Skip to main content

ରାମ ମନ୍ଦିର ଦାନ ଚୋରିରୁ ଶିକ୍ଷା

ଏବେ ସାମାଜିକ ଗଣମାଧ୍ୟମରେ ରାମ ମନ୍ଦିରରେ ଦାନ ଚୋରି ଘଟଣାକୁ ବ୍ୟଙ୍ଗ କରି ଏକ କାର୍ଟୁନ ପ୍ରସାରିତ ହେଉଛି, ଯହିଁରେ ଦର୍ଶାଯାଇଛି ଯେ ସୈନ୍ୟସାମନ୍ତ ଧରି ମନ୍ଦିର ଲୁଟ କରିବାକୁ ଆସିଥିବା ଜଣେ ବିଦେଶୀ ଆକ୍ରମଣକାରୀ ତାଙ୍କ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ କହୁଛନ୍ତି, ‘ଫେରିଚାଲ, ଏଥର ସେମାନେ ନିଜେ ମନ୍ଦିର ଲୁଟ କରିସାରିଛନ୍ତି।‘ 

ସମ୍ପ୍ରତି ଅଯୋଧ୍ୟାର ରାମଲଲା ମନ୍ଦିରରୁ ଦାନ ଚୋରିର ଅନୁସନ୍ଧାନ ଚାଲିଥିବା ବେଳେ ବଦ୍ରୀନାଥ ଓ କେଦାରନାଥ ମନ୍ଦିରରୁ ମଧ୍ୟ ଦାନଚୋରିର ଅନୁରୂପ ଅଭିଯୋଗ ଆସିଲାଣି। ନିୟମିତ ଅନ୍ତରାଳରେ ବଡ଼ ବଡ଼ ମନ୍ଦିରରୁ ଦାନ ଅର୍ଥ, ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରିର ଅଭିଯୋଗମାନ ଆସିଲାଣି। ଅତି ପ୍ରସିଦ୍ଧ ମନ୍ଦିରମାନଙ୍କରେ ଘଟୁଥିବା ଏଭଳି ଘଟଣା ବାସ୍ତବିକ ଉଦବେଗଜନକ। ତେବେ ଏହାର ଏକ ବଡ଼ କାରଣ ହେଉଛି ଅନେକ ମନ୍ଦିରରେ ଏବେ ମଧ୍ୟ ଦାନ ଅର୍ଥ ସଂଗ୍ରହ ଓ ପାଣ୍ଠି ପରିଚାଳନା ସଂକ୍ରାନ୍ତୀୟ ‘ମାନକ ସଞ୍ଚାଳନ ପ୍ରଣାଳୀ’ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର- ଏସ୍.ଓ.ପି.) ନାହିଁ। କହିବା ବାହୁଲ୍ୟ, ଏଭଳି ଘଟଣା ପୃଥିବୀ ସାରା କୋଟ କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମ୍ରିୟମାଣ କରିଛି। ପ୍ରଶ୍ନ ହେଉଛି ରାମ ମନ୍ଦିର ଦାନ ଚୋରି ମାମଲାରୁ ଶିକ୍ଷା ଗ୍ରହଣ କରି ମନ୍ଦିରଗୁଡ଼ିକର ଦାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିହେବ କି? 

ଅଯୋଧ୍ୟା ବିବାଦରେ ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବାର ତିନି ମାସ ଭିତରେ କେନ୍ଦ୍ର ସରକାର ୨୦୨୦ ମସିହା ଫେବୃଆରୀ ୫ ତାରିଖ ଦିନ ‘ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ର ଗଠନ କରିଥିଲେ, ଯାହାର ସଦସ୍ୟ ସଂଖ୍ୟା ପନ୍ଦର।  ସରକାରଙ୍କ ଦ୍ୱାରା ଟ୍ରଷ୍ଟି ଭାବେ ନିଯୁକ୍ତ ତିନିଜଣ ବରିଷ୍ଠ ଆଇ.ଏ.ଏସ. ଅଧିକାରୀଙ୍କୁ ବାଦ୍ ଦେଲେ ଟ୍ରଷ୍ଟି ଭାବେ ଥିବା ଅନ୍ୟ ସାଧୁ ସନ୍ଥମାନଙ୍କ କାର‌୍ୟ୍ୟକାଳ ଆଜୀବନ ଅଟେ। 

