Skip to main content

ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ସ୍ୱଚ୍ଛତା

ସେ ଦିନ ଜଣେ ଅନୁସନ୍ଧିତ୍ସୁ ପାଠକ ଫୋନରେ ପଚାରିଲେ, “ବିଭିନ୍ନ କମ୍ପାନୀଙ୍କ ସିଏସଆର ଆର୍ଥିକ ସହାୟତାରେ ରାଜ୍ୟସାରା ଏତେଗୁଡିଏ କୋଭିଡ ହସପିଟାଲ ତିଆରି ହୋଇଛି, ଯେଉଁଥିରୁ ଅଧିକାଂଶ ଘରୋଇ ହସପିଟାଲଙ୍କ ଦ୍ୱାରା ପରିଚାଳିତ । ମୁଁ ଶୁଣିଲି, ସେହି ହସପିଟାଲରେ ରୋଗୀ ଥାନ୍ତୁ କି ନଥାନ୍ତୁ, ସରକାର କୁଆଡେ ବେଡ ପିଛା ଦୈନିକ ୩,୫୦୦ ଟଙ୍କା ଦେଉଛନ୍ତି ବୋଲି । ଏହା କଣ ସତ ?” ମୋ ନିକଟରେ ସେ ସମ୍ପର୍କରେ ଅଧିକ ତଥ୍ୟ ଥିବାର ଆଶାରେ ହୁଏତ ସେ ମୋତେ ଏ ପ୍ରଶ୍ନ ପଚାରି ଥାଇ ପାରନ୍ତି । ତେବେ କୋଭିଡ ହସପିଟାଲ ପ୍ରତିଷ୍ଠା ସଂକ୍ରାନ୍ତୀୟ ଚୁକ୍ତିଗୁଡିକ ସାଧାରଣରେ ଉପଲବ୍ଧ ନ ଥିବାରୁ ତହିଁର ସର୍ତ୍ତାବଳୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ମୁଁ, ସେ ନେଇ କୌଣସି ମତାମତ ଦେବାକୁ ଉଚିତ ମନେ କଲିନାହିଁ । ପାଠକ ଜଣଙ୍କ ଉପରୋକ୍ତ ଧାରଣା ଠିକ ହୋଇ ପାରେ ବା ଭୁଲ । ତେବେ ଏ କଥା ସତ ଯେ ଏ ସମ୍ପର୍କରେ ଯେ ପର୍ଯ୍ୟନ୍ତ ବିଶ୍ୱାସଯୋଗ୍ୟ ସୂତ୍ରରୁ ସବିଶେଷ ତଥ୍ୟ ଓ ସୂଚନା ସାଧାରଣଙ୍କ ଗୋଚରାର୍ଥେ ଉପଲବ୍ଧ କରା ନ ଯାଇଛି, ଗୁଜବ ମାଧ୍ୟମରେ ଲୋକଙ୍କ ନିକଟରେ ଭୁଲ ତଥ୍ୟ ପହଞ୍ଚି ଅଧିକ କ୍ଷତିସାଧିତ ହେବ । ସେହିପରି କିଛି ଦିନ ତଳେ ଜଣେ ଟିଭି ଆଙ୍କର ଏକ ସାକ୍ଷାତକାରରେ ପରବର୍ତ୍ତୀ ସମୟରେ କୋଭିଡ ହସପିଟାଲର ମାଲିକାନା କାହା ପାଖରେ ରହିବ ବୋଲି ପଚାରିଥିବା ପ୍ରଶ୍ନଟି କେତେକଙ୍କୁ ଭଲ ଲାଗି ନଥିଲା । ‘ସବୁ ପ୍ରଶ୍ନ ପଚାରିବାର ଗୋଟେ ସମୟ ଥାଏ ଓ ଏ ଭଳି ଏକ ସଙ୍କଟ ବେଳେ ଏଇ ଧରଣର ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାରିବା ଠିକ ହୋଇନାହିଁ’ ବୋଲି ସାମାଜିକ ଗଣମାଧ୍ୟମରେ କେହି କେହି ମତ ରଖିଲେ । ଏଠାରେ ପ୍ରଶ୍ନ ଉଠୁଛି, ମହାମାରୀ ଓ ବିପର୍ଯ୍ୟୟ ସମୟରେ ସେଗୁଡିକର ପରିଚାଳନାକୁ ନେଇ ପ୍ରଶ୍ନ ପଚାରିବା ସମୀଚୀନ କି ନୁହେଁ । ତେବେ ପ୍ରଶ୍ନ ନ ପଚାରିଲେ ପରିଚାଳନାରେ ସ୍ୱଚ୍ଛତା ସୁନିଶ୍ଚିତ କରି ହୋଇ ନଥାଏ । ତେଣୁ ଏ ପ୍ରସଙ୍ଗରେ ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଅନୁସୃତ ଶ୍ରେଷ୍ଠ ପ୍ରଥାଗୁଡିକୁ ଜାଣି ସେଗୁଡିକୁ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ଉପଯୋଗରେ ଆଣିବା କଥା ବିବେଚନା କରା ଯାଇପାରେ ।

କରୋନା ଭୂତାଣୁ ଯେପରି ସୀମା ସରହଦ ନ ମାନି ଦେଶରୁ ଦେଶକୁ ମାଡି ଚାଲିଛି ଠିକ ସେହିପରି କରୋନାକୁ ମୁକାବିଲା କରୁଥିବା ରାଷ୍ଟ୍ରଗୁଡିକ ମଧ୍ୟରୁ ଅଧିକାଂଶ କରୋନା-ଭ୍ରଷ୍ଟାଚାରରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଇତିମଧ୍ୟରେ ବିଭିନ୍ନ ଦେଶରୁ ରାଜନେତା ଓ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତିରେ ହୋଇଥିବା ବଡ ଧରଣର ଭ୍ରଷ୍ଟାଚାରର ଖବରମାନ ପ୍ରଘଟ ହେବାକୁ ଲାଗିଲାଣି । ତନ୍ମଧ୍ୟରୁ ରୋମାନିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ଓ ସୁରକ୍ଷାତ୍ମକ ପୋଷାକ କିଣା କ୍ଷେତ୍ରରେ ହୋଇଥିବା ଏକ ବଡ ଧରଣର ଦୁର୍ନୀତିକୁ ଉଦାହରଣ ସ୍ୱରୂପ ନିଆ ଯାଇପାରେ । ମାସ୍କ ଓ ୨୬ ହଜାର ସୁରକ୍ଷାତ୍ମକ ପୋଷାକ ଯୋଗାଇ ଦେବା ପାଇଁ ରୋମାନିଆର ‘ବି ଏସ ଜି ବିଜନେସ ସିଲେକ୍ଟ ଏସଆରଏଲ’ ନାମକ ଏକ କମ୍ପାନୀକୁ ସେଠାକାର ସରକାରଙ୍କ ତରଫରୁ ବିନା ଟେଣ୍ଡରରେ ଏକ ଅର୍ଡର ମିଳିଲା । ଅତୀତରେ ପ୍ରଧାନମନ୍ତ୍ରୀ ଲୁଡ୍ୟୁଭିକ ଓର୍ବାନଙ୍କ ଅଧୀନରେ କାମ କରିଥିବା ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କ ଦ୍ୱାରା ଏହି କମ୍ପାନୀଟି ପ୍ରତିଷ୍ଠିତ ବୋଲି କୁହାଯାଏ । ଅର୍ଡର ପାଇବାର ଦିନକ ମଧ୍ୟରେ କମ୍ପାନୀ ତାହା ତୁର୍କିରୁ ୬.୧୪ ଲକ୍ଷ ଇଉରୋରେ ଆମଦାନୀ କରି ୪୦ ପ୍ରତିଶତ ଲାଭ ରଖି ୮.୬୬ ଲକ୍ଷ ଇଉରୋରେ ରୋମାନିଆରେ ସ୍ୱାସ୍ଥ୍ୟସାମଗ୍ରୀ ପହଞ୍ଚାଉଥିବା ସରକାରୀ ସଂସ୍ଥା ‘ୟୁନିଫାର୍ମ’କୁ ଯୋଗାଇ ଦେଲା । ଉଲ୍ଲେଖଯୋଗ୍ୟ ଯେ ପ୍ରତିଟି ସୁରକ୍ଷାତ୍ମକ ପୋଷାକ ତୁର୍କିରୁ ମାତ୍ର ୭.୫ ଇଉରୋରେ କିଣା ହୋଇ ‘ୟୁନିଫାର୍ମ’କୁ ୧୭.୪୫ ଇଉରୋରେ ବିକ୍ରି କରାଗଲା, ଅର୍ଥାତ ପ୍ରାୟ ୧୩୨ ପ୍ରତିଶତ ଲାଭ ରଖାଯାଇଥିଲା । କେବଳ ସେତିକି ନୁହେଁ, ଏହି ମାସ୍କ ଓ ସୁରକ୍ଷାତ୍ମକ ପୋଷାକଗୁଡିକ ଏତେ ନିମ୍ନମାନର ଥିଲା ଯେ ସେଠାରେ ପ୍ରାୟ ୩୦୦ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଗଲେ ବୋଲି ଅଭିଯୋଗ ହୁଏ ।

ଜନସାଧାରଣଙ୍କ ଧ୍ୟାନ କରୋନା ଆତଙ୍କ ଉପରେ କେନ୍ଦ୍ରିତ ଥିବାରୁ କେବଳ ରୋମାନିଆ ନୁହେଁ, ବରଂ ବିଭିନ୍ନ ଦେଶର ଅସାଧୁ ବ୍ୟବସାୟୀ, ସରକାରୀ କର୍ମଚାରୀ ଓ ରାଜନେତାମାନେ କରୋନା ମହାମାରୀକୁ ଏକ ମହା ସୁଯୋଗ ବୋଲି ମନେ କରି ବଡ ଧରଣର ଭ୍ରଷ୍ଟାଚାରରେ ଲିପ୍ତ ଥିବାର ପ୍ରମାଣମାନ ମିଳିବାକୁ ଲାଗିଲାଣି । ଗତ ଏପ୍ରିଲ ୨୪ରେ ଏକ ବ୍ୟବସାୟ ବିବାଦର ସମାଧାନ କରୁ କରୁ ଦିଲ୍ଲୀ ହାଇକୋର୍ଟ ଭାରତରେ କରୋନା ପରୀକ୍ଷା ପାଇଁ ବ୍ୟବହୃତ ହେଉଥିବା ରାପିଡ ଟେଷ୍ଟ କିଟ କିଣାରେ ହୋଇଥିବା ଏ ଭଳି ଏକ ବଡ ଧରଣର ଦୁର୍ନୀତିକୁ ଲୋକଲୋଚନକୁ ଆଣିଛନ୍ତି । ଚୀନରୁ ଚେନ୍ନାଇର ମାଟ୍ରିକ୍ସ ଲ୍ୟାବ ନାମକ କମ୍ପାନୀ ପ୍ରତିଟି ରାପିଡ ଟେଷ୍ଟ କିଟକୁ ମାତ୍ର ୨୪୫ ଟଙ୍କା (ପରିବହନ ଖର୍ଚ୍ଚ ସମେତ)ରେ କିଣି ଦିଲ୍ଲୀର ରେୟାର ମେଟାବୋଲିକ୍ସ ଲାଇଫ ସୋର୍ସେସ କମ୍ପାନୀ ମାଧ୍ୟମରେ ଭାରତ ସରକାରଙ୍କ ଆଇସିଏମଆରକୁ ୬୦୦ ଟଙ୍କା (ଜିଏସଟି ଅତିରିକ୍ତ) ଦରରେ ବିକ୍ରି କରିଛି । ଅର୍ଥାତ୍‌, ପ୍ରତିଟି କିଟ ଉପରେ ଉଭୟ କମ୍ପାନୀ ମିଶି ସରକାରଙ୍କଠାରୁ କିଣାଦାମରୁ ୧୪୫ ପ୍ରତିଶତ ଅଧିକ ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ଆଇସିଏମଆର ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନସ୍ଥ । ଚୀନର ଯେଉଁ ଦୁଇଟି କମ୍ପାନୀଙ୍କ ନିକଟରୁ କିଟ କିଣାଯାଉଛି ତାହା ଏହି ଆଇସିଏମଆର ସ୍ଥିର କରିବା ସହ କିଟର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରିଥିବାରୁ ଏହି କିଟ କିଣାରେ ଦୁର୍ନୀତିର ଚେର ଯେ ଭିତରକୁ ଯାଇଛି, ତାହା ନିଃସନ୍ଦେହ । ସେହିପରି କେନ୍ଦ୍ର ଦ୍ୱାରା ପ୍ରତିଷ୍ଠିତ ‘ପିଏମ କେଆର’ ରିଲିଫ ପାଣ୍ଠି ସିଏଜିଙ୍କ ଦ୍ୱାରା ଅଡିଟ ହେବାର ପ୍ରାବଧାନ ନ ଥିବାରୁ ତାର ଉପଯୋଗର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

କରୋନାର ମୁକାବିଲା କରିବା ପାଇଁ ନିମ୍ନ ଆୟକାରୀ ଦେଶଗୁଡିକୁ ୧ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ଋଣ ସହାୟତା ଯୋଗାଇ ଦେବା ପାଇଁ ଅନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ଘୋଷଣା କରିଛି । ଇତିମଧ୍ୟରେ ପ୍ରାୟ ନବେଟି ଦେଶ ଏଥିପାଇଁ ଆବେଦନ ବି କରି ସାରିଲେଣି । ସଙ୍କଟର ମୁକାବିଲା କରିବା ପାଇଁ ଏହି ରାଶି ତୁରନ୍ତ ଉପଲବ୍ଧ କରାଇ ଦିଆ ଯାଉଥିବାରୁ ଏହାର ଉପଯୋଗକୁ ନେଇ ଅଧିକ ସର୍ତ୍ତ ରଖା ଯାଇନାହିଁ । ଏହାର ସୁଯୋଗ ନେଇ ବିଭିନ୍ନ ଦେଶରେ ଅସାଧୁ ରାଜନେତା ଓ ସରକାରୀ କର୍ମଚାରୀମାନେ ଭ୍ରଷ୍ଟାଚାରରେ ଲିପ୍ତ ହୋଇ ଏହି ଅର୍ଥକୁ ଆତ୍ମସାତ କରିବାକୁ ପଛାଇବେ ନାହିଁ । ଅନ୍ୟ ପକ୍ଷରେ ଏହି ରାଶିର ଉପଯୁକ୍ତ ବିନିଯୋଗ ଉପରେ ଅନେକ ଗରିବ ଲୋକଙ୍କ ଜୀବନ ଓ ଜୀବିକା ନିର୍ଭର କରୁଥିବାରୁ ଭ୍ରଷ୍ଟାଚାରକୁ ରୋକିବା ମଧ୍ୟ ଆଇଏମଏଫ ଓ ଅନ୍ୟ ଅର୍ଥ ପ୍ରଦାନକାରୀ ସଂସ୍ଥାଙ୍କର ଲକ୍ଷ୍ୟ ହେବା ଉଚିତ । ଏଥି ନେଇ ‘ଟ୍ରାନସପରେନସି ଇଣ୍ଟରନ୍ୟାସନାଲ’, ‘ହ୍ୟୁମାନ ରାଇଟସ ଓାଚ’ ଓ ‘ଗ୍ଲୋବାଲ ଉଇଟନେସ’ ଆଦି ସଂସ୍ଥାମାନେ ମିଳିତ ଭାବେ ଆଇଏମଏଫର ଦୃଷ୍ଟି ଆକର୍ଷଣ କରିବା ପରେ ଆଇଏମଏଫ ତରଫରୁ ସମ୍ପୃକ୍ତ ଦେଶଗୁଡିକୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି, “ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଅଣଦେଖା ହେବା ଆମେ କୌଣସି ମତେ ଗ୍ରହଣ କରି ପାରିବୁ ନାହିଁ ।”
                 
ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ନିଷ୍ପତ୍ତି ଗ୍ରହଣ କରିବା ଓ ତାହା କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରଦର୍ଶନ କରିବା ଯେତିକି ଆବଶ୍ୟକ, ପରିଚାଳନାରେ ସ୍ୱଚ୍ଛତା ରକ୍ଷା କରିବା ମଧ୍ୟ ଠିକ ସେତିକି ଆବଶ୍ୟକ । ସରକାର ମଧ୍ୟ ପରିଚାଳନାରେ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି । ତେବେ ସରକାରଙ୍କ ଅନୁସୃତ ସ୍ୱଚ୍ଛତାକୁ ଅନୁଧ୍ୟାନ କଲେ ଜଣାପଡେ ଯେ ତାହା