Skip to main content

ଦେୟମୁକ୍ତ ‘ୟୁପିଆଇ’ ସପକ୍ଷରେ

ଗତ ପ୍ରାୟ ୬ ବର୍ଷ ଧରି 'ୟୁପିଆଇ'ରେ ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲାବେଳେ ଏହାକୁ ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ସେପ୍ଟେମ୍ୱର ୧୫ ତାରିଖ ଦିନ ଜାରି ହୋଇଥିବା ସର୍କୁଲାରରେ ଅକ୍ଟୋବର ୧୫ ତାରିଖଠାରୁ ନିର୍ଦ୍ଦିଷ୍ଟ ଧରଣର 'ୟୁପିଆଇ' କାରବାର ଉପରେ ୦.୪ ପ୍ରତିଶତ ମର୍ଚେଣ୍ଟ ଡିସକାଉଣ୍ଟ ରେଟ (ଏମ.ଡି.ଆର.) ଆଦାୟ କରାଯିବ ବୋଲି କୁହାଯାଇଛି। ଏହାକୁ ପ୍ରତ୍ୟାହାର କରିବା ନେଇ ଦାବି ଉଠିଲାଣି। ପ୍ରଶ୍ନ ହେଉଛି ଏହାକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା କି?    

ଏମ.ଡି.ଆର. କହିଲେ ଇଲେକ୍ଟ୍ରୋନିକ ମାଧ୍ୟମକୁ ବ୍ୟବହାର କରି ପଠାଯାଉଥିବା ଟଙ୍କା ଉପରେ ଗ୍ରାହକକୁ ଦେବାକୁ ହେଉଥିବା ଦେୟକୁ ବୁଝାଏ। ସର୍କୁଲାର ଅନୁଯାୟୀ ଏଣିକି ବ୍ୟକ୍ତି-ବ୍ୟକ୍ତି (ପି୨ପି) ଓ ୨୦୦୦ ଟଙ୍କା ପର‌୍ୟ୍ୟନ୍ତ ବ୍ୟକ୍ତି-ବ୍ୟବସାୟୀ (ପି୨ଏମ୍)ଙ୍କ ମଧ୍ୟରେ ହେଉଥିବା କାରବାର ଦେୟଶୂନ୍ୟ। ତା’ଠାରୁ ଅଧିକ ଟଙ୍କାର କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ରେଳବାଇ, ଇନସୁରାନ୍ସ, ଇନ୍ଧନ, କୃଷି ସାମଗ୍ରୀରେ ୨ ହଜାର ଟଙ୍କାରୁ ଅଧିକର କାରବାର ଲାଗି ୫ ଟଙ୍କା ଲେଖାଏଁ ଓ ମ୍ୟୁଚୁଆଲ ଫଣ୍ଡ, ଅଂଶଧନ କାରବାରରେ ୦.୦୨ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ଆଦାୟ ହେବାକୁ ଥିବା ରାଶିକୁ 'ୟୁପିଆଇ' ପରିମଣ୍ଡଳରେ ଭାଗୀଦାର ପଠାଉଥିବା ବ୍ୟାଙ୍କ, ପାଉଥିବା ବ୍ୟାଙ୍କ, ଦେୟ ସେବା ପ୍ରଦାନକାରୀ ବ୍ୟାଙ୍କ (ପିଏସପି ବ୍ୟାଙ୍କ), ତୃତୀୟ ପକ୍ଷ ଆପ୍ଲିକେସନ୍ ପ୍ରଦାନକାରୀ (ଟିପିଏପି)ଙ୍କ ମଧ୍ୟରେ ଯଥାକ୍ରମେ ୪୦, ୩୦, ୧୦ ଓ ୨୦ ପ୍ରତିଶତ ହାରରେ ବଣ୍ଟନର ପ୍ରାବଧାନ ରହିଛି।       

