ଏଇ ଅଳ୍ପ ଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଜନସଂଖ୍ୟା ସମ୍ପର୍କିତ ଏପରି ତିନିଟି ନିଷ୍ପତ୍ତି ନିଆଯାଇଛି ଯାହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯାଉଥିବାରୁ ସେଗୁଡିକର ଅବତାରଣା ନିହାତି ଆବଶ୍ୟକ । ୭୦ ହଜାର ଜନସଂଖ୍ୟା ବିଶିଷ୍ଟ ମୁସଲମାନ ବହୁଳ ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ ନବନିଯୁକ୍ତ ପ୍ରଶାସକ ପଞ୍ଚାୟତ ନିର୍ବାଚନରେ ଦୁଇଟି ସନ୍ତାନରୁ ଅଧିକ ଥିଲେ ପ୍ରତିଦ୍ୱନ୍ଦ୍ୱିତା କରି ହେବ ନାହିଁ ବୋଲି ଆଇନରେ ସଂଶୋଧନ କରିବାକୁ ଚିଠା ପ୍ରସ୍ତାବରେ ଘୋଷଣା କରିଛନ୍ତି । ଦ୍ୱିତୀୟଟି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଘୋଷଣା ଯେଉଁଥିରେ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ଲାଭ ପାଇବାକୁ ହେଲେ ଲାଭାର୍ଥୀଙ୍କୁ ଦୁଇ-ଶିଶୁ ନୀତିକୁ ଅନୁସରଣ କରିବାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରାଯିବ । ତୃତୀୟଟି, ଚୀନ ସରକାରଙ୍କ ଦ୍ୱାରା ‘ତିନି-ଶିଶୁ ନୀତି’ ଘୋଷଣା ହେବା । ଭାରତ ଭିତରର ପ୍ରଥମ ଦୁଇଟି ନିଷ୍ପତ୍ତି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ଦିଷ୍ଟ ହୋଇଥିଲା ବେଳେ ଚୀନର ନିଷ୍ପତ୍ତି ଜନସଂଖ୍ୟା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଫଳରେ ଆମ ଦେଶର ଜନସଂଖ୍ୟା ନୀତିର ପୁନର୍ବିବେଚନା ହେବା ଆବଶ୍ୟକ କି, ସେ ନେଇ ପ୍ରଶ୍ନ ଉଠିଛି ।
ଜନସଂଖ୍ୟା ନିୟନ୍ତ୍ରଣରେ ମୋଟ ଉତ୍ପାଦିକା ହାର (ଟିଏଫଆର) ସୂଚକଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦେଶରେ ମହିଳାମାନେ ସେମାନଙ୍କ ଜୀବଦ୍ଦଶାରେ ହାରାହାରି କେତୋଟି ଶିଶୁଙ୍କୁ ଜନ୍ମ ଦେଉଛନ୍ତି, ତାହା ଏହି ସୂଚକ ଦର୍ଶାଇଥାଏ । କୌଣସି ଦେଶର ଜନସଂଖ୍ୟାକୁ ସ୍ଥିର ରଖିବାକୁ ହେଲେ ସେହି ଦେଶର ଟିଏଫଆର ୨.