Skip to main content

ଟୁଲକିଟ ଏକ ଷଡଯନ୍ତ୍ର ନୁହେଁ !

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତିକ ପରିବେଶବିଦ ଗ୍ରେଟା ଥନବର୍ଗ  ୨୦୨୧ ମସିହା ଫେବୃଆରି ୩ ତାରିଖରେ ଆନ୍ଦୋଳନର ସମର୍ଥନରେ ଏକ ଟୁଇଟ କରିବା ସଙ୍ଗେ ସଙ୍ଗେ ଆନ୍ଦୋଳନ ସପକ୍ଷରେ ଥିବା ଲୋକଙ୍କ ପାଇଁ ଉପଲବ୍ଧ ଏକ ସହାୟକ ଟୁଲକିଟ ସମ୍ପର୍କରେ ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ମାତ୍ର ସେ ସେହି ଟୁଇଟଟିକୁ ହଟାଇ  ଦେଇ ଫେବୃଆରି ୪ରେ ଆଉ ଏକ ଟୁଇଟ କରି ପୂର୍ବୋକ୍ତ ଟୁଲକିଟଟି ଅପ୍ରାସଙ୍ଗିକ ହୋଇ ଯାଇଥିବାରୁ ତା’ ସ୍ଥାନରେ ଅନ୍ୟ ଏକ ପରିମାର୍ଜିତ ଟୁଲକିଟ ରଖିଥିଲେ । ସ୍ୱାଭାବିକ ଭାବେ ପ୍ରଥମ ଟୁଲକିଟଟିରେ ଜାନୁଆରି ୨୬ରେ ଅନୁଷ୍ଠିତ ହୋଇଥିବା କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ ସହ ଅନ ଲାଇନରେ ଓ ରାସ୍ତା ଉପରେ କିପରି ବିରୋଧ ପ୍ରଦର୍ଶନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ଥିବାରୁ ତାହା ଅପ୍ରାସଙ୍ଗିକ ହୋଇ ପଡିଥିଲା । ତେବେ ତଦନୁସାରେ ଦିଲ୍ଲୀରେ ହିଂସା ସଂଘଟିତ ହୋଇଥିବା ଦର୍ଶାଇ ଦିଲ୍ଲୀ ପୁଲିସ ଏହି ଟୁଲକିଟକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କଲେ । ଟୁଲକିଟ ମାମଲାରେ ବାଙ୍ଗାଲୋରରୁ ୨୨ ବର୍ଷୀୟା ଦିଶା ରବିଙ୍କୁ ଗିରଫ ଓ ଅନ୍ୟ ଦୁଇ ଜଣ, ନିକିତା ଜାକବ ଓ ଶାନ୍ତନୁ ମୁଲୁକଙ୍କ ବିରୁଦ୍ଧରେ ଗିରଫ ପରୁଆନା ଜାରି ହେବା ପରେ ଟୁଲକିଟକୁ ନେଇ ସାରା ଦେଶରେ ଚାଲିଥିବା ଚର୍ଚ୍ଚାରେ ଏହା ଦେଶ ବିରୁଦ୍ଧରେ ଷଡଯନ୍ତ୍ର ବୋଲି ଏକ ଧାରଣା ସୃଷ୍ଟି ହେଉଥିବାରୁ ଟୁଲକିଟର ବ୍ୟବହାର ଓ ଉପଯୋଗିତାକୁ ବୁଝିବାର ଆବଶ୍ୟକତା ରହିଛି ।

