Skip to main content

ଓଡ଼ିଶାର ଲକ୍ଷେ କୋଟି ଟଙ୍କା ସ୍ୱାହା!

ସଂସଦର ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଛି। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ମାତ୍ର ଗୋଟିଏ ବିଲ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅନ୍ୟ ବିଲଗୁଡ଼ିକ ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ଗୁରୁତ୍ୱପୂର୍ଣ୍ଣ ‘ଖଣି ଓ ଖଣିଜ ( ବିକାଶ ଓ ନିୟାମକ) ସଂଶୋଧନ ବିଲ’ ବା ଏମ.ଏମ.ଡି.ଆର୍. ଆମେଣ୍ଡମେଣ୍ଟ ବିଲ’ ଯାହା ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କା ସ୍ୱାହା ହେବାର ଆଶଙ୍କା ସୃଷ୍ଟି ହୋଇଛି।   

ଗତ ଅଗଷ୍ଟ ୧୩ ତାରିଖ ଦିନ ଏମ.ଏମ.ଡି.ଆର୍. ସଂଶୋଧନ ବିଲ ସଂସଦର ଉଭୟ ସଦନରେ ପାରିତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ। ଏମଏମଡିଆର୍ ଆଇନ, ୧୯୫୭ର ରୟାଲଟି ସଂକ୍ରାନ୍ତୀୟ ଧାରା ୯ରେ ଆଉ ଏକ ଉପଧାରା ‘ଘ’ ଯୋଗ କରାଗଲା, ଯଦ୍ଦ୍ୱାରା ଖଣି ସମ୍ପର୍କୀୟ ଟିକସ ନିର୍ଦ୍ଧାରଣରେ ଆଉ ରାଜ୍ୟଗୁଡ଼ିକର ସ୍ୱାଧୀନତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ କଟକଣା ବାହାରକୁ ଯାଇ ରାଜ୍ୟଗୁଡ଼ିକ ଆଉ ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ଲେଭି ଇତ୍ୟାଦି ଲଗାଇପାରିବେ ନାହିଁ। କେବଳ ସେତିକି ନୁହେଁ ଅନ୍ୟ କୌଣସି ଆଇନ ବା ଅଦାଲତଙ୍କ ରାୟ ବଳରେ ଆଦାୟ ହେବାକୁ ଥିବା ବକେୟା ଦେୟ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଆଉ ଆଦାୟ କରିହେବନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହାରେ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟଗୁଡ଼ିକ ୨୦୦୫ ମସିହା ଏପ୍ରିଲ ପହିଲାରୁ ସେମାନଙ୍କ ପ୍ରାପ୍ୟ ବକେୟା ରାଶିକୁ ଆଦାୟ କରିପାରିଥାନ୍ତେ। ଏହି ସଂଶୋଧନ ଯୋଗୁଁ ସର୍ବୋଚ୍ଚ ଅଦାଲତଙ୍କ ସେହି ରାୟ ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ ଯଦ୍ଦ୍ୱାରା ରାଜ୍ୟଗୁଡ଼ିକର ସ୍ୱାର୍ଥ ଅଣଦେଖା ହେବା ସହ କମ୍ପାନୀଗୁଡ଼ିକର ହିତସାଧନ ହେବ । ଏକ ଆକଳନ ଅନୁଯାୟୀ ଏହି ସଂଶୋଧନ ଯୋଗୁଁ ସାମଗ୍ରିକ ଭାବେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ବକେୟା ପ୍ରାପ୍ୟ ହରାଇବେ ଏବଂ ତହିଁରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇ ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଏହି ଆଇନ ସଂଶୋଧନ ପଛରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ ପ୍ରମୁଖ ଖଣିଜ ସମ୍ପଦଗୁଡ଼ିକ ଅଳ୍ପ କେତେକ ରାଜ୍ୟରେ ଗଚ୍ଛିତ ଥିବାରୁ ସେହି ରାଜ୍ୟଗୁଡ଼ିକ ପ୍ରାୟ ୧୪ ପ୍ରକାର ଟିକସ, ଲେଭି, ରୟାଲଟି ଆଦି ଆଦାୟ କରୁଛନ୍ତି। ଦେଶଜ ଖଣିଜ ସମ୍ପଦର ଅହେତୁକ ଦରବୃଦ୍ଧି ଘଟୁଛି ଯଦ୍ଦ୍ୱାରା ବରଂ ବିଦେଶରୁ ଆମଦାନୀ ଶସ୍ତା ପଡ଼ୁଛି। ଫଳରେ ଦେଶରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୬ ଆର୍ଥିକ ବର୍ଷରେ ବିଦେଶରୁ ୧୦.୧୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ଆମଦାନୀ କରାଯାଇଥିଲା। ଦେଶର ଭିତ୍ତିଭୂମି ବିକାଶ, ବିନିର୍ମାଣ, ଶକ୍ତି ସୁରକ୍ଷା ଏବଂ ଅର୍ଥନୈତିକ ବିକାଶରେ ଖଣିଜ ପଦାର୍ଥର ଏକ ବଡ଼ ଭୂମିକା ଥିବାରୁ ଏହାର ମୂଲ୍ୟ ଓ ନୀତିରେ ସ୍ଥିରତା ଓ ସମାନତା ରହିଲେ ମାଇନିଙ୍ଗ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧିପାଇ ଅର୍ଥନୈତିକ ବିକାଶ ଦରବୃଦ୍ଧିରେ ସହାୟକ ହେବ। ଅବଶ୍ୟ ଭିନ୍ନ ଭିନ୍ନ ରାଜ୍ୟ ଦ୍ୱାରା ଭିନ୍ନ ଭିନ୍ନ ଟିକସ ଆଦାୟ ହେଉଥିଲେ ବି କୌଣସି ଗୋଟିଏ ରାଜ୍ୟ ୧୪ ପ୍ରକାର ଟିକସ ଆଦାୟ କରି ନଥାନ୍ତି। ତା'ଛଡ଼ା ଆମଦାନୀ ହେଉଥିବା ଖଣିଜ ମଧ୍ୟରୁ ଅଧିକାଂଶ ଖଣିଜ ବା ସେହି ଗ୍ରେଡର ଖଣିଜ (ତମ୍ୱା ପଥର, ରକ୍ ଫସଫେଟ୍, ମାଙ୍ଗାନିଜ ଇତ୍ୟାଦି) ଏଠାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ନଥିବାରୁ ଆମଦାନୀ ହୋଇଥାଏ। ତଥାପି କେନ୍ଦ୍ର ସରକାରଙ୍କ ଏହି ଯୁକ୍ତି ଗ୍ରହଣୀୟ ହୋଇପାରେ କିନ୍ତୁ ସେଥିପାଇଁ ରାଜ୍ୟଗୁଡ଼ିକୁ ସେମାନଙ୍କ ବକେୟା ପ୍ରାପ୍ୟ ଆଦାୟ କରିବାରୁ ବଞ୍ଚିତ କରିବା କେତେ ଦୂର ସମୀଚୀନ? ଉଲ୍ଲେଖଯୋଗ୍ୟ ଯେ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ଏହାଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଉଥିଲେ ବି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିନା ଆଲୋଚନାରେ ମୌଖିକ ଭୋଟରେ ସଂସଦରେ ପାରିତ ହେବା ରାଜ୍ୟଗୁଡ଼ିକର ଅଧିକାର ଓ ସଂଘୀୟ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ।              

