ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟାଧାରାର ୮ଟି ରାଜନୈତିକ ଦଳର ୧୪ ଜଣ ନେତାଙ୍କ ସହ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକଟିକୁ ଗୁରୁତ୍ୱ ପ୍ରଦାନ କରା ଯାଉଥିବା ବେଳେ ଏହି ବୈଠକରେ ଜାମ୍ମୁ ଓ କାଶ୍ମୀର ତା’ର ପୂର୍ବ ରାଜ୍ୟ ମାନ୍ୟତା ଫେରି ପାଇବା ଆଲୋଚନାର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁଯାୟୀ ପୂର୍ବତନ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ବିଭାଜିତ କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରା ଯାଇଥିଲା । ଜାମ୍ମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଥିଲା ଯେ ତାହା ଉପଯୁକ୍ତ ସମୟରେ ହେବ । ଏଥି ପୂର୍ବରୁ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ ସମାପ୍ତ ହେବା ଓ ସେଥିପାଇଁ ରାଜନୈତିକ ଦଳଗୁଡିକ ସହଯୋଗ କଲେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ ହୋଇପାରିବ । ତେବେ ସେଠାରେ ରାଜ୍ୟ ମାନ୍ୟତା ଫେରସ୍ତ ସହ ସୀମା ନିର୍ଦ୍ଧାରଣ ପ୍ରସଙ୍ଗଟିକୁ କାହିଁକି ଯୋଡା ଯାଉଛି, ତାହା ମଧ୍ୟ ବୁଝିବାର ଆବଶ୍ୟକତା ରହିଛି ।
ଜନସଂଖ୍ୟାରେ ପରିବର୍ତ୍ତନ ସହ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀଗୁଡିକର ସୀମାରେ ପରିବର୍ତ୍ତନ କରା ଯାଉଥିବା ପ୍ରକ୍ରିୟାଟିକୁ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) କୁହା ଯାଇଥାଏ । ଏହି ପ୍ରକ୍ରିୟାରେ ଗୋଟିଏ ରାଜ୍ୟକୁ ଆବଣ୍ଟିତ ହୋଇଥିବା ବିଧାନସଭା ଓ ଲୋକସଭା ଆସନ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ । ଏହାର ଏକମାତ୍ର ଉଦ୍ଦେଶ୍ୟ ସମାନ ଜନସଂଖ୍ୟା ପାଇଁ ସମାନ ଜନ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା । ଭୌଗୋଳିକ କ୍ଷେତ୍ରକୁ ଏପରି ନ୍ୟାୟସଙ୍ଗତ ଭାବେ ବିଭାଜିତ କରାଯିବା ଉଚିତ ଯଦ୍ଦ୍ୱାରା କୌଣସି ରାଜନୈତିକ ଦଳ ଅନ୍ୟ ଦଳ ଅପେକ୍ଷା ଅଧିକ ଲାଭଜନକ ସ୍ଥିତିରେ ରହିବାର ସମ୍ଭାବନା ନ ଥିବ । ଭାରତୀୟ ସମ୍ବିଧାନର ଧାରା ୮୧(୨) ଅନୁଯାୟୀ ପ୍ରତି ରାଜ୍ୟକୁ ଏପରି ଭାବେ ଲୋକସଭା ଓ ବିଧାନସଭାର ଆସନ ଆବଣ୍ଟିତ ହେବ ଯଦ୍ଦ୍ୱାରା ଆସନ ସଂଖ୍ୟା ଓ ଜନସଂଖ୍ୟା ମଧ୍ୟରେ ଥିବା ଅନୁପାତ ଯଥାସମ୍ଭବ ସବୁ ରାଜ୍ୟ ପାଇଁ ସମାନ ରହି ପାରିବ । ଅବଶ୍ୟ ୬୦ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡିକରେ ଲୋକସଭା ଆସନ ଆବଣ୍ଟନ କ୍ଷେତ୍ରରେ ଏହି ସିଦ୍ଧାନ୍ତ କାର୍ଯ୍ୟକାରୀ ହୋଇ ନଥାଏ । ଏଥିପାଇଁ ଜନସଂଖ୍ୟାର ଆପେକ୍ଷିକ ସମାନତା ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ, ଭୌଗୋଳିକ କ୍ଷେତ୍ର ନୁହେଁ । ଜନସଂଖ୍ୟା କହିଲେ ସୀମା ନିର୍ଦ୍ଧାରଣ ପୂର୍ବରୁ ହୋଇଥିବା ଜନଗଣନାର ଜନସଂଖ୍ୟାକୁ ହିଁ ବୁଝାଇଥାଏ । ଏହି କାର୍ଯ୍ୟଟି ସୀମା ନିର୍ଦ୍ଧାରଣ ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଦ୍ୱାରା ପ୍ରତି ଜନଗଣନା ସମ୍ପନ୍ନ ହେବା ପରେ କରାଯିବା ବିଧେୟ । ପ୍ରତି ଜନଗଣନା ପରେ କେନ୍ଦ୍ର ସରକାର ଏକ ସୀମା ନିର୍ଦ୍ଧାରଣ ଆଇନ ପ୍ରଣୟନ କରନ୍ତି ଓ ତଦନୁଯାୟୀ ଏକ ସୀମା ନିର୍ଦ୍ଧାରଣ ଆୟୋଗ ଗଠିତ ହୋଇଥାଏ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଆୟୋଗର ନିଷ୍ପତ୍ତି ଚୂଡାନ୍ତ ଓ ଏହାର ନିଷ୍ପତ୍ତି ବିରୁଦ୍ଧରେ କୌଣସି ଅଦାଲତର ଦ୍ୱାରସ୍ଥ ହୋଇ ହେବ ନାହିଁ । ଜନସଂଖ୍ୟାକୁ ଆଧାର କରି ଆୟୋଗ ଆସନ ସଂଖ୍ୟା ଓ ଆସନଗୁଡିକର ସୀମା ନିର୍ଦ୍ଧାରଣ କରିଥାଆନ୍ତି । ପୁନଶ୍ଚ, ଅନୁସୂଚୀତ ଜାତି ଓ ଜନଜାତିଙ୍କ ସଂଖ୍ୟା ବହୁଳତାକୁ ଦୃଷ୍ଟିରେ ରଖି କେଉଁ ଆସନକୁ ସଂରକ୍ଷିତ କରାଯିବ ତାହା ମଧ୍ୟ ସ୍ଥିର କରିଥାଆନ୍ତି । ଅବଶ୍ୟ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଜନସାଧାରଣ ଓ ରାଜନୈତିକ ଦଳଗୁଡିକୁ ସାମିଲ କରିବା ପାଇଁ ଜନଶୁଣାଣିର ମଧ୍ୟ ଆୟୋଜନ କରା ଯାଇଥାଏ ।
