Skip to main content

ଓଡିଶାରେ ବ୍ୟାଙ୍କ ଋଣ-ଜମା ଅନୁପାତ ବଢାଇ ହେବ କି ?

କୌଣସି ରାଜ୍ୟରେ ବ୍ୟାଙ୍କ ପ୍ରଦାନ କରୁଥିବା ଋଣ ବ୍ୟାଙ୍କଗୁଡିକ ନିକଟରେ ଗଚ୍ଛିତ ଜମା ପରିମାଣର ଅନ୍ତତଃ ପକ୍ଷେ ୬୦ ପ୍ରତିଶତ ହେବା ବିଧେୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କଏକ ମାନବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି । ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଜମା ତୁଳନାରେ ଅଧିକ ଋଣ ପ୍ରଦାନ କରୁଥିବାରୁ ଓ କେତେକ ବ୍ୟାଙ୍କ ନାବାର୍ଡ, ଏନଏଚବି ଆଦି ସଂସ୍ଥାଙ୍କ ନିକଟରୁ ପୁନର୍ବିତ୍ତ ସହାୟତା ନେଇ ଋଣ ପ୍ରଦାନ କରୁଥିବାରୁ କେତେକ ରାଜ୍ୟରେ ଏହା ୬୦ ପ୍ରତିଶତରୁ ବି ଅଧିକ ହୋଇଥାଏ । ତେବେ ଓଡିଶାରେ ୨୦୧୯-୨୦ ବର୍ଷରେ ଏହା ୬୦ ପ୍ରତିଶତରେ ପହଞ୍ଚିଥିଲେ ବି  ୨୦୨୦-୨୧ ବର୍ଷରେ ଏହା ୫୬ ପ୍ରତିଶତକୁ ଖସି ଆସିବା ବାସ୍ତବିକ ଉଦବେଗଜନକ । ରାଜ୍ୟରେ ଆନୁପାତିକ ଭାବେ ଋଣ ଲଗାଣ ପରିମାଣ ବୃଦ୍ଧି ନ ପାଇଲେ ଏହି ଅନୁପାତ ବଢିବାର ସମ୍ଭାବନା ନାହିଁ । ତେବେ ଓଡିଶାରେ ଋଣ ଗ୍ରହଣ କ୍ଷମତା (କ୍ରେଡିଟ ଆବଜର୍ପସନ କାପାସିଟି) କମ ଥିବା ଦର୍ଶାଇ ଅନେକେ ଏହି ଅନୁପାତ କମ ରହିବା ସ୍ୱାଭାବିକ ବୋଲି ଧରି ନେଇ ବୃଦ୍ଧି କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରି ନ ଥାଆନ୍ତି । କେହି କେହି ତ ଓଡିଶାରେ ଉଦ୍ୟମୀ ଅଭାବରୁ ଋଣ ଲଗାଣ ବୃଦ୍ଧି ପାଉନାହିଁ ବୋଲି ବୁଝାଇ ଦେଇଥାଆନ୍ତି । ଏହା ଆଂଶିକ ସତ୍ୟ ହେଲେ ବି ସବୁ ପ୍ରକାର ଋଣ ପାଇଁ ଋଣଗ୍ରହୀତାଙ୍କୁ ଜଣେ ଉଦ୍ୟମୀ ହେବା ନିହାତି ଆବଶ୍ୟକ ହୋଇ ନ ଥିବାରୁ, ସେହି ଯୁକ୍ତିକୁ ପୂରାପୂରି ଗ୍ରହଣ କରି ହେବ ନାହିଁ । ଉଦ୍ୟମୀ ହେବାର ଆବଶ୍ୟକତା ନ ଥିବା ଗୃହ ଋଣ, ଶିକ୍ଷା ଋଣ ଆଦି କ୍ଷେତ୍ରରେ ମଧ୍ୟ ଓଡିଶାରେ ବ୍ୟାଙ୍କଗୁଡିକର ପ୍ରଦର୍ଶନ ସେତେଟା ଭଲ ନୁହେଁ । ତେଣୁ ଓଡିଶାରେ ଋଣ-ଜମା ଅନୁପାତ ହ୍ରାସର ସଂଖ୍ୟାଧିକ କାରଣ ଓ ସେଗୁଡିକର ଜଟିଳତା ପ୍ରତି ଧ୍ୟାନ ଦେବା ଅତ୍ୟାବଶ୍ୟକ ହୋଇଥିଲା ବେଳେ ସାଧାରଣ ଲୋକେ ଏହାର ମୋଟାମୋଟି କାରଣଗୁଡିକୁ ବୁଝିବା ଦରକାର ।

୨୦୨୦-୨୧ ବର୍ଷରେ ଓଡିଶାର ବ୍ୟାଙ୍କଗୁଡିକ ନିକଟରେ ପ୍ରାୟ ୩.୮୧ ଲକ୍ଷ କୋଟି ଟଙ୍କାର ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଜମା ଗଚ୍ଛିତ ଥିଲା ବେଳେ ବ୍ୟାଙ୍କସମୂହଙ୍କ ଦ୍ୱାରା ପ୍ରଦତ୍ତ ଋଣର ପରିମାଣ ୨.୧୫ ଲକ୍ଷ କୋଟି । ତେଣୁ ଋଣ-ଜମା ଅନୁପାତ ୫୬.୪୫ ପ୍ରତିଶତ । ରାଜ୍ୟରେ ହାରାହାରି ଋଣ ଲଗାଣ ଉଦବେଗଜନକ ଥିଲା ବେଳେ କେତେକ ଜିଲ୍ଲା, ବ୍ୟାଙ୍କ ଓ କ୍ଷେତ୍ରରେ ଏହି ଋଣ ଲଗାଣ ଉତ୍ସାହବର୍ଦ୍ଧକ ହୋଇଥିବାରୁ ସେହି ପ୍ରଶଂସନୀୟ ଉଦ୍ୟମଗୁଡିକୁ ମଧ୍ୟ ରେଖାଙ୍କିତ କରିବାର ଆବଶ୍ୟକତା ରହିଛି । ଠିକ୍ ସେହି ସମୟରେ ଓଡିଶାର କେତେକ ଜିଲ୍ଲାରେ ଅତ୍ୟଧିକ ଋଣଲଗାଣ ହୋଇଥିଲା ବେଳେ ଅନ୍ୟ କେତେକ ଜିଲ୍ଲାରେ ଋଣ ଲଗାଣ ସନ୍ତୋଷଜନକ ହେଉ ନ ଥିବାରୁ ବିକାଶ ଏକ ପାଖିଆ ହୋଇ ଆଞ୍ଚଳିକ ବୈଷମ୍ୟ ବୃଦ୍ଧିର କାରଣ ପାଲଟି ପାରେ । ତଥ୍ୟ ଅନୁଯାୟୀ ଗଜପତି, ଦେଓଗଡ, ଜଗତସିଂହପୁର, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ଅନୁଗୁଳ ଓ ସମ୍ୱଲପୁର ଭଳି ରାଜ୍ୟର ୯ଟି ଜିଲ୍ଲାରେ ଋଣ-ଜମା ଅନୁପାତ ୪୦ ପ୍ରତିଶତରୁ କମ ବା ତାର ପାଖାପାଖି ରହିଛି । ଏହି ଜିଲ୍ଲାଗୁଡିକ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏହାର କାରଣ ଚିହ୍ନଟ କରି ନିରାକରଣର ବାଟ ଖୋଜିବାକୁ ହେବ । କାରଣ ସାମଗ୍ରିକ ଭାବେ ଓଡିଶାରେ ଋଣ-ଜମା ଅନୁପାତ ୬୦ ପ୍ରତିଶତ ହେବା ଯେତିକି ଆବଶ୍ୟକ ପ୍ରତିଟି ଜିଲ୍ଲା ଏବଂ ଶାଖା ସ୍ତରରେ ସେହି ଅନୁପାତରେ ଋଣ ଲଗାଣ ହେବା ତତୋଧିକ ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ବ୍ୟାଙ୍କଗୁଡିକର ଗ୍ରାମାଞ୍ଚଳ ଶାଖାଗୁଡିକରେ ପ୍ରଦର୍ଶନ ବେଶ ଭଲ, କାରଣ ସେଠାରେ ଏହି ଅନୁପାତ ୬୮ ପ୍ରତିଶତ ରହି ପାରିଛି । କୃଷି ଋଣ ଓ ଏସଏଚଜି ଋଣ ପ୍ରଦାନରେ ଗ୍ରାମାଞ୍ଚଳ ଶାଖାଗୁଡିକର ପ୍ରଦର୍ଶନ ଭଲ ହୋଇ ଥାଇପାରେ । ଅନ୍ୟ ପକ୍ଷରେ ଆଂଶିକ ସହରାଞ୍ଚଳ ଓ ସହରାଞ୍ଚଳରେ ଅବସ୍ଥିତ ଶାଖାଗୁଡିକରେ ଏହି ଅନୁପାତ ଯଥାକ୍ରମେ ୪୪ ଓ ୫୧ ପ୍ରତିଶତ ରହିଛି ଯାହା ରାଜ୍ୟସ୍ତରୀୟ ହାରାହାରି ଅପେକ୍ଷା ଯଥେଷ୍ଟ କମ । ଋଣ-ଜମା ଅନୁପାତ ବୃଦ୍ଧି ପାଇଁ ଏହି ଶାଖାଗୁଡିକ ଉପରେ ଧ୍ୟାନ ଅଧିକ କେନ୍ଦ୍ରିତ କରିବା ଦରକାର । ଏହି ଶାଖାଗୁଡିକ ଲାଗି ଉପଯୁକ୍ତ ଉଦ୍ୟମୀ ମିଳିବା ଏକ ସମସ୍ୟା ହୋଇଥାଏ । ତା ଛ଼ଡା ଋଣର ଉପଯୁକ୍ତ ବିନିଯୋଗକୁ ତଦାରଖ କରିବା ପାଇଁ ବ୍ୟାଙ୍କରେ ଅଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କାର ବଡ ବଡ (ହାଇ ଟିକେଟ) ଋଣ ଦେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଅନେକ ସମୟରେ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ବା ଚଲାଇବା ପାଇଁ ଆବଶ୍ୟକ ଋଣ ପାଇବା ପାଇଁ ଉଦ୍ୟମୀମାନେ ବାରମ୍ୱାର ବ୍ୟାଙ୍କର ଦ୍ୱାରସ୍ଥ ହୋଇ ହତାଶ ହେଉଥିବାର ଖବରମାନ ନିୟମିତ ଶୁଣିବାକୁ ମିଳୁଛି । ଏହି ଧରଣର ଉଦ୍ୟମୀମାନଙ୍କ ହାତ ଧରି ଆଗକୁ ବାଟ କଢେଇ ନେବା ଲାଗି ସରକାରୀ ଓ ବ୍ୟାଙ୍କ ସ୍ତରରେ ବିଶେଷ ଗୁରୁତ୍ୱ ପ୍ରଦାନ ହେବା ଆବଶ୍ୟକ । ସେହିପରି ଅଧିକ ସଂଖ୍ୟକ ଏମଏସଏମଇ ଓ ଅନ୍ୟାନ୍ୟ ଋଣ କିପରି ଦିଆ ଯାଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ସକ୍ରିୟ ଭାଗିଦାରୀର ଆବଶ୍ୟକତା ରହିଛି । କୃଷି ଋଣ ପ୍ରଦାନରେ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକ ସେତେ ବେଶି ତତ୍ପରତା ଦେଖାଉ ନ ଥିବାରୁ ଏ କ୍ଷେତ୍ରରେ ବି ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଉଦାହରଣ ସ୍ୱରୂପ, ୨୦୨୦-୨୧ ବର୍ଷ ପାଇଁ  ଏହି ବ୍ୟାଙ୍କଗୁଡିକ ଲାଗି ୧୯୫୮୦ କୋଟି ଟଙ୍କାର କୃଷି ଋଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ୧୨୭୯୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୬୫ ପ୍ରତିଶତ ହାସଲ ହୋଇପାରିଲା । ଅବଶ୍ୟ ସ୍ଥଳ ବିଶେଷରେ ଜମି-ଆଧାରିତ କୃଷି ଋଣ ପ୍ରଦାନରେ ବ୍ୟାଙ୍କମାନେ ଏକାଧିକ ବିଧି ଓ ପଦ୍ଧତିଗତ ବାଧକର ସମ୍ମୁଖୀନ ହୋଇ ଋଣପ୍ରଦାନରୁ ବିରତ ରହୁଥିବାରୁ ସେଗୁଡିକୁ ଚିହ୍ନଟ କରି ତାକୁ କିପରି ବ୍ୟାଙ୍କ ଋଣ ଅନୁକୂଳ କରି ହେବ ସେ ନେଇ ସରକାର ସଚେଷ୍ଟ ହେବା ଆବଶ୍ୟକ ।             

୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ରେ ଋଣ-ଜମା ଅନୁପାତ ୪ ପ୍ରତିଶତ ହ୍ରାସ ପାଇବାର ପ୍ରମୁଖ କାରଣ ସ୍ୱରୂପ ଜମାର ପରିମାଣ ୩୧୮୨୩ କୋଟି ଟଙ୍କାକୁ ଦର୍ଶାଯାଇଛି । କୋଭିଡ ସଂକ୍ରମଣ ଯୋଗୁ ହୁଏତ ଋଣ ଲଗାଣରେ ସମସ୍ୟା ଦେଖା ଦେଇ ଥାଇପାରେ । ତେବେ ଏଣିକି ପ୍ରତି ବର୍ଷ ଆନୁଷ୍ଠାନିକ ଜମା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥିବାରୁ ବ୍ୟାଙ୍କଗୁଡିକୁ ନିଜର ଋଣ ଲଗାଣ କ୍ଷମତାକୁ ମଧ୍ୟ ଆନୁପାତିକ ଭାବେ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଉଛି । ଏସଏଲବିସିର ତଥ୍ୟ ଅନୁଯାୟୀ ଘରୋଇ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡିକର ଋଣ-ଜମା ଅନୁପାତ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ମାନବିନ୍ଦୁଠାରୁ ଯଥେଷ୍ଟ ଅଧିକ ଥିଲେ ବି ସାର୍ବଜନିକ କ୍ଷେତ୍ର ବ୍ୟାଙ୍କ  ଓ ଗ୍ରାମ୍ୟବ୍ୟାଙ୍କଗୁଡିକର ପ୍ରଦର୍ଶନ ନିରୁତ୍ସାହଜନକ ହୋଇଥିବାରୁ ତାହା ରାଜ୍ୟରେ ଋଣ-ଜମା ଅନୁପାତକୁ ଅତ୍ୟଧିକ ତଳକୁ ଖସାଇ ଆଣିବାର ମୁଖ୍ୟ କାରଣ ପାଲଟିଛି । କେବଳ ଆଇଡିବିଆଇ ବ୍ୟାଙ୍କକୁ ବାଦ୍ ଦେଲେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଭଳି ଅଧିକାଂଶ ବ୍ୟାଙ୍କର ଋଣ-ଜମା ଅନୁପାତ ୬୦ ପ୍ରତିଶତରୁ ଅଧିକ ରହିଛି । ମାତ୍ର ରାଜ୍ୟର ଦୁଇଟି ଯାକ ଗ୍ରାମ୍ୟବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏହି ଅନୁପାତ ଯଥାକ୍ରମେ ୪୩ ଓ ୩୯ ପ୍ରତିଶତ ରହି ନିରାଶାଜନକ ହୋଇଛି । ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକ ମଧ୍ୟରେ ପଞ୍ଜାବ ଆଣ଼୍ଡ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୬୦ ପ୍ରତିଶତରୁ ଅଧିକ ଅନୁପାତ ହାସଲ କରି ପ୍ରଶଂସନୀୟ କାର୍ଯ୍ୟ କରିଥିବା ବେଳେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କଗୁଡିକ କ୍ଷେତ୍ରରେ ଏହା ନିରାଶାଜନକ ଭାବେ ୪୦ ପ୍ରତିଶତରୁ ବି କମ ରହିଛି । ବିଭିନ୍ନ ଜିଲ୍ଲାରେ ଥିବା