ଆମେରିକାର ସୁପ୍ରିମ କୋର୍ଟ ଫେବୃଆରି ୨୦ ତାରିଖ ଦିନ ଏକ ଐିତିହାସିକ ରାୟ ପ୍ରଦାନ କରି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଦ୍ୱାରା ବିଭିନ୍ନ ଦେଶ ଉପରେ ଭିନ୍ନଭିନ୍ନ ଦରରେ ଜାରି କରାଯାଇଥିବା ‘ପାରସ୍ପରିକ ଶୁଳ୍କ’ (ରେସିପ୍ରୋକାଲ ଟାରିଫ)କୁ ବେଆଇନ ଦର୍ଶାଇ ବାତିଲ କରିଦେଲେ। ଏହା ଟ୍ରମ୍ପଙ୍କ ଅହମିକା ପ୍ରତି ଏକ ଶକ୍ତ ଆଘାତ। ତେଣୁ ଟ୍ରମ୍ପ ଏହାକୁ ସହଜରେ ଗ୍ରହଣ କରି ନପାରି ତାଙ୍କର ‘ମର୍ଯ୍ୟାଦାହାନି’ ବୋଲି ଆକ୍ଷେପ କରିଛନ୍ତି। ଏହି ରାୟ ଆସିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଓଷଦ ବିକଳରେ ତାଟିଆ କାମୁଡ଼ିଲା ଭଳି ସବୁ ଦେଶ ଉପରେ ୧୦ ପ୍ରତିଶତ ‘ବୈଶ୍ୱିକ ଶୁଳ୍କ’ (ଗ୍ଲୋବାଲ ଟାରିଫ) ଲଗାଇବାକୁ ଘୋଷଣା କଲେ । ଠିକ୍ ଦିନକ ପରେ ପୁଣି ତାକୁ ବଢ଼ାଇ ୧୫ ପ୍ରତିଶତ କରିଦେଲେ। ଟ୍ରମ୍ପଙ୍କ ଟାରିଫ ଆତଙ୍କରେ ଗତ ପ୍ରାୟ ବର୍ଷେ କାଳ ଧରି ସାରା ବିଶ୍ୱର ବହିର୍ବାଣିଜ୍ୟ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା। ଇତିମଧ୍ୟରେ ଅନେକ ଦେଶ ଆମେରିକା ସହ ବାଣିଜ୍ୟ ଚୁକ୍ତି ସମ୍ପାଦନ କରିବାକୁ ବାଧ୍ୟ ହୋଇଥିଲେ। ଭାରତ ପରିପ୍ରେକ୍ଷୀରେ ମଧ୍ୟ ଏଭଳି ଏକ ଚୁକ୍ତିର ରୂପରେଖ ପ୍ରସ୍ତୁତ ହୋଇ ବହିର୍ବାଣିଜ୍ୟ ସ୍ଥିତି ସ୍ଥିରତା ଆଡ଼କୁ ଅଗ୍ରସର ହେଉଥିଲା। ଯଦିଓ ଆମେରିକା ସୁପ୍ରିମ କୋର୍ଟଙ୍କ ରାୟ ପରେ ଭବିଷ୍ୟତ ନେଇ ସ୍ପଷ୍ଟତା ମିଳି ପାରୁନାହିଁ, ତଥାପି ଏକ ସ୍ଥୂଳ ଅନୁମାନ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା କରାଯାଇପାରେ।
ଦ୍ୱିତୀୟ ଦଫା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଆମେରିକାର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଅନେକ ଦେଶ ଆମେରିକୀୟ ସାମଗ୍ରୀ ଉପରେ ଅତ୍ୟଧିକ ଶୁଳ୍କ ଲଗାଇବା ଫଳରେ ସେହି ଦେଶଗୁଡ଼ିକର ବଜାରକୁ ଆମେରିକୀୟ ସାମଗ୍ରୀର ମୁକ୍ତ ପ୍ରବେଶ ହୋଇପାରୁ ନଥିଲା। ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସଂରକ୍ଷଣ ପ୍ରଦାନ କରିବା ଲାଗି ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଦରରେ ଶୁଳ୍କ ଲଗାଯାଉଥିଲା। ଫଳରେ ଆମେରିକାର ରପ୍ତାନୀ ହ୍ରାସ ପାଇ ବାଣିଜ୍ୟ ନିଅଣ୍ଟ ୧.