Skip to main content

ଏକତାର ସ୍ୱର ହେଉ ବନ୍ଦେ ମାତରମ୍

ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ଗାୟନକୁ ନେଇ ଏବେ ବିବାଦ ଦେଖା ଦେଇଛି। ଏଣିକି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ବନ୍ଦେ ମାତରମର ଛଅଟି ଯାକ ପଦ ଗାୟନ କରାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତିର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ତା’ର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ପ୍ରଥମ ଦୁଇଟି ପଦ ଗାନ କରିବ। ଏ ବିବାଦ ପରିପ୍ରେକ୍ଷୀରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାରୁ ଏ ନେଇ ଏକ ସ୍ପଷ୍ଟ ଆଲୋଚନାର ଆବଶ୍ୟକତା ରହିଛି। 

ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ୍’ରେ ମୋଟ ୬ଟି ପଦରୁ ପ୍ରଥମ ଦୁଇଟି ପଦ ତାଙ୍କ ଦ୍ୱାରା ସମ୍ପାଦିତ ‘ବଙ୍ଗ ଦର୍ଶନ’ ପତ୍ରିକାରେ ପ୍ରଥମେ ୧୮୭୫ ମସିହାରେ ପ୍ରକାଶ ପାଇଥିଲା। ୧୮୮୧ ମସିହାରେ ତାଙ୍କ ଉପନ୍ୟାସ ‘ଆନନ୍ଦମଠ’ ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇବାକୁ ଲାଗିଲା, ଯେଉଁଥିରେ ‘ବନ୍ଦେ ମାତରମ୍’ର ଛଅ ପଦ ବିଶିଷ୍ଚ ସଂସ୍କରଣଟି ସ୍ଥାନିତ ହୋଇଥିଲା। ସ୍ୱୟଂ ରବୀନ୍ଦ୍ରନାଥ ଠାକୁର ଏହାର ସ୍ୱର ସଂଯୋଜନା କରି ୧୮୯୬ ମସିହାରେ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମ ଥର ଲାଗି ଗାଇଥିଲେ। ୧୯୦୫ ମସିହାରେ ‘ବଙ୍ଗଭଙ୍ଗ’ ଘୋଷଣା ପରେ ବନ୍ଦେ ମାତରମ୍ କ୍ରମେ ଜାତୀୟତାବାଦୀ ଆନ୍ଦୋଳନରେ ଏକ ବଳିଷ୍ଠ ସ୍ଳୋଗାନରେ ପରିଣତ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସଲମାନମାନେ ମଧ୍ୟ ବନ୍ଦେ ମାତରମ ସ୍ଳୋଗାନ ଦେବା ଲାଗି କୁଣ୍ଠା ପ୍ରକାଶ କରୁ ନଥିଲେ। କିନ୍ତୁ ବିଭିନ୍ନ କାରଣରୁ ୧୯୦୬-୦୭ ମସିହାରୁ ସେମାନେ ବନ୍ଦେ ମାତରମ୍ ଠାରୁ ଦୂରେଇବାକୁ ଲାଗିଲେ। ୧୯୨୧ ମସିହାରେ ହୋଇଥିବା କଲିକତା ଦଙ୍ଗାରେ ଏହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିରେ ବ୍ୟବହାର ହୋଇଥିଲା ବୋଲି ଅଭିଯୋଗ ହେଲା। ୧୯୩୦ ମସିହା ପରଠାରୁ ବନ୍ଦେ ମାତରମର ଗ୍ରହଣୀୟତାକୁ ନେଇ ପ୍ରମୁଖ ମୁସଲମାନ ନେତାଙ୍କ ମଧ୍ୟରେ ରାଜନୈତିକ ବିମର୍ଶ ଅଧିକ ହେଲା। ‘ବନ୍ଦେ ମାତରମ୍’କୁ ବିରୋଧ କରିବା ପଛରେ ସେମାନଙ୍କର ଦୁଇଟି ଯୁକ୍ତି ଥିଲା -  ଏହା ‘ଆନନ୍ଦମଠ’ ଉପନ୍ୟାସର ଅଂଶବିଶେଷ ଥିଲା, ଯେଉଁଥିରେ ମୁସଲମାନ ବିରୋଧୀ ଆପତ୍ତିଜନକ ଟିପ୍ପଣୀମାନ ସ୍ଥାନିତ ହୋଇଥିଲା ଏବଂ ଏଥିରେ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଭଳି ହିନ୍ଦୁ ଦେବୀଙ୍କର ଅବତାରଣା ଥିଲା ଯାହା ସେମାନଙ୍କ ମୂର୍ତ୍ତିପୂଜା ବିରୋଧୀ ଧର୍ମବିଶ୍ୱାସ ଦ୍ୱାରା ଗ୍ରହଣୀୟ ନୁହେଁ। ତେବେ ଏହାକୁ ମୁସଲିମ ବିରୋଧୀ ଦର୍ଶାଇ ୧୯୩୮ ମସିହାରେ ମୁସଲିମ ଲିଗ୍ ଆନୁଷ୍ଠାନିକ ଭାବେ ଏହାର ବିରୋଧ କଲା। ବ୍ରାହ୍ମ ସମାଜ ଓ ଆର୍ଯ୍ୟ ସମାଜ ମଧ୍ୟ ମୂର୍ତ୍ତିପୂଜାର ବିରୋଧୀ ହୋଇଥିବାରୁ ପ୍ରଥମ ଦୁଇଟି ପଦ ବ୍ୟତୀତ ଅନ୍ୟ ପଦଗୁଡ଼ିକର ଗାୟନର ପକ୍ଷଧର ନଥିଲେ। ବିବାଦକୁ ଏଡ଼ାଇ ସ୍ୱାଧୀନତା ସଂଗ୍ରାମରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଆବଶ୍ୟକତା ଥିବାରୁ ଏ ସମ୍ପର୍କରେ ୧୯୩୭ ମସିହାରେ ନେହରୁ ଓ ନେତାଜୀଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ରବୀନ୍ଦ୍ରନାଥଙ୍କ ମତ ଲୋଡ଼ାଯାଇଥିଲା। କବିଗୁରୁଙ୍କ ସ୍ପଷ୍ଟ ମତ ଥିଲା ଯେ ସବୁ ଧର୍ମ, ମତ, ସମ୍ପ୍ରଦାୟର ଭାବନାକୁ ସମ୍ମାନ ଜଣାଇ ମାତୃଭୂମିର ଯଶଗାନ କରୁଥିବା ବନ୍ଦେ ମାତରମର କେବଳ ପ୍ରଥମ ଦୁଇଟି ପଦକୁ ଗାୟନ କରାଯିବା ବିଧେୟ। ତଦନୁସାରେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତି ଦ୍ୱାରା ବନ୍ଦେ ମାତରମର ପ୍ରଥମ ଦୁଇଟି ପଦକୁ ଗ୍ରହଣ କରାଗଲା।

