ବଜାରରେ ଜୁଲାଇ ମାସ ଚିନି ଦର କେ.ଜି. ପ୍ରତି ୪୬ ଟଙ୍କା ଥିଲା ବେଳେ ଅଗଷ୍ଟ ମାସ ସୁଦ୍ଧା ୭୦ ଟଙ୍କାରେ ପହଞ୍ଚିଗଲା, ଅର୍ଥାତ୍ ମାତ୍ର ଦେଢ଼ ମାସ ମଧ୍ୟରେ ପ୍ରାୟ ଦେଢ଼ ଗୁଣ ବୃଦ୍ଧି। ଏହି ଦରବୃଦ୍ଧି ପାଇଁ ସରକାର ପ୍ରଶ୍ନର ସମ୍ମୁଖୀନ ହେଲେ। ଖାଉଟିମାନେ ମଧ୍ୟ ଆନ୍ଦୋଳିତ ହେଲେ ଯେ ହଠାତ୍ ଚିନିର ଦର ବଢ଼ିଲା କାହିଁକି? ଏହାକୁ ଏଡ଼ାଯାଇପାରିଥାନ୍ତା କି?
ପ୍ରତିଟି ଭାରତୀୟ ପରିବାର ଲାଗି ଚିନି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ। ଭାରତୀୟଙ୍କ ମୁଣ୍ଡପିଛା ଚିନିର ବ୍ୟବହାର ବାର୍ଷିକ ପ୍ରାୟ ୨୦ କିଲୋଗ୍ରାମ। ଗୁଡ଼, ଖଣ୍ଡସାରି ଆଦିକୁ ହିସାବକୁ ନେଲେ ଚିନିଜାତୀୟ ଦ୍ରବ୍ୟର ବ୍ୟବହାର ପ୍ରାୟ ୨୩ କିଲୋଗ୍ରାମ। ତେଣୁ ଚିନି ଦରରେ ଅସ୍ଥିରତା ଦେଖାଦେଲେ ପରିବାରର ମାସିକ ବଜେଟ ପ୍ରଭାବିତ ହେବା ସ୍ୱାଭାବିକ। ଭାରତରେ ଚିନି ବ୍ୟବହାରର ବାର୍ଷିକ ପରମାଣ ପ୍ରାୟ ୨.୮୫ କୋଟି ଟନ୍, ଯାହା ପୃଥିବୀରେ ସର୍ବାଧିକ। ଏଣେ ଚିନି ଉତ୍ପାଦନକାରୀ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ସାରା ବିଶ୍ୱରେ ବ୍ରାଜିଲ ପଛକୁ ଦ୍ୱିତୀୟ। ୨୦୨୩-୨୪ ଚିନି ବର୍ଷ (ଅକ୍ଟୋବର, ୨୦୨୩ରୁ ସେପ୍ଟେମ୍ୱର ୨୦୨୪)ରେ ଦେଶରେ ୩.୨୦ କୋଟି ଟନ୍ ଚିନି ଉତ୍ପାଦିତ ହୋଇଥିଲା। ଅର୍ଥାତ୍ ଦେଶର ଚିନି ଚାହିଦାକୁ ମେଣ୍ଟାଇବା ଲାଗି ତାହା ଯଥେଷ୍ଟ ଥିଲା। ୨୦୨୪-୨୫ ଚିନି ବର୍ଷରେ ପ୍ରାୟ ୩୫ ଲକ୍ଷ ଟନ୍ ଚିନି ଇଥାନଲ ଉତ୍ପାଦନ ଲାଗି ବ୍ୟବହୃତ ହୋଇଥିବାରୁ ଖାଉଟିଙ୍କ ଲାଗି ଚିନି ଉପଲବ୍ଧତା ଓ ଉତ୍ପାଦନ ୨.୯୫ କୋଟି ଟନକୁ ଖସି ଆସିଥିଲା। ଉଲ୍ଲେଖଯୋଗ୍ୟ ଯେ ଚଳିତ ୨୦୨୫-୨୬ ଚିନି ବର୍ଷରେ ପ୍ରାୟ ୨୭.୫ ଲକ୍ଷ ଟନ (୯ ପ୍ରତିଶତ) ଚିନି ଇଥାନଲ ଉତ୍ପାଦନ ଲାଗି ବ୍ୟବହୃତ ହୋଇଥିବାରୁ ଖାଉଟିଙ୍କ ବ୍ୟବହାର ସାଗି ୩.୦୬ କୋଟି ଟନ୍ ଚିନି ଉତ୍ପାଦିତ ହୋଇଛି।
