ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରତିବାଦରେ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)ର ଆହ୍ୱାନ କ୍ରମେ ହୋଇଥିବା ଆନ୍ଦୋଳନ ମୁଖ୍ୟତଃ ଏକ ‘ଜେନ୍-ଜି’ ଆନ୍ଦୋଳନ ଥିଲା, ଯାହାର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା। ପ୍ରଥମେ ସେମାନଙ୍କ ଦାବିକୁ କେହି ଗୁରୁତ୍ୱ ନେଇ ନଥିଲେ, କାରଣ ମୋଦୀଙ୍କ ଦୀର୍ଘ ଶାସନ କାଳରେ କୌଣସି ଜଣେ ହେଲେ ମନ୍ତ୍ରୀଙ୍କୁ ଜନସାଧାରଣଙ୍କ ଚାପରେ ଇସ୍ତଫା ଦେବାକୁ ପଡ଼ି ନଥିଲା। କିନ୍ତୁ ଏଥର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଯାହା ସମସ୍ତଙ୍କୁ ଚକିତ କଲା ତାହା ହେଲା ମାତ୍ର ଦୁଇମାସ ତଳେ ଥଟ୍ଟାମଜାରେ ଆରମ୍ଭ ହୋଇଥିବା ‘ଜେନ୍-ଜି’ଙ୍କ ଏହି ଆନ୍ଦୋଳନ ଏତେ ବଡ଼ ସଫଳତା ହାସଲ କରିବା। ତେଣୁ ଏହା ପଛର କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଉ।
୧୯୯୭ରୁ ୨୦୧୨ ମସିହା ମଧ୍ୟରେ ଜନ୍ମ ହୋଇଥିବା ସମସ୍ତଙ୍କୁ ‘ଜେନ-ଜି’ (ଜେନେରେସନ୍-ଜେଡ) କୁହାଯାଇଥାଏ। ୨୦୧୩ ପରେ ଜନ୍ମ ହୋଇଥିବା ପିଢ଼ିକୁ ‘ଜେନ୍-ଆଲଫା’ କୁହାଯାଉଛି। ତେବେ ‘ଜେନ-ଜି’ଙ୍କ ପୂର୍ବର ପିଢ଼ିଗୁଡ଼ିକ ହେଲେ ‘ମିଲେନିଆଲ’ ବା ‘ଜେନ-ୱାଇ’ (୧୯୮୧-୧୯୯୬), ‘ଜେନ-ଏକସ୍’ (୧୯୬୫-୧୯୮୦), ‘ବେବି ବୁମର୍ସ’ (୧୯୪୬-୧୯୬୪), ‘ସାଇଲେଣ୍ଟ ଜେନେରେସନ୍’ (୧୯୨୮-୧୯୪୫), ‘ଗ୍ରେଟେଷ୍ଟ ଜେନେରେସନ୍’ (୧୯୦୧-୧୯୨୭)।