୧ ହେବା ବିଧେୟ, ଯାହାକୁ ପରିପୂରଣ ସ୍ତର (ରିପ୍ଲେସମେଣ୍ଟ ଲେଭଲ) କୁହା ଯାଇଥାଏ । ଅର୍ଥାତ୍, ତାଠାରୁ କମ ହେଲେ ଜନସଂଖ୍ୟା ହ୍ରାସ ପାଇବା ସହ କର୍ମ ଉପଯୋଗୀ ବୟସ ବର୍ଗର ସଂଖ୍ୟା କମ ହୋଇଥାଏ । ବିଶ୍ୱର ୮୩ଟି ଦେଶରେ ଏବେ ଟିଏଫଆର ପରିପୂରଣ ସ୍ତର ତଳେ ଥିବାରୁ ୨୦୫୦ ସୁଦ୍ଧା ସେହି ଦେଶଗୁଡିକ କ୍ଷୁଦ୍ର ଓ ବୟସ୍କ ହୋଇଯିବାର ଆଶଙ୍କା ଦେଖା ଦେଇଛି । ଆଫ୍ରିକାର କେତେକ ଦେଶରେ ବର୍ତ୍ତମାନ ଏହି ହାର ୩ରୁ ଅଧିକ ହୋଇଥିବା ବେଳେ ତାଇୱାନରେ ଏହା ସର୍ବନିମ୍ନ ୧.୦୭ ଓ ଦକ୍ଷିଣ କୋରିଆ, ସିଙ୍ଗାପୁର, ଜାପାନ, ଜର୍ମାନୀ ଭଳି ଅନେକ ଉନ୍ନତ ଦେଶରେ ୧.୫୦ରୁ କମ । କେତେକ ପାଶ୍ଚାତ୍ୟ ଦେଶରେ ତ ଜନସଂଖ୍ୟା ଏତେ କମ ହେଲାଣି ଯେ ସେଠାରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ବାର୍ଦ୍ଧକ୍ୟାବସ୍ଥାରେ ସେବାଶୁଶ୍ରୂଷା କରିବା ପାଇଁ ବି ଲୋକଙ୍କ ଅଭାବ ଅନୁଭୂତ ହେଉଛି । ତେଣୁ ସେହି ସବୁ ଦେଶରେ ଅଧିକ ଶିଶୁଜନ୍ମ ପାଇଁ ସରକାରଙ୍କ ତରଫରୁ ନାନା ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆ ଯାଉଥିଲେ ବି ସେଠାରେ ଟିଏଫଆର ବଢି ପାରୁନାହିଁ । ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏବେ ବିଶ୍ୱର ୫୬ଟି ଦେଶ ଅଧିକ ଶିଶୁ ଜନ୍ମ ଉପରେ ଗୁରୁତ୍ୱ ଦେଇ ନିଜ ଦେଶର ଜନସଂଖ୍ୟା ନୀତିରେ ପରିବର୍ତ୍ତନ କରିଛନ୍ତି ।
ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଚୀନ ୧୯୭୯ରେ ଜନସଂଖ୍ୟା ହ୍ରାସ କରିବା ପାଇଁ ଏକ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରି ‘ଏକ-ଶିଶୁ ନୀତି’ର ଘୋଷଣା କରିଥିଲା । ଏହାର କଡାକଡି ଭାବେ ଅନୁପାଳନ ହୋଇ ସେଠାରେ ଜନସଂଖ୍ୟା ବିସ୍ଫୋରଣର ଆଶଙ୍କାକୁ ଏଡାଇ ଦେଇ ହେଲା । ତେବେ ଜନସଂଖ୍ୟା ଅତ୍ୟଧିକ ହ୍ରାସ ପାଉଥିବାରୁ ସେଠାରେ ୨୦୧୬ରେ ‘ଦୁଇ-ଶିଶୁ ନୀତି’ର ପ୍ରଣୟନ କରାଗଲା । ହେଲେ ସେହି ନୀତି ସେଠାରେ ଜନସଂଖ୍ୟା ବୃଦ୍ଧିରେ ସେ ଭଳି