ଦେଶର ପ୍ରତ୍ୟେକ ନାଗରିକଙ୍କର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ରହିଛି । ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ସବୁ ପ୍ରକାର ଉପକରଣ ବା ପଦ୍ଧତିର ଆଶ୍ରୟ ନେଇ ପାରିବେ । ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ଓ ବ୍ୟାପକ କରିବା ପାଇଁ ଟୁଲକିଟ ସେହିପରି ଏକ ଉପକରଣ ବା ପଦ୍ଧତି । ଆଗରୁ କୌଣସି ଅଭିଯାନ ବା ଆନ୍ଦୋଳନ କରିବାକୁ ହେଲେ ଏହାର ସୁପରିଚାଳନା ପାଇଁ ଆନ୍ଦୋଳନକାରୀଙ୍କୁ ଲିଫଲେଟ ବା ବୁକଲେଟ ମାଧ୍ୟମରେ ସଚେତନ କରା ଯାଉଥିଲା, ଯାହା ଏବେ ମଧ୍ୟ ହେଉଛି । ତେବେ ଡିଜିଟାଲ ସାକ୍ଷରତା ବଢିବା ପରେ ସାରା ବିଶ୍ୱରେ ଇଣ୍ଟରନେଟକୁ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ଅଭିଯାନ ବା ଆନ୍ଦୋଳନଗୁଡିକର ପରିଚାଳନା ପାଇଁ ଟୁଲକିଟର ବହୁଳ ଭାବେ ଉପଯୋଗ ହେବା ସାଧାରଣରେ ପରିଣତ ହେଲାଣି । କୌଣସି ଅଭିଯାନ ବା ଆନ୍ଦୋଳନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଟୁଲକିଟ ଏକ ମାର୍ଗଦର୍ଶିକା । ଏଥିରେ ଏକ ଅଭିଯାନ ବା ଆନ୍ଦୋଳନକୁ ସମର୍ଥନ କରି ନିର୍ଦ୍ଧାରିତ କାର୍ଯ୍ୟପନ୍ଥାକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କିଛି ପରାମର୍ଶ ଥାଏ । ସାଧାରଣତଃ ଏହି ଧରଣର ଟୁଲକିଟଗୁଡିକରେ ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ୱେବସାଇଟର ଉପଯୋଗ କରି କୌଣସି ଅଭିଯାନ ସପକ୍ଷରେ କିପରି ବ୍ୟାପକ ଜନ ସମର୍ଥନ ହାସଲ କରି ହେବ ସେ ନେଇ ସୂଚନା ଥାଏ । ବସ୍ତୁତଃ, ଟୁଲକିଟ ଏକ ଦସ୍ତାବିଜ (ଡକୁମେଣ୍ଟ) ଯାହାକୁ ଯେ କୌଣସି ସଂଗଠନରେ ସାମିଲ ଥିବା ଯେ କେହି ପ୍ରସ୍ତୁତ କରି ପାରିଥାଏ । ସଂଗଠନ କହିଲେ, ତାହା ଅଭିଯାନ, ଆନ୍ଦୋଳନଠାରୁ ଆରମ୍ଭ କରି ଏନଜିଓ ଓ ସରକାରୀ ସଂଗଠନକୁ ମଧ୍ୟ ବୁଝାଇଥାଏ । ବୌଦ୍ଧିକ ସମ୍ପତ୍ତି ଅଧିକାରର କ୍ରିୟାନ୍ୱୟନ ପାଇଁ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନସ୍ଥ ଉଦ୍ୟୋଗ ସମ୍ୱର୍ଦ୍ଧନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ଦ୍ୱାରା