ଏବେ ‘ଜେନ-ଜି’ ପିଢ଼ିର ହାରାହାରି ବୟସ ମାତ୍ର ୨୨ ବର୍ଷ। ସେମାନେ ଦୁନିଆକୁ ଦେଖିଲା ଦିନୁଁ ଇଣ୍ଟରନେଟକୁ ଜାଣିଲେଣି। ପାଠପଢ଼ା ବହି କମ୍, ଇଣ୍ଟରନେଟରୁ ଅଧିକ ହେଲା; ସେମାନେ ରିଲସ୍ ତିଆରି କଲେ, ଇନଷ୍ଟାଗ୍ରାମ୍ ବ୍ୟବହାର କଲେ, କେଇ ସେକେଣ୍ଡର ‘ମିମ୍’ ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ ବାର୍ତ୍ତା ଉପସ୍ଥାପନର କଳା ଓ କୌଶଳ ଶିଖିଲେ। ମୋବାଇଲରେ ଘଣ୍ଟା ଘଣ୍ଟା ବିତାଉଥିବା ଏହି ବୟସ ବର୍ଗର ପିଲାମାନଙ୍କୁ ବାପା-ମା’ମାନେ ବିରକ୍ତ ହେଉଥିଲେ। କିନ୍ତୁ ନୀରବରେ ଇନଷ୍ଟାଗ୍ରାମ ପିଢ଼ିଟିଏ ତିଆରି ହୋଇଚାଲିଥିଲା। ଏହି ପିଢ଼ିର ପିଲାଏ ପ୍ରାୟତଃ ବାପା-ମା’ଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ଓ ଯୌଥ ପରିବାରରେ ବଢ଼ି ନଥିବାରୁ ସେମାନଙ୍କୁ ଏକ ଗଣତାନ୍ତ୍ରିକ ପରିବେଶରେ ଲାଳନପାଳନ କରାଗଲା। ବାପା-ମା’ଙ୍କୁ ପ୍ରଶ୍ନ ପଚାରିବା ଓ କୌଣସି ବିଷୟକୁ ବୁଝିବା ଲାଗି ବାପା-ମା’ଙ୍କ ସହ ଯୁକ୍ତିତର୍କ କରିବାକୁ ସୁଯୋଗ ଦିଆଗଲା, ଯାହା ତାଙ୍କ ପୂର୍ବପିଢ଼ିକୁ ମିଳି ନ ଥିଲା। ଯେ କୌଣସି ବ୍ୟକ୍ତିକୁ ପ୍ରଶ୍ନ ପଚାରି ପାରିବାର ସାହସ ହିଁ ‘ଜେନ୍-ଜି’ଙ୍କ ସବୁଠୁ ବଡ଼ ଶକ୍ତି ଓ ହାତରେ ଥିବା ମୋବାଇଲ ହିଁ ସବୁଠୁ ବଡ଼ ଅସ୍ତ୍ର। ଏ ଦୁଇଟିକୁ ସେମାନେ ଏହି ଆନ୍ଦୋଳନରେ ପୂର୍ଣ୍ଣମାତ୍ରାରେ ଉପଯୋଗ କରିଥିଲେ।
ରୁଷୀୟ ଦାର୍ଶନିକ ମିଖାଇଲ ବାଖତିନଙ୍କ ଅନୁସାରେ ବ୍ୟଙ୍ଗ ସାମୟିକ ଭାବେ ହେଲେ ବି ଶାସକର କ୍ଷମତା ଓ ସାମାଜିକ ସୋପାନର ଭୟରୁ ମୁକ୍ତି ପ୍ରଦାନ କରିଥାଏ। ବସ୍ତୁତଃ ଏହା ଭୟ ଓ ଅନ୍ଧଭକ୍ତିକୁ ଧ୍ୱସ୍ତ କରିଥାଏ। ତାଙ୍କ ମତରେ ସମାଜର ଏକ ବଡ଼ ଅଂଶ ଦ୍ୱାରା ଏହି ବ୍ୟଙ୍ଗ ସାମୂହିକ ଭାବେ ଆୟୋଜିତ ହୋଇ ‘କାର୍ନିଭାଲ୍’ ବା ଉତ୍ସବର ରୂପ ନେଲେ ତାହା ଶାସନ ବ୍ୟବସ୍ଥା ଲାଗି