ସଂସ୍କୃତ ମିଶା ବଙ୍ଗଳାରେ ଲେଖାଯାଇଥିବା ବନ୍ଦେ ମାତରମ ଗୀତର କ୍ଳିଷ୍ଟତାକୁ ଧ୍ୟାନରେ ରଖି ଏହାକୁ ଜାତୀୟ ସଙ୍ଗୀତର ମାନ୍ୟତା ଦିଆଯାଇ ନଥିଲେ ହେଁ ସ୍ୱାଧୀନତା ସଂଗ୍ରାମରେ ଏହାର ବିଶେଷ ଭୂମିକା ଥିବାରୁ ଏହାକୁ ‘ଜାତୀୟ ଗୀତ’ର ମାନ୍ୟତା ପ୍ରଦାନ ନେଇ ସମ୍ୱିଧାନ ପ୍ରଣୟନ ସଭାରେ ଆଲୋଚନା ହୋଇଥିଲା। କିନ୍ତୁ ସେ ନେଇ କୌଣସି ପ୍ରସ୍ତାବ ଗୃହୀତ ହୋଇ ନଥିଲା। ହେଲେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖ ଦିନ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ପ୍ରସାଦ ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ତୁଲ୍ୟ ମର୍ଯ୍ୟାଦା ପ୍ରଦାନ କରି ଏହାକୁ ‘ଜାତୀୟ ଗୀତ’ର ମାନ୍ୟତା ପ୍ରଦାନ ବିଷୟ ଘୋଷଣା କରିଥିଲେ। ସେବେଠାରୁ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ଓ ଅନ୍ୟତ୍ର ଗାୟନ ହୋଇଆସୁଛି। ଉଲ୍ଲେଖଯୋଗ୍ୟ ଯେ ଭାରତ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶରେ ଜାତୀୟ ଗୀତ ପ୍ରଚଳିତ ନୁହେଁ। ଡେନମାର୍କ ଓ ନିଉଜିଲାଣ୍ଡରେ ଦୁଇଟି ଲେଖାଏଁ ଜାତୀୟ ସଙ୍ଗୀତ ପ୍ରଚଳିତ। ବଙ୍ଗଳାଦେଶ, ଶ୍ରୀଲଙ୍କା, ଫିନଲାଣ୍ଡ ଭଳି ଦେଶରେ ଜାତୀୟ ସଙ୍ଗୀତ ଭିନ୍ନ ଅନ୍ୟ ଗୀତର ଗାୟନ ହେଉଥିଲେ ବି ସେଗୁଡ଼ିକୁ ଜାତୀୟ ଗୀତର ମାନ୍ୟତା ପ୍ରଦାନ କରାଯାଇନାହିଁ। 

