Skip to main content

ଆଗକୁ ଭାରତୀୟ ଅର୍ଥନୀତିର ସଙ୍କୁଚନର ଦିନ

ଦୀର୍ଘ ଦିନ ଧରି ଭାରତୀୟ ଅର୍ଥନୀତିର ଦୁଃସ୍ଥିତିକୁ ନେଇ ସରକାର ପ୍ରତ୍ୟକ୍ଷ ଭାବେ ସ୍ୱୀକାର କରୁ ନ ଥିଲେ ବି ଗତ ମେ ୨୨, ୨୦୨୦ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯେତେବେଳେ ଆର୍ଥିକ ନୀତି ଘୋଷଣା କରିବା  ଅବସରରେ କହିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ସଙ୍କୁଚନର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସେତେବେଳେ ଦେଶର ଅର୍ଥନୀତିର ଦୟନୀୟ ବାସ୍ତବ ସ୍ଥିତି ସମ୍ପର୍କରେ ସର୍ବସାଧାରଣଙ୍କ ବୁଝିବାକୁ ଆଉ କିଛି ଅସୁବିଧା ରହିଲା ନାହିଁ । ଅବଶ୍ୟ ଇତିମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜିଡିପିର ଅଭିବୃଦ୍ଧି ନ ହୋଇ ସଙ୍କୁଚନ ହେବ ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀ ରେଟିଙ୍ଗ ସଂସ୍ଥା ପୂର୍ବାନୁମାନ କରି ସାରିଥିଲେ ଯେପରି ବର୍ଣ୍ଣଷ୍ଟେନ (-୭%), ଇକରା (-୫%) ନୋମୁରା (-୫.୨%), ଏସ ଆଣ୍ଡ ପି ଗ୍ଲୋବାଲ ରେଟିଙ୍ଗସ (- ୫%), ଫିଚ ରେଟିଙ୍ଗସ (-୫%), କ୍ରିସିଲ (-୫%), ଫିଚ ସଲ୍ୟୁସନ୍ସ (-୪.୨%), କେୟାର ରେଟିଙ୍ଗସ (-୧.୫%) । କିଂତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ମଇ ୨୬, ୨୦୨୦ରେ ପ୍ରକାଶିତ ‘ଇକୋରାପ’ ରିପୋର୍ଟରେ ଏହି ସଙ୍କୁଚନ ମାଇନସ ବା ବିଯୁକ୍ତ ୬.୮ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ ପ୍ରକାଶ ପାଇବା ପରେ ଦେଶର ଅର୍ଥନୀତି ଯେ ଅତ୍ୟଧିକ ଚାପଗ୍ରସ୍ତ, ତାହା ସହଜରେ ଅନୁମେୟ ।
    