ମୁଣ୍ଡବ୍ୟଥାର କାରଣ ହୋଇଥାଏ। କାରଣ, ସେତେବେଳେ ବ୍ୟଙ୍ଗ ପ୍ରତିବାଦ ଓ ପ୍ରତିରୋଧର ଭାଷା ପାଲଟିଯାଏ। ୨୦୨୦-୨୦୨୧ ମସିହାରେ ଥାଇଲାଣ୍ଡର ଗଣତନ୍ତ୍ର ସପକ୍ଷବାଦୀଙ୍କ ‘କାର୍ନିଭାଲ ପ୍ରୋଟେଷ୍ଟ’ରେ ବାଖତିନଙ୍କ ଏହି ଦର୍ଶନର ବାସ୍ତବ ଛବି ଦିଶିଥିଲା। ରାଜନୈତିକ ନେତାମାନଙ୍କର କାର୍ଟୁନ୍, ମିମ୍ ମାଧ୍ୟମରେ ହାସ୍ୟ ଓ ବ୍ୟଙ୍ଗ ସହିତ ଆକର୍ଷଣୀୟ ଓ ଚେତନା ଉଦ୍ରେକକାରୀ ବେଶପୋଷାକ, ସଙ୍ଗୀତ, ନୃତ୍ୟ, ଅଙ୍ଗଭଙ୍ଗୀ ଆଦିର ବହୁଳ ବ୍ୟବହାର କରାଯାଇଥିଲା।
ପ୍ରଖ୍ୟାତ ଇଂରାଜୀ ଲେଖକ ଜର୍ଜ ଅରୱେଲଙ୍କ ଏକ ପ୍ରସିଦ୍ଧ ବାକ୍ୟ- ‘ଏଭରି ଜୋକ୍ ଇଜ୍ ଏ ଟାଇନି ରିଭଲ୍ୟୁସନ୍’ ବା ‘ପ୍ରତିଟି ବ୍ୟଙ୍ଗ ହେଉଛି ଗୋଟିଏ ଲେଖାଏଁ ଛୋଟ ଛୋଟ ବିପ୍ଳବ’- ହିଁ ସିଜେପି ଆନ୍ଦୋଳନର ଆତ୍ମା ଥିଲା। ପ୍ରତିଟି ବ୍ୟଙ୍ଗ ବା ଥଟ୍ଟା ନୀତି, ନେତା ଓ ସଂସ୍ଥାଗୁଡ଼ିକର ଦୁର୍ବଳତା ଓ ବିରୋଧାଭାସକୁ ଲୋକଲୋଚନକୁ ଆଣିବା ସହ କ୍ଷମତା ଓ ବ୍ୟବସ୍ଥାକୁ ସିଧାସଳଖ ପ୍ରଶ୍ନ ପଚାରିବାକୁ ସକ୍ଷମ ହୋଇଥାଏ। ସାମାଜିକ ଭାବେ ଗ୍ରହଣୀୟ ହେଉନଥିବା କଥାଟିଏ ବି ହାସ୍ୟ ଛଳରେ କହିଦେଇ ହୁଏ। କ୍ଷମତାଶାଳୀ ଲୋକଟିଏ ଜନତାଙ୍କ ହାସ୍ୟର ପାତ୍ର ହେଉଥିବା ବେଳେ ତାଙ୍କ ଆଭାମଣ୍ଡଳ ଉଭେଇଯାଏ ଓ ତା' ପ୍ରତି ଥିବା ଭୟ ଯଥେଷ୍ଟ ହ୍ରାସ ପାଏ। ଯେ କୌଣସି ଆନ୍ଦୋଳନ ପାଇଁ ଏହା ହିଁ ପୂର୍ବ ଆବଶ୍ୟକତା। ଏହା ହିଁ ଥିଲା ସିଜେପି ଆନ୍ଦୋଳନର ଆତ୍ମା। ନୀତି, ନେତା ଓ ସଂସ୍ଥାଗୁଡ଼ିକର ଦୁର୍ବଳତା ଓ ବିରୋଧାଭାସକୁ 'ଜେନ୍-ଜି' ଥଟ୍ଟା ଓ ପରିହାସ ଛଳରେ ପ୍ରଶ୍ନ କଲେ ଏବଂ ପ୍ରସଙ୍ଗଟି ଅଧିକରୁ ଅଧିକ ଲୋକଲୋଚନକୁ ଆସିଲା। ଏହି ଆନ୍ଦୋଳନରେ ହାସ୍ୟ ଓ ବ୍ୟଙ୍ଗକୁ ମୁଖ୍ୟ ଆୟୁଧ କରାଯାଇଥିବାରୁ ଅନେକେ ଗମ୍ଭୀର ଭାଷଣ ଶୁଣିବାକୁ ନୁହେଁ ବରଂ ଜେନ୍-ଜି ପିଲାମାନେ ରିଲ୍ ତିଆରି କରିବାକୁ ପ୍ରଦର୍ଶନସ୍ଥଳୀକୁ ଯାଉଥିଲେ। ପୁଲିସ୍ ଲାଠିମାଡ଼ ହେଲେ କିଏ ଜାତୀୟ ସଙ୍ଗୀତ ଗାଇ ରିଲ୍ କରୁଥିଲେ ତ କିଏ ଅଟକ ହୋଇ ଭ୍ୟାନ୍ ଭିତରେ ରିଲ୍ କରୁଥିଲା। ପୁଲିସଠାରୁ ଲାଠିମାଡ଼ ସେମାନଙ୍କ ଲାଗି ଭୟର ନୁହେଁ ବରଂ ପଦକ ମିଳିବା ଭଳି ଗୌରବର ବିଷୟ ହୋଇଯିବାରୁ ଏହି ଧରଣର ରିଲ୍ ଦେଖି ଅନ୍ୟମାନେ “କାଳେ ଏ ସୁଯୋଗ ହାତଛଡ଼ା ହୋଇଯିବ କି?’ (ଜେନ୍-ଜି ଭାଷାରେ ଫୋମୋ- ଫିଅର୍ ଅଫ୍ ମିସିଂ ଆଉଟ୍)ର ମାନସିକତାରେ ପ୍ରଦର୍ଶନ ସ୍ଥଳକୁ ଅଧିକ ସଂଖ୍ୟାରେ ଆସିବାକୁ ଲାଗିଲେ। ପୋଲିସର କାର୍ୟ୍ୟାନୁଷ୍ଠାନ ସେମାନଙ୍କୁ ରିଲ୍ ତିଆରି କରିବା ଲାଗି ବିଷୟବସ୍ତୁ (କଣ୍ଟେଣ୍ଟ) ଯୋଗାଇଲା। ଦେଖିବାକୁ ମିଳିଥିଲା ଯେ ବିହାରର କେତେକ ପ୍ରଦର୍ଶନକାରୀ ପୁଲିସକୁ ଥଟ୍ଟାରେ ପଚାରୁଥିଲେ ଲୁହବୁହା ଗ୍ୟାସ୍, ୱାଟର କ୍ୟାନନର ବ୍ୟବସ୍ଥା ନାହିଁ କି? ଏକ ଅଧ୍ୟୟନ ଅନୁସାରେ ପୁଲିସ ଆକ୍ରମଣର ଭୟ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଲାଗି ଅନେକଙ୍କୁ ନିବର୍ତ୍ତାଇ ଥାଏ। ଏହି ଆନ୍ଦୋଳନରେ ପ୍ରଥମ ଥର ଲାଗି ସେହି ଭୟଟି ଚାଲି ଯାଇଥିଲା। ଫଳରେ ଭବିଷ୍ୟତର ଆନ୍ଦୋଳନ ପାଇଁ ନୂଆ ଭାଷାଟିଏ ତିଆରି ହୋଇଗଲା। ଉଗ୍ର ଓ ହିଂସ୍ର ଭିଡ଼କୁ ନିୟନ୍ତ୍ରଣ କରିବାକୁ ସିନା ପୋଲିସ ତାଲିମପ୍ରାପ୍ତ, ନିର୍ଭୟ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଥଟ୍ଟାମଜା କରୁଥିବା ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବାର ବାଟ କ’ଣ ହୋଇପାରେ?
