ଭାରତ ସରକାରଙ୍କ ଅଧୀନସ୍ଥ ତୈଳ ବିତରଣ କମ୍ପାନି ଭାରତ ପେଟ୍ରୋଲିଅମ (ବିପିସିଏଲ୍)ର ଲୋଗୋ ହେଉଛି ‘ପିଓର ଫର ସିଓର’ ବା ‘ନିଶ୍ଚିତ ରୂପେ ଖାଣ୍ଟି’। ପାଣିମିଶା କ୍ଷୀରକୁ କ୍ଷୀରବାଲା ଖାଣ୍ଟି କ୍ଷୀର କହିବା ଯାହା, ଏଣିକି ଭାରତରେ ପେଟ୍ରୋଲକୁ ଖାଣ୍ଟି ପେଟ୍ରୋଲ ବୋଲି ଦାବି କରିବା ତାହା। ହୁଏତ ବିପିସିଏଲ୍ କମ୍ପାନିକୁ ଅଚିରେ ତା’ର ଲୋଗୋ ବଦଳାଇବାକୁ ପଡ଼ିପାରେ। କାରଣ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ କୌଣସି ପେଟ୍ରୋଲ ପମ୍ପରେ ଆଉ ଖାଣ୍ଟି ପେଟ୍ରୋଲ ମିଳୁନାହି। ଏଣିକି ଅଳ୍ପ କେତେକ ସ୍ଥାନରେ ମିଳୁଥିବା ପ୍ରିମିଅମ ପେଟ୍ରୋଲକୁ ବାଦ୍ ଦେଇ ସର୍ବତ୍ର ବାଧ୍ୟତାମୂଳକ ଭାବେ କେବଳ ୨୦ ପ୍ରତିଶତ ଇଥାନଲ ମିଶା ଇ-୨୦ ପେଟ୍ରୋଲ ହିଁ ଉପଲବ୍ଧ, ଯାହାକୁ ଜଣେ କିଣିବାକୁ ବାଧ୍ୟ। ଏହାର ଅର୍ଥ ୫ ଲିଟର ପେଟ୍ରୋଲ କିଣିଲେ ଘୋଷିତ ରୂପେ ସେଥିରେ ଏକ ଲିଟର ଇଥାନଲ ନିଶ୍ଟିତ ମିଶାଯାଇଥିବ। ଏହି ପ୍ରସଙ୍ଗ ଜନସ୍ୱାର୍ଥ ସମ୍ୱଳିତ ହୋଇଥିବାରୁ ଇଥାନଲ ମିଶ୍ରଣର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣ ଅବଗତ ହେବା ଜରୁରି।
ଜୀବଶ୍ମ ଇନ୍ଧନର ଭଣ୍ଡାର ହ୍ରାସ ପାଇବା, ଅଶୋଧିତ ତେଲ ଦରରେ ମାତ୍ରାଧିକ ଅସ୍ଥିରତା ଓ ପରିବେଶ ସଂକ୍ରାନ୍ତ କଡ଼ା ନିୟମ ଆଦି ଯୋଗୁଁ ସାରା ବିଶ୍ୱ ଏବେ ବିକଳ୍ପ ଇନ୍ଧନର ସନ୍ଧାନ ଲାଗି ବାଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ତେଲରେ ଇଥାନଲ ମିଶ୍ରଣ ଏକ ଗ୍ରହଣୀୟ ବିକଳ୍ପ ଭାବେ ଆଦୃତି ଲାଭ କରିଛି। ତେବେ ଇଥାନଲ ମିଶ୍ରଣ କ୍ଷେତ୍ରରେ ଅଗ୍ରଣୀ କୁହାଯାଉଥିବା ବ୍ରାଜିଲରେ ସଂଗଠିତ ଭାବେ ଏହି କାର୍ଯ୍ୟ ୧୯୭୫ ମସିହାରୁ ହୋଇଆସୁଛି। ବର୍ତ୍ତମାନ ସେଠାରେ ୩୦ ପ୍ରତିଶତ ଇଥାନଲ ମିଶା ଇ-୩୦ ତେଲ ମାନକ ଇନ୍ଧନ ରୂପେ ଉପଲବ୍ଧ । ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଚୀନ, ଜର୍ମାନୀ, ସ୍ୱିଡେନ, ପାରାଗୁଏ, ଆର୍ଜେଣ୍ଟିନା ଆଦି ଅନେକ ଦେଶରେ ଇ-୧୦ ସ୍ତରର ଇଥାନଲ ମିଶ୍ରତ ତେଲ ମିଳୁଛି। ଆମେରିକା, ଫିଲିପାଇନ୍ସ, ଥାଇଲାଣ୍ତ, ଭଳି ଦେଶରେ ଇ-୨୦ ବା ତଦୂର୍ଦ୍ଧ୍ୱ ଗ୍ରେଡର ଇନ୍ଧନ ଉପଲବ୍ଧ ଥିଲେ ହେଁ ତାହା ମାନକ ଇନ୍ଧନ ବା ବାଧ୍ୟତାମୂଳକ ନୁହେଁ। ଏପରି ସ୍ଥଳେ ଭାରତର ଉପଭୋକ୍ତାଙ୍କୁ କୌଣସି ବିକଳ୍ପ ନ ଦେଇ ଇ-୨୦ ଇନ୍ଧନକୁ ବାଧ୍ୟତାମୂଳକ କରାଯିବା ସମୀଚୀନ କି?
