Skip to main content

ଆଫସ୍ପା ଆଇନର ଯଥାର୍ଥତାକୁ ନେଇ ପ୍ରଶ୍ନ

ଆସାମ ରାଇଫଲସର ସେନାଙ୍କ ଦ୍ୱାରା ନାଗାଲାଣ୍ଡର ମୋନ ଜିଲ୍ଲାରେ ଡିସେମ୍ୱର ୪  ଓ ୫ , ୨୦୨୧ରେ ୧୪ ଜଣ ନିରସ୍ତ୍ର ନିରୀହ ନାଗରିକଙ୍କ ନିର୍ମମ ହତ୍ୟା ପରେ ଦେଶରେ ଆଫସ୍ପା ଆଇନ ବଳବତ୍ତର ରହିବାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହୋଇଛି । ନାଗାଲାଣ୍ଡ ଭଳି ଏକ ସମ୍ୱେଦନଶୀଳ ସୀମାନ୍ତବର୍ତ୍ତୀ ରାଜ୍ୟରେ ଏ ଭଳି ଏକ ଘଟଣା ରାଜ୍ୟବାସୀଙ୍କୁ ଉତ୍ତେଜିତ କରିବା ସହ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ବ୍ୟାହତ କରିଛି ବୋଲି ମତ ପ୍ରକାଶ ପାଉଛି । ଏପରିକି ଏନଡିଏର ଅଂଶୀଦାର ଥିବା ମେଘାଳୟ ଓ ନାଗାଲାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତୁରନ୍ତ ଆଫସ୍ପା ଆଇନ ପ୍ରତ୍ୟାହାର କରିବାକୁ ଦାବି ଜଣାଇ ସାରିଥିଲା ବେଳେ ନାଗାଲାଣ୍ଡ ବିଧାନସଭାରେ ଏହାକୁ ବାତିଲ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇସାରିଲାଣି । ଅବଶ୍ୟ ଏଥି ପୂର୍ବରୁ ଆଫସ୍ପା ଆଇନ ପ୍ରତ୍ୟାହାର ନେଇ ନାଗାଲାଣ୍ଡ ବିଧାନସଭାରେ ଅନେକ ଥର ପ୍ରସ୍ତାବ ପାରିତ ହୋଇସାରିଛି । 

ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର୍ସ ଆକ୍ଟ (ଆଫସ୍ପା) ବା ସଶସ୍ତ୍ର ବଳ ବିଶେଷ ଅଧିକାର ଆଇନ ଦେଶର ସଶସ୍ତ୍ର ବଳକୁ ପ୍ରଦତ୍ତ ଏକ ଅତି ନିର୍ଦ୍ଦୟ ଆଇନ, ଯାହା ମାନବିକ ଅଧିକାର ସୁରକ୍ଷାର ବିରୋଧାଚରଣ କରିଥାଏ । ୮୪୪ ଶବ୍ଦ ବିଶିଷ୍ଟ ଏହି ଆଇନ ଅନୁଯାୟୀ ‘ଅଶାନ୍ତ ଅଞ୍ଚଳ’ରେ ଶାନ୍ତି ଶୃଙ୍ଖଳା ବଜାଏ ରଖିବା ପାଇଁ ସଶସ୍ତ୍ର ବଳଙ୍କୁ କିଛି ବିଶେଷ କ୍ଷମତା ପ୍ରଦାନ କରାଯାଇଛି । ସଶସ୍ତ୍ର ବଳ କହିଲେ ସେନାବାହିନୀ, ସ୍ଥଳ ଭାଗରେ କାର୍ଯ୍ୟରତ ବାୟୁସେନା ଓ କେନ୍ଦ୍ର ସରକାରଙ୍କ ଅନ୍ୟ ଯେ କୌଣସି ସଶସ୍ତ୍ର ବଳଙ୍କୁ ବୁଝାଇଥାଏ । ଏହି ଆଇନ ଅନୁସାରେ ଅଶାନ୍ତ ଅଞ୍ଚଳରେ ଅବସ୍ଥାପିତ ସଶସ୍ତ୍ର ବଳର ସଦସ୍ୟ( କମିସନଡ ଓ ନନକମିସନଡ ଅଧିକାରୀ, ୱାରଣ୍ଟ ଅଫିସର ଓ ସମାନ ପଦରେ ଥିବା ଅନ୍ୟମାନେ)ଙ୍କର ଲୋକଙ୍କ ଉପରେ ବଳ ପ୍ରୟୋଗ କରିବା ଏପରିକି ଗୁଳି ଚଳାଇ ହତ୍ୟା କରିବାର କ୍ଷମତା ମଧ୍ୟ ରହିଛି । ଆଇନ ଓ ଶାନ୍ତିଶୃଙ୍ଖଳା ଭଙ୍ଗ ବା ଅବମାନନା କରି କୌଣସି ସ୍ଥାନରେ ୫ ବା ଅଧିକ ଲୋକ ରୁଣ୍ଡ ହୋଇଥିଲେ  ସେମାନଙ୍କ ଉପରେ ଆବଶ୍ୟକ ସ୍ଥଳେ ବଳ ପ୍ରୟୋଗ କରିବା ଏପରିକି ଗୁଳି ଚଳାଇବାକୁ ମଧ୍ୟ କ୍ଷମତା ପ୍ରଦାନ କରାଯାଇଛି । ସନ୍ଦେହ ଉପୁଜିଲେ ଯେ କୌଣସି ବ୍ୟକ୍ତିକୁ ଗିରଫ କରିବା, ବିନା ୱାରଣ୍ଟରେ ବି ତାଙ୍କ ଘର ବା ପରିସର ଭିତରେ ପ୍ରବେଶ କରି ଖାନତଲାସ କରିବା ଓ ଅସ୍ତ୍ରାଦି ରଖିବାକୁ ନିଷେଧ କରିବା ଲାଗି ସେମାନେ ଅଧିକୃତ । ଗିରଫ ହୋଇଥିବା ବା ହାଜତରେ ଥିବା କୌଣସି ବ୍ୟକ୍ତିଙ୍କୁ ନିକଟସ୍ଥ ଥାନାରେ ହସ୍ତାନ୍ତର କରି କେଉଁ ପରିସ୍ଥିତିରେ ଗିରଫ କରାଗଲା ସେ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରଦାନ କରିବାକୁ ହୋଇଥାଏ । କୌଣସି ଅଞ୍ଚଳରେ ବିଭିନ୍ନ ଧାର୍ମିକ ଗୋଷ୍ଠୀ, ବର୍ଣ୍ଣ, ଭାଷା, ଜାତି, ସମ୍ପ୍ରଦାୟ ତଥା ଆଞ୍ଚଳିକ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ଓ କଳହ ଲାଗି ରହିଲେ ଆଫପ୍ସା ଆଇନର ଧାରା ୩ ଅନୁଯାୟୀ ସେହି ଅଞ୍ଚଳକୁ ‘ଅଶାନ୍ତ ଅଞ୍ଚଳ’ ବୋଲି ଘୋଷଣା କରି ହେବ । କେନ୍ଦ୍ର ସରକାର, ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ବା ଆଂଶିକ ରୂପେ ‘ଅଶାନ୍ତ ଅଞ୍ଚଳ’ ବୋଲି ଘୋଷଣା କରି ପାରିବେ । ସାଧାରଣତଃ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ କୌଣସି ଅଞ୍ଚଳକୁ ‘ଅଶାନ୍ତ ଅଞ୍ଚଳ’ ବୋଲି ଘୋଷଣା କରୁଥିଲେ ବି ସ୍ଥଳ ବିଶେଷରେ ଏହି ଅଧିକାର ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ ହୋଇଥାଏ । କେଉଁ ଅଞ୍ଚଳରେ ପୁଲିସକୁ ସହାୟତା କରିବା ପାଇଁ ସଶସ୍ତ୍ର ବଳର ଆବଶ୍ୟକତା ରହିଛି ସେଥିପାଇଁ ଗ୍ୟାଜେଟରେ  ଅଧିସୂଚନା ପ୍ରକାଶ ପାଇଥାଏ । ଆଫପ୍ସା ଆଇନର ଧାରା ୬ ଅନୁଯାୟୀ ସଶସ୍ତ୍ର ବଳର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ବିନାନୁମତିରେ ସଦସ୍ୟଙ୍କ ଉପରେ କୌଣସି ମାମଲା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନ ଥାଏ । ଫଳରେ କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିଲେ ସଶସ୍ତ୍ର ବଳଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋଇ ନ ଥାଏ । ଏହି ଆଇନର ଆଲୋଚକମାନଙ୍କ ମତରେ ସଶସ୍ତ୍ର ବଳଙ୍କୁ ପ୍ରଦାନ କରାଯାଇଥିବା ଏହି ଖୋଲା ସୁରକ୍ଷା ହିଁ ମାନବିକ ଅଧିକାର ଉଲ୍ଲଂଘନର କାରଣ ହୋଇଥାଏ ।

ଆଫସ୍ପା ଆଇନର ମୂଳଦୁଆ ପଡିଥିଲା ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସନ ସମୟରେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଭାରତ ଛାଡ ଆନ୍ଦୋଳନ ଘୋଷଣା ହେବା ପରେ ସ୍ୱାଧୀନତା ସଂଗ୍ରାମକୁ ଦୁର୍ବଳ ଓ ପ୍ରତିହତ କରିବା ପାଇଁ  ବ୍ରିଟିଶ ଉପନିବେଶବାଦୀ ସରକାରରେ ବଡଲାଟ ଥିବା ଲର୍ଡ ଲିନଲିଥଗୋଙ୍କ ଦ୍ୱାରା ୧୯୪୨ରେ କେତେକ ବିଶେଷ କାର୍ଯ୍ୟରେ ନିୟୋଜିତ ପୁଲିସ ବଳର ଅଧିକାରୀ ଓ ସଦସ୍ୟଙ୍କୁ ବିଶେଷ କ୍ଷମତା ପ୍ରଦାନ କରି ‘ଦି ଆର୍ମଡ ଫୋର୍ସେସ (ସ୍ପେଶାଲ ପାୱାର୍ସ) ଏକ୍ସଟେନସନ ଅର୍ଡିନାନ୍ସ’ ଜାରି ହେଲା । ଏହା ଦ୍ୱାରା ସଶସ୍ତ୍ର ବଳଙ୍କୁ ପ୍ରଦତ୍ତ କିଛି ବିଶେଷ କ୍ଷମତା ପୁଲିସ ବଳଙ୍କୁ ପ୍ରଦାନ କରାଗଲା । ଏହା ତତ୍କାଳ ସମଗ୍ର ବ୍ରିଟିଶ ଭାରତରେ କାର୍ଯ୍ୟକାରୀ ହୋଇଥିଲା । କେନ୍ଦ୍ର ସରକାର ଓ ପ୍ରଭିନ୍ସିଆଲ ସରକାର ଗ୍ୟାଜେଟରେ ଅଧିସୂଚନା ଜାରି କରି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ପୁଲିସ ବଳର ଅଧିକାରୀ ଓ ସଦସ୍ୟଙ୍କୁ ସଶସ୍ତ୍ର ବଳକୁ ପ୍ରଦତ୍ତ ବିଶେଷ କ୍ଷମତା ପ୍ରଦାନ କରିପାରିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ସରକାରଙ୍କ ଆର୍ଡିନାନ୍ସରେ ମଧ୍ୟ ଏହି କ୍ଷମତା କେବଳ ବ୍ରିଟିଶ ସେନାବାହିନୀର ‘କ୍ୟାପଟେନ’ ପଦବୀରେ ଥିବା ଅଧିକାରୀଙ୍କ ସମକକ୍ଷ ପୁଲିସ ଅଧିକାରୀ, ଯିଏ ଜଣେ ଗ୍ୟାଜେଟେଡ ପଦାଧିକାରୀ ହୋଇଥିବେ, ଙ୍କୁ ପ୍ରଦାନ କରାଯାଇ ପାରୁଥିଲା । ତାଙ୍କଠାରୁ ନିମ୍ନ ପଦରେ ଅଧିଷ୍ଠିତ ଅନ୍ୟମାନେ ଏହି କ୍ଷମତାକୁ ପ୍ରୟୋଗ କରି ପାରୁ ନ ଥିଲେ । ଅନ୍ୟ ପକ୍ଷରେ ଭାରତ ସରକାରଙ୍କ ପ୍ରଚଳିତ ଆଫସ୍ପା ଆଇନ ଅନୁସାରେ ରାଙ୍କ ଦୃଷ୍ଟିରୁ କ୍ୟାପଟେନ ପଦବୀର ଯଥେଷ୍ଟ ତଳେ ଥିବା ଜଣେ ନନକମିସନଡ ଅଫିସର ଓ ୱାରଣ୍ଟ ଅଫିସର ମଧ୍ୟ ଏହି କ୍ଷମତାକୁ ପ୍ରୟୋଗ କରିବା ପାଇଁ ଅଧିକୃତ ।

 ଦେଶ ସ୍ୱାଧୀନ ହେବା ପରେ ଉତ୍ତର-ପୂର୍ବ ଭାରତର ରାଜ୍ୟମାନଙ୍କରେ କ୍ରମାଗତ ଭାବେ ହିଂସା ବୃଦ୍ଧି ପାଇବାରୁ ରାଜ୍ୟ ସରକାରଙ୍କ ପକ୍ଷରେ ତାହା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଲା । ଏହାକୁ ଦୃଷ୍ଟିରେ ରଖି ମେ ୧୯୫୮ରେ ଅର୍ଡିନାନ୍ସ ଆକାରରେ ଆସିଥିବା ଆଫସ୍ପା, ସେହି ବର୍ଷ ଅଗଷ୍ଟରେ ସଂସଦରେ ପାରିତ ହେବା ପରେ ସେପ୍ଟେମ୍ୱର ୧୧ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହେଲା । ପ୍ରାଥମିକ ଅବସ୍ଥାରେ ଆସାମ ଓ ମଣିପୁରରେ ନାଗା ସଶସ୍ତ୍ର ବିଦ୍ରୋହୀଙ୍କ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ପ୍ରତିହତ କରିବା ଲାଗି ଏହା ନାଗା ପାର୍ବତ୍ୟାଞ୍ଚଳରେ ସାମୟିକ ଭାବେ ଲାଗୁ ହୋଇଥିଲା ବୋଲି କୁହାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିଲା । ୧୯୫୮ରେ ଆସାମ ରାଜ୍ୟରେ ଏହି ଆଇନ ଆଂଶିକ ଭାବେ ଲାଗୁ ହୋଇଥିଲେ ବି ଉଲଫା ଉଗ୍ରବାଦ ଓ ବୋଡୋଲାଣ୍ଡ ଆନ୍ଦୋଳନ ଯୋଗୁଁ ନଭେମ୍ୱର ୧୯୯୦ରେ ସମଗ୍ର ଆସାମକୁ ଅଶାନ୍ତ ଅଞ୍ଚଳ ଘୋଷଣା କରି ସେଠାରେ ଆଫସ୍ପା ଆଇନ ଲାଗୁ କରାଯାଇଛି । ୧୯୫୮ରେ ମଣିପୁରରେ ଆଂଶିକ ଭାବେ ଏହି ଆଇନ ଲାଗୁ ହୋଇଥିଲା ବେଳେ ସେପ୍ଟେମ୍ୱର ୮, ୧୯୮୦ରେ ଏହା ରାଜ୍ୟବ୍ୟାପୀ ସମ୍ପ୍ରସାରିତ ହୋଇଥିଲା । ତେବେ ବର୍ତ୍ତମାନ ଏହା ଇମ୍ଫାଲ ସଂଲଗ୍ନ ୭ଟି ବିଧାନସଭା କ୍ଷେତ୍ରକୁ ବାଦ ଦେଇ ରାଜ୍ୟର ଅନ୍ୟତ୍ର ବଳବତ୍ତର ରହିଛି । ମୂଳରୁ ନାଗାଲାଣ୍ଡ ରାଜ୍ୟ ଅଶାନ୍ତ ଅଞ୍ଚଳ ଭାବେ ଘୋଷିତ ହୋଇ ଏ ଯାବତ୍ ସମଗ୍ର ରାଜ୍ୟରେ ଆଫସ୍ପା ଆଇନ ଲାଗୁ ହୋଇ ରହିଛି । ୨୦୧୯ରେ ଅରୁଣାଚଳ ପ୍ରଦେଶରୁ ଆଂଶିକ ଭାବେ ଆଫସ୍ପା ଆଇନ ପ୍ରତ୍ୟାହୃତ ହୋଇଛି । ବର୍ତ୍ତମାନ ରାଜ୍ୟର ତିରାପ, ଚାଙ୍ଗଲାଙ୍ଗ ଓ ଲୋଙ୍ଗଡିଙ୍ଗ ଜିଲ୍ଲା ତଥା ଆସାମ ସୀମାବର୍ତ୍ତୀ ୪ଟି ଥାନା ଅଞ୍ଚଳରେ ଏହି ଆଇନ ବଳବତ୍ତର ରହିଛି । ଜାନୁଆରୀ ୧୯୬୭ରେ ସମଗ୍ର ମିଜୋରାମକୁ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରି ସେଠାରେ ଆଫସ୍ପା ଆଇନ ଲାଗୁ ହୋଇଥିଲା । ତେବେ ଜୁନ ୧୯୮୬ରେ ସେଠାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ସେଠାରୁ ଏହି ଆଇନ ପ୍ରତ୍ୟାହୃତ ହୋଇଥିଲା । ତ୍ରିପୁରା ରାଜ୍ୟରେ ଉଗ୍ରବାଦ ଗତିବିଧି ହ୍ରାସ ପାଇବା ପରେ ସେଠାରେ ଫେବୃଆରୀ ୧୯୯୭ରୁ ଲାଗୁ ହୋଇଥିବା ଏହି ଆଇନ ୧୮ ବର୍ଷ ପରେ ମେ ୨୦୧୫ରେ ପ୍ରତ୍ୟାହାର କରି ନିଆଗଲା । ଆସାମ ସୀମାକୁ ଲାଗି ଥିବା ମେଘାଳୟର ୨୦ କିଲୋମିଟର ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ସେଠାରେ ଉଗ୍ରବାଦ ଗତିବିଧି ଯଥେଷ୍ଟ ହ୍ରାସ ପାଇଥିବାରୁ ୨୭ ବର୍ଷ ପରେ ସମଗ୍ର ମେଘାଳୟରୁ ମାର୍ଚ୍ଚ ୩୧, ୨୦୧୮ରୁ ଆଫପ୍ସା ଆଇନ ପ୍ରତ୍ୟାହାର କରି ନିଆଯାଇଛି ।  ଆଫସ୍ପା ଆଇନକୁ ଆଧାର କରି ସଂସଦ ଦ୍ୱାରା ୧୯୯୦ରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ଆର୍ମଡ ଫୋର୍ସେସ (ଜାମ୍ମୁ ଓ କାଶ୍ମୀର) ସ୍ପେଶାଲ ପାୱାର୍ସ ଆକ୍ଟ ପ୍ରଣୀତ ହେଲା, ଯାହା ଏବେ ମଧ୍ୟ ବଳବତ୍ତର ରହିଛି । ସେହିପରି ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଚାଲିଥିବା ବେଳେ ସେଠାରେ ଉଗ୍ରବାଦର ମୁକାବିଲା କରିବା ପାଇଁ ଆର୍ମଡ ଫୋର୍ସେସ (ପଞ୍ଜାବ ଓ ଚଣ୍ଡିଗଡ) ସ୍ପେଶାଲ ପାୱାର୍ସ ଆକ୍ଟ, ୧୯୮୩ ପ୍ରଣୀତ ହୋଇଥିଲା, ଯାହା ୧୯୯୭ରେ ପ୍ରତ୍ୟାହୃତ ହେଲା ।

