କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କର ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ଅନ୍ୟତମ ସଦସ୍ୟ ରଥୀନ ରାୟ ଭାରତର ଅର୍ଥନୀତି ଢାଞ୍ଚାଗତ ସଙ୍କଟ ଆଡକୁ ଗତି କରୁଥିବାରୁ ଆଉ ଉଚ୍ଚ ବିକାଶ ଦର ହାସଲ କରିବାକୁ ଅସମର୍ଥ ହୋଇ ଦେଶ ମଧ୍ୟମ ଆୟ ଯନ୍ତାରେ ପଡିବାର ଆଶଙ୍କା ଯଥେଷ୍ଟ ବେଶି ବୋଲି ସତର୍କ ବାଣୀ ଶୁଣାଇବା ପରେ ଅର୍ଥନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଲଗାତର ଭାବେ ଉଚ୍ଚ ବିକାଶ ଦର ହାସଲ କରି ଆସିଥିବା ଏକ ବିକାଶଶୀଳ ଦେଶ ପକ୍ଷରେ ଉଚ୍ଚ ଆୟକାରୀ ଦେଶର ସ୍ତରକୁ ଉନ୍ନୀତ ହୋଇ ନ ପାରି ମଧ୍ୟମ ଆୟ ଯନ୍ତାରେ ପଡିବା, ବାସ୍ତବିକ ଦୁର୍ଭାଗ୍ୟଜନକ ।
ବିଶ୍ୱ ବ୍ୟାଙ୍କ ୧୯୯୩ ମସିହାରୁ ପ୍ରତିଟି ଦେଶର ଡଲାର ଭିତ୍ତିରେ ହେଉଥିବା ମୋଟ ଜାତୀୟ ଆୟ ଅନୁସାରେ ମୁଣ୍ଡ ପିଛା ଆୟକୁ ଆଧାର କରି ଦେଶଗୁଡିକୁ ନିମ୍ନ ଆୟ, ମଧ୍ୟମ ଆୟ ଓ ଉଚ୍ଚ ଆୟକାରୀ ଦେଶ ଭାବେ ବର୍ଗୀକରଣ କରିଆସୁଛି । ବ୍ୟାଙ୍କ ଦ୍ୱାରା ୨୦୧୯ ମସିହା ପାଇଁ ନିର୍ଦ୍ଧାରିତ ପରିମାପକ ଅନୁଯାୟୀ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୫ ଡଲାରରୁ କମ ଥିବା ଦେଶଗୁଡିକ ନିମ୍ନ ଆୟ ବର୍ଗର ହୋଇଥିବା ବେଳେ, ୧୨୩୭୬ ଡଲାର ବା ତାଠାରୁ ଅଧିକ ଆୟ ଥିବା ଦେଶଗୁଡିକ ଉଚ୍ଚ ଆୟ ବର୍ଗର ଦେଶ ଭାବରେ ବିବେଚିତ । ତେଣୁ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୬ ଡଲାରରୁ ୧୨୩୭୫ ଡଲାର ମଧ୍ୟରେ ଥିବା ଦେଶଗୁଡିକ ମଧ୍ୟମ ଆୟ ବର୍ଗର ଦେଶ ଭାବେ ପରିଗଣିତ ହୋଇଥାନ୍ତି । ତେବେ ଏହି ବର୍ଗର ଦେଶଗୁଡିକ ମଧ୍ୟରୁ ୩୯୯୫ ଡଲାର ପର୍ଯ୍ୟନ୍ତ ଆୟ ଥିବା ଦେଶଗୁଡିକ ନିମ୍ନ-ମଧ୍ୟମ ଆୟ ବର୍ଗର ହୋଇଥିବା ବେଳେ ୩୯୯୬ ଡଲାରରୁ ୧୨୩୭୫ ଡଲାର ଆୟ ଥିବା ଦେଶଗୁଡିକ ଉଚ୍ଚ-ମଧ୍ୟମ ଆୟ ବର୍ଗର ଦେଶ ଭାବେ ପରିଗଣିତ ହୋଇଥାନ୍ତି । ତଦନୁସାରେ ୩୧ଟି ଦେଶ ନିମ୍ନ ଆୟ ବର୍ଗରେ ଥିବା ବେଳେ ନିମ୍ନ-ମଧ୍ୟମ, ଉଚ୍ଚ-ମଧ୍ୟମ ଓ ଉଚ୍ଚ ଆୟ ବର୍ଗରେ ଯଥାକ୍ରମେ ୪୭, ୬୦ ଓ ୮୦ଟି ଦେଶ ଅଛନ୍ତି । ଦୀର୍ଘ ଦିନ ଧରି ଭାରତ ନିମ୍ନ ଆୟ ବର୍ଗରେ ରହିବା ପରେ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଏହା ମଧ୍ୟମ ଆୟ ବର୍ଗକୁ ଉନ୍ନୀତ ହେଲା । ମାର୍ଚ୍ଚ, ୨୦୧୮ ସୁଦ୍ଧା ମୁଣ୍ଡପିଛା ଆୟ ୨୦୨୫ ଡଲାର ସହ ଭାରତ ଏବେ ମଧ୍ୟ ଏକ ନିମ୍ନ-ମଧ୍ୟମ ଆୟକାରୀ ଦେଶ ଭାବେ ବିବେଚିତ ହେଉଥିବା ବେଳେ ଚୀନର ମୁଣ୍ଡ ପିଛା ଆୟ ଭାରତର ଚାରି ଗୁଣରୁ ଅଧିକ ହୋଇ ଏହା ଏକ ଉଚ୍ଚ-ମଧ୍ୟମ ବର୍ଗର ଦେଶ ଭାବେ ପରିଗଣିତ ହୋଇ ପାରିଛି । ୨୦୧୯ ମସିହା ମାର୍ଚ୍ଚ ମାସ ସୁଦ୍ଧା ଭାରତର ମୁଣ୍ଡ ପିଛା ଆୟ ୨୦୪୧ ଡଲାରକୁ ବୃଦ୍ଧି ପାଇଛି । ଅର୍ଥାତ୍, ମୁଣ୍ଡ ପିଛା ଆୟ ଏପରି ମନ୍ଥର ଗତିରେ ବୃଦ୍ଧି ହୋଇ ଚାଲିଲେ ଭାରତ ପକ୍ଷରେ ମଧ୍ୟମ ଆୟ ଯନ୍ତାରୁ ମୁକୁଳିବା ଆଦୌ ସମ୍ଭବ ହେବ ନାହିଁ ।
ଦ୍ରୁତ ଗତିରେ ଅର୍ଥନୀତିର ଅଭିବୃଦ୍ଧି ହେଉଥିବା ଦେଶ ମଧ୍ୟମ ଆୟ ସ୍ତରରେ ପହଞ୍ଚିଲା ପରେ ଯଦି ତାର ମୁଣ୍ଡ ପିଛା ଆୟରେ ଦ୍ରୁତ ଅଭିବୃଦ୍ଧି ନ ହୋଇ ସ୍ଥାଣୁତା ଦେଖା ଦିଏ, ତାହାହେଲେ ସେହି ଦେଶର ଅର୍ଥନୀତି ମଧ୍ୟମ ଆୟ ସ୍ତରରୁ ଆଉ ଉଚ୍ଚ ଆୟ ସ୍ତରକୁ ଉନ୍ନୀତ ହୋଇ ପାରି ନଥାଏ । ଏ ଭଳି ପରିଘଟଣା (ଫେନୋମେନନ)କୁ ମଧ୍ୟମ ଆୟ ଯନ୍ତାରେ ପଡିବା ବୋଲି କୁହାଯାଇଥାଏ । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଭଳି ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଥିବା ବ୍ରିକସ୍ ରାଷ୍ଟ୍ରଦ୍ୱୟ ମଧ୍ୟ ଏହାର ଶିକାର ହୋଇଛନ୍ତି । ବିଶ୍ୱର ଅନ୍ୟ ଅନେକ ଦେଶଙ୍କ ତୁଳନାରେ ଏହି ଦୁଇଟି ଦେଶରେ ଦୀର୍ଘ ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧି ଲଗାତର ଭାବେ ବେଶ ଅଧିକ ହାରରେ ଜାରି ରହିଥିଲା । ତେବେ ଏହି ଅଭିବୃଦ୍ଧି ଏପରି ହେଉଥିଲା ଯେ ଏଥିରେ ଅଧିକାଂଶ ଜନତାଙ୍କ ଜୀବନସ୍ତରରେ ସେ ଭଳି କୌଣସି ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେଲା ନାହିଁ, ଆଉ ସେମାନେ ପଛରେ ପଡିଗଲେ । ଦେଶର ଅର୍ଥନୀତି ଆଗେଇଲେ କଣ ହେବ, ଏତେ ସଂଖ୍ୟକ ଦେଶବାସୀ ପଛେଇ ଯିବାରୁ ଅର୍ଥନୀତି ମଧ୍ୟ ଆଉ ବିଶେଷ ଦ୍ରୁତ ଗତିରେ ଆଗକୁ ବଢି ନ ପାରି ମଧ୍ୟମ ଆୟ ଯନ୍ତାରେ ପଡିଗଲା, ଆଉ ସେଥିରୁ ମୁକୁଳିବା ସେମାନଙ୍କ ପକ୍ଷରେ ଏକ ପ୍ରକାର ଦୁରୂହ ହୋଇ ପଡିଲା । ସେହିପରି ଅତି ଦ୍ରୁତ ଗତିର ଅଭିବୃଦ୍ଧି ସହ ଉଚ୍ଚ ଆୟକାରୀ ଦେଶ ହେବାକୁ ଅଗ୍ରସର ହେଉଥିବା ତୁର୍କୀର ଅର୍ଥନୀତିରେ ହଠାତ ମନ୍ଥରତା ଦେଖାଦେଲା, ଯାହା ଫଳରେ ସେ ଆଉ ମଧ୍ୟମ ଆୟ ଯନ୍ତାରୁ ମୁକୁଳି ପାରିଲା ନାହିଁ । ଅନ୍ୟ ପକ୍ଷରେ ନୀତି ଅନିଶ୍ଚିତତା କାରଣରୁ ଆର୍ଜେଣ୍ଟିନା ଉଚ୍ଚ ଆୟ ବର୍ଗରୁ ମଧ୍ୟମ ଆୟ ବର୍ଗକୁ ଖସି ଆସିଲା ।