୨ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିଲା। ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଟ୍ରମ୍ପ ‘ରେସିପ୍ରୋକାଲ ଟାରିଫ’ ଜରିଆରେ ‘ଯେସାକୁ ତେସା’ ନୀତିର ଅନୁସରଣ କଲେ। ଫଳରେ ଆମେରିକୀୟ ସାମଗ୍ରୀର ଆମଦାନି ଉପରେ ଶୁଳ୍କ ହାର ହ୍ରାସ କରୁ ନଥିବା ଦେଶ ଉପରେ ଆମେରିକା ମଧ୍ୟ ଅନୁରୂପ ପରିମାଣରେ ଅଧିକ ଶୁଳ୍କ ଲଗାଇବାର ନିଷ୍ପତ୍ତି ନେଲା। ୨୦୨୫ ମସିହା ଫେବୃଆରି ୧୦ ତାରିଖରେ ପ୍ରଥମ କରି ଟ୍ରମ୍ପ ପ୍ରଶାସନ ଦ୍ୱାରା ଇସ୍ପାତ ଓ ଆଲୁମିନିଅମର ଆମଦାନି ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେଲା। ସେହି ବର୍ଷ ଏପ୍ରିଲ ୨ ତାରିଖରୁ ବର୍ଦ୍ଧିତ ହାରର ଶୁଳ୍କ ସାମଗ୍ରୀ-କୈନ୍ଦ୍ରିକ ନ ହୋଇ ବିଭିନ୍ନ ଦେଶରୁ ଆସୁଥିବା ଅନେକ ସାମଗ୍ରୀ ଉପରେ ଭିନ୍ନ ଭିନ୍ନ ଦରରେ ଲାଗୁ ହେବାକୁ ଲାଗିଲା। ଏହି ଶୁଳ୍କ ହାର ବ୍ରିଟେନ ସମେତ କେତେକ ଦେଶ ଉପରେ ସର୍ବନିମ୍ନ ୧୦ ପ୍ରତିଶତ ଥିବା ବେଳେ ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ ୫୦ ପ୍ରତିଶତ ହେଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରତିଦ୍ୱନ୍ଦ୍ୱିତା ଲାଗି ଏକ ସମତଳ ଭୂମି ତିଆରି କରିବା ଓ ତା’ ମାଧ୍ୟମରେ ଆମେରିକାର ଘରୋଇ ଉଦ୍ୟୋଗଗୁଡ଼ିକୁ ସଂରକ୍ଷଣ ପ୍ରଦାନ କରିବା। ଆମେରିକୀୟ ଉଦ୍ୟୋଗଗୁଡ଼ିକ ପୁନର୍ବାର ଚଳଚଞ୍ଚଳ ହେଲେ ସ୍ଥାନୀୟ ଲୋକଙ୍କ ଲାଗି ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଗଲା। ପରବର୍ତ୍ତୀ ସମୟରେ ଏହି ରେସିପ୍ରୋକାଲ ଟାରିଫ କେବଳ ବାଣିଜ୍ୟ ନିଅଣ୍ଟଗତ କାରଣ ଲାଗି ବ୍ୟବହାର ହେଲା ନାହିଁ। କ୍ରମେ କୂଟନୈତିକ ଓ ଭୂ-ରାଜନୈତିକ ସ୍ୱାର୍ଥ ସାଧନ ଲାଗି ଏହାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଗଲା।
