ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟ ନେଇ ଫେବୃଆରୀ ୨୯, ୨୦୨୦ରେ ଆମେରିକା ଓ ତାଲିବାନ ମଧ୍ୟରେ ଦୋହାଠାରେ ହୋଇଥିବା ଚୁକ୍ତି ଅନୁସାରେ ଆଫଗାନିସ୍ତାନରୁ ସେପ୍ଟେମ୍ୱର ୧୧, ୨୦୨୧ ସୁଦ୍ଧା ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବ ବୋଲି ରାଷ୍ଟ୍ରପତି ବାଇଡେନ ଘୋଷଣା କଲେ । ଏହା ପରେ ତାଲିବାନ ଅଧିକ ଆକ୍ରମଣାତ୍ମକ ହୋଇ ଜିଲ୍ଲା ପରେ ଜିଲ୍ଲା ଦଖଲ କରି ପ୍ରଭାବ କ୍ଷେତ୍ର ବିସ୍ତାର କରିଚାଲିଛି । ତେଣୁ ଆଫଗାନିସ୍ତାନରେ ସଂଘର୍ଷ ଲାଗି ରହି ସ୍ଥିତି ଆହୁରି ଭୟାବହ ହୋଇଉଠିଛି । ତାଲିବାନର ପୁନରୁତ୍ଥାନ ଦ୍ୱାରା ଅନେକ ପଡୋଶୀ ରାଷ୍ଟ୍ର ମଧ୍ୟ ପ୍ରଭାବିତ ହୋଇପାରନ୍ତି । ଭାରତ ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ କି ଭଳି ପଡିପାରେ, ତାହା ଏବେ ଚିନ୍ତାର ବିଷୟ ହୋଇଛି ।
ଆଫଗାନିସ୍ତାନ ଏକ ସ୍ଥଳାବଦ୍ଧ ଦେଶ । ଏହାର ସୀମାବର୍ତ୍ତୀ ୬ଟି ଦେଶ ମଧ୍ୟରୁ ଦକ୍ଷିଣ ଓ ପୂର୍ବରେ ପାକିସ୍ତାନ, ଉତ୍ତର-ପୂର୍ବରେ ଚୀନ, ଉତ୍ତରରେ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଓ ପଶ୍ଚିମରେ ଇରାନ ଅବସ୍ଥିତ । ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନର ପ୍ରାୟ ତିନି-ଚତୁର୍ଥାଂଶ ଅଞ୍ଚଳ ତାଲିବାନ ନିୟନ୍ତ୍ରଣରେ ଥିଲା । ୨୦୦୧ରେ ଆମେରିକା ଯୁଦ୍ଧ ଆରମ୍ଭ କରିବା ପରେ କ୍ରମଶଃ ତାଲିବାନର ପ୍ରଭାବ କ୍ଷେତ୍ର ତା’ର ପାରମ୍ପରିକ ଦକ୍ଷିଣ ଓ ପୂର୍ବ ଆଫଗାନିସ୍ତାନକୁ ସଙ୍କୁଚିତ ହୋଇଗଲା । ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ଯୁଦ୍ଧ କରିବା ସତ୍ତ୍ୱେ ଆମେରିକା ତାଲିବାନକୁ ନିର୍ମୂଳ କରିବାକୁ ଅସମର୍ଥ ହେଲା । ଆମେରିକାର ଜେନେରାଲ ଜନ ନିକଲସନଙ୍କ ମତରେ ଆଫଗାନିସ୍ତାନ ସମସ୍ୟାର ଏକ ସାମରିକ ସମାଧାନ ସମ୍ପୂର୍ଣ୍ଣ ଅସମ୍ଭବ । ଏହାକୁ ଆଳ କରି ଆମେରିକା ଯୁଦ୍ଧରୁ ଓହରି ଯାଇଥିଲେ ବି ପ୍ରତ୍ୟାହାର ପଛର ଅନ୍ୟତମ ମୁଖ୍ୟ କାରଣ ଚୀନ ନୌ-ବାହିନୀର କ୍ରମ ବର୍ଦ୍ଧିଷ୍ଣୁ ଶକ୍ତି ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ତା’ର ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା ପାଇଁ ଆମେରିକା ନିଜକୁ ପ୍ରସ୍ତୁତ କରିବା । ଏକ ଆକଳନ ଅନୁସାରେ ତାଲିବାନ ପ୍ରାୟ ୪୦ପ୍ରତିଶତ ଅଞ୍ଚଳରେ ଶକ୍ତିଶାଳୀ ଥିଲା ବେଳେ ଆମେରିକା ଓହରି ଯାଉଛି । ତେଣୁ ଏବେ ନୂଆ ନୂଆ ଅଞ୍ଚଳକୁ ଦଖଲ କରି ତା’ର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟିତ । ଅବଶ୍ୟ, କେତେକ ଅଞ୍ଚଳରେ ଜନସାଧାରଣଙ୍କ ବିରୋଧର ସମ୍ମୁଖୀନ ହୋଇ ତାଲିବାନ ସମଗ୍ର ଅଞ୍ଚଳକୁ ଦଖଲ କରିବା ଲାଗି ସମର୍ଥ ହୋଇ ନ ପାରେ । ସୁତରାଂ, ଆଫଗାନିସ୍ତାନ ସରକାରଙ୍କ ଦଖଲରେ କିଛି ଅଞ୍ଚଳ ରହିବ । ତେବେ ସେହ ଦେଶର ଅନେକ ଅଞ୍ଚଳ ତାଲିବାନ ନିୟନ୍ତ୍ରଣାଧୀନ ରହିବା ଏକ ନୂତନ ବାସ୍ତବତାକୁ ଜନ୍ମ ଦେବ । ଆନ୍ତର୍ଜାତିକ ସମ୍ୱନ୍ଧର ତତ୍ତ୍ୱ ଅନୁଯାୟୀ ବାସ୍ତବତାକୁ ଅସ୍ୱୀକାର କରି ଆଫଗାନିସ୍ତାନର ଅର୍ଦ୍ଧାଧିକ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିବାର କ୍ଷମତା ବହନ କରିଥିବା ତାଲିବାନ ସହ ସମ୍ପର୍କରେ ନ ରହିବା ବୁଦ୍ଧିମାନୀ ହୋଇ ନ ଥିବାରୁ ବ୍ରିଟେନ, ଜର୍ମାନୀ, ନରୱେ, ଜାପାନ ଆଦି ଦେଶ ତାଲିବାନ ସହ ସମ୍ପର୍କରେ ଅଛନ୍ତି । ସେମିତି ତୁର୍କୀ, ସାଉଦି ଆରବ, କାତାର, ଇରାନ ଆଦି ଦେଶର ରାଜନେତାମାନେ ତାଲିବାନ ସହ ପ୍ରତ୍ୟକ୍ଷ ସମ୍ପର୍କରେ ଥିବାର ସ୍ପଷ୍ଟ ସୂଚନା ମିଳେ । ୧୯୯୬ରୁ ୨୦୦୧ ଯାଏଁ ପ୍ରତିଷ୍ଠିତ ତାଲିବାନ ନିୟନ୍ତ୍ରଣାଧୀନ ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନକୁ ପାକିସ୍ତାନ, ତୁର୍କମେନିସ୍ତାନ, ସାଉଦି ଆରବ ଓ ୟୁଏଇ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଭାରତ ସେଥିରୁ ବିରତ ରହିଥିଲା । ୨୦୦୧ ତୁଳନାରେ ତାଲିବାନର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଅନ୍ୟ ଅନେକ ଦେଶ ତାଲିବାନ ସହ ସମ୍ପର୍କ ରଖିବାକୁ କୁଣ୍ଠା ପ୍ରକାଶ କରୁ ନ ଥିଲା ବେଳେ ଭାରତ ସେହି ବାସ୍ତବତାଟିକୁ ସହଜରେ ଗ୍ରହଣ କରି ପାରୁନାହିଁ ।
