯାଏ । ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଉପୁଜିଲେ ମଣିଷର ସ୍ୱାର୍ଥ ସୁରକ୍ଷା ସର୍ବଦା ଅଗ୍ରାଧିକାର ପାଇଥାଏ । ସେଥିପାଇଁ ଜୀବଜନ୍ତୁଙ୍କ ସୁରକ୍ଷା ଓ ଯନ୍ତ୍ରଣାକୁ ସହଜରେ ଆଖି ବୁଜି ଦେଇ ହୁଏ ।
ପ୍ରଜାତି ବୈଷମ୍ୟବାଦର ଏକ ବଡ କାରଣ ହେଉଛି ଜୀବଜନ୍ତ୍ରୁୁଙ୍କୁ ହେୟ ଜ୍ଞାନ କରି ଆମେ ପ୍ରୟୋଗ କରୁଥିବା ଶବ୍ଦ ଓ ଭାଷା । ଯେପରି ଅନ୍ୟକୁ ‘କୁକୁର’ ବା ‘ଗଧ’ କହିବା । ଏପରିକି ଅନ୍ୟ ଭାଷାରୁ ଉଧାର ଆଣି ‘ସୁଅର କେ ବଚ୍ଚେ’, ‘କୁତ୍ତେ କେ ପିଲ୍ଲେ’ ଭଳି ଗାଳି ମଧ୍ୟ ବ୍ୟବହାର ହେବାକୁ ଲାଗିଲାଣି । ‘ଶଙ୍ଖ ଚିଲ ଭାଇ ନମସ୍କାର, ମାଟିଆ ଚିଲକୁ ଗୋଇଠା ମାର’ ଆପ୍ତ ବାକ୍ୟ ମାଧ୍ୟମରେ ଦୁଇ ପ୍ରଜାତି ମଧ୍ୟରେ ପକ୍ଷପାତ ଆଚରଣ ପାଇଁ ଉସୁକାଇବା ହେଉ ଅବା ‘ଗୋଟିଏ ଗୁଳିରେ ଦୁଇଟି ଶିକାର’ ମାଧ୍ୟମରେ ଜୀବଜନ୍ତୁଙ୍କ ପ୍ରତି ହିଂସା ଆଚରଣ କରିବା ପାଇଁ ପ୍ରେରିତ କରିବା କଥା ହେଉ, ଏ ସବୁଥିରେ ସେହି ପ୍ରଜାତି-ବିଦ୍ୱେଷ ମନସ୍କତା ସ୍ପଷ୍ଟ ଭାବେ ଉଦ୍ଭାସିତ । ପିଲାଟି ଦିନରୁ ଶିଶୁଟିଏକୁ ମାଂସ କଟା ହେଉଥିବା ସ୍ଥାନକୁ ନେଲେ କାଳକ୍ରମେ ତା ନିକଟରୁ ଦୟାଭାବର ସୂକ୍ଷ୍ମ ଚେତନାଟି ଯେପରି ଉଭାନ ହୋଇଯାଇଥାଏ, ଠିକ ସେହିପରି କ୍ରମାଗତ ଭାବେ ଏ ଭଳି ଭାଷାର ପ୍ରୟୋଗ ଯୋଗୁ ପିଲାଟିଏ ଉପରେ ଯେଉଁ କୁପ୍ରଭାବ ପଡେ ସେଥିରେ ସେ ଜୀବଜନ୍ତୁଙ୍କ ପ୍ରତି ହିଂସା ଆଚରଣ କରିବାକୁ ସ୍ୱାଭାବିକ ମଣି ବସେ । ଜୀବଜନ୍ତୁଙ୍କର ଜୀବନ ଥିବାରୁ ସେମାନଙ୍କ ପ୍ରତି ନିର୍ଜୀବ ବସ୍ତୁଙ୍କ ଭଳି ଶବ୍ଦ ବା ଭାଷା ପ୍ରୟୋଗ ନ କରି ଅଧିକରୁ ଅଧିକ ପଶୁ-ବନ୍ଧୁତ୍ୱପୂର୍ଣ୍ଣ ଭାଷାର ପ୍ରୟୋଗ କରାଗଲେ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହେବା ସହ ସମାଜରେ ହିଂସା ହ୍ରାସ ପାଆନ୍ତା ।