ଅଗ୍ରଣୀ ବ୍ୟାଙ୍କଗୁଡିକ ଅନ୍ତତଃ ସେହି ଜିଲ୍ଲାରେ ଋଣପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ନିହାତି ଆବଶ୍ୟକ । ଯେପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅଗ୍ରଣୀ ବ୍ୟାଙ୍କ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରଦର୍ଶନ ଉପରେ ସେହି ଦୁଇ ଜିଲ୍ଲାରେ ବ୍ୟାଙ୍କସମୂହର ପ୍ରଦର୍ଶନ ଅନେକାଂଶରେ ନିର୍ଭର କରିଥାଏ । ସେହିପରି ଦୁଇଟି ଯାକ ଗ୍ରାମ୍ୟ ବ୍ୟାଙ୍କ ଓ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କର ଅଧିକ ଶାଖା ଥିବା ଅଞ୍ଚଳଗୁଡିକରେ ସମ୍ପୃକ୍ତ ବ୍ୟାଙ୍କର ପ୍ରଦର୍ଶନ ଭଲ ହେଲେ ସେହି ଅଞ୍ଚଳର ପ୍ରଦର୍ଶନ ଭଲ ହୋଇଥାଏ । ତେଣୁ ଋଣ-ଜମା ଅନୁପାତ ହ୍ରାସଜନିତ ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ଲାଗି ଉଭୟ ସରକାର ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଅଧିକ ତତ୍ପରତା ଦେଖାଇବା ବାଞ୍ଛନୀୟ ।          

ଓଡିଶାରେ ଋଣ-ଜମା ଅନୁପାତ ବୃଦ୍ଧି କରିବା ଲାଗି, ଭାରତୀୟ ଷ୍ଟେଟ ବ୍ୟାଙ୍କ ଚାହିଁଲେ ଏକ ବଡ ଭୂମିକା ନିର୍ବାହ କରି ପାରନ୍ତା । ଏହାର ଅନ୍ୟତମ କାରଣ ଭାରତୀୟ ଷ୍ଟେଟ  ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ମାତ୍ର ୨.୧୭ ପ୍ରତିଶତ ଯାହା ରାଜ୍ୟରେ ଥିବା ଅନ୍ୟ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକ  ତୁଳନାରେ ଯଥେଷ୍ଟ କମ । ରାଜ୍ୟରେ ବ୍ୟାଙ୍କଗୁଡିକ ନିକଟରେ ଥିବା ସମୁଦାୟ ଜମା ପରିମାଣ ୩.୮୧ ଲକ୍ଷ କୋଟି ଟଙ୍କାରୁ କେବଳ ଷ୍ଟେଟ ବ୍ୟାଙ୍କ ନିକଟରେ ୧.୩୪ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୩୫ ପ୍ରତିଶତରୁ ଅଧିକ ରାଶି ରହିଛି । ଅନ୍ୟ ପକ୍ଷରେ ରାଜ୍ୟରେ ପ୍ରଦତ୍ତ ସମୁଦାୟ ଋଣ ରାଶି ୨.୧୫ ଲକ୍ଷ କୋଟି ଟଙ୍କାରୁ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରିଛି ୦.୬୩ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୨୯ ପ୍ରତିଶତ । ପରିମାଣ ଦୃଷ୍ଟିରୁ ଏହା ଅନ୍ୟ ବ୍ୟାଙ୍କଗୁଡିକ ତୁଳନାରେ ଯଥେଷ୍ଟ ଅଧିକ ହୋଇଥିଲେ ବି ବ୍ୟାଙ୍କର ଋଣ-ଜମା ଅନୁପାତ ମାତ୍ର ୪୬.