ଏବେ ଦେଶରେ ଚିନି ଦର ହଠାତ୍ ହୁ ହୁ ହୋଇ ବଢ଼ିବା ପଛର କାରଣଗୁଡ଼ିକୁ ଦେଖାଯାଉ। ୨୦୨୫-୨୬ ଚିନି ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟରେ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ଜଳବାୟୁ ଜନିତ କାରଣ ଯୋଗୁଁ ଆଖୁ ଉତ୍ପାଦନ ୫୦ କୋଟି ଟନରେ ସୀମିତ ଥିଲା। ଏଥିସହିତ ଉତ୍ପାଦିତ ଆଖୁରୁ ମଧ୍ୟ କମ୍ ପରିମାଣର ଚିନି ମିଳିଥିଲା। ଫଳରେ ଦେଶରେ ଚିନି ଉତ୍ପାଦନ ହ୍ରାସ ପାଇଲା। ବିଭିନ୍ନ କାରଣରୁ ଗତ ୨ ବର୍ଷ ମଧ୍ୟରେ ଆଖୁଚାଷ ହେଉଥିବା ଜମିର କ୍ଷେତ୍ରଫଳ କମିବାରେ ଲାଗିଛି। ୨୦୨୬-୨୭ ଚିନି ବର୍ଷରେ ଆଖୁ ଉତ୍ପାଦନ ଆହୁରି ହ୍ରାସ ପାଇ ୪୪ରୁ ୪୬ କୋଟି ଟନକୁ ଖସି ଆସିବାର ପୂର୍ବାନୁମାନ କରାଯାଉଛି। ତେଣୁ ଚିନି ଉତ୍ପାଦନ ଆହୁରି କମିବାର ଆଶଙ୍କା ଦେଖାଦେଇଛି। ଅଧିକନ୍ତୁ ୨୦୨୫ ମସିହା ଅକ୍ଟୋବର ପହିଲା (୨୦୨୫-୨୬ ଚିନି ବର୍ଷ ଆରମ୍ଭ)ରେ ଦେଶରେ ୪୭.୪ ଲକ୍ଷ ଟନ ଚିନି ଗଚ୍ଛିତ ଥିଲାବେଳେ ୨୦୨୬ ମସିହା ଅକ୍ଟୋବର ପହିଲା (୨୦୨୬-୨୭ ଚିନି ବର୍ଷର ଆରମ୍ଭ)ରେ ତାହା ୩୫ ଲକ୍ଷ ଟନକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି, ଯାହା ଚିନ୍ତାଜନକ। ଫଳରେ ଚିନି ଅଭାବର ଧାରଣାଟିଏ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପାର୍ବଣ ଋତୁରେ ଚିନିର ବିପୁଳ ଚାହିଦା ମେଣ୍ଟାଇବା ଲାଗି ବ୍ୟବସାୟୀମାନେ ଆଗତୁରା ଅଧିକ ପରିମାଣରେ ଚିନି ମହଜୁଦ ରଖୁଛନ୍ତି। ଠିକ୍ ଏତିକିବେଳେ ଚିନିର ଅଭାବରୁ ଲାଭ ଉଠାଇବା ଲାଗି କିଛି ମୁନାଫାଖୋର ବ୍ୟବସାୟୀ ଓ ମହଜୁଦକାରୀ ଚିନିକୁ ବଜାରକୁ ନ ଛାଡ଼ି ମହଜୁଦ କରି ରଖୁଛନ୍ତି। ତେଣୁ ଚିନିର ଅଭାବ ଆହୁରି ଉତ୍କଟ ହୋଇ ଦର ବଢ଼ୁଛି। ଆଖୁରୁ ଇଥାନଲ ଉତ୍ପାଦନ ମଧ୍ୟ ଚିନି ଦର ବୃଦ୍ଧି ଲାଗି କିଛି ପରିମାଣରେ ଦାୟୀ ବୋଲି କୁହାଯାଉଛି। ତେବେ, ଅସାଧୁ ଉପାୟରେ ମହଜୁଦ ହିଁ ଚିନି ଦରବୃଦ୍ଧିର ସବୁଠାରୁ ବଡ଼ କାରଣ ବୋଲି ବୁଝିବାକୁ ହେବ।
ଅବଶ୍ୟ ଚିନି ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ସରକାର ତୁରନ୍ତ କିଛି ପଦକ୍ଷେପ ନେଇ ଅକ୍ଟୋବର ୩୧ ସୁଦ୍ଧା ବିଦେଶରୁ ଶୁଳ୍କ-ମୁକ୍ତ ଭାବେ ୧୦ ଲକ୍ଷ ଟନ ଚିନି ଆମଦାନି କରିବା କଥା ଘୋଷଣା କରିଛନ୍ତି। ରପ୍ତାନି ଲାଗି ଉଦ୍ଦିଷ୍ଟ କିଛି ପରିମାଣର ଚିନିକୁ ଘରୋଇ ବଜାରରେ ବିକ୍ରି କରିବା ଲାଗି କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଭଣ୍ଡାରଗୁଡ଼ିକରେ ମହଜୁଦ ଥିବା ଚିନିର ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମ୍ପାନୀ ସ୍ତରରେ କୃତ୍ରିମ ମହଜୁଦକୁ କମାଇବା ଲାଗି ପୂର୍ବର ମାସିକିଆ କୋଟା ବ୍ୟବସ୍ଥା ସ୍ଥାନରେ ସେପ୍ଟେମ୍ୱର ମାସରୁ ପାକ୍ଷିକ କୋଟା ବ୍ୟବସ୍ଥାର ପ୍ରଚଳନ ହେଲେ ବଜାରକୁ ଅଧିକ ପରିମାଣରେ ଚିନି ଆସିବ। ନୂଆ ଚିନି ବର୍ଷରେ ମିଲଗୁଡ଼ିକରେ ଅକ୍ଟୋବର ୧୫ରୁ ଆଖୁ ପେଡ଼ା ଆରମ୍ଭ ହେଲେ ଅକ୍ଟୋବର ମାସ ଶେଷ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଟନ୍ ଚିନି ଉତ୍ପାଦନ ହେବ ବୋଲି ଆଶା କରାଯାଏ। ଫଳରେ କୁହାଯାଉଛି ଯେ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନିର ମୂଲ୍ୟ ହ୍ରାସ ପାଇପାରେ।
