Skip to main content

କେନ୍ଦ୍ର-ରାଜ୍ୟ ସମ୍ପର୍କ : ତିକ୍ତତାର ନୂଆ କାରଣ ଜିଏସଟି

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟମାନଙ୍କ ବ୍ୟୟ ଆଶାତୀତ ବୃଦ୍ଧି ପାଇଥିବା ବେଳେ ‘ଲକଡାଉନ’ କାରଣରୁ ଦୋକାନ ବଜାର, ଶିଳ୍ପ, ବାଣିଜ୍ୟ ବନ୍ଦ ହୋଇ ରାଜସ୍ୱ ଆଦାୟ ଯଥେଷ୍ଟ ହ୍ରାସ ପାଇଥିବାରୁ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ତୁରନ୍ତ ସେମାନଙ୍କ ଜିଏସଟି ବାବଦ ବକେୟା ପ୍ରାପ୍ୟ ପଇଠ କରିବା ଉଚିତ ବୋଲି ଦାବି ଉଠୁଛି । ଜିଏସଟି ପ୍ରଚଳନ ବେଳେ ‘ଓ୍ଵାନ ନେସନ ଓାନ ଟ୍ୟାକ୍ସ’ର ସ୍ଳୋଗାନ ଦିଆଯାଇ ଏହା ଭାରତରେ ଟ୍ୟାକ୍ସ ବ୍ୟବସ୍ଥାର ସରଳୀକରଣ କରି କର ଆଦାୟ ବଢାଇବା ସହ ଖାଉଟି, ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ ପାଇଁ ଲାଭଦାୟକ ହେବ ବୋଲି କୁହା ଯାଉଥିଲା । ଅନେକ କାରଣରୁ ଏ ଯାଏଁ ଆହୁରି ଖାଉଟି ଓ ବ୍ୟବସାୟୀ ଜିଏସଟିର ସୁଫଳ ପାଇବାକୁ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କଠାରୁ ଠିକ ସମୟରେ ଜିଏସଟି କ୍ଷତି ଭରଣା ରାଶି ନ ପାଇ ଚିନ୍ତିତ । ଜିଏସଟି ପ୍ରଣୟନ ହେଲା ପରେ ରାଜ୍ୟଗୁଡିକର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ଥିବାରୁ ସମସ୍ତ ସମ୍ଭାବିତ କ୍ଷତିର ୫ ବର୍ଷ ଯାଏଁ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆଶ୍ୱସ୍ତ କଲେ । ତଦନୁସାରେ ୨୦୧୫-୧୬ ଆର୍ଥିକ ବର୍ଷକୁ ମୂଳ ବର୍ଷ ଭାବେ ଧରି ପ୍ରତି ବର୍ଷ ରାଜସ୍ୱ ୧୪ ପ୍ରତିଶତ ହାରରେ ବୃଦ୍ଧି ହେବ ବୋଲି ଗ୍ରହଣ କରି ରାଜ୍ୟର ଜିଏସଟି ଆଦାୟରେ ହେଉଥିବା କ୍ଷତିର ଭରଣା କରିବା ଲାଗି ଜିଏସଟି (ରାଜ୍ୟଙ୍କୁ କ୍ଷତିପୂର୍ତ୍ତି) ଆଇନ, ୨୦୧୭ ମଧ୍ୟ ପ୍ରଣୟନ ହେଲା । ଏହି ଆଇନର ଧାରା ୭ ଅନୁଯାୟୀ ରାଜ୍ୟଗୁଡିକର ହେଉଥିବା ରାଜସ୍ୱ କ୍ଷତିକୁ ଅନ୍ତରୀଣ ଭାବେ ହିସାବ କରି ପ୍ରତି ଦୁଇ ମାସରେ ଥରେ କ୍ଷତିପୂର୍ତ୍ତି ରାଶି ପ୍ରଦାନ କରାଯିବ । ଅର୍ଥାତ, କେନ୍ଦ୍ର ସରକାର ଅପ୍ରେଲ-ମେ ଦ୍ୱିମାସ ଲାଗି ଜୁନ ୧୦ ତାରିଖ ସୁଦ୍ଧା ରାଜ୍ୟଗୁଡିକୁ ଅନ୍ତରୀଣ ରାଜସ୍ୱ କ୍ଷତିପୂର୍ତ୍ତି ରାଶି ଦେବେ । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ଯେପରି ଅଧିକ ବୋଝ ନ ପଡେ ସେଥିପାଇଁ ସର୍ବାଧିକ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ପାଞ୍ଚଟି ‘ପାପ’ ଓ ‘ବିଳାସ’ ସାମଗ୍ରୀ ଯଥା, ପାନମସଲା ଓ ତମାଖୁଜାତ ଦ୍ରବ୍ୟ, ସିଗାରେଟ, କୋଇଲା, ଥଣ୍ଡା ପାନୀୟ (ଏରେଟେଡ ଓାଟର) ଓ ନିର୍ଦ୍ଦିଷ୍ଟ ଶ୍ରେଣୀର ମୋଟର ଯାନ ଉପରେ ଅତିରିକ୍ତ ଭାବେ କମ୍ପେନସେସନ ସେସ (ଜିଏସଟିସିସି) ଆଦାୟ କରି ସେହି ଅର୍ଥ ରାଜ୍ୟଗୁଡିକୁ କ୍ଷତିପୂର୍ତ୍ତି ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଗଲା । ଅବଶ୍ୟ କ୍ଷତିପୂର୍ତ୍ତିର ଅବଧି ୩୦ ଜୁନ ୨୦୨୨ରେ ସମାପ୍ତ ହେଉଥିବାରୁ ଏହି କ୍ଷତିପୂର୍ତ୍ତି ସେସ ତା ପରେ ଆଉ ବଳବତ୍ତର ରହିବ ନାହିଁ । ଏ ସବୁ ସତ୍ତ୍ଵେ ଜିଏସଟି ଆଦାୟରେ ଆଶାନୁରୂପ ବୃଦ୍ଧି ନ ହେବା ଓ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଠିକ ସମୟରେ କ୍ଷତିପୂର୍ତ୍ତି ନ କରିବା ଦ୍ୱାରା ରାଜ୍ୟଗୁଡିକର ରାଜସ୍ୱ ଚିନ୍ତା ବଢିବାରେ ଲାଗିଛି ।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦ୍ରବ୍ୟ ଓ ସେବା ଉପରେ ଆଦାୟ କରୁଥିବା ପ୍ରାୟ ସମସ୍ତ ପ୍ରକାର ଅପ୍ରତ୍ୟକ୍ଷ କରକୁ ଦେଶବ୍ୟାପୀ ଜିଏସଟି ଭାବେ ଗୋଟିଏ କରରେ ପରିଣତ କରିବା ପରେ ଏହା ତିନି ପ୍ରକାରେ, ରାଜ୍ୟ ଜିଏସଟି (ଏସଜିଏସଟି), କେନ୍ଦ୍ର ଜିଏସଟି (ସିଜିଏସଟି) ଓ ଆଇଜିଏସଟି, ଆଦାୟ ହେଉଛି । ଏଥିରୁ ରାଜ୍ୟ ଜିଏସଟି ରାଜ୍ୟ ସରକାରଙ୍କ ଖାତାରେ ଜମା ହେଉଥିବା ବେଳେ ଅନ୍ୟ ଦୁଇଟି କେନ୍ଦ୍ର ସରକାରଙ୍କ ଖାତାରେ ଜମା ହୋଇଥାଏ ଓ ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିଶ କ୍ରମେ ରାଜ୍ୟମାନେ ଏଥିରୁ କେନ୍ଦ୍ରୀୟ କର ହସ୍ତାନ୍ତରଣ (ସିଟିଡି) ବାବଦକୁ ୪୨ ପ୍ରତିଶତ (ଏବେ ୪୧ ପ୍ରତିଶତକୁ ହ୍ରାସ ପାଇଛି) ରାଶି ପାଇଥାନ୍ତି । ଏସଜିଏସଟିକୁ ମିଶାଇଲେ ସମୁଦାୟ ଜିଏସଟିର ପ୍ରାୟ ୭୧ ପ୍ରତିଶତ ରାଜ୍ୟମାନେ ପାଉଥିବା ବେଳେ କେନ୍ଦ୍ର ପାଖକୁ ୨୯ ପ୍ରତିଶତ ଯାଇଥାଏ । ତେଣୁ ଜିଏସଟି ଯେତେ ଅଧିକ ଆଦାୟ ହେବ ରାଜ୍ୟଗୁଡିକର ରାଜସ୍ୱ ଆୟ ଅଧିକ ହୋଇ ଆର୍ଥିକ ସ୍ୱଚ୍ଛଳତା ସେତେ ବୃଦ୍ଧି ପାଇବ । ଜୁଲାଇ ୨୦୧୭ରେ ଜିଏସଟି ଆଇନ ପ୍ରଣୟନ ହେଲା ବେଳେ ଆଶା କରାଯାଉଥିଲା ଯେ ପ୍ରତି ମାସ ଅନ୍ତତଃ ପକ୍ଷେ ଏକ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହେବ । ହେଲେ ୨୦୧୯-୨୦ ଆର୍ଥିକ ବର୍ଷ ପରିସମାପ୍ତି ପର୍ଯ୍ୟନ୍ତ ୩୩ ମାସ ମଧ୍ୟରୁ ମାତ୍ର ୧୧ ମାସ କର ଆଦାୟ ୧ ଲକ୍ଷ କୋଟି ଟଙ୍କାକୁ ଟପିଛି । ପୁନଶ୍ଚ, ଦେଶବ୍ୟାପୀ ଜିଏସଟିରେ ଠକାମି କରି ହଜାର ହଜାର କୋଟି ଟଙ୍କା ଫାଙ୍କିବାର ବା ସରକାରଙ୍କଠାରୁ ଟଙ୍କା ଫେରସ୍ତ ନେବାର ଖବରମାନ ଏବେ ସାମନାକୁ ଆସୁଛି, ଯାହା ଜିଏସଟି ଆଦାୟ ବୃଦ୍ଧି ନ ପାଇବାର ମୁଖ୍ୟ କାରଣ ପାଲଟିଛି । ଏହି ଠକେଇ ମୁଖ୍ୟତଃ ତିନି ପ୍ରକାରେ ହେଉଛି । ସେଗୁଡିକ ବହୁ ସଂଖ୍ୟାରେ ଜାଲ ବ୍ୟବସାୟ ଅନୁଷ୍ଠାନ ପ୍ରତିଷ୍ଠା କରି, ଜାଲ ଚାଲାଣ (ଇନଭଏସ) ପ୍ରସ୍ତୁତ କରି ଓ ପ୍ରତାରଣାପୂର୍ଣ୍ଣ ଇନପୁଟ ଟ୍ୟାକ୍ସ କ୍ରେଡିଟ ଦାବି ଜରିଆରେ କରାଯାଉଛି, ଯାହା ଜିଏସଟି ପ୍ରଶାସନ ପ୍ରତି ଆହ୍ୱାନ ସୃଷ୍ଟି କରିଛି । ଏ ଭଳି ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ତାହା ଯଥେଷ୍ଟ ପରି ମନେ ହେଉନାହିଁ । ତା ଛଡା ଜିଏସଟି ନେଟଓ୍ଵାର୍କରେ ହେଉଥିବା ସଂଶୋଧନଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭାଗର ପର୍ଯ୍ୟାପ୍ତ ଭାବେ ବୈଷୟିକ ପ୍ରସ୍ତୁତି ଅଭାବରୁ ଅସାଧୁ ବ୍ୟବସାୟୀମାନେ କର ଫାଙ୍କିବା ପାଇଁ ସୁଯୋଗ ପାଉଛନ୍ତିି ।
  
କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଠିକ ସମୟରେ ଜିଏସଟି ବାବଦ କ୍ଷତିପୂର୍ତ୍ତି କରିବାରେ ଅସମର୍ଥ ହେବାର ମୁଖ୍ୟ କାରଣ ହେଉଛି ଜିଏସଟି କମ୍ପେନସେସନ ସେସ (ଜିଏସଟିସିସି) ଜରିଆରେ ଆଶାନୁରୂପ ରାଶି ଆଦାୟ ନ ହେବା । ଜିଏସଟି କମ୍ପେନସେସନ ସେସ ଆକାରରେ ଆଦାୟ ହେଇଥିବା ରାଶି ସଂଗଠିତ ପାଣ୍ଠି (କନସୋଲିଡେଟେଡ ଫଣ୍ଡ)ରେ ଜମା ହୋଇଥାଏ । ସେଥିରୁ ଜିଏସଟି କମ୍ପେନସେସନ ସେସ ଆକାଉଣ୍ଟ ମାଧ୍ୟମରେ ରାଜ୍ୟମାନଙ୍କୁ ପ୍ରତି ଦୁଇ ମାସରେ ଥରେ କ୍ଷତିପୂର୍ତ୍ତି କରାଯାଇଥାଏ । ନିୟମ ଦୃଷ୍ଟିରୁ ରାଜ୍ୟଗୁଡିକୁ ଦିଆଯିବାକୁ ଥିବା ଆବଶ୍ୟକ କ୍ଷତିପୂର୍ତ୍ତି ରାଶିଠାରୁ ଅଧିକ ପରିମାଣର ସେସ ଆଦାୟ ହେଲେ ତାହା ସଂଗଠିତ ପାଣ୍ଠିରେ ଜମା ହୋଇ ରହୁଥିବା ବେଳେ ଆଦାୟ ହୋଇଥିବା ସେସ ପରିମାଣ ଆବଶ୍ୟକ କ୍ଷତିପୂର୍ତି ପାଇଁ ନିଅଣ୍ଟ ହେଲେ କେନ୍ଦ୍ର ସରକାର ସଂଗଠିତ ପାଣ୍ଠିରୁ ଅବଶିଷ୍ଟ ପରିମାଣର ରାଶି ପ୍ରଦାନ କରିବା କଥା । ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ଆବଶ୍ୟକ ପରିମାଣର କ୍ଷତିପୂର୍ତ୍ତି କରାଗଲା ପରେ ମଧ୍ୟ ଯଥେଷ୍ଟ ଅଧିକ ପରିମାଣର ସେସ ଆଦାୟ ହୋଇ ତାହା କେନ୍ଦ୍ର ସରକାରଙ୍କ ସଂଗଠିତ ପାଣ୍ଠିରେ ଜମା ହୋଇ ରହିଥିଲା ବୋଲି ଅର୍ଥମନ୍ତ୍ରୀ ନିଜେ ସଂସଦରେ ସ୍ୱୀକାର କରିଛନ୍ତି । ବର୍ତମାନ ସେସ ଆଦାୟ କମ ହେଲା ବେଳକୁ କେନ୍ଦ୍ର ସରକାର ସଂଗଠିତ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ତତ୍ପରତା ପ୍ରକାଶ କରୁ ନ ଥିବାରୁ ରାଜ୍ୟଗୁଡିକୁ କ୍ଷତିପୂର୍ତ୍ତି ରାଶି ମିଳିବାରେ ବିଳମ୍ବ ହେଉଛି । ଏ କଥା ସତ ଯେ କ୍ଷତିପୂର୍ତ୍ତି ପାଇଁ ଆବଶ୍ୟକ ହେଉଥିବା ରାଶିରେ ବୃଦ୍ଧି ହୋଇଥିବାରୁ ତାହା ପ୍ରଚଳିତ ହାରରେ ସେସ ଆଦାୟରୁ ପରିପୂରଣ ହେବାର ସମ୍ଭାବନା କ୍ଷୀଣ । ଏଥିପାଇଁ ଅନ୍ୟ ବାଟ ଖୋଜିବାକୁ ହେବ । ସଂଗଠିତ ପାଣ୍ଠିରୁ ଅର୍ଥ ପ୍ରଦାନ ନ କରି ବା ଯଥାସମ୍ଭବ କମ ରାଶି ଦେଇ ଜିଏସଟିସିସିର ହାର ବୃଦ୍ଧି ମାଧ୍ୟମରେ ଏହି କ୍ଷତିପୂର୍ତ୍ତି କରିବା ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଥିବା ପରି ଜଣା ପଡୁଛି ।
  
ଆଇନ ଅନୁଯାୟୀ ୩୦ ଜୁନ ୨୦୨୨ ପରେ କେନ୍ଦ୍ର ସରକାର ଆଉ ରାଜ୍ୟମାନଙ୍କୁ ଜିଏସଟି ବାବଦ କ୍ଷତିପୂର୍ତ୍ତି ରାଶି ପ୍ରଦାନ କରିବେ ନାହିଁ, ଯାହା ଓଡିଶା ଭଳି କମ ଜିଏସଟି ଆଦାୟ ହେଉଥିବା ରାଜ୍ୟଗୁଡିକ ପାଇଁ ଚିନ୍ତାର କାରଣ ପାଲଟିବ । ନିକଟରେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (ଏନଆଇପିଏଫପି) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ଜିଏସଟି କ୍ଷତିପୂର୍ତ୍ତି ଯୋଜନାର ପରିସମାପ୍ତି ପରେ ରାଜ୍ୟ ଜିଏସଟି (ଏସଜିଏସଟି) କମ ଆଦାୟ ହେଉଥିବା କାରଣରୁ ରାଜ୍ୟଗୁଡିକର ରାଜସ୍ୱ ସାମଗ୍ରିକ ଭାବେ ୧.୨୩ ଲକ୍ଷ କୋଟି ଟଙ୍କା ଯାଏଁ ହ୍ରାସ ପାଇପାରେ । ପ୍ରମୁଖ ରାଜ୍ୟଙ୍କ ମଧ୍ୟରେ ପଞ୍ଜାବ, ଓଡିଶା, ଗୋଆ, ଛତିଶଗଡ, କର୍ଣ୍ଣାଟକ ଭଳି ରାଜ୍ୟମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ରାଜସ୍ୱ ହ୍ରାସ ପାଇବାର ଆଶଙ୍କାରେ ଅନେକ ରାଜ୍ୟ ଜିଏସଟି କ୍ଷତିପୂର୍ତ୍ତି ଯୋଜନାକୁ ଆଉ ୩ ବର୍ଷ (୩୦ ଜୁନ ୨୦୨୫) ଯାଏଁ ବଢାଇବା ପାଇଁ ପଞ୍ଚଦଶ ଅର୍ଥ କମିସନଙ୍କ ନିକଟରେ ଦାବି ଜଣାଇ ସାରିଲେଣି । ବାର୍ଷିକ ୧୪ ପ୍ରତିଶତ ହାରରେ ବୃଦ୍ଧି କରି କ୍ଷତିପୂର୍ତ୍ତି କରିବା ପାଇଁ ହୁଏତ କେନ୍ଦ୍ର ସରକାରଙ୍କ ନିକଟରେ ସମ୍ବଳର ଅଭାବ ହୋଇପାରେ । ସେ କ୍ଷେତ୍ରରେ ଏତେ ବିଶାଳ ପରିମାଣର ରାଜସ୍ୱ ହ୍ରାସ ରାଜ୍ୟଗୁଡିକୁ ଆର୍ଥିକ ଦୃଷ୍ଟିରୁ ଶକ୍ତ ଆଘାତ ପହଞ୍ଚାଇପାରେ । କେବଳ ସେତିକି ନୁହେଁ, ତାର କୁପ୍ରଭାବ ଦେଶର ଆର୍ଥିକ ପରିଚାଳନାରେ ପରିଲକ୍ଷିତ ହେବ, ଯଦ୍ଦ୍ୱାରା ବ୍ୟାପକ ଅର୍ଥନୈତିକ କ୍ଷେତ୍ର (ମାକ୍ରୋଇକୋନୋମି)ରେ ଅସ୍ଥିରତା ଦେଖା ଦେଇପାରେ । ଉପଲବ୍ଧ ଉତ୍ସଗୁଡିକରୁ ଏତେ ପରିମାଣର ଅତିରିକ୍ତ ରାଜସ୍ୱ ଆଦାୟ କରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ରାଜ୍ୟଗୁଡିକ ପକ୍ଷରେ ନିଜ ନିଜ ପ୍ରତିଶୃତ ବ୍ୟୟ (କମିଟେଡ ଏକସପେଣ୍ଡିଚର)କୁ କମ କରିବା ବ୍ୟତୀତ ଅନ୍ୟ ଗତି ରହିବ ନାହିଁ । ଅର୍ଥାତ୍‌, ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଜିଏସଟି ଆଦାୟ ବଢାଇବା ପାଇଁ ଓଡିଶା ସରକାର ଏବେଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ରାଜସ୍ୱ ହ୍ରାସ ପାଇ ଆଗାମୀ ଦିନରେ ରାଜ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯେ ଉତ୍କଟ ଅର୍ଥାଭାବ ଦେଖା ଦେବ, ତାହା ନିଃସନ୍ଦେହ ।

ଜୁଲାଇ ୨୦୧୭ରେ ଜିଏସଟି ପ୍ରଚଳନ ହେବା ପରେ ଜୁଲାଇ ୨୦୧୯ ଯାଏଁ ୨୪ ମାସ ଧରି ରାଜ୍ୟଗୁଡିକୁ ଠିକ ସମୟରେ କ୍ଷତି ଭରଣା ହୋଇ ଆସୁଥିଲା । ଏହା ପରେ ପ୍ରଥମ କରି ଅଗଷ୍ଟ-ସେପ୍ଟେମ୍ବର ଦ୍ୱିମାସ ଲାଗି କ୍ଷତିପୂର୍ତ୍ତି ରାଶି ଅକ୍ଟୋବର ୧୦ ତାରିଖ ସୁଦ୍ଧା ନ ମିଳି ସେଥିରେ ଅହେତୁକ ବିଳମ୍ବ ହେଲା । ଏହାର ପ୍ରତିବାଦରେ କେତେକ ଅଣ-ବିଜେପି ଶାସିତ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ସ୍ୱର ଉତ୍ତୋଳନ କରିବାରୁ ପ୍ରାୟ ଦୁଇ ମାସରୁ ଅଧିକ ସମୟ ପରେ ରାଜ୍ୟଗୁଡିକୁ କ୍ଷତିପୂର୍ତ୍ତି ରାଶି ପ୍ରଦାନ କରାଗଲା । ଅବଶ୍ୟ ଏଥି ପୂର୍ବରୁ କେରଳ, ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ପୁଡୁଚେରି ଭଳି ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଏହି ବଚନଭଙ୍ଗ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପାରନ୍ତି ବୋଲି ମଧ୍ୟ ଚେତାବନୀ ଶୁଣାଇଥିଲେ । ଅକ୍ଟୋବର-ନଭେମ୍ବର ଦ୍ୱିମାସ ପାଇଁ କ୍ଷତି ପୂୂରଣ ରାଶି ଏ ଯାଏଁ ସମ୍ପୂର୍ଣ୍ଣ ରୂପେ ଦିଆ ଯାଇ ନ ଥିଲା ବେଳେ ଡିସେମ୍ବର-ଜାନୁଆରୀ ଓ ଫେବୃଆରୀ-ମାର୍ଚ୍ଚ ଦୁଇଟି ଦ୍ଵିମାସିକୀ ପାଇଁ କ୍ଷତିପୂର୍ତ୍ତି ରାଶି ଦିଆଯିବାର ତାରିଖ ମଧ୍ୟ ଗଡିଗଲାଣି । ଜିଏସଟିରୁ ମିଳୁଥିବା ରାଜସ୍ୱ ରାଜ୍ୟମାନଙ୍କର ସମୁଦାୟ କର ରାଜସ୍ୱର ହାରାହାରି ୬୦ ପ୍ରତିଶତ ହୋଇଥିବାରୁ କେନ୍ଦ୍ର ନିକଟରୁ ଏତେ ପରିମାଣର ଅର୍ଥ ଠିକ ସମୟରେ ନ ମିଳିବା ଦ୍ୱାରା ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ଚାପଗ୍ରସ୍ତ ହେଉଛି । ଏହାଦ୍ୱାରା ସେମାନେ ବଜେଟ ଓ ଯୋଜନାକୁ ସଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେହି କେହି ଓ୍ଵେଜ ଆଣ୍ଡ ମିନସ ଆଡଭାନ୍ସ ବା ଓଭରଡ୍ରାଫ୍ଟ ଜରିଆରେ ଋଣ କରି କାମ ଚଳାଉଥିବା ବେଳେ ତାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁଛି ।

ପରିତାପର ବିଷୟ, କ୍ଷତିପୂର୍ତ୍ତି ରାଶି ମିଳିବାରେ ବିଳମ୍ବ ହୋଇ ଓଡିଶା କ୍ଷତିଗ୍ରସ୍ତ ହେଉଥିବା ସତ୍ତ୍ଵେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସରକାର ସେଭଳି ବଳିଷ୍ଠ ଢଙ୍ଗରେ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଭଳି ଅନୁଭୂତ ହେଉନାହିଁ, ଯାହା ରାଜ୍ୟ ସ୍ୱାର୍ଥର ପରିପନ୍ଥୀ । କେନ୍ଦ୍ର ନିକଟରୁ କ୍ଷତିପୂର୍ତ୍ତି ରାଶି ବିଳମ୍ବରେ ମିଳୁଥିବାରୁ ଅଣ-ବିଜେପି ଶାସିତ ରାଜ୍ୟମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷର ଦାନା ବାନ୍ଧୁଛି ତାହା ଆଗାମୀ ଦିନରେ କେନ୍ଦ୍ର-ରାଜ୍ୟ ସମ୍ପର୍କରେ ତିକ୍ତତାର ନୂଆ କାରଣ ପାଲଟିବାର ଆଶଙ୍କା ଥିବାରୁ ତୁରନ୍ତ ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ।

Published in Sambad on May 11, 2020

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