'ୟୁପିଆଇ' (ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ) ଏକ ତାତ୍କାଳିକ ଡିଜିଟାଲ ଦେୟ ପ୍ରଦାନ ବ୍ୟବସ୍ଥା। ଏହାଦ୍ୱାରା ଆକାଉଣ୍ଟ ନମ୍ୱର ନଜାଣି ମଧ୍ୟ ମୋବାଇଲ ଫୋନ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଖାତାରୁ ଆଉ ଗୋଟିଏ ବ୍ୟାଙ୍କ ଖାତାକୁ ସହଜରେ ଟଙ୍କା ପଠାଇହୁଏ। ଦେଶରେ ଦେୟ ପ୍ରଦାନ ଓ ନିଷ୍ପତ୍ତିକରଣ (ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ) ପ୍ରକ୍ରିୟାକୁ ବ୍ୟବସ୍ଥିତ କରି ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହାରେ ‘ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ଆଇନ’ କାର୍ଯ୍ୟକାରୀ ହେଲା। ଏହାକୁ ଆଧାର କରି ସେହି ବର୍ଷ ରିଜର୍ଭ ବ୍ୟାଙ୍କ ତତ୍ତ୍ୱାବଧାନରେ ୧୦ଟି ବ୍ୟାଙ୍କ ଦ୍ୱାରା ‘ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ’ ନାମକ ଏକ ଅଣଲାଭକାରୀ କମ୍ପାନୀ ପ୍ରତିଷ୍ଠା କରାଗଲା। ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ନିରୀକ୍ଷଣରେ କାର୍ଯ୍ୟ କରୁଥିବା ଏନପିସିଆଇ ଦେଶରେ ଖୁଚୁରା ଦେୟ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଏକ ଶୀର୍ଷସ୍ଥାନୀୟ ସମନ୍ୱୟକାରୀ ସଂସ୍ଥା। ଏହାଦ୍ୱାରା ୨୦୧୦ ମସିହାରେ ‘ତତ୍କାଳ ଇଲେକ୍ଟ୍ରୋନିକ ଅର୍ଥ ପ୍ରେରଣ ବ୍ୟବସ୍ଥା’ (ଆଇଏମପିଏସ) ବିକଶିତ ହେବା ପରେ ତା’ର ଭିତ୍ତିଭୂମି ଉପରେ ପ୍ରସ୍ତୁତ ‘ୟୁପିଆଇ’ ୨୦୧୬ ମସିହାରୁ ବିଧିବଦ୍ଧ ଭାବେ କାର୍ଯ୍ୟ କରୁଛି। 

ଏମ.ଡି.ଆର. ଆଦାୟ ପଛର ଯୁକ୍ତି ହେଉଛି ‘ୟୁପିଆଇ’ର ଭିତ୍ତିଭୂମି ବିକାଶ, ସାଇବର ସିକ୍ୟୁରିଟି ଆଦି ସମସ୍ୟା ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଥିବାରୁ ତା’ର ମୁକାବିଲା କରିବା ପାଇଁ ହଜାର ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ବ୍ୟାଙ୍କ ଓ ଅନ୍ୟ ଅଂଶୀଦାରଙ୍କ ବୋଝକୁ ଲାଘବ କରିବାକୁ ହେଲେ ‘ୟୁପିଆଇ’ କାରବାରରୁ ଏମ.ଡି.ଆର. ଜରିଆରେ ଅର୍ଥ ସଂଗୃହୀହ ହୋଇ ଏହା ସ୍ୱୟଂସମର୍ଥ ହେବା ଉଚିତ। ପ୍ରଶ୍ନ ଉଠୁଛି ‘ୟୁପିଆଇ’ ଉପରେ ଏମ୍.ଡି.ଆର. ଆଦାୟ କେତେ ଜରୁରି? 