ଷ୍ଟେଟ ବ୍ୟାଙ୍କର ‘ଇକୋରାପ’ ରିପୋର୍ଟରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଭାରତର ସର୍ବମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ନୈରାଶ୍ୟଜନକ ହେବ ବୋଲି ପୂର୍ବାନୁମାନ କରାଯାଇ ସାରିଲାଣି । ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରିମାସ (ଜାନୁଆରୀ-ମାର୍ଚ୍ଚ)ରେ ବୃଦ୍ଧି ହାର ମାତ୍ର ୧.୨ ପ୍ରତିଶତକୁ କମି ଆସିବ ଯାହା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରିମାସରେ ଯଥାକ୍ରମେ ୫.୧, ୫.୬ ଓ ୪.୭ ପ୍ରତିଶତ ଥିଲା । ଏହି ଆଶାତୀତ ହ୍ରାସର ମୁଖ୍ୟ କାରଣ ହେଉଛି ମାର୍ଚ୍ଚ ୨୫ ତାରିଖରେ ସାରା ଦେଶରେ ଲକଡାଉନ ଘୋଷଣା ହେବା ପରେ କେବଳ ସେହି ତ୍ରିମାସର ଶେଷ ସାତ ଦିନରେ (୨୫ରୁ ୩୧ ମାର୍ଚ୍ଚ) ହୋଇଥିବା ୧.୪୦ ଲକ୍ଷ କୋଟି ଟଙ୍କାର ଆନୁମାନିକ କ୍ଷତି । ତେଣୁ ସାମଗ୍ରିକ ଭାବେ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୪.୨ ପ୍ରତିଶତକୁ ଖସି ଆସିବ । କିଂତୁ ରିପୋର୍ଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାରକୁ ନେଇ କରାଯାଇଥିବା ପୂର୍ବାନୁମାନ ହିଁ ସବୁଠାରୁ ବେଶି ଉଦ୍‌ବେଗଜନକ । ତଦନୁସାରେ, ଅଭିବୃଦ୍ଧି ହାର ପୂର୍ବ ବର୍ଷ ତୁଳନାରେ ମାଇନସ ୬.୮ ପ୍ରତିଶତକୁ ଖସି ଆସିବ, ଯାହା ଅତ୍ୟନ୍ତ ନୈରାଶ୍ୟଜନକ ଓ ଭୀତିସଞ୍ଚାରକାରୀ । ଅର୍ଥାତ୍ ଅର୍ଥନୀତିର ଆକାର ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବ ଓ ବାର୍ଷିକ ଭିତ୍ତିରେ ଏହି ସଙ୍କୁଚନ ଗତ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଗତ ୬୯ ବର୍ଷ ଭିତରେ କେବଳ ତିନି ବର୍ଷ, ୧୯୫୮, ୧୯୬୬ ଓ ୧୯୮୦ ମସିହାରେ, ଭାରତର ଅର୍ଥନୀତି ସଙ୍କୁଚିତ ହୋଇଥଲା ।
   
କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଗତ ପ୍ରାୟ ଦୁଇ ମାସ ଧରି ଲାଗୁ କରାଯାଇଥିବା ଚାରି ପର୍ଯ୍ୟାୟର ଲକଡାଉନ ଯୋଗୁ ହେବାକୁ ଯାଉଥିବା କ୍ଷତିର ପରିମାଣକୁ ଆକଳନ କରିବା ପାଇଁ ପ୍ରତି ରାଜ୍ୟର ଜିଲାଓ୍ଵାରୀ ତଥା ଜୋନଓ୍ଵାରୀ କ୍ଷତିର ପରିମାଣକୁ ପୃଥକ ଭାବେ ବିବେଚନା କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡିକର ସାମଗ୍ରିକ ଭାବେ କ୍ଷତିର ପରିମାଣ ୩୦.୩୩ ଲକ୍ଷ କୋଟି ଟଙ୍କା ହେବ ଯାହା ସମୁଦାୟ ସର୍ବମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୧୩.୫ ପ୍ରତିଶତ । ତେବେ ସମୁଦାୟ କ୍ଷତିର ପ୍ରାୟ ୭୫ ପ୍ରତିଶତ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଭଳି ୧୦ଟି ରାଜ୍ୟରେ ହେବ । ଉଲ୍ଲେଖଯୋଗ୍ୟ, ଏହି ରାଜ୍ୟଗୁଡିକ କରୋନାରେ ସର୍ବାଧିକ ଆକ୍ରାନ୍ତ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଳ୍ପ ଦୃଷ୍ଟିରୁ ସମୃଦ୍ଧ । ସମୁଦାୟ କ୍ଷତିର ୧୫.୬ ପ୍ରତିଶତ କେବଳ ମହାରାଷ୍ଟ୍ରରେ ହେଉଥିବା ବେଳେ, ତାମିଲନାଡୁ, ଗୁଜରାଟ ଓ ଉତ୍ତର ପ୍ରଦେଶରେ ତାହା ଯଥାକ୍ରମେ ୯.୪, ୮.୬ ଓ ୮.୩ ପ୍ରତିଶତ ହେବ । ଉପରୋକ୍ତ ରାଜ୍ୟଗୁଡିକରେ ଜିଏସଡିପି ୧୪.୧ (ରାଜସ୍ଥାନ) ରୁ ୧୮.୮ (ଦିଲ୍ଲୀ) ପ୍ରତିଶତ ଯାଏଁ ହ୍ରାସ ପାଇବା ବାସ୍ତବିକ ଚିନ୍ତାଜନକ । ଏହି ଦୃଷ୍ଟିରୁ ତାଲିକାର ଷୋଡଶ ସ୍ଥାନରେ ଥିବା ଓଡିଶା ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ଏଠାରେ କ୍ଷତିର ପରିମାଣ ୫୪,୦୩୩ କୋଟି ଟଙ୍କା ହେବ ଯାହା ଜିଏସଡିପିର ୯.୪ ପ୍ରତିଶତ । ଏହି କ୍ଷତି ସାମଗ୍ରିକ ଜିଏସଡିପି କ୍ଷତିର ମାତ୍ର ୧.୮ ପ୍ରତିଶତ । ଓଡିଶା ଅର୍ଥନୀତିର ଆକାର ଯାହା, ସେଥିରେ ଏହି ପରିମାଣର କ୍ଷତି କିଛି କମ ନୁହେଁ ଓ ତାହା ରାଜ୍ୟର ଜନମଙ୍ଗଳକାରୀ ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡିକୁ ଚଲାଇ ରଖିବାରେ ବାଧକ ସାଜିପାରେ ।

ଏହି ରିପୋର୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ ଲାଗୁ ହୋଇଥିବା ବିଭିନ୍ନ କଟକଣା ଯୋଗୁ ହେଉଥିବା କ୍ଷତିକୁ ଜୋନଓ୍ଵାରୀ ଆକଳନ କରାଯାଇଛି । ତଦନୁଯାୟୀ, ରେଡ ଜୋନରେ ସର୍ବାଧିକ ୫୦ ପ୍ରତିଶତ କ୍ଷତି ହେଉଥିବା ବେଳେ ଅରେଞ୍ଜ ଜୋନରେ ୪୦ ପ୍ରତିଶତ କ୍ଷତି ହେବାର ଆଶଙ୍କା ରହିଛି । ଉଲ୍ଲେଖଯୋଗ୍ୟ, ପ୍ରାୟ ୯୦ ପ୍ରତିଶତ କ୍ଷତି ହେଉଥିବା ରେଡ ଓ ଅରେଞ୍ଜ ଜୋନରେ ଥିବା ଜିଲ୍ଲାଗୁଡିକ ବଡ ଜିଲ୍ଲା ଓ ସେଠାରେ ଶିଳ୍ପ ଗତିବିଧି ଅପେକ୍ଷାକୃତ ଭାବେ ଅଧିକ । ଅନ୍ୟ ପକ୍ଷରେ ୧୦ ପ୍ରତିଶତ କ୍ଷତି ହେଉଥିବା ଗ୍ରୀନ ଜୋନର ଜିଲ୍ଲାଗୁଡିକ ଗ୍ରାମାଞ୍ଚଳରେ ଅବସ୍ଥିତ । ଓଡିଶାରେ ରେଡ, ଅରେଞ୍ଜ, ଗ୍ରୀନ ଜୋନରେ ଅବସ୍ଥିତ ଜିଲ୍ଲାଗୁଡିକରେ କ୍ଷତିର ପ୍ରତିଶତ ଯଥାକ୍ରମେ ୨୭, ୩୧ ଓ ୪୨ ବୋଲି ଦର୍ଶାଯାଇଛି । ଏହି ରିପୋର୍ଟ ମାର୍ଚ୍ଚ ୨୨ରୁ ମେ ୧୬ ତାରିଖ ଯାଏଁ ଉପଲବ୍ଧ ତଥ୍ୟକୁ ତୁଳନା କରି ପ୍ରସ୍ତୁତ ହୋଇଥିବା ବେଳେ ତା ପରେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ କେବଳ ରାୟଗଡା ଜିଲ୍ଲାକୁ ବାଦ ଦେଇ କୌଣସି ଜିଲ୍ଲା ଆଉ ଗ୍ରୀନ ଜୋନ ଜିଲ୍ଲା ହୋଇ ରହି ନ ଥିବାରୁ ଉପରୋକ୍ତ କ୍ଷତିର ପ୍ରତିଶତ ଗ୍ରୀନ ଜୋନରୁ କମ ହୋଇ ଅରେଞ୍ଜ ଜୋନରେ ବଢିଯିବ । ଯଦି ଆକ୍ରାନ୍ତଙ୍କ ସମ୍ଭାବ୍ୟ ସଂଖ୍ୟାବୃଦ୍ଧିକୁ ହିସାବକୁ ନେଇ କ୍ଷତି ପରିମାଣର ପୂର୍ବାନୁମାନ କରାଯାଇଥିବ, ତେବେ ତାହା ଆଉ ବୃଦ୍ଧି ନ ପାଇ ସ୍ଥିର ରହିବ ।

