Skip to main content

ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କରେ ତଳେ କାହିଁକି ଓଡିଶା ?

ନୀତି ଆୟୋଗ ଦ୍ୱାରା ୨୦୧୮-୧୯କୁ ମୂଳ ବର୍ଷ ବୋଲି ଧରି ୨୦୧୯-୨୦ ପାଇଁ ଡିସେମ୍ୱର ୨୭, ୨୦୨୧ରେ ପ୍ରକାଶିତ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କର ଚତୁର୍ଥ ସଂସ୍କରଣରେ ୧୯ଟି ବଡ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ୧୪ରେ ରହିବା ଉଦବେଗର କାରଣ ହୋଇଛି । ଏହି ସୂଚକାଙ୍କ ପ୍ରାକ୍ କୋଭିଡ କାଳର ସ୍ୱାସ୍ଥ୍ୟସେବା ସ୍ଥିତି ଆଧାରରେ ପ୍ରସ୍ତୁତ । ଓଡିଶା ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କର ପ୍ରଥମ ସଂସ୍କରଣ (୨୦୧୫-୧୬ )ରେ ୩୯.୪୩ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୮ଶ, ଦ୍ୱିତୀୟ ସଂସ୍କରଣ (୨୦୧୭-୧୮)ରେ ୩୫.୯୭ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୯ଶ, ତୃତୀୟ ସଂସ୍କରଣ (୨୦୧୮-୧୯)ରେ ୪୬.୧୮ ଅଙ୍କ ସହ ୨୦ଟି ବଡ ରାଜ୍ୟ ମଧ୍ୟରେ ୧୨ଶ ସ୍ଥାନରେ ଥିଲା । ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୁହା ଯାଉଥିଲେ ମଧ୍ୟ ଓଡିଶାର ସ୍ଥାନ କ୍ରମାଗତ ଭାବେ ତଳେ ରହିବାର କାରଣଗୁଡିକୁ ପର୍ଯ୍ୟାଲୋଚନା କରାଯିବା ଆବଶ୍ୟକ । ଅବଶ୍ୟ ଏ ଥର ପ୍ରଥମ ୫ଟି ସ୍ଥାନରେ ଥିବା କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ତାଲିକାର ସବା ତଳେ ବିଜେପି ଶାସିତ ମଧ୍ୟ ପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଥିବାରୁ ତାହା ବିଜେପି ଶାସିତ ରାଜ୍ୟଗୁଡିକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁଃସ୍ଥିତିକୁ ରେଖାଙ୍କିତ କରୁଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡିକର ପ୍ରଦର୍ଶନକୁ ମାପିବା ପାଇଁ ନୀତି ଆୟୋଗ ଦ୍ୱାରା ପ୍ରତି ବର୍ଷ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କ ପ୍ରକାଶିତ ହୋଇଥାଏ । ଏହି ସୂଚକାଙ୍କ ସମୁଦାୟ ୩ଟି କ୍ଷେତ୍ର (ଡୋମେନ)ର ଯଥା ସ୍ୱାସ୍ଥ୍ୟ ପରିଣାମ (ହେଲଥ ଆଉଟକମ) କ୍ଷେତ୍ର ଅନ୍ତର୍ଗତ ୧୧ଟି ସୂଚକ, ଶାସନ ଓ ସୂଚନା (ଗଭର୍ଣ୍ଣାନ୍ସ ଆଣ୍ଡ ଇନଫର୍ମେସନ) କ୍ଷେତ୍ର ଅନ୍ତର୍ଗତ ୪ଟି ସୂଚକ ଏବଂ ମୂଳ ନିବେଶ ଓ ପ୍ରକ୍ରିୟା ( କି ଇନପୁଟସ ଆଣ୍ଡ ପ୍ରୋସେସସ) କ୍ଷେତ୍ର ଅନ୍ତର୍ଗତ ୯ଟି ସୂଚକ ଏହିପରି ସମୁଦାୟ ୨୪ଟି ସୂଚକକୁ ଆଧାର କରି ପ୍ରସ୍ତୁତ ହୋଇଥାଏ । ଏହି ସ୍ୱାସ୍ଥ୍ୟ ସୂଚକାଙ୍କ ଏପରି ଏକ ସାଧନ ଯାହା ମାଧ୍ୟମରେ ପ୍ରତି ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡିକର ସ୍ଥାନ ସ୍ଥିରୀକୃତ ହେବା ସହ ସ୍ୱାସ୍ଥ୍ୟ ପରିଣାମ ହାସଲକୁ ଗତି ପ୍ରଦାନ କରିବା ସମ୍ଭବ ହୋଇଥାଏ । ସତତ ବିକାଶ ଲକ୍ଷ୍ୟ (ଏସଡିଜି)ର ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ସଂକ୍ରାନ୍ତୀୟ ତୃତୀୟ ଲକ୍ଷ୍ୟରେ ସ୍ଥାନିତ ସୂଚକଗୁଡିକୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଗ୍ରହଣ କରାଯାଇଛି । ୨୦୧୯-୨୦ରେ ୮୨.୨୦ ଅଙ୍କ ସହ କେରଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୦.୫୭ ଅଙ୍କ ସହ ଉତ୍ତର ପ୍ରଦେଶ ସବା ତଳେ ରହିଛି । ୨୦୧୫-୧୬ରୁ ଲଗାତାର ପ୍ରତି ବର୍ଷ କେରଳ ପ୍ରଥମ ସ୍ଥାନରେ ଓ ଉତ୍ତର ପ୍ରଦେଶ ଶେଷ ସ୍ଥାନରେ ରହି ଆସିଛନ୍ତି । ୪୪.୩୧ ଅଙ୍କ ସହ ଓଡିଶା ୧୪ଶ ସ୍ଥାନରେ ରହିଛି । ୨୦୧୮-୧୯ ତୁଳନାରେ ୧୦ଟି ରାଜ୍ୟ ସେମାନଙ୍କ ସ୍ଥାନ ବଜାୟ ରଖିଥିବା ବେଳେ 4ଟି ରାଜ୍ୟଙ୍କ ସ୍ଥାନରେ ଉନ୍ନତି ହୋଇଛି ଓ ଓଡିଶା ସମେତ ୫ଟି ରାଜ୍ୟଙ୍କ ସ୍ଥାନ ତଳକୁ ଖସିଛି ।

