‘ଇଣ୍ଡିଆନ ଏକ୍ସପ୍ରେସ’ ଖବରକାଗଜରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟଶୈଳୀକୁ ନେଇ ଏକ ଅନୁସନ୍ଧାନମୂଳକ ଆଲେଖ୍ୟ ପ୍ରକାଶ ପାଇବା ପରେ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲାଗିଗଲା। ସାରା ଦେଶରେ ବିରୋଧୀ ଦଳଗୁଡ଼ିକ ଓ ନାଗରିକ ସମାଜ କ୍ଷୁବ୍ଧ ଓ ଆନ୍ଦୋଳନରତ। ଏଥିପୂର୍ବରୁ ଦାୟିତ୍ୱ ନିର୍ବାହ କରିଥିବା ୨୫ ଜଣ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରୁ କେହି ଜଣେ ହେଲେ ଏଭଳି ଜନ ଆକ୍ରୋଶର ଶରବ୍ୟ ହୋଇନାହାନ୍ତି। ନିର୍ବାଚନୀ ଗଣତନ୍ତ୍ରରେ ନିର୍ବାଚନ ଆୟୋଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ନାଗରିକଙ୍କ ଆସ୍ଥାଭାଜନ ନ ହେଲେ ଗଣତନ୍ତ୍ର ଦୁର୍ବଳ ହେବା ଅବଶ୍ୟମ୍ଭାବୀ।
ସମ୍ୱିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାର ଦାୟିତ୍ୱ ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ ଏବଂ ବର୍ତ୍ତମାନ ଆୟୋଗରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ମିଶାଇ ୩ ଜଣ ସଦସ୍ୟ ଅଛନ୍ତି। ସମ୍ୱିଧାନ ପ୍ରଣୟନ ସଭାରେ ଚିଠା ସମ୍ୱିଧାନର ଅନୁଚ୍ଛେଦ ୨୮୯ରେ ଥିବା ନିର୍ବାଚନ ଆୟୋଗ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ଏହାର ସ୍ୱାତନ୍ତ୍ର୍ୟ ଓ ନିରପେକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପଣ୍ଡିତ ହୃଦୟନାଥ କୁଞ୍ଜ୍ରୁ ଆଉ ପାଦେ ଆଗକୁ ଆଗକୁ ଯାଇ ଆୟୋଗର ଚୟନ ପ୍ରକ୍ରିୟାରେ ନିରପେକ୍ଷତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ ରାଜନୈତିକ ପ୍ରଭାବରୁ ମୁକ୍ତ ନିରପେକ୍ଷ ବ୍ୟକ୍ତିବିଶେଷ ହିଁ ନିର୍ବାଚନ କମିସନରଙ୍କ ଗୁରୁଦାୟିତ୍ୱକୁ ନିର୍ଭୀକ ଭାବେ ତୁଲାଇ ପାରିବେ।
ନିର୍ବାଚନ କମିସରମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ୱନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ‘ଅନୁପ ବରନୱାଲ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟରୁ ସୁସ୍ପଷ୍ଟ। ସମ୍ୱିଧାନର ଅନୁଚ୍ଛେଦ ୩୨୪(୨) ଅନୁଯାୟୀ ସଂସଦ ଦ୍ୱାରା ପ୍ରଣୀତ ଆଇନ ଆଧାରରେ ରାଷ୍ଟ୍ରପତିଙ୍କ ଦ୍ୱାରା ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନରମାନେ ନିଯୁକ୍ତ ହେବେ। ମାତ୍ର