ସଂସଦର ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଛି। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ମାତ୍ର ଗୋଟିଏ ବିଲ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅନ୍ୟ ବିଲଗୁଡ଼ିକ ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ଗୁରୁତ୍ୱପୂର୍ଣ୍ଣ ‘ଖଣି ଓ ଖଣିଜ ( ବିକାଶ ଓ ନିୟାମକ) ସଂଶୋଧନ ବିଲ’ ବା ଏମ.ଏମ.ଡି.ଆର୍. ଆମେଣ୍ଡମେଣ୍ଟ ବିଲ’ ଯାହା ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କା ସ୍ୱାହା ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଗତ ଅଗଷ୍ଟ ୧୩ ତାରିଖ ଦିନ ଏମ.ଏମ.ଡି.ଆର୍. ସଂଶୋଧନ ବିଲ ସଂସଦର ଉଭୟ ସଦନରେ ପାରିତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ। ଏମଏମଡିଆର୍ ଆଇନ, ୧୯୫୭ର ରୟାଲଟି ସଂକ୍ରାନ୍ତୀୟ ଧାରା ୯ରେ ଆଉ ଏକ ଉପଧାରା ‘ଘ’ ଯୋଗ କରାଗଲା, ଯଦ୍ଦ୍ୱାରା ଖଣି ସମ୍ପର୍କୀୟ ଟିକସ ନିର୍ଦ୍ଧାରଣରେ ଆଉ ରାଜ୍ୟଗୁଡ଼ିକର ସ୍ୱାଧୀନତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ କଟକଣା ବାହାରକୁ ଯାଇ ରାଜ୍ୟଗୁଡ଼ିକ ଆଉ ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ଲେଭି ଇତ୍ୟାଦି ଲଗାଇପାରିବେ ନାହିଁ। କେବଳ ସେତିକି ନୁହେଁ ଅନ୍ୟ କୌଣସି ଆଇନ ବା ଅଦାଲତଙ୍କ ରାୟ ବଳରେ ଆଦାୟ ହେବାକୁ ଥିବା ବକେୟା ଦେୟ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଆଉ ଆଦାୟ କରିହେବନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହାରେ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟଗୁଡ଼ିକ ୨୦୦୫ ମସିହା ଏପ୍ରିଲ ପହିଲାରୁ ସେମାନଙ୍କ ପ୍ରାପ୍ୟ ବକେୟା ରାଶିକୁ ଆଦାୟ କରିପାରିଥାନ୍ତେ। ଏହି ସଂଶୋଧନ ଯୋଗୁଁ ସର୍ବୋଚ୍ଚ ଅଦାଲତଙ୍କ ସେହି ରାୟ ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ ଯଦ୍ଦ୍ୱାରା ରାଜ୍ୟଗୁଡ଼ିକର ସ୍ୱାର୍ଥ ଅଣଦେଖା ହେବା ସହ କମ୍ପାନୀଗୁଡ଼ିକର ହିତସାଧନ ହେବ । ଏକ ଆକଳନ ଅନୁଯାୟୀ ଏହି ସଂଶୋଧନ ଯୋଗୁଁ ସାମଗ୍ରିକ ଭାବେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ବକେୟା ପ୍ରାପ୍ୟ ହରାଇବେ ଏବଂ ତହିଁରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇ ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଏହି ଆଇନ ସଂଶୋଧନ ପଛରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ ପ୍ରମୁଖ ଖଣିଜ ସମ୍ପଦଗୁଡ଼ିକ ଅଳ୍ପ କେତେକ ରାଜ୍ୟରେ ଗଚ୍ଛିତ ଥିବାରୁ ସେହି ରାଜ୍ୟଗୁଡ଼ିକ ପ୍ରାୟ ୧୪ ପ୍ରକାର ଟିକସ, ଲେଭି, ରୟାଲଟି ଆଦି ଆଦାୟ କରୁଛନ୍ତି। ଦେଶଜ ଖଣିଜ ସମ୍ପଦର ଅହେତୁକ ଦରବୃଦ୍ଧି ଘଟୁଛି ଯଦ୍ଦ୍ୱାରା ବରଂ ବିଦେଶରୁ ଆମଦାନୀ ଶସ୍ତା ପଡ଼ୁଛି। ଫଳରେ ଦେଶରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୬ ଆର୍ଥିକ ବର୍ଷରେ ବିଦେଶରୁ ୧୦.୧୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ଆମଦାନୀ କରାଯାଇଥିଲା। ଦେଶର ଭିତ୍ତିଭୂମି ବିକାଶ, ବିନିର୍ମାଣ, ଶକ୍ତି ସୁରକ୍ଷା ଏବଂ ଅର୍ଥନୈତିକ ବିକାଶରେ ଖଣିଜ ପଦାର୍ଥର ଏକ ବଡ଼ ଭୂମିକା ଥିବାରୁ ଏହାର ମୂଲ୍ୟ ଓ ନୀତିରେ ସ୍ଥିରତା ଓ ସମାନତା ରହିଲେ ମାଇନିଙ୍ଗ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧିପାଇ ଅର୍ଥନୈତିକ ବିକାଶ ଦରବୃଦ୍ଧିରେ ସହାୟକ ହେବ। ଅବଶ୍ୟ ଭିନ୍ନ ଭିନ୍ନ ରାଜ୍ୟ ଦ୍ୱାରା ଭିନ୍ନ ଭିନ୍ନ ଟିକସ ଆଦାୟ ହେଉଥିଲେ ବି କୌଣସି ଗୋଟିଏ ରାଜ୍ୟ ୧୪ ପ୍ରକାର ଟିକସ ଆଦାୟ କରି ନଥାନ୍ତି। ତା'ଛଡ଼ା ଆମଦାନୀ ହେଉଥିବା ଖଣିଜ ମଧ୍ୟରୁ ଅଧିକାଂଶ ଖଣିଜ ବା ସେହି ଗ୍ରେଡର ଖଣିଜ (ତମ୍ୱା ପଥର, ରକ୍ ଫସଫେଟ୍, ମାଙ୍ଗାନିଜ ଇତ୍ୟାଦି) ଏଠାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ନଥିବାରୁ ଆମଦାନୀ ହୋଇଥାଏ। ତଥାପି କେନ୍ଦ୍ର ସରକାରଙ୍କ ଏହି ଯୁକ୍ତି ଗ୍ରହଣୀୟ ହୋଇପାରେ କିନ୍ତୁ ସେଥିପାଇଁ ରାଜ୍ୟଗୁଡ଼ିକୁ ସେମାନଙ୍କ ବକେୟା ପ୍ରାପ୍ୟ ଆଦାୟ କରିବାରୁ ବଞ୍ଚିତ କରିବା କେତେ ଦୂର ସମୀଚୀନ? ଉଲ୍ଲେଖଯୋଗ୍ୟ ଯେ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ଏହାଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଉଥିଲେ ବି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିନା ଆଲୋଚନାରେ ମୌଖିକ ଭୋଟରେ ସଂସଦରେ ପାରିତ ହେବା ରାଜ୍ୟଗୁଡ଼ିକର ଅଧିକାର ଓ ସଂଘୀୟ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ।
ଓଡ଼ିଶା ସରକାରଙ୍କ ‘ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ସାମାଜିକ ଅର୍ଥନୈତିକ ବିକାଶ ଆଇନ’ (ଓରିସେଡ, ୨୦୦୪)ର ଧାରା ୩ ଅନୁଯାୟୀ ଖଣିଜ ସମ୍ପଦ ଥିବା ଜମିଗୁଡ଼ିକର ବାର୍ଷିକ ମୂଲ୍ୟ ଉପରେ ରାଜ୍ୟ ସରକାର ୨୦ ପ୍ରତିଶତ ଯାଏଁ ଲେଭି ଆଦାୟ କରିପାରିବେ। ୨୦୦୫ରେ ପ୍ରଣୀତ ନିୟମ ଅନୁଯାୟୀ ବକ୍ସାଇଟ ଜମି ଉପରେ ସର୍ବାଧିକ ୨୦ ପ୍ରତିଶତ ଓ କୋଇଲା, ଲୁହାପଥର, କ୍ରୋମ ପଥର, ମାଙ୍ଗାନିଜ ଥିବା ଜମି ଉପରେ ୧୫ ପ୍ରତିଶତ ଲେଭି ଲାଗୁହେଉଥିବା ବେଳେ ଚୂନ ଓ ଡୋଲୋମାଇଟ ଉପରେ ୧୦ ପ୍ରତିଶତ ଏବଂ ଅନ୍ୟ ଖଣିଜ ସମ୍ପଦଥିବା ଜମି ଉପରେ ୫ ପ୍ରତିଶତ ଲେଭି ଲାଗୁହେବ। ଫେବୃଆରୀ ୧, ୨୦୦୫ରେ ଓରିସେଡ ଆଇନ ଲାଗୁ ହେବା ପରେ ଓ ଏ ସଂକ୍ରାନ୍ତୀୟ ନିୟମ ପ୍ରଣୟନ ହେବା ପରେ ଏହାର ସାମ୍ୱିଧାନିକ ବୈଧତାକୁ ବିରୋଧ କରି କିଛି ଖଣି କମ୍ପାନୀ ଓଡ଼ିଶା ହାଇକୋର୍ଟଙ୍କ ହ୍ୱାରସ୍ଥ ହୋଇଥିଲେ। ସେହିବର୍ଷ ଡିସେମ୍ୱର ମାସରେ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ଅବୈଧ ଘୋଷଣା କରିବା ପରେ ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ। ସେହି ମାମଲାର ଏଯାଏଁ ଫଇସଲା ହୋଇନାହିଁ।
ମାତ୍ର ଏହି ପ୍ରସଙ୍ଗରେ ଭିନ୍ନ ଏକ ମାମଲା ‘ମିନେରାଲ ଏରିଆ ଡେଭଲପମେଣ୍ଟ ଅଥରିଟି (ମାଡା) ବନାମ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ୍)’ରେ ୨୦୨୪ ମସିହା ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ରାୟ ଅନୁସାରେ ଆଦାୟ ହେଉଥିବା ରୟାଲଟି ଟିକସ ନୁହେଁ ବରଂ ରାଜ୍ୟସରକାରଙ୍କୁ ଖଣିଜ ଉତ୍ତୋଳନ ପାଇଁ ଦିଆଯାଉଥିବା ଏକ ଅର୍ଥରାଶି ଅଟେ। ସମ୍ୱିଧାନର ଅନୁଚ୍ଛେଦ ୨୪୬ ଓ ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟସୂଚୀର ୪୯ତମ ପ୍ରବେଶ (ଏଣ୍ଟ୍ରି) ଅନୁଯାୟୀ ଖଣିଜ ସମ୍ପଦ ବହନ କରୁଥିବା ଜମି ସଂକ୍ରାନ୍ତରେ ଆଇନ ପ୍ରଣୟନ କରିବାର କ୍ଷମତା ରାଜ୍ୟ ସରକାରଙ୍କର ରହିଛି। ରାଜ୍ୟ ତା’ ଉପରେ ଟିକସ ଲଗାଇପାରିବ ଓ ଏହା ପିଛିଲା ଭାବେ ଏପ୍ରିଲ ୧, ୨୦୦୫ ମସିହାରୁ ଲାଗୁ ହେବ। ଫଳରେ ଓଡ଼ିଶା ସରକାରଙ୍କର ଖଣିଜ ସମ୍ପଦ ଥିବା ଜମି ଉପରେ ଟିକସ ଲଗାଇବା ଅଧିକାର ସାମ୍ୱିଧାନିକ ବୈଧତା ହାସଲ କଲା। କିନ୍ତୁ ଓରିସେଡ ଆଇନ, ୨୦୦୪, ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଅବୈଧ ଘୋଷିତ ହୋଇଥିବାରୁ ତାହାର ସୁପ୍ରିମକୋର୍ଟଙ୍କ ଦ୍ୱାରା ପୁନଃର୍ବୈଧୀକରଣ ନହେବା ପର୍ୟ୍ୟନ୍ତ ମୂଳ ଆଇନକୁ ଭିତ୍ତି କରି ରାଜ୍ୟ ସରକାର ଟିକସ ଆଦାୟ କରିବା ସମ୍ଭବ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ୨୦୨୪ ମସିହା ସେପ୍ଟେମ୍ୱର ମାସରେ ରାଜ୍ୟ ବିଧାନସଭାରେ ବିବୃତି ଦିଆଯାଇଥିଲା। ମାତ୍ର ପ୍ରାୟ ୨ ବର୍ଷ ବିତିଯାଇଥିଲେ ବି ମାମଲାର ଆଶୁ ଫଇସଲା ନହେବା ଉଦବେଗର ବିଷୟ।