୮୫ ପ୍ରତିଶତ, ଯାହା ରାଜ୍ୟର ଏହି ଅନୁପାତ ୫୬.୪୫ ପ୍ରତିଶତ ତୁଳନାରେ ୯.୪୦ ପ୍ରତିଶତ କମ । ଏପରିକି ଏହା ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକର ହାରାହାରି ଋଣ-ଜମା ଅନୁପାତ ୪୮.୪୩ ପ୍ରତିଶତଠାରୁ ମଧ୍ୟ କମ । ଓଡିଶାରେ ଷ୍ଟେଟ ବ୍ୟାଙ୍କର ଉପସ୍ଥିତି ପ୍ରାୟ ସବୁ ଜିଲ୍ଲାରେ ଓ ସାରା ରାଜ୍ୟରେ ଏହାର ୮୮୧ଟି ଶାଖା ରହିଛି ଯାହା ସମୁଦାୟ ସରକାରୀ ବ୍ୟାଙ୍କ ଶାଖା ସଂଖ୍ୟାର ପ୍ରାୟ ୨୯ ପ୍ରତିଶତ । ଯଦି ଷ୍ଟେଟ ବ୍ୟାଙ୍କ ତାର ଋଣ-ଜମା ଅନୁପାତକୁ ଆଉ ମାତ୍ର ୧୦ ପ୍ରତିଶତ ବଢାଇ ରାଜ୍ୟର ବର୍ତ୍ତମାନର ଋଣ-ଜମା ଅନୁପାତ ସ୍ତରକୁ ଆଣି ପାରିଥାଆନ୍ତା ତେବେ ରାଜ୍ୟର ଋଣ-ଜମା ଅନୁପାତ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ୬୦ ପ୍ରତିଶତର ମାନବିନ୍ଦୁକୁ ଛୁଇଁ ପାରିଥାଆନ୍ତା । ସେ କ୍ଷେତ୍ରରେ ବ୍ୟାଙ୍କକୁ ଆଉ ଅଧିକ ମାତ୍ର ୧୩୪୦୦ କୋଟି ଟଙ୍କାର ଋଣ ଦେବାକୁ ହୋଇଥାଆନ୍ତା । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କର ଶାଖା ପିଛା ଋଣର ପରିମାଣ ହାରାହାରି ୭୧.୫ କୋଟି ଟଙ୍କା ହୋଇଥିଲା ବେଳେ ତାକୁ ଆଉ ୧୫ କୋଟି ଟଙ୍କା ବଢାଇ ହାରାହାରି ଶାଖା ପିଛା ୮୬.୫ କୋଟି ଟଙ୍କା ସ୍ତରକୁ ନେବାକୁ ପଡିଥାଆନ୍ତା । ଅବଶ୍ୟ ଷ୍ଟେଟ ବ୍ୟାଙ୍କର ଶାଖା ପିଛା ହାରାହାରି ଋଣ ପ୍ରଦାନ ଅନ୍ୟ ବ୍ୟାଙ୍କଗୁଡିକ ତୁଳନାରେ ସେପରି ଊଣା ନ ହେଲେ ବି ରାଜ୍ୟର ସ୍ୱାର୍ଥକୁ ଆଖିରେ ରଖି ବ୍ୟାଙ୍କ ଏହି ଅତିରିକ୍ତ ବୋଝଟିକୁ ଉଠାଇ ପାରିଲା ଭଳି ମନେ ହୁଏ । କାରଣ ଏହି ବ୍ୟାଙ୍କର ପହଞ୍ଚ ଓ ଗ୍ରାହକ ସଂଖ୍ୟା ଅନ୍ୟ ବ୍ୟାଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଥିବାରୁ ତଥା ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ପ୍ରତିଶତ ଅପେକ୍ଷାକୃତ କମ ଥିବାରୁ ଏହା ଅସମ୍ଭବ ମନେ ହୁଏ ନାହିଁ । ଏହି ଋଣ ପ୍ରଦାନ କରା ଯାଇପାରିଲେ ଏହାର ଲାଭ ଅଳ୍ପ କେତୋଟି ଜିଲ୍ଲାରେ କେନ୍ଦ୍ରିତ ନ ହୋଇ ଏହା ଦ୍ୱାରା ସମଗ୍ର ରାଜ୍ୟର ଲୋକେ ଉପକୃତ ହୋଇପାରନ୍ତେ ।