ସହାୟକ ହେଉ ନ ଥିବା ଦେଖି ମଇ ୩୧, ୨୦୨୧ରେ ଚୀନ ସରକାରଙ୍କ ଦ୍ୱାରା ଜନସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ‘ତିନି-ଶିଶୁ ନୀତି’ର ଘୋଷଣା କରାଗଲା । ଦମ୍ପତିମାନଙ୍କୁ ଆକୃଷ୍ଟ କରିବା ଲାଗି ସରକାରଙ୍କ ତରଫରୁ ନାନା ପ୍ରକାର ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯିବ । ଚୀନରେ ଦୀର୍ଘ ଦିନ ଧରି ଏକ-ଶିଶୁ ନୀତି କାର୍ଯ୍ୟକାରୀ ହେବା ତଥା ଏକା ସମୟରେ ସେଠାରେ ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ହେବା ଯୋଗୁ ପିଲାଙ୍କ ଲାଳନପାଳନ ଖର୍ଚ୍ଚ ଅତ୍ୟଧିକ ବୃଦ୍ଧି ପାଇ ଦମ୍ପତିମାନଙ୍କଠାରେ ଦ୍ୱିତୀୟ ଶିଶୁ ଜନ୍ମ କରିବା ଲାଗି ଆଗ୍ରହ ହ୍ରାସ ପାଇଲା । ୨୦୨୦ ଅକ୍ଟୋବରରେ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ ଦୁଇ-ଶିଶୁ ନୀତି ସତ୍ତ୍ୱେ ଗତ ବର୍ଷ ଦେଶରେ ମାତ୍ର ୧.୨୦ କୋଟି ଶିଶୁ ଜନ୍ମ ହୋଇଥିଲେ, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ କମ । ଚୀନରେ ଟିଏଫଆର ୧.୩ରେ ଆସି ପହଞ୍ଚିଲାଣି । ଏହି ଦ୍ରୁତ ଜନସଂଖ୍ୟା ହ୍ରାସ କାରଣରୁ ଭବିଷ୍ୟତରେ କର୍ମ ଉପଯୋଗୀ ବୟସ ବର୍ଗର ଲୋକଙ୍କ ସଂଖ୍ୟା ଯଥେଷ୍ଟ କମ ହୋଇ ଦେଶର ଜିଡିପି ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ଥିବାରୁ ଏହି ନୂତନ ନୀତିଟି ପ୍ରଣୀତ ହେଲା । ନୂଆ ନୀତିରେ ତିନିଟି ଶିଶୁ ଜନ୍ମ ପାଇଁ ପ୍ରୋତ୍ସାହନ ଦିଆ ଯାଉଥିଲେ ବି ଏକ ସର୍ଭେ ଅନୁଯାୟୀ ସଂଖ୍ୟାଧିକ ଦମ୍ପତି ଏଥିପାଇଁ ଆଗ୍ରହୀ ନ ଥିବା ଜଣା ପଡିଛି । ଜନସଂଖ୍ୟା ବିଶେଷଜ୍ଞ ଆଣ୍ଡି ମକଙ୍କ ମତରେ ଚୀନରେ ଡିଜିଟାଲାଇଜେସନର ପ୍ରକ୍ରିୟା ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଶ୍ରମଶକ୍ତି ସଙ୍କୋଚନଜନିତ ସମସ୍ୟାକୁ ସହଜରେ ଦୂର କରି ପାରିବ । ତେଣୁ ଚୀନ ପକ୍ଷରେ ଏକ ବୃହଦ୍ ଶ୍ରମଶକ୍ତି ଅପେକ୍ଷା ଏକ କ୍ଷୁଦ୍ର ଅଥଚ ଅତ୍ୟଧିକ କୁଶଳୀ ଓ ବିଶେଷତା ସମ୍ପନ୍ନ ଶ୍ରମଶକ୍ତି ଅଧିକ ଲାଭଜନକ ସାବ୍ୟସ୍ତ ହୋଇପାରେ ।