୨୦୨୪ ମସିହା ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଖଣି କମ୍ପାନୀଗୁଡ଼ିକର ବକେୟା ଦେୟକୁ ରାଜ୍ୟମାନେ ଏପ୍ରିଲ ୧, ୨୦୨୬ରୁ ଆରମ୍ଭ କରି ୧୨ଟି ବାର୍ଷିକ କିସ୍ତିରେ ଆଦାୟ କରିବେ। ଏହି ବକେୟା ରାଶି ଉପରେ ସେମାନଙ୍କୁ କୌଣସି ଜୋରିମାନା ବା ସୁଧ ଦେବାକୁ ପଡ଼ିବ ନାହିଁ। ତେବେ ଆଇନରେ ସଂଶୋଧନ ଯୋଗୁଁ ପ୍ରଭାବିତ ୧୫ଟି ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ ହେଲେ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, କେରଳ, ଆସାମ, ତେଲେଙ୍ଗାନା ଓ ଗୋଆ। ଏମାନଙ୍କ ମଧ୍ୟରୁ ଓଡ଼ିଶା ଓ ଝାଡ଼ଖଣ୍ଡ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର କ୍ଷତିର ପରିମାଣ ନିମ୍ନ, ମଧ୍ୟମ ଓ ଅତ୍ୟଧିକ ଅଟେ। ଓଡ଼ିଶାର ଖଣିଜ ଉତ୍ପାଦନର ସିଂହଭାଗ କୋଇଲା, ଲୁହାପଥର, କ୍ରୋମ ପଥର ଆଦିରୁ ହେଉଥିବାରୁ ଲେଭି ହାରକୁ ହାରାହାରି ୧୫ ପ୍ରତିଶତ ନିଆଗଲେ ୨୦୦୫-୦୬ରୁ ୨୦୨୫-୨୬ ମଧ୍ୟରେ ଓଡିଶାର ପାଇବାକୁ ଥିବା ବକେୟା ଲେଭିର ପରିମାଣ ସମୁଦାୟ ପ୍ରାୟ ୧,୧୦ ଲକ୍ଷ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି। ଆକଳନ ଅନୁଯାୟୀ ଏ ବାବଦ ଓଡ଼ିଶାର ବାର୍ଷିକ ରାଜସ୍ୱ ପ୍ରାୟ ୧୨ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହରାଇବାର ଆଶଙ୍କା ଦେଖା ଦେଇଛି।
ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଓ ସ୍ପଷ୍ଟୀକରଣ ପରେ ଓରିସେଡ ଆଇନର ପୁନର୍ବୈଧୀକରଣ ଲାଗି ପ୍ରୟାସ ତ୍ୱରାନ୍ୱିତ କରିବା ସହ ବକେୟା ରାଶି ଆଦାୟ କରିବା ଲାଗି ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦିଷ୍ଟ କେତୋଟି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିଲା ଯେମିତି- ୧. ରାଜ୍ୟ ଆଇନ ଅନୁଯାୟୀ ବକେୟା ରାଶି ଆଦାୟ ହେବାକୁ ଥିବା ଖଣି ଲିଜଧାରୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଆଦାୟ ହେବାକୁ ଥିବା ବକେୟା ରାଶି ନିର୍ଦ୍ଧାରଣ କରିବା, ୨,. ଲିଜଧାରୀଙ୍କୁ ଖଣିୱାରି ଦେୟ ନୋଟିସ ଜାରି କରିବା ସହ ବାର୍ଷିକ କିସ୍ତିର ପରିମାଣ ସୂଚୀତ କରିବା, ୩. ଯଥାସମ୍ଭବ ମକଦ୍ଦମା, ବିବାଦ ଓ ପ୍ରତିବାଦଗୁଡ଼ିକର ଆଶୁ ସମାଧାନ କରି ଏପ୍ରିଲ ୧, ୨୦୨୬ ସୁଦ୍ଧା ପ୍ରଥମ କିସ୍ତି ଆଦାୟର ପଥ ପ୍ରଶସ୍ତ କରିବା। ଏ ଦିଗରେ ସରକାରୀ ସ୍ତରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସର୍ବସାଧାରଣରେ ତଥ୍ୟ ଉପଲବ୍ଧ ନାହିଁ। ଓରିସେଡ ଆଇନର ପୁନର୍ବୈଧୀକରଣ ସୁନିଶ୍ଚିତ କରାଯାଇ ଏପ୍ରିଲ ୧, ୨୦୨୬ ସୁଦ୍ଧା ବକେୟା ରାଶିର ପ୍ରଥମ କିସ୍ତିର ଅନ୍ତତଃ କିଛି ପରିମାଣରେ ରାଶି ଆଦାୟ ହୋଇପାରିଥିଲେ ତାହା ସରକାରଙ୍କ ଆନ୍ତରିକତାକୁ ଦର୍ଶାଇଥାନ୍ତା।