କିନ୍ତୁ ଦେଖାଗଲା ଯେ, ବର୍ଦ୍ଧିତ ଶୁଳ୍କର କୁପ୍ରଭାବ ଆମେରିକାର ଘରୋଇ ଉଦ୍ୟୋଗ, ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବାକୁ ଲାଗିଲା। ଶୁଳ୍କ ବୃଦ୍ଧି ଯୋଗୁଁ ଖାଉଟି ସାମଗ୍ରୀର ଦର ବୃଦ୍ଧି ହେଲା ଓ ଚାହିଦା ହ୍ରାସ ପାଇଲା। କିଛି ବ୍ୟାବସାୟିକ ପ୍ରତିଷ୍ଠାନ ବର୍ଦ୍ଧିତ ଶୁଳ୍କର କିଛି ଅଂଶ ନିଜେ ବହନ କରିବାରୁ ସେମାନଙ୍କ ଲାଭ କମିଲା। ଏଣେ ଦ୍ରବ୍ୟର ଯୋଗାଣରେ ବିଳମ୍ୱ ହେବା ସହ ଖାଉଟି ଅସନ୍ତୋଷ ବଢ଼ିବାକୁ ଲାଗିଲା।
‘ରେସିପ୍ରୋକାଲ ଟାରିଫ’ ଲାଗୁ କଲା ବେଳେ ହ୍ୱାଇଟ୍ ହାଉସ୍ ତରଫରୁ ‘ଅନ୍ତର୍ଜାତୀୟ ଜରୁରିକାଳୀନ ଅର୍ଥନୈତିକ କ୍ଷମତା ଆଇନ’ (ଆଇ.ଇ.ଇ.ପି.ଏ., ୧୯୭୭) ଅନୁଯାୟୀ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ଲାଗି ବାଣିଜ୍ୟକୁ ନିୟନ୍ତ୍ରଣ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି। ଏହି କ୍ଷମତାକୁ ବ୍ୟବହାର କରି ‘ରେସିପ୍ରୋକାଲ ଟାରିଫ’ ଲାଗୁ କରାଗଲା ବୋଲି ହ୍ୱାଇଟ ହାଉସ ତରଫରୁ ଦର୍ଶାଯାଇଥିଲା। ମାତ୍ର ସୁପ୍ରିମ କୋର୍ଟଙ୍କ ଅନୁଯାୟୀ ଶୁଳ୍କ ନିର୍ଦ୍ଧାରଣ କ୍ଷମତା ଆମେରିକା ସଂସଦଠାରେ ନ୍ୟସ୍ତ; ସଂସଦର ବିନା ମଞ୍ଜୁରିରେ ଏକତରଫା ଭାବେ ‘ରେସିପ୍ରାକୋଲ ଟାରିଫ୍’ ଲାଗୁ କରାଯାଇପାରିବ ନାହିଁ। ରାଷ୍ଟ୍ରପତି ଏଭଳି କରି ତାଙ୍କ କ୍ଷମତାର ସୀମା ଉଲଂଘନ କରିଛନ୍ତି। ଏହା ଅସାମ୍ୱିଧାନିକ, ତେଣୁ ‘ରେସିପ୍ରୋକାଲ ଟାରିଫ’କୁ ସୁପ୍ରିମ କୋର୍ଟ ସମ୍ପୂର୍ଣ୍ଣ ବାତିଲ କରିଦେଲେ। ତେବେ ଗତ ବର୍ଷକ ଭିତରେ ‘ରେସିପ୍ରୋକାଲ ଟାରିଫ’ ଭାବେ ଆଦାୟ ହୋଇଥିବା ପ୍ରାୟ ୧୭,୫୦୦ କୋଟି ଡଲାରର ଫେରସ୍ତ ନେଇ ସୁପ୍ରିମ କୋର୍ଟ କୌଣସି ଟିପ୍ପଣି ଦେଇ ନାହାନ୍ତି।
ଟ୍ରମ୍ପ କ୍ଷମତାକୁ ଫେରିଲା ବେଳେ ଆମେରିକାର ହାରାହାରି ଟାରିଫ୍ ଥିଲା ମାତ୍ର ୨.୫ ପ୍ରତିଶତ, ଯାହା ଯଥେଷ୍ଟ ବୃଦ୍ଧି ପାଇ ବର୍ଷକ ଭିତରେ ହାରାହାରି ୧୭ ପ୍ରତିଶତରେ ପହଞ୍ଚି ସାରିଲାଣି। ତେଣୁ ଅତିରିକ୍ତ ଟାରିଫ୍ ଭାବେ ମିଳୁଥିବା ଏହି ବିପୁଳ ପରିମାଣର ରାଶିକୁ ଟ୍ରମ୍ପ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ତେଣୁ ସୁପ୍ରିମ କୋର୍ଟଙ୍କ ଏହି ରାୟ ସତ୍ତ୍ୱେ ଶୁଳ୍କ ଲଗାଇବା ଜିଦରେ ଅଟଳ ଟ୍ରମ୍ପ କେତେକ ବିକଳ୍ପର ଉପଯୋଗ କରିବାକୁ ଚେଷ୍ଟା କରିବେ। ପ୍ରଥମତଃ, ବାଣିଜ୍ୟ ଆଇନ, ୧୯୭୪ର ଧାରା ୧୨୨ ଅନୁଯାୟୀ ଆମେରିକାକୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ୧୫୦ ଦିନ ପର୍ଯ୍ୟନ୍ତ ୧୫ ପ୍ରତିଶତ ଯାଏଁ ଅତିରିକ୍ତ ଶୁଳ୍କ ଲଗାଇ ପାରିବେ। ଏହି ଶୁଳ୍କ ଲଗାଇବା ପାଇଁ ଅନୁସନ୍ଧାନ, ଆଲୋଚନା ଆଦିର ଆବଶ୍ୟକତା ନ ଥିବାରୁ ଏହାକୁ ତତକ୍ଷଣାତ ଲଗାଯାଇପାରିବ। ଟ୍ରମ୍ପ ସବୁ ଦେଶ ଉପରେ ‘ବୈଶ୍ୱିକ ଶୁଳ୍କ’ ଲଗାଇ ଏହି କ୍ଷମତାର ଉପଯୋଗ କରି ସାରିଲେଣି। ତେବେ ସମସ୍ୟା ହେଉଛି ୧୫୦ ଦିନ ପୂରିଲା ମାତ୍ରେ ଆମେରିକା ସଂସଦ ଅବଧି ବୃଦ୍ଧି ଲାଗି ମଞ୍ଜୁରି ନ ଦେଲେ ତାହା ଆପେଆପେ ଅକାମି ହୋଇଯିବ। ଦ୍ୱିତୀୟତଃ, କୌଣସି ଦେଶ ଅସଙ୍ଗତ, ଅଯୌକ୍ତିକ ବା ପକ୍ଷପାତପୂର୍ଣ୍ଣ ବାଣିଜ୍ୟିକ ଆଚରଣ କରୁଥିବା ଦର୍ଶାଇ ଆମେରିକା ବାଣିଜ୍ୟ ଆଇନର ଧାରା ୩୦୧ ଅନୁଯାୟୀ ଅତିରିକ୍ତ ଶୁଳ୍କ ଲଗାଇ ପାରିବ। ଟ୍ରମ୍ପ ତାଙ୍କର ପ୍ରଥମ ଦଫା ରାଷ୍ଟ୍ରପତିତ୍ୱ କାଳରେ ଏହି ଧାରାର ବହୁଳ ବ୍ୟବହାର କରିଥିଲେ। ଅବଶ୍ୟ ଏହି ଧାରାର ଉପଯୋଗ ପୂର୍ବରୁ ଅନୁସନ୍ଧାନ ଓ ଜନଶୁଣାଣି ଆବଶ୍ୟକ ହେଉଥିବାରୁ ତାହା ସମୟ ସାପେକ୍ଷ। ପୁନଶ୍ଚ, ବାଣିଜ୍ୟ ବିସ୍ତାର ଆଇନ, ୧୯୬୨ର ଧାରା ୨୩୨ ଅନୁଯାୟୀ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ଆଳ କରି ଅତିରିକ୍ତ ଶୁଳ୍କ ଲଗାଯାଇପାରିବ। ଅବଶ୍ୟ ଏଥି ପୂର୍ବରୁ ବାଣିଜ୍ୟ ବିଭାଗ ଦ୍ୱାରା ଅନୁସନ୍ଧାନ କରାଯିବା ଜରୁରି। ପ୍ରଥମ ଦଫାରେ ମଧ୍ୟ ଟ୍ରମ୍ପ ଏହି ଧାରାର ଉପଯୋଗ କରି ଟାରିଫ୍ ଲଗାଇଥିବାର ଅନେକ ନଜିର ରହିଛି। ଏହା ଛଡ଼ା, ଟାରିଫ ଆଇନ, ୧୯୩୦ର ଧାରା ୩୩୮ ଅନୁଯାୟୀ ଆମେରିକୀୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁଥିବା ଦେଶ ଉପରେ ରାଷ୍ଟ୍ରପତି ସିଧାସଳଖ ୫୦ ପ୍ରତିଶତ ଯାଏଁ ଅତିରିକ୍ତ ଶୁଳ୍କ ଲଗାଇ ପାରିବେ। ଅର୍ଥାତ୍, ସୁପ୍ରିମ କୋର୍ଟଙ୍କ ପ୍ରତିକୂଳ ରାୟ ସତ୍ତ୍ୱେ ଟ୍ରମ୍ପ ବିଭିନ୍ନ ଭାବେ ଅତିରିକ୍ତ ଶୁଳ୍କ ଲଗାଇ ପାରିବେ। ତେଣୁ କେହି କେହି କହନ୍ତି ଯେ ଟାରିଫ ଆକ୍ରମଣର ଯବନିକା ପତନ ହୋଇ ନପାରେ।