ତେଣୁ ଓଡିଶାରେ ଋଣ-ଜମା ଅନୁପାତ କମ ହେଉଛି ବୋଲି ରାଜ୍ୟର ମନ୍ତ୍ରୀ ଓ ପ୍ରଶାସକମାନେ ସମୀକ୍ଷା ବୈଠକମାନଙ୍କରେ ଚିରାଚରିତ ଭାବେ ଏକ ସାଧାରଣ ଉଦବେଗ ପ୍ରକାଶ କରିବା ଅପେକ୍ଷା କେଉଁ ବ୍ୟାଙ୍କ ଦ୍ୱାରା, କେଉଁ ଅଞ୍ଚଳରେ, କେଉଁ କ୍ଷେତ୍ରରେ, କେଉଁ କାରଣରୁ ଋଣ ଲଗାଣ ଅପେକ୍ଷାକୃତ କମ ହେଉଛି ତାହା ଚିହ୍ନଟ କରାଯିବା ଆବଶ୍ୟକ । ସେହି ସମସ୍ୟାଗୁଡିକୁ ଦୂର କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାରୀ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ହୋଇ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନିହାତି ଆବଶ୍ୟକ । ନ ହେଲେ ବିଗତ କିଛି ବର୍ଷ ଧରି ଅର୍ଥମନ୍ତ୍ରୀମାନେ ଏସଏଲବିସିର ସମୀକ୍ଷା ବୈଠକରେ ନିୟମିତ ଭାବେ ଯେଉଁ ଭଳି ଋଣ-ଜମା ଅନୁପାତ କମ ହେବାକୁ ନେଇ ଉଦବେଗ ପ୍ରକାଶ କରି ଆସୁଛନ୍ତି ତାହା ଗତାନୁଗତିକ ହୋଇ ସେହି ପ୍ରକ୍ରିୟା ଜାରି ରହିଥିବ ଓ ସ୍ଥିତିରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହେବନାହିଁ । 


Published in Odisha Reporter on July 02, 2021

Comments

  1. Congrats. Very good article. Unfortunately , Govt focus SLBC forum to review it's own sponsored progrmme .other issues are touched upon routinely.

    ReplyDelete
  2. Very good article with good coverage. District specific analysis is very required where CD ratio is around 40%. There are few so called developed district in that category which requires greater attention for the planner.

    ReplyDelete
  3. Sir, nice analysis. SLBC , DCC are losing efficacy because of poor domain knowledge of people at helm .

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