‘ଜୀବେ ଦୟା’ ବା ଜୀବମାନଙ୍କୁ ଦୟା ପ୍ରଦର୍ଶନ କରିବା ଉଚିତ ବୋଲି ଆମ ଶାସ୍ତ୍ରମାନଙ୍କରେ ଲେଖା ହୋଇଛି ଓ ମହାପୁରୁଷମାନେ ଶିକ୍ଷା ଦେଇ ଆସୁଛନ୍ତି । ତେବେ ଏହାକୁ କାର୍ଯ୍ୟକାରୀ କଲା ବେଳେ ମଣିଷ ଧରି ନିଏ ଯେ ଜୀବମାନଙ୍କୁ ‘ବି’ ଦୟା କରିବା ଉଚିତ । ତେଣୁ ଜୀବଙ୍କ ପ୍ରତି ଦୟା ପ୍ରଦର୍ଶନ ପ୍ରାଥମିକତା ହରାଇଥାଏ । ଜୀବଟିଏ କଷ୍ଟ ପାଇଲେ ମଣିଷ ଭିତରେ ଭାବାନ୍ତର ସୃଷ୍ଟି ହୋଇଥାଏ । କିନ୍ତୁ ଟିକେ ନିରିଖେଇ ଦେଖିଲେ ଏହି ଦୟାଭାବ କେତେ ପକ୍ଷପାତିତାପୂର୍ଣ୍ଣ ଓ ଆପେକ୍ଷିକ, ତାହା ବୁଝି ହେବ । ଆମିଷ ଭକ୍ଷଣ କରୁଥିବା ଲୋକଙ୍କଠାରେ ଚିଙ୍ଗୁଡି, ମାଛ, କୁକୁଡା ବା ଛେଳି ମାଂସ ଖାଇଲା ବେଳେ ଜୀବ ହତ୍ୟା କଥା ଆଦୌ ମନକୁ ଆସି ନଥାଏ । ତେବେ ସେଗୁଡିକୁ ବଧ କଲା ବେଳେ ପ୍ରତ୍ୟକ୍ଷ କରୁଥିବା ଲୋକଙ୍କଠାରେ ଯେଉଁ ଦୟାଭାବ ଉଦ୍ରେକ ହୋଇଥାଏ ସେଥିରେ ପକ୍ଷପାତିତା ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥାଏ । ଯେପରି ଜୀଅନ୍ତା ଚିଙ୍ଗୁଡିଟିଏକୁ ମାରିଲା ବେଳେ ମଣିଷର ପ୍ରାୟତଃ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥାଏ । କାରଣ ଚିଙ୍ଗୁଡିଟିର ରକ୍ତ ବାହାରି ନଥାଏ କି ତାର ପ୍ରତିବାଦର ସ୍ୱର ଶୁଭି ନଥାଏ । ବଡ ମାଛଟିଏ କାଟିଲା ବେଳେ ରକ୍ତ ବାହାରି ସେ ଛଟପଟ ହୋଇଥାଏ, ଯାହା କେହି କେହି ସହି ପାରି ନଥାନ୍ତି । କୁକୁଡାଟିଏ କାଟିଲେ ଯେଉଁ ରକ୍ତସ୍ରାବ ହୋଇଥାଏ ଓ ଚିକ୍ରାର ଶୁଭିିଥାଏ, ଅନେକେ ତାକୁ ପ୍ରତ୍ୟକ୍ଷ କରି ପାରି ନଥାନ୍ତି । କିନ୍ତୁ ଛେଳିଟିଏ କାଟିଲା ବେଳେ ସେ ଦୃଶ୍ୟକୁ ଦେଖୁଥିବା ଅନେକଙ୍କ ମଧ୍ୟରେ ଛେଳିର ବିକଟାଳ କରୁଣ ଚିକ୍ରାର ଓ ଅଜସ୍ର ରକ୍ତସ୍ରାବ ଯୋଗୁ ଭାବାନ୍ତର ସୃଷ୍ଟି ହୋଇ ତାହା ଦୟା ପ୍ରଦର୍ଶନ ଆଡକୁ ଅଗ୍ରସର ହୋଇଥାଏ । ଏହା ଦେଖି କେହିକେହି ତ ଆମିଷ ଭକ୍ଷଣ ପରିତ୍ୟାଗର ନିଷ୍ପତ୍ତି ପର୍ଯ୍ୟନ୍ତ ନେଇଯାନ୍ତି । ଯେତେ ଅଧିକ ଲାଲ ରକ୍ତ କ୍ଷରଣ ହୁଏ ଓ ପ୍ରତିବାଦର ସ୍ୱର ଯେତେ ତୀବ୍ର ହୋଇଥାଏ, ସମ୍ଭବତଃ ମଣିଷର ଦୟା ଭାବ ସେହି ଅନୁପାତରେ ଅଧିକ ହୋଇଥାଏ । ଅର୍ଥାତ, ମଣିଷଠାରେ ପ୍ରାଣୀ ବଧ ଜନିତ ଦୟା ଭାବ ଉଦ୍ରେକ ହେବା, ଅନେକଟା ବଧ ସମୟରେ ପ୍ରାଣୀଠାରୁ ଉତ୍ପନ୍ନ ହେଉଥିବା ଦୃଶ୍ୟ-ଶ୍ରାବ୍ୟ ପ୍ରତିବାଦର ତୀବ୍ରତା ଉପରେ ନିର୍ଭର କରେ । ତେଣୁ ଜୀବଟିର ଆକାର ଯେତେ ବଡ ହୁଏ, ତା ନିକଟରେ ଦୃଶ୍ୟ-ଶ୍ରାବ୍ୟ ପ୍ରତିବାଦର କ୍ଷମତା ସେତେ ଅଧିକ ହୋଇଥିବାରୁ, ସମ୍ଭବତଃ ମଣିଷଠାରେ ଦୟା ଭାବ ସେତିକି ବେଶି ଉଦ୍ରେକ ହୋଇଥାଏ ।
ପ୍ରଜାତି ବୈଷମ୍ୟବାଦକୁ ହ୍ରାସ କରିବାକୁ ହେଲେ ମଣିଷକୁ ଜୀବଜନ୍ତୁ ଆଘାତପ୍ରାପ୍ତ ନ ହେଲା ଭଳି ନିଜ ଜୀବନ ଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିବାକୁ ହେବ । ମଣିଷର ଖାଦ୍ୟରୁ ମାଂସ ଓ କ୍ଷୀର ଭଳି ପଶୁ ଓ ପଶୁଜାତ ଦ୍ରବ୍ୟକୁ ଦୂରେଇ ଅଧିକ ସଂଖ୍ୟକ ଲୋକଙ୍କୁ ନିରାମିଷାସୀ ହେବାକୁ ହେବ । ପୋଷାକରେ ବ୍ୟବହାର ହେଉଥିବା ଚମଡା, ଫର, ଉଲ ଆଦିକୁ ପରିହାର କରିବାକୁ ହେବ । ମଣିଷର ଆମୋଦ ପ୍ରମୋଦ ପାଇଁ ଖେଳ, ସର୍କସ ବା ଚିଡିଆଖାନାରେ ସେମାନଙ୍କୁ କମ ବ୍ୟବହାର କରିବାକୁ ହେବ । ମଣିଷର ସ୍ୱାର୍ଥ ପାଇଁ ଜୀବଜନ୍ତୁଙ୍କ ଉପରେ ହେଉଥିବା ପରୀକ୍ଷା ନିରୀକ୍ଷାରୁ ନିବୃତ୍ତ ହେବାକୁ ହେବ । ବସ୍ତୁତଃ ଖାଦ୍ୟ, ପୋଷାକ, ଖେଳ, ଆମୋଦପ୍ରମୋଦ, ଅଧ୍ୟୟନ, ଗବେଷଣା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଜୀବଜନ୍ତୁଙ୍କ ଉତ୍ପୀଡନ ଓ ଶୋଷଣକୁ ନିରୁତ୍ସାହିତ କରିବାକୁ ହେବ ।