ଏବେ ଜାତୀୟ ସଙ୍ଗୀତର ଗାୟନ ଅବଧି ସମ୍ପର୍କରେ ବିଚାର କରିବା। ସାଧାରଣତଃ ସାରା ବିଶ୍ୱରେ ଜାତୀୟ ସଙ୍ଗୀତ ଅଳ୍ପ ଅବଧିର ହୋଇଥାଏ। ୧୭୬ଟି ଦେଶର ଜାତୀୟ ସଙ୍ଗୀତକୁ ନେଇ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ସେଗୁଡ଼ିକର ହାରାହାରି ଅବଧି ମାତ୍ର ୧ମିନିଟ ୨୩.୭ ସେକେଣ୍ଡ। ଇଷ୍ଟୋନିଆର ଜାତୀୟ ସଙ୍ଗୀତର ଅବଧି ସବୁଠାରୁ କମ୍ ମାତ୍ର ୩୨ ସେକେଣ୍ଡ ହୋଇଥିଲାବେଳେ ଉରୁଗୁୟେର ସର୍ବାଧିକ ୪ମିନିଟ ୩୦ ସେକେଣ୍ଡ। ୧୫୮ ପଦବିଶିଷ୍ଟ ଗ୍ରୀସର ଜାତୀୟ ସଙ୍ଗୀତ ‘ହିମ୍ ଅଫ୍ ଲିବର୍ଟି’ ସବୁଠାରୁ ଦୀର୍ଘ ହୋଇଥିଲେ ବି ଏହାର କେବଳ ପ୍ରଥମ ଦୁଇଟି ପଦ ଗାନ କରାଯାଇଥାଏ। ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ର ଅବଧି ୫୨ ସେକେଣ୍ଡ। କବିଗୁରୁ ରବୀନ୍ଦ୍ରନାଥଙ୍କ ରଚିତ ‘ଭାରତ ଭାଗ୍ୟ ବିଧାତା’ କବିତାରେ ମୋଟ ୫ଟି ପଦ ଥିଲେ ବି କେବଳ ପ୍ରଥମ ପଦଟିକୁ ଜାତୀୟ ସଙ୍ଗୀତର ମାନ୍ୟତା ଦିଆଯାଇଛି। ଜାତୀୟ ସଙ୍ଗୀତଗୁଡ଼ିକ ଅଳ୍ପାବଧିର ହେବା ପଛରେ ବିଭିନ୍ନ କାରଣ ରହିଛି। ଏହା ଅଳ୍ପାବଧିର ହେଲେ ଏହାର ପରିବେଷଣ ଅନିବାର୍ଯ୍ୟ ହୋଇଥିବା ସଭା, ସମାରୋହ, ଅନୁଷ୍ଠାନଗୁଡ଼ିକର ଅବଧି ଅନାବଶ୍ୟକ ଭାବେ ସୁଦୀର୍ଘ ହୋଇନଥାଏ। ଏହାଦ୍ୱାରା ନାଗରିକମାନେ ଏହାର ସ୍ୱର ଓ ଶବ୍ଦକୁ ସହଜରେ ମନେ ରଖି ଗାଇପାରନ୍ତି ଓ ଜାତୀୟ ସଙ୍ଗୀତ ପ୍ରତି ସେମାନଙ୍କ ଆତ୍ମୀୟତା ବଢ଼ିଥାଏ। ଅଧିକ ସଂଖ୍ୟକ ନାଗରିକ ଏହାର ସମୂହ ଗାନ କରିପାରନ୍ତି ଓ ତଦ୍ଦ୍ୱାରା ସେମାନଙ୍କଠାରେ ଜାତୀୟତାବୋଧ ଉଦ୍ରେକ ହେଉଥିବାର ପରିଲକ୍ଷିତ ହୁଏ। ତା’ଛଡ଼ା ଅଧିକାଂଶ ଜାତୀୟ ସଙ୍ଗୀତର ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେଗୁଡ଼ିକ କୌଣସି ଦେଶାତ୍ମବୋଧ ଗୀତ, ବିପ୍ଳବ ସଙ୍ଗୀତ ବା ରାଜାଙ୍କ ପ୍ରଶସ୍ତିଗାନ ଉଦ୍ଦେଶ୍ୟରେ ଲେଖା ହୋଇଥିବାରୁ ସୁଦୀର୍ଘ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କଲାବେଳେ ବ୍ୟାବହାରିକତା ଦୃଷ୍ଟିରୁ ତାକୁ ଗୋଟିଏ ଦୁଇଟି ପଦରେ ସୀମିତ ରଖାଗଲା।     