ଆଫଗାନିସ୍ତାନରୁ ଆମେରିକାର ପ୍ରତ୍ୟାହାର ନିଷ୍ପତ୍ତି ପରେ ସେଠାରେ ସୃଷ୍ଟ ପରିସ୍ଥିତିକୁ ନିଜ ସ୍ୱାର୍ଥ ଅନୁକୂଳ କରିବା ପାଇଁ ବିଭିନ୍ନ ଦେଶ ପ୍ରୟାସରତ, ଯାହା ଭାରତର ସ୍ୱାର୍ଥକୁ ଭିନ୍ନ ଭାବେ ପ୍ରଭାବିତ କରିପାରେ । ତାଲିବାନକୁ ପାକିସ୍ତାନର ଆଇଏସଆଇ ଓ ସେନା ସହାୟତା ପ୍ରଦାନ କରି ଚାଲିଛନ୍ତି । ଆଫଗାନିସ୍ତାନରେ ପାକିସ୍ତାନ ପସନ୍ଦର ଏକ ସରକାର ପ୍ରତିଷ୍ଠା ହେଲେ ତାହା ଭାରତ ଅଡୁଆରେ ପକାଇବ । ପାକିସ୍ତାନ ପଶ୍ଚିମ ସୀମା ଆଡୁ ନିଶ୍ଚିନ୍ତ ହୋଇ ସମସ୍ତ ଧ୍ୟାନ ପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ କେନ୍ଦ୍ରୀଭୂତ କରି ପାରିବ । ଅତୀତରେ ଆଫଗାନିସ୍ତାନରେ ଥିବା ଭାରତୀୟ ଅନୁଷ୍ଠାନଗୁଡିକ ଉପରେ ହୋଇଥିବା ଆକ୍ରମଣ ପାକିସ୍ତାନ ସମର୍ଥିତ ତାଲିବାନର ହକାନି ଗୋଷ୍ଠୀ ଦ୍ୱାରା ସଂଘଟିତ ହୋଇଥିଲା; ଯାହା ଭବିଷ୍ୟତରେ ଆହୁରି ବଢିପାରେ । ଆମେରିକା ଛାଡି ଚାଲି ଯିବା ପରେ କାବୁଲ ବିମାନବନ୍ଦର ଓ କାବୁଲ ସହରର ସୁରକ୍ଷା ଦାୟିତ୍ୱ ତୁର୍କୀ ଉପରେ ପଡିଛି । ତୁର୍କୀ ଆଫଗାନ ସରକାରଙ୍କୁ ସାମରିକ ସହାୟତା ପ୍ରଦାନ କରି ଆସୁଛି । ଏହା ତାଲିବାନର କାବୁଲ ଦଖଲରେ ମୁଖ୍ୟ ପ୍ରତିବନ୍ଧକ ହୋଇପାରେ । ଭାରତ ଓ ତୁର୍କୀ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ନ ଥିବାରୁ ଆଫଗାନିସ୍ତାନ ମାମଲାରେ ତୁର୍କୀର ନୂଆ ଭୂମିକା ଭାରତକୁ ଅସହଜ କରୁଛି । ଅତୀତରେ ତାଲିବାନର ପତନରେ ଇରାନ ଏକ ବଡ ଭୂମିକା ନିର୍ବାହ କରିଥିଲା ଓ ପରବର୍ତ୍ତୀ ସମୟରେ ଆଫଗାନିସ୍ତାନର ପୁନର୍ଗଠନରେ ସହାୟତା ପ୍ରଦାନ କରି ଆସିଥିଲା । ଆଫଗାନିସ୍ତାନ ଓ ମଧ୍ୟ-ଏସିଆରେ ବାଣିଜ୍ୟ ବୃଦ୍ଧି ଇରାନର ଲକ୍ଷ୍ୟ । ଆଫଗାନିସ୍ତାନ ରାଜନୀତିରେ ଏଇ କିଛି ବର୍ଷ ଧରି ସିଧାସଳଖ ସମ୍ପୃକ୍ତ ହୋଇ ଆସିଥିବା ଇରାନ, ରୁଷିଆ ଓ ଚୀନ ନିଜ ନିଜ ସ୍ୱାର୍ଥରେ ବି ସେଠାରେ ଶାନ୍ତି ପ୍ରତିଷ୍ଠା ହେବା ପାଇଁ ଇଚ୍ଛା କରିବେ । ଅବଶ୍ୟ ତାଲିବାନର