ଏବେ ‘ୟୁପିଆଇ’ କାରବାରରୁ ବ୍ୟାଙ୍କଗୁଡ଼ିକର ପ୍ରତ୍ୟକ୍ଷ ଆୟ ହେଉନଥିଲେ ବି କାରବାର ବଢ଼ିବା ସହିତ ସେମାନଙ୍କ ନିକଟରେ ସେଭିଙ୍ଗସ ବ୍ୟାଙ୍କ ଓ ଚଳନ୍ତିଖାତାରେ କମ ସୁଧ (ହାରାହାରି ୨ ପ୍ରତିଶତ)ରେ ବଡ଼ ଧରଣର ପୁଞ୍ଜି ଜମା ହୋଇ ରହୁଛି। ନଗଦ ପରିବହନ ଓ ଏଟିଏମ ପରିଚାଳନା ସଂକ୍ରାନ୍ତୀୟ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି। ଚେକ୍ ଜରିଆରେ ଏବଂ ଅନ୍ୟ ଦେଣନେଣ କାରବାରରେ ହ୍ରାସ ଯୋଗୁଁ ହେଉଥିବା ସଞ୍ଚୟ, ଓ ଗ୍ରାହକ ସଂଗ୍ରହ ପାଇଁ ହେଉଥିବା ବ୍ୟୟରେ ହ୍ରାସ ହେବା ସହିତ ସେମାନେ ଗ୍ରାହକମାନଙ୍କୁ ଋଣ, କାର୍ଡ, ଇନସୁରାନ୍ସ ଓ ବିନିଯୋଗ ଆଦି ଅନେକ ଉତ୍ପାଦ ବିକ୍ରି କରିବାକୁ ସମର୍ଥ ହେଉଛନ୍ତି। ଏକ ଆକଳନ ଅନୁସାରେ ୨୦୨୬ ଆର୍ଥିକ ବର୍ଷରେ ହୋଇଥିବା ୟୁପିଆଇ କାରବାର ଯୋଗୁଁ ବ୍ୟାଙ୍କଗୁଡ଼ିକୁ ପରୋକ୍ଷ ଭାବେ ମିଳିଥିବା ଲାଭକୁ ଟଙ୍କା ଆକାରରେ ଗଣନା କଲେ ତାହା ପ୍ରାୟ ୧୪୫୦୦ କୋଟି ଟଙ୍କା ହେବ। ପୁନଶ୍ଚ, ‘ୟୁପିଆଇ’ ପରିମଣ୍ଡଳରେ ୧୪ଟି ବ୍ୟାଙ୍କ ‘ପେମେଣ୍ଟ ସେବା ପ୍ରଦାନକାରୀ’ (ପିଏସପି) ବ୍ୟାଙ୍କର ଭୂମିକା ନିର୍ବାହ କରୁଛନ୍ତି। ‘ୟୁପିଆଇ’ ଆପକୁ ବ୍ୟାଙ୍କ ଭିତ୍ତିଭୂମି ଯୋଗାଇ ଦେବା, କାରବାରର ବୈଧତା ଯାଞ୍ଚ କରିବା ଓ ‘ୟୁପିଆଇ’ ନେଟୱର୍କ ସହ ସଂଯୁକ୍ତ କରାଇବା ଆଦି ଲାଗି ‘ପିଏସପି’ ବ୍ୟାଙ୍କଗୁଡ଼ିକ ‘ଏନପିସିଆଇ’ ଦ୍ୱାରା ଅଧିକୃତ। ଅର୍ଥାତ୍ ଫୋନ୍ ପେ, ଗୁଗଲ ପେ ପରି ଟିପିଏପିଗୁଡ଼ିକ କେବଳ ‘ପିଏସପି’ ବ୍ୟାଙ୍କ ମାଧ୍ୟମରେ ହିଁ ‘ୟୁପିଆଇ’ କାରବାର କରିବାକୁ ସମର୍ଥ ହୋଇଥାନ୍ତି। ଏଥିପାଇଁ ‘ପିଏସପି’ ବ୍ୟାଙ୍କ ଚୁକ୍ତି ଅନୁଯାୟୀ ଫି’ ଆଦାୟ କରିଥାନ୍ତି। ଏକ ଆକଳନ ଅନୁଯାୟୀ ଏହାର ପରିମାଣ ବାର୍ଷିକ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କସମୂହଙ୍କ ମୋଟ ଲାଭ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଯହିଁରୁ କେବଳ ସରକାରୀ ନିୟନ୍ତ୍ରଣାଧୀନ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ଲାଭ ପ୍ରାୟ ୧.୯୮ ଲକ୍ଷ କୋଟି ଟଙ୍କା। କହିବା ବାହୁଲ୍ୟ ଯେ ‘ୟୁପିଆଇ’ କାରବାରର ସିଂହଭାଗ ଏହି ବ୍ୟାଙ୍କଗୁଡ଼ିକ ଜରିଆରେ ହୋଇଥାଏ।