ଅନ୍ୟ ଦେଶ ତୁଳନାରେ ଆମେରିକା ସହ ଭାରତର ବହିର୍ବାଣିଜ୍ୟ ସର୍ବାଧିକ। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୧୩,୧୮୦ କୋଟି ଡଲାରରେ ପହଞ୍ଚିଥିଲା। ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆମେରିକା ସହ ବାଣିଜ୍ୟରେ ଭାରତ ବଳକା ସ୍ଥିତିରେ ଅଛି। ସେହି ବର୍ଷ ଭାରତ ଆମେରିକାକୁ ୮,୬୫୧ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବା ବେଳେ ଆମଦାନି କରିଥିଲା ୪,୫୩୩ କୋଟି ଡଲାର। ଅର୍ଥାତ୍, ବାଣିଜ୍ୟ ବଳକାର ପରିମାଣ ଥିଲା ୪,୦୦୦ କୋଟି ଡଲାରରୁ ଅଧିକ, ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ତେଣୁ ଆମେରିକା ସହ ସ୍ୱଚ୍ଛନ୍ଦ ବାଣିଜ୍ୟ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝା ପଡ଼େ। ଗତ ବର୍ଷ ଏପ୍ରିଲ ମାସ ଯାଏଁ ଭାରତକୁ ଆମେରିକା ‘ସର୍ବାଧିକ ପସନ୍ଦର ଦେଶ’ ( ମୋଷ୍ଟ ଫେଭରଡ ନେସନ- ଏମ.ଏଫ.ଏନ.)ର ମାନ୍ୟତା ପ୍ରଦାନ କରି ‘ଏମ.ଏଫ.ଏନ. ଲେଭି’ ଆଦାୟ କରୁଥିଲା, ଯାହା ହାରାହାରି ମାତ୍ର ୩.୫ ପ୍ରତିଶତ ଥିଲା। ଏପ୍ରିଲ ମାସ ଆମେରିକା ଭାରତ ଉପରେ ୨୫ ପ୍ରତିଶତର ‘ରେସିପ୍ରୋକାଲ ଟାରିଫ୍’ ଲଗାଇଲା। ଭାରତ ରୁଷିଆରୁ ତେଲ କିଣୁଥିବା କାରଣରୁ ଜରିମାନା ସ୍ୱରୂପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେଲା। ଫଳରେ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ୍ ଲାଗିବାରୁ ଏହାର ମାତ୍ରାଧିକ କୁପ୍ରଭାବ ଭାରତରୁ ଆମେରିକାକୁ ହେଉଥିବା ରପ୍ତାନି ଉପରେ ପଡ଼ିଲା। ବିଭିନ୍ନ କାରଣରୁ ପ୍ରାୟ ବର୍ଷେ କାଳ ଧରି ଆମେରିକା ସହ ବାଣିଜ୍ୟ ଚୁକ୍ତି ପାଇଁ ଚାଲିଥିବା ବାର୍ତ୍ତାଳାପରେ ସଫଳତା ମିଳି ପାରୁ ନଥିବା ବେଳେ ଏ ବର୍ଷ ଫେବୃଆରି ୨ ତାରିଖ ଦିନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିର ରୂପରେଖ ପ୍ରସ୍ତୁତ ହୋଇଛି। ତଦନୁଯାୟୀ ଆମେରିକା ଭାରତ ଉପରେ ‘ରେସିପ୍ରୋକାଲ ଟାରିଫ’କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବ ବୋଲି ହଠାତ୍ ଟ୍ରମ୍ପ ଏକତରଫା ଭାବେ ଘୋଷଣା କଲେ। ଏଥି ସହିତ ଭାରତ ରୁଷିଆରୁ ତେଲ କିଣା ବନ୍ଦ କରିଥିବାରୁ ଭାରତ ଉପରେ ଆଉ ଅତିରିକ୍ତ ୨୫ ପ୍ରତିଶତ ଜରିମାନା ଲାଗିବ ନାହିଁ। କିନ୍ତୁ ଠିକ୍ ଏତିକିବେଳେ ଆମେରିକା ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ସେହି ଅସ୍ୱାକ୍ଷରିତ ଚୁକ୍ତିର ଭାଗ୍ୟ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏବେ ଭାରତ ନିକଟରୁ କେତେ ଟାରିଫ୍ ଆଦାୟ ହେବ ସେ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି। ସୁପ୍ରିମ କୋର୍ଟ ‘ରେସିପ୍ରୋକାଲ ଟାରିଫ’କୁ ବାତିଲ କରିଥିବାରୁ ଭାରତ ନିକଟରୁ କେବଳ ପୂର୍ବର ହାରାହାରି ୩.