ଏଥିରୁ ସ୍ପଷ୍ଟ ଯେ ଏବର ଚିନିର ଦରବୃଦ୍ଧି ଅନେକାଂଶରେ ମନୁଷ୍ୟକୃତ। ଚିନିର କିଛିଟା ଅଭାବ ଥିଲା, କିନ୍ତୁ ମୁନାଫାଖୋର ମହଜୁଦକାରୀଙ୍କ ଦ୍ୱାରା ସୃଷ୍ଟ କୃତ୍ରିମ ଅଭାବ ଯୋଗୁଁ ଏହି ଅଭାବ ଅଧିକ ଉତ୍କଟ ହେଲା। ତେବେ, ପ୍ରଶ୍ନ ହେଉଛି ଜୁଲାଇ ମାସ ପୂର୍ବରୁ ଚିନିର ଉତ୍କଟ ଅଭାବ ସମ୍ପର୍କରେ ସରକାର ଅବଗତ ନଥିଲେ କି? ଭାରତ ସରକାରଙ୍କ ‘ଉପଭୋକ୍ତା ମାମଲା ବିଭାଗ’ ଅନ୍ତର୍ଗତ ‘ମୂଲ୍ୟ ନିରୀକ୍ଷଣ ପ୍ରଭାଗ’ ଦ୍ୱାରା ଚିନି ଓ ଅନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକର ନିୟମିତ ଅନ୍ତରାଳରେ ଦରର ନିରୀକ୍ଷଣ, ଦର ବିଶ୍ଳେଷଣ ସହିତ ଆଗାମୀ ଦିନରେ ସମ୍ଭାବ୍ୟ ଦରର ପୂର୍ବାନୁମାନ କରାଯାଇ ଉଚ୍ଚସ୍ତରୀୟ ‘ସଚିବମାନଙ୍କ କମିଟି’ (ସି.ଓ.ଏସ.) ଓ ‘ଅର୍ଥନୈତିକ ମାମଲାର ସଚିବଙ୍କ କମିଟି’ (ସି.ସି.ଇ.ଏ.)ଙ୍କୁ ପ୍ରଦାନ କରାଯାଇଥାଏ। ତେଣୁ ଏହା ନିଃସନ୍ଦେହ ଯେ ସରକାର ଯେ ଚିନିର ଗଚ୍ଛିତ ଭଣ୍ଡାର, ଦର ଓ ବଜାର ଗତିବିଧି ସମ୍ପର୍କରେ ନିଶ୍ଚିତ ରୂପେ ଅବଗତ ଥିବେ। ମେ ମାସରେ ମିଲ୍ ସ୍ତରରେ ଦରବୃଦ୍ଧି ସମ୍ପର୍କରେ ସୂଚନା ମିଳିବାକୁ ଲାଗିଥିଲା। ଫଳରେ ମେ ୧୩ ତାରିଖରେ ସରକାର ସେପ୍ଟେମ୍ୱର ମାସ ଯାଏଁ ଚିନି ରପ୍ତାନି ଉପରେ ନିଷେଧାଦେଶ ଜାରି କଲେ। କିନ୍ତୁ, ସେତେବେଳକୁ ଦେଶରୁ ପ୍ରାୟ ୮ ଲକ୍ଷ ଟନ ଚିନି ରପ୍ତାନି ହୋଇସାରିଥିଲା। ଚିନି ରପ୍ତାନୀ ନିଷେଧ ନିଷ୍ପତ୍ତି ଆଉ କିଛି ଦିନ ପୂର୍ବରୁ ନିଆଯାଇଥିଲେ ହୁଏତ ଦେଶରୁ ଚିନି ରପ୍ତାନିର ପରିମାଣ କିଛିଟା କମ୍ କରିହୋଇଥାନ୍ତା ଓ ଦେଶରେ ଚିନିର ଗଚ୍ଛିତ ଭଣ୍ଡାରର ସ୍ଥିତି ଅପେକ୍ଷାକୃତ ଭଲ ହୋଇଥାନ୍ତା। ସଙ୍କଟ ସମ୍ପର୍କରେ ଜଣାପଡ଼ିବା ମାତ୍ରେ ମେ ମାସରୁ ସରକାରଙ୍କ ତରଫରୁ ଭୌତିକ ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମହଜୁଦକାରୀମାନେ ହୁଏତ ଚିନିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ସୁଯୋଗ ପାଇନଥାଆନ୍ତେ। ଏଥିସହ ଆଖୁରସକୁ ଇଥାନଲ ଉତ୍ପାଦନରେ କମ୍ ବ୍ୟବହାର କରିଥିଲେ ଚିନି ଅଭାବ କିଛିଟା ଲାଘବ ହୋଇଥାଆନ୍ତା। ଅର୍ଥାତ୍ ଅନ୍ଃ-ମନ୍ତ୍ରାଳୟ ସମନ୍ୱୟକୁ ସୁବ୍ୟବସ୍ଥିତ କରାଯାଇଥିଲେ ହୁଏତ ଚିନି ଅଭାବକୁ ଏଡାଯାଇ ପାରିଥାନ୍ତା।
ଏବେ ଆଖୁରୁ ତିଆରି ଇଥାନଲ ଓ ଆଖୁରୁ ତିଆରି ଚିନିର ଅର୍ଥନୀତିକୁ ବୁଝିବା ଉଚିତ। ଶିରା, ଆଖୁରସ, ମୋଲାସ୍ ଓ ଆଖୁ ଛେଦାରୁ ଇଥାନଲ ପ୍ରସ୍ତୁତ ହୋଇଥାଏ। ତେବେ ଶିରା ଓ ରସରୁ ପ୍ରସ୍ତୁତ ଇଥାନଲର ମୂଲ୍ୟ ମୋଲାସ୍ ଓ ଆଖୁଛେଦାରୁ ପ୍ରସ୍ତୁତ ଇଥାନଲ ତୁଳନାରେ ଅଧିକ। ୧୦୦କେ.ଜି. ଆଖୁରୁ ୧୨କେଜି ଚିନି ପ୍ରସ୍ତୁତ ହେଉଥିଲାବେଳେ ସମ ପରିମାଣର ଆଖୁରୁ ହାରାହାରି ୬ ଲିଟର ଇଥାନଲ ପ୍ରସ୍ତୁତ ହୋଇଥାଏ। ୧୦୦ କେ.ଜି. ଆଖୁ ପାଇଁ ଚାଷୀକୁ ପ୍ରାୟ ୪୦୦ଟଙ୍କା ମିଳିଥାଏ। ସେହି ଆଖୁ ଇଥାନଲ ତିଆରିରେ ବ୍ୟବହୃତ ହେଲେ ଚାଷୀକୁ କିଛି ଅଧିକ ଟଙ୍କା ମିଳି ନଥାଏ। ତେଣୁ ପେଟ୍ରୋଲରେ ଇଥାନଲ ମିଶ୍ରଣ ଯୋଗୁଁ ଆଖୁଚାଷୀଙ୍କର ଲାଭ ହେଉଛି ବୋଲି କହିବା ଠିକ୍ ନୁହେଁ। ଅନ୍ୟ ପକ୍ଷରେ ୧୦୦ କେ.ଜି. ଆଖୁରୁ ପ୍ରସ୍ତୁତ ଚିନିର ମୂଲ୍ୟ କେଜି ପ୍ରତି ୫୦ ଟଙ୍କା ଦରରେ ୬୦୦ ଟଙ୍କା। ତାହା ବର୍ତ୍ତମାନର କେଜି ପ୍ରତି ୭୦ ଟଙ୍କା ହିସାବରେ ୮୪୦ ଟଙ୍କା ହେଉଛି। ମାତ୍ର ଆଖୁରସରୁ ତିଆରି ହେଉଥିବା ଇଥାନଲର ଦର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ପେଟ୍ରୋଲରେ ମିଶାଇବା ପାଇଁ ତେଲ ବିତରଣ କମ୍ପାନୀଗୁଡ଼ିକୁ ଯୋଗାଇଦିଆଯାଉଥିବା ଶିରା ଓ ଆଖୁରସରୁ ତିଆରି ଇଥାନଲର ଦର ଏବେ ଲିଟର ପ୍ରଚି ୭୧ ଟଙ୍କା ୮୬ ପଇସା ରହିଛି। ଅର୍ଥାତ୍ ୧୦୦ କେଜି ଆଖୁରୁ ବାହାରୁଥିବା ଆଖୁରସରୁ ପ୍ରସ୍ତୁତ ୬ ଲିଟର ଇଥାନୋଲ ପାଇଁ କମ୍ପାନୀଗୁଡ଼ିକୁ ମାତ୍ର ୪୩୧ ଟଙ୍କା ଦେବାକୁ ହେଉଥିବ। ଏହାର ଅର୍ଥ ୧୦୦ କେ.