‘ଏମଏସପି ଥିଲା, ଅଛି, ରହିବ’ର ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଅଡି ବସିବାର କାରଣ ହେଉଛି ପ୍ରଚଳିତ ବ୍ୟବସ୍ଥାରେ ଅଧିକାଂଶ ଚାଷୀ ଏମଏସପିରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଅସମର୍ଥ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବା । “ଫସଲର ସମ୍ପୂର୍ଣ୍ଣ ବ୍ୟୟ ଆଧାରିତ (‘ସି’ଟୁ ଯୁକ୍ତ ୫୦ ପ୍ରତିଶତ) ସର୍ବନିମ୍ନ ସହାୟକ ମୂଲ୍ୟ ସବୁ ପ୍ରକାର କୃଷି ଉତ୍ପାଦ ଉପରେ ପାଇବା ସବୁ ଚାଷୀଙ୍କର ଆଇନଗତ ଅଧିକାର ହେବା ଆବଶ୍ୟକ, ଯଦ୍ଦ୍ୱାରା ଦେଶର ପ୍ରତି ଚାଷୀ ତା’ର ସମ୍ପୂର୍ଣ୍ଣ ଅମଳକୁ ଅନ୍ତତଃ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକିବାର ଗ୍ୟାରେଣ୍ଟି ପାଇପାରିବ“ ବୋଲି ମୋର୍ଚ୍ଚାର ଦୃଢ ମତ । ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଗଲେ ରାଜକୋଷ ଉପରେ ଅତ୍ୟଧିକ ଚାପ ପଡି ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଅର୍ଥର ଅଭାବ ଦେଖା ଦେବ ବୋଲି କିଛି ଅର୍ଥନୀତିଜ୍ଞ କହୁଥିବା ବେଳେ ଏହା ଦ୍ୱାରା ଚାଷୀଙ୍କ ଅବସ୍ଥା ସ୍ୱଚ୍ଛଳ ହୋଇ ଅର୍ଥନୀତି ଗତିଶୀଳ ହେବ ବୋଲି ଅନ୍ୟ କେତେକ ଅର୍ଥନୀତିଜ୍ଞଙ୍କ ମତ ହୋଇଥିବାରୁ ପ୍ରସଙ୍ଗଟିର ପର୍ୟ୍ୟାଲୋଚନା ଆବଶ୍ୟକ ।
ବର୍ତ୍ତମାନ ଯେଉଁ ୨୨ଟି ଫସଲ ପାଇଁ ଏମଏସପି ଘୋଷିତ ହେଉଛି ସେଥିରେ ଧାନ, ଗହମ, ମକା, ଯବ, ଜ୍ୱାର, ବାଜରା, ମାଣ୍ଡିଆ ଭଳି ୭ଟି ଖାଦ୍ୟାନ୍ନ, ବୁଟ, ହରଡ, ମୁଗ, ବିରି, ମସୁର ଭଳି ୫ଟି ଡାଲି ଜାତୀୟ ଶସ୍ୟ, ଚିନାବାଦାମ, ସୋରିଷ-ଧଳାସୋରିଷ, ସୋୟାବିନ, ତିଳ, ସୂର୍ୟ୍ୟମୁଖୀ, କୁସୁମ, ଅଳସୀ ଭଳି ୭ ପ୍ରକାର ତୈଳବୀଜ ଶସ୍ୟ ଓ ଶୁଖିଲା ନଡିଆ ଶସ (କୋପ୍ରା), କପା, ଝୋଟ ଭଳି ୩ ପ୍ରକାର ବ୍ୟାବସାୟିକ ଫସଲ ଅନ୍ତର୍ଭୁକ୍ତ । ଅନ୍ୟ ପକ୍ଷରେ ଆଖୁ ସଂଗ୍ରହ ପାଇଁ ଏକ ଭିନ୍ନ ପଦ୍ଧତିରେ କେନ୍ଦ୍ର ସରକାର ଫେଆର ଆଣ୍ଡ ରେମ୍ୟୁନରେଟିଭ ପ୍ରାଇସ (ଏଫଆରପି) ଘୋଷଣା କରୁଥିବା ବେଳେ ପ୍ରମୁଖ ଆଖୁ ଉତ୍ପାଦକ ରାଜ୍ୟଗୁଡିକ ନିଜ ନିଜ ରାଜ୍ୟ ପାଇଁ ଷ୍ଟେଟ ଆଡଭାଇଜଡ ପ୍ରାଇସ (ଏସଏପି)ର ଘୋଷଣା କରିଥାଆନ୍ତି । ଉପରୋକ୍ତ ୨୩ଟି ଫସଲ ମଧ୍ୟରୁ କେବଳ ୪ଟି ଫସଲ ଯଥା ଆଖୁ (୭୫%), ଧାନ (୪୯%), ଗହମ (୪୦%) ଓ କପା (୨୬%)ର ପ୍ରଭାବୀ ଢଙ୍ଗରେ ସଂଗ୍ରହ ହେଉଥିବା ବେଳେ ୫ଟି ଫସଲ ଯଥା ବୁଟ, ସୋରିଷ, ଚିନାବାଦାମ, ହରଡ ଓ ମୁଗର ୧୦ ପ୍ରତିଶତ ମଧ୍ୟ ସଂଗ୍ରହ ହୋଇ ନ ଥାଏ । ଅବଶିଷ୍ଟ ୧୪ଟି ଫସଲର ତ ନାମକୁ ମାତ୍ର ସଂଗ୍ରହ ହୋଇଥାଏ ବା ଆଦୌ ହୋଇ ନ ଥାଏ । ଗତ ବର୍ଷ ମାତ୍ର ୩୬ ଜଣ ଚାଷୀଙ୍କଠାରୁ ୯ ଲକ୍ଷ ଟଙ୍କା ମୂଲ୍ୟର କୋପ୍ରା ସଂଗ୍ରହ ହେବା ତାହାର ଏକ ଉଦାହରଣ । ସଂଖ୍ୟାଧିକ ଅନ୍ୟ ଫସଲ ପାଇଁ ଏମଏସପି ଘୋଷଣା ହୋଇ ନ ଥାଏ । କିଛି ଫସଲର ବଜାର ଦର ଏମଏସପିଠାରୁ ଅଧିକ ଥିବାରୁ ସେଗୁଡିକର ସଂଗ୍ରହର ଆବଶ୍ୟକତା ଉପୁଜି ନ ଥାଏ । ଉଦାହରଣ ସ୍ୱରୂପ ୨୦୨୦-୨୧ରେ ସୋରିଷ, ହରଡ, ମୁଗ, ମସୁର, ସୋୟାବିନର ବଜାର ଦର ଏମଏସପିଠାରୁ ଯଥେଷ୍ଟ ଅଧିକ ରହିଥିବାରୁ ସେଗୁଡିକର ସରକାରୀ ଭାବେ ସଂଗ୍ରହ ପରିମାଣ ହ୍ରାସ ପାଇଥିଲା । ଅର୍ଥାତ୍, ଏମଏସପିର ଗ୍ୟାରେଣ୍ଟି ପ୍ରଦାନ କଲେ ଯେ ସରକାରଙ୍କୁ ସବୁ ଫସଲକୁ ସମ୍ପୂର୍ଣ୍ଣ ଭାବେ କିଣିବାକୁ ହେବ, ତାହା ଠିକ୍ ନୁହେଁ ।
ଯେଉଁ ୨୩ଟି ଫସଲ ପାଇଁ ଏମଏସପି ଘୋଷିତ ହୁଏ, ତାହାର ସମୁଦାୟ ମୂଲ୍ୟ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା । ଚାଷୀ ନିଜ ପାଇଁ, ବିହନ ଓ ପଶୁଖାଦ୍ୟ ଇତ୍ୟାଦି ବାବଦରେ ଉତ୍ପାଦିତ ଫସଲର ହାରାହାରି ୨୫ ପ୍ରତିଶତ ରଖୁଥିବାରୁ ଅବଶିଷ୍ଟ ୭୫ ପ୍ରତିଶତ ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖାଦ୍ୟଦ୍ରବ୍ୟ ବିକ୍ରିଯୋଗ୍ୟ । ବର୍ତ୍ତମାନ ଏମଏସପିରେ ସଂଗ୍ରହ ବାବଦରେ ସରକାରଙ୍କୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହେଉଥିବାରୁ ଏମଏସପିର ଗ୍ୟାରେଣ୍ଟି ପ୍ରଦାନ କଲା ପରେ ବ୍ୟବସାୟୀମାନେ ନ କିଣିଲେ ସରକାରଙ୍କୁ ସର୍ବାଧିକ ଆଉ ୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବାକୁ ପଡିପାରେ । କିନ୍ତୁ ସରକାର କିଣିଥିବା ଖାଦ୍ୟଦ୍ରବ୍ୟର ବିକ୍ରିଲବ୍ଧ ଅର୍ଥ ଏହି ଅତିରିକ୍ତ ବ୍ୟୟ ଭାର ଭରଣା କରିବାକୁ ଯଥେଷ୍ଟ ହେବ ଓ ସରକାରଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡି ନ ପାରେ । ତା’ ଛଡା ସରକାର ଅଳ୍ପ ପରିମାଣରେ କିଣିଲେ ମଧ୍ୟ ତାହା ବଜାର ଦରକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ । ଏଠାରେ କର୍ଣ୍ଣାଟକ ଆଗ୍ରିକଲଚରାଲ ପ୍ରାଇସେସ କମିସନ ଦ୍ୱାରା ସେହି ରାଜ୍ୟରେ ହରଡ ଡାଲି ପାଇଁ ପ୍ରଣୀତ ମାର୍କେଟ ଇଣ୍ଟରଭେନସନ ସ୍କିମକୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ୨୦୧୭ରେ ଏହି ଯୋଜନା ଜରିଆରେ ସରକାର ୨.୫ ଲକ୍ଷ ଟନ ହରଡ ଡାଲି ସଂଗ୍ରହ କଲେ । ଅର୍ଥାତ୍ ରାଜ୍ୟ ସରକାରଙ୍କ ବଜାର ପ୍ରବେଶ ନିଷ୍ପତ୍ତି ଓ ମାତ୍ର ୧୫ ପ୍ରତିଶତ ଆଂଶିକ ସଂଗ୍ରହ ଦ୍ୱାରା ସେଠାରେ ଡାଲି ଉତ୍ପାଦନ କେବଳ ଯେ ପୂର୍ବ ବର୍ଷର ୧୦ ଲକ୍ଷ ଟନରୁ ବଢି ୧୪ ଲକ୍ଷ ଟନ ହୋଇଗଲା ତାହା ନୁହେଁ, ବରଂ ଡାଲି ଦର ସ୍ଥିର ରହିବାରୁ ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ପଡିଲା ନାହିଁ । କେରଳ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ସେଠାରେ ଗତ ଦୁଇ ବର୍ଷ ଧରି ‘ପାୟମ ପଚକ୍କାରୀ’ ଯୋଜନାରେ ୧୬ ପ୍ରକାର ପଚନଶୀଳ (ପେରିସେବଲ୍) ପନିପରିବା ଓ ଫଳମୂଳ ଉପରେ ଚାଷୀମାନଙ୍କୁ ସର୍ବନିମ୍ନ ମୂଲ୍ୟର ଗ୍ୟାରେଣ୍ଟି ପ୍ରଦାନ କରୁଛନ୍ତି, ଯଦ୍ଦ୍ୱାରା ଉଭୟ ଚାଷୀ ଓ ଖାଉଟି ଲାଭାନ୍ୱିତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଯୋଜନାଟିକୁ ଏପରି ପ୍ରସ୍ତୁତ ଓ କାର୍ୟ୍ୟକାରୀ କରାଯାଉଛି ଯେ ଏହି ଗ୍ୟାରେଣ୍ଟି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ୨୦୨୧-୨୨ରେ ମାତ୍ର ୧୦ କୋଟି ଟଙ୍କାର ବଜେଟୀୟ ପ୍ରାବଧାନ କରିବାକୁ ପଡିଛି ।
ଏମଏସପିକୁ ବୈଧାନିକ ମାନ୍ୟତା ପ୍ରଦାନ କରାଯିବା ପରେ କୌଣସି ବ୍ୟକ୍ତି ବା କମ୍ପାନୀ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ ଦରରେ ଚାଷୀଙ୍କଠାରୁ କୃଷି ଉତ୍ପାଦ କିଣିଲେ ତାହା ଦଣ୍ଡନୀୟ ଅପରାଧ ରୂପେ ବିବେଚିତ ହେବ । ଯୁକ୍ତି ଉପସ୍ଥାପନ କରାଯାଉଛି ଏପରି ଦଣ୍ଡର ପ୍ରାବଧାନ ରହିଲେ ବେପାରୀମାନେ କୃଷି ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଇବେ ନାହିଁ, ଯଦ୍ଦ୍ୱାରା ଚାଷୀ ବରଂ ଅଧିକ କ୍ଷତିଗ୍ରସ୍ତ ହେବ । ସେ କ୍ଷେତ୍ରରେ ସରକାରଙ୍କୁ ବାଧ୍ୟ ହୋଇ ସବୁ ଉତ୍ପାଦ କିଣିବାକୁ ହେବ, ଯାହା ରାଜକୋଷ ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୋଝ ଲଦି ଦେବ । ସଂଗୃହୀତ ଉତ୍ପାଦର ଭଣ୍ଡାରଣ ପାଇଁ ମଧ୍ୟ ଯଥେଷ୍ଟ ସଂଖ୍ୟକ ଉନ୍ନତମାନର ଗୋଦାମଘରର ଅଭାବ, ସମସ୍ୟାଟିକୁ ଅଧିକ ଜଟିଳ କରିବ । ତା’ଛଡା ସରକାର ବି ସେ ସବୁ କିଣି କରିବେ କ’ଣ ? ଏ ସମସ୍ତ ଯୁକ୍ତି ବଳିଷ୍ଠ ମନେ ହେଉଥିଇେ ବି ଟିକେ ନିରିଖେଇ ଦେଖିଲେ ଜଣାପଡିବ ଯେ ଏମଏସପିର ବୈଧାନିକତା ପରେ ଖୁଚୁରା ଦର ତା’ଠାରୁ ସାମାନ୍ୟ ଅଧିକ ରହିବ । ଫଳରେ ସାଧୁ ବ୍ୟବସାୟୀଙ୍କର କ୍ଷତି ହେବାର ଆଶଙ୍କା ନ ଥିବାରୁ ସେମାନେ ଚାଷୀଙ୍କଠାରୁ କମ ମୂଲ୍ୟରେ କିଣିବାର ଆବଶ୍ୟକତା ଉପୁଜିବ ନାହିଁ କି ଦଣ୍ଡିତ ହେବାର ଭୟ ରହିବ ନାହିଁ । ଏତଦବ୍ୟତୀତ ଏମଏସପି ସୁନିଶ୍ଚିତ କରିବା ଲାଗି ସବୁ ଉତ୍ପାଦକୁ ସରକାର କିଣନ୍ତୁ ବୋଲି ଚାଷୀମାନେ ଚାହୁଁନାହାନ୍ତି । ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦେବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟକୁ ସରକାର ସିଧାସଳଖ ଚାଷୀଙ୍କଠାରୁ ସଂଗ୍ରହ କରିପାରନ୍ତି । ବଜାର ଦର ଏମଏସପିଠାରୁ କମ ହେଲେ ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରଣୀତ ‘ଭାବାନ୍ତର ଭୁଗତାନ’ ଯୋଜନା ପରି ସରକାରଙ୍କ ଦ୍ୱାରା ଚାଷୀଙ୍କ କ୍ଷତି ଭରଣା କରିବା କଥା ବିଚାର କରା ଯାଇପାରେ । ହରିଆଣା ରାଜ୍ୟ ସରକାର ୨୦୨୧ରେ ବାଜରା ଫସଲ ପାଇଁ ଏକ ‘ଭାବାନ୍ତର ଭରପାୟୀ ଯୋଜନା’ କାର୍ୟ୍ୟକାରୀ କରୁଛନ୍ତି । ତଦନୁଯାୟୀ ବାଜରାର ଏମଏସପି କୁଇଣ୍ଟାଲ ପ୍ରତି ୨୨୫୦ ଟଙ୍କା ଥିଲା ବେଳେ ଏହାର ବଜାର ଦର ୧୬୫୦ ଟଙ୍କା ଥିବାରୁ ଚାଷୀର ହେଉଥିବା ୬୦୦ ଟଙ୍କାର କ୍ଷତିକୁ ରାଜ୍ୟ ସରକାର ଭରଣା କରୁଛନ୍ତି । ଏହି ପଦ୍ଧତିର ଅବଲମ୍ୱନ ଦ୍ୱାରା ସରକାରଙ୍କର ସଂଗ୍ରହ, ପରିବହନ, ଭଣ୍ଡାରଣ, କମିଶନ, ସଂଗୃହୀତ ଦ୍ରବ୍ୟ ନଷ୍ଟ ହେବା ଆଦି ବାବଦରେ ହେଉଥିବା ଅତିରିକ୍ତ ପ୍ରାୟ ୪୦ ପ୍ରତିଶତ ଖର୍ଚ୍ଚ ମଧ୍ୟ ଏଡାଇ ଦିଆ ଯାଇପାରିବ ।