ନିଜର ଆବଶ୍ୟକତା ପୂର୍ତ୍ତି ଉଦ୍ଦେଶ୍ୟରେ ମଣିଷ ଅହରହ ଜୀବହତ୍ୟା କରିଚାଲିଛି । ପ୍ରାଣୀମାନେ ପ୍ରତିବାଦର ସ୍ୱର ଉଠାଇ ପାରନ୍ତି ନାହିଁ, କାରଣ ସେମାନେ ସଂଗଠିତ ନୁହନ୍ତି । ଆଉ ଯେଉଁ ମୁହୂର୍ତ୍ତରେ ସେମାନେ ସଂଗଠିତ ହୋଇ ମଣିଷକୁ ଆକ୍ରମଣ କରନ୍ତି, ସେତେବେଳେ ମଣିଷ ସମ୍ପୂର୍ଣ୍ଣ ଅସହାୟ ହୋଇପଡେ । ଜଙ୍ଗଲି କୁକୁରଙ୍କ ସଂଘବଦ୍ଧ ଆକ୍ରମଣର ବିଭୀଷିକା ସମ୍ପର୍କରେ ତ ଅନେକଙ୍କୁ ଜଣା । ତେବେ ମଝିରେ ମଝିରେ ବୁଲା କୁକୁରଙ୍କ ସଂଘବଦ୍ଧ ଆକ୍ରମଣରେ ମଣିଷ କ୍ଷତାକ୍ତ ହେଲେ ବା ପ୍ରାଣ ହରାଇଲେ ବୁଲା କୁକୁରଙ୍କ ‘ଉତ୍ପାତ’, ‘ଉପଦ୍ରବ’ କହି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥାଏ । ମଣିଷ ଯେଉଁ ପରିମାଣରେ ଅନ୍ୟ ପ୍ରଜାତିର ଜୀବଜନ୍ତୁଙ୍କର ହତ୍ୟା କରିଚାଲିଛି ସେହି ତୁଳନାରେ ଅନ୍ୟ ପ୍ରଜାତିଙ୍କ ଦ୍ୱାରା ମଣିଷ ପ୍ରାଣହାନିର ସଂଖ୍ୟା ନଗଣ୍ୟ । ଜୀବଜନ୍ତୁମାନେ ମଣିଷର ଏହି ପକ୍ଷପାତିତାପୂର୍ଣ୍ଣ ଆଚରଣକୁ ‘ଉତ୍ପାତ’ ନ କହି ବୋଧେ ‘ଆତଙ୍କରାଜ’ କହୁଥିବେ ଓ ତ୍ରାହି ତ୍ରାହି ଡାକୁଥିବେ । ମଣିଷଙ୍କ ପ୍ରଜାତି-ବିଦ୍ୱେଷପୂର୍ଣ୍ଣ ଆଚରଣ ବିରୁଦ୍ଧରେ ଜୀବଜଗତର ଅନ୍ୟ ପ୍ରାଣୀମାନେ ସଂଘବଦ୍ଧ ଆକ୍ରମଣ କରିବାର ଅବକାଶ ପାଇଲେ ମଣିଷର ସ୍ଥିତି କଣ ହେବ ! ତେଣୁ ଜୀବଜଗତରେ ମଣିଷ କେବଳ ମଣିଷ ସହ ନୁହେଁ, ବରଂ ସମସ୍ତ ଜୀବଜନ୍ତୁଙ୍କ ସହ ବିଦ୍ୱେଷ-ରହିତ ଭାବେ ସହାବସ୍ଥାନ କରିବାର ଆବଶ୍ୟକତା ରହିଛି ।