‘ୟୁପିଆଇ’ ପରିମଣ୍ଡଳରେ ଟିପିଏପିଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଗୁଡ଼ିକ ଆପ୍ଲିକେସନ (ଆପ୍) ଜରିଆରେ ‘ୟୁପିଆଇ’ କାରବାର ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ସହ ଯୋଡ଼ିଥାନ୍ତି। ଏଥିପାଇଁ କ୍ଲାଉଡ, ସର୍ଭର, ଡେଟା ଭିତ୍ତିଭୂମି, ବୈଷୟିକ ଜ୍ଞାନକୌଶଳ ଓ ସଫ୍ଟୱେଆର ବିକାଶ, ସାଇବର ସୁରକ୍ଷା, ଗ୍ରାହକ ସେବା ସହ ଗ୍ରାହକ ସଂଗ୍ରହ ଲାଗି ପ୍ରୋତ୍ସାହନ ପ୍ରଦାନ, ପ୍ରଚାର ଆଦି ଲାଗି ମଧ୍ୟ ସେମାନଙ୍କୁ ମୋଟା ଅଙ୍କର ରାଶି ବ୍ୟୟ କରିବାକୁ ହୋଇଥାଏ। ବର୍ତ୍ତମାନ ଦେଶରେ ସକ୍ରିୟ ଥିବା ପ୍ରାୟ ୪୦ଟି ଟିପିଏପି ମଧ୍ୟରୁ ପ୍ରମୁଖ ହେଉଛନ୍ତି ଫୋନ୍ ପେ, ଗୁଗଲ୍ ପେ, ପେଟିଏମ୍, ଆମାଜନ ପେ, ହ୍ୱାଟସ ଆପ୍ ପେ, ଆଦି। ଉଲ୍ଲେଖଯୋଗ୍ୟ ଯେ କେବଳ ଫୋନ୍ ପେ ଓ ଗୁଗଲ୍ ପେ କମ୍ପାନୀ ଦୁଇଟି ଜରିଆରେ ତିନି-ଚତୁର୍ଥାଂଶ ‘ୟୁପିଆଇ’ କାରବାର ହୋଇଥାଏ ଓ ଦୁଉଟି ଯାକ କମ୍ପାନୀ ବିଦେଶୀ ନିୟନ୍ତ୍ରଣାଧୀନ। ଏହାଛଡ଼ା ଆମାଜନ ପେ, ହ୍ୱାଟସଆପ୍ ପେ, ସାମସଙ୍ଗ ପେ କମ୍ପାନୀଗୁଡ଼ିକରେ ବି ବିଦେଶୀ ମାଲିକାନା ରହିଛି। ତେଣୁ ଏମଡିଆର ଆଦାୟ ହୋଇ ତାହାର ୨୦ ପ୍ରତିଶତ ଟିପିଏପିଗୁଡ଼ିକୁ ଦିଆଗଲେ ତହିଁରୁ ଏହି ବିଦେଶୀ ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକ ହିଁ ସର୍ବାଧିକ ଲାଭବାନ ହେବେ।