ଗଲା ଜୁନ୍ ୭ ତାରିଖରେ ଏହି କେଳେଙ୍କାରିକୁ ନେଇ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବଙ୍କ ଅଭିଯୋଗକୁ ପ୍ରଥମେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଅସ୍ୱୀକାର କରିଥିଲେ। ଅବଶ୍ୟ, ପରେ ଘଟଣାର ଅନୁସନ୍ଧାନ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏସ.ଆଇ.ଟି. ପକ୍ଷରୁ ଏହି ଚୋରିର ପ୍ରାରମ୍ଭିକ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ମାମଲାରେ ଏପର‌୍ୟ୍ୟନ୍ତ ୮ ଜଣ ଗିରଫ ହେବା ସହ ଚୋରି ରାଶିରୁ ୭୯ ଲକ୍ଷ ଟଙ୍କା ପୁନରୁଦ୍ଧାର ହୋଇପାରିଛି। ହେଲେ, ଏଯାଏଁ ସମୁଦାୟ ଚୋରିର ପରିମାଣ ଓ ପ୍ରକୃତ ଦୋଷୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜଣାପଡ଼ିନାହିଁ। ଏହା ଅତ୍ୟନ୍ତ ସୁପରିକଳ୍ପିତ ହୋଇଥିଲେ ହେଁ ଏହା ପଛରେ ଥିବା ପ୍ରମୁଖ କାରଣ ଦୁର୍ବଳ ନିୟନ୍ତ୍ରଣ ବ୍ୟବସ୍ଥା ବୋଲି କୁହାଯାଉଛି। ଦାନ ପାତ୍ରଗୁଡ଼ିକର ଚାବିରେ ଦ୍ୱୈତ ନିୟନ୍ତ୍ରଣ ବ୍ୟବସ୍ଥା ନ ରହିବା ଏବଂ ଅନେକ ହୁଣ୍ଡିର ଚାବି ଜଣେ ଡ୍ରାଇଭରଙ୍କ ନିକଟରେ ରହିବା ହେଉଛି ଏହାର ପ୍ରମାଣ। ଗଣନା ଗୃହରେ ସିସି କ୍ୟାମେରାର ବ୍ୟବସ୍ଥା ଥିଲେ ବି କ୍ୟାମେରା ଚକ୍ଷୁର ବଳୟ ବାହାରେ ଅନେକ ଅଞ୍ଚଳ ଥିଲା, ଯେଉଁଠି ଅଭିଯୁକ୍ତମାନେ କୁଆଡ଼େ ସେମାନଙ୍କ କଳା କାରବାର କରିବାକୁ ସମର୍ଥ ହେଉଥିଲେ। ଗଣନା ସମୟର ସିସି କ୍ୟାମେରା ଫୁଟେଜକୁ ୧୮୦ ଦିନ ପର‌୍ୟ୍ୟନ୍ତ ସୁରକ୍ଷିତ ରଖିବାର ବ୍ୟବସ୍ଥା ଥିଲେ ହେଁ ତାହା ମାତ୍ର ୪୫ ଦିନ ଯାଏଁ ରଖାଯାଉଥିଲା। ତେବେ, ଉପଲବ୍ଧ ଫୁଟେଜରୁ ୪୦ ଦିନ ମଧ୍ୟରେ ୭୦ ଥର ଚୋରି ହୋଇଥିବା ବିଷୟ ଜଣାପଡ଼ୁଛି। 