ଜାତୀୟ ସଙ୍ଗୀତ କ୍ଷୁଦ୍ର ହେଲେ ପୂର୍ଣ୍ଣ ନୀରବତା ଅବଲମ୍ୱନ କରି ଧୈର୍ଯ୍ୟ ସହକାରେ ସାବଧାନ ମୁଦ୍ରାରେ ଛିଡ଼ା ହୋଇ ନାଗରିକମାନେ ଏହାକୁ ସମ୍ମାନ ଜଣାଇବାରେ ଅସୁବିଧା ହୋଇ ନଥାଏ। ଏ କ୍ଷେତ୍ରରେ ଜଣେ ଶ୍ରୋତା ସର୍ବାଧିକ କେତେ ସମୟ ଧୈର୍ଯ୍ୟ ସହକାରେ ସାବଧାନ ମୁଦ୍ରାରେ ଜାତୀୟ ସଙ୍ଗୀତକୁ ଶୁଣିପାରିବ ତାହା ଗୁରୁତ୍ୱପୂର୍ଣ୍ଣ। ଶ୍ରୁତି ସହନଶୀଳତା ସମ୍ପର୍କୀୟ ଏକ ଅଧ୍ୟୟନରୁ ଜଣାପଡ଼େ ଯେ ତାହା ୩୦ରୁ ୬୦ ସେକେଣ୍ଡ ମଧ୍ୟରେ ସୀମିତ ଥିଲେ ସହଜରେ ସମସ୍ତଙ୍କ ଧ୍ୟାନକୁ ବାନ୍ଧି ରଖିପାରେ। କୌଣସି ବିଶେଷ ଅନୁଷ୍ଠାନ ବା ସମାରୋହରେ ପରିବେଷିତ ହେଉଥିଲେ ସେହି ସହନଶୀଳତା ସର୍ବାଧିକ ୯୦ ସେକେଣ୍ଡ ଯାଏଁ ହୋଇଥାଏ। ଅତି ବେଶିରେ ତାହା ଦୁଇ ମିନିଟ ଯାଏଁ ଯାଇପାରେ, ଯହିଁରୁ ଅଧିକ ହେଲେ ଧୈର‌୍ୟ୍ୟଚ୍ୟୁତି ଘଟିବା ଆରମ୍ଭ ହୁଏ ଓ ଜାତୀୟ ସଙ୍ଗୀତକୁ ଉଚିତ ସମ୍ମାନ ପ୍ରଦାନ ସୁନିଶ୍ଚିତ କରି ହୋଇ ନଥାଏ। ଏପରି ସ୍ଥଳେ ଦୁଇ ପଦ ବିଶିଷ୍ଟ ବନ୍ଦେ ମାତରମର ଅବଧି ଯାହା ୬୫ ସେକେଣ୍ଡର ଥିଲା ତାହା ଛଅ ପଦବିଶିଷ୍ଟ ହେବା ପରେ ଗାୟନର ଅବଧି ବଢ଼ି ୩ ମିନିଟ ୧୦ ସେକେଣ୍ଡ ହୋଇଛି। ବନ୍ଦେ ମାତରମ ଗୀତକୁ ବାଦ୍ୟଯନ୍ତ୍ର ସହ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଭାବେ ପରିବେଷଣ କରାଗଲେ ଯେଉଁ ଦର୍ଶକ ୫ ମିନିଟ୍ ଯାଏଁ ଉପଭୋଗ କରନ୍ତି ତାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଶୁଣିବାକୁ କୁହାଗଲେ ଅସହଜ ହୋଇ ଉଠନ୍ତି। ଜାତୀୟ ଗୀତକୁ ସମ୍ମାନ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆମକୁ ଏହି ବାସ୍ତବତାଟିକୁ ମଧ୍ୟ ବିଚାରକୁ ନେବାକୁ ହେବ।      