ଲକଡାଉନ ଯୋଗୁ ଅର୍ଥନୀତି ଅତ୍ୟଧିକ ପ୍ରଭାବିତ ହୋଇ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରିମାସ (ଏପ୍ରିଲ-ଜୁନ)ରେ କ୍ଷତିର ପ୍ରତିଶତ ସର୍ବାଧିକ ୪୦ ପ୍ରତିଶତ ଯାଏଁ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲେ ମଧ୍ୟ ପରବର୍ତ୍ତୀ ତ୍ରିମାସଗୁଡିକରେ ସ୍ଥିତିରେ ଉନ୍ନତି ହେବାର ଆଶା ସଞ୍ଚାର କରାଯାଇଛି । ଏବର ହାରାହାରି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ବିବେଚନା କରି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ହୁଏତ ଜୁନ ମାସ ଶେଷ ସପ୍ତାହରେ କରୋନାର ଆତଙ୍କ ଶିଖରରେ ପହଞ୍ଚିଲା ପରେ ଗ୍ରାଫ ତଳକୁ ଖସିବ ଓ ସେପ୍ଟେମ୍ବର ମାସ ମଝାମଝି ବେଳକୁ  ତାହା  ଆଉ ଉଦବେଗଜନକ ସ୍ଥିତିରେ ନ ଥିବ । ତେଣୁ ଆର୍ଥିକ ଗତିବିଧି ଚଳଚଞ୍ଚଳ ହୋଇ ଦ୍ୱିତୀୟ ତ୍ରିମାସ (ଜୁଲାଇ-ସେପ୍ଟେମ୍ବର)ରେ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଛୁଇଁପାରେ । ଚାହିଦାକୁ ବଜାଏ ରଖା ଯାଇପାରିଲେ ତୃତୀୟ ଓ ଚତୁର୍ଥ ତ୍ରିମାସରେ ଅଭିବୃଦ୍ଧି ହାର ହାରାହାରି ୬ ପ୍ରତିଶତ ହୋଇପାରେ । ଏ ସବୁ ସତ୍ତ୍ଵେ ବାର୍ଷିକ ଅଭିବୃଦ୍ଧି ହାର ପୂର୍ବ ବର୍ଷ ତୁଳନାରେ ସଙ୍କୁଚିତ ହୋଇ ମାଇନସ ୬.୮ ପ୍ରତିଶତରେ ପହଞ୍ଚିପାରେ । କେବଳ ପରୋକ୍ଷ ଟିକସ ଆଦାୟର ପରିମାଣ ୧୦.୪ ଲକ୍ଷ କୋଟି ଟଙ୍କା କମ ହେବ ବୋଲି ଆକଳନ କରାଯାଇଛି, ଯାହା ରାଜ୍ୟଗୁଡିକ ପାଇଁ ଚିନ୍ତାର ବିଷୟ, କାରଣ ତାହା ହିଁ ସେମାନଙ୍କ ଆୟର ଏକ ମୁଖ୍ୟ ଉତ୍ସ ।