ସମ୍ୱିଧାନ ଲାଗୁ ହେବାଠାରୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ସେମାନଙ୍କ ନିଯୁକ୍ତି ହୋଇଆସୁଥିଲା। ଏଭଳି ସ୍ଥିତିରେ ନିର୍ବାଚନ କମିସନରମାନଙ୍କ ଚୟନ କାର୍ଯ୍ୟପାଳିକା ନିୟନ୍ତ୍ରଣ ଭିତରକୁ ଚାଲିଯାଇଥିଲା। ଏହାର ପ୍ରତିବାଦରେ ଯାଚିକାକର୍ତ୍ତା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ଏକ ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ୨୦୨୩ ମସିହା ମାର୍ଚ୍ଚ ୨ ତାରିଖରେ ଏକ ଐତିହାସିକ ରାୟରେ ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ଆୟୋଗର ଅନିବାର୍ଯ୍ୟତା ଉପରେ ଗୁରୁତ୍ୱ ଦେଇ କମିସନରମାନଙ୍କ ନିଯୁକ୍ତି କାର୍ଯ୍ୟପାଳିକାର ଏକଚାଟିଆ ନିୟନ୍ତ୍ରଣରୁ ମୁକ୍ତ ହେବା ଜରୁରି ବୋଲି କହିଥିଲେ। ତେବେ ସଂସଦରେ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ନ ହେବା ଯାଏଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଏକ ତିନିଜଣିଆ ଚୟନ ସମିତିର ପରାମର୍ଶ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ କମିସନରମାନଙ୍କୁ ନିଯୁକ୍ତ କରିବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୫ ମସିହାରେ ପ୍ରକାଶିତ ୨୫୫ତମ ଭାରତୀୟ ଲ’ କମିସନ ରିପୋର୍ଟରେ ମଧ୍ୟ ଅନୁରୂପ ଚୟନ ପ୍ରକ୍ରିୟା ଲାଗି ସୁପାରିସ କରାଯାଇଥିଲା। ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କ ଅଂଶଗ୍ରହଣ ଯୋଗୁଁ ତାହା ଅପେକ୍ଷାକୃତ ଅଧିକ ନିରପେକ୍ଷ ତଥା ରାଜନୈତିକ ପକ୍ଷପାତିତାରୁ ଊର୍ଦ୍ଧ୍ୱରେ ରହିବ ବୋଲି ଆଶ୍ୱସ୍ତି ମିଳୁଥିଲା।
ମାତ୍ର ରାୟ ପ୍ରକାଶ ପାଇବାର ଅଳ୍ପ କେଇ ମାସ ମଧ୍ୟରେ ସଂସଦରେ ‘ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ସେବା ସର୍ତ୍ତାବଳୀ, କାର୍ଯ୍ୟକାଳ) ଆଇନ ୨୦୨୩’ ପାରିତ ହେଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ୨୦୨୪ ମସିହା ଫେବୃଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେଲା। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଅଣଦେଖା କରି ଏହି ଆଇନର ଧାରା ୭ ଅନୁଯାୟୀ ଚୟନ ସମିତିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସହ କେନ୍ଦ୍ର କ୍ୟାବିନେଟର ଆଉ ଜଣେ ମନ୍ତ୍ରୀଙ୍କୁ ସ୍ଥାନ ଦିଆଗଲା। ଫଳରେ ଚୟନ ସମିତି ଅସନ୍ତୁଳିତ ହୋଇ ନିରପେକ୍ଷ ଚୟନର ସମ୍ଭାବନାକୁ ଧୂଳିସାତ୍ କଲା। ଉଲ୍ଲେଖଯୋଗ୍ୟ ଯେ ଏହି ଆଇନ ପ୍ରଣୟନ ହେବା ପରେ ନବଗଠିତ ଚୟନ ସମିତି ଦ୍ୱାରା ନିଯୁକ୍ତ ପ୍ରଥମ ମୁଖ୍ୟ ନିର୍ବାଚନ କମିସନର ହେଉଛନ୍ତି ଜ୍ଞାନେଶ କୁମାର। ଅବସର ଗ୍ରହଣ ପୂର୍ବରୁ ଏହି ଆଇ.ଏ.ଏସ. ଅଧିକାରୀଜଣକ ଅମିତ ସାହାଙ୍କ ଅଧୀନସ୍ଥ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରାଳୟରେ କାର୍ଯ୍ୟ କରିଥିଲେ। ଏହି ନୂତନ ଆଇନର ସାମ୍ୱିଧାନିକ ବୈଧତାକୁ ପ୍ରଶ୍ନ କରି ଦାୟର ହୋଇଥିବା ଏକାଧିକ ରିଟ ପିଟିସନ ଏବେ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ। ଅଧିକନ୍ତୁ, ଉପରୋକ୍ତ ଆଇନର ଧାରା ୧୬ ଅନୁଯାୟୀ କାର୍ଯ୍ୟ ନିର୍ବାହ ବେଳେ ନିର୍ବାଚନ କମିସନରଙ୍କ ଦ୍ୱାରା କୃତ କୌଣସି କାର୍ଯ୍ୟ, ଆଚରଣ ଓ ଉଚ୍ଚାରଣ ବିରୁଦ୍ଧରେ ଅଦାଲତରେ କୌଣସି ଦେୱାନୀ ଓ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏହି ନ୍ୟାୟିକ ସୁରକ୍ଷା କବଚ ତାଙ୍କୁ ଆଜୀବନ ଉପଲବ୍ଧ ହେବ। ଫଳରେ ନିର୍ବାଚନ କମିସନରମାନେ ଭୟଶୂନ୍ୟ ହୋଇ ବେଆଇନ କାର୍ଯ୍ୟ ମଧ୍ୟ କରିବାର ଅଖଣ୍ଡ କ୍ଷମତା ପାଇଲେ। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି, ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏପରି ସୁରକ୍ଷା କବଚ ଉପଲବ୍ଧ ନୁହେଁ। ଆଇନର ଶାସନରେ କେହି ନ୍ୟାୟିକ ଉତ୍ତରଦାୟିତ୍ୱର ଊର୍ଦ୍ଧ୍ୱରେ ନୁହନ୍ତି। ତା’ଛଡ଼ା ଏହା ସମ୍ୱିଧାନର ଅନୁଚ୍ଛେଦ ୧୪ ଓ ୨୧କୁ ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ଏହା ବିରୁଦ୍ଧରେ ଏକାଧିକ ମାମଲା ଏବେ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି। ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଦଳଗୁଡ଼ିକ ଏହି ବିଲକୁ ବିରୋଧ କରୁଥିଲେ ହେଁ ୨୦୨୩ ମସିହା ଡିସେମ୍ୱର ମାସରେ ୯୭ ଜଣ ବିରୋଧୀ ଦଳ ସଦସ୍ୟ ଗୃହରୁ ନିଲମ୍ୱିତ ଥିଲାବେଳେ ଏହି ବିଲଟିକୁ ଲୋକସଭାରେ ପାରିତ କରାଇ ନିଆଯାଇଥିଲା। ସୁତରାଂ ନିଷ୍ପକ୍ଷ ନିର୍ବାଚନ କମିସନରଙ୍କ ନିଯୁକ୍ତିର ଆଶା ଏହା ପରଠାରୁ ମଉଳି ଯାଇଥିଲା। ଅଧିକନ୍ତୁ ନୂତନ ଆଇନରେ ଚୟନିତ ନିର୍ବାଚନ କମିସନର ଯେତେ ନିରପେକ୍ଷ ହେଲେ ମଧ୍ୟ ତାଙ୍କ ଚୟନରେ ଶାସକ ଦଳର ଭୂମିକା