ବିଭିନ୍ନ ସମୟରେ ପ୍ରତିରକ୍ଷା କର୍ମୀଙ୍କ ଦ୍ୱାରା ଆଫସ୍ପା ଆଇନର ଦୁରୁପଯୋଗ ସଂକ୍ରାନ୍ତରେ ଅନେକ ଅଭିଯୋଗ ମିଳିଥାଏ । ଗୃହ ମନ୍ତ୍ରାଳୟର ସୂଚନାନୁସାରେ କେବଳ ୨୦୧୨ରୁ ୨୦୧୬ ପାଞ୍ଚ ବର୍ଷ ମଧ୍ୟରେ ଆଫସ୍ପା ଆଇନର ଦୁରୁପଯୋଗ ସମ୍ପର୍କରେ ୧୮୬ଟି ଅଭିଯୋଗ ମିଳିଥିଲା ଯେଉଁଥିରୁ ପ୍ରାୟ ଅଧା କେବଳ ଜାମ୍ମୁ ଓ କାଶ୍ମୀର ରାଜ୍ୟରୁ ଆସିଥିଲା ବେଳେ ଆସାମ ଓ ମଣିପୁରରୁ ଯଥାକ୍ରମେ ୩୧ ଓ ୧୧ ପ୍ରତିଶତ ଅଭିଯୋଗ ମିଳିଥିଲା । ତଥ୍ୟ ଅନୁଯାୟୀ ୧୯୯୪ରୁ ୨୦୧୭ ମଧ୍ୟରେ ମିଳିଥିବା ମାନବାଧିକାର ଉଲ୍ଲଂଘନର ୧୬୯୫ଟି ଅଭିଯୋଗ ମଧ୍ୟରୁ ମାତ୍ର ୬୬ଟି ସତ ବୋଲି ପ୍ରମାଣିତ ହୋଇ ୧୫୦ ଜଣ ପ୍ରତିରକ୍ଷା କର୍ମୀଙ୍କୁ ଦଣ୍ଡିତ କରାଯାଇଛି ଓ ୪୯ଟି ମାମଲାରେ ପ୍ରଭାବିତଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ମାନବାଧିକାର ଉଲ୍ଲଂଘନର ୧୨ଟି ଶ୍ରେଣୀରେ ବିଭକ୍ତ ଏହି ଅଭିଯୋଗଗୁଡିକ ମୁଖ୍ୟତଃ ‘ଯାତନା ପ୍ରଦାନ (ଟରଚର)’ ‘ସେନାବାହିନୀ ଏନକାଉଣ୍ଟରରେ ମୃତ୍ୟୁ’, ‘ସେନାବାହିନୀ ଗୁଳିଚାଳନାରେ ମୃତ୍ୟୁ’ ହୋଇଥିଲେ ବି ସେଥିରେ ପ୍ରତିରକ୍ଷା କର୍ମୀଙ୍କ ଦ୍ୱାରା ‘ଅପହରଣ ଓ ଦୁଷ୍କର୍ମ’ ପରି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି ।  ଜୁଲାଇ ୧୧, ୨୦୦୪ରେ ୩୨ ବର୍ଷୀୟା ମଣିପୁରୀ ଯୁବତୀ ଥଙ୍ଗଜାମ ମନୋରମା ଦେବୀଙ୍କ ଗୁଳିବିଦ୍ଧ ମୃତ ଶରୀର ଇମ୍ଫାଲରେ ତାଙ୍କ ଘରଠାରୁ ୪ କିଲୋମିଟର ଦୂରରେ ମିଳିବା ପରେ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ଦିନକ ପୂର୍ବରୁ ଆସାମ ରାଇଫଲସ୍ ମନୋରମା ଦେବୀଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ । ସେନାବାହିନୀର ବର୍ବରତାର ପ୍ରତିବାଦରେ ସେଠାରେ ସଂଖ୍ୟାଧିକ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଆସାମ ରାଇଫଲସର ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏହି ଅଭୂତପୂର୍ବ ଅଭିନବ ପ୍ରତିବାଦ ସର୍ବତ୍ର ଚହଳ ପକାଇବା ସହ ସମସ୍ୟା ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେମାନେ ଧରିଥିବା ବ୍ୟାନରରେ ଲେଖାଥିଲା ‘ଇଣ୍ଡିଆନ ଆର୍ମି ରେପ ଅସ ଟୁ...’ (ଭାରତୀୟ ସେନାବାହିନୀ ଆମକୁ ବି ବଳାତ୍କାର କର ...) । ଏହି ପ୍ରତିବାଦ ପରେ ଆସାମ ରାଇଫଲସ୍ ତରଫରୁ ଆଭ୍ୟନ୍ତରୀଣ ତଦନ୍ତର ଆଦେଶ ଦିଆଯାଇଥିଲା । ଏ ଭଳି ତଦନ୍ତର ରିପୋର୍ଟ ସର୍ବ ସାଧାରଣରେ ପ୍ରକାଶ ପାଉ ନ ଥିବାରୁ ସେହି ତଦନ୍ତରେ କାହାରିକୁ ଦଣ୍ଡିତ କରାଯାଇଛି କି ନାହିଁ ତାହା ଆଜି ଯାଏଁ ଆଉ ଜଣା ପଡିଲା ନାହିଁ । ତେବେ ପ୍ରବଳ ଜନବିରୋଧ ଯୋଗୁଁ ଇମ୍ପାଲର ୭ଟି ବିଧାନସଭା କ୍ଷେତ୍ରରୁ ଆଫସ୍ପା ଆଇନକୁ ପ୍ରତ୍ୟାହାର କରି ନିଆଯାଇଥିଲା । ମଣିପୁରର ଇରମ ଚାନୁ ଶର୍ମିଲା ଆଫସ୍ପା ଆଇନକୁ ବାତିଲ କରିବା ଦାବିରେ ନଭେମ୍ୱର ୫, ୨୦୦୦ରୁ ଅଗଷ୍ଟ ୯, ୨୦୧୬ ଯାଏଁ ଅନଶନ କରି ରେକର୍ଡ ସୃଷ୍ଟି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମେ ୧୯୭୯ରୁ ମେ ୨୦୧୨ ମଧ୍ୟରେ ମଣିପୁରରେ ସଂଘଟିତ ୧୫୨୮ଟି ବିଚାରବହିର୍ଭୁତ ହତ୍ୟାରେ ସେନାବାହିନୀ ଓ ଆସାମ ରାଇଫଲସର ଅଧିକାରୀଙ୍କ ଭୂମିକାକୁ ତଦନ୍ତ କରିବା ପାଇଁ ସିବିଆଇ ତରଫରୁ ଏକ ଏସଆଇଟି ଗଠନ କରାଯାଇଛି, ଯାହାର ତଦନ୍ତ ଏ ଯାଏଁ ସରିନାହିଁ ।          

ଆଫସ୍ପା ଭଳି ଏକ ଆଇନ ପାଇଁ ଭାରତକୁ ଜାତିସଂଘ ଓ ବିଶ୍ୱ ଦରବାରରେ ବାରମ୍ୱାର ନିନ୍ଦିତ ହେବାକୁ ପଡିଛି । ୧୯୯୧ରେ ଭାରତ ତା’ର ମାନବାଧିକାର ସମ୍ପର୍କୀୟ ରିପୋର୍ଟ ଉପସ୍ଥାପନ କଲା ବେଳେ ଜାତିସଂଘ ମାନବାଧିକାର କମିଟି (ୟୁଏନଏଚଆରସି)ର ସଦସ୍ୟଙ୍କ ଦ୍ୱାରା ଆଫସ୍ପା ଆଇନର ବୈଧତାକୁ ନେଇ ଭାରତକୁ ଅନେକ ଅସହଜ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା । ସେମାନେ ଏହି ଆଇନର ସାମ୍ୱିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । ଏଥି ସହ ଏହା ଅନ୍ତର୍ଜାତୀୟ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି (ଆଇସିସିପିଆର)ର ଧାରା 4ର ବିରୋଧାଚରଣ କରୁଥିବାରୁ ଏହାକୁ କୌଣସି ମତେ ଯୁକ୍ତିସଙ୍ଗତ କହି ହେବନାହିଁ ବୋଲି ମତ ପ୍ରକାଶ ପାଇଥିଲା । ପ୍ରତ୍ୟେକ ମଣିଷର ବଞ୍ଚିବାର ଜନ୍ମସିଦ୍ଧ ଅଧିକାର ରହିଛି ଓ ଏହାକୁ ଆଇନ ଦ୍ୱାରା ସୁରକ୍ଷିତ ରଖିବାକୁ ହେବ । କାହାରିଠାରୁ ତା’ ଜୀବନ ମନଇଚ୍ଛା ଛଡାଇ ନେଇ ହେବନାହିଁ । ୧୯୯୭ରେ ୟୁଏନଏଚଆରସି ଆଫସ୍ପା ଆଇନରେ ପ୍ରଦତ୍ତ ‘ଦଣ୍ଡ ମୁକ୍ତ ବାତାବରଣ’ (କ୍ଲାଇମେଟ ଅଫ ଇମ୍ପ୍ୟୁନିଟି) ପାଇଁ ଉଦବେଗ ପ୍ରକାଶ କରିଥିଲେ । ଜାତିସଂଘର ମାନବାଧିକାର କମିଶନର ୨୦୦୯ରେ ଭାରତ ସରକାରଙ୍କୁ ଆଫସ୍ପା ଆଇନ ବାତିଲ କରିବା ଲାଗି ପରାମର୍ଶ ଦେଇ କହିଥିଲେ, “ସମକାଳୀନ ଅନ୍ତର୍ଜାତୀୟ ମାନବାଧିକାର ମାନକର ବିରୋଧାଚରଣ କରୁଥିବା ସମସ୍ତ ପୁରୁଣାକାଳିଆ ଓ ଉପନିବେଶ ସମୟର ଆଇନକୁ ଭାରତ ପ୍ରତ୍ୟାହାର କରିବା ଉଚିତ” । ଏଥି ପୂର୍ବରୁ ୟୁଏନ ସ୍ପେଶାଲ ରାପୋର୍ଟର ଅନ ଏକସଟ୍ରାଜୁଡିସିଆଲ, ସମରି ଅର ଆର୍ବିଟ୍ରାରୀ ଏକଜିକ୍ୟୁସନସ (୨୦୦୬), କମିଟି ଅନ ଏଲିମିନେସନ ଅଫ ଡିସକ୍ରିମିନେସନ ଏଗେନଷ୍ଚ ଉମେନ (୨୦୦୭), କମିଟି ଅନ ଏଲିମିନେସନ ଅଫ ରେସିଆଲ ଡିସକ୍ରିମିନେସନ (୨୦୦୭) ଆଦି ଜାତିସଂଘର ଏକାଧିକ କମିଟି ଆଫସ୍ପା ଆଇନକୁ ପ୍ରତ୍ୟାହାର କରିବା ଲାଗି ବିଭିନ୍ନ ସମୟରେ ଦୃଢ ସ୍ୱର ଉଠାଇ ଆସିଛନ୍ତି । ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ନଭେମ୍ୱର ୨୦୦୪ରେ ଜଷ୍ଟିସ ବି ପି ଜୀବନ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟରେ ଆଫସ୍ପା ଆଇନକୁ ବାତିଲ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲେ ବି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଏ ଯାଏଁ ଗୃହୀତ ହୋଇନାହିଁ । ସେହିପରି କେ ବୀରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ପ୍ରଶାସନିକ ସଂସ୍କାର କମିସନ (ଏଆରସି) ୨୦୦୭ରେ ଦେଇଥିବା 5ମ ରିପୋର୍ଟରେ ମଧ୍ୟ ଆଫସ୍ପା ଆଇନ ବାତିଲ କରିବା ସପକ୍ଷରେ ପରାମର୍ଶ ଦେଇଥିଲେ ।

ଅଗଷ୍ଟ ୧୮, ୧୯୫୮ରେ ସଂସଦରେ ପାରିତ ହୋଇଥିବା ଆଫସ୍ପା ଆଇନ ଅନେକ ବର୍ଷ ଧରି ତିଷ୍ଠି ରହିଥିଲେ ବି ନାଗାଲାଣ୍ଡ ଭଳି ରାଜ୍ୟରେ ତାହା ବିଚ୍ଛିନ୍ନତାବାଦ ଓ ଉଗ୍ରବାଦର ଅନ୍ତ କରିବାରେ ସମର୍ଥ ହୋଇନାହିଁ । ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ (ଏନଏସସିଏନ)ର ଏକାଧିକ ଗୋଷ୍ଠୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ଏବେ ବି ସକ୍ରିୟ ଥିଲା ବେଳେ ଏମାନଙ୍କ ମଧ୍ୟରେ ଏନଏସସିଏନ (ଆଇଏମ) ଗୋଷ୍ଠୀ ସର୍ବାଧିକ ସକ୍ରିୟ । ଏମାନଙ୍କ ମୁକାବିଲା ଓ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୁଲିସ ଅସମର୍ଥ ଥିବାରୁ ଏଥିପାଇଁ ସେନାବାହିନୀକୁ ନିୟୋଜିତ କରାଯାଇଥାଏ । ଏ କଥା ସତ ଯେ ଦେଶର କୌଣସି ଅଶାନ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୁଲିସ ଅସମର୍ଥ ଥାଇ ସେନାବାହିନୀର ସହାୟତା ନିଆଗଲେ ସେନାବାହିନୀକୁ କୋର୍ଟ କଚେରୀ ଜଞ୍ଜାଳରୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ହେବ । କିନ୍ତୁ ସେନାବାହିନୀକୁ ପ୍ରଦତ୍ତ କ୍ଷମତାର ଦୁରୁପଯୋଗ ହେଲେ ନାଗରିକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଯେଉଁ ଭଳି ତତ୍ପରତା ପ୍ରକାଶ ପାଇବା କଥା ତାହା ଦେଖାଯାଉ ନାହିଁ । ସେନାବାହିନୀଙ୍କୁ ଦେଶବାସୀଙ୍କ ବିରୁଦ୍ଧରେ ଲଢିବାରେ ନିୟୋଜିତ କରିବା ଆଦୌ ଯୁକ୍ତିସଙ୍ଗତ ନୁହେଁ । ବିଚ୍ଛିନ୍ନତାବାଦ ଓ  