ବିଦେଶରୁ କୌଣସି ଖାଦ୍ୟଦ୍ରବ୍ୟ ଆମଦାନୀ କଲା ବେଳେ ଦେଶରେ ଆସି ପହଞ୍ଚିଲା ବେଳକୁ ତା’ର ଦର ଯେପରି ଏମଏସପି ଅପେକ୍ଷା କମ ହୋଇ ନ ଯାଏ ତାହା ସରକାର ସୁନିଶ୍ଚିତ କରିବା ଆବଶ୍ୟକ । ଉଲ୍ଲେଖଯୋଗ୍ୟ ଯେ କେତେକ ନିର୍ଦ୍ଦିଷ୍ଟ ଶିଳ୍ପକ୍ଷେତ୍ରରେ ଆମଦାନୀ ଶୁଳ୍କ ବଢାଇ ବା ଅନ୍ୟ ଭାବେ ଘରୋଇ ଶିଳ୍ପଗୁଡିକୁ ସୁରକ୍ଷା ବଳୟ ପ୍ରଦାନ କରାଯାଇଥାଏ । ବିଦେଶରୁ ଆମଦାନୀ ହୋଇ ଦେଶରେ ଏମଏସପି ତୁଳନାରେ କମ ଦାମରେ ଖାଦ୍ୟଶସ୍ୟ ଉପଲବ୍ଧ ହେଲେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିପାରି ନ ଥାଏ ଓ ଭବିଷ୍ୟତରେ ସେମାନେ ସେହି ଚାଷ ପ୍ରତି ବିମୁଖ ହୋଇଥାଆନ୍ତି ।
ଦେଶରେ ସମୁଦାୟ କୃଷି ଉତ୍ପାଦର ସାମଗ୍ରିକ ମୂଲ୍ୟର ସିଂହଭାଗ ଉପରୋକ୍ତ ୨୩ଟି ଫସଲରୁ ଆସୁଥିବାରୁ ଅବଶିଷ୍ଟ ଫସଲଗୁଡିକ ପାଇଁ ବି ଏମଏସପି ଘୋଷଣା କରାଗଲେ ତାହା ରାଜକୋଷ ଉପରେ ବିଶେଷ ବୋଝ ପକାଇ ନ ପାରେ । କାରଣ ସେହି ଫସଲଗୁଡିକ ମଧ୍ୟରୁ ଅଧିକାଂଶର ବଜାର ଦର ଅଧିକ ରହୁଥିବାରୁ ହୁଏତ ସେଗୁଡିକର ସଂଗ୍ରହର ଆବଶ୍ୟକତା ଉପୁଜି ନ ପାରେ । ଏହା ଦ୍ୱାରା ଏମଏସପିର ଲାଭ ସବୁ ଅଞ୍ଚଳର ସବୁ ଫସଲ ଚାଷୀ ପାଇପାରନ୍ତେ ଓ ସେମାନଙ୍କୁ ଅନ୍ତତଃ ଅଭାବୀ ବିକ୍ରି କରିବାକୁ ପଡନ୍ତା ନାହିଁ । ଏହା ଫସଲର ବିବିଧୀକରଣ (ଡାଇଭର୍ସିଫିକେସନ)କୁ ମଧ୍ୟ ପ୍ରୋତ୍ସାହିତ କରନ୍ତା । ଓଡିଶାରେ ‘ମିଲେଟ ମିଶନ’ ଆରମ୍ଭ ହୋଇ ମାଣ୍ଡିଆର ସଂଗ୍ରହ ହେବା ପରେ ୧୫ଟି ଜିଲ୍ଲାର ଅନେକ ଅଞ୍ଚଳରେ ଲୋକେ ଧାନ ବଦଳରେ ମାଣ୍ଡିଆ ଚାଷ କରିବାକୁ ଆଗେଇ ଆସିବା ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏମଏସପି ଗ୍ୟାରେଣ୍ଟି ଦ୍ୱାରା ହୁଏତ ସାମୟିକ ଭାବେ ଖାଦ୍ୟପଦାର୍ଥର ଦର ବୃଦ୍ଧି ପାଇ ମୁଦ୍ରାସ୍ଫୀତିର ଦର ବଢିପାରେ । କିନ୍ତୁ ଏହି ନୂତନ ବାସ୍ତବତାକୁ ଖାଉଟିମାନେ କ୍ରମଶଃ ଗ୍ରହଣ କରି ନେବେ, କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ତ କୃଷକ ବା କୃଷି ଉପରେ ନିର୍ଭରଶୀଳ ।
ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନର ଅର୍ଥ ନୁହେଁ ସରକାର ସବୁ ଖାଦ୍ୟଦ୍ରବ୍ୟ କିଣିବା । ବଜାର ଦରକୁ ସ୍ଥିର ରଖିବା ପାଇଁ ସରକାର କିଛି ପରିମାଣରେ କିଣିବା, ବଜାର ଦର ଏମଏସପିଠାରୁ କମ ଥିଲେ ଚାଷୀର କ୍ଷତିଭରଣା କରିବା, କୃଷିଜାତ ଦ୍ରବ୍ୟର ଆମଦାନୀ-ରପ୍ତାନୀ ବେଳେ ଏମଏସପିକୁ ଦୃଷ୍ଟିରେ ରଖି ଚାଷୀର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଅସାଧୁ ବ୍ୟବସାୟୀଙ୍କ ପ୍ରତି ଦଣ୍ଡ ବିଧାନର ପ୍ରାବଧାନ ଆଦି ମାଧ୍ୟମରେ ଏମଏସପିର ବୈଧାନିକ ଗ୍ୟାରେଣ୍ଟିକୁ ଫଳପ୍ରଦ କରିହେବ । ଏଥିପାଇଁ ରାଜକୋଷ ଉପରେ ସେତେ ବେଶି ବୋଝ ମଧ୍ୟ ପଡି ନ ପାରେ । ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଇ ଆସୁଥିବା ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ଦର ପାଇବା ଦେଶହିତରେ ହୋଇଥିବାରୁ ତାହା ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ । କାରଣ ଉତ୍ପାଦନ ଖର୍ଚ୍ଚଠାରୁ ସାମାନ୍ୟ ଅଧିକ ଲାଭ ରଖି ଏମଏସପି ନିର୍ଦ୍ଧାରିତ ହେଉଥିବାରୁ ତା’ଠାରୁ କମ ଦରରେ ବିକିବା ଅର୍ଥ ଚାଷୀ କ୍ଷତିରେ ବିକି ତା’ର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବା । ଦେଶର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେମାନେ ଆର୍ଥିକ ଦୁଃସ୍ଥିତିରେ ରହିଲେ ଦେଶ କେବେ ବି ସାମଗ୍ରିକ ଭାବେ ଆଗେଇ ପାରିବ ନାହିଁ । ଅନ୍ୟ ପକ୍ଷରେ ଏମଏସପିର ବୈଧାନିକତା ସୁନିଶ୍ଚିତ ହେଲେ ତାହା ଚାଷୀଙ୍କ ଆୟବୃଦ୍ଧିର ଏକ ମାଧ୍ୟମ ହୋଇ ସେମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିବ ଓ ସେମାନଙ୍କ ଜୀବନଧାରଣ ଶୈଳୀ ସାମାନ୍ୟ ସ୍ୱଚ୍ଛଳ ହେବ । ଏତେ ସଂଖ୍ୟକ ଲୋକଙ୍କ ସ୍ୱଚ୍ଛଳତାର ଅର୍ଥ ସେହି ବର୍ଦ୍ଧିତ ଆୟକୁ ସେମାନେ ପୁଣି ଖର୍ଚ୍ଚ କରିବେ ଓ ଅର୍ଥନୀତି ପ୍ରାଣବନ୍ତ ହେବ । ଏହି ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ବାର୍ଷିକ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କା (ବାର୍ଷିକ ବଜେଟର ମାତ୍ର ୧୦ ପ୍ରତିଶତ)ର ପ୍ରାବଧାନ କରିବାକୁ ପଡିପାରେ ଯେଉଁଥିପାଇଁ କୁଣ୍ଠା ପ୍ରକାଶ ପାଇବା ଉଚିତ ନୁହେଁ । ଏମଏସପିର ବୈଧାନିକ ମାନ୍ୟତା ପାଇଁ ପ୍ରସ୍ତାବିତ କମିଟି ଏ ସମସ୍ତ ଦିଗ ପ୍ରତି ଗୁରୁତ୍ୱ ଦେଇ ଚାଷୀ ଓ ଦେଶ ହିତରେ ନିର୍ଣ୍ଣୟ ନେବେ ବୋଲି ଆଶା କରାଯାଏ ।
(Published in Sambad on January 11, 2021)
Comments
Post a Comment