ଅଧିକ ଆକ୍ରାନ୍ତ ଏବଂ ଶିଳ୍ପ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରେଡ ଜୋନ ଅଞ୍ଚଳଗୁଡିକରେ ଆର୍ଥିକ ଗତିବିଧି ସାଧାରଣ ହେବାକୁ କିଛି ଅଧିକ ସମୟ ଲାଗିବ । ଫଳରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ ଓ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବା ଲାଗି ରହିବ । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଅଂଚଳକୁ ଫେରି ଯାଇଥିବାରୁ ସେମାନେ ପୁଣି କାମକୁ ଫେରିବା ଲାଗି ଯଥେଷ୍ଟ ସମୟ ଲାଗିବ । ଫଳରେ କଳ କାରଖାନାରେ ମଧ୍ୟ ଶ୍ରମିକ ଅଭାବ ଦେଖା ଦେଇ ଉତ୍ପାଦନ କମ ହେବ । ଅନ୍ୟ ପକ୍ଷରେ କୋଟି କୋଟି ଲୋକ ରୋଜଗାର ହରାଇଥିବାରୁ ବଜାରରେ ଚାହିଦା ବୃଦ୍ଧି ପାଇ ପୂର୍ବାବସ୍ଥାକୁ ଫେରିବ ବୋଲି ଏବେ ଅନ୍ତତଃ ଭାବି ହେଉନାହିଁ । ଏହି ପରିସ୍ଥିତିରେ ଅର୍ଥନୀତିକୁ ଏଇ ଆଘାତରୁ ଉଦ୍ଧାର କରି ତୁରନ୍ତ ପୁଣି ଥରେ ତାକୁ ରାସ୍ତାକୁ ଫେରାଇ ଆଣିବା ଏକ ବଡ ଆହ୍ୱାନ ହେବ । ତେବେ ଏହା ଅନେକଟା ନିର୍ଭର କରୁଛି ତିନୋଟି କଥା ଉପରେ । ପ୍ରଥମ, ଦେଶରେ କେତେ ଶୀଘ୍ର କରୋନା ଆତଙ୍କ ପ୍ରଶମିତ ହୋଇ କରୋନା ଗ୍ରାଫ ଧରାଶାୟୀ ହେବ । ଦ୍ୱିତୀୟ, ଏବେ କୋଟି କୋଟି ଲୋକ ନିଯୁକ୍ତି ହରାଇ ବେକାର ହୋଇ ଯାଇଥିବାରୁ କେତେ ଶୀଘ୍ର ଲୋକେ ନିଯୁକ୍ତି ଫେରି ପାଇ ଶ୍ରମ ବଜାର ଚଳଚଞ୍ଚଳ ହେବ । ତୃତୀୟ, ଅର୍ଥନୀତିର ପ୍ରତିଟି କ୍ଷେତ୍ର କେତେ ଶୀଘ୍ର ବ୍ୟବସାୟ ପୁନରୁଦ୍ଧାର କରିବାକୁ ସକ୍ଷମ ହେବେ । ଏଥିପାଇଁ ସରକାରଙ୍କ ଦ୍ୱାରା କେବଳ ଷ୍ଟିମ୍ୟୁଲସ ପ୍ୟାକେଜ ଘୋଷଣା ହେବା ଯଥେଷ୍ଟ ନୁହେଁ, ବରଂ ଦେଶ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବିରୋଧୀଙ୍କ ସମେତ ଉଲ୍ଲେଖନୀୟ ଯୋଗଦାନ କରିବାକୁ ସମର୍ଥ ସମସ୍ତଙ୍କ ମତକୁ ସମ୍ମାନ ଜଣାଇ ସେମାନଙ୍କୁ ଏକା ସାଙ୍ଗରେ ନେଇ ଚାଲି ପାରିବାର ଦକ୍ଷତା ପ୍ରଦର୍ଶନ କରିବା ଅଧିକ ଜରୁରୀ ।


Published in Odisha Reporter on May 30, 2020


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