ଉଗ୍ରବାଦର ମୁକାବିଲା କରିବା ପାଇଁ ସ୍ଥାନୀୟ ପୁଲିସ ଅସମର୍ଥ ବୋଲି ଧରି ନ ନେଇ ବରଂ ଅଶାନ୍ତ ଅଞ୍ଚଳରେ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ସେନାବାହିନୀକୁ ସେହି ଧରଣର କାର୍ଯ୍ୟରେ ନିୟୋଜିତ କରିବାକୁ ପଡନ୍ତା ନାହିଁ କି ଆଫସ୍ପା ଆଇନର ଦୁରୁପଯୋଗ ନେଇ ଆଉ ସେନାବାହିନୀ ସମାଲୋଚନାର ଶରବ୍ୟ ହୁଅନ୍ତା ନାହିଁ । ଏକଦା ଆୟର୍ଲାଣ୍ଡରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ବ୍ରିଟେନ ଦ୍ୱାରା ଆଫସ୍ପା ଭଳି ଏକ ଆଇନର ସହାୟତା ନିଆ ଯାଇଥିଲା । ଆମ ପଡୋଶୀ ପାକିସ୍ତାନ ଓ ବଙ୍ଗଳାଦେଶରେ ଏବେ ବି ୧୯୪୨ର ଆଫସ୍ପା ଆଇନ ଭିନ୍ନ ରୂପରେ ତିଷ୍ଠି ରହିଥିଲେ ବି ବିଶ୍ୱର ପ୍ରାୟ କୌଣସି ସଭ୍ୟ ଦେଶରେ ଏ ଧରଣର ଆଇନର ପ୍ରଚଳନ ନାହିଁ । ତେଣୁ ଏକବିଂଶ ଶତାବ୍ଦୀରେ ଭାରତ ପରି ଏକ ବିଶାଳ ଆଧୁନିକ ଗଣତନ୍ତ୍ରରେ ଆଫସ୍ପା ଭଳି ମାନବାଧିକାର ବିରୋଧୀ ଏକ ନିର୍ଦ୍ଦୟ ଆଇନର ଯେ କୌଣସି ସ୍ଥାନ ନାହିଁ ତାହା ସରକାରଙ୍କୁ ସ୍ୱୀକାର କରି ତା’ର ବିକଳ୍ପ ଅନୁସନ୍ଧାନ ପୂର୍ବକ ଅବିଳମ୍ୱେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ସୁଖର କଥା ନାଗାଲାଣ୍ଡରୁ ଆଫସ୍ପା ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯିଏ ୪୫ ଦିନ ମଧ୍ୟରେ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ । କେବଳ ନାଗାଲାଣ୍ଡ ନୁହେଁ, ବରଂ ସ୍ଥିତି ସମୀକ୍ଷା କରି ଆଫସ୍ପା ଲାଗୁ ରହିଥିବା ଦେଶର ଅନ୍ୟାନ୍ୟ ଅଞ୍ଚଳଗୁଡିକରୁ ମଧ୍ୟ ତୁରନ୍ତ ଏହି ଆଇନ ପ୍ରତ୍ୟାହାର କରି ନେବାର ଆବଶ୍ୟକତା ଅନୁଭୂତ ହେଉଛି । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ଦୀର୍ଘ ଦିନ ଧରି ସେନାବାହିନୀର ଆତଙ୍କର ଆଶଙ୍କା ଭିତରେ ରଖାଗଲେ ସେହି ସବୁ ଅଞ୍ଚଳର ଲୋକଙ୍କ ମଧ୍ୟରେ ସେନାବାହିନୀ ପ୍ରତି ବିଶ୍ୱାସ ସଙ୍କଟ ଦେଖା ଦେଇ ସେମାନେ ଦେଶର ମୁଖ୍ୟସ୍ରୋତରେ ସାମିଲ ହେବା ତ ଦୂରର କଥା ବରଂ କ୍ରମଶଃ ଦୂରେଇ ଯିବାର ଆଶଙ୍କା ଦେଖା ଦେଇପାରେ ।


Published in Samadrusti magazine in its 01-15 January, 2022 issue.


Comments

  1. Very good and timely article on AFSA .You have rightly commented to avoid interference of Army for routine law and order problem of states.Thanks for such article.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