ସ୍ୱାସ୍ଥ୍ୟ ସୂଚକାଙ୍କରେ ପ୍ରତିଟି କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ କିଛି ଅଙ୍କର ପ୍ରାବଧାନ ଥିବା ବେଳେ ବଡ ରାଜ୍ୟରେ ସ୍ୱାସ୍ଥ୍ୟ ପରିଣାମ କ୍ଷେତ୍ରକୁ ସର୍ବାଧିକ ୭୦ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ଯେଉଁ ୪ଟି ମୂଳ ପରିଣାମର ସୂଚକକୁ ପ୍ରାୟ ୩୭ ପ୍ରତିଶତ ଗୁରୁତ୍ୱ ଦିଆଯାଇଛି ସେଗୁଡିକ ହେଲା ନବଜାତକଙ୍କ ମୃତ୍ୟୁ ହାର, ୫ ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁ ହାର, ଜନ୍ମ ସମୟରେ ଲିଙ୍ଗ ଅନୁପାତ ଓ ମାତୃ ମୃତ୍ୟୁ ହାର । ଏହି ୪ଟି ପରିମାପକରେ ଓଡିଶାର ପ୍ରଦର୍ଶନ ଉତ୍ସାହଜନକ ନୁହେଁ । ଓଡିଶାରେ ନବଜାତକଙ୍କ ମୃତ୍ୟୁ ହାର ୩୧ ଯାହା ପୂର୍ବ ବର୍ଷର ୩୨ ତୁଳନାରେ ୧ କମିଛି । କେରଳରେ ନବଜାତକଙ୍କ ମୃତ୍ୟୁ ହାର ସର୍ବନିମ୍ନ ୫ ଥିଲା ବେଳେ ମଧ୍ୟ ପ୍ରଦେଶରେ ସର୍ବୋଚ୍ଚ ୩୫ ରହିଛି । ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ପରେ ତଳ ଆଡୁ ତୃତୀୟ । ଓଡିଶାରେ ୫ ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁ ହାର ୪୪ ଯାହା ପୂର୍ବ ବର୍ଷ ତୁଳନାରେ ୩ କମ । ଏହି ସୂଚକରେ କେରଳର ପ୍ରଦର୍ଶନ ସର୍ବୋତ୍ତମ (୧୦) ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ଏହା ସର୍ବନିମ୍ନ (୫୬) ରହିଛି । ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଓ ଛତିଶଗଡ ପ ତଳ ଆଡୁ ପଞ୍ଚମ । ଓଡିଶାରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ୧୦୦୦ ପୁଅରେ ୯୩୩ ଝିଅ । ଏହି ସୂଚକରେ ଛତିଶଗଡର ପ୍ରଦର୍ଶନ ସର୍ବୋତ୍ତମ (୯୫୮) ହୋଇଥିବା ବେଳେ ଉତ୍ତରାଖଣ୍ଡର ପ୍ରଦର୍ଶନ ସର୍ବନିମ୍ନ (୮୪୦) ରହିଛି । ଓଡିଶାର ପ୍ରଦର୍ଶନ ଛତିଶଗଡ, କେରଳ ପଛକୁ ଉପର ଆଡୁ ତୃତୀୟ, ଯାହା ଉତ୍ସାହଜନକ । ତେବେ ୨୦୧୨-୧୪ ମୂଳ ବର୍ଷରେ ଏହି ଅନୁପାତ ୯୫୩ ଥିଲା ବେଳେ ତାହା କ୍ରମାଗତ ଭାବେ ହ୍ରାସ ପାଇ ୯୩୩ରେ ପହଞ୍ଚିବା ଉଦବେଗଜନକ । ଅର୍ଥାତ୍ କନ୍ୟା ଭ୍ରୁଣ ହତ୍ୟାର ହାର ବୃଦ୍ଧି ପାଇଥିବାର ଆଶଙ୍କା କରାଯାଇପାରେ । ତେଣୁ ଏହାର ନିରାକରଣ ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଓଡିଶାରେ ମାତୃ ମୃତ୍ୟୁ ହାର ୧୫୦ । ଏହି ସୂଚକରେ କେରଳର ପ୍ରଦର୍ଶନ ସର୍ବୋତ୍ତମ (୪୩) ହୋଇଥିବା ବେଳେ ଆସାମର ପ୍ରଦର୍ଶନ ସର୍ବନିମ୍ନ (୨୧୫) । ଏ କ୍ଷେତ୍ରରେ ଆସାମ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ପଛକୁ ଓଡିଶାର ସ୍ଥାନ ତଳ ଆଡୁ ପଞ୍ଚମ । ଅବଶ୍ୟ ପୂର୍ବ ବର୍ଷ (୧୬୮) ତୁଳନାରେ ମାତୃ ମୃତ୍ୟୁ ହାର ଯଥେଷ୍ଟ କମ ହୋଇଥିଲେ ବି କେରଳ ଭଳି ରାଜ୍ୟର ସମକକ୍ଷ ହେବାକୁ ଆହୁରି ଅଧିକ ଉଦ୍ୟମ କରିବାକୁ ହେବ । ଏହି ୪ଟି ସୂଚକ ଉପରେ ଧ୍ୟାନ କେନ୍ଦ୍ରିତ କରି ଉଚିତ ପଦକ୍ଷେପ ଗ୍ରହଣ କରାଗଲେ ଓଡିଶା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉପରକୁ ଉଠିପାରିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟବର୍ତ୍ତୀ ପରିଣାମରେ ଥିବା ୭ଟି ସୂଚକ ପାଇଁ ସୂଚକାଙ୍କରେ ୩୩ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ସୂଚକଗୁଡିକ ମଧ୍ୟରେ ଆଧୁନିକ ଗର୍ଭନିରୋଧକ ଗ୍ରହଣୀୟତା ହାର, ସମ୍ପୂର୍ଣ୍ଣ ଟିକାକରଣ, ପ୍ରାକ୍ ପ୍ରସୂତୀ ଯତ୍ନ ପାଇଁ ପଞ୍ଜିକୃତ ପ୍ରସୂତୀଙ୍କ ଅନୁପାତ, ୪ ବା ଅଧିକ ଥର ପ୍ରାକ୍-ପ୍ରସୂତୀ ଯତ୍ନ ପାଇଥିବା ପ୍ରସୂତୀଙ୍କ ଅନୁପାତ, ଆନୁଷ୍ଠାନିକ ପ୍ରସବର ଅନୁପାତ, ସମୁଦାୟ ଟିବି ରୋଗର ବିଜ୍ଞପ୍ତି, ଟିବି ଉପଚାରର ସାଫଲ୍ୟ ହାର, ଆଣ୍ଟିରେଟ୍ରୋଭାଇରାଲ ଉପଚାରରେ ଥିବା ଏଚଆଇଭି ରୋଗୀଙ୍କ ପ୍ରତିଶତ ରହିଛି । ଏହି ସୂଚକଗୁଡିକ ମଧ୍ୟରୁ ସମ୍ପୂର୍ଣ୍ଣ ଟିକାକରଣ, ଟିବି ରୋଗର ସମୁଦାୟ ବିଜ୍ଞପ୍ତି ଓ ଆଣ୍ଟିରେଟ୍ରୋଭାଇରାଲ ଉପଚାରରେ ଥିବା ଏଚଆଇଭି ରୋଗୀଙ୍କ ପ୍ରତିଶତ ସୂଚକଗୁଡିକରେ ଓଡିଶାର ପ୍ରଦର୍ଶନ ଅନ୍ୟ ଅନେକ ରାଜ୍ୟ ତୁଳନାରେ ନିରୁତ୍ସାହଜନକ ।