ଓଡ଼ିଶା ସରକାରଙ୍କ ‘ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ସାମାଜିକ ଅର୍ଥନୈତିକ ବିକାଶ ଆଇନ’ (ଓରିସେଡ, ୨୦୦୪)ର ଧାରା ୩ ଅନୁଯାୟୀ ଖଣିଜ ସମ୍ପଦ ଥିବା ଜମିଗୁଡ଼ିକର ବାର୍ଷିକ ମୂଲ୍ୟ ଉପରେ ରାଜ୍ୟ ସରକାର ୨୦ ପ୍ରତିଶତ ଯାଏଁ ଲେଭି ଆଦାୟ କରିପାରିବେ। ୨୦୦୫ରେ ପ୍ରଣୀତ ନିୟମ ଅନୁଯାୟୀ ବକ୍ସାଇଟ ଜମି ଉପରେ ସର୍ବାଧିକ ୨୦ ପ୍ରତିଶତ ଓ କୋଇଲା, ଲୁହାପଥର, କ୍ରୋମ ପଥର, ମାଙ୍ଗାନିଜ ଥିବା ଜମି ଉପରେ ୧୫ ପ୍ରତିଶତ ଲେଭି ଲାଗୁହେଉଥିବା ବେଳେ ଚୂନ ଓ ଡୋଲୋମାଇଟ ଉପରେ ୧୦ ପ୍ରତିଶତ ଏବଂ ଅନ୍ୟ ଖଣିଜ ସମ୍ପଦଥିବା ଜମି ଉପରେ ୫ ପ୍ରତିଶତ ଲେଭି ଲାଗୁହେବ। ଫେବୃଆରୀ ୧, ୨୦୦୫ରେ ଓରିସେଡ ଆଇନ ଲାଗୁ ହେବା ପରେ ଓ ଏ ସଂକ୍ରାନ୍ତୀୟ ନିୟମ ପ୍ରଣୟନ ହେବା ପରେ ଏହାର ସାମ୍ୱିଧାନିକ ବୈଧତାକୁ ବିରୋଧ କରି କିଛି ଖଣି କମ୍ପାନୀ ଓଡ଼ିଶା ହାଇକୋର୍ଟଙ୍କ ହ୍ୱାରସ୍ଥ ହୋଇଥିଲେ। ସେହିବର୍ଷ ଡିସେମ୍ୱର ମାସରେ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ଅବୈଧ ଘୋଷଣା କରିବା ପରେ ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ। ସେହି ମାମଲାର ଏଯାଏଁ ଫଇସଲା ହୋଇନାହିଁ।