‘ୟୁପିଆଇ’ କାରବାର ଯୋଗୁଁ ରିଜର୍ଭ ବ୍ୟାଙ୍କ ମଧ୍ୟ ପରୋକ୍ଷରେ ଲାଭାନ୍ୱିତ ହେଉଛି। ‘ୟୁପିଆଇ’ କାରବାର ବଢ଼ିବା ସହିତ ଆନୁପାତିକ ଭାବେ ନଗଦ ଟଙ୍କାର ଆବଶ୍ୟକତା ହ୍ରାସ ପାଇ ଅପେକ୍ଷାକୃତ କମ ପରିମାଣର ମୁଦ୍ରା ଛପାଇବାକୁ ହେଉଛି। ତେଣୁ ମୁଦ୍ରା ପରିବହନ କମ ହୋଇ ସେ ବାବଦ ଖର୍ଚ୍ଚ ହ୍ରାସ ପାଉଛି। ନୋଟ୍ ବାଛିବା, ମେଳେଇବା, ନଷ୍ଟ କରିବାର ଚାପ ମଧ୍ୟ କମିଛି। ଡିଜିଟାଲ ସ୍ୱୟଂକ୍ରିୟ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟ କରିବା ଫଳରେ ରିଜର୍ଭ ବ୍ୟାଙ୍କ ଉପରେ ନିରୀକ୍ଷଣ ଓ ପରିଚାଳନାଗତ ଚାପ କମିଛି। ମୁଦ୍ରା ଓ ନଗଦ ପରିଚାଳନାରେ ଦକ୍ଷତା ବୃଦ୍ଧି ପାଇଛି। ୨୦୨୬ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କକୁ ମିଳିଥିବା ଏସବୁ ପରୋକ୍ଷ ଲାଭକୁ ଟଙ୍କା ଆକାରରେ ଗଣନା କଲେ ତାହା ପ୍ରାୟ ୫୦୦ କୋଟି ଟଙ୍କା ହେବାର ଅନୁମାନ କରାଯାଏ।

୨୦୨୬ ଆର୍ଥିକ ବର୍ଷରେ ‘ୟୁପିଆଇ’ କାରବାର ସଂଖ୍ୟା ଦୃଷ୍ଟିରୁ ୨୪୧୬୨ କୋଟି ଓ ମୂଲ୍ୟ ଦୃଷ୍ଟିରୁ ୩୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ‘ପେମେଣ୍ଟ ଶିଳ୍ପ’ର ତଥ୍ୟ ଅନୁଯାୟୀ ପ୍ରତିଟି କାରବାରରେ ହାରାହାରି ୦.୦୩ରୁ ୦.୦୪ ପ୍ରତିଶତ ଖର୍ଚ୍ଚ ହେଉଛି। ତଦନୁଯାୟୀ ୨୦୨୬ ଆର୍ଥିକ ବର୍ଷରେ ୟୁପିଆଇ କାରବାର ବାବଦରେ ପ୍ରାୟ ୧୦୭୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ। ଏକ ଆକଳନ ଅନୁସାରେ ଏଥିରୁ ପ୍ରାୟ ୧୨୫୦ କୋଟି ‘ଏନପିସିଆଇ’ ବହନ କରିଥାଏ। ବ୍ୟାଙ୍କସମୂହ (ଟଙ୍କା ପଠାଉଥିବା ବ୍ୟାଙ୍କ, ଟଙ୍କା ପାଉଥିବା ବ୍ୟାଙ୍କ ଓ ‘ପିଏସପି’ ବ୍ୟାଙ୍କ) ପ୍ରାୟ ୬୦୦୦ କୋଟି ଟଙ୍କା ବହନ କରୁଥିବା ବେଳେ ଟିପିଏପିଗୁଡ଼ିକ ପ୍ରାୟ ୨୦୦୦ କୋଟି ଟଙ୍କା ବହନ କରନ୍ତି। ଏତଦଭିନ୍ନ ବୈଷୟିକ ଜ୍ଞାନକୌଶଳ, କ୍ଲାଉଡ, ଡେଟା-ସେଣ୍ଟର, ଠକେଇ, ସାଇବର ସୁରକ୍ଷା ଆଦି ବାବଦରେ ପ୍ରାୟ ୧୦୦୦-୧୫୦୦ କୋଟି ଟଙ୍କା ବ୍ୟୟ ହୋଇଥାଏ। ଅର୍ଥାତ୍ ବ୍ୟାଙ୍କସମୂହଙ୍କର ‘ୟୁପିଆଇ’ ବାବଦ ହେଉଥିବା ଖର୍ଚ୍ଚ ସେମାନଙ୍କୁ ‘ୟୁପିଆଇ’ ଜନିତ ପରୋକ୍ଷ ଲାଭରୁ ମିଳିବାର ସମ୍ଭାବନା ଥିବାରୁ ଏମ୍.ଡି.ଆର୍. ଲଗାଇ ସେଥିରୁ ୮୦ ପ୍ରତିଶତ ଅଲଗା ଭାବେ ଦେବା ଯୁକ୍ତିଯୁକ୍ତ ନୁହେଁ।