ଶାସନ ଓ ସୂଚନା କ୍ଷେତ୍ରରେ ଥିବା ୪ଟି ସୂଚକ ପାଇଁ ମାତ୍ର ୧୩ ପ୍ରତିଶତ ଗୁରୁତ୍ୱ ଦିଆଯାଉଛି ଯେଉଁଥିରେ ସ୍ୱାସ୍ଥ୍ୟ ନିରୀକ୍ଷଣ ଓ ତଥ୍ୟ ଶୁଚିତା, ସ୍ୱାସ୍ଥ୍ୟ ସଚିବ, ଏନଏଚଏମ ମିଶନ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଳି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ତିନିଟି ମୁଖ୍ୟ ପଦବୀରେ ପଦାଧିକାରୀଙ୍କ ହାରାହାରି କେତେ ମାସର ଅବସ୍ଥାନ, ବିଭିନ୍ନ ଜିଲ୍ଲାରେ ଥିବା ସିଡିଏମଓମାନଙ୍କର ହାରାହାରି ପୂର୍ଣ୍ଣକାଳୀନ ଅବସ୍ଥାନ ଓ ରାଜ୍ୟ କୋଷାଗାରରୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ବିଭାଗ ବା ଅନୁଷ୍ଠାନଗୁଡିକୁ କେନ୍ଦ୍ରୀୟ ଏନଏଚଏମ ପାଣ୍ଠି ହସ୍ତାନ୍ତର ହେବାରେ ଲାଗୁଥିବା ସମୟକୁ ବିବେଚନାକୁ ନିଆଯାଇଥାଏ । ତଥ୍ୟ ଶୁଚିତା, ୩ଟି ମୁଖ୍ୟ ପଦବୀରେ ହାରାହାରି ଅବସ୍ଥାନ ଓ ପାଣ୍ଠି ହସ୍ତାନ୍ତରଣ ସୂଚକ ତିନିଟିରେ ଓଡିଶାର ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ବି ଜିଲ୍ଲାମାନଙ୍କରେ ସିଡିଏମଓଙ୍କ ହାରାହାରି ପୂର୍ଣ୍ଣ କାଳୀନ ଅବସ୍ଥାନ ସୂଚକରେ ସ୍ଥିତି ଚିନ୍ତାଜନକ । ଓଡିଶାରେ ପାଣ୍ଠି ହସ୍ତାନ୍ତରଣ ଲାଗି ହାରାହାରି ମାତ୍ର ୧୮ ଦିନ ଲାଗିବା ବାସ୍ତବିକ ପ୍ରଶଂସାଯୋଗ୍ୟ ଯାହା ସାରା ଭାରତରେ ସର୍ବୋତ୍ତମ ପ୍ରଦର୍ଶନ । ୨୦୧୯-୨୦ରେ ଓଡିଶାରେ ସିଡିଏମଓମାନଙ୍କ ହାରାହାରି ପୂର୍ଣ୍ଣକାଳୀନ ଅବସ୍ଥାନ ମାତ୍ର ୫.୨ ମାସ ଥିଲା ଯାହା ସାରା ଦେଶରେ ସବୁଠାରୁ କମ । କେବଳ ସେତିକି ନୁହେଁ, ପୂର୍ବ ବର୍ଷ ତୁଳନାରେ ଓଡିଶାରେ ଏହି ଅବସ୍ଥାନର ପ୍ରତିଶତ ସର୍ବାଧିକ (୪୭.୯ ପ୍ରତିଶତ) ହ୍ରାସ ପାଇଛି । ଏହା ରାଜ୍ୟରେ ସ୍ୱାସ୍ଥ୍ୟସେବା ଶାସନ ବ୍ୟବସ୍ଥାର ଦୁର୍ବଳତା ଦର୍ଶାଉଛି ଓ ଏହି ପରିହାର୍ଯ୍ୟ ଅପାରଗତାକୁ ଦୂର କରି ସହଜରେ ସୂଚକାଙ୍କରେ ଉନ୍ନତି ଅଣା ଯାଇପାରିବ ।

ମୂଳ ନିବେଶ ଓ ପ୍ରକ୍ରିୟା (କି ଇନପୁଟସ ଆଣ୍ଡ ପ୍ରୋସେସେସ) କ୍ଷେତ୍ରରେ ଥିବା ୯ଟି ସୂଚକ ପାଇଁ  ମାତ୍ର ୧୭ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଉଛି, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଅଭାବ, ଆଇଟି ଆଧାରିତ ସମନ୍ୱିତ ମାନବ ସମ୍ୱଳ ପରିଚାଳନା ସୂଚନା ବ୍ୟବସ୍ଥା (ଏଚଆରଏମଆଇଏସ) ଅଧୀନସ୍ଥ ସମୁଦାୟ କର୍ମଚାରୀଙ୍କ ଅନୁପାତ, କାର୍ଯ୍ୟକ୍ଷମ ସ୍ୱାସ୍ଥ୍ୟ ଓ କଲ୍ୟାଣ (ୱେଲନେସ) କେନ୍ଦ୍ରଗୁଡିକର ଅନୁପାତ, କାର୍ଯ୍ୟକ୍ଷମ ହୃଦ୍ ଯତ୍ନ ଏକକ (କାର୍ଡିଆକ କେଆର ୟୁନିଟ) ଥିବା ଜିଲ୍ଲା ଡାକ୍ତରଖାନାଗୁଡିକର ଅନୁପାତ, ଜନ୍ମ-ମୃତ୍ୟୁ ପଞ୍ଜିକରଣର ପ୍ରତିଶତ, ରାଜ୍ୟର ସମୁଦାୟ ବ୍ୟୟରେ ସ୍ୱାସ୍ଥ୍ୟ ବାବଦ ବ୍ୟୟର ଅନୁପାତ ଆଦି ସୂଚକଗୁଡିକୁ ବିବେଚନାକୁ ନିଆଯାଇଥାଏ । ଓଡିଶାର ପିଏଚସି ଓ ସିଏଚସିଗୁଡିକରେ ୬୨.୪୮ ପ୍ରତିଶତ ଷ୍ଟାଫ ନର୍ସଙ୍କର ଅଭାବ ରହିଛି ଯାହା ପୂର୍ବ ବର୍ଷ (୬୭.୮୨ ପ୍ରତିଶତ) ତୁଳନାରେ ଅପେକ୍ଷାକୃତ ଭଲ ହୋଇଥିଲେ ବି ଅନ୍ୟ ଅନେକ ରାଜ୍ୟ ତୁଳନାରେ ଚିନ୍ତାଜନକ । ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତରଙ୍କ ଅଭାବ ୩୩.୬୨ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲା ଡାକ୍ତରଖାନାଗୁଡିକରେ ବିଶେଷଜ୍ଞଙ୍କ ଅଭାବ ପ୍ରାୟ ୧୧ ପ୍ରତିଶତ । କାର୍ଯ୍ୟକ୍ଷମ ହୃଦ୍ ଯତ୍ନ ଏକକ (କାର୍ଡିଆକ କେଆର ୟୁନିଟ) ଥିବା ଜିଲ୍ଲା ଡାକ୍ତରଖାନାଗୁଡିକର ଅନୁପାତ ମାତ୍ର ୩୧.୨୫ ରହିଛି । ରାଜ୍ୟରେ ମୃତ ବ୍ୟକ୍ତିଙ୍କ ପଞ୍ଜିକରଣ ଶତ ପ୍ରତିଶତ ହୋଇଥିବା ବେଳେ ଜନ୍ମ ପଞ୍ଜିକରଣ ପୂର୍ବ ବର୍ଷ (୮୩ ପ୍ରତିଶତ) ତୁଳନାରେ ମଧ୍ୟ କମ ହୋଇ ୮୨.୨୦ ପ୍ରତିଶତରେ ପହଞ୍ଚିବା କିଛି ଭଲ ଲକ୍ଷଣ ନୁହେଁ । ଏକାଧିକ  ରାଜ୍ୟରେ ଜନ୍ମ ପଞ୍ଜିକରଣ ଶତ ପ୍ରତିଶତ ହୋଇଥିବା ବେଳେ କେବଳ ମଧ୍ୟ ପ୍ରଦେଶକୁ (୭୮.୮୦ ପ୍ରତିଶତ) ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ଓଡିଶା ଅପେକ୍ଷା ଜନ୍ମ ପଞ୍ଜିକରଣ ହାର ଅଧିକ ହୋଇଥିଲା । ଜନ୍ମର ସଠିକ ପଞ୍ଜିକରଣ ନ ହେଲେ ତାହା ଯୋଜନା ପ୍ରକ୍ରିୟାକୁ ବ୍ୟାହତ କରୁଥିବାରୁ ତାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ । ୨୦୧୯-୨୦ରେ ରାଜ୍ୟରେ ସମୁଦାୟ ବଜେଟର ମାତ୍ର ୪.୯୫ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ବ୍ୟୟ ହୋଇଛି, ଯାହା ପୂର୍ବ ବର୍ଷ (୪.୪୨ ପ୍ରତିଶତ) ତୁଳନାରେ ସାମାନ୍ୟ ଅଧିକ । ତେବେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ପ୍ରତିଶତ ରାଶି ବ୍ୟୟ କରୁଥିବା ରାଜ୍ୟ ମଧ୍ୟ ପ୍ରଦେଶ (୪.୩୧), ଝାଡଖଣ୍ଡ (୪.୬୨), ବିହାର (୪.୭୧), ହରିଆଣା (୪.୮୧) ପରେ ଓଡିଶା ରହିଛି । ସ୍ୱାସ୍ଥ୍ୟ ସୂଚକାଙ୍କରେ ଶୀର୍ଷରେ ଥିବା କେରଳ ରାଜ୍ୟ ବଜେଟର ସର୍ବାଧିକ ୭.୪୩ ପ୍ରତିଶତ ରାଶି ସ୍ୱାସ୍ଥ୍ୟସେବାରେ ବ୍ୟୟ କରିଛି ।