ଇଥାନଲ ଏକ ପ୍ରମୁଖ ଜୈବ ଇନ୍ଧନ ଯାହା ସାଧାରଣତଃ ଆଖୁ, ମକା ଓ ଅନ୍ୟ ଖାଦ୍ୟ ପଦାର୍ଥର ପୋଚରୁ ପ୍ରସ୍ତୁତ ହୋଇଥାଏ। ସାରା ବିଶ୍ୱରେ ଉତ୍ପାଦିତ ୧୨୦୦୦ କୋଟି ଲିଟର ଇଥାନଲ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ କେବଳ ଆମେରିକା ଓ ବ୍ରାଜିଲରେ ଉତ୍ପାଦନ ହେଉଛି। ସରକାରୀ ନୀତି ମାଧ୍ୟମରେ ଇଥାନଲ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବା ପରେ ଭାରତରେ ମଧ୍ୟ ଏହାର ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇ ପ୍ରାୟ ୧୦୦୦ କୋଟି ଲିଟରରେ ପହଞ୍ଚିଲାଣି ଓ ୮ ପ୍ରତିଶତ ଉତ୍ପାଦନ ସହ ଭାରତ ତୃତୀୟ ସ୍ଥାନ ଅଧିକାର କଲାଣି।
ଭାରତରେ ୨୦୦୩ ମସିହାରୁ ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେତେବେଳେ ପରୀକ୍ଷାମୂଳକ ଭାବେ ପେଟ୍ରୋଲରେ ମାତ୍ର ୫ ପ୍ରତିଶତ ଇଥାନଲ ମିଶାଯାଉଥିଲା। ତେବେ ଏପ୍ରିଲ ୨୦୧୯ ମସିହାରୁ ୧୦ ପ୍ରତିଶତ ଇଥାନଲ ମିଶାଗଲା। ୨୦୨୩ ମସିହା ଏପ୍ରିଲ ମାସରୁ ତାହା ୨୦ ପ୍ରତିଶତ କରିବାକୁ ନିଷ୍ପତ୍ତି ନିଆଗଲା। ୨୦୨୫ ମସିହା ଶେଷ ସୁଦ୍ଧା ସାରା ଦେଶରେ ଅନିବାର୍ୟ୍ୟ ଭାବେ ଇ-୨୦ ପେଟ୍ରୋଲର ପ୍ରଚଳନ କରାଗଲା। ଗାଡ଼ି ନିର୍ମାତା କମ୍ପାନିଗୁଡ଼ିକ ୨୦୨୩ ମସିହା ଏପ୍ରିଲ ମାସରୁ ଇ-୧୦ ଇନ୍ଧନ ସହଣୀ ଇଞ୍ଜିନ ବିଶିଷ୍ଟ ଗାଡ଼ି ବଜାରକୁ ଛାଡ଼ିଲେ ଯାହା ଆବଶ୍ୟକ ସ୍ଥଳେ ଇ-୨୦ ତେଲରେ ବି ଚାଲିପାରିବ। ୨୦୨୫ ମସିହା ଏପ୍ରିଲ ମାସରୁ ଇ-୨୦ରେ ଚାଲି ପାରିବା ଭଳି ଗାଡ଼ି ବଜାରକୁ ଆସିଲା। ଅର୍ଥାତ୍ ଏପ୍ରିଲ ୨୦୨୩ ପୂର୍ବର ସବୁ ଗାଡ଼ି କେବଳ ଖାଣ୍ଟି ପେଟ୍ରୋଲରେ ବା ଇ-୧୦ ପେଟ୍ରୋଲରେ ଚାଲିବା ପାଇଁ ଉପଯୁକ୍ତ।
ଏଠାରେ ପ୍ରଶ୍ନ ଉଠିଛି ପେଟ୍ରୋଲରେ ଇଥାନଲର ମାତ୍ରା ବୃଦ୍ଧି ପାଇଥିବା ବେଳେ ଇ-୨୦ ପେଟ୍ରୋଲର ଦର ହ୍ରାସ ପାଉନାହିଁ କାହିଁକି? ପେଟ୍ରୋଲରେ ମିଶ୍ରଣ ହେଉଥିବା ଇଥାନଲକୁ ହାରାହାରି ୭୧ ଟଙ୍କା ପ୍ରତି ଲିଟର ଦରରେ ସଂଗ୍ରହ କରାଯାଉଛି। ଅଶୋଧିତ ତେଲର ଅନ୍ତର୍ଜାତୀୟ ଦର ଅସ୍ଥିର ରହୁଥିବା ବେଳେ ଘରୋଇ ଭାବେ ସଂଗୃହୀତ ଇଥାନଲ ଦର ବର୍ଷେ ଯାଏଁ ଅପରିବର୍ତ୍ତିତ ରହିଥାଏ। ଅର୍ଥାତ୍ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ଖସି ଆସି ୭୦ ଡଲାରରେ ପହଞ୍ଚିଲେ ତାହା ଇଥାନଲ ତୁଳନାରେ ଶସ୍ତା ହେଉଥିବାରୁ ଇଥାନଲ ମିଶା ଇ-୨୦ ପେଟ୍ରୋଲର ଦର ମହଙ୍ଗା ହେବ। ଅନ୍ୟପକ୍ଷରେ ଅଶୋଧିତ ତେଲର ଦର ୧୦୦ ଡଲାରରୁ ଅଧିକ ହେଲେ ଇଥାନଲ ମିଶା ପେଟ୍ରୋଲର ଦର ଅପେକ୍ଷାକୃତ କମ ହେବା କଥା। କିନ୍ତୁ ଜଣାପଡ଼ୁଛି ଯେ ପେଟ୍ରୋଲ ଦରକୁ କମ୍ କରିବା ଅପେକ୍ଷା ସ୍ଥିର ରଖିବା ଉପରେ ଅଧିକ ଗୁରୁତ୍ୱ ଦେଇ ସରକାର ଦର କମାଉନାହାନ୍ତି। ତା’ ଛଡ଼ା ଇଥାନଲ୍ ମିଶ୍ରଣ ଯୋଗୁଁ ସେହି ପରିମାଣର ତେଲ ଆମଦାନି ହ୍ରାସ ପାଇଲେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ହ୍ରାସ ପାଇବା ସହ ଇନ୍ଧନ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଆରମ୍ଭରୁ ଏଯାଏଁ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିଛି। ଇଥାନଲର ସଂଗ୍ରହ ଦର ହ୍ରାସ ନପାଇଲେ ଇ-୨୦ ପେଟ୍ରୋଲ ଦର ହ୍ରାସ ପାଇବା ସମ୍ଭବ ନୁହେଁ। ଏବେ ଭାରତରେ ଉତ୍ପାଦିତ ଇଥାନଲର ପ୍ରାୟ ୪୫ ପ୍ରତିଶତ ମକାରୁ ଆସୁଥିବା ବେଳେ ୨୫ ପ୍ରତିଶତ ଆଖୁ ରସରୁ ଓ ୨୦ ପ୍ରତିଶତ ‘ବି-ହେଭି ମୋଲାସ’ରୁ ମିଳୁଛି। ମକା, ଆଖୁରସ ଓ ଅଧିକ ରସଯୁକ୍ତ ‘ବି-ହେଭି ମୋଲାସ’ରୁ ଅଧିକ ପରିମାଣରେ ଇଥାନଲ ଉତ୍ପାଦିତ ହେଉଥିଲେ ବି ଏହାର ଦର ଅପେକ୍ଷାକୃତ ଅଧିକ। ଅନ୍ୟ ପକ୍ଷରେ ଆଖୁଛେଦା ଭଳି ‘ସି-ହେଭି ମୋଲାସ୍’ ଓ ନଷ୍ଟ ହୋଇଯାଇଥିବା ଖାଦ୍ୟାନ୍ନରୁ ମିଳୁଥିବା ଇଥାନଲ ଦର କମ୍ ହୋଇଥିବାରୁ ତା’ ଉପରେ ନିର୍ଭରଶୀଳତା ଅଧିକ ହେଲେ ହୁଏତ ଇ-୨୦ ପେଟ୍ରୋଲର ଦର ଆହୁରି କମ୍ ହୁଅନ୍ତା।