ରାମ ମନ୍ଦିରକୁ ଆସୁଥିବା ବିପୁଳ ପରିମାଣ ଦାନ ରାଶିର ପେସାଦାର ପରିଚାଳନା ପାଇଁ ୨୦୨୪ ମସିହା ଫେବୃଆରି ମାସରେ ‘ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତଦନୁଯାୟୀ ଚିହ୍ନିତ ଦାନପାତ୍ରଗୁଡ଼ିକରୁ ଟଙ୍କା, ଚେକ୍, ଡ୍ରାଫ୍ଟ ଆଦି ସଂଗ୍ରହ କରିବା, ତାଲିମପ୍ରାପ୍ତ ଗଣନାକାରୀ ଓ ଉଚ୍ଚ ବେଗ ସମ୍ପନ୍ନ ସ୍ୱୟଂକ୍ରିୟ ଟଙ୍କା ଗଣା ଯନ୍ତ୍ରର ବ୍ୟବସ୍ଥା କରି ଦିନକୁ ଦୁଇଥର ଗଣନା କରିବା, ସେହି ରାଶିକୁ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ଦାୟିତ୍ୱ ବ୍ୟାଙ୍କ ଉପରେ ନ୍ୟସ୍ତ ଥିଲା। ତେବେ ଟଙ୍କା ଗଣିବା କାମଟି ଷ୍ଟେଟ ବ୍ୟାଙ୍କ ନିଜ କର୍ମଚାରୀଙ୍କୁ ନ ଦେଇ ବାରାଣାସୀସ୍ଥିତ ‘ସୈନିକ ସିକ୍ୟୁରିଟି ସର୍ଭିସେସ୍’ ନାମକ ଏକ ଘରୋଇ ସଂସ୍ଥାକୁ ‘ଆଉଟସୋର୍ସ’ କରିଦେଇଥିଲା। ଏହି ସଂସ୍ଥାର ୨୨ ଜଣ କର୍ମଚାରୀ ବ୍ୟାଙ୍କ ପକ୍ଷରୁ ଟଙ୍କା ଗଣିବା ଓ ଗଣା ପ୍ରକ୍ରିୟାର ନିରୀକ୍ଷଣ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଏପର‌୍ୟ୍ୟନ୍ତ ଗିରଫ ହୋଇଥିବା ୮ ଜଣକ ମଧ୍ୟରୁ ୬ ଜଣ ଏହି ସଂସ୍ଥା ତରଫରୁ ଦିଆଯାଇଥିବା କର୍ମଚାରୀ। 

ଏବେ ଚୋରି କଥା ପ୍ରଘଟ ହେବାର ତିନି ମାସ ପୂର୍ବରୁ ଦାନ ରାଶିରେ ହେରଫେରର ସନ୍ଦେହରେ ଷ୍ଟେଟ ବ୍ୟାଙ୍କ ତରଫରୁ ମନ୍ଦିର ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ କରାଯାଇଥିଲା ବୋଲି ଜଣାପଡ଼େ। ଏଥିରେ ଗଣନାକାରୀଙ୍କୁ ବଦଳାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବ୍ୟାଙ୍କର ନିର୍ଦ୍ଦେଶ କ୍ରମେ ‘ଆଉଟସୋର୍ସିଂ’ ସଂସ୍ଥା ମଧ୍ୟ କର୍ମଚାରୀ ବଦଳ ପାଇଁ ପଦକ୍ଷେପ ନେଉଥିଲେ। ତେବେ ଟ୍ରଷ୍ଟର କେତେକ ସଦସ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ତାହା କୁଆଡ଼େ କାର‌୍ୟ୍ୟକାରୀ ହୋଇପାରି ନଥିଲା।

ଏହି ମାମଲାରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଅନ୍ୟତମ ଟ୍ରଷ୍ଟି ଅନୀଲ ମିଶ୍ର ଓ ବ୍ୟବସ୍ଥାପକ ଗୋପାଳ ରାଓଙ୍କ ଭୂମିକା ଏବେ ସନ୍ଦେହ ଘେରରେ। ପ୍ରସଙ୍ଗତଃ ତିନିଜଣ ଯାକ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରତିନିଧିତ୍ୱ କରନ୍ତି। ମନ୍ଦିରର ପ୍ରଶାସନ ଓ ଦୈନନ୍ଦିନ ପରିଚାଳନାରେ ଏମାନେ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ। ନିଜ ସମ୍ପର୍କୀୟ ଓ ଚିହ୍ନାଜଣାଙ୍କୁ ଚାକିରି ଦେବା ସହ ଅଧିକାଂଶ ମନ୍ଦିର କର୍ମଚାରୀଙ୍କ ନିଯୁକ୍ତିରେ ଏମାନଙ୍କ ଭୂମିକା ଥିଲା।  ତେଣୁ ସେମାନଙ୍କ ଅଜ୍ଞତାରେ ଏତେ ବଡ଼ ଚୋରି ଅକଳ୍ପନୀୟ। ଯଦିବା କୁହାଯାଏ ସେମାନେ ଅଜ୍ଞ ଥିଲେ, ତେବେ  ତାହା ସେମାନଙ୍କ ଅସାବଧାନତା ଓ ଅପାରଗତାକୁ ଦର୍ଶାଇବ, ଯାହା ମଧ୍ୟ ଅକ୍ଷମଣୀୟ। 