୫ ପ୍ରତିଶତ ଏମ.ଏଫ.ଏନ. ଲେଭି ଆଦାୟ ହେବା କଥା। ରାୟ ଯୋଗୁଁ ଆମେରିକାକୁ ହେଉଥିବା ଭାରତର ପ୍ରାୟ ୫୫ ପ୍ରତିଶତ ରପ୍ତାନି ଉପରେ କୌଣସି ଟାରିଫ୍ ଲଗାଯିବା କଥା ନୁହେଁ। କିନ୍ତୁ ଟ୍ରମ୍ପ ପୁନର୍ବାର ସବୁ ଦେଶ ଉପରେ ୧୫ ପ୍ରତିଶତ ‘ଗ୍ଲୋବାଲ ଟାରିଫ’ ଲଗାଇ ସାରିଥିବାରୁ ଏବେ ଭାରତକୁ ବସ୍ତୁତଃ ୧୮.୫ ପ୍ରତିଶତ ଟାରିଫ୍ ଦେବାକୁ ହେବ, ଯାହା ସ୍ୱାକ୍ଷରିତ ହେବାକୁ ଅପେକ୍ଷା କରିଥିବା ୧୮ ପ୍ରତିଶତ ତୁଳନାରେ ସାମାନ୍ୟ ଅଧିକ। ତେବେ ଏହି ଶୁଳ୍କ ହାର ଯେ ସ୍ଥିର ରହିବ, ତାର କୌଣସି ଗ୍ୟାରେଣ୍ଟି ନାହିଁ। କାରଣ ଟ୍ରମ୍ପଙ୍କ ଆଚରଣକୁ ନେଇ କୌଣସି ଅନୁମାନ ଲଗାଯାଇ ନପାରେ। ଏଥି ସହିତ ପୂର୍ବ ପରି ବାଣିଜ୍ୟ ଆଇନର ଧାରା ୨୩୨କୁ ଭିତ୍ତି କରି ଇସ୍ପାତ ଓ ଆଲୁମିନିଅମ ଉପରେ ୫୦ ପ୍ରତିଶତ ଓ ଯାନବାହନ ଯନ୍ତ୍ରାଂଶ ଉପରେ ୨୫ ପ୍ରତିଶତ ଶୁଳ୍କ ବଳବତ୍ତର ରହିବ। ସ୍ମାର୍ଟ ଫୋନ୍, ପେଟ୍ରୋଲଜାତ ଦ୍ରବ୍ୟ ଓ ଔଷଧ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ମୂଲ୍ୟ ଦୃଷ୍ଟିରୁ ଏହା ସମଗ୍ର ରପ୍ତାନିର ପ୍ରାୟ ୪୦ ପ୍ରତିଶତ।
ଏ ସବୁ ଭିତରେ ଦେଶବାସୀଙ୍କ ସ୍ୱାର୍ଥ ତଥା ଦେଶର ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ଆମେରିକା ସହ ଯଥାଶୀଘ୍ର ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ଆବଶ୍ୟକ, କାରଣ ତାହା ବହିର୍ବାଣିଜ୍ୟ କ୍ଷେତ୍ରରେ ଦେଖା ଦେଇଥିବା ଅସ୍ଥିରତାକୁ ପ୍ରଶମିତ କରିବାରେ ସହାୟକ ହେବ। ତେବେ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଚୁକ୍ତିର ସ୍ଥାୟିତ୍ୱ ମଧ୍ୟ ପ୍ରଶ୍ନସଙ୍କୁଳ ହୋଇ ଉଠେ। ଅନିଶ୍ଚିତତା ଲାଗି ରହିବ ଓ ତାକୁ ଆମକୁ ଧୈର୍ଯ୍ୟ ସହକାରେ ସାମ୍ନା କରିବାକୁ ହେବ। କାରଣ ଟ୍ରମ୍ପଙ୍କ କାର୍ଯ୍ୟକାଳ ଅଛି ଆହୁରି ୩ ବର୍ଷ!
Published in Sambad on February 25, 2026
Comments
Post a Comment