ବିଗତ ଶତାବ୍ଦୀର ନବେ ଦଶକରେ ଭାରତରେ ଉଦାରବାଦୀ ଅର୍ଥବ୍ୟବସ୍ଥାର ପ୍ରଚଳନ ପରେ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖା ଦେଇଥିଲା । ଫଳସ୍ୱରୂପ, ସମାଜର ଉଚ୍ଚ ଆୟ ବର୍ଗ ଓ ମଧ୍ୟବିତ୍ତଙ୍କ ଜୀବନଧାରଣ ଶୈଳୀରେ ଆଶାତୀତ ଉନ୍ନତି ଓ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଅଧିକନ୍ତୁ, ଏହି ବର୍ଗର ସମୃଦ୍ଧି ଯୋଗୁ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବୃଦ୍ଧି ପାଇ ଦେଶର ଅର୍ଥନୀତି ଅଧିକ ଗତିଶୀଳ ହେବାକୁ ଲାଗିଲା । ରଥୀନ ରାୟଙ୍କ ମତ ଅନୁସାରେ ଏ ଯାବତ୍ ଦେଶର ସାମାଜିକ-ଅର୍ଥନୈତିକ ପିରାମିଡର ଅଗ୍ରଭାଗରେ ଥିବା ଏହି ବର୍ଗର ପ୍ରାୟ ୧୦ କୋଟି ଲୋକଙ୍କ ଉପରେ ନିର୍ଭର କରିଆସିଛି ଭାରତୀୟ ଅର୍ଥନୈତିକ ବିକାଶ ହାରର ବେଗ । ଏହି ବିକାଶ ଯୋଗୁ ଗରିବଗୁରୁବାଙ୍କ ଜୀବନଧାରଣ ଶୈଳୀରେ ମଧ୍ୟ କିଛିଟା ପରିବର୍ତ୍ତନ ହୋଇଛି ଓ ଦାରିଦ୍ର୍ୟ କିଛି ପରିମାଣରେ ହ୍ରାସ ପାଇଛି । ତେବେ ଏଇ କିଛି ଦିନ ଧରି ଉପରୋକ୍ତ ବିଶେଷ ବର୍ଗ ନିକଟରେ ସାମଗ୍ରୀ ଓ ସେବାର ଚାହିଦା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । କାର୍, ଘରଠାରୁ ଆରମ୍ଭ କରି ଅଧିକାଂଶ ଉପଭୋକ୍ତା ସାମଗ୍ରୀର ଚାହିଦା ଆନୁପାତିକ ଭାବେ କମ ହୋଇ ବିକ୍ରିବଟା ମଧ୍ୟ କମିବାରେ ଲାଗିବା, ତାର ଉଦାହରଣ ମାତ୍ର । ଅନ୍ୟ ପକ୍ଷରେ ଅବଶିଷ୍ଟ ଲୋକଙ୍କ ନିକଟରେ ଯଥେଷ୍ଟ ସାମର୍ଥ୍ୟ ବା କ୍ଷମତା ସୃଷ୍ଟି କରାଯାଇ ନଥିବାରୁ ସେମାନେ ଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି । ଏହାର ଏକ ବଡ କାରଣ ହେଉଛି ଜାତୀୟ ପ୍ରାକୃତିକ ସଂସାଧନର ଏକ ବଡ ଅଂଶ କତିପୟ ପୁଞ୍ଜିପତିିଙ୍କ ନିୟନ୍ତ୍ରଣରେ ରହି ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଅଧିକ ବଢାଇଛି । ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ନିମ୍ନ ଆୟକାରୀ ହୋଇଥିବାରୁ ସେମାନେ ଗୁଣ୍ଡେ ଖାଇ ଦଣ୍ଡେ ଜୀଇଁବାକୁ ବାଧ୍ୟ ହୋଇ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସେମାନେ ଅସମର୍ଥ । ତେବେ ଅନ୍ୟ ଅନେକ ଦେଶ ପରି ଭାରତର ଅନ୍ତତଃ ୫୦ ପ୍ରତିଶତ ଚାକିରୀଜୀବୀ ଓ ଶ୍ରମଜୀବୀ ଯଦି ଉଚ୍ଚ ଆୟକାରୀ ହୋଇପାରନ୍ତେ, ତେବେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଦ୍ରୁତତର କରାଇବାରେ ସେମାନଙ୍କର ଉଲ୍ଲେଖନୀୟ ଭୂମିକା ରହିିପାରନ୍ତା । କିନ୍ତୁ ଆବଶ୍ୟକୀୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ଅଭାବରୁ ଏହି ଶ୍ରମବଳ ଉଚ୍ଚ ଆୟ ନିଯୁକ୍ତିଯୋଗ୍ୟ ହୋଇପାରୁ ନାହିଁ । ତେଣୁ ଦେଶ ମଧ୍ୟମ ଆୟ ଯନ୍ତାରେ ପଡିବା କିଛି ବିଚିତ୍ର ନୁହେଁ ।
ଏହି ପରିପ୍ରେକ୍ଷୀରେ ମାତ୍ର ପନ୍ଦର ବର୍ଷର ସମୟ ସୀମା ମଧ୍ୟରେ ପୋଲାଣ୍ଡ ଭଳି ଏକ ମଧ୍ୟମ ଆୟ ବର୍ଗର ଦେଶ କିପରି ଉଚ୍ଚ ଆୟ ବର୍ଗକୁ ଉନ୍ନୀତ ହୋଇ ପାରିଲା, ତାହା ପ୍ରଣିଧାନ ଯୋଗ୍ୟ । ୧୯୯୪ ମସିହାରେ ମେକ୍ସିକୋର ମୁଣ୍ଡପିଛା ଆୟଠାରୁ ୨୫ ପ୍ରତିଶତ କମ ଆୟ ଥିବା ପୋଲାଣ୍ଡ ବାର୍ଷିକ ହାରାହାରି ୪.୨ ପ୍ରତିଶତ ବିକାଶ ଦର ହାସଲ କରି ୨୦୧୪ ସୁଦ୍ଧା ମେକ୍ସିକୋର ମୁଣ୍ଡ ପିଛା ଆୟ ଅପେକ୍ଷା ୫୦ ପ୍ରତିଶତ ଅଧିକ ଆୟ କରିବାକୁ ସମର୍ଥ ହୋଇପାରିଲା । କେବଳ ସେତିକି ନୁହେଁ, ପୋଲାଣ୍ଡର ଏହି ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା, ଅଧିକ ପାରିଶ୍ରମିକ ମିଳିଲା, ବିଭିନ୍ନ ଆୟ ବର୍ଗ ତଥା ଅଞ୍ଚଳ ମଧ୍ୟରେ ଅସମାନତା କମ ହେଲା ଓ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇଲା । ମୋଟାମୋଟି ଭାବେ କହିବାକୁ ଗଲେ ଏହି ବିକାଶ ସମ୍ପୂର୍ଣ୍ଣ ରୂପେ ସମାବେଶୀ ହୋଇପାରିଥିଲା । ଉଚ୍ଚ ବିକାଶ ଦରକୁ ଜାରି ରଖି ଉଚ୍ଚ ଆୟ ବର୍ଗକୁ ଉନ୍ନୀତ ହେବାର ଲକ୍ଷ୍ୟ ହାସଲ କରିବା ପାଇଁ ପୋଲାଣ୍ଡ ଯେଉଁ ପାଞ୍ଚଟି ପ୍ରମୁଖ ନୀତି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଆସିଛି ସେଗୁଡିକ ହେଲା ଶାସନ ବ୍ୟବସ୍ଥାକୁ ସଜାଡିବା (ଗଭର୍ଣ୍ଣିଂ), ନୀତିରେ ନିରନ୍ତରତା ବଜାୟ ରଖିବା (ସସଟେନିଂ), ଉତ୍ପାଦକତା ବଢାଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ବିଭିନ୍ନ ବଜାର ସହ ଯୋଡି ହେବା (କନେକ୍ଟିଂ), ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ବଳର ଉଚିତ ପୁନଃ ଆବଣ୍ଟନ ସହ ସଂସ୍କାର ଓ ପୁଞ୍ଜି ବିନିଯୋଗ ଉପରେ ଗୁରୁତ୍ୱ ଦେବା (ଗ୍ରୋଇଂ) ଓ ସବୁ ବର୍ଗ ଓ ଅଞ୍ଚଳର ଲୋକଙ୍କ ପାଇଁ ଶିକ୍ଷା ସୁଲଭ କରାଇ ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ସୃଷ୍ଟି ସହ ସର୍ବନିମ୍ନ ପାରିଶ୍ରମିକକୁ ବଢାଇ ଅର୍ଥନୀତିକୁ ସମାବେଶୀ କରାଇବା (ଇନକ୍ଲୁଡିଂ) । ଶାସନ ବ୍ୟବସ୍ଥାକୁ ସଜାଡିବାକୁ ହେଲେ ଆଇନର ଶାସନ (ରୁଲ ଅଫ ଲ)କୁ ସୁଦୃଢ କରିବା ସହ ନିୟନ୍ତ୍ରଣର ଗୁଣବତ୍ତା, ଉତ୍ତରଦାୟିତ୍ୱ, ନୀତି ନିର୍ଦ୍ଧାରଣ, ପ୍ରଣୟନ ଓ ମୂଲ୍ୟାୟନରେ ଦକ୍ଷତାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ । ସେଥିପାଇଁ ସେଠାକାର ଅନୁଷ୍ଠାନଗୁଡିକୁ ଦୁର୍ବଳ ନ କରି ବରଂ ଅଧିକ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନିଆଗଲା । ପୋଲାଣ୍ଡ କମ୍ୟୁନିଷ୍ଟ ଶାସନରୁ ଆସି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା ପରେ ୧୭ଟି ସରକାର ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ସତ୍ତ୍ଵେ ବିଭିନ୍ନ ଜାତୀୟ ନୀତିରେ ନିରନ୍ତରତା ରହିବା ଦେଶ ପାଇଁ ଶୁଭଙ୍କର ହୋଇଛି । କେବଳ ନିଜ ଦେଶର ନାଗରିକ ନୁହନ୍ତି ବରଂ ବିଭିନ୍ନ ଦେଶରୁ ଆସି ସେଠାରେ ବସବାସ କରୁଥିବା ଅପ୍ରବାସୀଙ୍କୁ ଦେଶ ଉପରେ ବୋଝ ବୋଲି ନ ଭାବି ସେମାନଙ୍କୁ ଦେଶର ବିକାଶ ଓ ଗଠନ ପ୍ରକ୍ରିୟାରେ ନିୟୋଜିତ କରାଯାଇ ପାରିଛି । ଶିକ୍ଷା, ଗବେଷଣା କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ, ଶିକ୍ଷାନୁଷ୍ଠାନ ଓ ଘରୋଇ ଶିଳ୍ପାନୁଷ୍ଠାନଗୁଡିକ ମଧ୍ୟରେ ସହଯୋଗିତା ମାଧ୍ୟମରେ ବୈଷୟିକ ଜ୍ଞାନ କୌଶଳର ଆଧୁନିକତମ ପ୍ରୟୋଗକୁ ସୁନିଶ୍ଚିତ କରାଯାଇ ପାରିଛି । ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରୀ ସହ ସେମାନଙ୍କ ନିଯୁକ୍ତି ସୁରକ୍ଷା, ସର୍ବନିମ୍ନ ପାରିଶ୍ରମିକ ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ ଦିଗ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି ।