୨୦୨୫ ମସିହା ଡିସେମ୍ୱର ମାସ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସଂସଦର ଅଧିବେଶନରେ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲେ ହେଁ ଏହାର ଛଅଟି ପଦକୁ ଗ୍ରହଣ କରି ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରସ୍ତାବ ବା ଆଇନ ପ୍ରଣୀତ ହୋଇନଥିଲା। ତେବେ ୨୦୨୬ ମସିହା ଜାନୁଆରୀରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏକ ପ୍ରଶାସନିକ ମାର୍ଗଦର୍ଶିକା ଅନୁଯାୟୀ ବନ୍ଦେ ମାତରମର ଛଅଟି ଯାକ ପଦକୁ ପତାକା ଉତ୍ତୋଳନ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ସମାରୋହ ଓ ସ୍କୁଲମାନଙ୍କରେ ଗାୟନ କରାଯିବ ବୋଲି କୁହାଗଲା। ଅର୍ଥାତ୍ ଛଅ ପଦ ବିଶିଷ୍ଟ ଜାତୀୟ ଗୀତର ଗାୟନ ଆଇନରେ ପରିଣତ ହୋଇ ନଥିବାରୁ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟତ୍ର ଏହାର କେବଳ ପ୍ରଥମ ଦୁଇଟି ପଦ ଗାଇବା ବେଆଇନ ବା ଦଣ୍ଡନୀୟ ଅପରାଧ ନୁହେଁ। 