ଜି. ଆଖୁରୁ ବାହାରୁଥିବା ଚିନି ଲାଗି ଖାଉଟିମାନେ ଯଥେଷ୍ଟ ଅଧିକ ଦେଉଛନ୍ତି। ୨୦୨୫-୨୬ ଇଏସୱାଇ (ଇଥାନଲ ଯୋଗାଣ ବର୍ଷ)ରେ ଆଖୁରୁ ୨୩୮ କୋଟି ଲିଟର ଇଥାନଲ ପ୍ରସ୍ତୁତ ହୋଇଥିଲା, ଯାହା ସମୁଦାୟ ଇଥାନଲର ପ୍ରାୟ ଏକ ତୃତୀୟାଂଶ। ତନ୍ମଧ୍ୟରୁ ୧୪୪ କୋଟି ଲିଟର ଇଥାନଲ କେବଳ ଶିରା ଓ ଆଖୁରସରୁ ପ୍ରସ୍ତୁତ ହୋଇଥିଲା।
କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଚିନି ଦର ବୃଦ୍ଧି ପାଇଛି। ଜୁଲାଇ ମାସରେ ଚିନିର ଦର ଟନ ପିଛା ୩୨୭ ଡଲାର ଥିଲାବେଳେ ଅଗଷ୍ଟ ମାସରେ ତାହା ପ୍ରାୟ ୪୦୦ ଡଲାରରେ ପହଞ୍ଚିଲାଣି। ବ୍ରାଜିଲ, ଭାରତ ଓ ଇଉରୋପୀୟ ୟୁନିଅନରେ ବିଶ୍ୱର ଚିନି ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ହେଉଥିବାରୁ ଏଠାରୁ ଉତ୍ପାଦନ ସଂକ୍ରାନ୍ତ ପ୍ରତିକୂଳ ଖବର ମିଳିଲେ ଅନ୍ତର୍ଜାତୀୟ ଦର ପ୍ରଭାବିତ ହୋଇଥାଏ। ଇଉରୋପରେ ମୁଖ୍ୟତଃ ଚିନି ଆଳୁ (ସୁଗାର ବିଟ୍)ରୁ ହିଁ ଚିନି ଉତ୍ପାଦନ ହୋଇଥାଏ। ଏବର୍ଷ ଅତ୍ୟଧିକ ଗରମ ଯୋଗୁଁ ଇଉରୋପରେ ସୁଗାର ବିଟ୍ ଫସଲର ଅମଳ ଯଥେଷ୍ଟ ହ୍ରାସ ପାଇଛି। ବ୍ରାଜିଲରେ ଆଖୁ ଉତ୍ପାଦନ ସର୍ବାଧିକ ହେଉଥିଲେ ବି ତହିଁରୁ ବେଶ୍ କିଛି ପରିମାଣ ଇଥାନଲ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଛି। ଠିକ୍ ଏହି ସମୟରେ ଭାରତରେ ଚିନି ସଙ୍କଟର ମୁକାବିଲା କରିବା ପାଇଁ ବିଦେଶରୁ ୧୦ ଲକ୍ଷ ଟନ ଚିନି ଆମଦାନିର ନିଷ୍ପତ୍ତି ହେତୁ ଚିନିର ଅନ୍ତର୍ଜାତୀୟ ଭବିଷ୍ୟତ ଚୁକ୍ତି ବଜାର(ଫ୍ୟୁଚର୍ସ ମାର୍କେଟ) ଊର୍ଦ୍ଧ୍ୱମୁଖୀ ହୋଇଛି। ଫଳରେ ଚିନିର ଅନ୍ତର୍ଜାତୀୟ ଦର ମଧ୍ୟ ପ୍ରାୟ ୨୨-୨୩ ପ୍ରତିଶତ ବୃଦ୍ଧି ପାଇସାରିଲାଣି। ତେଣୁ ବିଦେଶରୁ ଆମଦାନି ପରେ ବି ଅକ୍ଟୋବର ଆଗରୁ ଚିନିର ଦର ପୂର୍ବ ସ୍ଥିତିକୁ ଫେରିବା ଆଶା କ୍ଷୀଣ।