ମାତ୍ର ଏହି ପ୍ରସଙ୍ଗରେ ଭିନ୍ନ ଏକ ମାମଲା ‘ମିନେରାଲ ଏରିଆ ଡେଭଲପମେଣ୍ଟ ଅଥରିଟି (ମାଡା) ବନାମ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ୍)’ରେ ୨୦୨୪ ମସିହା ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ରାୟ ଅନୁସାରେ ଆଦାୟ ହେଉଥିବା ରୟାଲଟି ଟିକସ ନୁହେଁ ବରଂ ରାଜ୍ୟସରକାରଙ୍କୁ ଖଣିଜ ଉତ୍ତୋଳନ ପାଇଁ ଦିଆଯାଉଥିବା ଏକ ଅର୍ଥରାଶି ଅଟେ। ସମ୍ୱିଧାନର ଅନୁଚ୍ଛେଦ ୨୪୬ ଓ ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟସୂଚୀର ୪୯ତମ ପ୍ରବେଶ (ଏଣ୍ଟ୍ରି) ଅନୁଯାୟୀ ଖଣିଜ ସମ୍ପଦ ବହନ କରୁଥିବା ଜମି ସଂକ୍ରାନ୍ତରେ ଆଇନ ପ୍ରଣୟନ କରିବାର କ୍ଷମତା ରାଜ୍ୟ ସରକାରଙ୍କର ରହିଛି। ରାଜ୍ୟ ତା’ ଉପରେ ଟିକସ ଲଗାଇପାରିବ ଓ ଏହା ପିଛିଲା ଭାବେ ଏପ୍ରିଲ ୧, ୨୦୦୫ ମସିହାରୁ ଲାଗୁ ହେବ। ଫଳରେ ଓଡ଼ିଶା ସରକାରଙ୍କର ଖଣିଜ ସମ୍ପଦ ଥିବା ଜମି ଉପରେ ଟିକସ ଲଗାଇବା ଅଧିକାର ସାମ୍ୱିଧାନିକ ବୈଧତା ହାସଲ କଲା। କିନ୍ତୁ ଓରିସେଡ ଆଇନ, ୨୦୦୪, ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଅବୈଧ ଘୋଷିତ ହୋଇଥିବାରୁ ତାହାର ସୁପ୍ରିମକୋର୍ଟଙ୍କ ଦ୍ୱାରା ପୁନଃର୍ବୈଧୀକରଣ ନହେବା ପର‌୍ୟ୍ୟନ୍ତ ମୂଳ ଆଇନକୁ ଭିତ୍ତି କରି ରାଜ୍ୟ ସରକାର ଟିକସ ଆଦାୟ କରିବା ସମ୍ଭବ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ୨୦୨୪ ମସିହା ସେପ୍ଟେମ୍ୱର ମାସରେ ରାଜ୍ୟ ବିଧାନସଭାରେ ବିବୃତି ଦିଆଯାଇଥିଲା। ମାତ୍ର ପ୍ରାୟ ୨ ବର୍ଷ ବିତିଯାଇଥିଲେ ବି ମାମଲାର ଆଶୁ ଫଇସଲା ନହେବା ଉଦବେଗର ବିଷୟ।   