ପାରମ୍ପରିକ ଆନ୍ଦୋଳନଗୁଡ଼ିକରେ ତ୍ୟାଗ ଓ ବଳିଦାନର କଥା କୁହାଯାଉଥାଏ। ଏହି ଆନ୍ଦୋଳନରେ ହାସ୍ୟ ଓ ବ୍ୟଙ୍ଗ ଏହାକୁ ଏକ ‘କାର୍ନିଭାଲ’ ବା ଉତ୍ସବ ଭାବେ ଗଢ଼ି ତୋଳିଥିଲା। ଫଳରେ ପ୍ରଦର୍ଶନକାରୀମାନେ ଭୟ ଓ ଚାପରୁ ମୁକ୍ତ ହୋଇ ଆନ୍ଦୋଳନରେ ଭାଗ ନେଉଥିଲେ। ପୂର୍ବରୁ ଆନ୍ଦୋଳନଗୁଡ଼ିକ ସେମାନଙ୍କ ସମ୍ପର୍କରେ ଖବର ତିଆରିବା ଲାଗି ମୁଖ୍ୟସ୍ରୋତର ମିଡ଼ିଆ ଉପରେ ନିର୍ଭର କରୁଥିଲେ। ମୁଖ୍ୟସ୍ରୋତର ଚ୍ୟାନେଲଗୁଡ଼ିକ ମାସେ ଯାଏଁ ଏହି ଆନ୍ଦୋଳନର ଖବର ଦେଖାଇ ନଥିଲେ ବି ଆନ୍ଦୋଳନକାରୀମାନେ ପ୍ରତ୍ୟେକେ ଜଣେ ଜଣେ ରିପୋର୍ଟର ସାଜି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ କରିବାରେ ଲାଗିଥିଲେ। ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ପ୍ରତି ଏମାନଙ୍କର ପରୁଆ ନଥିଲା। ଉଲ୍ଲେଖଯୋଗ୍ୟ ଯେ ଏଥିପୂର୍ବରୁ କୌଣସି ଆନ୍ଦୋଳନରେ ଏତେ ସଂଖ୍ୟାରେ ମହିଳା ଯୋଗ ଦେଇ ନଥିଲେ, ଯାହା ମଧ୍ୟ ଏକ ବଡ଼ ଉପଲବ୍ଧି।
ସିଜେପି ଆନ୍ଦୋଳନ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ପ୍ରଦର୍ଶନକାରୀ ଦୁଇଜଣ ପୁଲିସ କର୍ମୀଙ୍କୁ ବାରମ୍ୱାର କହୁଛନ୍ତି ‘ୱାସ୍ତେ-ଗୁନା-ହୁଇୟା’। ପୁଲିସ କର୍ମୀ ବୁଝି ନପାରି ହିନ୍ଦୀରେ କୁହ ବୋଲି ଯେତେ କହିଲେ ବି ପ୍ରଦର୍ଶନକାରୀ ସେହି ଶବ୍ଦକୁ ଦୋହରାଉଥିଲେ। ‘ଜେନ୍-ଜି’ଙ୍କ ଶବ୍ଦାବଳୀରେ ଏହିପରି ଅନେକ ଶବ୍ଦ ଓ ଅଭିବ୍ୟକ୍ତି ରହିଛି। ଅର୍ଥାତ୍ ‘ଜେନ୍-ଜି’ଙ୍କ ଭାଷା ବି ସ୍ୱତନ୍ତ୍ର। ଏହା ଇଂରାଜୀ ଦ୍ୱାରା ପ୍ରଭାବିତ ହେଲେ ବି ଇଂରାଜୀ ନୁହେଁ। ନିକଟ ଭବିଷ୍ୟତରେ ‘ଜେନ୍-ଜି’ ଭାଷାରେ ସାହିତ୍ୟ କୃତିଟିଏ ପ୍ରକାଶ ପାଇଲେ ଆଶ୍ଚର୍ୟ୍ୟ ହେବାର ନାହିଁ। ବିଚିତ୍ର ଅଙ୍ଗଭଙ୍ଗୀ ମଧ୍ୟ ଏହି ଭାଷାର ଅଂଶବିଶେଷ। ତେଣୁ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ହେଲେ ସେମାନଙ୍କ ଭାଷା ବୁଝିବାକୁ ହେବ, ହିନ୍ଦୀ, ଇଂରାଜୀରେ ବା ଅନ୍ୟ ଭାଷାରେ ଆଉ କାମ ଚଳିବ ନାହିଁ। ସେହିପରି ଆମେ ବ୍ୟବହାର କରୁଥିବା ଭାଷା ମଧ୍ୟ ସ୍ଥଳ ବିଶେଷରେ ସେମାନଙ୍କୁ ଅପମାନଜନକ ଲାଗିଥାଏ। ଯେମିତି ଯଦି କେହି କହେ ‘ସେମାନେ ପିଲାଲୋକ’, ତାହା ସେମାନଙ୍କ ପାଇଁ ଅପମାନଜନକ। ତାଙ୍କ ଶବ୍ଦାବଳୀରେ ସେହି ମାନସିକତାକୁ ‘ଇନଫାଣ୍ଟିଲାଇଜେସନ’ (ଆମକୁ କୋଡ଼ଛୁଆ ଭାବୁଛ!) ବୋଲି ଧରାଯାଏ। କ୍ୟାମେରା ଆଗରେ ଝିଅମାନେ ବି ଅପଶବ୍ଦରେ ଗାଳିଗୁଲଜ କରିବା ଅନେକଙ୍କ ଲାଗି ଲାଗି ଗ୍ରହଣୀୟ ହୋଇନାହିଁ। ଏହା ଏକ ‘ସାଂସ୍କୃତିକ ଆଘାତ’ ବୋଲି କୁହାଯାଉଛି କିନ୍ତୁ ସେମାନଙ୍କ ଲାଗି ଏହା ନିହାତି ସାଧାରଣ। ଜେନ୍-ଜି ପକ୍ଷରୁ ତର୍କ ହେଲା, ‘ଏସବୁ ଗାଳି ବହୁ ଆଗରୁ ପ୍ରଚଳିତ ଯାହା ସେମାନେ ସମାଜର ଗୁରୁଜନଙ୍କଠାରୁ ଶିଖିଛନ୍ତି। କେବଳ ଫରକ ହେଉଛି ସେମାନେ ତାହା କ୍ୟାମେରା ଆଗରେ କହିପାରୁଛନ୍ତି, କାରଣ ସେମାନଙ୍କଠାରେ ସେ କୁଣ୍ଠା ନାହିଁ।‘ ସଂସ୍କାରକୁ ଆଳ କରି ଏହା କରିବା ଉଚିତ ବା ଅନୁଚିତ ବୋଲି କେହି ଝିଅଙ୍କୁ କହିଲେ ତାହା ପୁରୁଷତାନ୍ତ୍ରିକ ମାନସିକତା ବୋଲି ସେମାନଙ୍କ ଦ୍ୱାରା ଗ୍ରହଣୀୟ ହେଉନାହିଁ। ଏଥିପାଇଁ ତାଙ୍କ ଶବ୍ଦାବଳୀର ଶବ୍ଦ ହେଉଛି ‘ମେନସପ୍ଲେନିଙ୍ଗ’। ଏଠାରେ କ’ଣ ଠିକ୍ କ’ଣ ଭୁଲ୍ ତାହା ଆଲୋଚ୍ୟ ନୁହେଁ। ଯାହା ହେଉଛି ବା ହୋଇସାରିଛି ତାହା ବାସ୍ତବତା ଓ ଅପରିବର୍ତ୍ତନୀୟ। ସେମାନଙ୍କୁ ସଜାଡ଼ିବାର ଅପଚେଷ୍ଟା କଲେ ଉଭୟ ପିଢ଼ି ମଧ୍ୟରେ ଖାଇ ଆହୁରି ବଢ଼ିବାର ଆଶଙ୍କା ଦେଖାଦେବ।
ହ୍ୱାଟସ ଆପ୍ ବା ଫେସବୁକ୍ ବ୍ୟବହାର କରି ନିଜକୁ ‘ଟେକ୍-ସାଭି’ ମନେ କରୁଥିବା ବୟସ୍କମାନଙ୍କୁ ତ ସେମାନେ ଥଟ୍ଟା କରନ୍ତି ନାହିଁ ବରଂ ସେମାନଙ୍କୁ ଡାକନ୍ତି ‘ହ୍ୱାଟସ୍ ଆପ୍ ଅଙ୍କଲ୍’ ବା ‘ଆଣ୍ଟି’, ଅର୍ଥାତ୍ ପୁରୁଣାକାଳିଆ। ସେମାନେ ସୂଚାଇଦିଅନ୍ତି ଯେ ‘ଆପଣମାନେ ଯାହା ଜାଣନ୍ତି ଆମେ ଆପଣଙ୍କ ବିନା ସହାୟତାରେ ତା’ଠାରୁ ଅଧିକ ଜାଣିସାରିଛୁ ବା ଜାଣିପାରିବୁ। ତେଣୁ ଆମକୁ ପରାମର୍ଶ ବା ଜ୍ଞାନ ଦେବାର ଧୃଷ୍ଟତାରୁ କ୍ଷାନ୍ତ ରହିବା ସମାଜ ପକ୍ଷେ ହିତକର।‘
