କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ହେଲା ପରେ ଏହାକୁ ଭାରତର ମୁଖ୍ୟ ଭୂଖଣ୍ଡରେ ସ୍ୱାଗତ କରାଯାଇଥିବା ବେଳେ କାଶ୍ମୀର ଘାଟିରେ ସ୍ଥିତି ବିପରୀତ । ତେବେ କାଶ୍ମୀରର ଲୋକଙ୍କୁ ବିଶ୍ୱାସକୁ ନ ନେଇ ବା ସେମାନଙ୍କ ସହ ବିଚାର ବିମର୍ଶ ନ କରି ଯେଉଁ ଭଳି ଢଙ୍ଗରେ ଏହି ଧାରାଟିକୁ ଉଚ୍ଛେଦ କରାଗଲା ଓ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରି ଦିଆଗଲା, ତାକୁ ଅନେକେ ଆଇନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ବୋଲି କହିଛନ୍ତିି । ଇତି ମଧ୍ୟରେ ରାଷ୍ଟ୍ରପତିଙ୍କ ଆଦେଶକୁ ଅସାମ୍ବିଧାନିକ, ଅବୈଧ ଓ ମନୋମୁଖୀ ବୋଲି ଦର୍ଶାଇ ନେସନାଲ କନଫରେନ୍ସ ଦଳ ସମେତ ଏକାଧିକ ବ୍ୟକ୍ତି ବିଶେଷ ସୁପ୍ରିମ କୋର୍ଟରେ ଭିନ୍ନ ଭିନ୍ନ ମାମଲା ଦାୟର କରି ସାରିଲେଣି । ଧାରାଟିର ଉଚ୍ଛେଦ ପ୍ରକ୍ରିୟା ଉପରେ ନ୍ୟାୟିକ ଦିଗରୁ ଆଇନଜ୍ଞଙ୍କ ମଧ୍ୟରେ ମତୈକ୍ୟ ନଥିବା ବେଳେ ରାମ ଜେଠମାଲାନୀ, ଏ ଜି ନୁରାନୀ, ହରିଶ ସାଲଭେଙ୍କ ଭଳି ବିଶିଷ୍ଟ ଆଇନଜ୍ଞମାନେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସାରିଲେଣି । ଏହି ଧାରା ଉଚ୍ଛେଦର ଯେଉଁ ଦିଗଗୁଡିକ ନ୍ୟାୟିକ ଯାଞ୍ଚର ପରିସରଭୁକ୍ତ ହୋଇପାରେ, ସେଗୁଡିକୁ ଆଲୋଚନା କରାଯାଉ ।
ଭାରତରେ ମିଶ୍ରଣ ସମୟରେ ଦେଶୀୟ ରାଜ୍ୟଗୁଡିକୁୁ ଭାରତୀୟ ସମ୍ବିଧାନ ପ୍ରଣୟନ ସଭାକୁ ନିଜ ପ୍ରତିନିଧି ପଠାଇବା ପାଇଁ ଅନୁରୋଧ କରାଯିବା ସହିତ ସେମାନେ ଚାହିଁଲେ ନିଜସ୍ୱ ସମ୍ବିଧାନ ପ୍ରଣୟନ କରିବା ପାଇଁ ସମ୍ବିଧାନ ସଭା ଗଠନ କରି ପାରିବେ ବୋଲି କୁହା ଯାଇଥିଲା । ଏପରିକି ମହୀଶୂର, ଟ୍ରାଭାଙ୍କୋର-କୋଚିନ ଓ ସୌରାଷ୍ଟ୍ର ୟୁନିଅନ ଭଳି ରାଜ୍ୟଗୁଡିକ ସମ୍ବିଧାନ ସଭା ଗଠନ କରିଥିଲେ । ହେଲେ ଶେଷରେ ସବୁ ଗଡଜାତ ରାଜ୍ୟ ଭାରତୀୟ ସମ୍ବିଧାନକୁ ଗ୍ରହଣ କରି ନେଇଥିଲେ । କେବଳ କାଶ୍ମୀର ରାଜ୍ୟ ପରିଗ୍ରହଣ ଚୁକ୍ତିନାମା (ଇନଷ୍ଟ୍ରୁମେଣ୍ଟ ଅଫ ଆକସେସନ)କୁ ସଠିକ ଭାବେ କାର୍ଯ୍ୟକାରୀ କରାଇବା ପାଇଁ ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭା ଜରିଆରେ ଏକ ନିଜସ୍ୱ ସମ୍ବିଧାନ ତିଆରି କରିଥିଲା । ବହୁ ବିତର୍କ ପରେ ଭାରତୀୟ ସମ୍ବିଧାନ ସଭାରେ ପରିଗ୍ରହଣ ସର୍ତ୍ତ ଅନୁଯାୟୀ ଜାମ୍ମୁ-କାଶ୍ମୀରକୁ ଏକ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରିବା ପାଇଁ ଆପୋଷ ସହମତି କ୍ରମେ ଭାରତୀୟ ସମ୍ବିଧାନରେ ଧାରା ୩୭୦କୁ ସ୍ଥାନ ଦିଆଯାଇଥିଲା । ତେବେ ସେହି ଧାରାକୁ ବ୍ୟବହାର କରି ୧୯୫୦, ୧୯୫୨ ଓ ୧୯୫୪ ମସିହାରେ ରାଷ୍ଟ୍ରପତିଙ୍କ ଆଦେଶ ବଳରେ ସମ୍ବିଧାନର ବିଭିନ୍ନ ଧାରା ଜାମ୍ମୁ-କାଶ୍ମୀର ରାଜ୍ୟ ପ୍ରତି ଲାଗୁ କରାଯାଇଛି ବା ବାଦ ରଖାଯାଇଛି । ତାପରେ ୧୯୯୪ ସୁଦ୍ଧା ରାଷ୍ଟ୍ରପତିଙ୍କ ଆଦେଶ ବଳରେ ୪୭ ଥର ଧାରା ୩୭୦ରେ ସଂଶୋଧନ କରାଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ ରାଜ୍ୟ ସରକାରଙ୍କ ସହମତି କ୍ରମେ ହୋଇଥିବା ବେଳେ କେତୋଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ରହିଥିବା ଅବସ୍ଥାରେ କରାଯାଇଥିଲା । ଏକ ଟିପ୍ପଣୀରେ ଏହି ଧାରାଟି ଏକ ସାମୟିକ ଧାରା ବୋଲି ଉଲ୍ଲେଖ ରହିଥିବାରୁ ଦୀର୍ଘ ଦିନ ଧରି ଏହାକୁ ଉଚ୍ଛେଦ କରିବା ପାଇଁ ଦାବି ହୋଇ ଆସୁଥିଲା । ଧାରା ୩୭୦ର ଉପଧାରା ୩ ଅନୁଯାୟୀ ରାଷ୍ଟ୍ରପତି ଏହି ଧାରାକୁ ଉଚ୍ଛେଦ କରିପାରିବେ । ତେବେ ଏଥିପାଇଁ ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭାର ସୁପାରିଶ ଆବଶ୍ୟକ । ଉଲ୍ଲେଖଯୋଗ୍ୟ, ସେଠାରେ ସମ୍ବିଧାନ ପ୍ରଣୟନ ପରେ ୧୯୫୭ ମସିହାରେ ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭାକୁ ଭାଙ୍ଗି ଦିଆ ଯାଇଥିଲା । ସମ୍ବିଧାନ ବିଶାରଦ ଏ ଜି ନୁରାନୀଙ୍କ ମତରେ ଏହି ଧାରାର ଉଚ୍ଛେଦ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ବ୍ୟତିରେକ ରାଷ୍ଟ୍ରପତି ବା ରାଜ୍ୟ ସରକାର ଚାହିଁଲେ ଏକ ତରଫା ଭାବେ ତାକୁ ଉଚ୍ଛେଦ କରି ପାରିବେ ନାହିଁ ।