୨୦୨୪ ମସିହା ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଖଣି କମ୍ପାନୀଗୁଡ଼ିକର ବକେୟା ଦେୟକୁ ରାଜ୍ୟମାନେ ଏପ୍ରିଲ ୧, ୨୦୨୬ରୁ ଆରମ୍ଭ କରି ୧୨ଟି ବାର୍ଷିକ କିସ୍ତିରେ ଆଦାୟ କରିବେ। ଏହି ବକେୟା ରାଶି ଉପରେ ସେମାନଙ୍କୁ କୌଣସି ଜୋରିମାନା ବା ସୁଧ ଦେବାକୁ ପଡ଼ିବ ନାହିଁ। ତେବେ ଆଇନରେ ସଂଶୋଧନ ଯୋଗୁଁ ପ୍ରଭାବିତ ୧୫ଟି ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ ହେଲେ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, କେରଳ, ଆସାମ, ତେଲେଙ୍ଗାନା ଓ ଗୋଆ। ଏମାନଙ୍କ ମଧ୍ୟରୁ ଓଡ଼ିଶା ଓ ଝାଡ଼ଖଣ୍ଡ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର କ୍ଷତିର ପରିମାଣ ନିମ୍ନ, ମଧ୍ୟମ ଓ ଅତ୍ୟଧିକ ଅଟେ। ଓଡ଼ିଶାର ଖଣିଜ ଉତ୍ପାଦନର ସିଂହଭାଗ କୋଇଲା, ଲୁହାପଥର, କ୍ରୋମ ପଥର ଆଦିରୁ ହେଉଥିବାରୁ ଲେଭି ହାରକୁ ହାରାହାରି ୧୫ ପ୍ରତିଶତ ନିଆଗଲେ ୨୦୦୫-୦୬ରୁ ୨୦୨୫-୨୬ ମଧ୍ୟରେ ଓଡିଶାର ପାଇବାକୁ ଥିବା ବକେୟା ଲେଭିର ପରିମାଣ ସମୁଦାୟ ପ୍ରାୟ ୧,୧୦ ଲକ୍ଷ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି। ଆକଳନ ଅନୁଯାୟୀ ଏ ବାବଦ ଓଡ଼ିଶାର ବାର୍ଷିକ ରାଜସ୍ୱ ପ୍ରାୟ ୧୨ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହରାଇବାର ଆଶଙ୍କା ଦେଖା ଦେଇଛି। 

ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଓ ସ୍ପଷ୍ଟୀକରଣ ପରେ ଓରିସେଡ ଆଇନର ପୁନର୍ବୈଧୀକରଣ ଲାଗି ପ୍ରୟାସ ତ୍ୱରାନ୍ୱିତ କରିବା ସହ ବକେୟା ରାଶି ଆଦାୟ କରିବା ଲାଗି ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦିଷ୍ଟ କେତୋଟି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିଲା ଯେମିତି- ୧. ରାଜ୍ୟ ଆଇନ ଅନୁଯାୟୀ ବକେୟା ରାଶି ଆଦାୟ ହେବାକୁ ଥିବା ଖଣି ଲିଜଧାରୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଆଦାୟ ହେବାକୁ ଥିବା ବକେୟା ରାଶି ନିର୍ଦ୍ଧାରଣ କରିବା, ୨,. ଲିଜଧାରୀଙ୍କୁ ଖଣିୱାରି ଦେୟ ନୋଟିସ ଜାରି କରିବା ସହ ବାର୍ଷିକ କିସ୍ତିର ପରିମାଣ ସୂଚୀତ କରିବା, ୩. ଯଥାସମ୍ଭବ ମକଦ୍ଦମା, ବିବାଦ ଓ ପ୍ରତିବାଦଗୁଡ଼ିକର ଆଶୁ ସମାଧାନ କରି ଏପ୍ରିଲ ୧, ୨୦୨୬ ସୁଦ୍ଧା ପ୍ରଥମ କିସ୍ତି ଆଦାୟର ପଥ ପ୍ରଶସ୍ତ କରିବା। ଏ ଦିଗରେ ସରକାରୀ ସ୍ତରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସର୍ବସାଧାରଣରେ ତଥ୍ୟ ଉପଲବ୍ଧ ନାହିଁ। ଓରିସେଡ ଆଇନର ପୁନର୍ବୈଧୀକରଣ ସୁନିଶ୍ଚିତ କରାଯାଇ ଏପ୍ରିଲ ୧, ୨୦୨୬ ସୁଦ୍ଧା ବକେୟା ରାଶିର ପ୍ରଥମ କିସ୍ତିର ଅନ୍ତତଃ କିଛି ପରିମାଣରେ ରାଶି ଆଦାୟ ହୋଇପାରିଥିଲେ ତାହା ସରକାରଙ୍କ ଆନ୍ତରିକତାକୁ ଦର୍ଶାଇଥାନ୍ତା।