କେବଳ ପ୍ରକ୍ରିୟାଗତ ସ୍ୱଚ୍ଛତା, ଯେମିତି ଆସନ୍ତା କାଲି ଅଡିଟ ହେଲେ ସବୁ କିଛି ବୁଝାଇ ଦେଇ ହେଉଥିବ । ପରିଚାଳନାରେ ସ୍ୱଚ୍ଛତା କେବଳ ପ୍ରକ୍ରିୟାଗତ ସ୍ୱଚ୍ଛତା ମଧ୍ୟରେ ସୀମିତ ରହିବା ଅନୁଚିତ । ବିପର୍ଯ୍ୟୟ ପରିଚାଳନା ସମୟରେ ସରକାର ନେଉଥିବା ପ୍ରତିଟି ନିଷ୍ପତ୍ତି ଜରୁରୀକାଳୀନ ଭିତ୍ତିରେ ଆକସ୍ମିକ ଭାବେ ନେବାକୁ ପଡିଥାଏ । ତେବେ ନିଷ୍ପତ୍ତି ଗ୍ରହଣ ଓ ତାହା କାର୍ଯ୍ୟକାରୀ ହେବା ପରେ ତୁରନ୍ତ ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ଦିଆଗଲେ ତାହା ଜନସାଧାରଣଙ୍କ ଜ୍ଞାତସାରକୁ ଆସିବା ସହ ସେମାନଙ୍କ ସୂକ୍ଷ୍‌ମ ସମୀକ୍ଷା ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇ ପରିଚାଳନାଗତ ସ୍ୱଚ୍ଛତା ସୁନିଶ୍ଚିତ କରି ହୋଇଥାଏ ।

ସରକାରୀ କିଣାକିଣିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି ସେଗୁଡିକୁ ଗୁପ୍ତ ଚୁକ୍ତି (ହିଡନ କଂଟ୍ରାକ୍ଟ), ମୂଲ୍ୟବୃଦ୍ଧି (ଓଭରପ୍ରାଇସିଂ), ସଲାସୁତୁରା (କଲ୍ୟୁଜନ) ଆଦି ବିପଦରୁ ମୁକ୍ତ ରଖିବା ପାଇଁ ସରକାରମାନେ ନିମ୍ନ କେତୋଟି ଦିଗ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଚିତ ବୋଲି ଟ୍ରାନ୍ସପରେନସି ଇଣ୍ଟରନ୍ୟାସନାଲଙ୍କ ମତ । (୧) ସମସ୍ତ ସରକାରୀ ଚୁକ୍ତି ଜନସାଧାରଣଙ୍କ ନିକଟରେ ପ୍ରକାଶ କରିବା ଦରକାର । (୨) କେବଳ ଖୋଲା ଓ ପ୍ରତିଯୋଗିତାମୂଳକ ବିଡ୍ ମାଧ୍ୟମରେ କିଣାକିଣି ହେବା ସହ ଯଥାସମ୍ଭବ ଜରୁରୀକାଳୀନ ଓ ଅଣ-ପ୍ରତିଯୋଗିତାମୂଳକ କିଣାକିଣିକୁ କମ କରିବା ଉଚିତ । (୩) ଚୁକ୍ତିରେ ଲାଭାନ୍ୱିତ ହେଉଥିବା କମ୍ପାନୀଗୁଡିକର ନାମ ଓ ସେଗୁଡିକର ମାଲିକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶିତ ହେବା ଉଚିତ । ସରକାରଙ୍କ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂଶ୍ଳିଷ୍ଟ ରାଜନେତା ବା ସରକାରୀ କର୍ମଚାରୀ ଏ ଭଳି ଚୁକ୍ତିର ଲାଭାର୍ଥୀ ହେବା ଅନୁଚିତ । (୪) ବଜାର ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖି ସଲାସୁତୁରା ଓ ମୂଲ୍ୟବୃଦ୍ଧିର ବିପଦକୁ ଏଡାଇବାରେ ସକ୍ଷମ ହେବା ପାଇଁ ସମ୍ପୃକ୍ତ ନିୟନ୍ତ୍ରକମାନଙ୍କୁ ଅଧିକ ଶକ୍ତିସମ୍ପନ୍ନ କରିବା ଆବଶ୍ୟକ ।
    