ତାଙ୍କ ନିଯୁକ୍ତିକୁ ସବୁବେଳେ ସଂଶୟରେ ରଖିବ ଓ ତାଙ୍କ ନିରପେକ୍ଷତା ସର୍ବଦା ପ୍ରଶ୍ନ ଘେରରେ ରହିବା ଅବଶ୍ୟମ୍ଭାବୀ। ତେଣୁ ନିର୍ବାଚନ କମିସନରଙ୍କ ବିଶ୍ୱସନୀୟତାକୁ ଅତୁଟ ରଖିବାକୁ ହେଲେ ତାଙ୍କ ଚୟନ ପ୍ରକ୍ରିୟାକୁ ନିରପେକ୍ଷ କରାଯାଉ। ଏଥିପାଇଁ ଏହି ଆଇନରେ ସଂଶୋଧନ କରି ନିର୍ବାଚନ କମିସନରଙ୍କ ସୁରକ୍ଷା କବଚ ପ୍ରତ୍ୟାହାର କରାଯିବା ସହିତ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଚୟନ ସମିତିର ପୁନର୍ଗଠନ ହେବା ଆବଶ୍ୟକ।
ଅତୀତରେ କେନିଆ (୨୦୦୭, ୨୦୧୭, ୨୦୨୨), ଭେନେଜୁଏଲା (୨୦୨୪), ବଙ୍ଗଳାଦେଶ ଓ ଆଉ କିଛି ଦେଶର ନିର୍ବାଚନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ଓ ଅନିୟମିତତା ଯୋଗୁଁ ସେମାନେ ଜନସାଧାରଣଙ୍କ ବିଶ୍ୱାସ ହରାଇଥିଲେ। ନିମ୍ନ କେତୋଟି କଥାରୁ କୌଣସି ଦେଶର ନିର୍ବାଚନ କର୍ତ୍ତୃପକ୍ଷ କେତେ ବିଶ୍ୱସନୀୟ ତା’ର ସୂଚନା ମିଳିଥାଏ- ସର୍ଭେ ମାଧ୍ୟମରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରି, ଅଦାଲତ ନିର୍ବାଚନ କର୍ତ୍ତୃପକ୍ଷଙ୍କ କୌଣସି କାର୍ଯ୍ୟ ବା ନିର୍ଣ୍ଣୟକୁ ଅସିଦ୍ଧ ଘୋଷଣା କରି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ ଦେଲେ, ଆୟୋଗର ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ଲାଗିରହି ତାହା ସାର୍ବଜନୀନ ହେଲେ, ନିର୍ବାଚନ ସହ ସମ୍ପୃକ୍ତ ଅଧିକାରୀ ଓ ପର୍ଯ୍ୟବେକ୍ଷକଙ୍କ ଟିପ୍ପଣୀ ବା ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଲେ ଓ ଯୋଗ୍ୟ ନାଗରିକମାନେ ଭୋଟଦାନ ଅଧିକାରରୁ ବଞ୍ଚିତ ହେଲେ। ଭାରତୀୟ ନିର୍ବାଚନ ଆୟୋଗ କ୍ଷେତ୍ରରେ ଏଥି ମଧ୍ୟରୁ କେତୋଟି ପରିଲକ୍ଷିତ ହେଉଛି। ଇତିମଧ୍ୟରେ ନିର୍ବାଚନ ଆୟୋଗ ଉପରେ ଅଧିକ ବିଶ୍ୱାସ କରୁଥିବା ଲୋକଙ୍କ ହାର ମଧ୍ୟ ଙ୍ରାସ ପାଇଛି। ୨୦୧୯ ମସିହାରେ ଏମାନଙ୍କ ହାର ୫୧ ପ୍ରତିଶତ ଥିଲାବେଳେ ୨୦୨୪ ମସିହାରେ ତାହା ୨୮ ପ୍ରତିଶତକୁ ଖସି ଆସିଛି ବୋଲି ‘ସିଆରଡ଼ିଏସ୍-ଲୋକନୀତି’ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡ଼େ। ସାଧାରଣତଃ ସାମ୍ୱିଧାନିକ ଓ ପ୍ରାଶାସନିକ ସଂସ୍ଥାଗୁଡ଼ିକ ମଧ୍ୟରେ ସୁପ୍ରିମକୋର୍ଟ ସର୍ବାଧିକ ଆସ୍ଥାଭାଜନ ହୋଇଥିଲା ବେଳେ ନିର୍ବାଚନ ଆୟୋଗର ବିଶ୍ୱସନୀୟତା କିଛି କମ ନଥିଲା। ପ୍ରକାଶ ଥାଉ କି ଟି.ଏନ୍.