ଜନସଂଖ୍ୟା ବୃଦ୍ଧିର ପ୍ରଭାବ ଅର୍ଥନୈତିକ, ସାମାଜିକ ଓ ପରିବେଶଗତ ଏହିପରି ତିନିଟି ସ୍ତରରେ ପଡିଥାଏ । ଜାତିସଂଘର ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟା ୨୦୨୨ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପି ଯାଇପାରେ । ଭାରତ ବର୍ଷରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୦ ମସିହାରେ ଏକ ଜନସଂଖ୍ୟା ନୀତିର ପ୍ରଣୟନ କରାଗଲା, ଯାହା ଅନେକଟା ସଫଳ ହେଲା ପରି ମନେ ହୁଏ । କାରଣ ଦେଶରେ ୨୦୦୧ରେ ଟିଏଫଆର ୩.୨ ଥିଲା ବେଳେ ୨୦୧୧ରେ ତାହା ୨.୨ ହୋଇଛି । ତେବେ ଏହି ଦ୍ରୁତ ହ୍ରାସ ମଧ୍ୟ ନୂତନ ଉଦବେଗର କାରଣ ପାଲଟିଛି । ଭାରତ ସରକାରଙ୍କ ୨୦୧୯ର ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶରେ ଯୁବକଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଥିବା ବେଳେ ବୟସ୍କଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ୧୯୭୧-୮୧ରେ ଥିବା ୨.୫ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ହାର ୨୦୧୧-୧୬ ମଧ୍ୟରେ ୧.୩ ପ୍ରତିଶତରେ ପହଞ୍ଚିଲାଣି । ଜନସଂଖ୍ୟା ଏବେ ଏପରି ଏକ ପର୍ଯ୍ୟାୟରେ ଆସି ପହଞ୍ଚିଛି ଯେତେବେଳେ ଜନସଂଖ୍ୟାର ବୃଦ୍ଧି ମନ୍ଥର ହୋଇଥିବା ବେଳେ କର୍ମ ଉପଯୋଗୀ ବୟସ ବର୍ଗର ଜନସଂଖ୍ୟା ବଢି ଚାଲିଛି । ଆକଳନାନୁସାରେ ୨୦୨୧-୩୧ ଦଶକରେ ଜନସଂଖ୍ୟା ବୃଦ୍ଧିହାର 1 ପ୍ରତିଶତ ରହିବା ବେଳେ ୨୦୩୧-୪୧ ଦଶକରେ ତାହା ଆହୁରି ହ୍ରାସ ପାଇ ୦.୫ରେ ପହଞ୍ଚିବ । ୨୦୧୧ରେ ୦ରୁ ୧୯ ବର୍ଷ ବୟସ ବର୍ଗ ଜନସଂଖ୍ୟାର ୪୧ ପ୍ରତିଶତ ଥିଲା ବେଳେ ୨୦୪୧ ବେଳକୁ ତାହା ୨୫ ପ୍ରତିଶତରେ ପହଞ୍ଚିଥିବ । ଅନ୍ୟ ପକ୍ଷରେ ବୟସ୍କ ବର୍ଗଙ୍କ ସଂଖ୍ୟା ସେହି ସମୟ ମଧ୍ୟରେ ପ୍ରାୟ ଦୁଇ ଗୁଣ ବଢି ୧୬ ପ୍ରତିଶତ ହୋଇ ସାରିଥିବ । କର୍ମ ଉପଯୋଗୀ ବୟସ ବର୍ଗର ସଂଖ୍ୟା ୨୦୨୧-୩୧ ଦଶକରେ ପ୍ରତି ବର୍ଷ ୯୭ ଲକ୍ଷ ବଢିବା ପରେ ୨୦୩୧-୪୧ ଦଶକରେ ହ୍ରାସ ପାଇ ବର୍ଷକୁ ୪୨ ଲକ୍ଷ ବଢିବ । ତା’ ପରେ ତାହା ଆଉ ବଢିବ ନାହିଁ କାରଣ ଏବେ, ଜନ୍ମ ହୋଇଥିବା ପିଲାମାନେ ୨୦ ବର୍ଷ ପରେ ଶ୍ରମଶକ୍ତିରେ ଯୋଗ ଦେଉଥିବାରୁ ଓ ସେମାନଙ୍କ ସଂଖ୍ୟା ଏବେ ଯାହା ୨୦ ବର୍ଷ ପରେ ବୟସ୍କ ବର୍ଗର ଲୋକ ହୋଇ ଶ୍ରମଶକ୍ତିରୁ ଅବସର ନେଉଥିବା ଲୋକଙ୍କ ସଂଖ୍ୟା ତା’ଠାରୁ ଅଧିକ ହୋଇ ସାରିଥିବ । ଫଳରେ କର୍ମ-ଉପଯୋଗୀ ଜନସଂଖ୍ୟା ଅଧିକ ଥିବା କାରଣରୁ ଭାରତକୁ ଏବେ ଯେଉଁ ଜନସାଂଖ୍ୟିକ ଲାଭାଂଶ ମିଳୁଛି ତାହା ୨୦୪୧ରେ ଚରମରେ ପହଞ୍ଚି ନିମ୍ନାଭିମୁଖୀ ହେଲେ ଆଉ ନ ମିଳି ଦେଶର ଅର୍ଥନୀତି ବିପଦଗ୍ରସ୍ତ ହୋଇପାରେ ।
ଭାରତରେ ଜନସଂଖ୍ୟା ହାର ହ୍ରାସ ପାଉଥିଲେ ବି ମୁସଲମାନଙ୍କ ଜନସଂଖ୍ୟା ହାର ବୃଦ୍ଧି ନେଇ କିଛି ଲୋକ ଉଦବେଗ ପ୍ରକାଶ କରିଥାଆନ୍ତି । ସେମାନଙ୍କ ଉଦବେଗର କାରଣ ହେଉଛି ମୁସଲମାନମାନେ କୌଣସି ପ୍ରକାର ପରିବାର ନିୟନ୍ତ୍ରଣକୁ ଗ୍ରହଣ ନ କରି ଜଣକା ୪ ବା ଅଧିକ ପିଲା ଜନ୍ମ କରୁଥିବାରୁ ସେମାନଙ୍କ ସଂଖ୍ୟା ଅଚିରେ ହିନ୍ଦୁଙ୍କ ଅପେକ୍ଷା ବଢିଯିବ ଓ ହିନ୍ଦୁମାନଙ୍କ ଗୁରୁତ୍ୱ କମିଯିବ, ଯାହା ଠିକ୍ ନୁହେଁ । ଏ କଥା ସତ ଯେ ମୁସଲମାନଙ୍କ ଟିଏଫଆର ହିନ୍ଦୁମାନଙ୍କ ଟିଏଫଆର ତୁଳନାରେ ଅଧିକ । ହିନ୍ଦୁମାନଙ୍କ ମଧ୍ୟରେ ଏବେ ବି ବିଧବା ବିବାହ ଗ୍ରହଣୀୟ ହୋଇ ନ ପାରିବା, ମୁସଲମାନମାନେ ଗର୍ଭପାତ କରାଉ ନ ଥିଲା ବେଳେ ହିନ୍ଦୁମାନଙ୍କ ମଧ୍ୟରେ ତାହା ସ୍ୱୀକୃତି ଲାଭ କରି ସାରିଥିବା ହିନ୍ଦୁମାନଙ୍କ ଉତ୍ପାଦିକା ହାର କମ ହେବାର ବଡ କାରଣ ହୋଇପାରେ । ଏ ସବୁ ସତ୍ତ୍ୱେ ୨୦୦୦ ମସିହାରେ ନୂଆ ଜନସଂଖ୍ୟା ନୀତି ପ୍ରଣୟନ ହେବା ପରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଟିଏଫଆର ହ୍ରାସ ପାଇଥିଲେ ବି ମୁସଲମାନଙ୍କ ମଧ୍ୟରେ ଏହି ହ୍ରାସ ଦ୍ରୁତତର ହୋଇଛି । ୨୦୦୧ରେ ହିନ୍ଦୁଙ୍କ କ୍ଷେତ୍ରରେ ଟିଏଫଆର ୩.