ବାସ୍ତବତାକୁ ରୁଷିଆ ଗ୍ରହଣ କରି ସାରିଥିବାରୁ ଏକ ସ୍ଥିର, ନିରପେକ୍ଷ ଆଫଗାନିସ୍ତାନ ପ୍ରତିଷ୍ଠିତ ହୋଇ ପାରିଲେ ତାହା ରୁଷିଆର ଭୂ-ରାଜନୈତିକ ଓ ବାଣିଜ୍ୟିକ ସ୍ୱାର୍ଥ ଅନୁକୂଳ ହେବ । କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ ଭଳି ମଧ୍ୟ-ଏସିଆସ୍ଥିତ ପାଞ୍ଚଟି ଦେଶ ମଧ୍ୟରୁ ଆଫଗାନିସ୍ତାନର ଉତ୍ତରରେ ଥିବା ବିସ୍ତୀର୍ଣ୍ଣ ସୀମା ଶେଷ ତିନିଟି ଦେଶ ସହିତ ସଂଯୁକ୍ତ । ମଧ୍ୟ-ଏସିଆସ୍ଥିତ ଦେଶଗୁଡିକ ସହ ରୁଷିଆ ବିଭିନ୍ନ ଦ୍ୱିପାକ୍ଷିକ ଓ ବହୁ ପକ୍ଷୀୟ ଚୁକ୍ତିରେ ଆବଦ୍ଧ ଥିବାରୁ ସେହି ଦେଶଗୁଡିକ ଦେଇ ଆଫଗାନିସ୍ତାନ ଓ ଅନ୍ୟ ଦେଶ ସହ ବାଣିଜ୍ୟ କରିବାକୁ ହେଲେ ଆଫଗାନିସ୍ତାନ ସଂଲଗ୍ନ ତିନିଟି ଦେଶ ସହ ଆଫଗାନିସ୍ତାନର ବାଣିଜ୍ୟ ପଥକୁ ଉନ୍ମୁକ୍ତ ରଖିବାକୁ ହେବ । ଅନ୍ୟ ପକ୍ଷରେ ଆଫଗାନିସ୍ତାନରେ ହେଉଥିବା ଚୀନର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରକଳ୍ପର କାର୍ଯ୍ୟ ସୁରକ୍ଷାଜନିତ କାରଣରୁ ବାଧାପ୍ରାପ୍ତ ହୋଇପାରେ । ଅଧିକନ୍ତୁ, ଆଫଗାନିସ୍ତାନକୁ ଲାଗିଥିବା ଚୀନର ଜିନଝିଆଙ୍ଗ ପ୍ରଦେଶର ଉଇଗର ବିଚ୍ଛିନ୍ନତାବାଦୀମାନେ ତାଲିବାନ ସମର୍ଥନରେ ଆଫଗାନିସ୍ତାନରୁ ରହି ସେମାନଙ୍କ ଗତିବିଧି ଚଳାଇ ଆସୁଛନ୍ତି । ଚୀନ ନିଜ ସ୍ୱାର୍ଥରକ୍ଷା ପାଇଁ ସାମରିକ ପଦକ୍ଷେପ ଗ୍ରହଣ କଲେ ଆଫଗାନିସ୍ତାନର କ୍ଷମତା ସନ୍ତୁଳନ ବିଗିଡି ଯାଇପାରେ । ରୁଷିଆରୁ ପାକିସ୍ତାନର ଲାହୋର ଯାଏଁ ୧୧୦୦ କିଲୋମିଟର ଦୀର୍ଘ ଗ୍ୟାସ ପାଇପଲାଇନ ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ଏବଂ ଆଫଗାନିସ୍ତାନ ମାମଲାରେ ପାକିସ୍ତାନର ସୁବିଧାଜନକ ଭୂ-ରଣନୈତିକ ଅବସ୍ଥିତି ଯୋଗୁ ବଡ ଶକ୍ତିଗୁଡିକ ପାକିସ୍ତାନ ଆଡକୁ ଢଳିଲା ପରି ଜଣା ପଡୁଛନ୍ତି । ତେବେ ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନ ସହ ସୁସମ୍ପର୍କ ଥିବା ସାଉଦି ଆରବ ଓ ୟୁଏଇ କୌଶଳଗତ ଭାବେ ଆଫଗାନିସ୍ତାନ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଆଫଗାନିସ୍ତାନରେ ଅସ୍ଥିରତା ଦୀର୍ଘ ଦିନ ଧରି ଲାଗି ରହିଲେ ଏଥି ସଂଲଗ୍ନ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ମଧ୍ୟ ଏସିଆସ୍ଥିତ କାଝାଖସ୍ତାନ ଓ କିରଗିଜସ୍ତାନର ବୈଦେଶିକ ବାଣିଜ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ଥିବାରୁ ସେମାନେ ନୀରବଦ୍ରଷ୍ଟା ସାଜି ନ ପାରନ୍ତି । ଏମାନଙ୍କ ମଧ୍ୟରୁ କେହି କେହି ତ ପ୍ରସ୍ତୁତିର ପ୍ରଦର୍ଶନ ସ୍ୱରୂପ ସାମରିକ ଅଭ୍ୟାସ ବି ଆରମ୍ଭ କରି ସାରିଲେଣି ।
ପାରମ୍ପରିକ ଭାବେ ଭାରତର ଆଫଗାନିସ୍ତାନ ସହ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଆସିଛି । ତେବେ ଆମେରିକାର ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନ ପଶାପାଲିରେ ଭାରତ ଏକ ପ୍ରକାର ନିଃସଙ୍ଗ ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଲିବାନ ପତନ ପରେ ପାକିସ୍ତାନ ତାଲିବାନକୁ ଶରଣ ଓ ସାମରିକ ସହାୟତା ପ୍ରଦାନ କରି ଆଫଗାନିସ୍ତାନରେ ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିଥିଲା ବେଳେ ଭାରତ ସେଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜରିଆରେ ପ୍ରଭାବ ବିସ୍ତାର କରିବାକୁ ପ୍ରୟାସ କରି ଆସିଛି । ଆଫଗାନିସ୍ତାନରେ ଭିତ୍ତିଭୂମି ପୁନର୍ଗଠନରେ ସହାୟତା ପ୍ରଦାନ କରିବା ପାଇଁ ୨୦୧୧ମସିହାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ‘ଷ୍ଟ୍ରାଟେଜିକ ପାର୍ଟନରସିପ ଆଗ୍ରିମେଣ୍ଟ’ ସ୍ୱାକ୍ଷରିତ ହୋଇଥିଲା । ଫଳସ୍ୱରୂପ, ଭାରତ ସେଠାରେ ରାସ୍ତାଘାଟ, ନଦୀବନ୍ଧ, ବିଦ୍ୟୁତ ଲାଇନ, ସ୍କୁଲ, ହସପିଟାଲ ତଥା ବୈଷୟିକ ଓ ଅନ୍ୟାନ୍ୟ ତାଲିମ ପ୍ରଦାନ ବାବଦରେ ପ୍ରାୟ ୩୦୦ କୋଟି ଡଲାରର ସହାୟତା ପ୍ରଦାନ କରିଛି । ଭାରତର ବିଦେଶ ମନ୍ତ୍ରୀଙ୍କ ଅନୁସାରେ ଆଫଗାନିସ୍ତାନର ୩୪ଟି ଯାକ ପ୍ରଦେଶରେ ଭାରତ ସହାୟତାରେ ପ୍ରାୟ ୪୦୦ଟି ପ୍ରକଳ୍ପ ରହିଛି । ଏଗୁଡିକ ମଧ୍ୟରେ ରହିଛି ହେରାତସ୍ଥିତ ସଲମା ଡ୍ୟାମ, ଇରାନ ସୀମାକୁ ଲାଗି ୨୧୮ କିଲୋମିଟର