ଶେଷାନ୍ ମୁଖ୍ୟ ନିର୍ବାଚନ କମିସନର ଥିଲାବେଳେ ଆୟୋଗର ବିଶ୍ୱସନୀୟତା ସୁପ୍ରିମକୋର୍ଟକୁ ବି ଟପି ଯାଇଥିଲା। ନିରପେକ୍ଷତା ଓ ସୁଦକ୍ଷ ନିର୍ବାଚନ ପରିଚାଳନା ଲାଗି ପ୍ରଥମ ନିର୍ବାଚନ କମିସନର ସୁକୁମାର ସେନଙ୍କ ଖ୍ୟାତି ଏତେ ସୁଦୂରପ୍ରସାରୀ ହୋଇଥିଲା ଯେ ସୁଦାନରେ ପ୍ରଥମ ସଂସଦୀୟ ନିର୍ବାଚନ ପରିଚାଳନା କରିବା ଲାଗି ତାଙ୍କୁ ଜାତିସଂଘ ଦ୍ୱାରା ଗଠିତ ଏକ ଅନ୍ତର୍ଜାତୀୟ ନିର୍ବାଚନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଏଭଳି ପରମ୍ପରାରେ ଜ୍ଞାନେଶ କୁମାରଙ୍କ ପ୍ରତି ଯେଉଁ ବିଶ୍ୱାସସଙ୍କଟ ଦେଖାଦେଇଛି ତାହା ଚିନ୍ତାଜନକ।
ଖ୍ୟାତନାମା କ୍ରିକେଟ ଅମ୍ପାୟାର୍ ଜାମାଇକାର ଷ୍ଟିଭ୍ ବକନରଙ୍କର କେତେକ ନିଷ୍ପତ୍ତି ଭାରତ ବିରୋଧରେ ଯାଇଥିଲା। ସେ ଭାରତ ବିରୋଧୀ ହୋଇ ଅଷ୍ଟ୍ରେଲିଆର ପକ୍ଷପାତିତା କରୁଛନ୍ତି ବୋଲି ଧାରଣାଟିଏ ଭାରତୀୟ ପ୍ରଶଂସକଙ୍କ ମନରେ ବସା ବାନ୍ଧିଥିଲା। ଏକାଧିକ ବାର ତାଙ୍କର ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ ସଚିନ ତେନ୍ଦୁଲକର। ୨୦୦୮ ମସିହାର ସିଡନି ଟେଷ୍ଟ ମ୍ୟାଚରେ ଏପରି ଏକ ନିର୍ଣ୍ଣୟର ପ୍ରତିବାଦରେ ବକନରଙ୍କୁ ଅବଶିଷ୍ଟ ମ୍ୟାଚଗୁଡ଼ିକରେ ଅମ୍ପାୟାରିଂ କରିବାକୁ ନ ଦେବା ପାଇଁ ଭାରତ ଆଇସିସି ନିକଟରେ ଦାବି ଜଣାଇଥିଲା ଓ ତାଙ୍କୁ ବଦଳାଯାଇଥିଲା ମଧ୍ୟ।. ଭାରତୀୟ ପ୍ରଶଂସକଙ୍କ ଅସନ୍ତୋଷକୁ ଆଧାର କରି ଯଦି ଗୋଟିଏ ଖେଳର ଅମ୍ପାୟାରଙ୍କୁ ବାଦ୍ ଦିଆଯାଇପାରିଲା ତେବେ ସେହି ନ୍ୟାୟରେ ନିର୍ବାଚନ ପ୍ରକ୍ରିୟାରେ ପକ୍ଷପାତିତା ଅବଲମ୍ୱନ କରୁଥିବା ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କିଛି ଅଯୌକ୍ତିକ ନୁହେଁ। ତେବେ, ସମସ୍ୟା ହେଉଛି ମୁଖ୍ୟ ନିର୍ବାଚନ କମିସନର ଏକ ସାମ୍ୱିଧାନିକ ପଦ ହୋଇଥିବାରୁ ତାଙ୍କୁ କେବଳ ସଂସଦ ହିଁ ବହିଷ୍କାର କରିପାରିବ। କିନ୍ତୁ ତାଙ୍କୁ ବହିଷ୍କାର କରିବା ପର୍ଯ୍ୟନ୍ତ କଥା ଯିବା ଅନୁଚିତ। ସାରା ଦେଶରେ ତାଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇ ଆନ୍ଦୋଳନ ଓ ପ୍ରଦର୍ଶନ ଲାଗିରହିଛି ଓ ସେ ନାଗରିକଙ୍କ ଏକ ବହୁଳାଂଶର ତଥା ବିରୋଧୀ ଦଳଗୁଡ଼ିକର ଆସ୍ଥାଭାଜନ ହୋଇ ରହିନାହାନ୍ତି। ଏପରି ସ୍ଥଳେ ତାଙ୍କ ପକ୍ଷରେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିବା ଏଣିକି ଆଉ ସହଜ ନୁହେଁ। ତେଣୁ ନୈତିକତା ଦୃଷ୍ଟିରୁ ସେ ସ୍ୱେଚ୍ଛାକୃତ ଭାବେ ନିଜ ପଦରୁ ଓହରିଯିବା ଶ୍ରେୟସ୍କର।