ଧାରା ୩୭୦ ‘ସାମୟିକ’ (ଟେମ୍ପୋରାରୀ) ନା ‘ଚିରସ୍ଥାୟୀ’ (ପରମାନେଣ୍ଟ), ସେ ନେଇ ସୁପ୍ରିମ କୋର୍ଟଙ୍କ ଅନେକ ରାୟ ମଧ୍ୟରୁ ୨୦୧୬ ମସିହାରେ ‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବନାମ ସନ୍ତୋଷ ଗୁପ୍ତା’ ମାମଲାରେ ପ୍ରଦାନ କରିଥିବା ରାୟ ପ୍ରଣିଧାନଯୋଗ୍ୟ । ଏ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଅନ୍ୟ ଏକ ସାମୟିକ ଧାରା ୩୬୯ର ଉଦାହରଣ ଦେଇ ଉଲ୍ଲେଖ କରିଛନ୍ତି, ଯେ ସେହି ଧାରାଟି କେବଳ ୫ ବର୍ଷ ଯାଏଁ ବଳବତ୍ତର ରହିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିବାରୁ ସେହି ସମୟ ଅତିକ୍ରାନ୍ତ ହେଲା ପରେ ଧାରାଟି ଆପଣା ଛାଏଁ ସମ୍ବିଧାନରୁ ଅପସରି ଯାଇଥିଲା । ଅର୍ଥାତ ସାମୟିକ ଉଲ୍ଲେଖ ହୋଇଥିବା ଧାରାଗୁଡିକ କ୍ଷେତ୍ରରେ ପ୍ରାୟତଃ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇଥାଏ । କିନ୍ତୁ ଧାରା ୩୭୦ ଏକ ସାମୟିକ ଧାରା ବୋଲି ଟିପ୍ପଣୀରେ ଉଲ୍ଲେଖ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ତାହା ବଳବତ୍ତର ରହିବାର ସମୟ ସୀମା ଧାର୍ଯ୍ୟ ହୋଇ ନଥିଲା । ଅପର ପକ୍ଷରେ ଏହି ଧାରାର ଉପଧାରା ୩ରେ ଏହାକୁ ରାଷ୍ଟ୍ରପତି କେବଳ ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭାର ସୁପାରିଶରେ ଉଚ୍ଛେଦ କରି ପାରିବେ ବୋଲି ଉଲ୍ଲେଖ ଥିବାରୁ ସମ୍ବିଧାନ ସଭାର ସୁପାରିଶ ଏଥିପାଇଁ ଅନିବାର୍ଯ୍ୟ । ଏହି ଧାରା ପ୍ରଣୟନ ହେବା ପରେ ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭା ଜାନୁଆରୀ ୨୬, ୧୯୫୭ରେ ନିଜ ଅସ୍ତିତ୍ୱ ହରାଇବା ପର୍ଯ୍ୟନ୍ତ ଯେ କୌଣସି ମୁହୂର୍ତରେ ସମ୍ବିଧାନ ସଭାର ସୁପାରିଶ କ୍ରମେ ଏହି ଧାରା ଉଚ୍ଛେଦ ହେବାର ସମ୍ଭାବନା ଥିବାରୁ ସେତେ ଦିନ ଯାଏଁ ଏହା ‘ସାମୟିକ’ ଥିଲା । ସମ୍ବିଧାନ ସଭା ଭଙ୍ଗ ହେବା ପରେ ଆଉ କେହି ସୁପାରିଶ ପ୍ରଦାନ କରି ପାରିବେ କି ନାହିଁ, ସମ୍ବିଧାନରେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ନାହିଁ । ଅନ୍ୟ ପକ୍ଷରେ ସଭା ଭଙ୍ଗ ହେବା ପୂର୍ବରୁ ସମ୍ବିଧାନ ସଭା ଧାରା ୩୭୦କୁ ଉଚ୍ଛେଦ କରିବାକୁ ସୁପାରିଶ ନ କରିବାକୁ ଆଇନର ଭାଷାରେ ଏକ ଅକୃତ କାର୍ଯ୍ୟ (ଆକ୍ଟ ଅଫ ଓମିଶନ) ଭାବେ ଗ୍ରହଣ କରା ଯାଇପାରେ । ଅର୍ଥାତ ଏତଦ୍ୱାରା ହୁଏତ ଧାରାଟି ଆଉ ସାମୟିକ ହୋଇ ରହୁ ବୋଲି ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭା ଚାହୁଁ ନଥିଲେ । ତେଣୁ ସେବେଠାରୁ ଏହା ‘ଚିରସ୍ଥାୟୀ’ ହୋଇ ସାରିଛି ବୋଲି ଧରି ନେବାକୁ ହେବ ଓ ସମ୍ବିଧାନ ସଭାର ବିନା ସୁପାରିଶରେ ତାହା କେବଳ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି କ୍ରମେ ଉଚ୍ଛେଦ ହୋଇ ପାରିବ ନାହିଁ । ଏତଦବ୍ୟତୀତ ସମ୍ବିଧାନରେ ଥିବା ଅନ୍ୟ କେତେକ ସାମୟିକ ଧାରା ଯଥା ଦଶ ବର୍ଷ ପାଇଁ ଆରକ୍ଷଣ ସୁବିଧା, ପନ୍ଦର ବର୍ଷ ପାଇଁ ଇଂରାଜୀ ଭାଷା ରାଜଭାଷା ଭାବେ ରହିବା ଆଦିର ମଧ୍ୟ ଉଦାହରଣ ଦିଆ ଯାଇପାରେ, ଯେଉଁଗୁଡିକରେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଥିବାରୁ ଏହା ସ୍ପଷ୍ଟ ଯେ କୌଣସି ଧାରାର ସାମୟିକତା ପାଇଁ ସମୟସୀମା ଧାର୍ଯ୍ୟ ହେବା ଅନିବାର୍ଯ୍ୟ । ଏହି ଧାରାଗୁଡିକ ସାମୟିକ ହୋଇ ମଧ୍ୟ ବାରମ୍ବାର ପୁନଃନବୀକରଣ ହୋଇ ଆସି ଆଜି ଯାଏଁ ସମ୍ବିଧାନରେ ରହିବା, ‘ଧାରା ୩୭୦ ସାମୟିକ ହୋଇ ଏତେ ଦିନ ଯାଏଁ ସମ୍ବିଧାନରେ କେମିତି ରହିଛି?’ ବୋଲି ଉଠୁଥିବା ପ୍ରଶ୍ନର ଉତ୍ତର ହୋଇପାରେ ।
ଭାରତୀୟ ସମ୍ବିଧାନର ଧାରା ୩୭୦(୧)(ସି) ଅନୁଯାୟୀ ଧାରା ୧ ଓ ଧାରା ୩୭୦ ଜାମ୍ମୁ-କାଶ୍ମୀର ରାଜ୍ୟ ପ୍ରତି ଲାଗୁ ହୋଇଥାଏ । ଧାରା ୧ ଅନୁଯାୟୀ ‘ଭାରତ ରାଜ୍ୟ ସମୂହଙ୍କ ଏକ ସଂଘ’ ହୋଇଥିବାରୁ ଆରମ୍ଭରୁ ଜାମ୍ମୁ-କାଶ୍ମୀର ଏକ ରାଜ୍ୟ ଭାବେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଗ୍ରହଣ ହୋଇସାରିଛି । ପୁନଶ୍ଚ, ଧାରା ୩୭୦(୧)(ଡି) ଅନୁଯାୟୀ ସମ୍ବିଧାନର ଅନ୍ୟ ପ୍ରାବଧାନଗୁଡିକୁ ସେହି ପ୍ରକାରେ ବା ସଂଶୋଧନ କରି ଜାମ୍ମୁ-କାଶ୍ମୀରରେ ଲାଗୁ କରାଇବାର କ୍ଷମତା ରାଷ୍ଟ୍ରପତିଙ୍କର ଥିଲେ ମଧ୍ୟ ଧାରା ୩୭୦ ପ୍ରତି ସେହି କ୍ଷମତା ପ୍ରଯୁଜ୍ୟ ନୁହେଁ । ଅଧିକନ୍ତୁ, କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରି ସାରିଛନ୍ତି ଯେ, କୌଣସି ସାମ୍ବିଧାନିକ ପଦାଧିକାରୀ, ପ୍ରଦତ୍ତ କ୍ଷମତାକୁ ଅତିକ୍ରମ କରି, ସମ୍ବିଧାନର