ଭାରତର ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ବା ୪୦ କୋଟି ହେଉଛନ୍ତି ‘ଜେନ୍-ଜି’। ଦେଶର ଅର୍ଥନୀତିକୁ ଆଗକୁ ନେବାକୁ ହେଲେ ସେହିମାନଙ୍କ ସକ୍ରିୟ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତର ରାଜନୀତି ମଧ୍ୟ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବ। ଏବେ ଭୋଟରଙ୍କ ମଧ୍ୟରୁ ୩୩ ପ୍ରତିଶତ ହେଉଛନ୍ତି ୩୫ ବର୍ଷରୁ କମ୍ ବୟସର। ହେଲେ ଲୋକସଭାରେ ମାତ୍ର ୫ ଜଣ ବା ୧ ପ୍ରତିଶତରୁ କମ୍ ‘ଜେନ୍-ଜି’ ବର୍ଗରୁ ଅଛନ୍ତି। ସଂସଦ ଓ ବିଧାନସଭାଗୁଡ଼ିକରେ ସେମାନଙ୍କର ପ୍ରତିନିଧିତ୍ୱ ବଢ଼ାଇବା ନିତାନ୍ତ ଆବଶ୍ୟକ। ଶିକ୍ଷା, ନିଯୁକ୍ତି, ଖେଳ, ମନୋରଞ୍ଜନ, ବୈଷୟିକ ଜ୍ଞାନକୌଶଳ, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ ବେଳେ ସେମାନଙ୍କ ଯୋଗଦାନ ଉପଯୋଗୀ ହେବ। ତେଣୁ ସଂସଦ ଓ ବିଧାନସଭାର ସଦସ୍ୟତାର ସର୍ବନିମ୍ନ ବୟସ ଆବଶ୍ୟକତାକୁ ୨୫ ବର୍ଷରୁ କମ୍ କରାଯିବା ଦରକାର। ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ,, କାନାଡ଼ା ସମେତ ବିଶ୍ୱର ୬୫ଟି ଦେଶରେ ସର୍ବନିମ୍ନ ବୟସ ମାତ୍ର ୧୮ ବର୍ଷ ଥିଲାବେଳେ, ବ୍ରାଜିଲ, ଭିଏତନାମ, ଜିମ୍ୱାୱେ ସମେତ ୨୨ଟି ଦେଶରେ ଏହା ୨୧ ବର୍ଷ ଅଟେ। ଅଧିକନ୍ତୁ ୩୭ ବର୍ଷ ତଳୁ ଭୋଟଦାନର ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରାଯାଇସାରିଥିବାରୁ ସେଥି ସହ ତାଳ ଦେଇ ସଦସ୍ୟତା ଲାଗି ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରାଯିବା ଉଚିତ।