ପୂର୍ବ ବର୍ଷ ତୁଳନାରେ ୧୪ଟି ରାଜ୍ୟରେ କ୍ରମବର୍ଦ୍ଧମାନ ଉନ୍ନତି (ଇନକ୍ରିମେଣ୍ଟାଲ ଚେଞ୍ଜ) ପରିଲକ୍ଷିତ ହୋଇଥିବା ବେଳେ 5ଟି ରାଜ୍ୟରେ ଅବନତି ଦେଖା ଦେଇଥିଲା । ଏ କ୍ଷେତ୍ରରେ ଉତ୍ତର ପ୍ରଦେଶରେ ସର୍ବାଧିକ ୫.୫୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଓଡିଶାରେ ସର୍ବନିମ୍ନ ୦.୧୩ ପ୍ରତିଶତ ବୃଦ୍ଧି ହୋଇଥିଲା । ତେବେ କର୍ଣ୍ଣାଟକରେ ସର୍ବାଧିକ ୧.୩୭ ପ୍ରତିଶତ ଅବନତି ହୋଇଥିଲା । ଏ କଥା ସତ ଯେ ଉତ୍ତର ପ୍ରଦେଶ, ଓଡିଶା ପରି ଅତି କମ ଅଙ୍କ ସହ ସୂଚକାଙ୍କର ତଳେ ଥିବା ରାଜ୍ୟଗୁଡିକରେ ବାର୍ଷିକ କ୍ରମବର୍ଦ୍ଧମାନ ଉନ୍ନତିର ଅବକାଶ ଅଧିକ । କେରଳ ପରି ରାଜ୍ୟରେ ଯେଉଁଠି ସୂଚକାଙ୍କ ୮୨ ପ୍ରତିଶତ ହୋଇ ସାରିଲାଣି ସେଠାରେ ବାର୍ଷିକ ବୃଦ୍ଧି ଖୁବ ବେଶି ସମ୍ଭବ ନୁହେଁ ।                  