ଆଲେଖ୍ୟଟି ଲେଖା ହେବା ପର‌୍ୟ୍ୟନ୍ତ ସଂଶୋଧିତ ବିଲଟି ରାଷ୍ଟପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇ ଆଇନରେ ପରିଣତ ହୋଇନାହିଁ।  ଇତିମଧ୍ୟରେ ଝାଡ଼ଖଣ୍ଡ ଓ କେରଳ ରାଜ୍ୟ ସଂଶୋଧିତ ବିଲକୁ ଖୋଲାଖୋଲି ବିରୋଧ କଲେଣି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତ ବିଲଟିର ପୁନର୍ବିବେଚନା ଲାଗି ସଂସଦକୁ ଫେରାଇଦେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଜରିଆରେ ଅନୁରୋଧ କରିସାରିଲେଣି। ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଅନୁରୂପ ଅନୁରୋଧ କରିବାର ଆବଶ୍ୟକତା ଅନୁଭୂତ ହେଉଛି। ଏହି ସଂଶୋଧନ ଯୋଗୁଁ ପ୍ରମୁଖ ଖଣିଜ ଉତ୍ପାଦନକାରୀ ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ଼ ପରି ଆଦିବାସୀ ଅଧ୍ୟୁଷିତ ରାଜ୍ୟଗୁଡ଼ିକ ସର୍ବାଧିକ ପ୍ରଭାବିତ ହେଉଥିବାରୁ ବିଲଟି ଉପରେ ସଂସଦରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ତେଣୁ ରାଷ୍ଟ୍ରପତି ବିଲଟିକୁ ସଂସଦର ପୁନର୍ବିବେଚନା ପାଇଁ ଫେରାଇ ଦେଲେ ତାହା ବିସ୍ତୃତ ଆଲୋଚନା ହୋଇ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ୱାର୍ଥରକ୍ଷାରେ ସହାୟକ ହୁଅନ୍ତା।

ଏମ.ଏମ.ଡି.ଆର. ଆଇନରେ ସଂଶୋଧନ ଯୋଗୁଁ ବିପୁଳ ରାଜସ୍ୱ ହ୍ରାସ ପାଇ ଓଡ଼ିଶାର ବ୍ୟାପକ କ୍ଷତି ସାଧନ ହେବାର ଆଶଙ୍କା ଥିବାରୁ ରାଜନେତାମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟର ସ୍ୱାର୍ଥରକ୍ଷା ଲାଗି ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ନିକଟ ଅତୀତରେ ରାଜ୍ୟର ଦାରିଦ୍ର‌୍ୟ ଓ ଅନଗ୍ରସରତାକୁ ଆଖି ଆଗରେ ରଖି କେନ୍ଦ୍ରରୁ କିଛି ଅତିରିକ୍ତ ସୁବିଧା ସୁଯୋଗ ହାସଲ କରିବା ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦାବି ହେଉଥିଲା। ତାହା ମିଳିବା ତ ଦୂରର କଥା ଏହି ସଂଶୋଧନ ଯୋଗୁଁ ରାଜ୍ୟ ତାର ନ୍ୟାଯ୍ୟ ପ୍ରାପ୍ୟରୁ ମଧ୍ୟ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହେବା ଚିନ୍ତାଜନକ। ସୁପ୍ରିମକୋର୍ଟର ୯ ଜଣିଆ ସମ୍ୱିଧାନିକ ଖଣ୍ଡପୀଠଙ୍କ ରାୟ ଅନୁସାରେ ଖଣିଜ ସମ୍ପଦ ଥିବା ଜମି ଉପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଟିକସ ଲଗାଇବାର ସାମ୍ୱିଧାନିକ ଅଧିକାର ରହିଛି। ଏହି ସଂଶୋଧିତ ଆଇନ ଯୋଗୁଁ ରାଜ୍ୟଗୁଡ଼ିକର ସେହି ଅଧିକାରର ହନନ ହେଉଥିବା ପ୍ରତୀତ ହେଉଛି। ତେଣୁ ଆବଶ୍ୟକତା ଉପୁଜିଲେ ରାଜ୍ୟର ସେହି ସାମ୍ୱିଧାନିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଇନଗତ ପରାମର୍ଶ ପୂର୍ବକ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିବା ଉଚିତ।           

Published in Sambad on August 18, 2026

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...