ଭାରତରେ ପ୍ରଥମ ସୀମା ନିର୍ଦ୍ଧାରଣ ୧୯୫୦-୫୧ରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ହୋଇ ବିଭିନ୍ନ କାରଣରୁ ସମାଲୋଚନାର ଶିକାର ହୋଇଥିଲା । ପ୍ରଥମ ସାଧାରଣ ନିର୍ବାଚନଟି ତାରି ଭିତ୍ତିରେ ହୋଇଥିଲା । ଅବଶ୍ୟ ୧୯୫୧ରେ ଜନଗଣନା ସମ୍ପନ୍ନ ହେବା ପରେ ୧୯୫୨ରେ ପ୍ରଣୀତ ସୀମା ନିର୍ଦ୍ଧାରଣ ଆଇନ ଅନୁଯାୟୀ ୧୯୫୨ରେ ସୀମା ନିର୍ଦ୍ଧାରଣ ଆୟୋଗ ପ୍ରତିଷ୍ଠା ହୋଇ ସୀମା ନିର୍ଦ୍ଧାରଣ ହୋଇଥିଲା । ୧୯୬୧ ଓ ୧୯୭୧ରେ ହୋଇଥିବା ପରବର୍ତ୍ତୀ ଦୁଇଟି ଜନଗଣନା ପରେ ମଧ୍ୟ ୧୯୬୩ ଓ ୧୯୭୩ରେ ସୀମା ନିର୍ଦ୍ଧାରଣ ଆୟୋଗ ଗଠିତ ହୋଇଥିଲା । ତଦନୁଯାୟୀ ୧୯୫୨, ୧୯୬୩ ଓ ୧୯୭୩ ରେ ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଦ୍ୱାରା ଲୋକସଭା ଆସନ ସଂଖ୍ୟା ଯଥାକ୍ରମେ ୪୯୪, ୫୨୨ ଓ ୫୪୩ ଧାର୍ଯ୍ୟ ହୋଇଥିଲା, ଯାହା ଏବେ ମଧ୍ୟ ସେହି ୫୪୩ରେ ସ୍ଥିର ରହିଛି । ୧୯୬୩ ଓ ୧୯୭୩ରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାଗୁଡିକର ବିଧାନସଭା ଆସନ ସଂଖ୍ୟା ମୋଟ ୩୭୭୧ ଓ ୩୯୯୭ ଥିଲା । ଦକ୍ଷିଣ ଭାରତର ରାଜ୍ୟଗୁଡିକ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରି ଜନସଂଖ୍ୟା ନିୟନ୍ତ୍ରଣ କରିଥିଲା ବେଳେ ଉତ୍ତର ଭାରତରେ ଜନସଂଖ୍ୟା ବୃଦ୍ଧି ପାଇ ଚାଲିଥିଲା । ଏପରି ସ୍ଥଳେ ଜନସଂଖ୍ୟାକୁ ଭିତ୍ତି କରି ଆସନ ଆବଣ୍ଟନ କରାଗଲେ ଉତ୍ତର ଭାରତ ରାଜ୍ୟଗୁଡିକ ଅଧିକ ଆସନ ପାଇ ଲାଭାନ୍ୱିତ ହେଉଥିବା ବେଳେ ଦକ୍ଷିଣ ଭାରତ ରାଜ୍ୟଗୁଡିକ କମ ଆସନ ପାଇ ପରୋକ୍ଷରେ ଦଣ୍ଡିତ ହେବାର ଆଶଙ୍କା ଦେଖା ଦେଲା । ଏହାକୁ ଦୃଷ୍ଟିରେ ରଖି ଜରୁରୀ କାଳୀନ ପରିସ୍ଥିତି ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୭୬ରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ୨୦୦୧ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା । ତେଣୁ ୧୯୮୧ ଓ ୧୯୯୧ ଜନଗଣନା ପରେ ସୀମା ନିର୍ଦ୍ଧାରଣ ଆଇନ ପ୍ରଣୀତ ହେବାର ଆବଶ୍ୟକତା ଉପୁଜି ନ ଥିଲା । ତେବେ କିଛି ଲୋକସଭା କ୍ଷେତ୍ରର ସୀମାରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହି ସମୟରେ ଗଠିତ ଅରୁଣାଚଳ ପ୍ରଦେଶ, ମିଜୋରାମ, ଉତ୍ତରାଖଣ୍ଡ, ଝାରଖଣ୍ଡ, ଛତିଶଗଡ ଆଦି କିଛି ନୂଆ ରାଜ୍ୟର ବିଧାନସଭା ଓ ଦିଲ୍ଲୀ ବିଧାନସଭା ପାଇଁ ଆସନ ସଂଖ୍ୟା ନିର୍ଦ୍ଧାରିତ କରା ଯାଇଥିଲା । ପୁନଶ୍ଚ, ସମ୍ୱିଧାନର ୮୪ତମ ସଂଶୋଧନ ଅନୁଯାୟୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ୨୦୨୬ ଯାଏଁ ଘୁଞ୍ଚାଇ ଦିଆ ଯାଇ ଆସନ ସଂଖ୍ୟାକୁ ସ୍ଥିର ରଖାଗଲା । ଅର୍ଥାତ୍, ୨୦୩୧ ଜନଗଣନା ପରେ ଯାଇ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ କରା ଯାଇ ପାରିବ । ଏହି ସଂଶୋଧନ ବେଳେ କାରଣ ଦର୍ଶା ଯାଇଥିଲା ଯେ ଏହି ସମୟ ମଧ୍ୟରେ ଦେଶର ସର୍ବତ୍ର ଜନସଖ୍ୟାର ବୃଦ୍ଧି ଦରରେ ସମାନତା ଆଣିବାକୁ ଚେଷ୍ଟା କରାଯିବ । ସେହି ଲକ୍ଷ୍ୟ ହାସଲ ଦିଗରେ ଦେଶ ଏ ଯାଏଁ କେତେ ଦୂର ଅଗ୍ରସର ହୋଇଛି ତାହା ବିବେଚନାର ବିଷୟ । ୨୦୦୧ରେ ସୀମା ନିର୍ଦ୍ଧାରଣକୁ ସ୍ଥଗିତ ରଖା ଯାଇଥିଲେ ବି ୨୦୦୨ରେ ଗଠିତ ସୀମା ନିର୍ଦ୍ଧାରଣ ଆୟୋଗ ଆସନ ସଂଖ୍ୟା ନ ବଦଳାଇ ବିଭିନ୍ନ ରାଜ୍ୟରେ ବିଧାନସଭା ଓ ଲୋକସଭା ଆସନଗୁଡିକର ସୀମାରେ ପରିବର୍ତ୍ତନ କରିଥିଲେ । ଏହି ପ୍ରକ୍ରିୟା ମେ’ ୨୦୦୮ ଯାଏଁ ଚାଲିଲା ପରେ ୨୦୦୯ରେ ଅନୁଷ୍ଠିତ ନିର୍ବାଚନ ତାରି ଆଧାରରେ ହୋଇଥିଲା ।
ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ ଲୋକସଭା ଆସନ ପାଇଁ ସୀମା ନିର୍ଦ୍ଧାରଣ ଭାରତୀୟ ସମ୍ୱିଧାନ ଅନୁସାରେ ହେଉଥିବା ବେଳେ, ବିଧାନସଭା ଆସନ ପାଇଁ ସୀମା ନିର୍ଦ୍ଧାରଣ ସେଠାକାର ସମ୍ୱିଧାନ ଓ ଜାମ୍ମୁ ଓ କାଶ୍ମୀର ଜନ ପ୍ରତିନିଧି ଆଇନ, ୧୯୫୭ ଅନୁଯାୟୀ ହେଉଥିଲା । ଏ ଦୁଇଟି ଭାରତୀୟ ସମ୍ୱିଧାନ ଓ ସୀମା ନିର୍ଦ୍ଧାରଣ ଆଇନ ଢାଞ୍ଚାରେ ତିଆରି ହୋଇଥିଲା । ଜାମ୍ମୁ ଓ କାଶ୍ମୀର ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ସୀମା ନିର୍ଦ୍ଧାରଣ ଆୟୋଗର ପ୍ରାବଧାନ ଥିଲେ ବି ୧୯୬୩ ଓ ୧୯୭୩ରେ ଭାରତର ଅନ୍ୟ ରାଜ୍ୟ ପାଇଁ ଗଠିତ ସୀମା ନିର୍ଦ୍ଧାରଣ ଆୟୋଗ ମଧ୍ୟ ସେଠାକାର ଆୟୋଗ ରୂପେ କାର୍ଯ୍ୟ କରିଥିଲେ । ୧୯୭୬ରେ ଭାରତୀୟ ସମ୍ୱିଧାନ ସଂଶୋଧନ କରାଯାଇ ସାରା ଦେଶରେ ସୀମା ନିର୍ଦ୍ଧାରଣକୁ ୨୦୦୧ ଯାଏଁ ସ୍ଥଗିତ ରଖା ଯାଇଥିଲେ ବି ଏକା ସମୟରେ ଜାମ୍ମୁ ଓ କାଶ୍ମୀର ସମ୍ୱିଧାନ ସଂଶୋଧିତ ହୋଇ ନ ଥିବାରୁ ସେଠାରେ ସୀମା ନିର୍ଦ୍ଧାରଣ କରିବା ଜରୁରୀ ଥିଲା । ତଦନୁସାରେ ସେଠାକାର ୧୯୮୧ ମସିହାର ଜନଗଣନାକୁ ଆଧାର କରି ବିଧାନସଭା ଆସନର ସୀମା ନିର୍ଦ୍ଧାରଣ ହୋଇଥିଲା ଓ ୧୯୮୮ରେ ଜାମ୍ମୁ ଓ କାଶ୍ମୀର ସମ୍ୱିଧାନକୁ ସଂଶୋଧନ କରାଯାଇ ଆସନ ସଂଖ୍ୟାକୁ ପୂର୍ବର ୧୦୦ରୁ ବଢାଇ ୧୧୧ କରି ଦିଆ ଯାଇଥିଲା । ତନ୍ମଧ୍ୟରୁ ୨୪ଟି ଆସନ ପାକ୍ ଅଧିକୃତ କାଶ୍ମୀର ପାଇଁ ଆବଣ୍ଟିତ ହୋଇଥିବାରୁ ସେଗୁଡିକ ଖାଲି ପଡୁଥିଲା ବେଳେ ଅବଶିଷ୍ଟ ୮୭ଟି ଆସନ ପାଇଁ ୧୯୯୬ ଓ ପରବର୍ତ୍ତୀ ସମୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରୁ ୪୬ଟି କାଶ୍ମୀର ଉପତ୍ୟକା ପାଇଁ ଥିବା ବେଳେ, ୩୭ଟି ଜାମ୍ମୁ ଅଞ୍ଚଳ ଓ ୪ଟି ଲଦାଖ ଅଞ୍ଚଳ ପାଇଁ ଚିହ୍ନିତ । ଉଲ୍ଲେଖଯୋଗ୍ୟ ଯେ ୧୯୯୧ରେ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଜନଗଣନା ହୋଇ ନ ଥିଲା । ୨୦୦୧ ଜନଗଣନା ପରେ ସେଠାରେ ଆଉ ସୀମା ନିର୍ଦ୍ଧାରଣ ଆୟୋଗ ନିଯୁକ୍ତ ହୋଇ ନାହିଁ, କାରଣ ଭାରତ ସରକାର ୨୦୨୬ ଯାଏଁ ସୀମା ନିର୍ଦ୍ଧାରଣକୁ ସ୍ଥଗିତ କରି ଥିବାରୁ ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ମଧ୍ୟ ଅନୁରୂପ ଭାବେ ଏକ ପ୍ରସ୍ତାବ ଗୃହୀତ ହୋଇ ସେଠାରେ ୨୦୨୬ ଯାଏଁ ବିଧାନସଭା ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଥିଲା । ୧୯୮୧ ଜନଗଣନା ଆଧାରରେ ଯେଉଁ ସୀମା ନିର୍ଦ୍ଧାରଣ ହୋଇଥିଲା ତାହା ଏ ଯାଏଁ ବଳବତ୍ତର ଥିଲା । ଧାରା ୩୭୦ ଉଚ୍ଛେଦ ପରେ ହୋଇଥିବା ପୁନର୍ଗଠନ ଆଇନ ଅନୁଯାୟୀ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ବିଧାନସଭା ବ୍ୟବସ୍ଥା ରହିଲା ନାହିଁ । ଅନ୍ୟ ପକ୍ଷରେ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରୁ ଲଦାଖର ୪ଟି ଆସନ ବାଦ ପଡି ସେଠାକାର ଆସନ ସଂଖ୍ୟା ୧୦୭କୁ ଖସି ଆସିଲା । ତେବେ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯ର ଧାରା ୬୦ ଅନୁଯାୟୀ ଆଉ ୭ଟି ଆସନ ବଢାଇ ଆସନ ସଂଖ୍ୟାକୁ ୧୧୪ କରି ଦିଆଯାଇଛି । ତନ୍ମଧ୍ୟରୁ ୨୪ଟି ପାକ୍ ଅଧିକୃତ କାଶ୍ମୀର ପାଇଁ ଚିହ୍ନିତ ହୋଇ ଖାଲି ରହିଥିବା ବେଳେ କାଶ୍ମୀର ଓ ଜାମ୍ମୁ ଅଞ୍ଚଳ ମଧ୍ୟରେ ଅବଶିଷ୍ଟ ୯୦ଟି ଆସନ ଚିହ୍ନିତ ହୋଇ ବିଧାନସଭା ଆସନଗୁଡିକର ସୀମା ନିର୍ଦ୍ଧାରଣ କରାଯିବ । ଏଥିପାଇଁ ମାର୍ଚ୍ଚ ୨୦୨୦ରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଈଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ନିର୍ଦ୍ଧାରଣ ଆୟୋଗ ବର୍ଷକ ମଧ୍ୟରେ ତା’ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନ ପାରିବାରୁ ଆୟୋଗକୁ ଆଉ ଗୋଟିଏ ବର୍ଷ ଅଧିକ ସମୟ ଦିଆଯାଇଛି । ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟଟି ରାଜନୈତିକ ଦୃଷ୍ଟିରୁ ଅତ୍ୟଧିକ ସମ୍ୱେଦନଶୀଳ । ଏବେ ଯାଏଁ କାଶ୍ମୀର ଉପତ୍ୟକା ଅଞ୍ଚଳରେ ଅଧିକ ସଂଖ୍ୟକ ବିଧାନସଭା ଆସନ ଥିବାରୁ ମୁସଲମାନ ବହୁଳ ଉପତ୍ୟକା ଅଞ୍ଚଳରେ ବିଜୟ ଲାଭ କରୁଥିବା ରାଜନୈତିକ ଦଳ ହିଁ ରାଜ୍ୟର ଶାସନ ଦାୟିତ୍ୱ ବହନ କରି ଆସୁଛି ଓ ବିଜେପିର ଶକ୍ତି ଅଧିକ ଥିବା ହିନ୍ଦୁ ବହୁଳ ଜାମ୍ମୁ ଅଞ୍ଚଳ ସରକାର ଗଠନରେ ଅତି ବେଶିରେ ସାନ ଭଉଣୀ ଭୂମିକାରେ ଅବତୀର୍ଣ୍ଣ ହେଉଛି । ଏହି ସୀମା ନିର୍ଦ୍ଧାରଣ ପରେ ଜାମ୍ମୁ ଅଞ୍ଚଳରେ ଆସନ ସଂଖ୍ୟା ବୃଦ୍ଧି ପାଇ ଶାସନରେ ତା’ର ଗୁରୁତ୍ୱ ବଢିବ ବୋଲି ବିଜେପି ଆଶାୟୀ । ଅନ୍ୟ ପକ୍ଷରେ କାଶ୍ମୀର ଉପତ୍ୟକାର ମୁଖ୍ୟସ୍ରୋତର ରାଜନୈତିକ ଦଳଗୁଡିକ ମଧ୍ୟରୁ କେତେକ ଏହି ସୀମା ନିର୍ଦ୍ଧାରଣକୁ ବିରୋଧ କରୁଥିବା ବେଳେ ଅନ୍ୟ କେତେକ ଏହାକୁ ସହଯୋଗ କରୁନାହାନ୍ତି । କାରଣ ସେମାନେ ମନେ କରୁଛନ୍ତି ଯେ ବିଜେପି ଚକ୍ରାନ୍ତ କରି ବର୍ଦ୍ଧିତ ୭ଟି ଯାକ ଆସନ ଜାମ୍ମୁ ଅଞ୍ଚଳକୁ ଦେଇ ଦେଇପାରେ । କିନ୍ତୁ ୨୦୧୧ର ଜନଗଣନାକୁ ଭିତ୍ତି କରି ସୀମା ନିର୍ଦ୍ଧାରଣ କରା ଯାଉଥିବାରୁ ତାହା ଜାମ୍ମୁ ଲୋକଙ୍କ ସ୍ୱାର୍ଥ ବିରୋଧୀ ହେବ ବୋଲି ମନେ କରି ଜାମ୍ମୁ ଅଞ୍ଚଳର କିଛି ସଂଗଠନ ଏହାର ବିରୋଧ କରୁଥିବା ଜଣା ପଡୁଛି । ୨୦୧୧ ଜନଗଣନା ଅନୁଯାୟୀ ଜାମ୍ମୁ ଡିଭିଜନର ୧୦ଟି ଜିଲ୍ଲାର ଲୋକସଂଖ୍ୟା ୫୩.