ମୂଳ ସଂରଚନା (ବେସିକ ଷ୍ଟ୍ରକଚର) ପ୍ରତି ଆଞ୍ଚ ଆସିଲା ଭଳିି କୌଣସି ପଦକ୍ଷେପ ଗ୍ରହଣ କରି ପାରିବେ ନାହିଁ । ଧାରା ୩୭୦ ମଧ୍ୟ ସମ୍ବିଧାନର ମୂଳ ସଂରଚନାର ଅଂଶ ବୋଲି ଗ୍ରହଣ କରା ଯାଉଥିବାରୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଆଦେଶ ଦେବା ରାଷ୍ଟ୍ରପତିଙ୍କ ସମ୍ବିଧାନ ପ୍ରଦତ୍ତ କ୍ଷମତା ବହିର୍ଭୁତ ବୋଲି କେତେକ ଆଇନଜ୍ଞଙ୍କର ସ୍ପଷ୍ଟ ମତ ।
ସମ୍ବିଧାନର ସମସ୍ତ ପ୍ରାବଧାନ ଜାମ୍ମୁ-କାଶ୍ମୀର ରାଜ୍ୟ ପ୍ରତି ଲାଗୁ କରିବା ପାଇଁ ଧାରା ୩୬୭ରେ ଏକ ନୂଆ ଉପଧାରା ୩୬୭(୪)(ଡି) ଯୋଗ କରାଗଲା । ଏହି ଉପାଧାରା ଅନୁଯାୟୀ ଧାରା ୩୭୦(୩)ରେ ଲିଖିତ ‘ସମ୍ବିଧାନ ସଭା’କୁ ‘ରାଜ୍ୟ ବିଧାନ ସଭା’ ପଢିବାକୁ ହେବ ବୋଲି ସଂଶୋଧନ କରାଗଲା । ସମ୍ବିଧାନ ସଭା ନଥିବାରୁ ସମସ୍ୟାକୁ ଏଡାଇବା ପାଇଁ ଜାମ୍ମୁ-କାଶ୍ମୀର ବିଧାନ ସଭାକୁ ସେହି ସ୍ଥାନ ଦେଇ ଦିଆଗଲା ଓ ତଦ୍ଦ୍ୱାରା ଧାରା ୩୭୦ ଉଚ୍ଛେଦ ପାଇଁ ଆବଶ୍ୟକୀୟ ସୁପାରିଶ ଆହରଣ କରିବାର ପଥ ସୁଗମ ହୋଇଗଲା । ଏବେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇ ରାଜ୍ୟ ବିଧାନ ସଭାର ସମସ୍ତ ଅଧିକାର ରାଜ୍ୟପାଳଙ୍କ ନିକଟରେ କେନ୍ଦ୍ରିତ ଥିବାରୁ ରାଜ୍ୟପାଳଙ୍କ ସୁପାରିଶକୁ ବିଧାନ ସଭାର ସୁପାରିଶ ଭାବେ ଗ୍ରହଣ କରାଗଲା । ତେବେ ରାଷ୍ଟ୍ରପତିଙ୍କଠାରେ ଧାରା ୩୭୦(୩)କୁ ସଂଶୋଧନ କରିବାର କ୍ଷମତା ନଥିବାରୁ ଏବେ ମଧ୍ୟ ତାହା ବଳବତ୍ତର ରହି ସେଥିରେ ‘ସମ୍ବିଧାନ ସଭା’ ଉଲ୍ଲେଖ ରହିଥିବା ବେଳେ ଧାରା ୩୬୭(୪)(ଡି) ଅନୁଯାୟୀ ‘ସମ୍ବିଧାନ ସଭା ଅର୍ଥ ଜାମ୍ମୁ-କାଶ୍ମୀର ବିଧାନ ସଭା’ ବୋଲି ଉଲ୍ଲେଖ ହେବା ଦ୍ୱାରା, ସମ୍ବିଧାନରେ ଦୁଇଟି ପରସ୍ପର ବିରୋଧୀ କଥା ସ୍ଥାନ ପାଇଛି, ଯାହା ନିଶ୍ଚିତ ଭାବେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନ୍ୟାୟିକ ବ୍ୟାଖ୍ୟାର ଅପେକ୍ଷା ରଖେ । ସରକାର ଧାରା ୩୬୮ ମାଧ୍ୟମରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି କାର୍ଯ୍ୟଟିକୁ କରି ପାରିଥାନ୍ତେ । ତେବେ ରାଜ୍ୟସଭାରେ ଶାସକ ଦଳର ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଅଭାବରେ ଧାରା ୩୬୭(୪)(ଡି)ର ଗଳା ବାଟଟିକୁ ବ୍ୟବହାର କରାଗଲା ବୋଲି କୁହାଯାଏ ।