ଦିଲ୍ଲୀର ମୋହଲା କ୍ଲିନିକ ବ୍ୟବସ୍ଥା ହେଉ ବା ଓଡିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ, ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ନେଉଥିବା ପଦକ୍ଷେପଗୁଡିକ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉଚିତ ଢଙ୍ଗରେ ପ୍ରତିଫଳିତ ହେଉନାହିଁ ବୋଲି କେତେକ ସମାଲୋଚକଙ୍କ ମତ । ସୂଚକାଙ୍କରେ ସ୍ୱାସ୍ଥ୍ୟ ପରିଣାମ ଉପରେ ଗୁରୁତ୍ୱ ଦିଆ ଯାଉଥିବାରୁ କେଉଁ ରାଜ୍ୟ କି ଉନ୍ନତ ପଦକ୍ଷେପ ଗ୍ରହଣ କଲେ ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ସେହି ପଦକ୍ଷେପ ଦ୍ୱାରା ବିଭିନ୍ନ ସୂଚକରେ କି ଉନ୍ନତି ପରିଲକ୍ଷିତ ହେଲା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି କୌଣସି ରାଜ୍ୟ ଗ୍ରହଣ କରିଥିବା କୌଣସି ପଦକ୍ଷେପ ଦ୍ୱାରା ଉନ୍ନତ ପରିଣାମ ମିଳିଲା ତାହା ସୂଚକାଙ୍କରେ ରାଜ୍ୟର ସ୍ଥିତିକୁ ଉନ୍ନତ କରିବା ସହ ଅନ୍ୟ ରାଜ୍ୟଗୁଡିକ ପାଇଁ ସର୍ବୋତ୍ତମ ପ୍ରଣାଳୀ (ବେଷ୍ଟ ପ୍ରାକ୍ଟିସ) ଭାବେ ଅନୁକରଣୀୟ ହେବ । ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ବିବୃତି ଦେଲେ ଯେ ନୀତି ଆୟୋଗ ପ୍ରସ୍ତୁତ କରିଥିବା ସୂଚକାଙ୍କଟି ଭୁଲ କାରଣ କେନ୍ଦ୍ର ସରକାର ଏଥି ପୂର୍ବରୁ ଓଡିଶାକୁ ଏକ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ପୁରସ୍କୃତ କରି ସାରିଛନ୍ତି । ମନେ ରଖିବାକୁ ହେବ ଯେ ସୂଚକାଙ୍କଟି କୌଣସି ନିର୍ଦ୍ଦିଷ୍ଟ ରୋଗ ବା କ୍ଷେତ୍ର ପାଇଁ ନୁହେଁ ବରଂ ସାମଗ୍ରିକ ଭାବେ ବିଭିନ୍ନ ପରିମାପକ (ପାରାମିଟର)ରେ ପ୍ରଦର୍ଶନକୁ ଆଧାର କରି ପ୍ରସ୍ତୁତ ହୋଇଥାଏ । ତା’ ଛଡା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅନବରତ ଅନଲାଇନରେ ପ୍ରଦତ୍ତ ତଥ୍ୟ ଆଧାରରେ ଏହା ପ୍ରସ୍ତୁତ ହେଉଥିବାରୁ ଏହାକୁ ଭୁଲ କହିବାର ଅର୍ଥ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା । ତେଣୁ ସୂଚକାଙ୍କରେ ତ୍ରୁଟି ଖୋଜିବା ଅପେକ୍ଷା ପ୍ରତିଟି ସୂଚକକୁ ତର୍ଜମା କରି ଯେଉଁ ସବୁ ସୂଚକରେ ଓଡିଶାର ପ୍ରଦର୍ଶନ ଅନ୍ୟାନ୍ୟ ରାଜ୍ୟର ପ୍ରଦର୍ଶନ ତୁଳନାରେ ନିରାଶାଜନକ ରହିଛି ସେଗୁଡିକୁ ସୁଧାରିବାକୁ ଆନ୍ତରିକତାର ସହିତ ଉଦ୍ୟମ ହେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେ ଅନ୍ୟ ରାଜ୍ୟର ସମକକ୍ଷ ହୋଇପାରିବ ଓ ଭବିଷ୍ୟତରେ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡିଶା ଉନ୍ନତତର ପ୍ରଦର୍ଶନ କରି ଉପରକୁ ଉଠିପାରିବ, ସେଥିରେ ସନ୍ଦେହ ନାହିଁ ।


(Published in Odisha Reporter on January 01, 2022 )

 

Comments

  1. ତଥ୍ୟଭିତ୍ତିକ ସ୍ତମ୍ଭ ପାଇଁ ଧନ୍ୟବାଦ

    ReplyDelete
  2. You have selected a nice topic about health care services of Odisha.You have correctly pointed the four parameters resulting poor scoring of our health services.We need to educate the poor section of pregnant mothers through TV media news paper Asha workers.Thanks for your nice article.

    ReplyDelete
    Replies
    1. I think the reason behind giving almost equal importance to each parameter is because most of the governments just focus on key parameters(indicating basic infrastructure) and ignore anything that is a bit luxury. There is no way one can choose parameters without criticism. It's good that people now understand how they are measured.

      Delete

Post a Comment

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...