ଆଲେଖ୍ୟଟି ଲେଖା ହେବା ପର୍ୟ୍ୟନ୍ତ ସଂଶୋଧିତ ବିଲଟି ରାଷ୍ଟପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇ ଆଇନରେ ପରିଣତ ହୋଇନାହିଁ। ଇତିମଧ୍ୟରେ ଝାଡ଼ଖଣ୍ଡ ଓ କେରଳ ରାଜ୍ୟ ସଂଶୋଧିତ ବିଲକୁ ଖୋଲାଖୋଲି ବିରୋଧ କଲେଣି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତ ବିଲଟିର ପୁନର୍ବିବେଚନା ଲାଗି ସଂସଦକୁ ଫେରାଇଦେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଜରିଆରେ ଅନୁରୋଧ କରିସାରିଲେଣି। ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଅନୁରୂପ ଅନୁରୋଧ କରିବାର ଆବଶ୍ୟକତା ଅନୁଭୂତ ହେଉଛି। ଏହି ସଂଶୋଧନ ଯୋଗୁଁ ପ୍ରମୁଖ ଖଣିଜ ଉତ୍ପାଦନକାରୀ ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ଼ ପରି ଆଦିବାସୀ ଅଧ୍ୟୁଷିତ ରାଜ୍ୟଗୁଡ଼ିକ ସର୍ବାଧିକ ପ୍ରଭାବିତ ହେଉଥିବାରୁ ବିଲଟି ଉପରେ ସଂସଦରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ତେଣୁ ରାଷ୍ଟ୍ରପତି ବିଲଟିକୁ ସଂସଦର ପୁନର୍ବିବେଚନା ପାଇଁ ଫେରାଇ ଦେଲେ ତାହା ବିସ୍ତୃତ ଆଲୋଚନା ହୋଇ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ୱାର୍ଥରକ୍ଷାରେ ସହାୟକ ହୁଅନ୍ତା।
ଏମ.ଏମ.ଡି.ଆର. ଆଇନରେ ସଂଶୋଧନ ଯୋଗୁଁ ବିପୁଳ ରାଜସ୍ୱ ହ୍ରାସ ପାଇ ଓଡ଼ିଶାର ବ୍ୟାପକ କ୍ଷତି ସାଧନ ହେବାର ଆଶଙ୍କା ଥିବାରୁ ରାଜନେତାମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟର ସ୍ୱାର୍ଥରକ୍ଷା ଲାଗି ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ନିକଟ ଅତୀତରେ ରାଜ୍ୟର ଦାରିଦ୍ର୍ୟ ଓ ଅନଗ୍ରସରତାକୁ ଆଖି ଆଗରେ ରଖି କେନ୍ଦ୍ରରୁ କିଛି ଅତିରିକ୍ତ ସୁବିଧା ସୁଯୋଗ ହାସଲ କରିବା ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦାବି ହେଉଥିଲା। ତାହା ମିଳିବା ତ ଦୂରର କଥା ଏହି ସଂଶୋଧନ ଯୋଗୁଁ ରାଜ୍ୟ ତାର ନ୍ୟାଯ୍ୟ ପ୍ରାପ୍ୟରୁ ମଧ୍ୟ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହେବା ଚିନ୍ତାଜନକ। ସୁପ୍ରିମକୋର୍ଟର ୯ ଜଣିଆ ସମ୍ୱିଧାନିକ ଖଣ୍ଡପୀଠଙ୍କ ରାୟ ଅନୁସାରେ ଖଣିଜ ସମ୍ପଦ ଥିବା ଜମି ଉପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଟିକସ ଲଗାଇବାର ସାମ୍ୱିଧାନିକ ଅଧିକାର ରହିଛି। ଏହି ସଂଶୋଧିତ ଆଇନ ଯୋଗୁଁ ରାଜ୍ୟଗୁଡ଼ିକର ସେହି ଅଧିକାରର ହନନ ହେଉଥିବା ପ୍ରତୀତ ହେଉଛି। ତେଣୁ ଆବଶ୍ୟକତା ଉପୁଜିଲେ ରାଜ୍ୟର ସେହି ସାମ୍ୱିଧାନିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଇନଗତ ପରାମର୍ଶ ପୂର୍ବକ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିବା ଉଚିତ।
Comments
Post a Comment