ଜାମ୍ମୁ-କାଶ୍ମୀର ରାଜ୍ୟର ପୁନର୍ଗଠନ ହୋଇ ସୃଷ୍ଟି କରାଯାଇଥିବା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ସମ୍ବିଧାନର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ଉପସ୍ଥାପନ କରାଯାଉଛି । ସମ୍ବିଧାନର ଧାରା ୩ ଅନୁଯାୟୀ କୌଣସି ରାଜ୍ୟର ସୀମାରେ ପରିବର୍ତ୍ତନ କରିବା ପୂର୍ବରୁ ସେଠାକାର ବିଧାନ ସଭା ଓ ବିଧାନ ପରିଷଦର ସମ୍ମତି ଆବଶ୍ୟକ ହୋଇଥାଏ, ଯାହା ଏ କ୍ଷେତ୍ରରେ ହୋଇ ନଥିବାରୁ ତାହା ମଧ୍ୟ କୋର୍ଟର ତର୍ଜମାର ବିଷୟ ହେବ ।
୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ସମ୍ବିଧାନର ଧାରା ୩୬୬(୨୨)ରେ ନ୍ୟସ୍ତ କ୍ଷମତା ବଳରେ ରାଷ୍ଟ୍ରପତି ରାଜାମାନଙ୍କ ହାତପାଣ୍ଠିକୁ ଉଚ୍ଛେଦ କରିବାକୁ ଆଦେଶ ଦେଇଥିଲେ । ଏହା ରାଷ୍ଟ୍ରପତିଙ୍କ କ୍ଷମତାର ଅତିକ୍ରମଣ ଦର୍ଶାଇ କ୍ଷତିଗ୍ରସ୍ତ ହୋଇଥିବା କିଛି ରାଜା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଓ କୋର୍ଟ ଆଦେଶଟିକୁ ନିରସ୍ତ କରିବା ସହ ରାଜାମାନଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ବାଧ୍ୟ ହୋଇ ହାତ ପାଣ୍ଠି ଉଚ୍ଛେଦ ପାଇଁ ତତ୍କାଳୀନ ସରକାରଙ୍କୁ ପୁଣି ଥରେ ନୂଆ ଭାବେ ଉଦ୍ୟମ କରି ୧୯୭୧ ମସିହାରେ ୨୬ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରିବାକୁ ହୋଇଥିଲା । ସରକାର ନ୍ୟାୟିକ ଦିଗଗୁଡିକୁ ତର୍ଜମା କରି ପୂର୍ବ ପ୍ରସ୍ତୁତି ପୂର୍ବକ ଧାରା ୩୭୦କୁ ଉଚ୍ଛେଦ କରିଥିଲେ ମଧ୍ୟ ଏହାକୁ ବିରୋଧ କରି ହୋଇଥିବା ମାମଲାଗୁଡିକରେ ସୁପ୍ରିମ କୋର୍ଟଙ୍କ ରାୟ କଣ ରହିବ, ତା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ । ତେବେ ନ୍ୟାୟିକ ଯାଞ୍ଚରେ ଏହା ଉତ୍ତୀର୍ଣ୍ଣ ନ ହେଲେ ହୁଏତ ସରକାରଙ୍କୁ ଅନୁରୂପ ଭାବେ ସମ୍ବିଧାନ ସଂଶୋଧନର ରାସ୍ତା ଆପଣାଇବାକୁ ପଡିପାରେ ।