ଇଥାନଲ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି ଯୋଗୁଁ ଭାରତୀୟ ଚାଷୀମାନେ ଲାଭବାନ୍ ହେଉଛନ୍ତି ବୋଲି କୁହାଯାଉଛି। ତେବେ ଅନୁଧ୍ୟାନ କଲେ ଜଣାଯାଏ ଯେ ଆଖୁଚାଷ ଅଧିକ ହେଉଥିବା ଓ ଚିନି ମିଲ୍ ଅଧିକ ଥିବା ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ଏବଂ ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ମକାଚାଷୀମାନେ ଏହି ଯୋଜନାରେ ସର୍ବାଧିକ ଲାଭବାନ ହେଉଥିବା ବେଳେ ଅନ୍ୟ କିଛି ରାଜ୍ୟର ସୀମିତ ସଂଖ୍ୟକ ଚାଷୀ ଏହାଦ୍ୱାରା ଉପକୃତ ହେଉଛନ୍ତି। ଓଡ଼ିଶାରେ ତ ଇଥାନଲ ଉତ୍ପାଦନ ମାତ୍ର ୧ ପ୍ରତିଶତ। ଅଳ୍ପ କେତୋଟି ଚିନିକଳର ରିଫାଇନେରୀ ବ୍ୟତୀତ ନିକଟରେ ବିପିସିଏଲ୍ ଦ୍ୱାରା ବରଗଡ଼ଠାରେ ପ୍ରତିଷ୍ଠିତ ନଡ଼ାରୁ ଉତ୍ପନ୍ନ ଇଥାନଲ ପ୍ଲାଣ୍ଟରୁ ସ୍ୱଳ୍ପ ମାତ୍ରାରେ ଇଥାନଲ ଉତ୍ପାଦିତ ହେଉଛି। ତେଣୁ ଇଥାନଲ କାର୍ୟ୍ୟକ୍ରମରୁ ଓଡ଼ିଶାର ଚାଷୀମାନେ କିପରି ଲାଭବାନ୍ ହୋଇପାରିବେ, ତାହା ପ୍ରଣିଧାନର ବିଷୟ ହେବା କଥା।
ଦେଶର ଇନ୍ଧନ ସୁରକ୍ଷା ସୁନିଶ୍ଚିତ କରିବା, ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଓ ପରିବେଶ ସୁରକ୍ଷା ଲାଗି ଇଥାନଲ ମିଶ୍ରଣ ଉଚିତ ପଦକ୍ଷେପ ବୋଲି ସରକାରଙ୍କ ଯୁକ୍ତି। ପୁନଶ୍ଚ ଇଥାନଲ ମିଶ୍ରଣର ବିସ୍ତାର ଲାଗି ଲକ୍ଷାଧିକ କୋଟି ଟଙ୍କା ବିନିଯୋଗ ହୋଇସାରିଥିବାରୁ ସରକାର ଇ-୨୦କୁ ଦେଶର ମାନକ ଇନ୍ଧନ କରିବା ପାଇଁ ଅଡ଼ି ବସିବା ସ୍ୱାଭାବିକ। ତେବେ ଏଥିଯୋଗୁ ସର୍ବାଧିକ ପ୍ରଭାବିତ ପକ୍ଷ ହେଉଛନ୍ତି ଉପଭୋକ୍ତା। ଜଣେ ସାଧାରଣ ଭାରତୀୟ ପାଇଁ ଗାଡ଼ିଟିଏ ହେଉଛି ତା’ର ସ୍ୱପ୍ନର ବସ୍ତୁ, ଯାହାକୁ ନିଜ କଷ୍ଟ ଅର୍ଜିତ ଧନରେ ହେଉ ବା ଋଣ ମାଧ୍ୟମରେ; ସେ କ୍ରୟ କରିଥାଏ। ସାଧାରଣ ଭାରତୀୟମାନେ ନିଜ ଜୀବଦ୍ଦଶାରେ ଗୋଟିଏ ମାତ୍ର ଗାଡ଼ିର ଅଧିକାରୀ ହେବାକୁ ଏକ ବଡ଼ ଉପଲବ୍ଧି ବୋଲି ମନେ କରନ୍ତି। ଗାଡ଼ି କିଣିଲା ମାତ୍ରେ ସେ ଆଗତୁରା ସରକାରଙ୍କୁ ୧୫ ବର୍ଷର ରାସ୍ତା ଟିକସ ଓ ପରେ ଅନ୍ୟାନ୍ୟ ଦେୟ ଦେଇଥାଏ। ଏହାର ପ୍ରତିବଦଳରେ ତା’ର ବିଶ୍ୱାସ ଯେ ସେ କିଣିଥିବା ଗାଡ଼ିର ମାନୁଆଲ୍ ଅନୁଯାୟୀ ଅନୁମୋଦିତ ଇନ୍ଧନ ଉପଲବ୍ଧ ହେବାରେ ସରକାର ତାକୁ ସହାୟତା କରିବେ। କିନ୍ତୁ ସରକାରୀ ନୀତି ଯୋଗୁଁ ଏବେ ତା’ର ବିଶ୍ୱାସଭଙ୍ଗ ହୋଇଛିବା ସ୍ୱାଭାବିକ।
ବର୍ତ୍ତମାନ ଦେଶରେ ପ୍ରାୟ ୪୦ କୋଟି ଗାଡ଼ି ଅଛି। ତନ୍ମଧ୍ୟରୁ ୯.୫୦ କୋଟି ଗାଡ଼ି ଏପ୍ରିଲ ୨୦୨୩ ପରେ ତିଆରି। ଅର୍ଥାତ୍ ମାତ୍ର ୨୫ ପ୍ରତିଶତ ବାହନ ଇ-୨୦ ତେଲରେ ଚାଲିବା ପାଇଁ ଉପଯୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ତିନି-ଚତୁର୍ଥାଂଶ ଗାଡ଼ି ପାଇଁ ଏହ ଉପଯୁକ୍ତ ଇନ୍ଧନ ନୁହେଁ। ଏହି ଗାଡ଼ିଗୁଡ଼ିକ ଲାଗି ପେଟ୍ରୋଲ ପମ୍ପଗୁଡ଼ିକରେ ଇ-୧୦ ବା ଖାଣ୍ଟି ତେଲ ମିଳିବା ଜରୁରି। ତାହାହେଲେ ସେହି ଗାଡ଼ିଗୁଡ଼ିକର କାର୍ଯ୍ୟକାଳ ପୂରି ରାସ୍ତାରୁ ଅପସରିବା ପର୍ୟ୍ୟନ୍ତ ସେଗୁଡ଼ିକୁ ଆବଶ୍ୟକ ତେଲ ଉପଲବ୍ଧ କରାଯାଇପାରନ୍ତା। ଉଲ୍ଲେଖଯୋଗ୍ୟ ଯେ ବ୍ରାଜିଲ ସମେତ କେତେକ ଦେଶରେ ଉପଭୋକ୍ତାଙ୍କୁ ସମୟ ଦିଆଯାଇ ବିକଳ୍ପ ଇନ୍ଧନ ସୁନିଶ୍ଚିତ କରାଯାଇଛି। ତେବେ ସରକାରଙ୍କ ଅନୁସାରେ ଦେଶରେ ଥିବା ପ୍ରାୟ ଏକ ଲକ୍ଷ ପେଟ୍ରୋଲ ପମ୍ପରେ ଦୁଇ ପ୍ରକାର ଇନ୍ଧନ ଉପଲବ୍ଧ କରାଇବା ଲାଗି ସ୍ୱତନ୍ତ୍ର ଭିତ୍ତିଭୂମି ଓ ଯୋଗାଣ ଶୃଙ୍ଖଳ ଯଥେଷ୍ଟ ନୁହେଁ। ଏହାର ଏକ ସମ୍ଭାବ୍ୟ ସମାଧାନ ହେଉଛି ଯେଉଁ ପେଟ୍ରୋଲ ପମ୍ପରେ ଉଭୟ ଇନ୍ଧନ ପାଇଁ ଭିତ୍ତିଭୂମି କରିହେବ ସେଠାରେ ସେଭଳି କରାଯାଉ। ଅବଶିଷ୍ଟ ପେଟ୍ରୋଲ ପମ୍ପଗୁଡ଼ିକରୁ କିଛିରେ କେବଳ ଇ-୨୦ ଇନ୍ଧନ ଓ ଅନ୍ୟଗୁଡ଼ିକରେ କେବଳ ବିକଳ୍ପ ଇନ୍ଧନ ଉପଲବ୍ଧ କରାଯାଇପାରିବ। ପୁଣି ଇ-୨୦ ଇନ୍ଧନ ଅନୁପଯୋଗୀ ଗାଡ଼ିରେ ସେହି ତେଲ ପକାଇଲେ ମାଇଲେଜ୍ ୨ରୁ ୪ ପ୍ରତିଶତ କମ ହେଉଛି ବୋଲି ସରକାର ସ୍ୱୀକାର କରିସାରିଲେଣି। ଅବଶ୍ୟ ୧୦ ପ୍ରତିଶତରୁ ଅଧିକ ମାଇଲେଜ ହ୍ରାସ ହେଉଥିବାର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଲାଣି। ସେହିପରି ଏହି ଇନ୍ଧନ ବ୍ୟବହାର ଫଳରେ ଗାଡ଼ିର କିଛି ରବର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଖରାପ ହେଉଛି ବୋଲି ବିଶେଷଜ୍ଞଙ୍କ ମତ। ଏପରି ସ୍ଥଳେ ଇ-୨୦ ଇନ୍ଧନକୁ ବାଧ୍ୟତାମୂଳକ କରି ଉପଭୋକ୍ତାଙ୍କ ଉପରେ ଗାଡ଼ି ରକ୍ଷଣାବେକ୍ଷଣର ଅତିରିକ୍ତ ଆର୍ଥିକ ବୋଝ ଲଦିଦେବା ସମୀଚୀନ କି? ଅଧିକନ୍ତୁ ଇ-୨୦ ଇନ୍ଧନର ଦରକୁ ବିକଳ୍ପ ଇନ୍ଧନ ତୁଳନାରେ ସାମାନ୍ୟ କମ କରାଗଲେ ହୁଏତ କିଛି ଉପଭୋକ୍ତାଙ୍କୁ ନୂଆ ଗାଡ଼ି କିଣିବା ଲାଗି ଆଗଭର ହୁଅନ୍ତେ।
ଇଥାନଲ ମିଶ୍ରଣ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ନକରି ଇ-୨୦ ଇନ୍ଧନ ବିକ୍ରି କରିବା ଖାଉଟି ଅଧିକାରର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟରେ ମାମଲା ଦାୟର ହେଲାଣି। ଇତିମଧ୍ୟରେ ରାୟପୁରର ଏକ ଖାଉଟି ଅଦାଲତ ଏକ ମାମଲାରେ ଜଣେ ଖାଉଟିଙ୍କୁ ଗାଡ଼ିର ମୂଲ୍ୟ ଫେରାଇବାକୁ ମାରୁତି ସୁଜୁକି କମ୍ପାନିକୁ ଆଦେଶ ଦେଇଛନ୍ତି। ବିଶ୍ୱାସ ସଙ୍କଟ ଘନେଇଲେ ଅଧିକ ମାମଲା ଅଦାଲତକୁ ଯିବାର ଆଶଙ୍କା ଦେଖାଦେଇପାରେ। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗକୁ ନେବା ଲାଗି ୬ ବର୍ଷ ତଳେ ‘ନିତି ଆୟୋଗ’ ତରଫରୁ ସରକାରଙ୍କୁ ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା: ଇଥାନଲ ଉତ୍ପାଦନରେ ବୃଦ୍ଧି, ସମୟବଦ୍ଧ ଭାବେ ଇ-୧୦ ଓ ଇ-୨୦ ଇନ୍ଧନ ଉପଯୁକ୍ତ ଗାଡ଼ି ନିର୍ମାଣ ଲାଗି ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଓ ଇଥାନଲ ମିଶ୍ରିତ ଇନ୍ଧନ ଲାଗି ଜନସଚେତନତା ସୃଷ୍ଟି ଭଳି ବିଷୟ ତହିଁରେ ପ୍ରମୁଖତା ପାଇଥିଲା। କରିବା। ଏଥିରୁ ପ୍ରଥମ ଦୁଇଟି ତ କାର୍ୟ୍ୟକାରୀ ହେଲା, ହେଲେ ତୃତୀୟଟିକୁ ଅଣଦେଖା କରି ଦିଆଯାଇଛି। ଯଦି ଆମେ କହିବା ଦେଶର ସ୍ୱାର୍ଥ ସକାଶେ ଇ-୨୦ ତେଲ ସ୍ୱାଗତଯୋଗ୍ୟ, ଏଥିରେ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦିଆଯିବା ମଧ୍ୟ ଉଚିତ ନୁହେଁ।
Published in Sambad on July 21, 2026
Comments
Post a Comment