ନିକଟ ଅତୀତରେ ଦେଶର ଅନେକ ବଡ଼ ବଡ଼ ମନ୍ଦିରରେ ଚୋରି ଓ ଦୁର୍ନୀତିର ଖବରମାନ ଶୁଣିବାକୁ ମିଳୁଛି। ସୁନା ଛାଉଣି କରିବା ଆଳରେ କେରଳର ସାବରିମାଲା ମନ୍ଦିରରୁ ୪.୫ରୁ ୧୨ କେଜି ଓଜନ (ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା)ର ସୁନା ହେରଫେର, ପଦ୍ମନାଭସ୍ୱାମୀ ମନ୍ଦିର ଓ ତିରୁପତି ମନ୍ଦିରରୁ ମଧ୍ୟ ସୁନା ଅଳଙ୍କାର ହେରଫେର ଅଭିଯୋଗ ଏହାର ଅନ୍ତର୍ଭୁକ୍ତ। ଜଗନ୍ନାଥ ମନ୍ଦିରରେ ଦାନ ଅର୍ଥର ଗଣନାଠାରୁ ଆରମ୍ଭ କରି ବ୍ୟାଙ୍କରେ ଜମା ପର‌୍ୟ୍ୟନ୍ତ ସବୁ କିଛି ‘ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ, ୧୯୫୫’ ଓ ‘ଶ୍ରୀ ଜଗନ୍ନାଥ ମନ୍ଦିର (ହୁଣ୍ଡିର ସ୍ଥାପନା ଓ ପରିଚାଳନା ଏବଂ ମୂଳ ପାଣ୍ଠିର ଗଠନ) ନିୟମ, ୧୯୮୩’ ଅନୁଯାୟୀ ହେଉଛି। ତେବେ ୨୦୧୬ ଓ ୨୦୧୮ ମସିହାରେ ଦୁଇଟି ଛୋଟ ଧରଣର ଦାନ ଚୋରି ଅଭିଯୋଗ ପରେ ଗଣନା ପ୍ରକ୍ରିୟାରେ ପାରଦର୍ଶିତା ଆଣି ଗଣନା ପ୍ରକ୍ରିୟାକୁ ସର୍ବ ସମକ୍ଷରେ ତତ୍କାଳ ଦେଖାଇବା ଉଦ୍ଦେଶ୍ୟରେ ମନ୍ଦିର ପ୍ରଶାସନ ଦ୍ୱାରା ମନ୍ଦିର ପରିସରରେ ଏକ ବୃହତ୍ ଏଲ.ଇ.ଡି. ସ୍କ୍ରିନର ବ୍ୟବସ୍ଥା କରାଯାଇଥିଲା। ପ୍ରତି ସନ୍ଧ୍ୟାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨-୩ ଜଣ କର୍ମଚାରୀଙ୍କ ଦ୍ୱାରା ମନ୍ଦିରର ଅଧିକାରୀ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ହୁଣ୍ଡିରୁ ପ୍ରାପ୍ତ ଦାନ ଅର୍ଥ ଗଣନା କରାଯାଇ ପ୍ରାପ୍ତରାଶିର ପରିମାଣକୁ ସାର୍ବଜନୀନ କରାଯାଉଛି। ଏହା ନିଶ୍ଚିତ ରୂପେ ଏକ ଅନୁକରଣୀୟ ପଦକ୍ଷେପ। ତେବେ, ଏ ସମଗ୍ର ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ଆଧୁନିକ ଜ୍ଞାନକୌଶଳର ଅଧିକ ଉପଯୋଗ କରାଯିବା ଉଚିତ। ସେଥିପାଇଁ ଆବଶ୍ୟକ ସ୍ଥଳେ ନିୟମରେ ସଂଶୋଧନ ବା ନୂତନ ନିୟମର ପ୍ରଣୟନ ସହିତ ଏକ ବିସ୍ତୃତ ମାନକ ସଞ୍ଚାଳନ ପ୍ରଣାଳୀ (ଏସ୍.ଓ.ପି.) ଜରୁରି ଭଳି ମନେ ହୁଏ।