ଦୈର୍ଘ୍ୟ ଜାରଞ୍ଜ-ଡେଲାରାମ ହାଇୱେ, ଆଫଗାନିସ୍ତାନ ସଂସଦ ଭବନ ଇତ୍ୟାଦି । ଏତଦଭିନ୍ନ ଶକ୍ତି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପ, ପରିବହନ କ୍ଷେତ୍ରରେ (ବସ, ମିନିବସ, ଆମ୍ୱୁଲାନ୍ସ ଇତ୍ୟାଦି) ସହାୟତା, ୧୦୦ରୁ ଅଧିକ ସାମାଜିକ ପ୍ରକଳ୍ପ ଇତ୍ୟାଦି ହୋଇଛି । କାବୁଲକୁ ପିଇବା ପାଣି ଯୋଗାଇ ଦେବା ପାଇଁ ସତୁତ ଡ୍ୟାମର ନିର୍ମାଣ କାର୍ଯ୍ୟ ଚାଲିଛି । ଏ ସମସ୍ତ ପ୍ରକଳ୍ପର ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି । ପାକିସ୍ତାନ ଦେଇ ଆଫଗାନିସ୍ତାନ ଓ ମଧ୍ୟ-ଏସିଆ ସହ ବାଣିଜ୍ୟ କରିବା ସମ୍ଭବ ନ ହେବାରୁ ଭାରତ ପାଇଁ ଆଫଗାନିସ୍ତାନ ଦେଇ ସେହି ସବୁ ଅଞ୍ଚଳରେ ବାଣିଜ୍ୟ କରିବା ଭିନ୍ନ ବିକଳ୍ପ ନ ଥିଲା । ସେଥିପାଇଁ ଭାରତ ଇରାନସ୍ଥିତ ଚାବାହାର ବନ୍ଦରକୁ ଉପଯୋଗ କରି ଏହି ବିକଳ୍ପ ବାଣିଜ୍ୟପଥ ନିର୍ମାଣ କରିବାକୁ ଚେଷ୍ଟିତ । ୨୦୧୭ରେ ଦୁଇଟି ବିମାନ ଫ୍ରେଟ୍ କରିଡର (କାବୁଲ-ଦିଲ୍ଲୀ, ହେରାତ-ଦିଲ୍ଲୀ) କାର୍ଯ୍ୟକାରୀ ହେବା ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇ ପ୍ରାୟ ୧୪୦ କୋଟି ଡଲାର ( ଭାରତରୁ ପ୍ରାୟ ୯୦ କୋଟି ଡଲାର)ରେ ପହଞ୍ଚିଲାଣି । ଉତ୍ତର ଆଫଗାନିସ୍ତାନସ୍ଥିତ ମଧ୍ୟ-ଏସିଆର ତିନିଟି ଦେଶର ପ୍ରବେଶ ଦ୍ୱାର ଏବେ ତାଲିବାନ କବଜାରେ ଥିବାରୁ ମଧ୍ୟ-ଏସିଆ ସହ ଭାରତର ବାଣିଜ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇପାରେ । ମଧ୍ୟ-ଏସିଆ ସହ ଭାରତର ବାଣିଜ୍ୟ ପରିମାଣ ମାତ୍ର ୨୮୦କୋଟି ଡଲାର ହୋଇଥିଲେ ବି ତାହା ଭବିଷ୍ୟତରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତା’ ଛଡା ସେହି ଦେଶଗୁଡିକରେ ତୈଳ ଓ ପ୍ରାକୃତିକ ଗ୍ୟାସର ବଡ ଭଣ୍ଡାର ଉପଲବ୍ଧ ଥିବାରୁ ତାହା ଭବିଷ୍ୟତରେ ଭାରତ ପାଇଁ ଏକ ବିକଳ୍ପ ଶକ୍ତି ଉତ୍ସ ହୋଇପାରନ୍ତା ।