ମଣିଷ ଦ୍ୱାରା ଶୋଷିତ ନ ହୋଇ ପ୍ରତିଟି ଜୀବର ବଞ୍ଚି ରହିବାର ସମାନ ଅଧିକାର ରହିଛି । ଏହି ସତ୍ୟଟିକୁ ମଣିଷ ତାର ତଥାକଥିତ ଶ୍ରେଷ୍ଠତାର ଦ୍ୱାହି ଦେଇ ମାନିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ସେ ସମସ୍ତ ପ୍ରାଣୀଙ୍କର ମାଲିକ ଓ ସମଗ୍ର ଜୀବଜଗତ ତାର ସମ୍ପତ୍ତି ଭଳି ସେ ଆଚରଣ କରୁଛି । ତାର ଏହି ପ୍ରଜାତି-ବିଦ୍ୱେଷ ମନୋବୃତ୍ତି ପାଇଁ ସମଗ୍ର ଜୀବଜଗତ ଆଜି ବିନାଶର ଦ୍ୱାରଦେଶରେ ଉପନୀତ । ତେତିଶ କୋଟି ଦେବଦେବୀଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ଜୀବଜଗତରେ ଯେ କୋଟି କୋଟି ପ୍ରଜାତିର ଜୀବ ବଞ୍ଚି ରହିଛନ୍ତି, ତାହା ନିଃସନ୍ଦେହ । ଅନ୍ତତଃପକ୍ଷେ, ଅନ୍ୟ ଭାବେ ନ ହେଲେ ବି ଏହି ଜୀବମାନଙ୍କୁ ସେହି ଦେବଦେବୀଙ୍କ ସ୍ଥୂଳ ରୂପ ବୋଲି ଧରି ନେଇ ସେମାନଙ୍କ ପ୍ରତି ବିଦ୍ୱେଷ ଆଚରଣ ବନ୍ଦ କଲେ, ହୁଏତ ଜୀବଜଗତର ଅଶେଷ ମଙ୍ଗଳ ହୋଇ ପାରନ୍ତା । ତେଣୁ ଅତୀତରେ ବର୍ଣ୍ଣ ବୈଷମ୍ୟ ଓ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଯେଉଁ ଭଳି ଭାବେ ତୀବ୍ର ହୋଇଥିଲା ସେହି ଭଳି ଢଙ୍ଗରେ ପ୍ରଜାତି ବୈଷମ୍ୟ ବିରୁଦ୍ଧରେ ବିଭିନ୍ନ ଦେଶରେ ସ୍ୱର ଆହୁରି ଜୋର ହେବାର ଆବଶ୍ୟକତା ଅନୁଭୂତ ହେଉଛି । ନୀତି ନିର୍ଦ୍ଧାରଣ ଓ ଆଇନ ପ୍ରଣୟନ ବେଳେ ‘ମଣିଷ ପ୍ରଥମେ’ ଭାବନାରୁ ଉପରକୁ ଉଠି ସମଗ୍ର ଜୀବଜଗତର ମଙ୍ଗଳକୁ ଧ୍ୟାନରେ ରଖାଗଲେ ଏହି ସୁନ୍ଦର ପୃଥିବୀ ଆହୁରି ସୁନ୍ଦର ହୋଇପାରନ୍ତା ।
Published in Odia daily Nitidin on July 29, 2019
ପ୍ରଜାତି ବୈଷମ୍ଯବାଦ cruelty against animal ସମ୍ବନ୍ଧରେ ଏକ ଚମତ୍କାର ବିଶ୍ଳେଷଣ ।
ReplyDeleteଆପଣଙ୍କ ମତାମତ ପାଇଁ ଧନ୍ୟବାଦ
Delete