ଯେ କୌଣସି ଧର୍ମୀୟ ଅନୁଷ୍ଠାନରେ ଦାନ ଅର୍ଥର ସୁପରିଚାଳନା ତିନୋଟି ମୁଖ୍ୟ ଆଧାର ଉପରେ ପ୍ରତିଷ୍ଠିତ- ସାଧୁତା, ପାରଦର୍ଶିତା ଓ ଉତ୍ତରଦାୟ-ବୋଧ। ପ୍ରମୁଖ ଧାର୍ମିକ ସ୍ଥଳଗୁଡ଼ିକ ଆସ୍ଥା କେନ୍ଦ୍ର ହୋଇଥିବାରୁ ସେଠାରେ ଏହାର ଆବଶ୍ୟକତା ସର୍ବାଧିକ। ତିନୋଟିରୁ ଗୋଟିକର ଅଭାବ ଭକ୍ତଙ୍କ ସହିତ ବିଶ୍ୱାସଘାତକତା ସହ ସମାନ ହୋଇ ଆସ୍ଥାଭଙ୍ଗର କାରଣ ହୋଇଥାଏ। ଦାତାଙ୍କ ଅର୍ଥର ସୁରକ୍ଷା, ଠକେଇ ହ୍ରାସ ତଥା ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ସାରା ବିଶ୍ୱର ଅଗ୍ରଣୀ ଧର୍ମୀୟ ଅନୁଷ୍ଠାନଗୁଡ଼ିକ ଅହରହ ପ୍ରୟାସରତ। ଆମ ଦେଶର ତିରୁପତି ମନ୍ଦିର, ବୈଷ୍ଣୋ ଦେବୀ ମନ୍ଦିର ବା ଆମେରିକାର ‘ଚର୍ଚ୍ଚ ଅଫ୍ ଯେସସ୍ ଖ୍ରାଏଷ୍ଚ ଅଫ୍ ଲାଟର ଡେଜ୍ ସେଣ୍ଟସ୍’, ଅଥବା ଲଣ୍ଡନସ୍ଥିତ ‘ସାଲଭେସନ ଆର୍ମି’, ‘ଚର୍ଚ୍ଚ କମିସନ ଫର୍ ଇଂଲଣ୍ଡ’, କିମ୍ୱା ସାଉଦି ଆରବର ‘ମସଜିଦ ଅଲ୍-ହରାମ ଓ ମସଜିଦ ଅନ୍-ନବାୱୀ’ ଆଦି ଦ୍ୱାରା ଅନୁସୃତ କେତେକ ଉତ୍ତମ କାର୍ଯ୍ୟପ୍ରଣାଳୀ ଅନୁସରଣୀୟ। ଦାନରେ ଅତ୍ୟଧିକ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ପାଉଥିବା ଧର୍ମୀୟ ଅନୁଷ୍ଠାନଗୁଡ଼ିକର ଆଭ୍ୟନ୍ତରୀଣ ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍ ରୂପେ କାର୍ଯ୍ୟ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ‘କସୋ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ରୂପରେଖା'ର ଅନୁସରଣ କରାଯାଉଛି। ସେଥିପାଇଁ ନିମ୍ନ କେଚେକ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଟଙ୍କା ଗଣିବା ପାଇଁ ଏକ ସୁରକ୍ଷିତ କୋଠରି ଯାହାର ପ୍ରତିଟି ଅଂଶ ସିସି କ୍ୟାମେରାରେ ଆସୁଥିବ, କ୍ୟାମେରା ଫୁଟେଜକୁ ଦୀର୍ଘ କାଳ ଧରି ସଂରକ୍ଷିତ ରଖିବା ବ୍ୟବସ୍ଥା, ପ୍ରତିଟି ହୁଣ୍ଡିର ସ୍ୱତନ୍ତ୍ର ପରିଚୟ ସଂଖ୍ୟା, ହୁଣ୍ଡିରୁ ସଂଗ୍ରହ, ଗଣନା ଆଦି ପ୍ରତିଟି ସ୍ତରରେ ଦ୍ୱୈତ ନିୟନ୍ତ୍ରଣ ବ୍ୟବସ୍ଥା, ମ୍ୟାସିନ ମାଧ୍ୟମରେ ଗଣନା, ଗଣନା ଓ ଟଙ୍କା ପରିବହନ ଆଦି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ନିୟମିତ ଅଦଳବଦଳ, ପ୍ରତିଦିନ ଆଦାୟ ଅର୍ଥ ଓ ବ୍ୟାଙ୍କରେ ଜମା ରାଶି ମଧ୍ୟରେ ତାଳମେଳ ରକ୍ଷା, ୟୁପିଆଇ, କ୍ୟୁ.ଆର. କୋଡ ଆଦି ମାଧ୍ୟମରେ ଡିଜିଟାଲ ଦାନକୁ ପ୍ରୋତ୍ସାହନ, ଡିଜିଟାଲ୍ ଦାନକୁ ସମ୍ଭାବ୍ୟ ଠକେଇରୁ ରକ୍ଷା କରିବା ଲାଗି ସୁଦୃଢ଼ ସାଇବର ସୁରକ୍ଷା ବ୍ୟବସ୍ଥା, ସ୍ୱତନ୍ତ୍ର ଓ ସୁଦୃଢ଼ ଆଭ୍ୟନ୍ତରୀଣ ଓ ବାହ୍ୟ ଅଡ଼ିଟ ବ୍ୟବସ୍ଥା ଆଦି ସୁନିଶ୍ଚିତ କରାଯିବା ଆବଶ୍ୟକ। ପ୍ରାପ୍ତ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଡିଜିଟାଇଜେସନ୍ କରାଯାଇ ଏହାର ଫଟୋ ସର୍ବସାଧାରଣଙ୍କ ଗୋଚରାର୍ଥେ ୱେବସାଇଟରେ ରଖାଯିବା ଦରକାର। ସେହିପରି ଆଦାୟ ହେଉଥିବା ରାଶିର ବ୍ୟୟ ଓ ବିନିବେଶ ଦର୍ଶାଉଥିବା ବାର୍ଷିକ ବିବରଣୀ ମଧ୍ୟ ୱେବସାଇଟରେ ଉପଲବ୍ଧ ହେବା ଜରୁରି।      

ରାମ ମନ୍ଦିରରେ ହୋଇଥିବା ଦାନ ଚୋରିର ଅଭିଯୋଗ ପଛରେ ହିନ୍ଦୁ ଧର୍ମକୁ ବଦନାମ କରିବା ଉଦ୍ଦେଶ୍ୟ ରହିଛି ବୋଲି ପ୍ରଥମେ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକେ କହୁଥିଲେ। କିନ୍ତୁ ବାସ୍ତବତା ଜଣାପଡ଼ିବା ପରେ ସେଭଳି ଆରୋପ ମୂଲ୍ୟହୀନ ହୋଇପଡ଼ିଛି। ଧର୍ମ ଓ ଧର୍ମ ନାଁରେ ହେଉଥିବା ଅପରାଧ ଦୁଇଟି ଅଲଗା କଥା। ଧର୍ମୀୟ ଅନୁଷ୍ଠାନରେ ହେଉଥିବା ଅପରାଧ ଉପରେ ପରଦା ଢାଙ୍କି ଅପରାଧୀକୁ ସଂରକ୍ଷଣ ପ୍ରଦାନ କରାଗଲେ ତାହା ଧର୍ମର ଅଧିକ କ୍ଷତି କରିଥାଏ। ଧର୍ମ ଆସ୍ଥାର ବିଷୟ ହୋଇଥିବାରୁ ଅପରାଧରେ ସଂଲିପ୍ତ ହୋଇ ଧର୍ମର ଦ୍ୱାହି ଦେଇ ଖସିଯିବାକୁ ଚେଷ୍ଟାକରୁଥିବା ଅଭିଯୁକ୍ତଙ୍କୁ ସେଥିରୁ ନିବୃତ୍ତ କରିବା ଲାଗି ଜନସାଧାରଣଙ୍କୁ ସତର୍କ ରହିବାକୁ ହେବ। 