କୁହାଯାଉଛି ଯେ ୨୦୦୦ ଟଙ୍କାରୁ ଅଧିକ ମାତ୍ର ୪ ପ୍ରତିଶତ ପି-୨ଏମ କାରବାର ଉପରେ ଏମଡିଆର ଲାଗୁ ହେବ। ତେବେ ମୂଲ୍ୟ ଦୃଷ୍ଟିରୁ ୨୦୨୬ ଆର୍ଥିକ ବର୍ଷରେ ଏହି ଧରଣର କାରବାରର ପରିମାଣ ଥିଲା ପ୍ରାୟ ୬୨ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୨୦ ପ୍ରତିଶତ। ଏହି କାରବାର ଉପରେ ଏମ୍.ଡି.ଆର୍. ଆଦାୟ ହେଲେ ପ୍ରାୟ ୨୦ରୁ ୨୪ ହଜାର କୋଟି ଟଙ୍କା ସଂଗ୍ରହ ହେବ। ଅର୍ଥ ବଣ୍ଟନ ବ୍ୟବସ୍ଥାନୁଯାୟୀ ସେଥିରୁ ବ୍ୟାଙ୍କସମୂହ ପ୍ରାୟ ୧୬ରୁ ୨୦ ହଜାର କୋଟି ଓ ଟିପିଏପିଗୁଡ଼ିକ ୪ରୁ ୫ ହଜାର କୋଟି ଟଙ୍କା ପାଇବେ। 

ବ୍ୟବସାୟୀଙ୍କଠାରୁ ଏମ୍.ଡି.ଆର. ଆଦାୟ ହେବାର ଥିଲେ ବି ସେମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ତାହା ଗ୍ରାହକଙ୍କଠାରୁ ହିଁ ଆଦାୟ କରିବେ। ଅନ୍ୟଥା ୨୦୦୦ ଟଙ୍କାରୁ ଅଧିକ ରାଶିର କାରବାର ହେଲେ ନଗଦ ପ୍ରଦାନ କରିବାକୁ ଗ୍ରାହକଙ୍କ ଉପରେ ଚାପ ପଡ଼ିପାରେ। ଫଳରେ ଗ୍ରାହକମାନେ 'ୟୁପିଆଇ'ରୁ ବିମୁଖ ହେବାର ଆଶଙ୍କା ସୃଷ୍ଟି ହେବ, ଯାହା ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ। ତେଣୁ ଡିଜିଟାଲ ଅଭିମୁଖୀ ଅର୍ଥନୀତି ପୁଣି ଥରେ ନଗଦମୁହାଁ ହେବାର ଆଶଙ୍କା ସୃଷ୍ଟି ହୋଇପାରେ। ଯେଉଁ ବ୍ୟବସାୟୀଙ୍କ ମାସିକ 'ୟୁପିଆଇ' ପ୍ରାପ୍ୟ ରାଶି ୧ ଲକ୍ଷ ଟଙ୍କା (ଦୈନିକ ୩୩୩୫ ଟଙ୍କା) ମଧ୍ୟରେ ସୀମିତ ଥିବ ସେମାନେ କ୍ଷୁଦ୍ର ବ୍ୟବସାୟୀ ଶ୍ରେଣୀଭୁକ୍ତ ହେବେ ଓ ସେମାନଙ୍କଠାରୁ ଏମ୍.ଡି.ଆର୍. ଆଦାୟ ହେବନାହିଁ। ତେଣୁ ଏମ୍.ଡି.ଆର୍କୁ. ଏଡ଼ାଇବା ଲାଗି ବ୍ୟବସାୟୀଙ୍କଠାରେ 'ୟୁପିଆଇ' କାରବାର ହ୍ରାସ କରିବାର ପ୍ରବୃତ୍ତି ବଢ଼ି ନଗଦ କାରବାର ବୃଦ୍ଧି ପାଇପାରେ। ଅନ୍ୟ ପକ୍ଷରେ ଏମ୍.ଡି.ଆର୍. ଦେୟକୁ ଏଡ଼ାଇବା ପାଇଁ କିଛି ବ୍ୟବସାୟୀ ପି୨ଏମ୍ କାରବାର ନ କରି ବ୍ୟକ୍ତିଗତ ଖାତାରେ ଜମା କରିବାକୁ ଗ୍ରାହକଙ୍କୁ ପ୍ରବର୍ତ୍ତାଇପାରନ୍ତି। ଫଳରେ ଡିଜିଟାଲ କାରବାର ଯୋଗୁଁ ଆର୍ଥିକ କାରବାରରେ କ୍ରମଶଃ ଯେଉଁ ସ୍ୱଚ୍ଛତା ଫେରିଆସୁଥିଲା, ତାହା ପୁନଶ୍ଚ ଧୂମିଳ ହେବାର ସଂଶୟ ସୃଷ୍ଟି ହେବ। ଏବେ ଗ୍ରାହକଙ୍କୁ କୌଣସି ଦେୟ ଦେବାର ପ୍ରାବଧାନ ନଥିଲେ ବି ପରବର୍ତ୍ତୀ ସମୟରେ ସେମାନଙ୍କୁ ଯେ ଏହାର ପରିସରଭୁକ୍ତ କରାନଯିବ, ତାହା କହିହେବ ନାହିଁ। 

