Skip to main content

ଚାଷରୁ ଆୟ ଲାଗି କର ଦେବାକୁ ହେବ କି ?

ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ କଟାକ୍ଷ କରି ବିରୋଧ କରୁଥିବା କେହି କେହି କହିଥାଆନ୍ତି ଯେ ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ କୌଣସି ଆୟକର ନ ଦେଇ ଏମିତିରେ ଲାଭରେ ଅଛନ୍ତି । ହଁ, ଏହା ସତ ଯେ ବର୍ତ୍ତମାନ ଦେଶରେ କୃଷି ଆୟ ଆୟକର ପରିସରଭୁକ୍ତ ନୁହେଁ । ଅବଶ୍ୟ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ କ୍ଷୁଦ୍ର ବା ନାମମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କ ଆୟ ଏତେ ନଗଣ୍ୟ ଯେ ତାହା କୌଣସି ମତେ କର ପରିସରଭୁକ୍ତ ହୁଅନ୍ତା ନାହିଁ । ତେଣୁ କୃଷି ଆୟ ଉପରେ ଆୟକର ବ୍ୟବସ୍ଥା ଥିଲେ ହୁଏତ ମୁଷ୍ଟିମେୟ ବଡ ଚାଷୀଙ୍କୁ ଆୟକର ଦେବାକୁ ପଡୁଥାଆନ୍ତା । ତେବେ ନୂଆ କୃଷି ଆଇନ ପ୍ରଣୟନ ପରେ କୃଷି ଆୟ କର ପରିସରଭୁକ୍ତ ହେବାର ଆଶଙ୍କା ଦେଖା ଦେଲାଣି, ଯାହାକୁ ନେଇ ସାଧାରଣରେ ବିଶେଷ ଆଲୋଚନା ପରିଲକ୍ଷିତ ହେଉନାହିଁ ।

ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ ଆୟକର ଦେଉ ନ ଥିଲେ ବି ସେମାନେ ଯେ ସମ୍ପୂର୍ଣ୍ଣ ରୂପେ କର ପରିସର ବାହାରେ ରହି କୌଣସି କର ଦିଅନ୍ତି ନାହିଁ କହିବା ଠିକ ନୁହେଁ । କେବଳ ବିହନ, ପଶୁ ଖାଦ୍ୟ ଓ କୁକୁଡା ଖାଦ୍ୟକୁ ବାଦ ଦେଇ କୃଷି ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ପାଇଁ ସେମାନଙ୍କୁ ଜିଏସଟି ଦେବାକୁ ହୋଇଥାଏ । ସେମାନଙ୍କୁ ବିଭିନ୍ନ ପ୍ରକାର ସାର ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବା ବେଳେ ଟ୍ରାକ୍ଟର, ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ପମ୍ପ, ଡ୍ରିପ, ସ୍ପ୍ରିଙ୍କଲର ଆଦି ଉପରେ ୧୨ ପ୍ରତିଶତ ଜିଏସଟି ଦେବାକୁ ହୋଇଥାଏ । ଏପରିକି ରୋଗ ପୋକ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ହେଉଥିବା କୀଟନାଶକ ଉପରେ ସର୍ବାଧିକ ୧୮ ପ୍ରତିଶତ ଜିଏସଟି ଦେବାକୁ ହୋଇଥାଏ । ସାଉଥ ଏସିଆ ବାଇଓଟେକ୍ନୋଲୋଜି ସେଣ୍ଟର ସଂସ୍ଥାର ଆକଳନ ଅନୁସାରେ କୃଷି ଉପାଦାନ ଉପରେ ଦେଶରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ବାର୍ଷିକ ୧୪୫୦୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥାଏ । ଏହି ଉପାଦାନଗୁଡିକ କୃଷି କାର୍ଯ୍ୟ ପାଇଁ ଆବଶ୍ୟକୀୟ କଞ୍ଚାମାଲ ହୋଇଥିଲେ ବି ଚାଷୀମାନେ ହେଉଛନ୍ତି ଏକ ମାତ୍ର ଶ୍ରେଣୀର ବ୍ୟବସାୟୀ ଯେଉଁମାନେ ଅନ୍ୟମାନଙ୍କ ପରି ଇନପୁଟ ଟ୍ୟାକ୍ସ କ୍ରେଡିଟ ଦାବି କରି ପାରି ନ ଥାଆନ୍ତି । ଅର୍ଥାତ୍, ସେମାନେ କଞ୍ଚାମାଲ ଉପରେ ଦେଇଥିବା ଟିକସକୁ ଫେରସ୍ତ ପାଇ ପାରି ନ ଥାଆନ୍ତି । ଏହାର କାରଣ କୃଷି ଉତ୍ପାଦଗୁଡିକ ଉପରେ କୌଣସି ଜିଏସଟି ନ ଲାଗିବା । ଦେଶର ରାଜକୋଷକୁ ଏହି ବିପୁଳ ପରିମାଣର କର ପ୍ରଦାନ ମାଧ୍ୟମରେ ଚାଷୀମାନଙ୍କ ସହଯୋଗକୁ ଅଣଦେଖା କରିବା ପରିତାପର ବିଷୟ ।        

ଆୟକର ଆଇନ, ୧୯୬୧ର ଧାରା ୨(୧ଏ)ରେ କୃଷି ଆୟର ସଂଜ୍ଞା ନିରୂପିତ ହୋଇଛି । ତଦନୁଯାୟୀ,  (କ) ଭାରତରେ ଥିବା କୌଣସି ଜମି କୃଷି କ୍ଷେତ୍ରରେ ନିୟୋଜିତ ହୋଇ ସେଥିରୁ ମିଳୁଥିବା ଭଡା, ବା ଆୟ, (ଖ) ଏ ଭଳି ଜମିରେ କୃଷି କାର୍ଯ୍ୟ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଓ ସେହି କୃଷି ଉତ୍ପାଦକୁ ବିକ୍ରିଯୋଗ୍ୟ କରିବା ପାଇଁ ତାହାର ପ୍ରକ୍ରିୟାକରଣ (ଗ) ଏହି ଧାରାର ସର୍ତ୍ତକୁ ପୂରଣ କରି ଫାର୍ମ ହାଉସରୁ ହେଉଥିବା ଆୟ, (ଘ) ନର୍ସରିରେ ଚାରା, ପୁଆ ଆଦି ବିକ୍ରି ଲବ୍ଧ ଆୟକୁ କୃଷି ଆୟ ଭାବେ ଗ୍ରହଣ କରା ଯାଇଥାଏ । ଅର୍ଥାତ୍, କୌଣସି ଜମିରୁ ଉତ୍ପାଦିତ ରୋପିତ ବୃକ୍ଷ ଏବଂ କୃଷିଜାତ ଦ୍ରବ୍ୟର ବିକ୍ରିଲବ୍ଧ ଆୟ, ବିହନ, ଚାରା ଆଦିରୁ ଆୟ, କୃଷି କାର୍ଯ୍ୟରେ ବ୍ୟବହୃତ ଚାଷଜମିର ଭଡା, ଫୁଲଚାଷ, ଲତାଜାତୀୟ ଚାଷରୁ ଆୟ, କୃଷି କାର୍ଯ୍ୟ ଓ ଉତ୍ପାଦରେ ନିୟୋଜିତ ଅଂଶୀଦାରଠାରୁ ମିଳୁଥିବା ଲାଭ ଓ ପୁଞ୍ଜି ଉପରେ ସୁଧ ଆଦି କୃଷି ଆୟ ଭାବେ ବିବେଚିତ । ଅନ୍ୟ ପକ୍ଷରେ ଗୋପାଳନ ଓ ଦୁଗ୍ଧଜାତ ଦ୍ରବ୍ୟ, କୁକୁଡା ଚାଷ. ମହୁ ଚାଷ. କୌଣସି ସଂସ୍ଥା ବା କମ୍ପାନୀର କୃଷି ଆୟରୁ ମିଳୁଥିବା ଲାଭାଂଶ, ଜମିରେ ଥିବା ବା ଆପେ ଆପେ ଉଠିଥିବା ଗଛର ବିକ୍ରି ଲବ୍ଧ ଅର୍ଥ, ଲୁଣ ଚାଷ, ଠିଆ ଫସଲର କ୍ରୟ ଜନିତ ଲାଭ, ଜମିରେ ଥିବା ଖଣିଜ ସମ୍ପଦରୁ ମିଳୁଥିବା ରୟାଲଟି ଆଦି ଅଣ କୃଷି ଆୟ ଭାବେ ବିବେଚିତ । ଆୟକର ଆଇନ, ୧୯୬୧ର ଧାରା ୧୦ (୧) ଅନୁଯାୟୀ କୃଷି ଆୟ ଆୟକରମୁକ୍ତ ଅଟେ ।

୧୯୫୭ ମସିହାରେ ଆୟକର କମିଶନର ବନାମ ରାଜା ବିନୟ କୁମାର ସାହସ ରାୟ ମାମଲାରେ ସୁପ୍ରିମ କୋର୍ଟ କୃଷି ଆୟକୁ ବ୍ୟାଖ୍ୟା କରି ଅଧିକ ସ୍ପଷ୍ଟ କରିଛନ୍ତି । ରାଜା ବିନୟ କୁମାର ସାହସ ରାୟଙ୍କର ୬୦୦୦ ଏକର ପରିମିତ ଜଙ୍ଗଲ ଜମିରେ ଥିବା ଶାଳ, ପିଆଶାଳ ଆଦି ଗଛରୁ ହେଉଥିବା ଆୟକୁ ସେ କୃଷି ଆୟ ବୋଲି ଦର୍ଶାଇ ତାହା ଆୟକରମୁକ୍ତ ବୋଲି ଦାବି କରିଥିବାରୁ ଏହି ମାମଲାଟି ସୁପ୍ରିମ କୋର୍ଟଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା । ସୁପ୍ରିମକୋର୍ଟଙ୍କ ତର୍ଜମା ଅନୁଯାୟୀ ଶ୍ରମ ଓ କୌଶଳର ବିନିଯୋଗ କରି ଜମିରେ ଚାଷ କରିବାକୁ ମୋଟାମୋଟି ଭାବେ କୃଷି ବୋଲି ଗ୍ରହଣ କରା ଯାଉଥିଲେ ବି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କୃଷି ଭାବେ ବିବେଚିତ ହେବା ପାଇଁ ସେଥିରେ ଅନ୍ତତଃ ଦୁଇ ପ୍ରକାର କାର୍ଯ୍ୟ – ମୌଳିକ କାର୍ଯ୍ୟ ଓ ପରବର୍ତ୍ତୀ କାର୍ଯ୍ୟ - ସନ୍ନିବେଶିତ ଥିବା ନିହାତି ଆବଶ୍ୟକ । ଜମି ହଳ କରିବା, ବିହନ ବୁଣିବା, ତଳି ବା ଚାରା ରୋପଣ କରିବା ଓ ଜମିରେ ହେଉଥିବା ଏହି ଧରଣର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକୁ ମୌଳିକ କାର୍ଯ୍ୟ ଭାବେ ଗ୍ରହଣ କରା ଯାଇଥାଏ । ଅବଶ୍ୟ ଜମିରେ ବିହନ ଗଜା ବା ଅଙ୍କୁରୋଦଗମ ହେବା ପରେ ଫସଲରୁ ଉପଯୁକ୍ତ ଅମଳ ପାଇବା ପାଇଁ ଚାଷୀକୁ ଅନ୍ୟାନ୍ୟ ଅନେକ ପ୍ରକାର କାର୍ଯ୍ୟ କରିବାକୁ ହୋଇଥାଏ, ଯାହା କୃଷି କାର୍ଯ୍ୟ ପାଇଁ ଅପରିହାର୍ଯ୍ୟ । ଅଙ୍କୁରୋଦଗମ ପରେ ବଛାବଛି ଠାରୁ ଆରମ୍ଭ କରି ରୋଗ ପୋକ ନିୟନ୍ତ୍ରଣ, ଫସଲକୁ ଛେଳି ଗାଈ ଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ବାଡ ବୁଜିବା, କଟାକଟି (ପ୍ରୁନିଂ, କଟିଂ, ଫେଲିଂ), ଅମଳ, ଉତ୍ପାଦକୁ ବିକ୍ରିଯୋଗ୍ୟ କରିବା ଭଳି ସମସ୍ତ କାର୍ଯ୍ୟ ପରବର୍ତ୍ତୀ କାର୍ଯ୍ୟ ପର୍ଯ୍ୟାୟବାଚୀ । ଉଭୟ ମୌଳିକ କାର୍ଯ୍ୟ ଓ ପରବର୍ତ୍ତୀ କାର୍ଯ୍ୟ କରା ହୋଇଥିଲେ ଯାଇ ତାହା କୃଷିକାର୍ଯ୍ୟ ବୋଲି ବିବେଚିତ ହେବ । ଅର୍ଥାତ୍, ମୌଳିକ କାର୍ଯ୍ୟ ନ କରି କେବଳ ପରବର୍ତ୍ତୀ କାର୍ଯ୍ୟ କରା ଯାଇଥିଲେ ତାହା କୃଷି କାର୍ଯ୍ୟ ବୋଲି ଗ୍ରହଣୀୟ ହେବ ନାହିଁ ।  ଉଦାହରଣ ସ୍ୱରୂପ, ଜମିରେ ପୂର୍ବରୁ ଥିବା ଗଛର ରକ୍ଷଣାବେକ୍ଷଣ ‘ପରବର୍ତ୍ତୀ କାର୍ଯ୍ୟ’ ହୋଇଥିଲେ ବି ତାହା କୃଷି କାର୍ଯ୍ୟ ନୁହେଁ । କେବଳ ମୌଳିକ କାର୍ଯ୍ୟ କରି ବିହନ ଅଙ୍କୁରୋଦଗମ ପରେ କରା ଯାଉଥିବା ‘ପରବର୍ତ୍ତୀ କାର୍ଯ୍ୟ’ ହିଁ କୃଷି କାର୍ଯ୍ୟ ଅନ୍ତର୍ଭୁକ୍ତ ।

ସିଜିଏସଟି ଆଇନ, ୨୦୧୭ର ଧାରା ୨ର ଉପଧାରା ୭ ଅନୁଯାୟୀ ଜଣେ ବ୍ୟକ୍ତି ବିଶେଷ ବା ଅବିଭକ୍ତ ହିନ୍ଦୁ ପରିବାରକୁ କୃଷକ କହି ହେବ ଯେ ନିଜ ଶ୍ରମ, ପରିବାର ଶ୍ରମ, ମୂଲିଆଙ୍କୁ ପାରିଶ୍ରମିକ ଦେଇ ବା ଶ୍ରମିକଙ୍କୁ ଭଡାରେ ଆଣି ଜମି ଚାଷ କରୁଥିବେ । ପରବର୍ତ୍ତୀ ସମୟରେ ଅନ୍ୟ ଏକ ବିଜ୍ଞପ୍ତି ଜରିଆରେ ‘କୃଷି ଉତ୍ପାଦ’ର ସଂଜ୍ଞା ନିରୂପିତ ହେଲା । ତଦନୁସାରେ ଫସଲ ଚାଷ, ବିଭିନ୍ନ ପ୍ରଜାତିର ପଶୁପାଳନ (ଅଶ୍ୱପାଳନ ବ୍ୟତୀତ)ରୁ ଖାଦ୍ୟ, ତନ୍ତୁ, ଜାଳେଣି, କଞ୍ଚା ମାଲ ବା ଅନ୍ୟ ଅନୁରୂପ ଉତ୍ପାଦ ଉଦ୍ଦେଶ୍ୟରେ ପ୍ରସ୍ତୁତ ଯେ କୌଣସି ଉତ୍ପାଦକୁ କୃଷି ଉତ୍ପାଦ କହି ହେବ । ଅବଶ୍ୟ ଉତ୍ପାଦିତ ସାମଗ୍ରୀର ଚାଷୀ ବା ଉତ୍ପାଦକ ଦ୍ୱାରା କୌଣସି ପ୍ରକ୍ରିୟାକରଣ ହୋଇ ନ ଥିବ ବା ଏହାକୁ ପ୍ରାଥମିକ ବଜାରରେ ବିକ୍ରିଯୋଗ୍ୟ କରିବା ପାଇଁ ଏହାର ଅପରିହାର୍ଯ୍ୟ ବୈଶିଷ୍ଟ୍ୟକୁ ପରିବର୍ତ୍ତନ ନ କରି ସର୍ବନିମ୍ନ ପ୍ରକ୍ରିୟାକରଣ ହୋଇଥିବ । ଉଦାହରଣ ସ୍ୱରୂପ ଚାଷୀ ଦ୍ୱାରା ଉତ୍ପାଦିତ ଅଦାକୁ କୃଷି ଉତ୍ପାଦ ଭାବେ ଗ୍ରହଣ କରା ଯାଉଥିଲେ ବି ତାହାର ଚୋପା ଛଡାଇ ତାକୁ ଶୁଖାଇ ପ୍ରସ୍ତୁତ ହେଉଥିବା ଶୁଣ୍ଠିକୁ କୃଷି ଉତ୍ପାଦ ଭାବେ ଗ୍ରହଣ କରା ଯାଇ ନ ଥାଏ । ଚାଷୀ ଦ୍ୱାରା ଉତ୍ପାଦିତ କଞ୍ଚା ହଳଦୀ କୃଷି ଉତ୍ପାଦ ହୋଇଥିବା ବେଳେ ସେହି ହଳଦୀର ପ୍ରକ୍ରିୟାକରଣ ପରେ ପ୍ରସ୍ତୁତ ଶୁଖିଲା ହଳଦୀ ବା ହଳଦୀ ଗୁଣ୍ଡକୁ କୃଷି ଉତ୍ପାଦ ଭାବେ ଗ୍ରହଣ କରା ଯାଇ ନ ଥାଏ । କାରଣ ଏହି ପ୍ରକ୍ରିୟାକରଣ ଦ୍ୱାରା ଉତ୍ପାଦଟିର ଅପରିହାର୍ଯ୍ୟ ବୈଶିଷ୍ଟ୍ୟରେ ପରିବର୍ତ୍ତନ ହେବା ସହ ଏଥିପାଇଁ କୁଶଳୀ ଶ୍ରମଶକ୍ତିର ଆବଶ୍ୟକତା ଉପୁଜିଥାଏ । ଜିଏସଟି ଆଇନରେ କୃଷି ଉତ୍ପାଦ ଉପରେ କୌଣସି କର ବ୍ୟବସ୍ଥା ନ ଥିଲେ ବି ସେଗୁଡିକର ପ୍ରକ୍ରିୟାକରଣ ପରେ ପ୍ରସ୍ତୁତ ଉତ୍ପାଦକୁ କୃଷି ଉତ୍ପାଦ ଶ୍ରେଣୀଭୁକ୍ତ କରା ଯାଉ ନ ଥିବାରୁ ସେହି ଦ୍ରବ୍ୟଗୁଡିକ ଉପରେ କରର ପ୍ରାବଧାନ ରହିଛି, ଯାହା ଜିଏସଟି ଆଇନ ପ୍ରଣୟନ ପୂର୍ବରୁ ନ ଥିଲା । କୃଷି, ବନୀକରଣ, ମତ୍ସ୍ୟ, ପଶୁପାଳନ ପାଳନ ଲାଗି ଯେଉଁ ସହାୟକ ସେବାଗୁଡିକୁ ଜିଏସଟିରେ କରମୁକ୍ତ କରାଯାଇଛି ସେଗୁଡିକ ହେଲା, କମିଶନ ଏଜେଣ୍ଟ ସେବା, ଗୋଦାମ ଓ ଭଣ୍ଡାରଣ ସେବା, ଠିକା କାମ (ଜବ ୱାର୍କ) ସେବା, ମାଲ ବୋଝେଇ ଓ ଖଲାସ ସେବା, ପରିବହନ ସେବା, କୃଷି ଭିତ୍ତିକ ଯନ୍ତ୍ରପାତି ଓ ଖାଲି ଜମି ଭଡା ଲଗାଣ । ଉଲ୍ଲେଖଯୋଗ୍ୟ, ଜିଏସଟି ଆଇନରେ ଯନ୍ତ୍ରପାତିର ଭଡା ପ୍ରଦାନ କର ପରିସରଭୁକ୍ତ ହୋଇ ନ ଥିଲେ ବି କଣ୍ଟ୍ରାକ୍ଟ ଫାର୍ମିଂ ଲାଗି ଚାଷୀ ଲିଜ ବା ଭଡା ଆକାରରେ ଦେଉଥବା ତାର ଚାଷ ଜମି ଜିଏସଟି କର ପରିସର ବାହାରେ ରହିବ କି ନାହିଁ ସେ ସମ୍ପର୍କରେ ଜିଏସଟି ଆଇନରେ ସ୍ପଷ୍ଟ ଭାବେ କୌଣସି ଉଲ୍ଲେଖ ନାହିଁ । ସିଜିଏସଟି ଆଇନ, ୨୦୧୭ର ସିଡ୍ୟୁଲ ୨ର ପାରା ୨ ଅନୁଯାୟୀ ଜମିର କୌଣସି ପ୍ରକାର ଲିଜ, ଭଡା ସୂତ୍ରରେ ପ୍ରଦାନ (ଟେନାନ୍ସି), ସୁବିଧାଧିକାର (ଇଜମେଣ୍ଟ), ଜମି ଦଖଲର ଲାଇସେନ୍ସ ଆଦି ଏକ ପ୍ରକାର ସେବା ହୋଇଥିବାରୁ ଏହି ସେବା ଉପରେ ୧୮ ପ୍ରତିଶତ ଜିଏସଟି କରର ପ୍ରାବଧାନ ରହିଛି । ତେଣୁ କଣ୍ଟ୍ରାକ୍ଟ ଫାର୍ମିଂରେ ଚାଷୀ କମ୍ପାନୀକୁ ନିଜ ଚାଷ ଜମିକୁ ଲିଜରେ ଦେବା ପରେ ସେ ତା ଜମିରେ ନିଜେ ଆଉ କୃଷି ସଂକ୍ରାନ୍ତୀୟ ମୌଳିକ କାର୍ଯ୍ୟ ବା ପରବର୍ତ୍ତୀ କାର୍ଯ୍ୟ କରି ପାରିବ ନାହିଁ ଓ ସେ ମଧ୍ୟ ଚାଷୀ ବୋଲି ପରିଗଣିତ ହେବ ନାହିଁ । ସେ କ୍ଷେତ୍ରରେ ତାର ଆୟ ଚାଷ ଜମିର ଭଡା ବାବଦକୁ ମିଳୁଥିବାରୁ, ଏ ସମ୍ପର୍କରେ ଆଇନରେ ସ୍ପଷ୍ଟତାର ଅଭାବରୁ, ତାକୁ ୧୮ ପ୍ରତିଶତ ଜିଏସଟି କର ଦେବାକୁ ପଡିପାରେ । ତାହା ହେଲେ ଚାଷୀ ଅତି ଅସୁବିଧାରେ ପଡିବାର ଆଶଙ୍କା ଦେଖା ଦେବ । କାରଣ ସେଥିପାଇଁ ତାକୁ ଜିଏସଟିରେ ପଞ୍ଜିକରଣ କରିବା ସହ ପ୍ରତି ବର୍ଷ ୩୭ ପ୍ରକାର ରିଟର୍ଣ୍ଣ ଦାଖଲ କରିବାକୁ ହେବ । ପୁନଶ୍ଚ, ତାର ଆୟ କୃଷି କ୍ଷେତ୍ରରେ ମୌଳିକ କାର୍ଯ୍ୟ ଓ ପରବର୍ତ୍ତୀ କାର୍ଯ୍ୟ ନ କରି ଜମି ଲିଜରୁ ହେଉ ଥିବାରୁ ଏହା ଆଉ କୃଷି ଆୟ ଭାବେ ବିବେଚିତ ହୋଇ ନ ପାରେ । ପରବର୍ତ୍ତୀ ସମୟରେ ସମାନ କାରଣରୁ ଆୟକର ଆଇନ ଅନୁଯାୟୀ ଚାଷୀର ଏହି ଆୟ ମଧ୍ୟ ଆୟକର ପରିସରଭୁକ୍ତ ହେବାର ଆଶଙ୍କା ଦେଖା ଦେଇପାରେ । ତେଣୁ ଚାଷୀଟିଏ କମ୍ପାନୀକୁ କଣ୍ଟ୍ରାକ୍ଟ ଫାର୍ମିଂ ପାଇଁ ଜମି ପ୍ରଦାନ କଲେ ସେଥିରୁ ହେଉଥିବା ଆୟ ଉପରେ ତାକୁ କର ପ୍ରଦାନ କରିବାକୁ ହେବ କି ନାହିଁ, ତାହା ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିବା ଉଚିତ । ନୂଆ କୃଷି ଆଇନରେ କଣ୍ଟ୍ରାକ୍ଟ ଫାର୍ମିଂ ସାରା ଦେଶରେ ଲାଗୁ ହୋଇଥିବାରୁ କୃଷି ଆୟ କର ପରିସରଭୁକ୍ତ ହେଲେ କେବଳ ପଞ୍ଜାବ, ହରିଆଣାର ଚାଷୀ ନୁହନ୍ତି ବରଂ ଦେଶ ଯାକର ସାନ ବଡ ଚାଷୀ ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଦେଖା ଦେବ । ତଦ୍ଦ୍ୱାରା କୃଷି ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟି ଖାଉଟି ମଧ୍ୟ ପ୍ରଭାବିତ ହୋଇପାରେ । ତେଣୁ ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ସରକାରୀ ସ୍ତରରେ ତୁରନ୍ତ ପଦକ୍ଷେପ ନିଆଗଲେ, ତାହା ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିବାରେ ସହାୟକ ହୋଇପାରେ ।


Published in Sambad on February 23, 2021

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