୧ ଥିଲା, ଯାହା ୨୦୧୧ରେ ୨.୧ରେ ପହଞ୍ଚିଥିବା ବେଳେ ମୁସଲମାନଙ୍କ କ୍ଷେତ୍ରରେ ତାହା ୪.୧ରୁ ଖସି ୨.୭ରେ ପହଞ୍ଚିଛି । ଅର୍ଥାତ୍, ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥିବା ୦.୬ର ଉତ୍ପାଦିକା ହାର ବ୍ୟବଧାନ ଶୀଘ୍ର ଦୂର ହୋଇପାରେ । ବସ୍ତୁତଃ, ଦାରିଦ୍ର୍ୟ, ନିରକ୍ଷରତା, ଶିକ୍ଷା ତଥା ସାମାଜିକ ସଚେତନତାର ଅଭାବ ହିଁ ପରୋକ୍ଷରେ ଉତ୍ପାଦିକା ହାର ବୃଦ୍ଧିର କାରଣ ହୋଇଥିବାରୁ ସେଗୁଡିକ ବିରୁଦ୍ଧରେ ଲଢେଇ ହେବା ଉଚିତ । ତେଣୁ ମୁସଲମାନଙ୍କ ଅଧିକ ଶିଶୁଜନ୍ମ ହାରକୁ ଦେଶର ଧାର୍ମିକ ପ୍ରାଧାନ୍ୟ ପରିବର୍ତ୍ତନ କରିବା ନିମନ୍ତେ ଏକ ଷଡଯନ୍ତ୍ର ବୋଲି ଦର୍ଶାଇ କିଛି ଲୋକଙ୍କ ଦ୍ୱାରା ଯେଉଁ ବଖାଣ ପ୍ରସ୍ତୁତ କରି ହିନ୍ଦୁଙ୍କ ମଧ୍ୟରେ ଭୀତି ସଞ୍ଚାର ପାଇଁ ଉଦ୍ୟମ ହେଉଛି, ତାହା ଭିତ୍ତିହୀନ ।
ଜନସଂଖ୍ୟା ପ୍ରସଙ୍ଗଟିକୁ ପରିବେଶ ଦୃଷ୍ଟିରୁ ଦେଖିଲେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥାଏ । ପୃଥିବୀରେ ଯାହା ସମ୍ୱଳ ରହିଛି ସେଥିରେ ପରିବେଶ ପ୍ରତି ବିପଦ ସୃଷ୍ଟି ନ କରି ସର୍ବାଧିକ ୧୯୦ କୋଟି ଲୋକ ଭଲରେ ଚଳି ପାରିବେ । ବର୍ତ୍ତମାନ ପୃଥିବୀର ଜନସଂଖ୍ୟା ପ୍ରାୟ ୭୫୦ କୋଟି ଅର୍ଥାତ୍ ପୃଥିବୀ ଯେତିକି ଭାର ସମ୍ଭାଳି ପାରିବ ତା’ଠାରୁ ପ୍ରାୟ ଚାରି ଗୁଣ ଅଧିକ । ଏହି ବର୍ଦ୍ଧିତ ଜନସଂଖ୍ୟା ମଧୁର ଜଳର ଉପଲବ୍ଧତା ଉପରେ ସବୁଠାରୁ ବେଶି ଚାପ ପକାଉଛି । ଆଗାମୀ ପିଢିର ଆବଶ୍ୟକତାକୁ ଅଣଦେଖା କରି ସମ୍ୱଳ ପୁନଃ ନବୀକରଣକୁ ଧ୍ୟାନ ନ ଦେଇ ଅତି ନିର୍ମମ ଭାବେ ଜଙ୍ଗଲ କଟାଯାଉଛି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ଉତ୍ତୋଳନ କରାଯାଉଛି । ଏହାର କୁପ୍ରଭାବ ଜଳବାୟୁ ପରିବର୍ତ୍ତନ ମାଧ୍ୟମରେ ଲୋକଙ୍କ ସମ୍ମୁଖରେ ବିଭିନ୍ନ ରୂପରେ ପ୍ରତିଭାତ ହୋଇ ସାରିଲାଣି । ତେଣୁ ବିଶ୍ୱବାସୀଙ୍କୁ ଆଗାମୀ ଚରମ ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ସବୁ ଦେଶ ନିଜ ସ୍ୱାର୍ଥକୁ ପଛରେ ରଖି ବିଶ୍ୱ ଜନସଂଖ୍ୟାକୁ ହ୍ରାସ କରିବା ଲାଗି ଐକ୍ୟବଦ୍ଧ ଉଦ୍ୟମ କରିବା ଆବଶ୍ୟକ ।