ତାଲିବାନର ପୁନରୁତ୍ଥାନ ପରେ ଭାରତରେ ଆତଙ୍କବାଦ କାୟା ବିସ୍ତାର କରିବାର ଆଶଙ୍କା ଦେଖା ଦେଇଛି । ଇତି ମଧ୍ୟରେ ପାକିସ୍ତାନରୁ ପରିଚାଳିତ ଭାରତ ବିରୋଧୀ ଆତଙ୍କାବାଦୀ ସଂଗଠନ ଲସ୍କର-ଏ-ତୋଏବା ଓ ଜୈସ୍-ଏ-ମହମ୍ମଦ ସେମାନଙ୍କର ତାଲିମ ଶିବିରଗୁଡିକୁ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନକୁ ଉଠାଇ ନେଉଥିବାର ସୂଚନା ମିଳୁଛି । କାଶ୍ମୀର ଉପତ୍ୟକା ଅଞ୍ଚଳରେ ଆତଙ୍କବାଦୀ ସମସ୍ୟା ନିୟନ୍ତ୍ରଣାଧୀନ ହୋଇ ଆସୁଥିବା ବେଳେ ତାଲିବାନୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଉପରୋକ୍ତ ସଂଗଠନଗୁଡିକ କାଶ୍ମୀରରେ ସେମାନଙ୍କ ଆତଙ୍କବାଦୀ ଗତିବିଧିକୁ ବ୍ୟାପକ କରିବାକୁ ଚେଷ୍ଟା କରିବାର ଭୟ ରହିଛି । ଏପରିକି ଭାରତର ବିଭିନ୍ନ ଅଞ୍ଚଳରେ ସକ୍ରିୟ ନ ଥିବା ଆତଙ୍କବାଦୀ ସଙ୍ଗଠନଗୁଡିକର ସଦସ୍ୟମାନେ ତାଲିବାନୀଙ୍କ ଦ୍ୱାରା ପ୍ରଶିକ୍ଷିତ ହୋଇ ପୁଣି ସକ୍ରିୟ ହେବାକୁ ଚେଷ୍ଟା କରି ପାରନ୍ତି । ଏଭଳି ନୂଆ ବିପଜ୍ଜନକ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ନୂଆ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ । ଭାରତ ପାଇଁ ଦ୍ୱନ୍ଦ୍ୱ ହେଉଛି, ଭାରତ ପୂର୍ବ ପରି ତାଲିବାନଠାରୁ ଦୂରେଇ ରହିବ ନା ତାଲିବାନୀଙ୍କ ସହ ପଛ ଦୁଆର କୂଟନୀତି ଆରମ୍ଭ କରିବ । ତାଲିବାନୀଙ୍କ ସହ ବାର୍ତ୍ତାଳାପ କଲେ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ସହ ଆଲୋଚନା କରିବାକୁ ସରକାରଙ୍କ ଉପରେ ଚାପ ପଡିପାରେ, ଯାହା ଏ ଯାଏଁ ସରକାର ଏଡାଇ ଆସିଛନ୍ତି ।
ତେବେ ସାମ୍ପ୍ରତିକ ଆଫଗାନିସ୍ତାନର ପରିପ୍ରେକ୍ଷୀରେ ଭାରତ ତା’ର ଦ୍ୱନ୍ଦ୍ୱରୁ ବାହାରି ଯେତେ ଶୀଘ୍ର ଏହି ନୀତି ପକ୍ଷାଘାତକୁ ଦୂର କରିବ, ସେତେ ଭଲ । ଆଫଗାନିସ୍ତାନ ସହ ସମ୍ପର୍କର ସୁଦୂର ପ୍ରସାରୀ ପ୍ରଭାବ ଭାରତର ଭୂ-ରାଜନୈତିକ, ଆର୍ଥିକ, ସାମରିକ କ୍ଷେତ୍ରଗୁଡିକ ଉପରେ ପଡିବ । ସେମିତି ଦେଶରେ ଆତଙ୍କବାଦ ସମସ୍ୟା ସହ ଏହାର ପ୍ରତ୍ୟକ୍ଷ ସମ୍ପର୍କ ଅଛି । ତେଣୁ ଏ ଦିଗରେ ସାନି ଓ ଦ୍ରୁତ ଚିନ୍ତନ କରାଯିବା ଦରକାର ।
Published in Sambad on July 27, 2021
Comments
Post a Comment