‘ଜେନ-ଜି’ ଏକ ବଡ଼ ଭୋଟ ବ୍ୟାଙ୍କ ହୋଇଥିବାରୁ ଏହି ଆନ୍ଦୋଳନ ପରେ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରୟାସ କରିବେ ଓ ପାରମ୍ପରିକ ରାଜନୀତିର ଧାରା ବଦଳିବ। ‘ଜେନ-ଜି’ଙ୍କ ନିକଟରେ ଆଉ ଦୀର୍ଘ ଭାଷଣ ଶୁଣିବାକୁ ଧୈର୍ଯ୍ୟ ବା ସମୟ ନାହିଁ। ସେମାନେ ନିଜକୁ ‘ସମରି ଜେନେରେସନ୍’ ବା ‘ସାରଂଶ ପିଢ଼ି’ ବୋଲି କହନ୍ତି। ଭାଷଣରେ ‘ବନ୍ଧୁଗଣ’ କହି ଦଶ ସେକେଣ୍ଡର ବିରତି ନେଲେ ସେହି ସମୟରେ ସେମାନେ ବକ୍ତାଙ୍କର ମିମ୍ ତିଆରି କରି ଥଟ୍ଟା କରିଦିଅନ୍ତି। ନେତାମାନେ ସେମାନଙ୍କ ଭାଷଣ ଓ ଆଚରଣରେ ପରିବର୍ତ୍ତନ ନକଲେ ଖୁବ୍ ଶୀଘ୍ର ଅଚଳ ହୋଇଯିବେ। ଏଣିକି ଜେନ-ଜିଙ୍କୁ ବୁଝି ସେମାନଙ୍କୁ ନୂଆ ପ୍ରକାର ରାଜନୀତି କରିବାକୁ ପଡ଼ିପାରେ।
ସାମ୍ୱିଧାନିକ ଉଚ୍ଚପଦବୀରେ ଅଧିଷ୍ଠିତ ଜଣେ ବ୍ୟକ୍ତିଙ୍କ ସେମାନଙ୍କ ପ୍ରତି ଅସମ୍ୱେଦନଶୀଳ ଭାବେ ‘କକ୍ରୋଚ୍’ ଶବ୍ଦର ପ୍ରୟୋଗ କିପରି ମାତ୍ର ଦୁଇ ମାସ ମଧ୍ୟରେ ଗୋଟିଏ ଆନ୍ଦୋଳନକୁ ଠିଆ କରିଦେଲା ଓ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ତାହା ‘ଜେନ୍-ଜି’ କରି ଦେଖାଇଦେଲେ। ଅନ୍ୟମାନେ ସେଥିରୁ ଶିକ୍ଷା ଗ୍ରହଣ କରି ‘ଜେନ୍-ଜି’ଙ୍କ ସହ ଆଚରଣ ଓ ଉଚ୍ଚାରଣରେ ସଂଯମତା ରକ୍ଷା କରିବା ବିଧେୟ। ନହେଲେ ଦେଶକୁ ଜନସାଂଖ୍ୟିକୀୟ ଲାଭାଂଶ (ଡେମୋଗ୍ରାଫିକ୍ ଡିଭିଡେଣ୍ଡ) ମିଳିବା ପରିବର୍ତ୍ତେ ଏହିପରି ଜନସାଂଖ୍ୟିକୀୟ ଟୋଲ୍ ଦେବାକୁ ପଡ଼ିପାରେ। ଭାରତ ଏକ ଯୁବା ଦେଶ ହୋଇଥିବାରୁ ସେମାନଙ୍କ ଶିକ୍ଷା, ରୋଜଗାର ଆଦି ସମସ୍ୟାର ସମାଧାନ ଦିଗରେ ଆନ୍ତରିକ ପ୍ରୟାସ ଆବଶ୍ୟକ। ‘ଜେନ୍-ଜି’ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଯତ୍ନ ସହକାରେ ବ୍ୟବହାର କରାଯାଉ – ହ୍ୟାଣ୍ଡଲ ଉଇଥି କେୟାର୍। ଇଏ ପରା ‘ଜେନ୍-ଜି’!
Published in Sambad on August 04, 2026
Comments
Post a Comment