ଏହି ସଙ୍କଟ ସମୟରେ ସମସ୍ତେ ଏକଜୁଟ ହୋଇ କରୋନାର ମୁକାବିଲା କରିବା ଆବଶ୍ୟକ ବୋଲି ଏକ ବଖାଣ ଉପସ୍ଥାପନ ହୋଇ ଚାଲିଛି, ଯାହା ନିରାଟ ସତ ଓ ଏଥିରେ କିଛି ଭୁଲ ନାହିଁ । ତେବେ ଏକତା ପ୍ରଦର୍ଶନର ଅର୍ଥ ନୁହେଁ ପ୍ରଶ୍ନ ନ ପଚାରିବା । ‘ଏ ଭଳି ଦୁର୍ବିପାକ ବିରୁଦ୍ଧରେ ଲଢେଇ ଜାରି ଥିବା ବେଳେ ପ୍ରଶ୍ନ ପଚାରିବା ଅନୁଚିତ କାରଣ ତାହା ଅନେକଙ୍କ ମନୋବଳକୁ ଭାଙ୍ଗିଥାଏ ଓ ତାହା ପରେ କରା ଯାଇପାରିବ’ ବୋଲି କେହି କେହି ମତ ବ୍ୟକ୍ତ କରୁଛନ୍ତି । ତେବେ ଏ ସଂକ୍ରାନ୍ତରେ ଟ୍ରାନ୍ସପରେନସି ଇଣ୍ଟରନ୍ୟାସନାଲଙ୍କ ମତ ହେଉଛି, “ଏହି ଅତ୍ୟଧିକ ସଙ୍କଟ ସମୟରେ ସ୍ୱଚ୍ଛତା ଓ ସତତା ସର୍ବାଧିକ ଆବଶ୍ୟକ, କାରଣ ଏହାର ଅପବ୍ୟବହାରରେ ଅନେକଙ୍କ ଜୀବନ ହାନି ହୋଇପାରେ ।” ଅସାଧୁ ବ୍ୟକ୍ତିମାନେ ଏ ଭଳି ସୁଯୋଗକୁ ଉଣ୍ଡି କ୍ଷମତା ଓ ପହଞ୍ଚର ଅପବ୍ୟବହାର କରୁଥିବାରୁ ଜନସ୍ୱାର୍ଥର ସୁରକ୍ଷା ପାଇଁ ଏ ଭଳି ଅପବ୍ୟବହାର ବିରୁଦ୍ଧରେ ତତ୍କାଳ ସ୍ୱର ଉତ୍ତୋଳନ କରିବା ଓ ପ୍ରଶ୍ନ ପଚାରିବା ଆବଶ୍ୟକ, କାରଣ ତଦ୍ଦ୍ୱାରା ସେ ଭଳି ଅସାଧୁଙ୍କ ମନୋବଳ ଭାଙ୍ଗି ସମ୍ଭାବ୍ୟ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗା ଯାଇପାରିବ । ଅନ୍ୟ ପକ୍ଷରେ ସେହି ପ୍ରଶ୍ନ ପରେ ପଚରାଗଲେ ତାହା ଏକ ଶବ ବ୍ୟବଚ୍ଛେଦୀୟ ପ୍ରକ୍ରିୟା ଭିନ୍ନ ଅନ୍ୟ କିଛି ହୋଇ ନଥାଏ । ଏହି ବିପତ୍ତିକୁ ମୁକାବିଲା କରିବା ପାଇଁ ଉପଲବ୍ଧ ସ୍ୱଳ୍ପ ସମ୍ବଳରୁ ଅଳ୍ପ କିଛି ବି ଯଦି କ୍ଷମତାସମ୍ପନ୍ନଙ୍କ ଦ୍ୱାରା ଆତ୍ମସାତ ହୋଇଯାଏ, ତେବେ ତାହାର ଫଳାଫଳ ହେବ କିଛି ଲୋକଙ୍କ ପାଇଁ ଜୀବନ ବଦଳରେ ମୃତ୍ୟୁ ଓ ଖାଦ୍ୟ ବଦଳରେ କ୍ଷୁଧା । ତେଣୁ ସରକାର ବିପର୍ଯ୍ୟୟ ମୁକାବିଲାରେ ସ୍ୱଚ୍ଛତା ପାଇଁ ‘ଯେତିକି ଦରକାର ଜନତାଙ୍କୁ ସେତିକି ତଥ୍ୟ ଯୋଗାଇ ଦେବା’ର ମାନସିକତାରୁ ଓହରି ଅଧିକରୁ ଅଧିକ ତଥ୍ୟ, ବିଶେଷ କରି କିଣା କିଣି, ବିଭିନ୍ନ ଚୁକ୍ତିର ସର୍ତ୍ତାବଳୀ ଆଦି, ସର୍ବସାଧାରଣଙ୍କ ଗୋଚରାର୍ଥେ ସାଧାରଣ କ୍ଷେତ୍ରରେ ଉପଲବ୍ଧ କରାଇବା ଆବଶ୍ୟକ । ସରକାରୀ ତଥ୍ୟକୁ ବ୍ୟବହାର କରି ପର୍ତ୍ତୁଗାଲରେ ଏପରି ଏକ ଅନଲାଇନ ମଂଚ (ପ୍ଲାଟଫର୍ମ) ପ୍ରସ୍ତୁତ କରାଯାଇଛି ଯାହାକୁ ବ୍ୟବହାର କରି ସାମ୍ବାଦିକ, ନାଗରିକ ସମାଜ ଏପରିକି ସାଧାରଣ ଲୋକେ ସରକାର କରୋନା ପାଇଁ କରୁଥିବା ପ୍ରତିଟି ବ୍ୟୟ କରିବା ମାତ୍ରେ (ରିଏଲ ଟାଇମରେ) ଜାଣି ପାରୁଛନ୍ତି ଯାହା ପରିଚାଳନାଗତ ସ୍ୱଚ୍ଛତାକୁ ସୁନିଶ୍ଚିତ କରୁଛି । ତେଣୁ ସାଧାରଣ ଲୋକେ, ବିଶେଷ କରି ସୂଚନା କର୍ମୀଙ୍କ ଭଳି ହୁଇସିଲ ବ୍ଲୋଅରମାନେ, କାଳ ବିଳମ୍ବ ନ କରି ଉପରୁ ତଳ ସ୍ତରଯାଏଁ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ହେଉଥିବା ପରିଚାଳନାଗତ ବିସଙ୍ଗତି ଓ ଦୁର୍ନୀତି ସମ୍ପର୍କରେ ଅଧିକରୁ ଅଧିକ ପ୍ରଶ୍ନ ଉତ୍‌ଥାପନ କଲେ ସେଥିରେ ସ୍ୱଚ୍ଛତା ଆସିବା ସହ ସମ୍ଭାବ୍ୟ ଭ୍ରଷ୍ଟାଚାର ଉପରେ ରୋକ ଲାଗି ପାରିବ । ତା ଛଡା ଏ ଭଳି ଭ୍ରଷ୍ଟାଚାରରେ କେବଳ ଯେ ଅର୍ଥହାନି ହୋଇଥାଏ ତା ନୁହେଁ, ବରଂ ନିମ୍ନମାନର ଉପକରଣ ଯୋଗାଣ ମାଧ୍ୟମରେ ଜୀବନ ହାନି ବା ଜୀବନ ବିପନ୍ନ ହେବାର ଆଶଙ୍କା ମଧ୍ୟ ଦେଖା ଦେଇଥାଏ । ଶରୀର ଭିତରକୁ କରୋନା ଭୂତାଣୁର ପ୍ରବେଶକୁ ରୋକିବା ପାଇଁ ମୁହଁରେ ତୁଣ୍ଡି ବାନ୍ଧିବା ଅନିବାର୍ଯ୍ୟ ହୋଇପାରେ, ତେବେ ବ୍ୟବସ୍ଥା ଭିତରକୁ ପ୍ରବେଶ କରୁଥିବା କରୋନା-ଭ୍ରଷ୍ଟାଚାରକୁ ପ୍ରତିହତ କରିବାକୁ ହେଲେ ଆଉ ମୁହଁରେ ତୁଣ୍ଡି ବାନ୍ଧି ବସି ରହିଲେ ଚଳିବ ନାହିଁ । ତୁଣ୍ଡି ଖୋଲିବାକୁ ହେବ । ଗ୍ରହଣ କରିବାକୁୁ ହେବ, କରୋନା ବିରୁଦ୍ଧରେ ଲଢେଇ ସମୟରେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଲାଗି ସେମାନେ ନିର୍ବାହ କରିଥିବା ଏଭଳି ପ୍ରତିଟି ଉଦ୍ୟମ କରୋନା ଯୋଦ୍ଧାମାନେ ନିର୍ବାହ କରୁଥିବା ଭୂମିକା ତୁଳନାରେ କିଛି ନ୍ୟୂନ ନୁହେଁ ।

Published inOdisha Reporter om May 26, 2020

Comments

  1. Thank you for writing this timely and relevant article. - Byasa Moharana.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