ଧାରା ୩୭୦ର ଉଚ୍ଛେଦକୁ ଅନେକେ ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରଶଂସା କରିଛନ୍ତି । ତେବେ ସବୁ ଐତିହାସିକ ପଦକ୍ଷେପ ଯେ ଦେଶ ହିତରେ ସାବ୍ୟସ୍ତ ହୋଇଥାଏ, ତାହା ଠିକ ନୁହେଁ । ଅତୀତରେ ବିଭିନ୍ନ ଦେଶରେ ଏମିତି କେତେକ ପଦକ୍ଷେପ ସେ ସମୟରେ ଐତିହାସିକ ବୋଲି ପ୍ରଶଂସିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଗୁଡିକ ସମ୍ପୃକ୍ତ ଦେଶ ସ୍ୱାର୍ଥ ବିରୁଦ୍ଧରେ ଯାଇ ସାଂଘାତିକ ଭୁଲ (ବ୍ଲଣ୍ଡର) ବୋଲି ପ୍ରମାଣିତ ହୋଇଛି । ଆଶା କରାଯାଉ, ଅନ୍ତତଃ ଧାରା ୩୭୦ ଉଚ୍ଛେଦ ପାଇଁ ନିଆ ଯାଇଥିବା ପଦକ୍ଷେପଟି କାଶ୍ମୀରବାସୀଙ୍କ ଦ୍ୱାରା ଗ୍ରହଣୀୟ ହୋଇ ଦେଶ ହିତରେ ସାବ୍ୟସ୍ତ ହେବ ଓ ସମଗ୍ର ଉପ ମହାଦେଶରେ ଦୀର୍ଘ ମିଆଦି ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ସହାୟକ ହେବ । ଅବଶ୍ୟ ତା ପୂର୍ବରୁ ଏହା ନ୍ୟାୟିକ ଯାଞ୍ଚରେ ଉତ୍ତୀର୍ଣ୍ଣ ହେବା ନିହାତି ଜରୁରୀ ।
Published in Odia daily Sambad on August 21, 2019
Nicely analysed after deep study in the matter.
ReplyDeleteIf you are writing on Kashmir then please read its history. You have over symplified so many sensible things. Secondly how abrogation would be helpful - on what basis you have raised this hope i dont know. That is why you should read how it came and on what intention it had been ameneded by subsequent govts. Thanks.
ReplyDeleteThanks. As the title suggests, in the article I have only dealt on the legal and constitutional aspects. Whether it was good or bad, in which way the abrogation would be helpful etc. were beyond the scope of the article. In fact, I have mentioned at one place that the article was amended 47 times by different governments.
Delete