ଇତିମଧ୍ୟରେ ଟ୍ରଷ୍ଟର ଅଖଣ୍ଡ କ୍ଷମତାଶାଳୀ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଅନ୍ୟତମ ଟ୍ରଷ୍ଟି ଅନୀଲ ମିଶ୍ରଙ୍କ ଇସ୍ତଫା ପ୍ରବଳ ଜନ ଆକ୍ରୋଶ ଯୋଗୁଁ ଗୃହୀତ ହୋଇସାରିଛି। ତେବେ ଯେ ପର୍ଯ୍ୟନ୍ତ ପ୍ରକୃତ ଦୋଷୀ ଦଣ୍ଡିତ ହୋଇ ନାହାନ୍ତି ଓ ମନ୍ଦିର ପରିଚାଳନାରେ ଏକ ପାରଦର୍ଶୀ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଟ୍ରଷ୍ଟ ପୁନଶ୍ଚ ଅସଂଖ୍ୟ ଭକ୍ତଙ୍କ ଆସ୍ଥାଭାଜନ ହେବା କଷ୍ଟକର। ତେଣୁ ସର୍ବୋଚ୍ଚ ଅଦାଲତଙ୍କ ନିରୀକ୍ଷଣରେ ସି.ବି.ଆଇ. ତଦନ୍ତର ଦାବି ଉଠିଲାଣି। ମନ୍ଦିରରେ ଶହ ଶହ କୋଟି ଟଙ୍କାର କାରବାର ହେଉଥିବାରୁ ଏହାର ସୁପରିଚାଳନା ପାଇଁ ଏକ ଦକ୍ଷ ଓ ପେସାଦାର ଟ୍ରଷ୍ଟ ଗଠନର ଆବଶ୍ୟକତା ରହିଛି। ଏଥିପାଇଁ ଟ୍ରଷ୍ଟିଙ୍କ ଭକ୍ତିଭାବ ଓ ଆନୁଗତ୍ୟ ଅପେକ୍ଷା ଦକ୍ଷତା ଅଧିକ ଜରୁରି। ସେମିତି ପ୍ରତ୍ୟେକ ଟ୍ରଷ୍ଟିଙ୍କ କାର‌୍ୟ୍ୟକାଳ ସୀମିତ ଅବଧିର ହେବା ଉଚିତ, ଆଜୀବନ ନୁହେଁ। ମନ୍ଦିର ପରିଚାଳନାକୁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନିୟନ୍ତ୍ରଣରୁ ମୁକ୍ତ କରାଯିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସୁଦକ୍ଷ ଟ୍ରଷ୍ଟିଙ୍କୁ ନେଇ ଟ୍ରଷ୍ଟର ପୁନର୍ଗଠନର କଥା ଉଠିଲାଣି। ଏଥିପାଇଁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ‘ସନାତନ ବୋର୍ଡ’ ପ୍ରତିଷ୍ଠା କଥା ମଧ୍ୟ ଉତ୍ଥାପନ ହେଲାଣି। କେବଳ ରାମ ମନ୍ଦିର ନୁହେଁ, ପ୍ରତ୍ୟେକ ମନ୍ଦିରରେ ଟ୍ରଷ୍ଟି ନିଯୁକ୍ତି ଦକ୍ଷତା ଆଧାରରେ ହେଲେ ଭବିଷ୍ୟତରେ ମନ୍ଦିରରୁ ଲୁଟ ଘଟଣା ହ୍ରାସ ପାଇବ।


Published in Sambad on July 08, 2026


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...