ପ୍ରସ୍ତୁତ ଏକ ଟୁଲକିଟ, ଏହାର ସରକାରୀ ଭାବେ ଉପଯୋଗର ଏକ ଉଦାହରଣ ମାତ୍ର । ସେହିପରି ଧାର୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବ ତାଙ୍କର ‘କାବେରି କଲିଂ’ ପ୍ରକଳ୍ପର କ୍ରିୟାନ୍ୱୟନ ପାଇଁ ମଧ୍ୟ ଟୁଲକିଟର ଉପଯୋଗ କରିଥିଲେ । ଭାରତରେ ବିଭିନ୍ନ ରାଜନୈତିକ ଦଳର ଆଇଟି ସେଲଗୁଡିକ ବି ଏହି ଟୁଲକିଟର ଉପଯୋଗ କରି ସେମାନଙ୍କ ଅଭିଯାନ ଚଳାଇଥାଆନ୍ତି । ସେହି ଟୁଲକିଟ ଯେତେବେଳେ କୌଣସି ଆନ୍ଦୋଳନରେ ବ୍ୟବହାର କରା ଯାଇଥାଏ, ସେତେବେଳେ ସେଥିରେ ଆନ୍ଦୋଳନ ସଂକ୍ରାନ୍ତୀୟ ପଠନ ସାମଗ୍ରୀଠାରୁ ଆରମ୍ଭ କରି ଆନ୍ଦୋଳନର ସମ୍ୱାଦ, ପ୍ରତିବାଦର ପଦ୍ଧତି (ହାସଟାଗ ଇତ୍ୟାଦି) ସନ୍ନିବେଶିତ ହୋଇଥାଏ । ଏହି ଧରଣର ଟୁଲକିଟକୁ ଅନେକ ଲୋକ ବ୍ୟବହାର କରୁଥିଲେ ବି ମୁଷ୍ଟିମେୟ ବ୍ୟକ୍ତିବିଶେଷ ବା ଏକ ସଂଗଠନ ନିକଟରେ ଏହାର ମାଲିକାନା ଥାଏ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ଉପରେ ଏହାର ସମ୍ପାଦନା ଦାୟିତ୍ୱ ନ୍ୟସ୍ତ ହୋଇଥାଏ । କେବଳ ସେହି ସମ୍ପାଦକମାନେ ହିଁ ଦସ୍ତାବିଜରେ ଯୋଡିବା ବା ବାଦ ଦେବା କାମ କରି ପାରିଥାଆନ୍ତି, ଅନ୍ୟମାନେ ନୁହେଁ । 

ଟୁଲକିଟକୁ କ୍ୟାମ୍ପେନ ଟୁଲକିଟ ମଧ୍ୟ କୁହାଯାଇଥାଏ, ଯାହା ‘ଇନଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟେଜିକ ଡାଏଲଗ’ (ଆଇଏସଡି) ଓ ‘ଗ୍ଲୋବାଲ ଇଣ୍ଟରନେଟ ଫୋରମ ଟୁ କାଉଣ୍ଟର ଟେରରିଜମ’ (ଜିଆଇଏଫସିଟି)ଙ୍କ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ । ଏହା ଏକ ଅଗ୍ରଣୀ ମାଗଣା ସାଧନ ଭାବେ ୱେବସାଇଟରେ ଉପଲବ୍ଧ । ଏହା ଏକ ବହୁଭାଷୀୟ, ପାରସ୍ପରିକ ଆଦାନପ୍ରଦାନ ପାଇଁ ସମର୍ଥ (ଇଣ୍ଟରଆକ୍ଟିଭ) ସାଧନ ଯାହା ମାଧ୍ୟମରେ ବ୍ୟକ୍ତି ବିଶେଷ ଓ ସଂଗଠନମାନେ ସମାଜର ମଙ୍ଗଳ ପାଇଁ ତଥା ସାମାଜିକ ଧ୍ରୁବୀକରଣ ବିରୁଦ୍ଧରେ ଅଭିଯାନ ମାଧ୍ୟମରେ ଏକଜୁଟ ହୋଇ ପଦକ୍ଷେପ ନେବାକୁ ସକ୍ଷମ ହୋଇଥାଆନ୍ତି । ଯେ କୌଣସି ଅଭିଯାନ ବା ଆନ୍ଦୋଳନରେ ଅଂଶ ଗ୍ରହଣ କରୁଥିବା ବା ସମର୍ଥନ କରୁଥିବା ସକ୍ରିୟତାବାଦୀ (ଆକ୍ଟିଭିଷ୍ଟ) ବା ସଂଗଠନ ଏହି କ୍ୟମ୍ପେନ ଟୁଲକିଟକୁ ବ୍ୟବହାର କରି ଅଭିଯାନ ବା ଆନ୍ଦୋଳନକୁ ଗତି ପ୍ରଦାନ କରିବା ପାଇଁ ଆବଶ୍ୟକତାନୁସାରେ ନିଜ ଟୁଲକିଟ ପ୍ରସ୍ତୁତ କରିଥାଆନ୍ତି । ଏଥିରେ ତିନିଟି ସ୍ତର ସନ୍ନିବେଶିତ । ପ୍ରଥମେ ବ୍ୟବହାରକାରୀଙ୍କୁ ଅଭିଯାନର କୌଶଳ ନିର୍ଦ୍ଧାରଣ କରି ଯୋଜନା ପ୍ରସ୍ତୁତ କରିବାକୁ ହୋଇଥାଏ । ତଦନୁସାରେ ଅଭିଯାନ ପାଇଁ ଏକ ବିଷୟବସ୍ତୁ ବା ନାମକରଣ ସହ ଏହା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ତାହା ସ୍ଥିର କରିବାକୁ ହୋଇଥାଏ । ଦ୍ୱିତୀୟତଃ, ଅଭିଯାନର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଟୁଲକିଟରେ କି ପ୍ରକାର ସାମଗ୍ରୀ (ଲେଖା, ଫଟୋ, ଭିଡିଓ ଇତ୍ୟାଦି) ସ୍ଥାନ ପାଇବ ତାହା ସ୍ଥିର କରା ଯାଇଥାଏ । ଶେଷରେ, ଏହା କିପରି ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ଅଭିଯାନ ବା ଆନ୍ଦୋଳନ ସମ୍ପର୍କରେ ବୃହତ୍ତର ଜନ ସଚେତନତା ସୃଷ୍ଟି କରି ହେବ ସେ ନେଇ ବ୍ୟବହାରକାରୀଙ୍କୁ ସାହାଯ୍ୟ କରିଥାଏ । ବ୍ୟବହାରକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ କିପରି କ୍ୟାମ୍ପେନ ଟୁଲକିଟର ଉତ୍ତମ ପ୍ରୟୋଗ କରି ସଫଳ ଅଭିଯାନମାନ ଗଢି ଉଠିଛି ସେ ସମ୍ପର୍କରେ ଉଦାହରଣମାନ ପ୍ରଦାନ କରା ଯାଇଛି । ସେହିପରି ‘ଆମେରିକାନ ଲାଇବ୍ରେରି ଆସୋସିଏସନ’ ଅଧୀନସ୍ଥ ‘ୟଙ୍ଗ ଆଡଲଟ୍ ଲାଇବ୍ରେରି ସର୍ଭିସେସ ଆସୋସିଏସନ’ ମଧ୍ୟ ଇଣ୍ଟରନେଟରେ ଏକ ‘ଟୁଲକିଟ ନିର୍ମାଣ ମାର୍ଗଦର୍ଶିକା’ ଅପଲୋଡ କରିଛନ୍ତି । ସେମାନଙ୍କ ଦ୍ୱାରା ଟୁଲକିଟର ନିରୂପିତ ସଂଜ୍ଞାଟି ହେଲା, “ଆଗ ଧାଡିର କର୍ମୀଙ୍କୁ ସମସ୍ୟାଟିକୁ ବୁଝିବାରେ ସହାୟକ ହେବା ଓ ତାର ନିରାକରଣ ପାଇଁ କୌଶଳ ଚିହ୍ନଟ କରିବାରେ ସହାୟକ ହେବା ପାଇଁ ଏକ ଆଧିକାରିକ (ଅଥରିଟେଟିଭ) ଓ ପରିର୍ତ୍ତନସାଧ୍ୟ (ଆଡାପଟେବଲ)ସମ୍ୱଳଗୁଡିକର ସଂକଳନ ” । ଅର୍ଥନୈତିକ ଅସମାନତାର ପ୍ରତିବାଦରେ ସେପ୍ଟେମ୍ୱର ୨୦୧୧ ମସିହାରେ ନିଉୟର୍କରେ ଆରମ୍ଭ ହୋଇଥିବା ‘ଅକୁପାଏ ୱାଲ ଷ୍ଟ୍ରିଟ’ ଆନ୍ଦୋଳନ ଟୁଲକିଟର ସଫଳତାର ସହ ଉପଯୋଗ ମାଧ୍ୟମରେ ବ୍ୟାପକ ଜନ ସମର୍ଥନ ହାସଲ କରି ଆମେରିକାର ଅନ୍ୟ ଅଞ୍ଚଳ ତଥା ଅନ୍ୟାନ୍ୟ ଅନେକ ଦେଶକୁ ବ୍ୟାପି ଥିଲା । ସେହିପରି ୨୦୧୮ର ଜଳବାୟୁ ପରିବର୍ତ୍ତନ ଆନ୍ଦୋଳନ, ୨୦୧୯ରେ ହଂକଂ ପ୍ରତିବାଦ, ଭାରତରେ ସିଏଏ ବିରୋଧୀ ଆନ୍ଦୋଳନଗୁଡିକରେ ଟୁଲକିଟର ଉପଯୋଗ ହୋଇଥିବା କୁହାଯାଏ । ଏତଦଭିନ୍ନ ବର୍ତ୍ତମାନ ମଧ୍ୟ ସାରା ବିଶ୍ୱରେ ‘ମୋର ଦ୍ୟାନ ଏ ରିଫ୍ୟୁଜି’, ‘ହ୍ୱାଟ ଦି ଫେକ’, ‘କନେକ୍ଟ ଫ୍ୟୁଟର୍ସ’, ‘କନସ୍ପିରେସି ୱାଚ’, ‘ଡୋଣ୍ଟ ବି ସାଇଲେଣ୍ଟ’, ‘ଏଜୁକେଟ ଏଗେନଷ୍ଟ ହେଟ’ ଭଳି ଶହ ଶହ ଅଭିଯାନ ଟୁଲକିଟ ମାଧ୍ୟମରେ ସଫଳତାର ସହ ଚାଲିଛି ।  

କୃଷକ ଆନ୍ଦୋଳନକୁ ସମର୍ଥନ କରି ପ୍ରସ୍ତୁତ ହୋଇଥିବା ଟୁଲକିଟର ପଠନ ସାମଗ୍ରୀକୁ ବିଶ୍ଳେଷଣ କରି ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା ମତ ଦେଇଛନ୍ତି ଯେ ସେଥିରେ ହିଂସା ବା ଲୋକଙ୍କୁ ଉସୁକାଇବା ପାଇଁ ଏପରି କିଛି ସାମଗ୍ରୀ ନାହିଁ ଯାହାକୁ ଆଇନ ଅନୁସାରେ ଦେଶଦ୍ରୋହ ପର୍ଯ୍ୟାୟଭୁକ୍ତ ବୋଲି କହି ହେବ । ଏହି ଟୁଲକିଟ ଦସ୍ତାବିଜ ସହ ଜନୈକ ଖଲିସ୍ତାନ ସମର୍ଥକଙ୍କ ସମ୍ପୃକ୍ତି ଥିବାର ସନ୍ଦେହରେ ପୁଲିସ ଏହା ଦେଶ ବିରୋଧୀ କାର୍ଯ୍ୟ ବୋଲି ତଦନ୍ତ କରୁଛି । ତେଣୁ ଏହି ଟୁଲକିଟ ସହ ସମ୍ପୃକ୍ତ ଅନ୍ୟମାନେ ବି ଯେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ବୋଲି ତୁରନ୍ତ ନିଷ୍କର୍ଷରେ ପହଞ୍ଚି ନ ଯାଇ ତଦନ୍ତର ଫଳାଫଳକୁ ଅପେକ୍ଷା କରିବା ସମୀଚୀନ ହେବ । କୃଷକ ଆନ୍ଦୋଳନ ଆମ ଦେଶର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ସେଥିରେ ଟୁଇଟ ମାଧ୍ୟମରେ ବା ଅନ୍ୟ ଭାବେ ବିଦେଶୀମାନେ ହସ୍ତକ୍ଷେପ କରିବାକୁ କେହି କେହି ଅନ୍ତ୍ରର୍ଜାତିକ ଷଡଯନ୍ତ୍ର ବୋଲି କହୁଛନ୍ତି । ବାସ୍ତବତା ହେଉଛି, ଆଜିକାଲିର ଡିଜିଟାଲ ଦୁନିଆରେ ଜଣେ ଫେସବୁକ, ଟୁଇଟର, ହ୍ୱାଟସଆପ, ଇନଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମର ଉପଯୋଗ କରୁଥିଲେ ସେ ଆଉ ଏକ ନିର୍ଦ୍ଦିଷ୍ଟ ଦେଶର ଭୌଗୋଳିକ ସୀମାରେ ଆବଦ୍ଧ ନ ରହି ଜଣେ ଅନ୍ତର୍ଜାତୀୟ ବ୍ୟକ୍ତି ପାଲଟି ଯାଇଥାଏ । ତେଣୁ ଯେ କୌଣସି ଦେଶରେ ଘଟୁଥିବା ଯେ କୌଣସି ଘଟଣା ଆଉ ସେହି ଦେଶର ଆଭ୍ୟନ୍ତରୀଣ ମାମଲା ହୋଇ ରହି ପାରି ନ ଥାଏ । ବରଂ ତାହା ସମଗ୍ର ବିଶ୍ୱରେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଯେ କୌଣସି ବ୍ୟକ୍ତିର ଦୃଷ୍ଟି ଆକର୍ଷଣ କରି ପାରିଥାଏ ଓ ସେଥିରେ ସେ ପ୍ରଭାବିତ ହେଉ କି ନ ହେଉ ନିଜ ପ୍ରତିକ୍ରିୟା ବ୍ୟକ୍ତ କରିବାକୁ ପଛାଇ ନ ଥାଏ । ସେଥିପାଇଁ ଆମେରିକାର କ୍ୟାପିଟଲ ହିଲରେ ହୋଇଥିବା ହିଂସାକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କଲା ବେଳେ ଏହା ଆମେରିକାର ଆଭ୍ୟନ୍ତରୀଣ ମାମଲା ଭାବି ସେଥିରୁ ବିରତ ହୋଇ ନ ଥିଲେ । ଏକ ନିର୍ଦ୍ଦିଷ୍ଟ ଅଭିଯାନ ବା ଆନ୍ଦୋଳନ ସପକ୍ଷରେ ବା ବିପକ୍ଷରେ ସାମାଜିକ ଗଣମାଧ୍ୟମର ପ୍ରାୟୋଜିତ ଉପଯୋଗର ନଜିରମାନ ମଧ୍ୟ ଦେଖିବାକୁ ମିଳୁଥିଲେ ବି ସେଗୁଡିକୁ ଅନ୍ତର୍ଜାତିକ ଷଡଯନ୍ତ୍ର କହିଲେ ଲାଭ ନାହିଁ, କାରଣ ସୀମାବିହୀନ ଡିଜିଟାଲ ଦୁନିଆର ତାହା ହିଁ ବାସ୍ତବତା । ଏଥିରେ ଅନ୍ୟ ଦେଶର ନାଗରିକ ସାମିଲ ହେଉ ଥିବାରୁ ଶକ୍ତିଶାଳୀ ଦେଶଟିଏ ବି ସେମାନଙ୍କ ବିରୁଦ୍ଧରେ ସେ ଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନ ଥାଏ ।                 

ଅନେକଙ୍କ ଦ୍ୱାରା ଏକ ବଖାଣ ପ୍ରସ୍ତୁତ କରି ଜନମାନସରେ ଏକ ବିଭ୍ରାନ୍ତି ସୃଷ୍ଟି କରିବାର ପ୍ରୟାସ ହେଉଛି ଯେ ଟୁଲକିଟ ଏକ ଷଡଯନ୍ତ୍ର । ସବୁ ସମୟରେ ଷଡଯନ୍ତ୍ର ଓ ରଣ କୌଶଳ ମଧ୍ୟରେ ଏକ କ୍ଷୀଣ ତଫାତକାରୀ ରେଖା ରହି ଆସିଛି । ଶାସକ, ପ୍ରଶାସକଙ୍କ ପାଇଁ ଯାହା ଷଡଯନ୍ତ୍ର, ଆନ୍ଦୋଳନକାରୀ ବା ବିଦ୍ରୋହୀଙ୍କ ପାଇଁ ତାହା ଷ୍ଟ୍ରାଟେଜି ବା ରଣ କୌଶଳ । ଔରଙ୍ଗଜେବଙ୍କ ଦୃଷ୍ଟିରେ ଶିବାଜୀ ଜଣେ ଷଡଯନ୍ତ୍ରକାରୀ ଓ ବିଦ୍ରୋହୀ ଥିଲେ । ବ୍ରିଟିଶ ସରକାରଙ୍କ ପାଇଁ ଭଗତ ସିଂହ ଜଣେ ଆତଙ୍କବାଦୀ ହୋଇଥାଇ ପାରନ୍ତି ମାତ୍ର ପ୍ରତି ଭାରତୀୟ ପାଇଁ ସେ ଜଣେ ଦେଶପ୍ରେମୀ । ଦେଶ ବିରୁଦ୍ଧରେ କୌଣସି ଷଡଯନ୍ତ୍ର ସର୍ବାଦୌ ନିନ୍ଦନୀୟ । କିନ୍ତୁ ଅନେକ ସମୟରେ ବ୍ୟବସ୍ଥା ବିରୁଦ୍ଧରେ ବା ସରକାରଙ୍କ ବିରୁଦ୍ଧରେ ଥିବା ଅସନ୍ତୋଷର ଆନ୍ଦୋଳନ ମାଧ୍ୟମରେ ହେଉଥିବା ପରିପ୍ରକାଶକୁ ଜନ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶର ସରକାର ତାହା ଦେଶ ବିରୋଧୀ ବୋଲି ଅଭିହିତ କରିବାର ପ୍ରଚେଷ୍ଟା କରିଥାଆନ୍ତି । ପ୍ରକୃତପକ୍ଷେ ଟୁଲକିଟର ବ୍ୟବହାର ଷଡଯନ୍ତ୍ର ପାଇଁ ନୁହେଁ ବରଂ ଅଭିଯାନର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାକୁ ଏକ ଷଡଯନ୍ତ୍ର ବା ଷଡଯନ୍ତ୍ରର ଅଂଶବିଶେଷ ବୋଲି କହି ହେବ ନାହିଁ ।

ଟୁଲକିଟ ମାମଲାରେ ଦିଶା ରବିଙ୍କ ଗିରଫ ପରେ ସରକାର ଯୁବ ସମାଜର ପ୍ରତିବାଦର ସ୍ୱରକୁ କ୍ଷୀଣ କରି ସେଥିରୁ କ୍ଷାନ୍ତ ରହିବା ପାଇଁ ଏକ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କେହି କେହି କହୁଛନ୍ତି । ଯେ କୌଣସି ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଅଭିଯାନ ବା ଆନ୍ଦୋଳନ ମୁଣ୍ଡ ଟେକିବା ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏହା ଗଣତନ୍ତ୍ରର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ମଧ୍ୟ । ଯେଉଁ ଦେଶର ଯୁବ ସମାଜ ଏ ନେଇ ଯେତେ ସଚେତନ ସେଠାରେ ଗଣତନ୍ତ୍ର କେବଳ ସୁରକ୍ଷିତ ନୁହେଁ ବରଂ ବିକାଶ ଲାଭ କରିଥାଏ । ଯୁବ ବର୍ଗ ଯେ କୌଣସି ଦେଶର ମେରୁଦଣ୍ଡ ହୋଇଥିବାରୁ ହଂକଂଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ଆନ୍ଦୋଳନମାନଙ୍କରେ ଯୁବ ସମାଜର ବହୁ ସଂଖ୍ୟାରେ ଯୋଗଦାନ ଦ୍ୱାରା ଶାସକମାନେ ବିଚଳିତ ହୋଇ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ଦମନମୂଳକ ପଦକ୍ଷେପ ନେଇଥାଆନ୍ତି । ସେମାନଙ୍କ ମଧ୍ୟରେ ଭୀତି ସଞ୍ଚାର କରି ସେମାନଙ୍କୁ ଆନ୍ଦୋଳନରୁ ଦୂରେଇ ରଖିବା ପାଇଁ ବା କ୍ଷାନ୍ତ କରିବା ପାଇଁ ପ୍ରୟାସ କରିଥାଆନ୍ତି । ତେବେ ଯୁବ ସମାଜ ସରକାରୀ ତନ୍ତ୍ରର ଦମନରେ ଭୀତତ୍ରସ୍ତ ହୋଇ ଅଭିଯାନ ବା ଆନ୍ଦୋଳନରୁ ନିବୃତ୍ତ ରହିଲେ ତାହା ସ୍ୱୈରତନ୍ତ୍ରକୁ ଜନ୍ମ ଦେଇଥାଏ, ଯାହା ଦେଶ ଓ ଦେଶବାସୀଙ୍କ ପ୍ରଭୁତ କ୍ଷତି ସାଧନ କରିଥାଏ । ହିଟଲରଙ୍କ ଅଧୀନରେ ଜର୍ମାନୀ ତାର ଏକ ଜ୍ୱଳନ୍ତ ଉଦାହରଣ । ତେଣୁ ହିଂସାକୁ ଆଶ୍ରୟ ନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଓ ଅଭିଯାନ ବା ଆନ୍ଦୋଳନ ପ୍ରତି ବ୍ୟାପକ ଜନସମର୍ଥନ ଲାଭ ଉଦ୍ଦେଶ୍ୟରେ ଟୁଲକିଟ ଭଳି ଆଧୁନିକ ପଦ୍ଧତି ଓ ଉପକରଣର ଅଧିକାଧିକ ଉପଯୋଗ କରିବାରେ କୌଣସି ଭୁଲ ନ ଥିବାରୁ ଯୁବ ସମାଜ ଏ ନେଇ ଭୀତତ୍ରସ୍ତ ବା ଏଥିରୁ ବିମୁଖ ହେବାର କୌଣସି କାରଣ ନାହିଁ ।


Published in Odisha Reporter on February 20, 2021 


Comments

  1. Saral,
    Very Illuminating article. I was waiting for such an article.

    ReplyDelete
  2. Toolkit ଆଳରେ ଅଯଥାରେ ଦିଶାରବିଙ୍କୁ ଗିରଫ କରି ଯୁବ ସମାଜ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ଯାହା ଅତି ନିନ୍ଦନୀୟ ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀଯୁକ୍ତ ସରଳ ଦାସଙ୍କ ଏହି ଲେଖା ଗୋଟିଏ ସାହାସିକ ପଦକ୍ଷେପ

    ReplyDelete
  3. ଆଲୋଚ୍ୟ ବିଷୟ ସମୟୋପଯୋଗି ଓ ଉପାଦେୟ

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