ନିର୍ବାଚନ କମିସନରଙ୍କ ନିରପେକ୍ଷତାକୁ ସୁନଶ୍ଚିତ କରିବା ପାଇଁ ଅନ୍ୟ କେତୋଟି ବିଷୟ ଉପରେ ଧ୍ୟାନ ଦିଆଯାଇପାରେ। ଅବସର ଗ୍ରହଣର ଅନ୍ତତଃ ୧୦ ବର୍ଷ ଯାଏଁ ନିର୍ବାଚନ ଲଢ଼ିବାରୁ ନେଇ କୌଣସି ସାମ୍ୱିଧାନିକ ଓ ଅନ୍ୟ ପଦରେ ତାଙ୍କୁ ଅଧିଷ୍ଠିତ କରିବା ପର୍ଯ୍ୟନ୍ତ ସବୁ ଉପରେ ରୋକ ଲାଗିବା ଆବଶ୍ୟକ। ତାଙ୍କ କାର୍ଯ୍ୟକାଳ ସମୟରେ ବା ଅବସର ଗ୍ରହଣର ଅନ୍ତତଃ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି 'ପଦ୍ମ' ପୁରସ୍କାର ବା ଅନ୍ୟ ସରକାରୀ ସମ୍ମାନ ବା ଅନୁକମ୍ପା ପ୍ରଦାନ କରାଯିବା ଉଚିତ ନୁହେଁ। ଅତୀତରେ ବିଭିନ୍ନ ସରକାରଙ୍କ ଅମଳରେ କିଛି କମିସନର ଏପରି ଅନୁଗୃହୀତ ହୋଇଥିବାର ନଜିର ରହିଛି।
ନିର୍ବାଚନ ଆୟୋଗକୁ ନାଗରିକଙ୍କ ଆସ୍ଥାଭାଜନ ହେବାକୁ ହେଲେ ନିର୍ବାଚନ କମିସନରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ସେମାନଙ୍କ କାର୍ଯ୍ୟଶୈଳୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାଲିସହୀନ ସାଧୁତା ପରିଦୃଷ୍ଟ ହେବା ଉଚିତ। ଅନ୍ୟଥା ଦେଶର ଗଣତନ୍ତ୍ର ସହ ବିଶ୍ୱାସଘାତକତା ହେବ ଓ ଗଣତନ୍ତ୍ର ଉପରୁ ଲୋକଙ୍କ ବିଶ୍ୱାସ ତୁଟିବାର ଆଶଙ୍କା ସୃଷ୍ଟି ହେବ। ପଣ୍ଡିତ କୁଞ୍ଜ୍ରୁଙ୍କ ଭାଷାରେ: “ନିର୍ବାଚନୀ ତନ୍ତ୍ରର ନିରପେକ୍ଷତାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଯଦି ନିର୍ବାଚନୀ ତନ୍ତ୍ର ତ୍ରୁଟିଯୁକ୍ତ ହୁଏ, ବା ଅଦକ୍ଷ ହୁଏ ବା ଏପରି ଲୋକଙ୍କ ଦ୍ୱାରା ପରିଚାଳିତ ହୁଏ ଯାହାଙ୍କ ବ୍ୟକ୍ତିଗତ ସତନିଷ୍ଠା ସନ୍ଦେହଜନକ, ତେବେ ଗଣତନ୍ତ୍ର ତା’ ଉତ୍ସରୁ ବିଷାକ୍ତ ହୋଇଯିବ...।“ ବିଡ଼ମ୍ୱନା ହେଲା, ତାଙ୍କର ଆଶଙ୍କା ୭୭ ବର୍ଷ ପରେ ସତେ ଯେମିତି ବାସ୍ତବତାରେ ପରିଣତ ହୋଇଛି। ଏଥିରେ ଦ୍ୱିଧା ନାହିଁ ଯେ ନିର୍ବାଚନ ଆୟୋଗ ନିରପେକ୍ଷ ନ ହେଲେ ଆସ୍ଥା ହରାଇଥାଏ ଓ ଦେଶର ଗଣତନ୍ତ୍ରର ମାନ୍ୟତା ଓ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥାଏ। ତେଣୁ ସେହି ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିବାକୁ ନ ଦେବା ଲାଗି ଆୟୋଗକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ହେବ।
Published in Sambad on October 27, 2026
Comments
Post a Comment