୨୦୨୪ ମସିହା ସୁଦ୍ଧା ଅର୍ଥନୀତିର ଆକାରକୁ ୫ ଟ୍ରିଲିଅନ (ଲକ୍ଷ କୋଟି) ଡଲାରରେ ପହଞ୍ଚାଇ ଏହାକୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବାର ସ୍ୱପ୍ନ ଦେଖୁଥିବା ଭାରତ ବିଶ୍ୱ ବ୍ୟାଙ୍କ ଦ୍ୱାରା ୨୦୧୮ ମସିହା ପାଇଁ ପ୍ରକାଶିତ ରିପୋର୍ଟରେ ଷଷ୍ଠ ସ୍ଥାନରୁ ସପ୍ତମ ସ୍ଥାନକୁ ଖସି ଆସିବା ଉଦବେଗର ବିଷୟ । ତେବେ ଅର୍ଥନୀତିର ଆକାର ବୃଦ୍ଧି ପାଇଁ ସ୍ୱପ୍ନ ଦେଖିବା ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏହାର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବ ନା ‘ମାରିନେଲେ ମହାପାତ୍ରେ ଚାହିଁଥିବେ ଜଳକା’ ନ୍ୟାୟରେ ମୁଷ୍ଟିମେୟ ପୁଞ୍ଜିପତି ଏହାକୁ ହାତେଇ ନେବେ ଆଉ ସାଧାରଣ ଲୋକେ ଭକୁଆ ହୋଇ ଅନାଇ ରହିଥିବେ । ତେଣୁ କେବଳ ଅର୍ଥନୀତିର ଆକାର ବଢିବା ଯଥେଷ୍ଟ ନୁହେଁ, ବରଂ ଦେଶରେ ସମାବେଶୀ ବିକାଶ ସୁନିଶ୍ଚିତ କରିବାକୁ ହେଲେ, ଭାରତକୁ ଅଧିକ ସଂଖ୍ୟକ ଉଚ୍ଚ ଆୟକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଦେଶକୁ ମଧ୍ୟମ ଆୟ ଯନ୍ତାରୁ ମୁକୁଳାଇ ଉଚ୍ଚ ଆୟକାରୀ ଦେଶରେ ପରିଣତ କରିବାକୁ ହେବ । ଏଥିପାଇଁ ପୋଲାଣ୍ଡ ଭଳି ରାଷ୍ଟ୍ରମାନେ ଗ୍ରହଣ କରିଥିବା ଉପର ବର୍ଣ୍ଣିତ ପାଞ୍ଚଟି ନୀତି କ୍ଷେତ୍ରରେ ଭାରତକୁ ଅବିଳମ୍ବେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ହେବ । କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ଗୁଣାତ୍ମକ ଦୃଷ୍ଟିରୁ ଏକ ଉନ୍ନତ ମାନବ ସମ୍ବଳ ଗୋଟିଏ ଦେଶର ବିକାଶର ପଥ ପ୍ରଶସ୍ତ କରିଥାଏ । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପମାନ ଗ୍ରହଣ କରାଗଲେ ଅଧିକ ସଂଖ୍ୟକ ଉଚ୍ଚ ଆୟକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଦେଶ ମଧ୍ୟମ ଆୟ ଯନ୍ତାରୁ ମୁକୁଳି ପାରିବ । ନ ହେଲେ ଅନ୍ୟାନ୍ୟ ଅନେକ ଦେଶ ପରି ଭାରତ ହୁଏତ ଆଗେଇ ଯାଇପାରେ, ହେଲେ ଭାରତୀୟମାନେ ପଛାଇ ଯିବେ ।
Published in Odia daily Nitidin on August 22, 2019
ଆପଣଙ୍କ ଅର୍ଥନୈତିକ ବିଶ୍ଳେଷଣ ପଢିଲା ପରେ ଆମେ ସାଧାରଣ ଜନତା ଗୋଟିଏ ନୈରାଶ୍ୟ ଜନକ ସ୍ତିଥିରେ ଥିବା ଭଳି ପରିଲକ୍ଷିତ ହେଉଛି। ଆଶା କରାଯାଉଛି ସରକାର ଏହା ଉପରେ କିଛି ପଦକ୍ଷେପ ନେବାକୁ ଆଗେଇ ଆସିବେ।
ReplyDeleteଆପଣଙ୍କ ମତାମତ ପାଇଁ ଧନ୍ୟବାଦ l ଏଥିପାଇଁ ପୋଲାଣ୍ଡ ଗ୍ରହଣ କରିଥିବା ପଦକ୍ଷେପଗୁଡିକର ଅବତାରଣା କରିଛି l ଆଶା କରାଯାଉ, ସରକାର ସେ ଦିଗରେ ଚିନ୍ତା କରିବେ l
Delete