ଜନସଂଖ୍ୟା ବୃଦ୍ଧି ହିଁ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅଧିକାଂଶ ସମସ୍ୟାର ମୁଖ୍ୟ କାରଣ ବୋଲି କୁହାଯାଇଥାଏ, ଯାହା ଅନେକାଂଶରେ ସତ । ତେବେ ଆଜି ଯଦି ଭାରତ ବିଶ୍ୱରେ ଏକ ବଡ ଶକ୍ତି, ବଡ ବଜାର ଭାବେ ଉଭା ହୋଇ ବିଭିନ୍ନ ଦେଶର ଧ୍ୟାନ ଆକର୍ଷଣ କରି ପାରୁଛି, ତା’ର ଶ୍ରେୟ ଯିବ ଦେଶର ବିଶାଳ ଜନସଂଖ୍ୟାକୁ । ବର୍ତ୍ତମାନ ଭାରତର ନୀତି ନିର୍ଦ୍ଧାରକମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ସେମାନେ ଅର୍ଥନୈତିକ ଓ ପାରିବେଶିକ ଦିଗ ମଧ୍ୟରୁ କେଉଁଟିକୁ ଅଧିକ ଗୁରୁତ୍ୱ ଦେବେ । ନିରନ୍ତର ଜିଡିପି ଅଭିବୃଦ୍ଧିକୁ ଧ୍ୟାନରେ ରଖି ଅର୍ଥନୈତିକ ଦିଗଟିକୁ ଗୁରୁତ୍ୱ ଦେଲେ କର୍ମ ଉପଯୋଗୀ ବୟସ ବର୍ଗର ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ଅଧିକ ଶିଶୁ ଜନ୍ମ ହେବା ଆବଶ୍ୟକ । ସେ କ୍ଷେତ୍ରରେ ସରକାରଙ୍କୁ ହୁଏତ ଚୀନ ପରି ଅଧିକ ଶିଶୁ ଜନ୍ମ କରିବାରେ ଥିବା ପ୍ରତିବନ୍ଧଗୁଡିକୁ ଦୂର କରି ତା’ ସ୍ଥାନରେ ପ୍ରୋତ୍ସାହନ ପ୍ରଦାନର ନୀତି ଘୋଷଣା କରିବାକୁ ପଡିପାରେ । ତେବେ ପାରିବେଶିକ ଦିଗଟି ଉପରେ ଗୁରୁତ୍ୱ ଦେଲେ ଜନସଂଖ୍ୟାକୁ ଯଥେଷ୍ଟ ହ୍ରାସ କରିବାକୁ ହେବ ଯାହା ଲାଗି ବିଶ୍ୱର ସବୁ ଦେଶଙ୍କ ସହ ସମନ୍ୱୟ ରକ୍ଷା କରି ନୀତି ନିର୍ଦ୍ଧାରଣ କରିବାରେ ଭାରତ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ । ସେ ପର୍ଯ୍ୟନ୍ତ ଦେଶକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଇ ଉଭୟ ଅର୍ଥନୈତିକ ଓ ପାରିବେଶିକ ଦିଗ ମଧ୍ୟରେ ସନ୍ତୁଳନ ରକ୍ଷା ପୂର୍ବକ ହୁଏତ ଜନସଂଖ୍ୟା ନୀତିର ପୁନର୍ବିବେଚନା କରିବାକୁ ପଡିପାରେ ।
Published in Sambad on July 13, 2021
Superb composition
ReplyDeleteThanks
Delete