୫ ଲକ୍ଷ ହୋଇଥିବା ବେଳେ କାଶ୍ମୀର ଉପତ୍ୟକା ଡିଭିଜନର ୧୦ଟି ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୬୯ ଲକ୍ଷ ଥିଲା । ଅର୍ଥାତ୍, ୨୦୧୧ ଆଧାରରେ ଜାମ୍ମୁ ଡିଭିଜନରେ ପ୍ରାୟ ପ୍ରତି ୧.୪୫ ଲକ୍ଷ ଲୋକସଂଖ୍ୟା ପାଇଁ ଗୋଟିଏ ବିଧାନସଭା ଆସନ ଥିବା ବେଳେ କାଶ୍ମୀର ଉପତ୍ୟକା ଡିଭିଜନରେ ଏହି ସଂଖ୍ୟା ପ୍ରାୟ ୧.୫୦ ଲକ୍ଷ । ବିଧାନସଭା ଆସନ ସଂଖ୍ୟାକୁ ୨୦୦୨ ସ୍ଥିତିରେ ସ୍ଥିର ରଖା ଯାଇଥିବାରୁ ତା’ର ଜାମ୍ମୁ ଅଞ୍ଚଳର ପ୍ରତିନିଧିତ୍ୱ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି ବୋଲି କେତେକଙ୍କ ଧାରଣା । ତା’ ଛଡା ୨୦୧୧ ତୁଳନାରେ ୨୦୨୧ରେ ଜାମ୍ମୁ ଅଞ୍ଚଳର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ୨୦୨୧ ଜନଗଣନାକୁ ଭିତ୍ତି କରି ସୀମା ନିର୍ଦ୍ଧାରଣ କରାଗଲେ ଜାମ୍ମୁ ଅଞ୍ଚଳର ସ୍ୱାର୍ଥ ଅଧିକ ସୁରକ୍ଷିତ ରହି ପାରିବ ବୋଲି ସେମାନଙ୍କ ବିଶ୍ୱାସ । ତେବେ ତାହା କରାଗଲେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଅନ୍ତତଃ ପକ୍ଷେ ଆଉ ୨ ବର୍ଷ ପଛେଇ ଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ଜାତୀୟ ସ୍ତରରେ ଲୋକସଭା ପାଇଁ ସୀମା ନିର୍ଦ୍ଧାରଣ ୨୦୨୬ ଯାଏଁ ସ୍ଥଗିତ ଥିବାରୁ ବର୍ତ୍ତମାନ ପାଇଁ କାଶ୍ମୀର ଉପତ୍ୟକା ଅଞ୍ଚଳରେ ଲୋକସଭା ସାଂସଦଙ୍କ ସଂଖ୍ୟା ୩ରେ ସ୍ଥିର ରହିଥିବା ବେଳେ ଜାମ୍ମୁ ଡିଭିଜନରେ ତାହା ୨ ରେ ଅପରିବର୍ତ୍ତନୀୟ ରହିବ ।
ସାମାଜିକ ଗଣମାଧ୍ୟମରେ ଏକ ଭ୍ରମାତ୍ମକ ତଥ୍ୟ ଘୂରି ବୁଲୁଛି ଯେ କାଶ୍ମୀର ଉପତ୍ୟକା ଅଞ୍ଚଳର ଜନସଂଖ୍ୟା ଜାମ୍ମୁ ଅଞ୍ଚଳର ଜନସଂଖ୍ୟା ତୁଳନାରେ କମ ଥିବା ସତ୍ତ୍ୱେ କାଳେ ନେହରୁ ଜାଣିଶୁଣି କାଶ୍ମୀର ଅଞ୍ଚଳକୁ ଅଧିକ ବିଧାନସଭା ଆସନ ଦେଇ ଦେଇଥିଲେ । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ କାଶ୍ମୀର ଅଞ୍ଚଳର ଜନସଂଖ୍ୟା ଜାମ୍ମୁ ଅଞ୍ଚଳ ଅପେକ୍ଷା ଯଥେଷ୍ଟ ଅଧିକ ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟଟି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଆୟୋଗ କରୁଥିବାରୁ ସେଥିରେ ସରକାରଙ୍କ ଭୂମିକା କିଛି ନ ଥାଏ । ଏବର ସୀମା ନିର୍ଦ୍ଧାରଣ ଆୟୋଗଙ୍କ ନିଷ୍ପତ୍ତିକୁ କେହି ମୋଦିଙ୍କ ନିଷ୍ପତ୍ତି ବୋଲି କହିବା ଠିକ ହେବ କି ? କାଶ୍ମୀର ନେତାମାନେ ଜାମ୍ମୁ ଓ କାଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ଫେରାଇବା ଉପରେ ଜୋର ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଅନୁସାରେ ପ୍ରଥମେ ସୀମା ନିର୍ଦ୍ଧାରଣ କାର୍ଯ୍ୟଟି ସୁଚାରୁ ରୂପେ ସମ୍ପାଦନ ହେଲା ପରେ ବିଧାନସଭା ପାଇଁ ନିର୍ବାଚନ କରାଯିବ । ତା’ ପରେ ଯାଇ ରାଜ୍ୟ ମାନ୍ୟତା କଥା ବିଚାର କରାଯିବ । ସେଠାରେ ଜିଲ୍ଲା ବିକାଶ ପରିଷଦ (ଡିଡିସି) ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ସାରିଥିବାରୁ ବିଧାନସଭା ପାଇଁ ନିର୍ବାଚନ କରା ଯାଇ ପାରିଲେ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଦୃଢୀକରଣ ହୋଇ ପାରିବ ବୋଲି ସରକାରଙ୍କର ବିଶ୍ୱାସ । ତେଣୁ ରାଜ୍ୟ ମାନ୍ୟତା ଫେରସ୍ତ ମିଳିବା ପ୍ରକ୍ରିୟା ସମୟ ସାପେକ୍ଷ ହେବାର ଆଶଙ୍କା ଥିବାରୁ କାଶ୍ମୀର ନେତାମାନେ ସୀମା ନିର୍ଦ୍ଧାରଣ ପରେ ଓ ନିର୍ବାଚନ ପୂର୍ବରୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଅବଶ୍ୟ ଧାରା ୩୭୦ର ଉଚ୍ଛେଦକୁ ପ୍ରତିବାଦ କରି ସେମାନେ କରିଥିବା ମାମଲାଟି ଏବେ ମଧ୍ୟ ସୁପ୍ରିମକୋର୍ଟଙ୍କଠାରେ ବିଚାରାଧୀନ ଅବସ୍ଥାରେ ପଡି ରହିଛି । ତେବେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବାର ସମ୍ଭାବନା କ୍ଷୀଣ ହୋଇ ଥିବାରୁ ସେହି କାର୍ଯ୍ୟଟିକୁ ଯଥାଶୀଘ୍ର ସମ୍ପନ୍ନ କରିବା ଦିଗରେ ସେଠାକାର ସବୁ ରାଜନୈତିକ ଦଳ ଆୟୋଗଙ୍କୁ ସହଯୋଗ କରିବା ଉଚିତ ।
Published in Samadrushti in July 01-15, 2021 issue.
Comments
Post a Comment