ଭବିଷ୍ୟତରେ ଚିନିର ଅହେତୁକ ଦରବୃଦ୍ଧିକୁ ଏଡ଼ାଇବା ପାଇଁ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦିଆଯାଇପାରେ। ଦେଶରେ ଖାଦ୍ୟ ନୀତି ଓ ଇନ୍ଧନ ନୀତି ମଧ୍ୟରେ ଅଧିକ ସମନ୍ୱୟ ଜରୁରି। ଖାଦ୍ୟ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ପରେ ଇଥାନଲ ବିଷୟ ଚିନ୍ତା କରାଯିବା ଉଚିତ। ଚିନି ରପ୍ତାନି ପାଇଁ କୋଟା ନିର୍ଦ୍ଧାରଣ ଏକକାଳୀନ ବର୍ଷେ ଯାଏଁ ନ କରି ତିନିମାସିଆ କରାଯାଉ। ପ୍ରତି ତିନି ମାସରେ ଗଚ୍ଛିତ ଚିନି ଭଣ୍ଡାରର ସ୍ଥିତିକୁ ନିରୀକ୍ଷଣ କରି ତାହା ନବୀକରଣ କରାଯାଇପାରେ। ଭୌତିକ ନିରୀକ୍ଷଣ ବ୍ୟବସ୍ଥାକୁ ବର୍ଷସାରା କଡ଼ାକଡ଼ି କରାଗଲେ ଅସାଧୁ ମହଜୁଦକାରୀଙ୍କ ସାବାଡ଼ ହେବେ। ବିଭିନ୍ନ କାରଣରୁ ଆଖୁଚାଷୀମାନେ ବିମୁଖ ହେବା ଯୋଗୁଁ ଆଖୁଚାଷ ହେଉଥିବା ଜମିର ପରିମାଣ ହ୍ରାସ ପାଇବାରେ ଲାଗିଛି। ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ଉପଯୁକ୍ତ ଅଞ୍ଚଳରେ ଚିନି ଆଳୁ ବା ସୁଗାର ବିଟ୍ ଚାଷର ପ୍ରଚଳନ ବିଷୟ ଚିନ୍ତା କରାଯାଇପାରେ।
ଏବେ ଆଉ ଗୋଟେ କଥା ହେଲା, ମଧୁମେହ ରୋଗକୁ ଏଡ଼ାଇବା ପାଇଁ ମୁଣ୍ଡପିଛା ଚିନି ବ୍ୟବହାରକୁ ଦୈନିକ ୨୫ ଗ୍ରାମ ବା ବାର୍ଷିକ ୯.୧କେ.ଜି. ମଧ୍ୟରେ ସୀମିତ ରଖିବାର ପରାମର୍ଶ ଦିଆଯାଇଥାଏ। ମାତ୍ର ଭାରତୀୟଙ୍କ ହାରାହାରି ଚିନିର ବ୍ୟବହାର ଦୁଇ ଗୁଣରୁ ବି ଅଧିକ। ଭାରତ ଏବେ ବିଶ୍ୱର ମଧୁମେହ ରୋଗର ରାଜଧାନୀ ରୂପେ ଅବହିତ ହେବା ଉଦବେଗଜନକ। ତେଣୁ ଦରବୃଦ୍ଧି ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ବିଷୟ ଚିନ୍ତା କରି ଭାରତୀୟମାନେ ଚିନିର ବ୍ୟବହାର କମାଇବା ଜରୁରି। ଭାରତୀୟ ପରିବାରରେ ‘ଚିନି କମ୍’ ହେଲେ ଦରବୃଦ୍ଧି ମଧ୍ୟ ବାଧିବ ନାହିଁ।
Published in Sambad on September 01, 2026
Comments
Post a Comment