'ୟୁପିଆଇ' କାରବାରରେ ପରୋକ୍ଷରେ ଲାଭବାନ ହେଉଥିବା ବ୍ୟାଙ୍କଗୁଡ଼ିକୁ ସହାୟତା ରାଶି ପ୍ରଦାନ କରା ନଯାଇ କେବଳ କ୍ଷତି ସହୁଥିବା ଟିପିଏପିଗୁଡ଼ିକୁ ସହାୟତା ପ୍ରଦାନ କରାଗଲେ ହୁଏତ ସର୍ବାଧିକ ୨ ହଜାର କୋଟି ଟଙ୍କାର ବାର୍ଷିକ ବୋଝ ପଡ଼ିପାରେ। ବର୍ତ୍ତମାନ ୨୦୦୦ ଟଙ୍କାରୁ କମ୍ ମୂଲ୍ୟର 'ଭୀମ-ୟୁପିଆଇ' ପି୨ଏମ କାରବାରଗୁଡ଼ିକ ଲାଗି କେନ୍ଦ୍ର ସରକାର ବାର୍ଷିକ ହାରାହାରି ୧୭୫୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଉଛନ୍ତି। ତେଣୁ ୟୁପିଆଇ କାରବାରକୁ ଏକ କଲ୍ୟାଣମୂଳକ କାର୍ଯ୍ୟ ମନେ କରି ସରକାର ବର୍ଷକୁ ମାତ୍ର ୨ ହଜାର କୋଟି ଟଙ୍କା ଅନୁଦାନର ପ୍ରାବଧାନ କଲେ ଏହା ଦେୟମୁକ୍ତ ଭାବେ ଚାଲିପାରିବ। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କଠାରୁ ପ୍ରାୟ ୨.୮୬ ଲକ୍ଷ କୋଟି ଟଙ୍କା ଓ ସରକାରୀ ବ୍ୟାଙ୍କଗୁଡ଼ିକ ନିକଟରୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଲାଭାଂଶ ପାଇଥିଲେ।   

ଇତିମଧ୍ୟରେ ଏମ୍.ଡି.ଆର୍. ଆଦାୟର ପ୍ରତିବାଦରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏହା ଟିକସ ନା ସେବା ପାଇଁ ଦେୟ ଏବଂ ଏହାର ଆଇନଗତ ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ, ଏନପିସିଆଇଙ୍କୁ ନୋଟିସ ଜାରି କରିଛନ୍ତି। ତେବେ ଦେଶକୁ ନଗଦ ଅର୍ଥନୀତିରୁ ଡିଜିଟାଲ ଅର୍ଥନୀତିରେ ପରିଣତ କରିବାକୁ ହେଲେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେଇ ‘ୟୁପିଆଇ’ କାରବାରକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାର ଆବଶ୍ୟକତା ରହିଛି।    

Published in Sambad on October 5, 2026  


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...