ଜାତୀୟ ପତାକା, ସମ୍ୱିଧାନ ଓ ଜାତୀୟ ସଙ୍ଗୀତ ପ୍ରତି ହେଉଥିବା ଅସମ୍ମାନକୁ ଏଡ଼ାଇବା ପାଇଁ ୧୯୭୧ ମସିହାରେ ‘ଜାତୀୟ ମର୍ଯ୍ୟାଦା ଅସମ୍ମାନ ନିରୋଧ ଆଇନ’ ପ୍ରଣୀତ ହୋଇଥିଲା। ୨୦୨୬ ମସିହା ଅଗଷ୍ଟ ୬ ତାରିଖରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ସେହି ଆଇନ ଅନ୍ତର୍ଭୁକ୍ତ ହୋଇଛି। ସେହି ଆଇନର ଧାରା ୩ ଅନୁଯାୟୀ ଉଦ୍ଦେଶ୍ୟମୂଳକ ଭାବେ ଜାତୀୟ ଗୀତ ଗାନରେ ବାଧା ଉତ୍ପନ୍ନ କରିବା ବା ଏହାର ସମୂହ ଗାନ ସମୟରେ ଗଣ୍ଡଗୋଳ କରିବା ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ୩ ବର୍ଷ ଯାଏଁ ଜେଲଦଣ୍ଡ ବା ଅର୍ଥଦଣ୍ଡ ବା ଉଭୟ ଦଣ୍ଡ ପ୍ରଦାନର ବ୍ୟବସ୍ଥା ରହିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଆଇନ ଅନୁଯାୟୀ କେହି ଜାତୀୟ ସଙ୍ଗୀତ ବା ଜାତୀୟ ଗୀତକୁ ନ ଗାଇଲେ ତାହା ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ହେବନାହିଁ ଓ ତାହା ଗାଇବା ପାଇଁ ମଧ୍ୟ କାହାକୁ ବାଧ୍ୟ କରାଯାଇପାରିବ ନାହିଁ। ଏ ସମ୍ପର୍କରେ ‘ଜେହୋଭାଜ୍ ୱିଟନେସେସ୍ ଜାତୀୟ ସଙ୍ଗୀତ ମାମଲା’ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରଦତ୍ତ ଐତିହାସିକ ରାୟ ପ୍ରଣିଧାନ ଯୋଗ୍ୟ। କେରଳର ଏକ ସ୍କୁଲରେ ପଢ଼ୁଥିବା ‘ଜେହୋଭାଙ୍କ ସାକ୍ଷୀ’ ସମ୍ପ୍ରଦାୟର ୩ ଜଣ ଛାତ୍ର ପ୍ରତିଦିନ ସ୍କୁଲରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲାବେଳେ ସମ୍ମାନ ପ୍ରଦର୍ଶନ ପୂର୍ବକ ଠିଆ ହୋଇରହୁଥିଲେ ବି ଗାଉ ନଥିଲେ। ଏହି ସମ୍ପ୍ରଦାୟ ଜେହୋଭାଙ୍କୁ ସୃଷ୍ଟିକର୍ତ୍ତା ରୂପେ ଗ୍ରହଣ କରି ପୂଜା କରିଥାନ୍ତି। ସେମାନଙ୍କ ଧର୍ମୀୟ ବିଶ୍ୱାସ ସେମାନଙ୍କୁ ଗୀତଟି ଗାଇବାରୁ ନିବୃତ୍ତ କରୁଥିବାରୁ ସେମାନେ ଗୀତଟି ଗାଉ ନଥିଲେ। ଜାତୀୟ ସଙ୍ଗୀତ ଗାନ କରୁନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ସ୍କୁଲରୁ ବହିଷ୍କାର କରିବା ପରେ ମାମଲା ସୁପ୍ରିମକୋର୍ଟଙ୍କ ଯାଏଁ ପହଞ୍ଚିଥିଲା। ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ ସମସ୍ତେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ ବୋଲି କୌଣସି ଆଇନରେ ଉଲ୍ଲେଖ ନାହିଁ। ଜାତୀୟ ସଙ୍ଗୀତ ଗାନ ସମୟରେ ଗୀତଟିକୁ ନ ଗାଇ କେବଳ ସମ୍ମାନ ପ୍ରଦର୍ଶନପୂର୍ବକ ଠିଆହୋଇରହିବା ତା’ ପ୍ରତି ଅସମ୍ମାନ ନୁହେଁ। ବାସ୍ତବ ଧର୍ମୀୟ ବିଶ୍ୱାସ ଆଧାରରେ କେହି ଯଦି ଗାଉ ନଥାନ୍ତି ତାଙ୍କୁ ଗାଇବା ପାଇଁ ବାଧ୍ୟ କରିବା ସମ୍ୱିଧାନର ଅନୁଚ୍ଛେଦ ୧୯(୧)(କ) ଓ ୨୫(୧)ରେ ପ୍ରଦତ୍ତ ସୁରକ୍ଷାର ଉଲ୍ଲଂଘନ ହେବ। ତେଣୁ ସମ୍ମାନ ପ୍ରଦର୍ଶନ କରୁଥିବା ଓ ଗଣ୍ଡଗୋଳ କରୁନଥିବା କାହାରି ଧର୍ମୀୟ ବିଶ୍ୱାସର ପ୍ରତିକୂଳରେ ଯାଇ ତା’ ଉପରେ ଦେଶଭକ୍ତି ଲଦି ଦିଆଯାଇପାରିବ ନାହିଁ। ଏହା ସତ୍ତ୍ୱେ ଅଧିକ ସଂଖ୍ୟକ ଦେଶବାସୀ ସ୍ୱେଚ୍ଛାରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାଇବା ଲାଗି ଉନ୍ମୁଖ ହେବା ଆବଶ୍ୟକ। 

‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମର ଉଦଘୋଷ ଥିଲା। କେବଳ ଦୁଇଟି ଶବ୍ଦ ହିଁ  ଅସଂଖ୍ୟ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ଟାଣି ଆଣିଥିଲା। ତେଣୁ ଏପରି ଏକ ପ୍ରେରଣାଦାୟୀ ଗୀତକୁ ବିବାଦର ପ୍ରସଙ୍ଗ କରି ଆରୋପ ପ୍ରତ୍ୟାରୋପର ଝଡ଼ ସୃଷ୍ଟି କରିବା ଦେଶ ପକ୍ଷରେ ହିତକର ନୁହେଁ। ତେଣୁ ବନ୍ଦେ ମାତରମକୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ଅନୁଚିତ। ଏହା ଏକତାର ସ୍ୱର ହେବା ବାଞ୍ଛନୀୟ। 


Published in Sambad on September 22, 2026

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...